Unknown

 

 

 

 

 

 

 

 

 

 

 

କଳା ଶକ୍ତି

ଶ୍ରୀ ଗୋପୀନାଥ ମହାନ୍ତି

 

ଅନୁକ୍ରମ

 

୧.

ବାଇଆ କକ

୨.

ଭଙ୍ଗା ଛାତି

୩.

ପତର ଚକି

୪.

ତାଧିନ୍‌ଧିନ୍ଦା

୫.

ଲୋକହସା

୬.

କଳା-ଶକ୍ତି

୭.

କୁଆତରା

୮.

କାରୁଣୀ

୯.

ବନ୍ଧାଖୋଲା

୧୦.

ଏପାରି ସେପାରି

୧୧.

ଶାରଦୀୟା

୧୨.

ଛାଇ

୧୩.

ଶେଷ ଅଙ୍କ

୧୪.

ନାଲି ସଡ଼କର ଢିମା

୧୫.

କିମ୍‌-ଭୂତ

୧୬.

ଗଣ ସାହିତ୍ୟ

୧୭.

ଶିଳ୍ପୀ ଓ ମଣିଷ

 

ଦି’ପଦ ପଦେ

 

ମୁଁ ମୋର ସାହିତ୍ୟିକ ଜୀବନର ଆରମ୍ଭବେଳେ ନୂଆ ନୂଆ ଗଢ଼ିଥିବା ଅଭିରୁଚି ଓ ଦୃଷ୍ଟିଭଙ୍ଗୀ ଘେନି ଗୋଟିଏ ନୂଆ ଉଦ୍ୟମରେ ସତରଟି ପ୍ରବନ୍ଧ ଲେଖିଥିଲି । ‘ବାଇଆ କକ’ରୁ ତା ଆରମ୍ଭ ହୋଇଥିଲା । ସବୁଗୁଡ଼ିକ ସେକାଳର ପ୍ରସିଦ୍ଧ ସାହିତ୍ୟ-ପତ୍ରିକା ‘ସହକାର’ରେ ଛାପା ହୋଇଥିଲା । ତହିଁରୁ ପ୍ରତ୍ୟେକ ପ୍ରବନ୍ଧ ସାହିତ୍ୟିକ ତତ୍ତ୍ୱମୂଳକ ଆଲୋଚନା । କିନ୍ତୁ ଜାଣି ଜାଣି ତା ଚେହେରାକୁ ଏପରି ଗଢ଼ିବାକୁ ଚେଷ୍ଟା କରାଯାଇଥିଲା ଯହିଁରେ ନାଁଧରି ପ୍ରବନ୍ଧଗୁଡ଼ିକ କାହାରିକୁ ହୁରୁଡ଼େଇବ ନାହିଁ । ପଢ଼ାଳିଙ୍କ ଆଗ୍ରହ ସୃଷ୍ଟିକରିବ, କ୍ଳାନ୍ତି ନୁହେଁ । ପ୍ରକୃତରେ ସେ ଉଦ୍ୟମ କିଭଳି ହେଲା ତା କହିବା ମୋ କାମ ନୁହେଁ, ମୁଁ ଖାଲି ମୋର କ’ଣ ଉଦ୍ଦେଶ୍ୟ ଥିଲା ସେତିକି କହି ପାରିବି-। ମନେ ପଡ଼ୁଛି, ୧୯୩୬ ସାଲ୍ ଅପ୍ରେଲ ମାସ–ମୋର ଜନ୍ମମାସ । ମତେ ବାଇଶି ପୂରୁଥାଏ । ‘ସହକାର’ ୧୬ଶ ବର୍ଷ ପ୍ରଥମ ସଂଖ୍ୟାରେ ‘ବାଇଆ କକ’ ବାହାରିଲା । ମୋର ବି. ଏ. ଅନର୍ସରେ ଓ ଏମ୍. ଏ. ରେ ଇଂରାଜି ସାହିତ୍ୟ ଥିଲା । ୧୯୩୬ ରେ ଏମ୍. ଏ. ପାସ୍ କଲି । ତା ପୂର୍ବରୁ ‘ବାଇଆ କକ’ ଓ ସେହିଭଳି ଅନ୍ୟାନ୍ୟ ପ୍ରବନ୍ଧ ଲେଖିବାକୁ ଯୋଜନା କରିଥାଏଁ । ଇଂରେଜିରେ ସମାଲୋଚନାମୂଳକ ଆଧୁନିକ ପ୍ରବନ୍ଧମାନ ପଢ଼ିଥାଏଁ । ଲେଖକମାନେ ନାଁ-ଡାକ୍‌-ଯଥା ଚେଷ୍ଟଟିନ୍, ବେଲକ୍‌, ଲିଣ୍ଡ୍‌, ଡିକ୍ୱିନ୍‌ସି, ଭାର୍ଜିନିଆ ଉଲ୍‌ଫ୍, ଏଡ଼ିଥ୍‌ ସୀଟ୍‌ଓ୍ୱେଲ୍‌ । ବିଂଶ ଶତାବ୍ଦୀରେ ବିଶେଷତଃ ପ୍ରଥମ ମହାଯୁଦ୍ଧ ପରେ ଇଂରେଜିରେ ଆଧୁନିକ ପ୍ରବନ୍ଧର ବହୁତ ଅଭିବୃଦ୍ଧି ଘଟିଥାଏ । ସେସବୁ ପ୍ରବନ୍ଧମାନଙ୍କ ଦୃଷ୍ଟି ଅତି ଗଭୀର । ବିଶ୍ଳେଷଣ ଅତି ଉନ୍ନତ ଓ ବୌଦ୍ଧିକ, କିନ୍ତୁ ତହିଁରେ ଢମ ନ ଥାଏ, ଆଡ଼ମ୍ବର ନ ଥାଏ । ଗୁରୁଗମ୍ଭୀର ଠାଣୀ ନ ଥାଏ । ଦାନ୍ତଚିପା ନ ଥାଏ, ଡୋଳାଖୋଷା ଭ୍ରୂଲତା ଟେକା ନ ଥାଏ । ଅନ୍ତରଙ୍ଗ ବଂଧୁଟିଏ ବାଜେକଥା ଗପିଲା ପରି ସେଭଳି ପ୍ରବନ୍ଧ କଥା ଗପିଯାଏ । ହସି ହସାଇ, କାନ୍ଦି କନ୍ଦାଇ, ତାହାରି ଭିତରୁ ଆପେ ବାହାରିପଡ଼େ ପଗପଗକେ ପ୍ରବନ୍ଧଟିର ବକ୍ତବ୍ୟ । ଲେଖକ ପାଠକ ଏକାସଙ୍ଗେ ତତ୍ତ୍ୱ ଖୋଜନ୍ତି । ଦୁହେଁ ଥାଆନ୍ତି ଆବିଷ୍କାରକସୁଲଭ କୁତୂହଳ ଓ ଆନନ୍ଦ, ଦିହେଁ ସଙ୍ଗହୋଇ ଏକ ସିଦ୍ଧାନ୍ତରେ ପହଞ୍ଚନ୍ତି, ପୁଣି ଏକାଠି ଚାଲିଯାଆନ୍ତି ଆଉ କଥା ଖୋଜିବା ପାଇଁ । ଯାହା ଅନ୍ୟଥା ହୁଅନ୍ତା ଦାନ୍ତଭଙ୍ଗା ଶୁଖିଲା ଆଲୋଚନା-। ଓଡ଼ିଆରେ ସେଭଳି ତାତ୍ତ୍ୱିକ ବିଷୟକୁ ଏହି ‘କିଛିନୁହେଁ–ସରସ–ସରଳ ଉପାୟରେ ଆଲୋଚନା କରିବାକୁ ମନ ହେବାରୁ ତାପାଇଁ ନୂଆ ଶୈଳୀ ଖଞ୍ଜି ଏ ପ୍ରବନ୍ଧଗୁଡ଼ିକୁ ଲେଖିଥିଲି । ‘ବାଇଆ କକ’ରେ ଆଲୋଚ୍ୟ–ସାହିତ୍ୟରେ ‘ଆଶ୍ଚର୍ଯ୍ୟବୋଧର କ୍ରିୟା’ । ‘ଭଙ୍ଗାଛାତି’ ପ୍ରବନ୍ଧରେ ଆଲୋଚ୍ୟ-ଇଂରାଜିରେ ଯାହାକୁ କୁହାଯାନ୍ତା ରୋମାଣ୍ଟିସିଜ୍‌ମ । ‘ପତର ଚକି’ରେ ଉପନ୍ୟାସରେ ‘ବାରବୁଲା’ ଚରିତ୍ର ବିଷୟରେ ଆଲୋଚନା ହୋଇଥିଲା । ‘ତାଧିନ୍‌ଧିନ୍ଦା’ ପ୍ରକୃତରେ ‘ସାହିତ୍ୟିକ ସମାଲୋଚନା’ ବିଷୟରେ ପ୍ରବନ୍ଧଟିଏ । ସେଥିରେ ସାହିତ୍ୟ ସମ୍ପର୍କୀୟ କେତୋଟି ନୀତିର ଅବତାରଣା କରାଯାଇଛି-। ‘ଲୋକହସା’ର ବିଷୟବସ୍ତୁ ‘ହାସ୍ୟରସ’ ।

 

ସେହି ସମ୍ପର୍କରେ ଗୋଟିଏ ତାତ୍ତ୍ୱିକ ଆଲୋଚନାର ଉଦ୍ୟମ ତହିଁରେ କରାଯାଇଛି । ‘କଳା-ଶକ୍ତି’ କଳାବିତ୍‌ର ପ୍ରେରଣାର ଉତ୍ସ ବିଷୟରେ ଆଲୋଚନାଟିଏ । ‘କୁଆତରା’ ପ୍ରକୃତରେ ‘ଓଡ଼ିଆ ସାହିତ୍ୟରେ ଆଧୁନିକତା’ ବିଷୟରେ ଗୋଟିଏ ପ୍ରବନ୍ଧ । ‘କାରୁଣୀ’ର ବିଷୟବସ୍ତୁ ‘ଟ୍ରାଜେଡ଼ି ଓ କରୁଣରସ’ । ‘ବନ୍ଧାଖୋଲା’ ‘ସାହିତ୍ୟରେ ସାର୍ବଜନୀନତା ଓ ସ୍ୱତନ୍ତ୍ରତା’ ବିଷୟରେ ଗୋଟିଏ ଆଲୋଚନା । ‘ଏପାରି ସେପାରି’ରେ କବିତାର ଉଦ୍ଦେଶ୍ୟ ବିଷୟରେ ସ୍ଵପ୍ନବାଦୀ ଓ ଜଡ଼ବାଦୀ ଏଭଳି ଯୋଡ଼ିଏ ବିରୋଧୀ ମତ ସମ୍ବନ୍ଧରେ ସାମାନ୍ୟ ଆଲୋଚନା ହୋଇଛି । ‘ଶାରଦୀୟା’ରେ ସାହିତ୍ୟର କେତେଗୁଡ଼ିଏ ବିଷୟବସ୍ତୁ ବିଷୟରେ ଆଲୋଚନା କରାଯାଇଥିଲା, ଯଥା ମଣିଷର ସଭ୍ୟତା, ଦେବତାସୃଷ୍ଟି, ଇନ୍ଦ୍ରିୟଗ୍ରାହ୍ୟ ଅନୁଭୂତି, ଅତୀନ୍ଦ୍ରିୟ ଚେତନା, ସ୍ଵାର୍ଥ, ଆତ୍ମକୈନ୍ଦ୍ରିକତା, ଅସୀମର ପରିକଳ୍ପନା ଇତ୍ୟାଦି । ‘ଛାଇ’ ପ୍ରବନ୍ଧର ଆଲୋଚ୍ୟ ବିଷୟ ‘ଲେଖକର ମନଉପରେ ନାନା ବ୍ୟକ୍ତି, ବସ୍ତୁ ଓ ଧାରଣାର ପ୍ରଭାବ ।’ ‘ଶେଷ ଅଙ୍କ’ରେ ନାଟକ ଓ ଉପନ୍ୟାସର କଥାବସ୍ତୁର ପରିଣତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ‘ନାଲି ସଡ଼କର ଢିମା’ର ବିଷୟ ସାହିତ୍ୟର ବିଷୟବସ୍ତୁରେ ପାରମ୍ପରିକତା ଓ ନୂତନତା ।’ ‘କିମ୍-ଭୂତ’ ପ୍ରବନ୍ଧରେ ସାହିତ୍ୟରେ ଉଦ୍‌ଭଟତ୍ୱର ତାତ୍ପର୍ଯ୍ୟ । ‘ଗଣସାହିତ୍ୟ’ର ବିଷୟବସ୍ତୁ ପ୍ରବନ୍ଧର ନାମରୁହିଁ ଅନୁମିତ ହେବ । ‘ଶିଳ୍ପୀ ଓ ମଣିଷ’ ଗୋଟିଏ କାଳ୍ପନିକ ଚିଠି ଆକାରରେ ଲେଖା ପ୍ରବନ୍ଧଟିଏ, ତା ବିଷୟବସ୍ତୁ “ସାହିତ୍ୟସ୍ରଷ୍ଟାଙ୍କ ଜୀବନ ଓ ତାଙ୍କ କଳା” ।

 

ଏସବୁ ପ୍ରବନ୍ଧରେ ତାତ୍ତ୍ୱିକ ବିଶ୍ଳେଷଣ ଛଡ଼ା ଚିତ୍ରସୃଷ୍ଟି, ଚିତ୍ର ମାଧ୍ୟମରେ ଭାବ ଅଭିବ୍ୟକ୍ତି, ରସସୃଷ୍ଟି, କିଞ୍ଚିତ୍‌ ଚରିତ୍ର ଚିତ୍ରଣ ମଧ୍ୟ ଉଦ୍ୟମ କରାଯାଇଥିଲା । ନୂତନ ଶୈଳୀ ଛଡ଼ା ଓଡ଼ିଆଭାଷାରେ କିଛି ନୂତନ ପ୍ରୟୋଗ ବି ଏ ପ୍ରବନ୍ଧମାନଙ୍କ ଆଭିମୁଖ୍ୟ ଥିଲା । ତା ପୂର୍ବରୁ ସାଧାରଣତଃ ଗତାନୁଗତିକ ପନ୍ଥା ଥିଲା ଯେ ସଂସ୍କୃତିଆ ଭାଷା ଓ ପ୍ରୟୋଗ ହିଁ ତାତ୍ତ୍ୱିକ ବିଶ୍ଳେଷଣ ପାଇଁ ଏକମାତ୍ର ପନ୍ଥା, ଏ ନୂଆ ଉଦ୍ୟମର ଉଦ୍ଦେଶ୍ୟ ଥିଲା ଜିଅନ୍ତା କଞ୍ଚା କଥିତ ଭାଷାରେ ଚିହ୍ନା ଅନୁଭୂତିର ସାହାଯ୍ୟ ନେଇ ଭାବ ପ୍ରକାଶ କରିବା ଓ ସେଥିପାଇଁ ଭାଷାରେ ନୂଆ ନୂଆ ପ୍ରୟୋଗ ତିଆରି କରିଦେବା । ସେତେବେଳେ ଭାଷାରେ ଏ ନୂଆ ପ୍ରୟୋଗର ଉଦ୍ୟମ ଅନେକଙ୍କ ମନକୁ ପାଇଲା ବୋଲି ଲାଗୁଥାଏ । ଭାଷାରେ, ତାତ୍ତ୍ୱିକ ଆଲୋଚନାର ଭାଷାରେ ବି ସେ କାଳର ମୋର ଏ ପରଖା–ପରଖି ଅନ୍ତତଃ ମୋ ନିଜ ଲେଖା ପ୍ରତି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମୁଁ ଭାବେ । ଗୋଟିଏ ଗୋଟିଏ ପ୍ରବଂଧ ଖୁବ ଭାବିଚିନ୍ତି ସମୟ ଦେଇ ଲେଖୁଥାଏ । କେତେ ବ୍ୟକ୍ତିଗତ ସ୍ମୃତି ମନେ ପଡ଼େ-। ‘ବାଇଆ କକ’ର ପାଣ୍ଡୁଲିପି ଘେନି ମୋର ପୂଜ୍ୟ ଅଗ୍ରଜ କାହ୍ନୁ ଭାଇଙ୍କ ସଙ୍ଗରେ ସହକାର ପ୍ରେସ୍‌କୁ ଗଲି, ଶ୍ରଦ୍ଧେୟ ୰ ବାଳକୃଷ୍ଣ କରଙ୍କ ସଙ୍ଗେ ଚିହ୍ନା ହେଲି । ଲେଖାଟି ସେ ନେଲେ, ଛପା ହେଲା । ମୋ ବଂଧୁମାନେ ଖୁବ୍‍ ଖୁସି ହେଲେ । ପଦାରୁ ବହୁତ ଉତ୍ସାହ ମିଳିଲା, ବାଳକୃଷ୍ଣ ବାବୁ ବି ବହୁତ ଉତ୍ସାହ ଦେଲେ । ଏ ସବୁ ପ୍ରବଂଧ ଲେଖି ଆଶା, ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଲା ଓ ଚିହ୍ନା ଜଣା ହେଲି । ତେଣୁ ଏଗୁଡ଼ିକ ସାଇତି ରଖିଥିଲି । ପ୍ରଥମ ଥର ଏ ଗୁଡ଼ିକୁ ଏକାଠି କରି ‘କଳା-ଶକ୍ତି’ ଛାପିବାର ବ୍ୟବସ୍ଥା କରିଦେଇଥିବାରୁ ମୁଁ ମୋର ତରୁଣବଂଧୁ ଶ୍ରୀ ଶରତ କୁମାର ମହାନ୍ତିଙ୍କୁ କୃତଜ୍ଞତା ଜଣାଉଛି ।

 

ମୋ କୁହା ସାରିବା ଆଗରୁ ‘ସହକାର’ ମାସିକ ପତ୍ରିକାର କେଉଁ ବର୍ଷର କେଉଁ ସଂଖ୍ୟାରେ ଏଥିରୁ କେଉଁ ପ୍ରବଂଧଟି ବାହାରିଥିଲା ସେତିକି କହିବି । ମୋର ବିଶ୍ୱାସ ‘ସହକାର’ର ୧୬ଶ ବର୍ଷ ପ୍ରଥମ ସଂଖ୍ୟା, ଅପ୍ରେଲ ୧୫ ତାରିଖ ୧୯୩୬ ସାଲରେ ବାହାରିଥିଲା ।

 

‘ସହକାର’ର ୧୬ଶ ବର୍ଷ

 

(୧) ୧ମ ସଂଖ୍ୟାରେ ‘ବାଇଆ କକ’, (୨) ୨ୟ ସଂଖ୍ୟାରେ ‘ଭଙ୍ଗା ଛାତି’, (୩) ୩ୟ ସଂଖ୍ୟାରେ ‘ପତର ଚକି’, (୪) ୪ର୍ଥ ସଂଖ୍ୟାରେ ‘ତାଧିନ୍‌ଧିନ୍ଦା’, (୫) ପୂଜା ସଂଖ୍ୟାରେ ‘ଲୋକହସା’, (୬) ୬ମ ସଂଖ୍ୟାରେ ‘କଳା-ଶକ୍ତି’, (୭) ୮ମ ସଂଖ୍ୟାରେ ‘କୁଆତରା’, (୮) ଏକତ୍ର ୧୧ଶ ଓ ୧୨ଶ ଓ ସଂଖ୍ୟାରେ ‘କାରୁଣୀ ।’

 

ସହକାର ୧୭ଶ ବର୍ଷ

 

(୯) ୨ୟ ସଂଖ୍ୟାରେ ‘ବନ୍ଧାଖୋଲା’, (୧୭) ୪ର୍ଥ ସଂଖ୍ୟାରେ ‘ଏପାରି ସେପାରି’, (୧୧) ୬ଷ୍ଠ ସଂଖ୍ୟାରେ ‘ଶାରଦୀୟା’, (୧୨) ୭ମ ସଂଖ୍ୟାରେ ‘ଛାଇ’ ।

 

ସହକାର ୧୮ଶ ବର୍ଷ

 

(୧୩) ୧ମ ସଂଖ୍ୟାରେ ‘ଶେଷ ଅଙ୍କ’, (୧୪) ୨ୟ ସଂଖ୍ୟାରେ ‘ନାଲି ସଡ଼କର ଢିମା’, (୧୫) ୫ମ ସଂଖ୍ୟାରେ ‘କିମ୍-ଭୂତ’, (୧୬) ୬ଷ୍ଠ ସଂଖ୍ୟାରେ ‘ଗଣ ସାହିତ୍ୟ ।”

 

ସହକାର ୧୯ଶ ବର୍ଷ

 

(୧୭) ୫ମ ସଂଖ୍ୟାରେ (ସମ୍ଭବତଃ ଅଗଷ୍ଟ ୧୯୩୯) ‘ଶିଳ୍ପୀ ଓ ମଣିଷ’ ।

 

ପ୍ଳଟ ନମ୍ବର ୨୦୦ ୨୬/୧୧/୭୩

ୟୁନିଟ୍ ୩, ଭୁବନେଶ୍ୱର

ଗୋପୀନାଥ ମହାନ୍ତି

୨୬।୧୧।୭୩

Image

 

ବାଇଆ କକ

 

ସେଇ ! ଝାମ୍ପୁରା ବରଗଛ ଡାଳରେ କ’ଣ ଗୋଟଏ ଅଛି ! ଏପାଖ ସେପାଖ ଡିଆଁ ମାରି ସେ ଉଇ ଝଡ଼ାଇବାରେ ସବୁବେଳେ ଲାଗିଥାଏ । ଆଉ ବଡ଼ ବାପାଙ୍କ ମାଳତୀ ଗଛଟା ତାଙ୍କ ସାଇକି ଯାଉଁ ଯାଉଁ ଠିକ୍ ଯେମିତି ଵିରି ଚକୁଳି ସେମିତି ବାସେ । ପାଞ୍ଚଗଛିଆଠିଁ ରାତି ଅଧରେ ଗୋଟାଏ କ’ଣ କାନ୍ଦେ, କଅଁଳା ପିଲାପରି କୁଆଁ— କ୍ୱାଁ—କୁଁ—ଆଁ... ।

 

ଓଡ଼ିଶା ମଫସଲର ରାତି ! କେଡ଼େ ଭୟଙ୍କର ! ଯେଉଁଠି ଛାଇ ସେଇଠି ଭୂତ, ଯେଉଁଠି ହୁଙ୍କା ସେଇଠି ସାପ, ଯେଉଁଠି ବୁଦା ସେଇଠି ଗୋଟାଏ କ’ଣ ହଲର୍ ହଲର୍‌ । ମାଲୋ ! ଏ ଘରୁ ସେ ଘରକୁ ଯିବାକୁ ଗୋଡ଼ ଚଳେ ନାହିଁ । ସଙ୍ଘାରେ ପେତିନୀ, ଗେଞ୍ଜରେ ଭୂତ, ବାଡ଼ି ନଡ଼ିଆଗଛରେ କ’ଣ ଗୋଟାଏ-ତାର ଡେଙ୍ଗା ଡେଙ୍ଗା ଗୋଡ଼, ଆଉ ଖଣତି ପରି ଦାନ୍ତ । ଆଗକୁ ଅନାଇଲେ ଖାଲି କଡ଼କଡ଼ ମଡ଼ମଡ଼–ଆଉ ଚିରଗୁଣୀ ଆଲୁଅ । କେହି ତ ଦେଖି ନାହିଁ । ହରି ବୋଉ ମନା ବୋଉଠୁ ଶୁଣିଥିଲେ । ମନା ବୋଉ ଶୁଣିଥିଲେ ଶାଶୋଳ ଗାଁର ବୁଢ଼ା ଚାଉଳବାଲାଠୁଁ-। ସେ ନିଜ କାନରେ ଶୁଣିଛି ମକୁନ୍ଦି ସାହୁ ବୁଢ଼ା କହୁଥିଲା । କିଛି ତ ଠିକ୍ ନାହିଁ । ତେବେ ଭେଟଣା ତ କମ୍ ଲୋକେ ହୁଅନ୍ତି ନାହିଁ । ଝଡ଼ାଝଡ଼ି, ଫୁଙ୍କାଫୁଙ୍କି, ଦି ମୁହଁ ଛୁଟେ, ସେଇଠୁ ଆଖି ବୁଜି ହୋଇଯାଏ । ଆମ ଓଡ଼ିଆ ଜାତିଟା ତ ଠିକ୍ ଏହିପରି । ଏଡ଼ୁଟି ଦିନୁ ଖାଲି ଭୂତ, ପ୍ରେତ, ଡାହାଣୀ, ଚିରଗୁଣୀ । ସାହସ ବୋଲି ଯଦି କିଛି ଥାଏ, ତେବେ ସେ ଆପେ ଆପେ ପାଣି ହୋଇଯାଏ । ତଥାପି ଆମ ଦେଶ ସାହିତ୍ୟକୁ ଅନାଇ ମନେ ହୁଏ, ଯେମିତି ଏସବୁ କଥାର କୌଣସି ନାମ ଗନ୍ଧ ନାହିଁ । ଅଜଣା ଅଶୁଣାର ଏହି ଯେଉଁ ଗାଉଁଲି ପ୍ରକୋପ, ତା’ର ଛାପା ଆମ ସାହିତ୍ୟରେ ମରି ନାହିଁ-। ହୁଏତ ଆମ ଦେଶର ସାହିତ୍ୟିକ ଏ ସବୁ ଗାଲଗପ କଥାର ଯେ ଗୋଟାଏ ସାହିତ୍ୟ ହିସାବରେ ମୂଲ୍ୟ ଅଛି, ତା ଭାବି ପାରି ନାହାନ୍ତି । ଆଉ ଦି ଅକ୍ଷର ଇଂରାଜୀ ପାଠ ପଢ଼ିଲେ ଲାଜ ବି ମାଡ଼େ ଏସବୁ କଥା ଭାବିବାକୁ । ତେବେ ଏ ଯେ ଗୋଟାଏ ବଡ଼ ଅଭାବ, ଏଥିରେ ସନ୍ଦେହ ନାହିଁ । ଆମେ ଜାଣି ଜାଣି ସାହିତ୍ୟର ଗୋଟାଏ ହାତପାଆନ୍ତି ମିଠା ଫଳକୁ ଛାଡ଼ି ଦେଉଛୁଁ ।

 

ଉଚ୍ଚ ସାହିତ୍ୟର ଗୋଟାଏ ବଡ଼ ଉପାଦାନ–ମଣିଷକୁ ଆଚମ୍ବିତ କରିବାର ଗୁଣ (Principle of wonder) । କୌଣସିଥିରେ କିଛି ବିଶେଷତ୍ୱ ଦେଖିଲେ ବା କିଛି ନୂଆ କଥା ଦେଖିଲେ ଏହିପରି ଭାବ ଆସିଥାଏ । ଯାହା ଅଜଣା ଅଶୁଣା, ବିଶେଷତଃ ଯାହା ଅସ୍ପଷ୍ଟ, ତହିଁରେ ସାହିତ୍ୟର ବିଶେଷ ଉନ୍ନତି । ବିଜୁଳିବତୀ ଆଉ ଜହ୍ନ ଆଲୁଅର ପ୍ରଭେଦ ଯେତିକି ବିଜ୍ଞାନ ଆଉ କଳାର ପ୍ରଭେଦ ସେତିକି । ବିଜ୍ଞାନରେ ସବୁ ସଫା, ସବୁ ଜଣାଶୁଣା ଦେଖାପରଖା । ପୁଣି ସେମିତି ବିଜ୍ଞାନର ସବୁ କଥା ସୀମାବଦ୍ଧ । ଯେଉଁଠି ଅସ୍ପଷ୍ଟ କିଛି ନାହିଁ, ସବୁ ମପାମପି, କଷାକଷି–ସେଠି ଅସମାପିକା, ଅସୀମର ନାମ ଗନ୍ଧ ନାହିଁ, ଇନ୍ଦ୍ରିୟମାନଙ୍କର ଅପରିଚିତ କିଛି ନାହଁ । କଳାର ଠିକ୍‌ ବିପରୀତ । ଜହ୍ନର ଝାପ୍‍ସା ଆଲୁଅରେ ଇନ୍ଦ୍ରିୟ ପରିଚୟର ସୀମା ଡେଇଁ ବହୁତ ବିଷୟ ଅନୁଭବ କରିବାକୁ ହୁଏ । ସେଥିପାଇଁ ସାଥୀ କଳ୍ପନା । ଆମ୍ବଗଛ ତଳେ ପତ୍ର ଫାଙ୍କର ଛାପଛାପିକା (ଶବଳୀକୃତ-chequered light) ଆଲୁଅ । କିଏ ଜାଣେ କେଉଁଠି କ’ଣ ଅଛି ? ହୁଏତ ସେ ବାଙ୍କୁଲୀ ଡାଳରେ ଗୋଡ଼ ଦିଟା ଲମ୍ବେଇ ଦେଇ–ନହେଲେ ଛାପଛାପିକା ଛାଇ ତଳେ–ମଙ୍ଗଳା ନାଚୁଥିବ ବା କିଏ ଜାଣେ ? ସୀମା ନାହିଁ, ଇନ୍ଦ୍ରିୟବୋଧ ନାହିଁ, ଅମୀମର ପରଶ ଲାଗି କଳ୍ପନା ଧାଇଁ ଯାଏ । ମରୀଚିକା ପରି କବିର ideal ଦୂରକୁ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ ।

 

ଆଚମ୍ବିତକାରୀ ଗୁଣ କଳାର ପ୍ରଧାନ ଉପାଦାନ । ତହିଁରେ ସବୁ ଦିଶେ ନୂଆ ନୂଆ, ପୁରୁଣା ଭିତରେ ହଠାତ୍ ଅଦେଖା ଅଶୁଣା ନୂଆ ରୂପ ଦେଖି ଦୁଇଟି ଭାବ ଆସେ, ଆନନ୍ଦ ଆଉ ଭୟ | ନୂଆ ସୁଖର ସନ୍ଧାନରେ ଆନନ୍ଦ ହୁଏ, ପୁରୁଣା ନିଗଡ଼ବନ୍ଧା ଗତ ଭିତରେ ନୂଆ ସୌନ୍ଦର୍ଯ୍ୟ, ନୂଆ ଆଦର୍ଶ, ମନଭୁଲାଣି ନୂଆ ଅର୍ଥ ଦେଖି । ଆଉ ଯେଉଁଥିରେ ମଣିଷର ହାତ ଥିଲା ପରି ଦିଶେ ନାହିଁ, ଯହଁରେ ପୁରୁଣା ନିକଟ ସମ୍ବନ୍ଧ ହଠାତ୍ ଓଲଟ୍‌ପାଲଟ୍ ହୋଇ ଦୂରକୁ ଦୂରକୁ ଚାଲିଯାଏ ତହିଁରେ ହୁଏ ଭୟ । ସଁବାଳୁଆଖିଆ ଦରବୁଢ଼ା ସଜନା ଗଛଟା । ତାରି ଭିତରେ ପୁଣି କ’ଣ ଗୋଟାଏ କଡ଼କଡ଼ ମଡ଼ମଡ଼-ପୁଣି ରାତି ଦିପହରେ ! ଉଭୟ ଆଡ଼ୁ ଚମତ୍କାର । ଆନନ୍ଦ ଆସିଲେ ବି ଭୟ ଓ ବିସ୍ମୟ ହୁଏ । ଏ ଦୁଇଟି ଗୁଣ ମାନ୍ଧାତା ଅମଳ ଆଗରୁ ସାରା ମଣିଷ ଜାତିଟାକୁ ଗାରଡ଼ କରି ରଖିଛି । ନିଛାଟିଆ ରାତିର ସାଇଁ ସାଇଁ ଉପରେ କଦମ୍ବ ଗଛଆଡ଼ୁ ଗୋଟାଏ ଗୋଠଖଣ୍ଡିଆ ବଇଁଶୀସ୍ୱର ଭାସି ଆସେ । ତହିଁରେ ଯେପରି ସାରା ସଂସାର ଆତ୍ମହରା । ଅଧ ରାତିରେ ବାଟଘର ପିଢ଼ା ଉପରେ କ’ଣ ଗୋଟାଏ ହୁଁ ହୁଁ ହେଲେ ବି ସମସ୍ତେ ଉତ୍କର୍ଣ୍ଣ, ଉଦ୍‌ଗ୍ରୀବ ଓ ଉତ୍‌ନାସା । ମୂଳ ଉପାଦାନ ସେହି Principle of wonder–ଗୁଣ କେବଳ ବିଭିନ୍ନ । ତେଣୁ ଚମତ୍କାରିତା ଗୁଣ ସବୁଦିନେ ଉଚ୍ଚ କଳାକୁ ଗାଦି ମାଡ଼ି ବସିଛି । ଆଜି ବି କାହିଁ ଅଗନାଗ୍ନି ବନସ୍ତ ଭିତରେ ଗଛଛେଲିପିନ୍ଧା ଶକୁନ୍ତଳା ନାଁଟି ପଡ଼ିଲେ ଆନନ୍ଦରେ ମନ କୁଣ୍ଢେ ମୋଟ । ସେହିପରି ବିକଟାଳ ମଶାଣିରେ ଟହଟହ ହସ ଭିତରେ ମଶାଣିଚଣ୍ଡୀ–କଳାର ଦୁଇଟି ଅଙ୍ଗ, ଗୋଟିଏ ବାପ-ଆଶ୍ଚର୍ଯ୍ୟକାରୀ ସତ୍ତା । ସବୁ ସାହିତ୍ୟରେ ତ ଏହି ଗୁଣ ଉଚ୍ଚକଳାର ବଡ଼ ବଡ଼ ଘଟନା ଗଢ଼ିଛି ? ଆମ ଓଡ଼ିଆ ସାହିତ୍ୟିକ ଦୋଷ କଲା ଅସ୍ପଷ୍ଟତାର ଏତେ ଉପାଦାନ ଥାଉଁ ଥାଉଁ, ଆମରି ଘର ଓଳିତଳେ ଆଶ୍ଚର୍ଯ୍ୟକାରୀ ସତ୍ତାର ଏତେ ଖେଳ ପଡ଼ିଆ ଥାଉଁ ଥାଉଁ ଆମେସବୁ ଉପାୟ ଆପେ ଆପେ ଛାଡ଼ି ଦେଉଥାଇଁ ।

 

ଚମତ୍‍କାରୀ ଗୁଣ ଉପରେ ସାଧାରଣତଃ ତିନି ପ୍ରକାର ସାହିତ୍ୟ ଦେଖାଯାଏ । ତିନୋଟିଯାକ ଆନନ୍ଦ ଭୟ ବିସ୍ମୟ–ଚମତ୍କାରୀ ଗୁଣର ଆଉ ଆଉ ସନ୍ତାନଙ୍କ ରାଜୁତିରେ । ଆଖି ମେଲି ଏ ସଂସାରରେ ଯାହା ଦେଖୁଁ, ତା ଉପରେ ଅଦେଖା ଅଶୁଣା ଆହୁରି ଦଳେ ଶକ୍ତିର ଲୀଳାଖେଳା ‘ଭୟ’ ଉପାଦାନଟି ବେଶୀ ଅଂଶରେ ଆଣିଥାଏ । ଭୂତ, ପ୍ରେତ, ଡାହାଣୀ, ଚିରଗୁଣୀ, ଦେବାଦେବୀ ସମସ୍ତଙ୍କର ଏ ଧରଣ ସାହିତ୍ୟରେ ରାଜୁତି । ଶହଶତ ବର୍ଷର ଧର୍ମୁ ଅଜା ଅମଳର ବିଶ୍ୱାସ ଭିତରେ ବଢ଼ିଥାଇଁ । ଏ ସବୁ ଅଦେଖା ଅଶୁଣା ଚଳନ୍ତି ଶକ୍ତିମାନେ ଯେମିତି ଆମର ରକ୍ତ ଭିତରେ ବସା ବାନ୍ଧିଛନ୍ତି । ଯେତେ ବଡ଼ ଛାତି ହେଲେ ବି ପିଳେଇ ପାଣି ହୋଇଯାଏ । ଏ ଉପାଦାନରେ ଆମ ଦେଶର ସାହିତ୍ୟ ବଢ଼ିନାହଁ । ଖାଲି ପିଲାଦିନେ ଅଝଟ ଅବୁଝା ହେଲେ ଯାହା ଜେଜେମା କେତେଟା କଥା କହନ୍ତି । ଅନ୍ୟ ଦେଶରେ ଏହାରି ଉପରେ କେତେ ବଡ଼ ବଡ଼ ସାହିତ୍ୟ ଜନ୍ମିଛି । କାହିଁକି ବା ନ ହେବ ? ନିଜର ମନଗଢ଼ା କଳ୍ପନା ଲେଖିବା ଲାଗି ତ ଅସରନ୍ତି Hyphen ରହିଛି ? ତା ଛଡ଼ା ପୁଣି ଲୋକଙ୍କ ଉପରେ ପ୍ରଭାବ ଅସୀମ । ଭୂତ ଗପରୁ ଲୋକେ ଆହୁରି ଦୂରକୁ ଯାଇଛନ୍ତି । ଆମରି ଋଷି ମୁନିମାନେ ତ ଏଡ଼େ ବଡ଼ ଦେଖା-ପରଖା ସଂସାରଟାକୁ ସ୍ୱପ୍ନ ବୋଲି କହି ଯାଇଛନ୍ତି । ତେବେ ‘ସତ’ କ’ଣ ? ତେବେ କ’ଣ ଯାହା ଦେଖୁଥାଇଁ ସେ ସବୁ ପିତୁଳି ଖେଳା ? ଆଉ ଠିକ୍ ତାରି ଉହାଡ଼ରେ ବସି ଜିଅନ୍ତା ଅଚିହ୍ନା ଶକ୍ତି ଖାଲି ଦଉଡ଼ି ଟାଣିବାରେ ଲାଗିଛି । ମଣିଷର ଆଗ ପଛ ଉପରେ, ଏପରି କି ଚିନ୍ତା ଉପରେ ଅଦେଖା ଶକ୍ତିଗୁଡ଼ାକ କିପର କାମ କରେ ? ମଣିଷର ଅଧଚେତା(ସୁଷୁପ୍ତି) ଅବସ୍ଥା ଉପରେ ବାହାରର ଶକ୍ତି କିପରି କାମ କରେ ? ଏଣେ ସମ୍ବଲପୁର ଜିଲ୍ଲାର କେଉଁ ଅନ୍ଧାରୀ ମୁଲକରେ ନନ୍ଦ ଡାକ୍ତର ଆରପାରିକୁ ଟିକଟ କାଟୁଛନ୍ତି, ତେଣେ ଠିକ୍ ସେତିକିବେଳେ କେନ୍ଦ୍ରାପଡ଼ା ଭିତରେ ମଫସଲୀ ଗାଁରେ ତାଙ୍କ ଭାଇ ସ୍ୱପ୍ନ ଦେଖୁଛନ୍ତି ‘‘ଆରେ ମୁଁ ଅମୁକଠିଁ ମରିଗଲି ।’’ ଭାବିବା ଲାଗି ବହୁତ କଥା ଅଛି । ଦେହ ଉଲୁସି ଉଠେ, ରୁମ ଟାଙ୍କୁରି ଉଠେ ।

 

ଏପ୍ରକାର ସାହିତ୍ୟ ନିର୍ଭର କରେ ବର୍ଣ୍ଣନା ଉପରେ । ତେବେ ଗୋଟିଏ କଥା, ସବୁ କଥାଖୋଲି ବର୍ଣ୍ଣନା କଲେ ଏସବୁ ମାଟି ହୋଇଯାଏ । ଏସବୁ ବିଷୟ ନିଜେ ଅସୀମ; କାରଣ ସୀମାର ଇନ୍ଦ୍ରିୟଗ୍ରାହ୍ୟ ବେଷ୍ଟନୀ ଭିତରେ ଏପରି ଅଦେଖା ଅଶୁଣା ବସ୍ତୁ ଆସେ ନାହିଁ । ସୀମାଦିଆ ଉପାୟରେ ଏସବୁ କଥା ମାପି ବସିଲେ ଆମର ନିର୍ଦ୍ଦିଷ୍ଟ ସୀମା ଭିତରେ ତା’ର ଯେତିକି ଅଂଶ ପଡ଼େ, ସେତିକି ରହି ବାକି ଭାଗ ଆମ ହାତପାଆନ୍ତିରୁ ଚାଲିଯାଏ । ଯାହା ବି ରହେ ତାହା ପାତ୍ର ଘେନି ପାଣିର ଆକାର ହେଲା ପରି ଆମରି ସୀମା ଭିତରେ ଆମରି ବର୍ଣ୍ଣନାକୁ ଲାଗି କସିକାସି ରହିଯାଏ, ଫଳରେ ବର୍ଣ୍ଣନାଟି ସାଧାରଣ ହୋଇଯାଏ । ଅଦେଖା ଅଶୁଣା ଶକ୍ତିର ଅସରନ୍ତି ଭୟ-ବିସ୍ମୟ ତିଳେ ମାତ୍ର ଆସେ ନାହିଁ । ତେଣୁ ଅସ୍ପଷ୍ଟ ବଡ଼ିମାକୁ ବଖାଣିବାକୁ ଯାଇ ଅସ୍ପଷ୍ଟ ହାଲୁକା ହୋଇଯାଏ । ଅନିର୍ଦ୍ଦିଷ୍ଟ ଉପାୟ ଧରିଲେ ସୁବିଧା । ଭୂତ, ପ୍ରେତ, ଡାଆଣୀ, ଚିରଗୁଣୀ–ଏମାନଙ୍କ ରୂପ ବର୍ଣ୍ଣନା କରି ବସିଲେ ସବୁ ସରିଲା । “ବାରିଆଡ଼େ ସାହାଡ଼ା ଗଛରେ କ’ଣ ଗୋଟାଏ ଅଛି”–ବେଳ କାଳ ଉଣ୍ଡି ଏତିକି କହିଲେ ଯାହା ଫଳ ହୁଏ, ରୂପଗୁଣ ବାହୁନି ବସିଲେ ତା ହୁଏ ନାହିଁ, ବରଂ ହସ ମାଡ଼େ ।

 

ଭୂତ କାହାଣୀ ଛଡ଼ା ଆହୁରି ଗୋଟିଏ ପ୍ରକାର ଗପ ଅଛି–ଯେଉଁଥିରେ ଆଖିରେ ଭେଳିକି ଲଗାଇଲା ପରି ଜୀବନକୁ ପାଣି ଛଡ଼ାଇଦେଇ କାମ କରିବାକୁ ହୁଏ । ଓଡ଼ିଶାରେ ଗଦ୍ୟ ଲେଖା ତ ଏକେ ବିରଳ । ତହିଁରେ ପୁଣି ପିଲାବେଳର କଥା–କାହାଣୀ ଛାଡ଼ି ଦେଲେ ଏ ଦିଗରେ ଓଡ଼ିଆ ଲେଖା ବେଶୀ ପାହୁଣ୍ଡ ଯାଇ ନାହିଁ । ରଜାପୁଅ ଯାଏ ପାରିଧିକି, ତାପରେ ଅସୁର ଅସୁରୁଣୀଙ୍କ ସଙ୍ଗେ ଦେଖା ସାକ୍ଷାତ୍ ଆଉ କଳି କଜିଆ । ସାଙ୍ଗେ ସାଙ୍ଗେ ମନ ପବନ ପକ୍ଷିରାଜ ଘୋଡ଼ା ଛୁଟାଇ କୁଆଡ଼େ କୁଆଡ଼େ ହାଜର । ଗୁଇନ୍ଦା ପୁଲିସ ଗପ ବିଦେଶରେ ବହୁତ କଟୁଛି । ଓଡ଼ିଆରେ ଖୁବ୍ ଅଳ୍ପ ।

 

ତା ପରେ ରୋମାନ୍ସ (Romance) ଚମତ୍କାରୀ ଗୁଣର ଚରମ ବିକାଶ । ସିତୁଆ ନଈରେ ଚଉଦ ହାତ ଲମ୍ବା ବାଳ ଭାସି ଆସିଲା । ରଜାପୁଅ ଅଡ଼ି ବସିଛି ସେହି ଝିଅର ହାତ ଧରିବ-। କେତେ ଖୋଜା ଖୋଜି, ମାଲ୍ୟାଣୀ ଗାରଡ଼ି, ଅସୁର, ପକ୍ଷିରାଜ–କେତେ କଥା । ଉପରେ ଯେଉଁ ଜୀବନଛଡ଼ା ଭେଳିକିଲଗା ସାହସୀ କାମ କଥା ଲେଖା ହେଲା, ତାଠୁ ଏ ଅଲଗା । ସେଥିରେ ଦେହର କଥା, ବୁଦ୍ଧିର କଥା ବେଶୀ । ମନ ଖୁବ୍ ଖୁସି ହୁଏ । ବିପଦ ଆଉ ଜୋର–କରାମତି ଦେଖି ନିଜ ମନରେ ସେଇ ସେଇ ଭାବ ଆସେ । ସେ ସବୁ ହେଲା ପଶୁର ପ୍ରବୃତ୍ତି, ପିଲାମନର କୌତୁକ, ଡେଇଁବା, ନାଚିବା, କାମୁଡ଼ିବା,ଆମ୍ପୁଡ଼ିବା, ଖାଇବା, ଜିତିବା ଜବରଦସ୍ତି ଝାମ୍ପିଆଣିବା, ବିପଦରୁ ଉଧୁରିବା–ଏଭଳି Romance ରେ ଏସବୁ ତ ଊଣା-ଅଧିକେ ଥାଏ । ତା ଉପରେ ଦୁଇଟି ଗୁଣ ଥାଏ– (୧) ସୌନ୍ଦର୍ଯ୍ୟ-ପୂଜା, (୨) ହୃଦୟର କଥା; ଯେପରି ଭଲ ପାଇବା, ପରଦୁଃଖରେ ଦୁଃଖୀ ହେବା, ନିଜ ଭିତରେ ଅନୁଭବ କରିବା -ଏଇ ସବୁ । ସ୍ଥାନ–କାଳପାତ୍ର ସମ୍ଭବ ଅସମ୍ଭବ ମାନେ ନାହିଁ-। କଳ୍ପନାର ଯାଦୁକାଠି ଛୁଇଁ ସବୁ ବିଚିତ୍ର ହୋଇଯାଏ । ଚମତ୍କାରୀ ଗୁଣର ଏ ଗୋଟିଏ ପ୍ରଧାନ ବିଭାବ, କଳା ହସାବରେ ଖୁବ୍ ଉଚ୍ଚ । ମଣିଷ ଏଥିରେ ନିଜର ସୌରଭ ନିଜେ ଅନୁଭବ କରେ । ଚାଳ ଘର, ବରଷାରେ କାନ୍ଥରୁ ଫାଳେ ଲେଖାଏଁ ପଡ଼ି ଯାଇଛି । ଦଦରା କାନ୍ଥ, କଣା ଚାଳ ପୋକରା ଓରା, ତା’ ଭିତରେ କେମ୍ପୀ ବୁଢ଼ୀ, ମୋଟେ ଗୋଟାଏ ଦାନ୍ତ । Romance ବଳରେ ତାରି ସୁଖଦୁଃଖ, ପ୍ରେମ, ପ୍ରତ୍ୟାଖ୍ୟାନ ତାରି ପାଇଁ ମନ ଘାଣ୍ଟି ଚକଟି ମନ୍ଥି ଦେଇପାରେ । ତାରି ଦଦରା କୁଡ଼ିଆର ପ୍ରତ୍ୟେକ ଫାଟ Romance କଳାର ଅସରନ୍ତି ଝରଣା ହୋଇପାରେ । Romance ଚାହେଁ ଚିର ଯୌବନ; ଦେହରେ ବଳ, ହୃଦୟରେ ଉତ୍‌ପ୍ରେକ୍ଷା, ମନରେ ସୀମାହୀନ ଆଶା । ତା’ର ସମ୍ଭବ ଅସମ୍ଭବ କିଛି ନାହିଁ, ସବୁ ତ କଳ୍ପନା, ଜୀବନଟା ତ ଗୋଟାଏ କଳ୍ପନା । ତେବେ Romance ର କଳ୍ପନା ବସ୍ତୁ ଅଲଗା ଏତିକି ଯାହା । ମନ କ’ଣ ନ ଚାହେଁ, କିନ୍ତୁ ସବୁ ତ ସମ୍ଭବ ନୁହେଁ । ଅହେତୁକୀ ବିରହ ଦେଖାଇଲେ ପୁଲିଶ ଅଛି, ଆଇନ-ଅଦାଲତ ଅଛି । ଉଦାର ପ୍ରେମ ବିରୁଦ୍ଧରେ ଅଛି ସମାଜର ସଂସ୍କାର । ତାପରେ କେତେ ପ୍ରକାର ସୀମାର ନିଗଡ଼ ଅଛି -ଦେହର, ଜନ୍ମର, ପୃଥିବୀର । କଳ୍ପନା-ରାଜ୍ୟରେ ସେ ସବୁ ବନ୍ଧନ ଖୋଲିଯାଏ, ସୁଷୁପ୍ତ ଅବସ୍ଥାରେ ଜୋର କଲା ସଂଯମର ବନ୍ଧନ ପରି, ତାପରେ ତ ରୋଗର ପାରାବାର । ଅସରନ୍ତି ଭୋଗ ଲାଗି ଜୀବନ କାନ୍ଦେ, ବାସ୍ତବରେ ଯଦି ନ ହେଲା କଳ୍ପନାରେ ହେଉ । ତାପରେ ସଂସାର ଜଞ୍ଜାଳ, ଭଙ୍ଗା ଆଶା, ଅଶାନ୍ତି ଭିତରେ ପ୍ରାଣ ଛଟପଟ ହେଉଥାଏ । ଆଇନବନ୍ଧା ଗତରୁ ବାହାରି ଖୋଲା ବତାସରେ ବୁଲିବାକୁ ତେଣୁ ଚମତ୍କାର-ଗୁଣର ଏତେ ଆଦର ।

 

ହେଇ–ବଣ ଉହାଡ଼ରେ ଯେଉଁ ଭଙ୍ଗା କୋଠାଖଣ୍ଡ ଅରମା ଜଙ୍ଗଲରେ ଏକରକମ ପୂରିଛି, ଦିନ ସରିଲେ ଝଙ୍କାଳିଆ ଚାକୁଣ୍ଡା ଗଛଟା ଖୁବ୍ ବଡ଼ ଛାଇ ପକାଇଦିଏ, ତାକୁ ଦେଖିଲେ ମନେ ହୁଏ, ନିଶ୍ଚୟ ଚୋର ଡକେଇତଙ୍କ ଆଡ଼୍‍ଡ଼ା ହେବ ପରା । ସମୁଦ୍ର କୂଳରେ ନିଛାଟିଆ ଘର ଖଣ୍ଡେ ଦେଖିଲେ ମନେହୁଏ, ନିଶ୍ଚୟ ଏଠି ଭୟଙ୍କର କାମ କିଛି ଘଟିଛି–ଏତେ ଶୂନ୍‌ଶାନ୍‌ ଚୁପଚାପ ନ ହୋଇ ଯିବ କୁଆଡ଼େ ? ତାପରେ ଅଗନାଗ୍ନି ବନସ୍ତ ଭିତରେ ଯେଉଁ ଆଲୁଅଟା ଝରକାବାଟେ ଦିଶୁଛି ଦୂରରୁ ଦେଖି ଅନେକ ଲୋକଙ୍କର ତ ସନ୍ଦେହ ହୋଇଛି ଡାଆଣୀ, ପେତିନୀ ବା ବୁଢ଼ୀ ଅସୁରୁଣୀର ଘର ବୋଲି ସତୀଗାଡ଼ିଆ ମଶାଣି ଉପର ଦିକେନିଆ ଖଜୁରୀ ଗଛଟା, ଜହ୍ନରାତିରେ କେତେ ଲୋକ ତ ଦେଖିଛନ୍ତି ଧୋବଲୁଗା ପିନ୍ଧି ଦିହାତ ବଢ଼ାଇ ଦେଇ ଠିଆ ହବାର । ଗୋଟିଏ ଗୋଟିଏ ଜାଗାରେ ଗୋଟିଏ ଗୋଟିଏ ସଙ୍କେତ ଥିଲା ପରି ଜଣା ପଡ଼େ । ସେତକ ମାନିନେବାକୁ ହେବ, ନିଜର ଲେଖାରେ । ଲୋକଙ୍କର ବି ଏପରି ଗୋଟାଏ ଗୋଟାଏ ସୂଚନା (significance) ଥାଏ । ଆମଗାଁ ହରି ସାହୁଟା ବାଁ ଆଖିରେ କେମିତି ତରାଟି ତରାଟି ଚାହେଁ । ଘରଛୁଆଣିବେଳେ ମୁଁ ତାକୁ ଦେଖି କେତେ ଡରିଛି । ଆଉ ନାକଫୋଡ଼ିଆ ମା, ଯାହାକୁ ଡାହାଣୀ ବୋଲି ଗାଁଲୋକେ ନିସ୍ତୁକ ଛେଚିଲେ, ହରିବୋଲିଆ ଚୂଡ଼ା କିଣି ଯାଉ ଯାଉ ନିଜେ ଦେଖିଥିଲା ଯେ, ସେ ଗୋଡ଼ ଦିଟା ଉପରକୁ କରି ହାତରେ ଭରାଦେଇ ଗନ୍ଧି ସାଉ ତଳି ବାରିରେ-ଏ କ’ଣ ତା’ର ଦୋଷ ? ଗୋଟାଏ କଣା ଆଖି, ଗୋଟାଏ ବୋଲି ବାଙ୍କୁଲି ହଳଦିଆ ଦାନ୍ତ, ସେ ପୁଣି ମୁହଁ ବାହାରେ ଥାଏ । ଆଉ ସବୁବେଳେ ତଳକୁ ମୁହଁ ପୋତି ଠିଆ ହେଲେ ବି ଗୋଟାଏ ଆଖି ଉପର ଦୃଷ୍ଟିରେ ଶଗଡ଼ ଚକ ପରି ଘୂରୁଥାଏ । ସ୍ଥାନ ଆଉ ପାତ୍ରର ଏଇ ଯେଉଁ ବିଶେଷତ୍ୱ, ସେତକ ଚମତ୍କାରୀ ଗୁଣର ଉତ୍କୃଷ୍ଟ ଉପାଦାନ । ଏଇ ଛୋଟ ବିଶେଷତ୍ୱଟି ଯେପରି ସାଧାରଣ ଗତରୁ ବାହାର, ଅସ୍ପଷ୍ଟ ଅପୂର୍ଣ୍ଣତା ଲାଗି ସୀମାର ଅତୀତ, ଏହାକୁ ନିର୍ଭର କରି ଯେଉଁ କଳ୍ପନାର ପାରିଜାତ ଫୁଟେ, ତାହାର ସୌରଭ ବି ସେହିପରି; ତେଣୁ ଏପ୍ରକାର ସାହିତ୍ୟରେ ଏଇ ଛୋଟ ଛୋଟ ବିଶେଷତ୍ୱ ଦେଖାଯାଏ ।

 

ଏଇ ତ ସାହିତ୍ୟ । Realism ରେ ଯେପରି ଆଖି ଆଗର ସୁନ୍ଦର କୁତ୍ସିତ, ଶୁଭ ଅଶୁଭ ସବୁ ପ୍ରକାର ପାର୍ଥିବ ପ୍ରାକୃତ ଛବି ଭିତରେ ସଂସାରର ହାନିଲାଭ ବିଷୟର କଳା ଫୁଟି ଉଠେ, ଏ ପ୍ରକାର ଚମତ୍କାରୀ ସାହିତ୍ୟରେ ଠିକ୍ ତା’ର ବିପରୀତ ଦିଗରେ ଚାରି ଦଉଡ଼ିକଟା, ବେପରୁଆ କଳ୍ପନାର ଉଚ୍ଚ ସାହିତ୍ୟ ଗଢ଼ା ହୁଏ । ଉଭୟଥିରେ କଳା ଅଛି, ପ୍ରକାର ଯାହା ଭିନ୍ନ । ମଣିଷର କେତେଗୁଡ଼ିଏ ମୌଳିକ ଗୁଣ ଅଛି, କେତେଗୁଡ଼ଏ ଇଚ୍ଛା, କ୍ଷୁଧା, ବିତୃଷ୍ଣା । ସେ କେବେ ବଦଳି ନାହିଁ, ମୂଳରେ ଅତୁଟ ରହିଛି ବଞ୍ଚିବାକୁ ଇଚ୍ଛା, ସମସ୍ତଙ୍କ ଉପରେ ବଡ଼ ହେବାକୁ ଇଚ୍ଛା, ସ୍ତ୍ରୀପୁରୁଷର ଆକର୍ଷଣ, ହିଂସା, ଦ୍ୱେଷ, ଇତ୍ୟାଦି ଇତ୍ୟାଦି । ସେଇ ତାରରେ ଯେତେବେଳେ ଆଘାତ ପଡ଼େ, ହୃଦୟ ଆପେ ଆପେ ଥରି ଉଠେ | Realism ହେଉ ବା Idealism ହେଉ ଯେ କୌଣସିମତେ ମୌଳିକ ଭାବଗୁଡ଼ିକ ଫୁଟାଇବାକୁ ହେବ । ତା ପରେ କେହି କହିପାରେ, ତୁଛା ମିଛ କଥାଗୁଡ଼ାକ କେବେ art ହୁଏ ? Oscar Wilde ଆକ୍ଷେପ କରିଛନ୍ତି, ମିଛ କହିବା ଦିନକୁ ଦିନ କମି ଯାଉଛି । କାରଣ ସାହିତ୍ୟରେ ସବୁଠୁ ମିଛ ବଡ଼, ମିଛ ସବୁଠୁ ବଡ଼ ସତ । ସତ ମିଛ ବା କଅଣ-? ବ୍ୟବହାରରେ ଏହାର ସୂଚନା ଭଲ ମନ୍ଦ ହୋଇପାରେ । କିନ୍ତୁ ସାହିତ୍ୟରେ ମିଛ ହେଉଛି ଗୋଟାଯାକ କଳ୍ପନା । ତାକୁ ଛାଡ଼ିଲେ art ବଞ୍ଚିବ କିପରି ?

 

ଆଜିକାଲିକା ବିଦେଶୀ ସାହିତ୍ୟ ଏଡ଼େ ଜଡ଼ବାଦୀ ହେଲେ ବି ଚମତ୍କାରୀ ଗୁଣର ମର୍ଯ୍ୟାଦା ଭୁଲି ନାହିଁ, କେହି କେବେ ଭୁଲି ପାରିବ ବି ନାହିଁ । ମଣିଷ ମନର ବଡ଼ ଗୁଣ, ସେ କେବେ କୌଣସି ସୀମାକୁ ଶେଷ ବୋଲି ମାନି ନେବାକୁ ଚାହେଁ ନାହିଁ । ନିଜେ ଅସୀମ ଅସରନ୍ତି ସୃଷ୍ଟିର ଖଣ୍ଡେ କି ନା, ସେଥିଲାଗି । ଓଡ଼ିଶାର ପ୍ରତି ଘରେ ଚମତ୍କାରୀ ଗୁଣର ଆଦର । ଏ ଦେଶ ଗୋଟାସୁଦ୍ଧା କବି ଦେଶ, କଳାର ଦେଶ ।

 

କୁଆରପୁନେଇ ଜହ୍ନ, ଜହ୍ନିଫୁଲ, ଚୁଟିଆ ମୂଷା, ଜହ୍ନି କାକୁଡ଼ି ଲତା ଭିତରେ ସୁନେଲୀ ପରୀଏ ପକ୍ଷୀ ଜାକି ବସି ତାଳି ମାରି ଗୀତ ଶୁଣନ୍ତି । ଢିଙ୍କିଶାଳ ସେ ପାଖରେ କଇଁମାଳ ଭିତରେ ଭାଲୁକୁଣୀ, ହାଣ୍ଡିଶାଳେ ଷଠୀଦୁଛେଇଁ । ଫଗୁଣ ପୁନେଇଁରେ କଦମ୍ବ ଗଛ ତଳେ ରାସ । ‘‘ପୂଜା” ବେଳେ ଝୁଣା-ଗୋଗୁଳ ଉହ୍ମେଇଁ ହାତରେ ଧରି ନିଶବଦ ରାତିରେ ଦେବାଦେବୀଏ ଝମର୍ ଝମର୍ । ଓଡ଼ିଆ ଦେଶ ବୋଲି ସିନା; ନ ହେଲେ କେଉଁଦିନୁଁ ଏ ସବୁ ତ Classical Convention ହୋଇ ସାରନ୍ତାଣି ! ଖଣ୍ଡିଆଭୂତ ଧୂଳି ଉଡ଼ାଇ ଚାଲିଯାଏ; ମେଘ ଫାଙ୍କରୁ କୋଉ ଅଜଣାର ବିଜୁଳି ଆଙ୍ଗୁଠି ବଣ ଜଙ୍ଗଲ ଭିତରେ ଭୂତ ପ୍ରେତ ଡାଆଣୀ ଡଙ୍କୁଣୀଙ୍କୁ ଗୁମର ଦେଖାଇଦିଏ । ବେଳେବେଳେ ଅଚଳ ନିଶବଦ ଗଛଗୁଡ଼ାକ ଏକାସାଙ୍ଗେ ଜୀବନ ପାଇଲା ପରି ଥରି ଥରି ଉଠେ, ବଡ଼ ବାପାଙ୍କ ଭଙ୍ଗା ଡିହ, ଯେଉଁଠି କାକୁଡ଼ି ଲାଗିଛି–ବିଲୁଆଗୁଡ଼ାକ ହସି ହସି ପହିଲ୍‌ମାନୀ କରନ୍ତି; ଆଉ ବାରି ତଳେ କେତେ ଜନ୍ତୁଜୁନ୍ତା ବିଜେ କରନ୍ତି । ଠିକ୍ ତାରି ପାଖରେ ଭଙ୍ଗା କୁଡ଼ିଆ ଭିତରେ ଦଦରା କାନ୍ଥ ଉପରେ, ମିଞ୍ଜିମିଞ୍ଜି ଦୀପ ପାଖରେ ସନା ବୋଉ ଖଡ଼ୀ ଛୁଆ ମୁଣ୍ଡରେ ଶୁଖିଲା ହାଡ଼ୁଆ ପାପୁଲିଟା ଥାପୁଡ଼େଇ ଗୀତ ଗାନ୍ତି–

 

ବାରିଆଡ଼େ କକ–ଅ–ଅ

ବୋବାଳି ଛାଡ଼ୁଛି–ଇ–ଇ–ଇ

ନିଶା ଡାକେ ସାଇଁ–ଇଁ–ସାଇଁ

Image

 

ଭଙ୍ଗା ଛାତି

 

ଆଜି ବି !

 

ବେଳେବେଳେ ଉଦାସ ଆଖିରେ ଉଦୁଉଦିଆ ଦିପହରେ ସେ ଧୂଳିଉଡ଼ା ଖଣ୍ଡିଆ ଭୂତକୁ ଅନାଇ ରହେ, ଆଖିରେ କେତେ କାଳର ସଞ୍ଚିତ ମିନତି ଧରି–ଆଉ ତା’ର ଭଙ୍ଗା ଛାତିଟା ଭିତରେ ଭିତରେ କରତି ହୁଏ ସେଇ ପୁରୁଣା ସ୍ମୃତିଟା ଘାଣ୍ଟି ଚକଟି । ଦିନ ଗୋଟାକ ଯୁଗେ ପରି ଲାଗୁଛି । ସେଇଥର ତା’ର ସବୁଠୁଁ ବଡ଼ ଆଘାତ–ଦିହାତରେ ଛାତିକୁ ଚାପିରଖି ଭୋକିଲା ଆଖିରେ ଯେଉଁଦିନ ସେ ରେଲ ଗାଡ଼ିକୁ ଚାହିଁରହିଥିଲା ଓଢ଼ଣା ତଳର ଦିଓଟି ଢଳ ଢଳ ଓଦା ଆଖିକୁ । ଗାଡ଼ି ତ ଚାଲିଗଲା, ଖାଲି ଝରକା ବାହାରେ ଗୋଲାପୀ ଶାଢ଼ୀର ଧଡ଼ିରୁ ଟିକିଏ ପଛକୁ ପଛକୁ ଫୁରୁ ଫୁରୁ ହୋଇ ଉଡ଼ୁଥିଲା–ଆଉ ରହିଗଲା ଗାଡ଼ିର ଧକ୍ ! ଧକ୍ ! ଧକ୍ !

 

ସେଇଠୁଁ ସବୁ ଶେଷ !

 

ସଂସାରର ଜଞ୍ଜାଳ ଭିତରେ ଏ ସବୁ ମାଇପୀ କାନ୍ଦଣା କାନ୍ଦିବାକୁ ବା ବେଳ କାହିଁ ? ତେବେ ଯେଉଁ ଟିକିଏ ବେଳ ଏକୁଟିଆ ଆପଣା ସାଙ୍ଗେ ଦୁଃଖସୁଖ ହେବାକୁ ମିଳେ, ତାରି ଭିତରେ ସବୁ କଥା ଗୋଟି ଗୋଟି କରି ମନେ ପଡ଼େ । ଭାବି ଭାବି କେମିତି ଗୋଟାଏ ଚଙ୍ଗ୍‍ଚଙ୍ଗ୍‌ ଢଙ୍ଗ ଆସିଲାଣି, ସପନ ଦେଖିଲା ପରି ବେଳେ ବେଳେ ଲାଗେ । ଯେମିତି ‘ସେ’ ପୁଣି ଦିନେ ଆସିବ, ଯେମିତି ହଠାତ୍ ଦିନେ ଝାଡ଼ିଝୁଡ଼ି ହୋଇ ସେ ଉଠିପଡ଼ି ଦେଖିବ, ସବୁ ନୂଆ, ସବୁ ତା’ର ମନମାଫୀ-। ଏଇ କବାଟରେ ହୁଏତ ଥିରି ଥିରି ଅଘାତ ପଡ଼ିବ ! ତାପରେ... ! ବାହାରେ କାମଦାମ ବେଳେ ସେ ବେଶ୍‌ ଆଉ ଦଶଟାଙ୍କ ପରି; ଭିତରେ ସେ ଆଉ ଜଣେ । ବାହାରେ ସେ ସାଧାରଣ ମଣିଷଟି, ଦୁନିଆର ଧରାବନ୍ଧା ଗତ ଭିତରେ ଗୋଟିଏ ଛୋଟ କଳ–ଯାହା ଲୋଡ଼ା ସେଇଆ କରେ, ଯେତିକି ଦୂର ଦଉଡ଼ ସେଇଠି ଛିଣ୍ଡେ, ସବୁ କଥାରେ ଦେଖାପରଖା, କଷାକଷି, ଇନ୍ଦ୍ରିୟବୋଧ–ଆଉ ସାଧାରଣ ବୁଦ୍ଧିରେ ଧରାଛୁଆଁ ତଉଲାମପା, ବୁଝାଶୁଝା ହୋଇପାରିବ, ଏଇ ବାହାରଟା ତା’ର ଗଦ୍ୟମୟ । ଭିତରେ ସେ ଆଉ ଜଣେ, ସେଠି ସୀମା ପହଞ୍ଚିପାରେ ନାହିଁ । ବୁକୁ ଭିତରେ ଯେଉଁଠି ତା’ର ଦରଜ, ମନ ଭିତରେ ନିଛାଟିଆ କଣରେ ଯେଉଁଠି ତା’ର ଦୁଃଖ-ଦୁରାଶାର ସରୁ ଚିତାଟି କୁହୁଳୁଛି ସେଇଠି ତା’ର ଜୀବନର କବିତା, ସେଇଠି ତା’ର ଗମ୍ଭୀରୀ ଭିତର ଅନ୍ଧାରୀକଣର ଦେବତା । ଉଦାସ ମନରେ ଯେତେବେଳେ ହାତରେ ମୁଣ୍ଡ ରଖି ସେ ଭାବେ, ଆଉ ବାଡ଼ ଉପର ଜହ୍ନିଫୁଲ ଉପରେ ନଜର ରଖି ଅନ୍ୟମନା ହୋଇ କେତେ କ’ଣ ସପନ ଦେଖେ, ସେତିକିବେଳେ ସେ ଗଢ଼େ Art (କଳା), ଲେଖା ନ ହେଉ–ସବୁ ଦିନ ପାଇଁ ସାଇତିବା ଲାଗି ବାନ୍ଧିରଖା ନ ହେଉ, ତଥାପି ।

 

ଅଗନାଗ୍ନି ବନସ୍ତ ଭିତରେ ଦୁଇଟି କ୍ରୌଞ୍ଚ ଚଢ଼େଇରୁ ଗୋଟିକୁ ଯେତେବେଳେ ଶଅର ବିନ୍ଧିଲା, ସେତେବେଳେ ମହାକାବ୍ୟର ଶୁଭ ଦିଆହେଲା । ସେହି କରୁଣ ରସରୁ ବାଲ୍ମୀକି ଲେଖିଲେ କାବ୍ୟ । ଲେଖିବା ଆଗରୁ ଯେଉଁ ଦୁଇଧାର ତତଲା ଲୁହ ସବୁ ବାଧା ସଂଯମ ଏଡ଼ି ନିଶଦାଢ଼ି ଜଙ୍ଗଲ ଭିତରେ ବାଟକାଟି ତଳକୁ ଗଡ଼ିପଡ଼ିଥିଲା, ସେ ତ ନିଜେ କବିତାର ଅସରନ୍ତି ଦରିଆ ! ସେଦିନୁଁ ଆଜି ପର୍ଯ୍ୟନ୍ତ ପୃଥିବୀର ସବୁ ଦେଶର ସାହିତ୍ୟରେ ଭଙ୍ଗା ଛାତିର ତତଲା ପବନ ହୋଇଛି କଳାର ସବୁଠୁଁ ଆଦରର ଧନ, କରୁଣ ରସ ହୋଇଛି ଉଚ୍ଚ କଳାର ଜନମଭୂଇଁ । ଅନ୍ୟ ରସର ଗାର ଏତେ ସହଜରେ ଗଭୀର ହୁଏ ନାହିଁ । ହେବ ବା କେମିତି ? ଯେତେ ଦମ୍ଭ ଛାତି ହେଉ, ପୃଥିବୀଟା ଭଲ ସୁନ୍ଦର, ମିଠା, ସୁନେଲୀ–ଯେତେ ଏମିତି ଧାରଣା ଥାଉ, ଦୁଃଖ ଭାରାଟିକୁ ପୂରା ଭୁଲି ହେବ ନାହିଁ । ସମସ୍ତେ ତ ଭୁକ୍ତଭୋଗୀ; ଅଶାନ୍ତ, ଦୁରାଶା, ଦୁଃଖ, ସବୁ ତ ଲାଗି ରହିଛି, ବଡ଼ଠୁଁ ଛୋଟ ଯାକେ ସମସ୍ତଙ୍କୁ । ଏପରି ଅବସ୍ଥାରେ ହିମକାକରରେ ପଡ଼ି ସୁପାତି ହଂସୁଲୀ ଶେଯର–ନୋହିଲେ ଦାଉ ଦାଉ ମରୁଭୂମିରେ ପଡ଼ି ଶୀତଳ ଛାଇର ସପନରେ ମଜ୍ଜି ରହି ଫଳ କ’ଣ ?

 

ସେଥିରେ ଯେ କିଛି ଲାଭ ନାହିଁ, ତା ନୁହେଁ; କିନ୍ତୁ ସବୁବେଳେ ମନକୁ ଭୁଲାଇ ବାସ୍ତବ ଘଟନାରୁ ଆପଣାକୁ ପରଦେଶୀ କରିଦେବାକୁ ଅନେକେ ଭଲ ପାଆନ୍ତି ନାହିଁ । ଆଗକାଳର ଧର୍ମୁ ଅଜାଙ୍କ ଅମଳରେ (Classical age) ଦୁଃଖଟାକୁ ଗୋଟାଏ ଅଲଗା ରସ, କଳାର ଗୋଟାଏ ନିଆରା ମହକୁମା କରି ଧରୁଥିଲେ । ସେଥିପାଇଁ ସେମାନେ ଚକଚକିଆ ଆଦର୍ଶର କଥା ଲେଖୁଥିଲେ । କନ୍ୟାଟି ହେବ ଷୋଳବରଷୀ, ଗେଲବସରୀ, ଗୋରୀ, ହରିଣ ଆଖି, ତିଳନାକୀ, ବିମ୍ବଓଠୀ, ତା’ର ଚମ୍ପାକଢ଼ି ପରି ଆଙ୍ଗୁଠି ଇତ୍ୟାଦି । ସବୁବେଳେ ହସ ହସ, ଟିକିଏ ମନଦୁଃଖରେ ଝାଉଁଳି ପଡ଼ିବ, ସେଇଠୁ ବଇଦ ଡାକ, ଚନ୍ଦନ, ଉଶୀର ଆଣ, ପଦ୍ମ ପତ୍ରରେ ଶୁଆଅ, ପଦ୍ମ ଫୁଲରେ ବିଞ୍ଚ–କେତେ ହଟଚମକ ! ବରଟି ହେବ ଡେଙ୍ଗା, ମୋଟା କସରତିଆ ପହିଲିମାନ୍–ପୁଣି ଗୋରା, ସୁନ୍ଦର, ବୁଦ୍ଧିଆ; କେତେକଥା । କନ୍ୟା ଥୋମଣୀ ଯଦି ହୁଏ ଟିକିଏ ବେଶୀ ଗୋଜା, ନାକ ଘରେ ଶୂନ, ଗାଲ ଟାକୁଆ, ରଙ୍ଗ ନାଆଟ୍‌, ହାତ ଦିଖଣ୍ଡ ଯଦି ହୁଏ ଖଣ୍ଡିଏ ଖଣ୍ଡିଏ ବତାରେ ଗଢ଼ା, ଗଣ୍ଡାଏ ଛ’ଟା ପିଲାଝିଲା ହୋଇ ସବୁବେଳେ ଖାଲି ଅସନା ଅବରିଜିଆ, ହଂସୁଲି ଶେଯ ଛାଡ଼ି କେଁ-କଟର ଛାରପୋକିଆ ଖଟରେ ଯଦି ହୁଏ ବିଛଣା, କଡ଼ା କଡ଼ାକେ ଘର ଦୁଆର ନ କରି ସେଥିଲାଗି ବାସିପାଇଟି ଖଟିବାକୁ ହୁଏ, ପୁଣି ବରଟି–ଯଦି ହାଡ଼ମାଳ, ବର୍ଣ୍ଣ ଘନଶ୍ୟାମ, ଦାନ୍ତ ଖଣତିସମ, ପାଟି ବାଘୁଆ, ଗୋଳିଆ ଆଖିଦିଟି କୋରଡ଼ ଭିତରେ, ଆଉ ଗୋଟିଏ ଗୋଟିଏ ଗୋଡ଼ ଖମ୍ବଆଳୁ, ପାଖେ ମାତ୍ରାମଣ୍ଡଳୀ ପରି ଗୋଦର, ତେବେ କ’ଣ ସଂସାର ଚଳିବ ନାହିଁ ? ଚଳୁଛି ଚଳିବ; ଆଉ ଅପୂର୍ଣ୍ଣତାର ଟିକି ଟିକି ଭାଗ ସଂସାରର ସବୁ ସମ୍ବନ୍ଧ, ସବୁ କାମ ଉପରେ ପ୍ରଭାବ ପକାଇବ । ଏ ଦୁଇଟି ବରକନ୍ୟାଙ୍କୁ ନିଜ ଭିତରେ ତାଙ୍କ ମନ ଆଉ ଚେହେରାର ଅପୂର୍ଣ୍ଣତା କିପରି କାମ କରିବ ? ବାହାର ସଙ୍ଗେ ସଙ୍ଘର୍ଷ ବେଳେ ଏଇ ଅଭାବ, ଅପୂର୍ଣ୍ଣତା କେମିତି ଫଳ ଫଳାଇବ ? ଯଦି ଜୀବନର କବିତା ଥାଏ କେବଳ ପୂର୍ଣ୍ଣତାରେ, ତେବେ ଦୁନିଆର କୋଟି କୋଟି ଗୋଡ଼ଦଳା ମଳିମୁଣ୍ଡିଆ ଲୋକେ ତାକୁ ପାଇବେ କେମିତି ? ଏଇ ହେଲା ନୂଆ ଯୁଗର Art ।

 

ଯାହା ସାଧାରଣ, ସମ୍ଭବ, ଆଉ ସତ, ତାରି ଭଙ୍ଗା ଦଦରା ଅଧାପନ୍ତାରିଆ ଘରକରଣା ଭିତରେ ସୀମାଦିଆ ଦେଖାଛୁଆଁ ଜିନିଷକୁ ଛାଡ଼ି ତାହା ଅସୀମର ସନ୍ଧାନ ନିଏ । ମଣିଷ ମନରେ ଏ ଧାରଣା ଯେଉଁଦିନୁ ଆସିଲାଣି, ସେଇଦିନୁ ଭଙ୍ଗା ଛାତି, ଦଦରା ଆଶା, ଅପୂର୍ଣ୍ଣ ମଣିଷ, ଏସବୁ art ର ନିଆରା ମହକୁମା ନ ହୋଇ ତା ସଙ୍ଗେ ମିଶି ଯାଇଛି । ବେଶ୍ୟାର ସତୀତ୍ତ୍ୱ, ଆଉ ଗୁଣ୍ଡାର ସାଧୁତା ଶୁଣି ହସ ମାଡ଼ିଲେ ବି ଭିତରମୁହାଁ ହୋଇ ସାହିତ୍ୟ ସେଇ ଓଲଟା ପାଖକୁ ଝୁଙ୍କି ପଡ଼ିଛି । ଖାଲି ବର୍ଣ୍ଣନା ଚଳିବ ନାହିଁ, ଯେଉଁ କଥା ସବୁଦିନିଆ ପରିଚୟର ବୋଲି ଆଖି-ଘଷରା ହୋଇଯାଇଛି, ଯେଉଁ ମଣିଷ ଏତେ ଛୋଟ ଯେ, ଦୁନିଆର ବଡ଼ବଡ଼ିଆଙ୍କ ଗୋଡ଼ ଉଢ଼ାଳରେ ଅଜଣା, ଅଚିହ୍ନା ହୋଇ ପଡ଼ିରହିଛି, ତାରି ଭିତରଟାକୁ ଭଲ କରି ବୁଝିବାକୁ ଚେଷ୍ଟାକରି ତାରି ଅପୂର୍ଣ୍ଣତା ଭିତରେ art ଖୋଜିବା ହୋଇଛି ଧରଣ ।

 

କେତେ ଦାଉ–ଦାପଟ ଆସେ, କେତେ ବାଆବତାସି, ଆଉ ଛାତି ଭିତରଟାକୁ ମନ୍ଥି ଚକଟି ଗୁଣ୍ଡା କରି ଚାଲିଯାଏ । ପୁଣି ଲଢ଼େଇ ଲାଗେ, ତହିଁରେ ବିରାମ ନାହିଁ । ଆଲୁଅ ଆସିବ ବୋଲି ଅନ୍ଧାରଟା ସହି ହୋଇଯାଏ । ନାକ ବୁଡ଼ୁ ବୁଡ଼ୁ ହେଲେ ବି ମଣିଷର ଯେଉଁ ଲଢ଼େଇ, ତୁଣ୍ଡଝାଳ ମୁଣ୍ଡରେ ମଲେ ବି ସଳଖ ଅଣ୍ଟା, ସେଇ କଳାର ବେଶୀ ଆଦର । ଆଲୁଅ ଯଦି ନ ଆସେ, ଖାଲି ଅନ୍ଧାର ଭିତରେ ପ୍ରାଣ ଛଟପଟ ହେଉଥାଏ, ତେବେ ଶେଷରେ ମଣିଷ ଗୋଟାଏ କିଛି ଆଶ୍ରୟ ଧରେ । ସେ ଅବସ୍ଥା ବି Art ପକ୍ଷରେ ଖୁବ୍ ଆଦରର ଜିନିଷ । ପରିଶ୍ରମ କରି ହାତଗୋଡ଼ ରହିଗଲାଣି, ଅଣ୍ଟା ଭାଙ୍ଗିପଡ଼ୁଛି, ସେତିକିବେଳେ ଭଙ୍ଗା ଛାତି ଭିତରୁ ବାହାରି ଯେଉଁ କରୁଣ ରାଗିଣୀ କୌଣସି ଗୋଟାଏ ଆଶ୍ରୟ ଖୋଜିବୁଲେ, ସେ ସମସ୍ତଙ୍କ ମନରେ ଗଭୀର ଛାପା ମାରିଦିଏ-

 

ଏ ଅବସ୍ଥାରେ ମଣିଷ ବିଶେଷ କରି ଭଗବାନଙ୍କୁ ଖୋଜିଥାଏ । ସବୁ ଦୁଆରେ ଉପାଧିଆ ତ ପଡ଼ିଛି-ସବୁଠି ଅପମାନ ଛଡ଼ା ଆଦର କେବେ ପାଇ ନାହିଁ । ସୀମାଦିଆ ଦେଖାଶୁଣା ଚିହ୍ନା ଲୋକେ ଯେ, ସେମାନେ ତ ତୁଣ୍ଡରେ ହେଲେ ପଚାରିଲେ ନାହିଁ । ବାସ୍ତବତାର ପରିସମାପ୍ତି ହେଲା, ଅଜଣା ଅଶୁଣା ଅସୀମ ଅପୂର୍ଣ୍ଣତାକୁ ସାକାର ସୀମାଦିଆ ଚିହ୍ନା ଆପଣାର ଲୋକ ଭାବି ଯାକି ନ ଧରି ଆଉ କ’ଣ ଉପାୟ ? ପୀତେଇ ବଡ଼ାପାଙ୍କ ପୁରୁଣା ମୂଳଦୁଆ ଉପରେ ଭଙ୍ଗା ଇଟା ମଝିରେ କେତେ କାଳର ଦାନ୍ତୁରା ସଳଖ ପଥର ଖୁଣ୍ଟଟା ଯେମିତି ସାହିତ୍ୟ ହିସାବରେ ମୂଲ୍ୟବାନ୍, ଗାଁ ମୁଣ୍ଡର ମସ୍ତବଡ଼ ଓସ୍ତ ଗଛଟା, ସେ ଯେଉଁ ଗଲା ତୋଫାନରେ ଏକାଥରେ ଭୂଇଁରେ ଲୋଟୁଛି, ସେ ଵି ସେମିତି ଦାମିକା । ଏପରି କଳାର ମୂଲ୍ୟ, ଦୁଃଖ ସାଙ୍ଗେ ମଣିଷର ଅସରନ୍ତି ଶକ୍ତି ଆଉ ଚେଷ୍ଟାକୁ ସେ ଭଲକରି ପ୍ରକାଶ କରିଥାଏ ।

 

ଜୀବନ-ରସରେ ମାଠିଆ ମୁହଁ ଯେତେବେଳେ ଉବୁଡ଼ୁବୁ, ପରଲାଗି କ୍ଷତି ସ୍ୱୀକାର କରିବା ସେତିକି ବେଳେ ସମ୍ଭବ । ଯୌବନ ଯେତେବେଳେ ଦେହମନ ଝଲସାଇଦିଏ, ସେତେବେଳେ ମରଣକୁ ତିଳେ ମାତ୍ର ଡର ନ ଥାଏ । ସବୁ ଡର ଆସେ ବୁଢ଼ା ଦିନେ | କେତେ ରାତି ତ ଜୀଅନ୍ତା ପ୍ରିୟ ଲୋକଙ୍କ ନାଁରେ ମଲା ସପନ ଦେଖି ଲୁହରେ ତକିଆ ତିନ୍ତାଇ ଥାଇଁ । ସାଧାରଣ ମନ–ଯହିଁରେ ଯୋର-କଲା ବନ୍ଧ ନ ଥାଏ–ତହିଁରେ କରୁଣ ରସର ପ୍ରଭାବ ପଡ଼େ ବେଶୀ । ମଫସଲ ଗାଁରେ ସେହି ଗୀତ ଭଲ ଲାଗେ, ଯହିଁରେ ଗଛରୁ ପତର ଝଡ଼େ । କାହିଁ କେଉଁ ମୁଲକର ରାଜା ଗୋବିନ୍ଦଚନ୍ଦ୍ର । ଯୋଗୀ ସେତେବେଳେ ନାକୁଲି ସ୍ୱରରେ ତାଙ୍କରି ଦୁଃଖ ସୁଖ ବାହୁନି ବସେ, ସେତେବେଳେ କବାଟ ଫାଙ୍କ ସେପାଖରେ କେତେ ଆଖିରୁ ଲୁହ ଗଡ଼େ । ସେହିପରି ରାଧାକୃଷ୍ଣଙ୍କ ବିରହ ଶୁଣି ବି । ଏଇ ସହାନୁଭୂତିବଳରେ ପରର କଷ୍ଟକୁ ମନେ ମନେ ନିଜ ଅଙ୍ଗେ ନିଭାଇ ଥାଇଁ । ଆଉ ଦୁଃଖର ପରିମାଣ ଘେନି ଯେଉଁ କାନ୍ଦଣା ସମ୍ଭବ-ତାହାରି କାଣିଚାଏ ନିଜେ କାନ୍ଦିଥାଇଁ । ଅନେକେ ଅଛନ୍ତି, ଯେଉଁମାନଙ୍କ ନରମ ହିଆରେ ସାରା ସଂସାରର ଦୁଃଖ ଗଭୀର ଗାର ଟାଣେ । ଅହରହ ପବନଖିଆ ଝାଉଁଗଛ ପରି ସେମାନେ ସବୁବେଳେ କାନ୍ଦୁଥାନ୍ତି । ଆଜିକାଲିକା ବିଶ୍ୱ-ପ୍ରେମ, mass rising ଯୁଗରେ ସେମାନେ ହୁଅନ୍ତି ନୂଆ ଦୁନିଆର କବି ।

 

ଝଡ଼ତୋଫାନ, ଦୁଃଖଦୁର୍ଦ୍ଦିନ ଭିତରେ ଶ୍ରାବଣର ସିଢ଼ୁଆ ନଈ ପରି ଅନ୍ତରର ସଞ୍ଚିତ ଦୁଃଖ ଯେତେବେଳେ ଫୁଲି ଫୁଲି କାନ୍ଦୁଥିଲା, ସେତେବେଳେ ଆଲୁଅ–ଅନ୍ଧାର ମାଖି ଜନ୍ମହେଲା-ବିରହ ! ଅତୀରର ଆଲୁଅ ଲୁଚି–ଅଛି ଖାଲି ଅନ୍ଧାର; ଆଉ ଭବିଷ୍ୟତ ଲାଗି ଅନ୍ଧାର ଅନ୍ତରାଳରେ ମିଳନର ଦୀପ ଜଳୁଛି । ଦୁଇ ମିଳନ ମଝିରେ ଯେଉଁ ବିରହ, କଳାର ମାପକାଠିରେ ତା’ର ମୂଲ୍ୟ ଖୁବ୍ ବେଶୀ । ଏ କଥା ଏତେ ସ୍ପଷ୍ଟ ଯେ, ବହୁ ପୁରାକାଳରୁ ଦେଶବିଦେଶର ସାହିତ୍ୟରେ ବିରହର ବ୍ୟବହାର ଦେଖିବାକୁ ମିଳେ । କଥାବସ୍ତୁ (plot)ର ସାଧାରଣ ଗତ–ପ୍ରଥମରେ ମିଳନ, ମଝିରେ ବିରହ, ଶେଷରେ ପୁଣି କେତେ କ’ଣ କଷ୍ଟ ସହି ପୁଣି ମିଳନ । ପୁରୁଣା ଓଡ଼ିଆ ପ୍ରେମସମ୍ବନ୍ଧୀୟ କାବ୍ୟରେ ଏ ପ୍ରଥା ଖୁବ୍ ଚଳେ । ଭଞ୍ଜଙ୍କର ସେହି ଗୋଟିଏ ଗତ–ଅଲିଅଳୀ ରଜାଝିଅ ସଙ୍ଗେ ରଜାପୁଅର ଭେଟ, ବିବାହ, ବିରହ ଓ ଭିନ୍ନ ଭିନ୍ନ ଋତୁରେ ବିରହର ଭିନ୍ନ ଭିନ୍ନ ପ୍ରଭାବ, ଶେଷରେ ପୁଣି ମିଳନ । ବିରହ ନ ଥିଲେ ମିଳନ ଅପୂର୍ଣ୍ଣ ରହିଯାଆନ୍ତା । ବିରହ ମିଳନର ମାପକାଠି । ନିଜ ମନର ଅଜଣା ସ୍ନେହ ବାହାରକୁ ଯେପରି ପ୍ରକାଶ ପାଏ, ବିସଦୃଶ ଗୁଣଦ୍ୱାରା ଆସନ୍ତା ମିଳନ ସେହିପରି ହାଲୋଳମୟ ହୁଏ, କଳା ମେଘ ଉହାଡ଼ରେ ପୁନେଇଁ ଜହ୍ନ ପରି ପହିଲି ଆଷାଢ଼ ଦିନ ମେଘୁଆ ପାହାଡ଼ ତଳେ ବିରହୀ ଯକ୍ଷ–ଭାଳି ଭାଳି ଦେହ କ୍ଷୀଣ, ହାତର ବଳା ହୁଗୁଳା ହେଲାଣି, କଥାବାର୍ତ୍ତାରେ ଚେତନ ଅଚେତନ ଭେଦାଭେଦ ନାହିଁ ।

 

କେତେ କାଳର ପରିଚୟ, ସୁଖଦୁଃଖ, ମାନ ଅଭିମାନ ଭିତରେ ଦିନ କଟିଛି–ବିଦାବିଦି ବେଳେ ମନଟା ଘାଣ୍ଟିଚକଟି ହୋଇଯାଏ । ଆଉ ଯେତେବେଳେ ମନର ଭାବ ପାଏ ଭାଷା, ସେତେବେଳେ ମୁହଁରେ ଖଇ ଫୁଟେ, କବିତା କାହୁଁ କାହୁଁ ଆସେ । ଆମ କବି - ଦେଶର ଝିଅ ବିଦାବିଦି ବେଳର କାନ୍ଦଣାକୁ ପରଖି ଦେଖିଲେ ଏ ବିଷୟରେ ବହୁତ କଥା ମିଳିବ । ଶକୁନ୍ତଳା ଶାଶୁଘରକୁ ଗଲାବେଳେ କାଳିଦାସ କି ଚିତ୍ର ବା ନ ଆଙ୍କିଛନ୍ତି ? ନିଜେ ତ କଣ୍ୱ ଋଷି ଅଧୀର, ଶକୁନ୍ତଳା ଯାଇ ନାହିଁ, ଯିବ (‘‘ଯାସ୍ୟତି”) ବୋଲି ଗଲା କାଳର ଛୋଟ ଛୋଟ ପରିଚିତ ଘଟନାଗୁଡ଼ିକ ଆଖି ଆଗରେ ନାଚିଉଠେ, ସେଇ ହରିଣ ଛୁଆଟି–ଇଙ୍ଗୁଦୀ ତେଲରେ ଯାହାର ଘା ଭଲ କରିଥିଲା, ଦେଉଳ-ବେଢ଼ା କରରେ ଝାମ୍ପୁରା ମାଳତୀ ବଣଟା, ପାଞ୍ଚବର୍ଷବେଳେ ଜନ୍ମଦିନ ଦିନ ନାଲି ପାଟ ପିନ୍ଧି ଉମେଶ ଭାଇଙ୍କି ବାହା ହବାକୁ ଯେଉଁଠି ରୁଷି ବସିଥିଲା-କେତେ କଥା । ପ୍ରେମିକ-ପ୍ରେମିକାଙ୍କ ବିରହ ବେଳେ ଠିକ୍ ସେଇଆ ହୁଏ । କେତେକାଳର ସୁଖଦୁଃଖର ଛୋଟ ଛୋଟ କଥା ମନେପଡ଼େ, ଶୁଣିଲା ଲୋକର ମନ ସହାନୁଭୂତିରେ ଆପେ ଆପେ କଅଁଳ ହୋଇଆସେ । ଏ ବିଷୟରେ ଭଞ୍ଜ-କବିତା ସାକ୍ଷୀ ଦେବ, ଜହ୍ନ ରାତିରେ ଦିନେ କ’ଣ ହୋଇଥିଲା, ଶୀତ ଦିନେ କ’ଣ ହେଲା–ଇତ୍ୟାଦି ଇତ୍ୟାଦି ।

 

କଳାର ଆଉ ଗୋଟିଏ ଉପାଦାନରେ ବିରହ ବେଳର ହାବ-ଭାବ, ଆଉ ଅଧୀରତା । ସେତେବେଳେ ବିବେକର ବନ୍ଧ ରହେ ନାହିଁ, ଭିତରୁ କୋହ ବାହାରି ସବୁ ଧୋଇନିଏ । ସୁଖ ଥିଲା, ହଠାତ୍ ଅଭାବ ଘଟିବାରୁ ତା ପରିମାଣ ବୁଝା ପଡ଼ୁଛି । ସାଙ୍ଗେ ସାଙ୍ଗେ ପୁଣି ତାକୁ ପାଇବାଲାଗି ସମୁଦାୟୁ ଅସ୍ତିତ୍ଵ ଆକୁଳ–ଏପରି ଯେଉଁ ବିଚିତ୍ର ଅବସ୍ଥା, ତହିଁରେ ଦେହ ଓ ମନର ବିକାର ହେଲେହେଁ ମୂଳ କାରଣ ସତ୍ତା ହେଉଛି (୧) ଅନୁଭୂତି, (୨) ମନୋଭାବ ଓ (୩) ବିଚ୍ଛେଦର ସୁନେଲୀ କୁହୁଡ଼ିରେ ଅତୀତକୁ ଚାହିଁ ରହିଥିବା କଳ୍ପନା । ଏ ତିନୋଟିଯାକ କଳାର ମୂଳ ଉପାଦାନ । ତେଣୁ ବିକାର ଘଟିଲେ ବି ଏ ଅବସ୍ଥାରେ ଏ ତିନୋଟି ଉପାଦାନର ପ୍ରଚୁରତା ଥାଏ । ଏ ଅଧୀରତାର ଆକର୍ଷଣ ଏତେ ବେଶୀ ଯେ, ସାହିତ୍ୟରେ ଏହାର ଲକ୍ଷଣ Convention ହୋଇ ଯାଇଛି । ଦେହ ଦିନୁ ଦିନୁ ଖିନ୍ନ ହୋଇଯାଉଛି, ଖାଲି ମାଟି ମାଟି, ସାଧାରଣ ପାନ-ଭୋଜନରେ ବି ଅବହେଳା, ପ୍ରସାଧନ ତ କେଉଁଆଡ଼େ ଗଲାଣି; ଲକ୍ଷାରସ ଠାରୁ lipstick ଯାକେ ଆଉ କାହାପାଇଁ ଲାଗିବ ? ମୁଣ୍ଡରେ ବାସନା ତେଲ ତ ଦୂରର କଥା, ବାଳ ଫୁରୁ ଫୁରୁ । ହଳଦୀ କାଠୁଆ ଖଟ ତଳେ ଗଡ଼ୁଛି । ସାଙ୍ଗ ମେଳ ଭଲ ଲାଗୁନାହିଁ, ପୂର୍ତ୍ତି ଏକାନ୍ତ ଅଭାବ । ଖାଲି ଘନ ଘନ ଦୀର୍ଘଶ୍ୱାସ, ଆଉ ଆଖିରେ କେତେ କାଳର ଉଦାସ ଚାହାଣି; ଜହ୍ନ ଆଲୁଅ, ସଙ୍ଗୀତ, ହସଖେଳ–କିଛି ଭଲ ଲାଗୁନାହିଁ । ରାତିରେ ସପନ ଦେଖି ଦି ହାତରେ ଧରିବାକୁ ଯାଇ ଖାଲି ଶୂନ୍ୟ ! ହାତ ଦିଟା ଆପେ ଆପେ ପିଟାପିଟି ହୋଇ ତଳେ ପଡ଼େ, ଆଖିରୁ ଝରଝର ଲୁହ । ସଂସ୍କୃତ କବିଏ ଉପମା, ଅଳଙ୍କାର, କଳ୍ପନା ବଳରେ ଆହୁରି ବେଶୀ ଦୂରକୁ ଯାଇଛନ୍ତି । ଗଛପତ୍ର ଲୁହ ବୋଲି ପତ୍ର ଝାଡ଼ିବେ, କାନ୍ଦଣା ଶୁଣି ହରିଣୀ ଥକାମାରି ଠିଆ ହେବ, ମୁହଁରୁ ଅଧାଖିଆ ଘାସ ତଳେ ପଡ଼ିବ, ବିରହୀ ବଣ-ଜଙ୍ଗଲରେ ପାଗଳ ପରି ବୁଲି ଗଛପତ୍ର ପାହାଡ଼ପର୍ବତ ବାଘଭାଲୁ ସମସ୍ତଙ୍କ ସାଙ୍ଗରେ ଦୁଃଖସୁଖ ହେବ-ଇତ୍ୟାଦି । ତା ଉତ୍ତାରୁ ପୁଣି ବିରହର ଭିନ୍ନ ଭିନ୍ନ ସ୍ତର ଅଛି । ସେ ବିଷୟରେ ଚୈତନ୍ୟଧର୍ମୀ ଵିଶେଷବିତ୍‌ । ବିରହୀର ଏ ଅଧୀରତା କେତେଗୁଡ଼ିଏ କରୁଣ ଓ ସୁନ୍ଦର ଛବି ଯେପରି ଆଙ୍କିଥାଏ, ସମସ୍ତଙ୍କ ସହାନୁଭୂତି ଉପରେ ସେହିପରି ପ୍ରଭାବ ପକାଇଥାଏ ।

 

(Impressionistic) ସ୍ମୃତି-ଗୁଣା ବିରହ ସବୁଠୁଁ ବେଶୀ ମିଠା । ସେଥିରେ ଦେହ, ମନ, ଅଭ୍ୟାସ ବା ପରସ୍ପର ସମ୍ବନ୍ଧର ସମୁଦାୟ ଦରକାର ହୁଏ ନାହିଁ; ଖାଲି ଯେତିକି ଦେଖି ମନରେ ସେଇଟିକି ଅଂଶଟିର ଏତେ ଗଭୀର ଛପା ବସିଛି ଯେ, ଦିନରାତି ତାରି ଗୁଣ ଗୁଣି ହେବାକୁ ପଡ଼ିବ, ସେତିକି ଥାଏ । ଗୋଲାପୀ ଶାଢ଼ୀ ଧଡ଼ିରୁ ଧାପେ, ତତଲା ଲୁହ ଦି ଟୋପା, ଦିଟି ଢଳ ଢଳ ଆଖି, ନିଶବଦ ରାତିରେ ଥିରି ଥିରି ପାଦ ଶବ୍ଦ–ଏହିପରି । ଏଇ ଗୋଟିଏ ସ୍ମୃତି ଅବଲମ୍ବନ କରି ଭାବି ଭାବି କ’ଣ ନ ହୁଏ ? ଗୋଟିଏ ଛୋଟ କଥାରୁ ଆଉ ଦଶକଥା ମନେପଡ଼େ । ନିଜ ମନରୁ ତାରି ଉଦ୍ଦେଶ୍ୟରେ କେତେ subjective ଚିନ୍ତା ବାହାରେ । ତା ଉତ୍ତାରୁ ଆହୁରି ରଙ୍ଗାଇବାକୁ କଳ୍ପନା ତ ଅଛି । ପୁଣି ମନର ଭାବ ଓ ଅନୁଭୂତି ତ ଅଛି କବିତାର ମହୁମଖା ଛନ୍ଦରେ ମନ ମଜାଇବାକୁ । ଶିଳ୍ପୀ ଯଦି ଅସୀମ ଭାବମୟ ଉପାୟ ଛାଡ଼ି, ଖାଲି କେତେଗୁଡ଼ାଏ ବନ୍ଧା ବୋଲି (diction) ଧରି ଏ ପାଖ ସେ ପାଖ ହୁଅନ୍ତି, ତା ହେଲେ ଏପରି କଳା ଦୀର୍ଘଶ୍ୱାସ ଆଉ ତତଲା ଲୁହରେହିଁ ଉଭେଇଯାଏ ।

 

ସବୁ ଅଛି, କିଛି ଊଣା ନାହିଁ–ହସଖେଳ, ମଉଜମଜଲିସ୍ ଭିତରେ ବେଳେବେଳେ ମନଟା କଅଁଳ ହୋଇଯାଏ; ଆଉ ନିଜର ଅଜାଣତରେ ଉଦାସ ଚାହାଣିରେ ଦୂର ଆକାଶରେ କାହାକୁ ଖୋଜି ବୁଲେ, ହୁଏ ତ ଦୀର୍ଘଶ୍ଵାସ ଭିତରେ ଅଲଣା ଲୁହରେ ଆଖି ଦିଟା ଟଳମଳ କରେ । ନିଜର ଅଜାଣତରେ କେତେବେଳେ କାହାର ସ୍ମୃତି ମନ ଉପରେ ପଡ଼ିଛି, ତାହାରି ଲାଗି ହବ ବା ! ହୁଏ ତ ନିଜର ସମୁଦାୟ ଆଶା-ଭରସା, ସ୍ନେହ-ପ୍ରେମ, ଇଚ୍ଛା–ବିତୃଷ୍ଣା–ଗାଏ ମୋଟ ଯେଉଁ ମାନସୀ ideal, ତାରି ଲାଗି । ପ୍ରକୃତି ତା’ର ସୁନ୍ଦରିମାର ବାହାର ଛବି, ସାରା ଦୁନିଆର ଦୁଃଖସୁଖରେ ତା’ର ଅନ୍ତର ଗଢ଼ା, ସେ ଯେ କଣ, ତା କିଏ ଜାଣେ ? ସେ ଅରୂପ, ଅଜଣା, ଅଶୁଣା; କିଏ କହେ ସେ ଭଗବାନ, କିଏ କହେ ସେ ମାନସୀ, କିଏ ବା କହେ ସେ ଗୋଟାଏ–ଗୋଟାଏ କେଜାଣି କ’ଣ ? ଯୁଗ ଯୁଗ ଲାଗି ଲୋକେ କେତେ କାନ୍ଦିଲେ–ତାରି ପାଇଁ, ତାଙ୍କରି ଭଙ୍ଗା ଛାତିର ତତଲା ନିଶ୍ୱାସରେ art ଗଢ଼ା ହେଲା, ତାଙ୍କରି ତତଲା ଲୁହରେ । କେହି କେବେ ତାକୁ ପାଇଲେ ନାହିଁ । ସେ ତ ପାଇବାର ନୁହେଁ । ମଣିଷକୁ ବଡ଼ କରିବାଲାଗି ସେ ଖାଲି ଗୋଟା ବିଶ୍ୱସାରା ସ୍ପନ୍ଦନ-। ଖରାବେଳ ଝଞ୍ଜା ପବନରେ ଚାଳଟା ଉଠେ ପଡ଼େ, କବାଟ ଝରକାଗୁଡ଼ାକ ଧଡ଼ଧଡ଼ ହୁଏ-। ପୋକରା କଣ୍ଟା ବାଇଁଶୀ ଗଛରେ ପବନ ପଶି ବଇଁଶୀ ପରି କାନ୍ଦିବୁଲେ, ଏ ନିଛାଟିଆ ଉଦୁଉଦିଆ ଖରାବେଳଟାରେ । ଭିତରେ ସବୁ ଚୁପ୍‌ । ମନଟା ଛନଛନ ହୁଏ । ଏଇ–ଏଇ ତାର କଳାର ଗଢ଼େଇ । କେଡ଼େ ସହଜରେ କାମ ଚାଲିଛି । ଛପି ଛପି ଚାରିଆଡ଼େ ଥରେ ଏ କାନ୍ଦଣା ବୁଲିଆସିବ-। ତାପରେ...

Image

 

ପତର ଚକି

 

ସବୁଦିନର ଦେହଘଷା ଚିହ୍ନା ଲୋକଟି, ପୁଣି ସମସ୍ତଙ୍କର ଅଜଣା ଅଚିହ୍ନା । ଜାତିଗୋତ୍ର କେହି କେବେ ଖୋଜି ନାହିଁ, ଘରବାଡ଼ି, ପଢ଼ାଶୁଣା ଟଙ୍କା ପଇସା । ଖାଲି- ‘ଡେଙ୍ଗା ବାବାଜି’ । ବେଶ୍‌, ଏତିକି ପରିଚୟ । ବାପା ମା କେବେ କ’ଣ ନାଁ ଦେଇଥିଲେ, ତା ବି କେହି ଖୋଜେ ନାହିଁ । ଲୋକଟାର ସବୁ ତ ସାଧାରଣ, ତା ଭିତରେ ପୁଣି ଆଶ୍ଚର୍ଯ୍ୟ କ’ଣ ଅଛି ? ତଥାପି ବେଳେବେଳେ କେମିତି କେମିତି ଛନ ଛନ ଲାଗେ । ଟୁଙ୍ଗିଟା ମଶାଣି ଉପରେ ହେଲେ ବା, ପାଖରେ ତ ଡମେଇ ହାଡ଼ି କୁଡ଼ିଆ, ତେବେ-ଅନ୍ଧାର ରାତିରେ, ନିଶା ଯେତେବେଳେ ସାଇଁ ସାଇଁ ଗର୍ଜୁଥାଏ, ଆଉ ବିଲୁଆ କୁକୁର ମୁର୍ଦ୍ଦାର ଉପରେ ଝିଂକାଝିଂକି କରି କଜିଆ ଲାଗୁଥାନ୍ତି, ସେଇ ରାତି ଦିପହରେ ବାବାଜି କ’ଣ କରେ, ତା ତ ଦେଖିବାକୁ ଆଉ ଡମା ହାଡ଼ିର କଲିଜା ନାହିଁ । ଟୁଂଗି ଅଗଣାରେ କ’ଣ ଗୋଟାଏ ଆଲୁଅ ଝିକିମିକି କରେ ବେଳେବେଳେ ! କିଏ ଜାଣେ ସେ କଅଣ ବା ? ଅଧେ ଦିନ ତ ବାବାଜି ଘରେ ନ ଥାଏ, ପୁଣି କୁଆଡ଼ୁ ବୁଲି ବୁଲି ଫେରେ ।

 

ଲୋକ କ’ଣ ନାଂକରା ? କେତେ ଲୋକ ତା ଯୋଗୁଁ ଜୀବନ ପାଇଛନ୍ତି । ହାଲି ଯେତେବେଳେ ବାଉରୀ ସାହିରେ ବାଡ଼ି ପଶିଥିଲା, ଖାଲି ପାଉଁଶରେ କେତେ ଲୋକ ଭଲ ହେଲେ-। ଯଦିଚ ସନିଆ ମା’ କହେ, ନୋକା କେଉଟର ଅଭିଆଡ଼ୀ ଝିଅଟା ଯେଉଁଦିନ ମରିଗଲା, ବାବାଜୀ ସେଦିନ ନିଛାଟିଆରେ ଚୁମୁଟାରେ କ’ଣ କରୁଥିଲା, ଆଉ ଡମାହାଡ଼ି ସାଆନ୍ତଙ୍କ ଆଗରେ ସେଦିନ କହୁଥିଲା, କ’ଣ ଫୁରକୁଟିଆ ଗନ୍ଧ ହୁଏ, ଟୁଙ୍ଗିଆଡ଼ୁ, ଠିକ୍‌ ଯେମିତି !! ତଥାପି ବାବାଜୀ କାହାର ଉପକାର ନ କରେ ? ବିଲବଛା ଧାନବୁଣା, ହଳ ଓ ଘରଛୁଆଣିଠାରୁ ଆରମ୍ଭ କରି ଚାହାଳୀ ପିଲାଙ୍କ ମାଷ୍ଟରୀ ବି ସେ କରେ–ଖାଲି ମାଗଣା । ଯଦି ମନ ଲାଗିଛି ତେବେ ବେଳେବେଳେ ବାବାଜି ଅଡ଼ି ବସେ । ପଧାନେ ସେଦିନ ଡାକିଲାରୁ କହିଲା, ‘‘ସରମ୍‌ ନାହିଁ ? ତୁମହର୍‌ ଏତେ ଲୁକ ଅଛନ୍‌, ବିନା ପୟସାରେ ବାବାଜୀ ଲୁକଙ୍କୁ ବେଠି ଖଟେଇବ ଯେ ।’’

 

ବାରଚାଉଳିଆ କଥା ! ବେଳେବେଳେ ହିନ୍ଦୀ, ବଙ୍ଗଳା ବି ବାହାରିଥାଏ । ତେବେ ଲୋକେ ଅନୁମାନ କରନ୍ତି, ବୋଧହୁଏ ସେ ଗଡ଼ଜାତ ଅଞ୍ଚଳର ହେବେ । ରାଗିଗଲେ ନିଜ ପ୍ରକୃତ ଭାଷା ବାହାରେ ।

 

ଏଇ ଡେଙ୍ଗା କଳି ଭାଙ୍ଗିବାକୁ ଆଗ, ବିପଦରୁ ଟାଣି ଓଟାରି ଶୁଖିଲାକୁ ଆଣିବାକୁ ଆଗ-। ନାଁ ବାବାଜୀ, ତେବେ ପୂଜାଉଝାରେ ସେତେ ଆଡ଼ମ୍ବର ନାହିଁ । ଏ ଘାଇଭଙ୍ଗା ବେଳେ ବନ୍ଧ ଉପରେ ମାଟି ପକାଇବାକୁ ଲୋକଙ୍କୁ କମି ଟେହିଥିଲା ! ଧର୍ମ ଅପେକ୍ଷା ନ୍ୟାୟକୁ ତ ସେ ବେଶୀ ଜଗେ । ପଞ୍ଚୁସୋଇଁ ଘର ପଦୀ ତ ସେଦିନ ଜଗୁଆ ମା ଘାଇରେ ଝାସ ଦେଇସାରିଥିଲା । ପଞ୍ଚୁ ସୋଇଁ ସବୁ ଜାଣେ, ତେବେ ଝିଆରୀ ନାଁ ପକାଇ ସମସ୍ତଙ୍କ ମୁହଁରେ କାଳି ବୋଳିବ–ଏକଥା କ’ଣ ଦିହ ସହେ ? ପୁଣି ଘମଣ୍ଡିପୁର ଗାଁରେ ଘର କରି ? ପଦୀକୁ ଏ ପାରିକୁ କିଏ ଆଣିଲା ? ସେଇ ଡେଙ୍ଗା । ଏଣେ ପୀତେଈ ତ କଲିକତା ପାର । ଡେଙ୍ଗା ପୀତେଈକୁ କେମିତି ଆଣିଲା, ସେ ଜାଣେ-। ତେବେ ଧୋବଣୀ ମା କହୁଥିଲା, ପୀତେଈ ଆସିବା ଦଶଦିନ ଆଗରୁ ଯେଉଁଦିନ ଡେଙ୍ଗା କୁଆଡ଼େ ଗପ ମାଇଲା, ସେଦିନ ଅତୁଠରୁ ଲୋଟାଏ ପାଣି ଘେନି ଯାଇଥିଲା, ସେ ଦେଖିଛି । କଦମ ଦାଣ୍ଡରେ ପଞ୍ଚୁ ସୋଇଁ, ପଦୀ ଦିଜଣଙ୍କୁ ଡକାଇ ଡେଙ୍ଗା ପୀତେଈକୁ କ’ଣ କହିଲା ? ‘‘ଅଭିଆଡ଼ୀ ପିଲା ତୁ, ବାହାଚୋରା ତ ହବୁ । ଦଧିଆନ୍ନୀ ପୁରୋହିତ ମନ୍ତ୍ର ନ ପଢ଼ିଲେ ଭାସିଗଲା କ’ଣ ? ଆରେ, ‘‘ଜଣେ ତ ଦେଖିଛି । ସେଇ ବଡ଼ଠାକୁରଙ୍କୁ ଅନାଇ କହିଲୁ ଭଲା, ଏ ପେଟରେ ସାପ କି ବେଙ୍ଗ ଯାହା ଅଛି, ତୋରି ତ ? ଦେଖ, ଭଲ ଦଶା ଅଛି ତ-’’ ପଦୀ କ’ଣ ଭୁଲିପାରେ ? ମୁଣ୍ଡରେ ତା’ର ଏଇ ଯେଉଁ ଟଙ୍କାପରି ସୁନ୍ଦର ମନ୍ଦାଟି କାହାଯୋଗୁଁ ସେ ?

 

କେତେଲୋକଙ୍କ ଉପକାର ସେ କରିଛି । ତେବେ ତା ନିଜ ମୁହଁରୁ କେହି କେବେ ସେ କଥା ଶୁଣି ନାହିଁ । ସେ ସୁମାରି ରଖେ ନାହିଁ, ବାରବୁଲା ଛତରଖିଆ ହତଭାଗାଟା ସେ । ବାହାରୁ ରୂପଟି ଦେଖିଲେ ଯେତିକି ପରିଚୟ ମିଳେ, ତା’ଠୁ ବେଶୀ ଦେଇ ମର୍ଯ୍ୟାଦା ନେବାକୁ ସେ କେବେ ଚାହେଁ ନାହିଁ ।

 

ଏଇ ଡେଙ୍ଗା–ସବୁଦିନେ ସବୁ ଯୁଗରେ ତ ସେ ରହିଛି, ସବୁ ଦେଶରେ । ତା’ର ରୂପ ଖାଲି ଅଲଗା ଯାହା । ତା’ର ମୂଳ ରୀତି, ଗୋଟାଏଠିଁ ଅଟକି ସେ ରହିବ ନାହିଁ, କହେ-ମାୟା ଲାଗିବ; ତେଣୁ ଗୋଟାଏ କିଛି ସର୍ବେସର୍ବା ବୋଲି ସେ ମାନିନେବାକୁ ରାଜି ନୁହେଁ । ଫଳରେ ତା’ର କୌଣସି ଗୋଟାଏ କାମ ନାହିଁ, ସବୁ ଠିକା; କୌଣସି ଗୋଟାଏ ଘର ନାହିଁ, ସବୁଠି ଘର । ଡେଙ୍ଗାକୁ ଆଜି ସ୍ମରଣ କରିବାର ଉଦ୍ଦେଶ୍ୟ, ସାହିତ୍ୟର ସେ ଗୋଟାଏ type, ଉଚ୍ଚ କଳାର ସେ ଗୋଟାଏ ବଡ଼ ଉପାଦାନ । ଏ ପତରଚକି ଭିତରେ କଳା ହିସାବରେ ଦେଖିଲେ ଏତେ ରସ ଅଛି ଯେ, ଉଚ୍ଚ ସାହିତ୍ୟ ଗଢ଼ିବା ଲାଗି ତା ଇତିହାସ ଗୋଟାଏ ଅସରନ୍ତି ଝରଣା । ଆଖି ଖୋଲି ବିଶ୍ୱସାହିତ୍ୟକୁ ଯେତେବେଳେ ଆମେ ଚାହୁଁ, ସେତେବେଳେ ଦେଶବିଦେଶରେ ଖାଲି ଡେଙ୍ଗା । ନୁଟ୍‌ ହାମସନ୍‌ ଅଗଷ୍ଟ ଗୋଟାଏ ଡେଙ୍ଗା ପାଇଛନ୍ତି, ଏ ପର୍ଯ୍ୟନ୍ତ ତା’ର ଇତିହାସ ସରି ନାହିଁ । ବିଦେଶୀ ସାହିତ୍ୟରେ ଚାରିଦଉଡ଼ିକଟା ବାରବୁଲା ପ୍ରକୃତିର ଆବିର୍ଭାବ ବେଶୀ ଦେଖାଯାଏ । ଆଉ ସେ ଯେଉଁଠି ଥାଏ, ସେ ସେଠି ଗମତ୍‌ କରେ । କିଛି ନ ହେଲେ କୌଣସି ଗୋଟିଏ ବଡ଼ ନାୟକର (Hero)ଜୀବନକାଳ ଭିତରେ ଏଇ ବାରବୁଲା ଜୀବନ ଊଣା ଅଧିକେ ଦେଖାଇବାକୁ ହୁଏ । ତାରି ଭିତରେ ସାହିତ୍ୟର ଉନ୍ନତି ଆମେ ଦେଖିଥାଇଁ । ବିଦେଶୀ ଲେଖକ ହୁଏ ତ ବଡ଼ ବଡ଼ theory (ତଥ୍ୟ) ଆଣିବେ । Augustର ସୃଜନ ଲାଗି କେତେ କାରଣ ଦେଖାଯାଇପାରେ । ବ୍ରାଉନିଂଙ୍କର ଶ୍ରୀମତୀ ପିପା ଠିକ୍‌ ଏଇ ଛାଞ୍ଚଲେ ଗଢ଼ା । ତେବେ ସେ ଥରେ ବୁଲି ଆସିଲେ । ତା ଅଜାଣତରେ ତା’ର ଗୀତରେ କେତେ ଲୋକଙ୍କ ଆତ୍ମାର ସଦ୍‌ଗତି ହେଲା । ବାରବୁଲା ତଥ୍ୟର ଗୋଟାଏ ଅଂଶର ଉତ୍କର୍ଷ ଉପରେ ପିପାର ନିଦାନ ଅର୍ଥାତ୍‌ ମୂଳ ଇଙ୍ଗିତ ରହିଲା ଯେ, ଏ ଜୀବନର ଆଦର୍ଶ ଏଡ଼େ ଉଚ୍ଚ । ଏଥିରେ ଯେଉଁ ଆନନ୍ଦ ହୁଏ, ତାରି ଉତୁରା ପେଜରେ କେତେ ଲୋକ ନିସ୍ତାର ପାଇଯିବେ । ଷ୍ଟିଭେନ୍‌ସନ୍‌ ତ ବାରବୁଲା ନୀତିର ପୁରୋଧା । *

 

* ନୂଆ Romanceର ପ୍ରବର୍ତ୍ତକ ସେ । ବାରବୁଲା ଜୀବନରେ ସେ ଏତେ Romance ପାଇଥିଲେ ଯେ କହିଲେ ନ ସରେ ।

 

Romain Rolland ଙ୍କର ମହାଉପନ୍ୟାସ ‘‘Jean Christope’’ ରେ ଅତି ଉଚ୍ଚ ଚରିତ୍ର ନାୟକର ବାରବୁଲା ଦାଦି । Walter Scottଙ୍କର ଶ୍ରେଷ୍ଠ ଉପନ୍ୟାସ The Antiquary (ପ୍ରତ୍ନତତ୍ତ୍ୱ); ତହିଁରେ ସବୁଠାରୁ ସୁନ୍ଦର ଚରିତ୍ର ହେଉଛି ବାରବୁଲା Edie Ochiltree । ବାରବୁଲାର ଜୀବନ-ଇତିହାସ ଏତିକିରେ ସରି ନାହିଁ । ଭବିଷ୍ୟତ୍‌ ଲାଗି ଆହୁରି ରହିଛି, ରହିଥିବ । ଏହାର କାରଣ କ’ଣ ? ହୁଏତ ଡେଙ୍ଗାକୁ ଘଣ୍ଟା ଚକଟା କଲେ ଏ କଥା ଉପରେ କିଛି ହେଲେ ଆଲୁଅ ପଡ଼ିବ । ଲାଭ ବି ଅଛି, କାହିଁକି ନା ଆମ ଓଡ଼ିଶାରେ କେତେ ବାବାଜୀ, କେତେ ଯୋଗୀ, କେତେ କେଳା ପତରଚକି ପରି ବୁଲୁଛନ୍ତି । ସେମାନଙ୍କ ଭିତରୁ ଯଦି ସାହିତ୍ୟର କିଛି ରସ ସଂଗ୍ରହ ହୋଇପାରେ, ଦେଖାଯାଉ ।

 

ଚେହେରାଟି କମ୍‌ ନୁହେଁ, ଦେଖିଲେ ଆଖି ଲାଖି ରହିବ । ଖାଲି ଚେହେରା ଲାଗି ଡେଙ୍ଗା ସାହିତ୍ୟରେ ଗାଦି ମାଡ଼ିପାରେ । ଏଡ଼େ ମୁହଁ; ନିଶ, ଦାଢ଼ି, ଜଟା ! ବେଶଭୂଷା ତ ଚମତ୍କାର, ତା ଉପରେ ଆଖି ଦିଟାରେ ଯେଉଁ ଚାହାଣୀ ! କେତେ ଗହୀର ସେ । ସଞ୍ଜବେଳେ ଦାଢ଼ି ନଈବାଲି ଉପରେ ପିଲାଛୁଆ ଯେତେବେଳେ ଟାଣିବାକୁ କୁଦା ମାରୁଥାନ୍ତି, ସେତେବେଳେ ସେ ଚାହାଣୀ ଯାହା, ଆଉବେଳେ ତ ତା ନୁହେଁ ! ସେ ଆଖି ଦି’ଟି ବେଳେବେଳେ ଛଳଛଳ ହୁଏ, ଯେପରି ସଂସାର ଯାକର ବୋଝ ଏକା ତାରି ମୁଣ୍ଡରେ । ଆଉ ଥରେ ଥରେ ଡେଙ୍ଗା ମୁହଁକୁ ଚାହିଁଲେ ସଂସାରଯାକ ତୁଚ୍ଛ ଲାଗେ । ଗୋଟାଏ କେମିତି ଶୁଖିଲା ଚାହାଣୀ, ସତେ କି ସବୁ ଯାଇଛି ପୋଡ଼ି ଜଳି ।

 

ସେ ଅଜଣା ଅଚିହ୍ନା, ହାତମୁଠାରେ ଥିଲେ ବି ଛୁଇଁ ହେଉନାହିଁ । ସମସ୍ତଙ୍କ ସାଙ୍ଗରେ ମିଳାମିଶା ଥିଲେ ବି ବେଳେବେଳେ ତା ଗୋଲ୍‌ମାଲିଆ ଢଙ୍ଗରୁ କିଛି ବୁଝାପଡ଼େ ନାହିଁ । ଏଇ ଅଜଣା ଅଂଶଟି ସାହିତ୍ୟ ପାଇଁ ବେଶୀ ମୂଲ୍ୟବାନ । କାହିଁକି ନା କଳ୍ପନା ଲଗାମଛଡ଼ା ଘୋଡ଼ା ପରି ଧାଏଁ । କିଏ ଏ ? ଗୋବିନ୍ଦ ଅବଧାନେ ଜ୍ୟୋତିଷ, କେତେ କ’ଣ ଚିହ୍ନରୁ ଧରିଥିଲେ, ରାଜବଂଶ । ଏଡ଼େ ଉଦାର, ଉନ୍ନତ ମନ, କିଏ ଜାଣେ କେଉଁ ପୁରୁଣା ରାଜବଂଶର ଉତ୍ତରାଧିକାରୀ ? ଚୋର ଡକେଇତ ବି ହୋଇପାରେ, ଗୁପ୍ତମାରୁ । କିଏ କହେ ବାବାଜୀ, କିଏ କହେ ତାନ୍ତ୍ରିକ, କାପାଳିକ, କିଏ କହେ କଣ...କଥାବସ୍ତୁ (Plot) ଲାଗି ଭାରି ଚମତ୍କାର । କେହି ବି କହେ ଭାରି ପଢ଼ାଶୁଣା, କେତେ ଦେଶ ବିଦେଶ ବୁଲିଛି; ଖାଲି ମନରେ କ’ଣ ଦୁଃଖ ହେବାରୁ ବାବାଜୀ ହୋଇଛି । ବାରବୁଲାର ଭିତର କଥା ସାହିତ୍ୟ ହିସାବରେ ବେଶୀ ଦାମିକା । ତା’ର ସୁଖଦୁଃଖ, ତା’ର ଭଲମନ୍ଦ, ଅତୀତ ଭବିଷ୍ୟତ ସବୁ ଯେପରି ମଣିଷ ମନରେ ବେଶୀ ସହାନୁଭୂତି ଆଣେ, କାହିଁକି ନା-

 

(୧)

ତାର ଭିତିରି କଥା କେହି ଜାଣନ୍ତି ନାହିଁ ; ଅନ୍ଧାର ଭିତରେ ଆଲୁଅ ଦେଖି ଚମକ ଲାଗିଥାଏ ।

 

 

(୨)

ସେ ବର୍ତ୍ତମାନ ଏଡ଼େ ନିଃସ୍ୱ ଯେ, ଏପରି ଅବସ୍ଥା ତୁଳନାରେ ତା’ର ସବୁ ଥିଲା-ଅତୀତ ମନରେ ସାଧାରଣତଃ ଦୟା ଓ ସହାନୁଭୂତି ଆଣେ ।

 

 

(୩)

ସେ ଏଡ଼େ ଛୋଟ, ଏଡେ ସାଧାରଣ ଯେ, ତା ନିଜ କଥା ଲାଗି ଆଗରୁ ଦେହଘଷା ହୋଇ କିଛି ପରିମାଣରେ ସେ ସହାନୁଭୂତି reserve କରି ରଖିଛି । ତା ପରେ ନୂଆଯୁଗର ଚଳନ୍ତି ଧାରା ଅନୁସାରେ ସାଧାରଣ ଦେହଘଷା ଗୋଡ଼ଦଳା ପ୍ରାଣୀଙ୍କ ଭିତରେ ଉଚ୍ଚକଳାର ଉଚ୍ଚ ଉପାଦାନ ଯେତେବେଳେ ଖୋଜି ବୁଲୁ ଥାଇଁ, ବାରାବୁଲାର ସାଧାରଣ ଅଥଚ ଅନ୍ଧାରି ଅତୀତ ଲାଗି ଆମର ଉତ୍‌ପ୍ରେକ୍ଷା ରହିବାର କଥା ।

 

କଣ ନଥିଲା ତା’ର ? ସବୁ ଥିଲା । ତା ପରେ ଭାଗ୍ୟ ବିପର୍ଯ୍ୟୟରେ ସବୁ ଝାଉଁଳି ପଡ଼ିଲା । ପୁରୁଣା ଫୁଲର ସ୍ମୃତିପରି କଢ଼ିଟି ଯେତେବେଳେ ମଉଳି ଖସି ପଡ଼ିଲା, ସେଇଦିନୁ ସେ ଉଦାସୀ । ‘ଛନ୍‌ଛାନ୍‌ଡ଼ୁଂରୀ’ ତଳର ମଶାଣି ଭୂଇଁରେ ସବୁ ଯେତେବେଳେ ପାଉଁଶ ହେଲା, ଆଉ ରହିଲା କ’ଣ ? ବଣ ଜଙ୍ଗଲ ଭିତରେ କେତେଦିନ କଟିଲା, ଆଖି ଲୁହରେ ବସୁଧା ତିନ୍ତିଲା । ସବୁ ହେଲା; ମନ ମାନିଲା ନାହିଁ । ନିର୍ଜନରେ ଭୂତପ୍ରେତ ପରି ଅତୀତର ସ୍ମୃତିଗୁଡ଼ାକ ଖାଇ ଗୋଡ଼ାଇଲା-। ଶାନ୍ତି ନାହିଁ । ଶେଷରେ ପୁଣି ମଣିଷସୁଅ ଭିତରେ ନିଜକୁ ମିଶାଇ ଦେବାକୁ ପଡ଼ିଲା-। ଦିନବେଳେ କେତେ କାମ, ରାତିରେ ବି କାମ ପଡ଼େ, କାହାରି ବିପଦ ପଡ଼ିଲେ ।

 

ତଥାପି ସବୁ ଯେତେବେଳେ ଶୂନ୍‌ଶାନ, ସେତିକିବେଳେ ଭୂତପ୍ରେତ ଆସି ଉଭା ହୁଅନ୍ତି-ସେଇ ଅତୀତର ସୁନେଲି ଦିନଗୁଡ଼ାକ ! ରାତିଅଧ !

 

ହେଇ ! ଇନ୍ଦିରା ! ଦିଲ୍‌ବାହିଲପୁର ଜଙ୍ଗଲ ମଝିରେ, ଭଙ୍ଗା କୋଠା ପାଖରେ, ନାଲି କବଟାର ଅଣ୍ଟିଟି ପୂରିଛି କୁରେଇ ଫୁଲରେ । ଏପାଖ ସେପାଖ କେତେ ଲୁଚୁକାଳି ଖେଳ ! ମୁହଁରୁ ହସଟି ଲିଭି ନାହିଁ, ବୋହୂମୁହଁ ଦେଖା ସୁନେଲି ଆଲୁଅରେ ଗାଲ ଉପରେ ଗୋଲାପି ଦାଗ ସେମିତି ଝଟକୁଛି । ସେଦିନ ତ ତା ସମ୍ଭବିଥିଲା । ଆଉ ଆଜି ? ହାତ ଦିଟା ଧରିବାକୁ ଯାଇ ଭାଲୁଆ ଛାତି ଉପରେ ଆପେ କଚାଡ଼ିପଡ଼େ । ମଶାଣି ଭୂଇଁରେ ବରଗଛ ଉପରେ ପେଚା ଚେଁ ଚାଁ କରେ । ଡେଙ୍ଗାର କଲିଜା ଭିତରର ଏ ଭୂତଗୁଡ଼ାକ ଜୀଅନ୍ତା; ମଶାଣି ଭୁଇଁର ପ୍ରେତଗୁଡ଼ାକ ମଲା ଭୂତ । ଡମା ହାଡ଼ି ତ ତା ବୁଝେ ନାହିଁ । ଛୁଆ କାନ୍ଦିଲେ ଡମା ଭାରିଯା କହେ, ‘‘ଶୋଇପଡ଼, ଡେଙ୍ଗା ବାବାଜୀ ଧରି ନବ !’’ ଏଇ ଅତୀତର ସ୍ମୃତି ଡେଙ୍ଗାର କବିତା । ଏ କବିତା ଛପି ଛପି ଥାଏ, ସାହିତ୍ୟରେ ହଠାତ୍‌ ବାହାରି ପଡ଼େ ନାହିଁ, ବେଳକାଳ ଉଣ୍ଡି ଧୀରେ ଧୀରେ ବାହାରେ, ଅଳ୍ପ ଅଳ୍ପ ଆଭାସଦ୍ୱାରା । ବାରବୁଲାର ସବୁ କଥା ତ କେହି ଜାଣେ ନାହିଁ, ସାମାନ୍ୟ କିଛି ବାହାରିଲେ ତା ଉପରେ କଳ୍ପନା ମାଡ଼ି ଚାଲିଯାଏ । ଫଳରେ ସ୍ଥଳବିଶେଷରେ ଇଙ୍ଗିତ ଉପରେ ଭରା ଦେଇ କଳ୍ପନା ତିଆରି କରେ ଭାବ ଓ ରସର ସୁନେଲି କୁହୁଡ଼ି । ତହିଁରେ ବନ୍ଧ ନାହିଁ, ସବୁ କଥା ବର୍ଣ୍ଣନା କରି ସାରିଲେ ସୁଦ୍ଧା କିଛି ଗୋଟାଏ ସିଦ୍ଧାନ୍ତ ହୁଏ ନାହିଁ । ପଛେ ପଛେ ଗୋଡ଼ାଇବାକୁ ଖୁବ୍‌ ଲମ୍ବାଚୌଡ଼ା ରାସ୍ତା । ତା’ର ଅତୀତର ଭାବମୟ (feeling) ଜୀବନ ଉପରୁ ପର୍ଦ୍ଦା ଟିକିଏ ଫାଙ୍କ ହୁଏ । ଭିତରକୁ ଚାହିଁ ଭାବୁ ଭାବୁ କିଛି ବାଟ କଟିଯାଏ, ପୁଣି ଆହୁରି ଟିକିଏ ଆଭାସ ! ଡେଙ୍ଗା ଆଉ ବାସ୍ତବ ରାଇଜରେ ନ ଥାଏ । ଶିଳ୍ପୀ ଯେତେବେଳେ ଡେଙ୍ଗାକୁ Art ର type କରିବାକୁ ଯାଏ, ଆମେ ଡେଙ୍ଗାକୁ ବୁଝିବାକୁ ଚାହୁଁ ନାହିଁ । ଆମେ ଧରୁ, ତା’ର ଭାବ-ଜୀବନକୁ । ଆମେ କିଛି ବି ନିର୍ଦ୍ଦିଷ୍ଟ କରି ଧରିବାକୁ ଯାଉ ନାହିଁ । ଆମରି ନିଜର ମନୋଭାବ ଆଉ କଳ୍ପନା ଉପରେ ଭାସି ଭାସି ଆମେ ଗୋଟାଏ ଅନୁଭୂତି (Consciousness) ରେ ବୁଡ଼ି ରହୁଁ । ତେଣୁ ଡେଙ୍ଗା ହୁଏ ବିଜୁଳି ନଳର(Switch) ବୋତାମପରି । ଅବଶ୍ୟ ସବୁ ଚିନ୍ତାର ମୂଳ ହୁଏ ଏଇ ବାରବୁଲା । ଆଉ ସାଧାରଣ ଅନୁଭୂତି ଉପରେ ତାରି ଛାଇ ପଡ଼େ । ତଥାପି ଚିନ୍ତାଧାରାର ବିଷୟବସ୍ତୁ ହୁଏ କଳାର ଗୋଟିଏ type,–ଏ ବାରବୁଲା, ଘମଣ୍ଡିପୁରର ଡେଙ୍ଗା ବାବାଜୀ ନୁହେଁ ।

 

ଜୀବନର ସାଧାରଣ ବନ୍ଧା ଗତ ଅଛି, ନିୟମ ଅଛି, ଆଚାର ବ୍ୟବହାର ଲାଗି ସମାଜର ଅଲେଖା ଆଇନ୍‌ ଅଛି । ଏ ଆଇନ୍‌ ଲେଖାଆଇନ୍‍ଠାରୁ ବଡ଼ । କାହିଁକି ନା, କେତେ କାଳରୁ ଧର୍ମୁ ଅଜାଙ୍କ ଅମଳରୁ ମଣିଷର ଅଣୁପରମାଣୁ ଭିତରେ ତା’ର ଚେର । ପୁଲିସ, ଅଦାଲତ ଡରଠାରୁ ବେଶୀ ଡର । ଅମାନିଆ ହେଲେ ମଣିଷର ଯାହା ସାଧାରଣ ଦାବି, ତା ବି କେହି ସୁସ୍ଥରେ ଭୋଗ ଦଖଲ କରାଇ ଦେବେ ନାହିଁ । ଏପରି ଆଇନ ଫଳରେ ଶୃଙ୍ଖଳା ହେଉ ବା ଲାଭ ହେଉ, ସୀମା ଦିଆ ବାଡ଼, ବନ୍ଧନ, ନିଷେଧ ବି ଅଛି ! ଏହାଦ୍ୱାରା କୌଣସି ଗୋଟାଏ ନୂଆ କଥା ହଠାତ୍‌ କରି ହୁଏ ନାହିଁ କି କୌଣସି ଗୋଟାଏ ଗୁଣ ଆଇନଗତ ମାତ୍ରା ଡେଇଁ ଉତ୍କର୍ଷ କରିବା ସମ୍ଭବ ହୁଏ ନାହିଁ । ସମାଜରେ ରହିଲେ କେତେ କାଳର ବନ୍ଧା ଗତ ଆଗରେ ମୁଣ୍ଡ ନୁଆଇଁବାକୁ ହୁଏ, ଗୋଷ୍ଠୀର ଶୃଙ୍ଖଳା ଲାଗି । ସାଧାରଣ ଲୋକଙ୍କୁ ନିଜର ଯେଉଁ ପାଖଟି ବଢ଼ିଲେ ପଡ଼ୋଶୀ ଚାଳରେ ଖୁଞ୍ଚା ଲାଗିବ, ସେଇ ପାଖଟି ଭାଙ୍ଗି ଘଷି, ମାଜି Friction ଭୟରେ ପାଲିସ ରଖିବାକୁ ହୁଏ ।

 

ବାରବୁଲାର ଜୀବନ ଏ ବନ୍ଧା ଗତରୁ ବାହାର । ସେ ନିଚ୍ଛନ୍ଦ, ଚାରି ଦଉଡ଼ି କଟା; ସେଥିଲାଗି ସେ ବିଶେଷ ଅନୁସନ୍ଧାନର ବିଷୟ । ବନ୍ଧା ଆଇନବାଲା ସମାଜ ପ୍ରତି ସେ ଯେପରି ଗୋଟାଏ ଲଢ଼େଇ ଡାକ–Challenge !*

 

* ତା’ର ନ୍ୟାୟବିଚାର ଅଲଗା । ଧର୍ମ, ଇଶ୍ୱର, ବ୍ୟବହାର ଇତ୍ୟାଦିରେ ତା’ର ମତ ସବୁ ଅଲଗା । ସେଥିରେ ଜବରଦସ୍ତ ରକ୍ଷଣଶୀଳତା ବେଶୀ ପରିମାଣରେ ନାହିଁ ।

 

ତାଠାରୁ ବେଶୀ ସ୍ୱାଧୀନ କିଏ ? ଅନ୍ନସଂସ୍ଥାନ ଲାଗି ବିଶେଷ ପରିଶ୍ରମ କରିବାକୁ ହୁଏ ନାହିଁ । ଚାରିଆଡ଼େ ଭିକ୍ଷା କରି ବୁଲେ, ତେଣୁ କାହାରି ଏକା ଖାଏ ନାହିଁ । ଭିକ୍ଷା ନ ଦେଲେ ନାହିଁ । ଜୋର କରି ପଦେ କହିବାକୁ କେହି ନାହିଁ । ସଂସାରର ସାଧାରଣ ବଞ୍ଚିରହିବା ସାମଗ୍ରୀ ତା’ର ସବୁଠାରେ ମିଳେ, ଆଉ ତହିଁରେ ବାରଣ ନ ଥିବାରୁ ବିଶେଷ ଅସୁବିଧା ହୁଏ ନାହିଁ । ବନ୍ଧୁବାନ୍ଧବ ଖୋଜିଲେ ତା’ର ଅସଂଖ୍ୟ । ସମସ୍ତେ ତା ବନ୍ଧୁ; କିନ୍ତୁ କୌଣସିଠାରେ ସେ ବନ୍ଧା ନୁହେଁ । ବାରବୁଲା କୁକୁରଗୁଡ଼ାକ ତା’ର ହଠାତ୍‌ ପ୍ରିୟ ହୋଇପଡ଼ନ୍ତି । ଖାଇବାବେଳ ହେଲେ ଟୁଙ୍ଗି ଦୁଆରେ ଅବଶ୍ୟ ସେମାନଙ୍କର ପଙ୍ଗତ ପଡ଼େ । ସଂସାରର ଯେତେ ଛୁଆପିଲା, ସମସ୍ତେ ତା’ର ଅନୁଗତ, କେହି ପାଏ ପିଜୁଳିଟିଏ, କିଏ ବା କିଆପତ୍ରର ପେହେଁକାଳି । ତା ଉତ୍ତାରୁ, ବାବାଜୀ ଏତେ ପଶୁପକ୍ଷୀଙ୍କ ସ୍ୱର ଅନୁକରଣ କରିପାରେ, ଆଉ ଏତେ ନବରଙ୍ଗ, ହଟଚମକ ଜାଣେ ଯେ, ଅତି ଚଞ୍ଚଳ ପିଲାଙ୍କୁ ଅନ୍ୟ କାମରୁ ଟାଣି ଆଣିପାରେ । ପ୍ରତିଦିନ ତା’ର ନିଶଦାଢ଼ି, ପୋଷାକପତ୍ର ଉପରେ ଅତ୍ୟାଚାର ହୁଏ ।

 

ଅଟକି ନ ରହେ ବୋଲି କୌଣସି ଗୋଟାଏ ଦୁଃଖ ତାକୁ ବେଶୀ ବାଧେ ନାହିଁ । ସମସ୍ତଙ୍କ ଦୁଃଖ ତାରି, ଦୁନିଆର ଯାବତୀୟ ବୋଝ ତାରି ମୁଣ୍ଡରେ ! ପୁଣି କୌଣସି ବିଶେଷବନ୍ଧନ ନ ଥିବାରୁ ସବୁଠାରୁ ମୁକ୍ତ, ସୁଖୀ ସେ । କଳା ଆଡ଼ୁ ଦେଖିଲେ ଏପରି ଅନାସକ୍ତ ଲୋକର ଜୀବନ ଯେପରି ମନୋହର, ବାହାରୁ ଦେଖିଲେ ପଥରର ଗୁପ୍ତ ଝରଣା ବି ସେପରି ସୁନ୍ଦର । ଅତୀତର ତ ଯାହା ଗୋପନ ବେଦନା ଅଛି, ତହିଁରେ ପୁଣି ବର୍ତ୍ତମାନ ଜୀବନରେ କ’ଣ କିଛି ନାହିଁ ? ଥାଇପାରେ-। ଯେଉଁ ଲୋକ କୌଣସିଠାରେ ଅଟକେ ନାହିଁ ବୋଲି ଜାଣୁଁ, କେହି କ’ଣ ତା ମନରେ ଗାର ଟାଣି ନାହିଁ ? କେଉଁ ଦୂର ଦେଶର ଦୁଇଟି ଛୋଟ ଛୋଟ କଅଁଳ ହାତ, ପୁଣି ଅନ୍ୟ କେଉଁ ଦେଶର ଦୁଇଟି କଳା କଳା କରୁଣ ଆଖି, ଏତେ ଗହୀର ଯେ କାତ ପାଇବ ନାହିଁ । ହୁଏ ତ ଏଣୁତେଣୁ ଛଳ କରି କୌଣସି ଗୋଟିଏ ଗାଁ ଗୋହିରୀରେ ସେ କୋଡ଼ିଏ କି ପଚିଶ ଥର ଯାଇଥିବ-। ନିଜକୁ ଯେ ସବୁବେଳେ ଦୁନିଆଠୁଁ ବନ୍ଦ ରଖିଛି ତା ବି କିଏ କହିବ ? କିନ୍ତୁ ସାଧାରଣତଃ ଯେଉଁ ଲୋକ ଦୁନିଆକୁ ଦିଶେ ନିର୍ମାୟା ପଥର ବୋଲି, ଯେଉଁ ଥରେ ଦିଥର ସେ ଧରାପଡ଼େ Art ତାର କାରଣସତ୍ତା ଅତୀତର ସ୍ମୃତି, ବର୍ତ୍ତମାନର ଭିତର ଓ ବାହାରର କ୍ରିୟାଶୀଳ କାରଣମୟ ଶକ୍ତି ଓ ସବାଉପରେ ତା’ର ଅନ୍ତରର ଭାବ- ଏସବୁକୁ ଏକାଠି କରି ସୁନେଲି ଶିଳ୍ପ ଗଢ଼େ ।

 

ପତରଚକି ପରି ଘୂରି ବୁଲୁଛି, କେତେଆଡ଼େ କିଏ ଜାଣେ ? କେତେ ଲୋକର ଧରଣ, କେତେ ଦେଶର ସଭ୍ୟତା ସବୁ ସେ ଆଖିରେ ଦେଖିଛି । ଯୁଗ ବଦଳି ଘଟନାର ଗୋଳିଆଘଣ୍ଟା ସବୁ ବର୍ଣ୍ଣନା କରିବାକୁ ହେଲେ ଗୋଟିଏ (Punctum indifference)ର ମାପକାଠି ବା କଷଟି ଦରକାର । ବାରବୁଲା ଡେଙ୍ଗା ଛଡ଼ା ଏ କାମ ଆଉ କିଏ କରିବ ? ସାରୁ ଆଳୁ ପରି ମିଶିପାରେ, କଙ୍କଡ଼ା ପରି ଖସି ଆସିପାରେ । ସବୁକଥା ବୁଲି ଦେଖୁଛି, ସବୁଥିରେ ସ୍ୱାର୍ଥ ଅଛି, କୌଣସିଥିରେ ନ ହେଲେ ନ ହେବ–ଏପରି କଥା ନାହିଁ । ଖାଲି ଏପରି ଭାବରେ ଦିନ ବଞ୍ଚିତ ସେ ଗୋଟାଏ କବି ହୋଇ ସାରିଛି । ନୂଆ ତିଆରି ହେଉଛି, ପୁରୁଣା ଭଙ୍ଗା ଗଦା ଉପରେ ଦୂରରେ ଥାଇ ସବୁ ସେ ଦେଖୁଛି । କେତେ ଆଶା, ସ୍ୱାର୍ଥ, ଜୀବନଛଡ଼ା ରକ୍ତ ପାଣିକଲା ପରିଶ୍ରମ । ପାହାନ୍ତି ଆଲୁଅ ଅନ୍ଧାର ଭିତରେ ଛପି ଛପି ପଶିଲା ପରି ଯୁଗ ବଦଳିର ନୂଆ ଭାବ ଛପି ଛପି ମାଡ଼ିଯାଉଛି । ତା’ର ଗତି, ତା’ର କ୍ରମ କିଏ ବୁଝିବ ? ଖଣ୍ଡିଆଭୂତ ଯେଉଁ ପତରଧୂଳି ଉଡ଼ାଇ ଚାଲିଯାଏ, ତା’ର ଯିବାର ବାଟ କିଏ ନିରେଖେ ? ଯେ ସେଥିଭିତରେ ନାହିଁ, ସେ ଅଳସୁଆ ହେଉ, ଅକର୍ମା ହେଉ, ଅନ୍ୟମାନେ ଝାଳନାଳ ହେଲାବେଳେ ଛାଇତଳ ଗଛକୁ ଆଉଜି ବସି ଅଧାବୁଜା ଆଖିରେ ସବୁ ଦେଖି ତାଳିମାରି ବାହାବା ଦେଇପାରେ ଏକା ସେହି ।

 

ଢୁ ଢୁ ବରଷା, ଅନ୍ଧାର, ବିଜୁଳି, ଘଡ଼ଘଡ଼ି । ଡମା ହାଡ଼ି ଚାଳରୁ ପାଣି ଗଳୁଛି, ସମସ୍ତେ ଅନିଦ୍ରା ! ଏ ଝଡ଼ରାତିରେ ଦଣ୍ଡାବାଟରେ ଫୁଙ୍ଗା ପିଠିରେ ଡେଙ୍ଗା ନାମ ପଡ଼ିଛି । ଭାରି ସଉକି ସେ । ଅଳସୁଆ ହେଉ ପଛେ ତା’ର ବେଳ ଅଛି ଠିଆ ହୋଇ ନିରେଖି ଚାହିଁବାକୁ (To stand and stare) ? ଡାଆଣିଆ ଖରା ଯେତେବେଳେ ଆଖପାଖ ଘାସଭୁଇଁ ଆଉ ଧାନକିଆରୀରେ ଚକ୍‌ମକ୍‌ କରେ, ସେତେବେଳେ ଖେଳପଡ଼ିଆରେ ପିଲାଙ୍କ ଖେଳ ବସି କିଏ ଦେଖେ ? ସେଇ ଡେଙ୍ଗା । ବୁଢ଼ୀ ଗୋଟିଏ ଟିକିବୋହୂ ପରି ଦିଶୁଛି, ଝାମ୍ପୁରୀ ପହିଲମାନପରି ଅଣ୍ଟା ଭିଡ଼ିଛି, ଇନ୍ଦୁ ସଜ, ବେଙ୍ଗ ହେଲେ ରଜା ମନ୍ତ୍ରୀ, ମୂଷା ଚାରୁ ଘୋଡ଼ା ହେବାକୁ ପ୍ରାର୍ଥୀ । ଟିକି ପିଲାଙ୍କ ନିରର୍ଥକ କଥାସୁଅ ଭିତରେ ସେ କେଉଁ ଗୁପ୍ତ ଅର୍ଥର ସନ୍ଧାନ କରେ । ଆମରି ଏ Artist ଦେଶରେ ଖୁଦୁକୁଣି କି ପୂଜାପାର୍ବଣକୁ ଯେତେବେଳେ ଦେଶର ଏମୁଣ୍ଡ ସେମୁଣ୍ଡ ହୁଳୁହୁଳିରେ ଉଠେ ପଡ଼େ, ଚାରିଆଡ଼େ କଳାର ସନ୍ଧାନ ନେଇ ବୁଲେ କିଏ ? ସେଇ ଡେଙ୍ଗା । ତା’ର Ideal ଚାରିଆଡ଼େ ତାକୁ ଦେଖାଯାଏ । କେତେବେଳେ ଜହ୍ନ ରାତିରେ, ସୋରିଷ କିଆରି ଉପରେ ସେ ଭାସିଯାଏ ।

 

ଝିଙ୍କାରୀ ଗାଏ ତା’ର ଆଗମନୀ । କୋଚିଳା, ପୁନାଙ୍ଗ ଫୁଲର ମନମତାଣିଆ ସୌରଭ ତା’ର ଅର୍ଘ୍ୟ, ପାହାନ୍ତି ପହରର ଚଢ଼େଇଙ୍କ ମନଫୁଲାଣିଆ କାକଳି ତା’ର ସଙ୍ଗୀତ । କେଉଁ ଅଜଣା ଛନ୍ଦ (Mystic Rhythm) ସେ ଖୋଜିବୁଲେ ବାରବୁଲା ପତରଚକିଟା । ମଶାଣି ଉପରେ ମୁଣ୍ଡମାଳ ଭିତରେ ପବନ ଯେତେବେଳେ ସଁସଁ କରି ଚାଲିଯାଏ, ଡେଙ୍ଗା ଶୁଣି ଶୁଣି କ’ଣ ପାଏ ? କିଏ କହିବ ତା ? ଆମର ବନ୍ଧାଗତରୁ ବାହାର ବୋଲି, ସବୁ ଅକଥା, ସବୁ ଅକାମ, ସବୁ ସୃଷ୍ଟିଛଡ଼ା ଜୀବନଧାରା ତାରିଠାରେ ବୋଲି ତା କଥା ଲାଗେ କେମିତି କେମିଡ଼ି କୁହୁକ ପରି । ସେ Mystic କବି, ଆଚମ୍ବିତକାରୀ ଗୁଣର ଗୋଟିଏ ବିଶିଷ୍ଟ ଅବତାର । ଶହ ଶହ ବର୍ଷ ବିତିଯିବ, ଡେଙ୍ଗାର ସମାଧି ଉପରେ ଉଇ ହୁଙ୍କା ଫୁଟିବ, କେହି ଜାଣିବେ ନାହିଁ, କେହି ପଚାରିବେ ନାହିଁ, ଦିନେ ସେ ଥିଲା ।

 

ତେବେ ଡେଙ୍ଗା କି କେବେ ମରିପାରେ ? ତା’ର ମଲାବେଳେ ଦେଶ ହୁଲୁସ୍ଥୁଲ୍‌ କମ୍ପିବ ନାହିଁ ଯେମିତି, ସେ ନ୍ୟାୟତଃ ମରିବ ନାହିଁ ସେମିତି । ଏ ଆଲୁଅ, ଏ ଅନ୍ଧାର, ଏ ପବନର ଗୋଟାଏ ଅଙ୍ଗ ସେ ହୋଇଗଲାଣି । ଜହ୍ନରାତିରେ ଛାପିଛାପିକା ଆଲୁଅରେ ସେ ଆସିବ, ସକାଳର କାକରମିଶା ଗଙ୍ଗଶିଉଳୀ ଫୁଲରେ ତା’ର ଅତୀତର ଜମାଟ ବନ୍ଧା ଲୁହ ଝରିବ । ସଜ ବେଙ୍ଗ, ବୁଢ଼ୀ ଝାମ୍ପୁରୀ, କବଡ଼ି ଖେଳିଲା ବେଳେ ସୁଲୁସୁଲିଆ ବାଆରେ ତାଙ୍କୁ ଛୁଇଁ ଦେଇ ହସି ହସି ମେଞ୍ଚାଏ ରଙ୍ଗିଣୀ ଆଲୁଅ ତାଙ୍କ ଉପରେ ବିଞ୍ଚିଦେଇ ସେ ଚାଲିଯିବ, ମଶାଣି ବରଗଛ ଭିତରେ ନ ହେଲେ ଅନ୍ଧାରିଆ ବାଉଁଶବୁଦା ଭିତରେ ସେଇ ପୁରୁଣା Ideal ଖୋଜିବାକୁ । ରାତିଅଧରେ ବଣତୋଟା ଭିତରେ ଯେତେବେଳେ ଶବ୍ଦ ହେବ-କେଁ କେଁ, କଟ୍‌ କଟ୍‌, ମଟ୍‌ ମଟ୍‌, ମିନି, ଧୂନି ଚିର୍‌ଚିରେଇ ଉଠିଲେ ଦେହରେ ଧଳାଦାଢ଼ି ଆଉଁଷି ବୁଢ଼ାକବି କହିବେ– ‘‘ଛି ଛି-ଶୋଇପଡ଼- ସେ ପରା ଆମ ଡେଙ୍ଗା ।’’

Image

 

ତାଧିନ୍‌ଧିନ୍ଦା

 

‘‘ତାଧିନ୍‌ ଧିନ୍ଦାକୁ ତାଧିନ୍‌ ଧିନ୍ଦା

କଦମ ଦାଣ୍ଡରୁ କଚିରି ପିଣ୍ଡା’’

 

–କୁଞ୍ଜ

 

X X X

 

ଧାତ୍, ଏ ଗୁଡ଼ା ପୁଣି ପାଠ ?

 

ପଟ୍ଟନାଏକେ ଚଷମାଟି ଖୋଲି ଥୋଇଦେଲେ । ଗାମୁଛାଟି ଭଲକରି ସଜାଡ଼ି ଦେଇ କଦମଦାଣ୍ଡ ମଣ୍ଡପ ଉପରୁ ଉଠି ପଡ଼ିଲେ । କଟକରୁ ନୂଆବହି ଆସିଥିଲା, ମହାପାତ୍ରେ ପଚାରିଲେ- ‘କେମିତି ?’ ପଟ୍ଟନାଏକେ ମୁହଁ ମୋଡ଼ି ଦେଇ କହିଲେ, ‘ଏ ଆଜିକାଲିକା ଅକାଳପାଉଁଶଙ୍କ ଲେଖା, ଟିକିଏ ବୋଲି ସାର ନାହିଁ !’ ସବୁ ମନ୍ତବ୍ୟ ଏତିକିରେ ଶେଷ ? ତାପରେ ଧୂଳିଆ ଘର ପିଣ୍ଡା ଆଡ଼କୁ ଯାଉଁ ଯାଉଁ ଯାହା ବା ମନକୁ ମନକୁ ଭୁଟୁରୁ ଭୁଟୁରୁ ହେଲେ, ସେ ଖାଲି ଦେଶର ଅଧଃପାତ ବିଷୟରେ ଆଶଙ୍କା, ଆଉ ଅନୁଶୋଚନା, ଅତୀତ ଭବିଷ୍ୟତର ତୁଳନା ଆଉ ଲେଖକଙ୍କ ଉପରେ ଭର୍ତ୍ସନା । ସାହିତ୍ୟ ହିସାବରେ ତା’ର ମୂଲ୍ୟ ନାହିଁ ।

 

ଭଲ, ଖରାପ ଗୋଟାଏ କିଛି କହିଦେଲେ କାମ ସରିଲା, ଏତେ ପଚାରେ କିଏ ? କୋଉ କାଳର ପଟ୍ଟନାଏକ ବୁଢ଼ାଙ୍କଠୁଁ ଆଜିକାଲିକା ସାଧାରଣ ପାଠୁଆଙ୍କ ପର୍ଯ୍ୟନ୍ତ ଖାଲି ସେଇ ଦିଓଟି କଥା-ଭଲ ନ ହେଲେ ଖରାପ । ସଫା କଥା, ଓଡ଼ିଶାର ସମାଲୋଚନା ଖାଲି ଏଇଆ । କେତେ କବି ଗାଇଗଲେ, ଏ ଦେଶ ଗୋଟାକ କବିଦେଶ, ଲୋକଙ୍କ ଢଙ୍ଗଢ଼ାଙ୍ଗ, ଦେଶର ପୂଜାପାର୍ବଣ ଯୋଗୀଭିକାରୀଠୁ ସାମାନ୍ୟ ମାଇପି କାନ୍ଦଣା ପର୍ଯ୍ୟନ୍ତ ଖାଲି କବିତା । ଶିରାଏ ଶିରାଏ ଦିଅଁ-ଦେବତାଠୁଁ ମାଟିକାନ୍ଥର ଚିତାକୁଟା ଯାକେ ଖାଲି art ପୂରି ରହିଛି । କିନ୍ତୁ ଯୁଗ ଯୁଗ ଗଲା ଭଲ ଖରାପ ଦିଓଟି ମୋଟାମୋଟି କଥା ଛାଡ଼ି ସବୁଯାକ ବୁଝି ବିଚାରି ନିଜର ମନର ଭାବ ଟିକି ଟିକି କରି ନିଜେ ବୁଝିବା ଏପର୍ଯ୍ୟନ୍ତ ହେଲା ନାହିଁ । ଗଦ୍ୟ ବହୁତ ଡେରିରେ ବଢ଼ିଲା, ତା ଉପରେ ପୁଣି ଉଞ୍ଚକାଟର ସମାଲୋଚନା ହେଲା ଆହୁରି ଡେରିରେ ।

 

ସଂସ୍କୃତ-ସାହିତ୍ୟର ବଡ଼ପଣ ବିରୁଦ୍ଧରେ କୌଣସି କଥା ଆମ ତରଫରୁ ଉଠି ନ ପାରେ, କିନ୍ତୁ ସେ ହେଲା ବହୁତ ପୁରୁଣା । ସଂସ୍କୃତ ସାହିତ୍ୟରେ ସମାଲୋଚନାର ସ୍ଥାନ ଖୁବ୍‌ ଉଞ୍ଚ, ସେମାନେ ଏତେଦୂର ଉଠିଥିଲେ ଯେ, ଯଥାସମ୍ଭବ ପ୍ରତ୍ୟେକ ରସ, ପ୍ରତ୍ୟେକ type କୁ ଟିକି ଟିକି କରି ନିରେଖି ତା’ର ତତ୍ତ୍ୱ ଲେଖିଯାଉଥିଲେ । ଆରିଷ୍ଟଟ୍‌ଲ କେଉଁ ମାନ୍ଧାତାଙ୍କ ଅମଳର ଲୋକ; କିନ୍ତୁ ସାହିତ୍ୟ ବିଷୟରେ ସେ ଯାହା ସମାଲୋଚନାର ମୂଳଦୁଆ ପକାଇ ଯାଇଛନ୍ତି, ଏ ପର୍ଯ୍ୟନ୍ତ ଠିକ୍‌ ସେଇଆ ଚାଲିଛି–ଖାଲି ନୂଆ ନଜରରେ ତା’ର ଅର୍ଥ ଯାହା ନୂଆ ଭାବରେ ବୁଝାଇ ଦିଆଯାଉଛି । ନୂଆ ବୁଝାଳିଙ୍କ ପକ୍ଷରେ ସବୁ ସମ୍ଭବ, ସେଇ ଗୋଟିଏ କଥା ଅଲଗା ଅଲଗା ଅର୍ଥ ଦେଉଥିବ । ସଂସ୍କୃତରେ ବି ସେପରି ସମାଲୋଚନା ଅଛି । ଆଜିକି ତା’ର ମାନ୍‌ କମି ନାହିଁ; କିନ୍ତୁ ତା ବୋଲି ସେଇ ପୁରୁଣା କଥାକୁ ଯାପୁଟି ଧରି କେତେ ଦିନ ଚଳିବ ? ସେକାଳ ପଖାଳ ଭଲ ଦହିଦିଆ, ଭଲ ପାଗ ହୋଇଥିଲା, ଆଜି ବି ତା’ର ନାଁ ଅଛି; କିନ୍ତୁ ଆଜିକି ସେ ବାସି, ଗନ୍ଧିଆ ଆଉ ତହିଁରେ କାମ ଚଳିବ ନାଇଁ । ଧର୍ମୁ ଅଜାଙ୍କ ହାକୁଟି ସତୀ ଗାଡ଼ିଆରେ ସମାଧି ପାଇଲାଣି । ସେତେବେଳେ ଯେଉଁ ପରିସ୍ଥିତି ଥିଲା, ଯେଉଁ ସାହିତ୍ୟ ଥିଲା, ଚିନ୍ତାର ଯେଉଁ ଧାରା ଥିଲା, ତାରି ଉପରେ ସେତେବେଳର ସମାଲୋଚନା ଗଢ଼ା ହେଲା । ସେମାନଙ୍କ ନଜର ଥିଲା ଖୁବ୍‌ ଟାଣ, ଆଗକୁ ବହୁତ ଦୂର ଦେଖି ଚିନ୍ତା କରୁଥିଲେ, ତେଣୁ ସେମାନଙ୍କ ଗତ ଆଜିକାଲି ଅଳ୍ପ ବହୁତ କିଛି ହେଲେ ଆଦର ପାଉଛି । ତା ବୋଲି ଆଜିକାଲିକା ପରିସ୍ଥିତି, ‘‘ମାନସିକ ବାୟୁମଣ୍ଡଳ’’ (୰ବିଶ୍ୱନାଥ କର) ରେ ଯେଉଁ ସାହିତ୍ୟ ଗଢ଼ା, ପୁରୁଣା ମୁରୁଚା-ଖିଆ ମାପକାଠିରେ ତାକୁ ମାପି ବସିଲେ ଖାପିବ କୁଆଡ଼ୁ । ପଦ୍ମିନୀ କନ୍ୟାଙ୍କର କେତେ ଅୟେବ, ନିଶ୍ୱାସରୁ ପଦ୍ମଗନ୍ଧ ପାଇ ମହୁମାଛି ବେଢ଼ନ୍ତି । ଆଜିକାଲିକା ହେଜଲିନ୍‌, ପୋମୋଡ଼ମଖା କନ୍ୟାଙ୍କ ଭିତରେ ସେମାନଙ୍କୁ ଖୋଜି ବୁଲିଲେ ମିଳିବେ କାହୁଁ । କେହି କହି ପାରନ୍ତି କାଳ ଅନୁସାରେ ସବୁ Hybrid ହୋଇଯାଉଛନ୍ତି । ତେବେ ସେ ନିଜେ ନିଜେ ସ୍ୱୀକାର କଲେ ଯେ, ଆଗକାଳର ମାପକାଠି ସରିଲାଣି । ସେ କାଳର ନାୟକ ନାୟିକା ଭିନ୍ନ ଭିନ୍ନ typeର । ଆଜିକାଲି ତାଠୁ ବଳି type ହେଲେଣି, ସେମାନେ ଯିବେ କେଉଁଆଡ଼େ । ତାପରେ ସବୁଠୁଁ ଗୋଳମାଳ ହେଉଛି ସଂସ୍କୃତ ସାହିତ୍ୟର ସମାଲୋଚନା ବିଷୟର ବିଶେଷ ଶବ୍ଦ । ସେଗୁଡ଼ିକ ଗୋଟିଏ ଗୋଟିଏ formula, ତାକୁ ବ୍ୟବହାର କଲେ ଏତକ ସାଧାରଣ ଲୋକେ ବୁଝି ପାରିବେ ନାହିଁ, ତା ଉପରେ ପୁଣି ସେଇ ବିଶେଷ ବନ୍ଧା-ଗତକୁ ସ୍ୱୀକାର କରି ଯହିଁରେ ତା’ର କାଟ ନାହିଁ, ତହିଁରେ ତାକୁ ବ୍ୟବହାର କରିବାକୁ ହେବ । ତା ଉପରେ ସଂସ୍କୃତମିଶା ଭାଷା ତ ନିଆରା, ସେ ସନ୍ଧିସମାସର ନିଘଞ୍ଚ ଜଙ୍ଗଲ ଭିତରେ ସାଧାରଣଙ୍କ ମୁଣ୍ଡ ଗଳିବ ନାହିଁ । ଏଠି ଅନେକେ କହି ପାରନ୍ତି, ଓଡ଼ିଆ ଭାଷାରେ ଏପାଖ ସେପାଖ କରି ଗୋଟି ଗୋଟି କରି ବୁଝାଇ ଲେଖିଲେ ଯାହା ପାଞ୍ଚ ପୃଷ୍ଠା ହେବ, ସଂସ୍କୃତରେ ଦଶ ଧାଡ଼ିରେ ସେ କାମ ଫତେ । ସେ କଥା ସତ, ତା ହେଲେ ତ ରୀତିମତ ଅନୁସ୍ୱାର ବିସର୍ଗ ଦେଇ ସନ୍ଧି-ସମାସ ଅନୁସାରେ ସଂସ୍କୃତ ଲେଖିଲେ ଚଳିବ, ଓଡ଼ିଆରେ ଆଉ ସମାଲୋଚନା ଲେଖି ଫଳ କ’ଣ ?

 

ତଳସାହୀ କଣା ଗୋଲଖା, ଗାଁ ଚୌକିଆ ସପନି ମଳିକ, ଏମାନଙ୍କ ଭିତରେ ସାହିତ୍ୟ ପ୍ରତି ଯେଉଁ ଆଦର ଦେଖାଯାଏ, ହୁଏ ତ ବଡ଼ ବଡ଼ ପାଠୁଆଙ୍କର ସେପରି ସ୍ପୃହା ନାହିଁ । ସାଧା କଥାରେ ଆମ ଓଡ଼ିଶାର ସାଧାରଣ ପରିସ୍ଥିତି ଅନୁସାରେ ସେମାନେ ନିଜ ନିଜ ମନ୍ତବ୍ୟ ଗାଉଁଲୀ କଥାରେ କହି ପାରିବେ । ‘‘କେଶବ ମଥୁରାକୁ ଗଲା ବୋଲି ମାୟେ କେତେ କାନ୍ଦିଲେ; ଗୋଟି ଗୋଟି କରି ବାଳଲୀଳା ତାଙ୍କ ମନକୁ ଘାଣ୍ଟି ଚକଟି ପକାଇଲା, ରାମ ବନବାସ ବେଳେ ଆଖିରୁ ଏତେ ଲୁହ ବୁହେ ନାହିଁ; ସୁରିଆ ଗଉଡ଼ କଲିକତା ଗଲାବେଳେ ତା ମା ସେମିତି କାନ୍ଦି କାନ୍ଦି ପିଲାବେଳେ କେମିତି ପେଜପାଣି ଖୋଇ ତାକୁ ବଢ଼ାଇଥିଲା, ସବୁକଥା ଚଉକିଆ ବୋଲି ମତେ ନେହୁରି ହୋଇ କହିଲା ।’’ ଏହିପରି କିନ୍ତୁ ସଂସ୍କୃତିଆ ପଣ୍ଡିତିଆ ଭାଷାରେ କରୁଣ ରସର ଅୟେବ ଅନୁଯାୟୀ ବଖାଣି ବସିଲେ ସେ ହୁଏତ ଢୁଳେଇ ଢୁଳେଇ ଚମକି ପଡ଼ି କହିବ, ‘‘ବାବୁ ଆଜ୍ଞା, କି ରସ କହିଲେ ? ସେ କ’ଣ ଓଷଦ ହୁଏ ? ଏ ସବୁ କାରଣ ଘେନି ମଇଁଷି ପଲରେ ନାଲି ଛତା ପରି ସଂସ୍କୃତିଆ ସମାଲୋଚନାର ଆମ ସାଧାରଣ ଲୋକଙ୍କ ଭିତରେ ଆଦର । ସାଧାରଣଙ୍କ ବୁଝିବା କଥା ଛାଡ଼ିଦେଲେ ଏ କାଳକୁ ସେପରି ସମାଲୋଚନାର ଉପଯୋଗିତା ବିଷୟରେ ପ୍ରଶ୍ନ ଉଠିପାରେ-। ସାଧାରଣ ଯାହା ଘଟୁଛି, ତା ଉପରେ ଆମରି ଯୁଗର ମତାମତ ଛାଡ଼ି କାହାରି ବନ୍ଧା ଆଇନକୁ ମାନିବାକୁ କାହିଁକି ବାଧ୍ୟ ହେବୁଁ ? ଏ ତ ସାହିତ୍ୟ, ଏଥିରେ ଏତେ କଡ଼ା ଆଇନ୍‌କାନୁନ୍‌ କାହିଁକି ?

 

ଜଣେ ଜଣକୁ ମନ ସମର୍ପିଲେ ସେଠି ଗୋଟିଏ କୋଇଲି ବୋବାଇବ କାହିଁକି ? ବିରହ ହେଲେ କାମ କାର୍ଯ୍ୟ ଛାଡ଼ି କଲେଜ, ଅଫିସରୁ ଛୁଟି ନେଇ ଘନ ଘନ ଦୀର୍ଘଶ୍ୱାସ ପକାଇ ବାରବୁଲା କୁତୀ ପରି ବୁଲିବ କାହିଁକି ? ମୂଳରେ ରସ ଠିକ୍‌ ରହିଛି, ମନ ଭିତରେ ଭାବ ଯାହା ତା ରହିବ; କିନ୍ତୁ ସେ ତ ପୁଣି ବାହାର ଘଟନା ସାଙ୍ଗେ ଘଷି ହୋଇ କ୍ରିୟାପ୍ରକ୍ରିୟା କରିବ ? ତା ଉପରେ ମୂଳ କଥା, ଧର୍ମୁ ଅଜା ସାହିତ୍ୟର କୌଣସି ଅଂଶକୁ ଯେଉଁ ଦିଗରୁ ନିରେଖି ଥିଲେ, ଏବକାଳର ଟୋକାଏ ଯେ ଠିକ୍‌ ସେହି ଦିଗରୁ ନିରେଖିବେ, ଏଥିରେ ଟିକିଏ ବୋଲି କାରଣ ନାହିଁ । ଅନେକେ କହିବେ, ଏ ସ୍ୱେଚ୍ଛାଚାର, ଏ ବିଦ୍ରୋହ ! ସେପରି ଗାଳିରେ ଖୁସି ହେବାର କଥା ! ଏଇ ସ୍ୱେଚ୍ଛାଚାର, ବିଦ୍ରୋହ ସବୁ ଯୁଗରେ ବନ୍ଧନ କାଟି (ବା ଆଖିଠାରି ଥଟ୍ଟାରେ କହିଲେ, ଚାରି ଦଉଡ଼ି କାଟି) ନୂଆ କଥା କରିଛି-। ଆମେ ସେଇ ପୁରୁଣା ବାରବାଟୀ ଉପରେ ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ଭଙ୍ଗା କାନ୍ଥର ମାଟିଗଦା ତଳେ ଚପି ପଡ଼ିଥାଇଁ । ଆଉ ଯେଉଁମାନଙ୍କୁ ଚାରି ଦଉଡ଼ିକଟା କହୁଁ, ସେମାନେ ଦେଖୁ ଦେଖୁ ନୂଆ ନୂଆ କଥା କରି ଯାଉଛନ୍ତି । ସଂସ୍କୃତ ଛାଡ଼ି ଓଡ଼ିଆରେ ଚଳିଥିଲେ, କେଡ଼େ ସୁନ୍ଦର ସାହିତ୍ୟ ଆମର ହୁଅନ୍ତାଣି ! ସାଧାରଣ ଗତରୁ ବାହାରି କୌଣସି ଗୋଟିଏ ବଡ଼ କଥା ଲେଖିବାକୁ ଗଲେ ଆମେ ବାଧ୍ୟ ହୋଇ ଯାଉଁ ସେଇ ସଂସ୍କୃତକୁ ।

 

ଆଦ୍ୟ–‘‘ଗୋରୁ ଗୋଟିଏ ଚତୁଷ୍ପଦ ଜନ୍ତୁ । ତାହାର ଦୁଇଟି ଶିଙ୍ଘ, ଦୁଇଟି କାନ, ଦୁଇଟି ଆଖି....ଓଗେର......’’

 

ମଧ୍ୟ–‘‘ଗୋରୁ ଘାସ ଖାଏ,କୁଣ୍ଡା,ତସୁ,ଓଗେର... ।’’

 

ପ୍ରାନ୍ତ–‘‘ଦୟାମୟ ପରମେଶ୍ୱର, ମଙ୍ଗଳମୟ ବିଧାତା ନିରାକାର ବ୍ରହ୍ମ, ତୁମ୍ଭର ପାଦ ମୂଳରେ ଭୂୟୋଭୂୟ ନମସ୍କାର ! ଭବତଃ....ସୃଷ୍ଟିପ୍ରକ୍ରିୟା ସଂଦର୍ଶନରେ ଆମ୍ଭର ହୃତ୍‌କମ୍ପ ହେଉଅଛି-।’’

 

ବାସ୍ତବିକ ହୃତ୍‍କମ୍ପ ହେବାର କଥା ! ଏପରି ପ୍ରବନ୍ଧ ଯଦି ପାଚିଲା ଦାଢ଼ି, ଧୋକଡ଼ା ଚମ, ପୁରୁଣା ଲୋକଙ୍କ କଲମ ମୁନରୁ ବାହାରେ, ତେବେ ଦେଶର ସାହିତ୍ୟ ଚୂଲୀମୁହଁ ଛାଡ଼ି କେଉଁ-ଆଡ଼କୁ ମୋହିଁବ? ସବୁଥିରେ ଖାଲି ବନ୍ଧାଗତ, ନିଶ୍ୱାସ ମାରିବାକୁ ରାହା ନାହିଁ ! ଉଧାର କରା ଭାବ ଛାଡ଼ି ନିଜ ମୁଣ୍ଡରୁ ଟିକିଏ ବୋଲି ଖରଚ ହେଉ ନାହିଁ । କେବଳ–ଏପରି ଧାରାରେ ପ୍ରବନ୍ଧ ଲେଖିଲେ କ’ଣ ସବୁଠାରୁ ଉତ୍କୃଷ୍ଟ ହେବ ? Art ଛାଡ଼ି ଯଦି ଅଙ୍କଶାସ୍ତ୍ର ପରି ନିରୋଳା ଯୁକ୍ତିତର୍କ, ମୁଖ୍ୟଗୌଣ ସମ୍ପାଦ୍ୟ ବସ୍ତୁ, ସମ୍ପାଦ୍ୟ ପ୍ରକ୍ରିୟା, କରୁଣା ସତ୍ତା, ଫଳଲାଭ, ଏହିପରି ଲାଇନ୍‌ ଧରିବାକୁ ହୁଏ, ତାହେଲେ ଆହୁରି ସୂକ୍ଷ୍ମ ଉପାୟ ଅଛି । ସମାଲୋଚନାର ବାହନ ଯେ ପ୍ରବନ୍ଧ, ତାକୁ ଏପରି କ୍ଳିଷ୍ଟ ନୀରସ କରିଦେଲେ ପ୍ରବନ୍ଧ ତ ଦେଶର ଦଶ ଜଣଙ୍କୁ ରୁଚିବ ନାହିଁ, ସମାଲୋଚନାକୁ ପଚାରେ କିଏ ?

 

କେତେ ଜଣ ଭଲ ଲେଖକଙ୍କୁ ବାଦ୍‌ ଦେଲେ ସାଧାରଣ ରଥୀ ଯେଉଁମାନେ ସମାଲୋଚନା ଲାଗି ଓହ୍ଲାଇଛନ୍ତି, ସେମାନେ ଅଣ୍ଟାଭିଡ଼ି, ଦୋକଚ୍ଛି ଚଢ଼ାଇ ଆଗରୁ ତିଆର ହୋଇଛନ୍ତି । ସମାଲୋଚନା ଅର୍ଥରେ ସେମାନେ ବୁଝନ୍ତି, କଜିଆ ଦଙ୍ଗା ! ଲେଖକଙ୍କୁ ଏଣୁ ତେଣୁ ଦଶପଦ କହି ଗାଳି ଦେଇ ପୋଥିରେ ଡୋର ବାନ୍ଧି ତାଙ୍କର ଘରୋଇ ଛିଦ୍ର ପଦାରେ ଉଖାରିବାରେ ସେମାନଙ୍କର ଆନନ୍ଦ । କେଉଁଦିନ ଗୃହିଣୀଙ୍କ ନାଁରେ କ’ଣ ଅପବାଦ ରଟିଥିଲା, ହାଣ୍ଡିରେ ଚାଉଳ କେତୋଟି ଫୁଟେ ଇତ୍ୟାଦି ସତ ମିଛ କହି ହୁଁ ହୁଁଙ୍କାର କରି ଧୁର୍ମୁଷ ପିଟିବା ସେମାନଙ୍କର ଧର୍ମ । ଏହା ଭିତରେ ଯଦି ଟାଣିଓଟାରି ଜାତିକୁ ଅପମାନ ହେଲା ବୋଲି ପ୍ରମାଣ କରିପାରିଲେ, ତାହାହେଲେ ତ ଘନ ଘନ କରତାଳି । ‘‘ଆମ ଜାତିକୁ ଅପମାନ ହେଲା, ଆମ ପଣଅଜାଏ ଏପରି କରିଥିଲେ (ଦଶପୃଷ୍ଠା ଗଲାଣି) ହେଁ, ବଙ୍ଗାଳି, ଛାରଛିକର ବଙ୍ଗାଳି ଏପରି କହିଲେ, (ଆହୁରି ୩ ପୃ) ଇତ୍ୟାଦି । ତେଣେ ମୂଳ ଉଦ୍ଦେଶ୍ୟ ଓଡ଼ିଆ ଶବ୍ଦମାନଙ୍କର ଭାଷାତତ୍ତ୍ୱ ଆଳୋଚନା ହେଉ ବା ଜୟଦେବଙ୍କ କବିତା ହେଉ, ସେ ରହିଲାଣି ପଛରେ ପଡ଼ି ।

 

ଠିକ୍‌ ଆମ ଗାଁ ପଟ୍ଟନାୟକଙ୍କ ଭୁଟୁରୁଭୁଟୁରୁ ପରି ! ମୋଟ କଥା, କାହିଁକି କ’ଣ ହେଲା, ମଣିଷମନର ସୂକ୍ଷ୍ମ ପ୍ରକ୍ରିୟାର କାରଣ ଆମେ ଅନୁସନ୍ଧାନ କରିବାକୁ ଚାହୁଁ ନାହିଁ । ଭଲ ଲାଗିଲା, ବେଶ୍‌, ବାଃ ବାଃ ସାବାସ୍‌, ସାବାସ୍‌ କରି ତାଳି ମାରି ଛତା ଚାଦର ଉପରକୁ ଫୋପାଡ଼ି ନାଚିଲେ ହେଲା । ଖରାପ ଲାଗିଲା, ବୁଝାମଣା ଛାଡ଼ି ପାଟିକରି ନାଲି ଆଖି ଦେଖାଇ ‘‘ବସ, ବସ’’, ନ ହେଲେ ‘‘ଧୁଏ, ଧୁଏ’’ କଲେ ହେଲା । ଦୁଇଟା କଥା ଭଲ ଲାଗିଲା, କାହିଁକି ଭଲ ଲାଗିଲା, କେଉଁଟା ବେଶୀ ଭଲ, କି କାରଣରୁ ଭଲ–ଏସବୁ କଥା ଆଲୋଚନା ଭଲ ରୂପେ ହେଉନାହିଁ । ସବୁ କଥାରେ ମନକୁ ମନ ଆଖି ଅଧବୁଜା କରି ତକିଆ ଆଉଜି ଅନୁଭବ କଲେ ମଣିଷର ବିଶେଷ ଗୁଣ ଯେଉଁ ବିଚାର ବୁଦ୍ଧି, ତା’ର ଅପବ୍ୟୟ ହୁଏ ।

 

‘‘କାଉ କଳା, କୋଇଲି କଳା, ଆମ ଗାଁ ମାଧିଆ ମା କଳା, ହାଣ୍ଡି କଳା, ବର୍ଷା ହେବା ପୂର୍ବରୁ ମେଘ କଳା, ଅନ୍ଧାର ବି କଳା ।

 

ରକ୍ତ ନାଲି, ନିଆଁ ନାଲି, ଅବିର ନାଲି, ମଧୁ ଅଜାଙ୍କ ବାରିର ସବୁ ଗୋଲାପ ନାଲି’’–ଏପରି କହିଲେ କେବଳ ସ୍ଥୂଳ ବିଚାର ହେଲା । ତୁଳନା, ସମତା ସବୁଠାରୁ ବଡ଼ ବିଚାର ପୃଥକ ଗୁଣ, ଏ ସବୁଥିରେ ମସ୍ତିଷ୍କ ଚାଳନା ହେଲା ନାହିଁ । ଫଳରେ ସମାଲୋଚନା-ସାହିତ୍ୟ ସବାତଳ ପାହାଚରେ ମୁଣ୍ଡ ପିଟିଲା । ନ୍ୟାୟବିଚାର ଅନୁସାରେ କୌଣସି ନୂଆ କଥା ବି ହେଲା ନାହିଁ ।

 

ଏପରି ପରିସ୍ଥିତିରେ କ୍ଷତି କ’ଣ ହେଉଛି ? ନିଜର କଥା ଠିକ୍‌ ବୋଲି ସଳଖ ଅପକ୍ଷପାତ ବିଚାରଦ୍ୱାରା କାରଣ, ଯୁକ୍ତି ଦର୍ଶାଇବାକୁ ଲେଖକ ନାରାଜ । ତେଣୁ ନ୍ୟାୟ ଯୁକ୍ତିରେ ବିବାଦୀ ଲେଖକଙ୍କ ଯୁକ୍ତି କାଟିବା ସମ୍ଭବ ହୁଏ ନାହିଁ । କୌଣସି ଗୋଟିଏ ସାହିତ୍ୟିକ ଯୁକ୍ତିଦ୍ୱନ୍ଦ ଚଳାଇବା ସମ୍ଭବ ହୁଏନାହିଁ । ବୁଦ୍ଧି ବିଦ୍ୟା ଛାଡ଼ି ପାଶବିକ ଶକ୍ତି ପ୍ରୟୋଗ ଆବଶ୍ୟକ ହୁଏ । ‘‘ଅହମିକା’’ ‘‘ହିଂସା’’ ବଢ଼େ, ‘‘କ୍ରୋଧ, ଦ୍ୱେଷ’’ ବଢ଼ି ବାଦୀ ଲେଖକମାନଙ୍କ ବ୍ୟକ୍ତିଗତ ଜୀବନରେ ସଂଘର୍ଷ ଲାଗି ଦୈହିକ କୁସ୍ତି କସରତ, ଯୁଯିତ୍ସୂ, ମୁଷ୍ଟିଯୁଦ୍ଧ ଚୁଟିଧରଣ ସମସ୍ୟା ଘଟେ । ଏ ହେଲା ଖେଳୁଆଡ଼ର ସବୁଠାରୁ ହେୟ ଅବସ୍ଥା ! ନ୍ୟାୟଯୁକ୍ତି ଭିତରେ ପାରିବାରିକ, ବ୍ୟକ୍ତିଗତ ଆକ୍ରୋଶ କାହିଁକି ରହିବ ? ଯାହା ସତ, ଯାହା ନ୍ୟାୟ, ସେ ତ ସାକ୍ଷାତ ଭଗବାନ, ତା ଆଗରେ ତର୍କ ପଡ଼ିଲେ ଯୁକ୍ତି ଉପରେ ବାପ ପୁଅ, ବଡ଼ ସାନ ନ ଥାଏ–ସମସ୍ତେ ସମାନ ! ମଣିଷ ମଣିଷ ଭିତରେ ଯୁକ୍ତି ସାଙ୍ଗେ ଯୁକ୍ତି ଯୁଝାଯୁଝି, ଏଣେ ବ୍ୟକ୍ତିଗତ ଜୀବନରେ ପୂର୍ବପରି ଆନନ୍ଦ, ସ୍ନେହ, କୁଣ୍ଢାକୁଣ୍ଢି ! ଓସ୍ତାଦ୍‌ ଖେଳାଳୀଙ୍କର ଏହି ତ ବାହାଦୁରୀ ! ଏପରି ନ କଲେ ଆଉ ବିଚାର କଣ?

 

ତାପରେ ଏପରି ପରିସ୍ଥିତିରେ ସାହିତ୍ୟକୁ ବୁଝିବା ବୁଝାଇବା ସମ୍ଭବ ହେଉନାହିଁ । ମନରେ ନୂଆ ଭାବ ଆସୁନାହିଁ, ନୂଆ ସମାଲୋଚନା ଅନୁସାରେ ନୂଆ ଧରଣରେ ଆମ ନିଜକୁ ପ୍ରକଟି ହେଉନାହିଁ । ନିଜର ଓଜନ ନିଜେ ବୁଝାପଡ଼ୁନାହିଁ । ତେଣୁ ବାହାରର ହଟଚମଟ ଆଖି ଝଲସାଇ ଦେଉଛି । ବାହାରେ କେଡ଼େ ବଡ଼ ନାଁ Mysticism, Symbolism, କେତେ–ism; ତା ଉପରେ Theory of Consciousness, Verselibre, କେତେ କ’ଣ । ଏତେ–ism ଉପରେ, ଏତେ ବଡ଼ ବଡ଼ ନାଁ ଉପରେ ଆଉ କଥା ଚଳିବ ? ‘‘ମାଛ ଚଡ଼ଚଡ଼ି’’ କହିଲେ ହଠାତ୍‌ ଚମକ ଲାଗେ, ଘଡ଼ଘଡ଼ି କଥା ମନେ ପଡ଼େ, ଆଉ ମନେ ହୁଏ–‘‘ନାଇଁ ଲୋ ମା ରାଣୀ, ଏ ପାଠ ଆମ ରୋଷେଇ ଶାଳର ଚଉଦ ପୁରୁଷ ଦେଖି ନାହିଁ ।’’ ହୁଏ ତ ସମାଲୋଚନା ପୂରା ଦସ୍ତୁର ଚାଲିଥିଲା, ଆମରି ରାମନବମୀ ଯାତ୍ରା ସାହିତ୍ୟରେ କେତେ ହନୁମାନିଜ୍ମ (Hanumanism) ବାହାରନ୍ତାଣି; ତା’ର କେତେ ରୂପ, କେତେ ଆୟେବ, ତା ଉପରେ ଜଣକେତେ ପାଠୁଆ ପ୍ରବନ୍ଧ ଲେଖ୍ Doctorate ପାଆନ୍ତେଣି । କର୍ଷଣ କରି ହନୁମାନିଜିମ୍‌ ପ୍ରବର୍ତ୍ତକ Nobel Prize ପାଆନ୍ତେଣି । ପାରସ୍ୟ ଦେଶରେ ଲେକ୍‌ଚର ଦିଅନ୍ତେଣି–‘‘ମୁଁ ଓଡ଼ିଶାର ହନୁମାନିଜିମ୍‌ ପ୍ରବର୍ତ୍ତକ କବି’’ । ହୁଏତ କଲେଜ ପରୀକ୍ଷାରେ Mysticism, Symbolism ସଙ୍ଗେ ହନୁମାନିଜିମ୍‌ର ତୁଳନା ବିଷୟରେ ପ୍ରଶ୍ନପଡ଼ନ୍ତାଣି । କିନ୍ତୁ ସମାଲୋଚନାର ନୂଆ ଆଇନ ଅନୁସାରେ ଆମେ ନିଜର ସାହିତ୍ୟ ବୁଝିପାରୁନାହୁଁ ।

 

ବଙ୍ଗଦେଶର ଛୋଟ ଗାଁ । ସଢ଼ା ଦଳୁଆ ପୋଖରୀ । ପାଞ୍ଚବର୍ଷର ପିଲା ‘‘ହେଁ-ଦୋ’’ ଗାଧୋଉ ଗାଧୋଉ ଗୋଡ଼ ଖସିଗଲା । ସାଥୀ ପିଲା ପଚା, କ୍ୟାବ୍‌ଲା, ଭୋଁଦା–ପୂଁଟି ଡକା ପାଡ଼ିଲେ । ଏଣେ ହେଁ-ଦୋ ଦି’ ହାତ ନ ଯାଉଣୁ ପାଣି ପେଟେ ପିଇ ଜୀବନ ବିକଳରେ ହାତଗୋଡ଼ ଛାଟି କାହାର ଲୁଗାକାନି ଧରି ବଞ୍ଚିଗଲା । ତା ପରେ ତହିଁଆରଦିନ ବଡ଼ ବଡ଼ ଅକ୍ଷରରେ କାଗଜରେ ବାହାରିଲା, ‘‘ମାଷ୍ଟର ହେଁ-ଦୋ ପହଁରିବା ବିଷୟରେ ଗୋଟିଏ ଜିନୀୟାସ(Genius), ପାଞ୍ଚବର୍ଷ ବୟସରେ ବି ହାତୀ ଲେକ୍‌ (Lake)ର ଗହୀର ପାଣିରେ....ଇତ୍ୟାଦି ।’’ ଏ ଖବର ଯେତେବେଳେ ଭାରତର ଚାରିଆଡ଼େ ରାଷ୍ଟ୍ର ହେଲା, କେହି ତ ବୁଝିଲେ ନାହିଁ ପ୍ରକୃତ କଥା କ’ଣ ? ସମସ୍ତେ ଆଖିପତା ଡୋଳା ଖୋସି ଆଚମ୍ବିତ ହୋଇ ରହିଲେ-। ଅବଶ୍ୟ ଏ ଉପମା ଟିକିଏ ବେଶୀ ଦୂରକୁ ଚାଲିଗଲା । କେହି କହୁନାହିଁ, ତୁଚ୍ଛା ମିଛ କଥା ଲେଖିବାକୁ, କିନ୍ତୁ ଏପରି ବିଜ୍ଞାପନ ଫଳରେ ସମସ୍ତେ ଉନ୍ନତ କରୁଛନ୍ତି, ଏ ହେଲା ବିଜ୍ଞାପନର ଯୁଗ କି ନା ।

 

ବାସ୍ତବିକ ବୁଝିବା ଲୋକ ଉପରେ ସାହିତ୍ୟର ଦରଦାମ ବେଶୀ ଅଂଶରେ ନିର୍ଭର କରେ-। ଜଣେ ନିଜେ ଅନୁଭବ କଲା; ଲେଖିଗଲା । ତା ନିଜ ମନକୁ ସେ ସାତ ଭାବିଛି କି ପାଞ୍ଚ ଭାବିଛି, ସେ ଜାଣେ । ଯେତେ ଚେଷ୍ଟା କଲେ ବି ଶୁଣାଳୀ କି ପଢ଼ାଳୀ ତା’ର ସବୁ କଥା ନିଜେ ଅନୁଭବ କରି ପାରିବ ନାହିଁ । ସେଥିରୁ ଗୋଟାଏ ଦି’ଟା ଖିଅ ଧରି ସେ ଆପଣା ଚିନ୍ତାରେ ମାଡ଼ି ଚାଲିଯିବ । ସେ ଯାହା ଲେଖିଯିବ, ଅନ୍ୟ ଲୋକେ ତାରି କଥାରେ ମାତିଯିବେ । ଏଣେ ମୂଳ ରହିଲାଣି କେଉଁଆଡ଼େ-। ବିଲାତି ସାହିତ୍ୟରେ ଆଜିକାଲି କ’ଣ ଚାଲିଛି ? ଲେଖକ ଯାହା ପାରି ତାହା ଲେଖୁଛନ୍ତି, ଏଣେ ନିଜେ ସମାଲୋଚନା କରି ନିଜର ଲେଖାରେ ନୂଆ ନୂଆ ତଥ୍ୟ (theory) ବାହାର କରି ଅନ୍ୟ ଲୋକଙ୍କୁ ମତାଉଛନ୍ତି । ସେ ଟାଣୁଆ ଯୁକ୍ତିକୁ କାଟିବ କିଏ ?

 

ସୁତରାଂ ଯେତେବେଳେ ଯୁକ୍ତି ଉପରେ ଦରଦାମ ଠିକ୍‌ ହେଉଛି, ସେ ଲୋକମାନଙ୍କୁ ବଡ଼ ବୋଲି ସ୍ୱୀକାର ନ କରି ଏଡ଼ି ଦେଇ ଚଳି ହେଉ ନାହିଁ । ଲୋକଙ୍କୁ ପ୍ରବର୍ତ୍ତାଇବା ଉପରେ ବହୁତ କଥା ନିର୍ଭର କରେ, ଆଉ ପ୍ରବର୍ତ୍ତାଏ ସମାଲୋଚନା, ଲେଖକର ଲେଖା ନୁହେଁ । ସେକ୍‌ସପିଅର ବଡ଼ କବି, ବଡ଼ ଲେଖାଳୀ, ବଡ଼ ନାଟ୍ୟକାର । ଦିନାକେତେ ତାଙ୍କର ଏତେ ପୂଜା ଚାଲିଲା ଯେ, ସାହିତ୍ୟରେ ସେ ହେଲେ ଦେବତା । ତାଙ୍କର ଗୋଟିଏ ଗୋଟିଏ ଗାର ଉପରେ କେତେ ବିଜ୍ଞାନ, କେତେ ଦର୍ଶନ, କେତେ ଅନୁସନ୍ଧାନ ଚାଲିଲା । ଯେତେବେଳେ ସେ ବଞ୍ଚିଥିଲେ, ସେତେବେଳେ ତ ଏତେ ଆଦର ନଥିଲା । ସେ ମରିବାର ୨୦୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ଲେଖାରେ ତ ଦୁନିଆ ହୁଲୁସ୍ଥୂଲ ପଡ଼ି ନଥିଲା । ତାପରେ ଜର୍ମାନ ଦେଶର ବଡ଼ ବଡ଼ ପଣ୍ଡିତମାନେ (Transcendentalists) ଖିଅ ଧରି ସେକ୍‌ସପିଅର ଆଲୋଚନା କଲେ । ଯେଉଁ କଥା ବାହାର ଖୋଲା ଆଖିକୁ ଜଣାପଡ଼ିବ ନିର୍ବୋଧ ବୋଲି, ସେଥିରେ ସେମାନେ ବଡ଼ ବଡ଼ ତଥ୍ୟ ଖୁନ୍ଦି ଦେଲେ । ଫଳରେ ସେକ୍‌ସପିଅର ଅତିମାନବ ହେଲେ । ତାଙ୍କ ହ୍ୟାମଲେଟ୍‌ ନାଟକରେ ନାୟକର ଚରିତ୍ର ବଡ଼ ଗୋଳମାଳିଆ । ତା ଉପରେ କଥା ଠିକ୍‌ କରି କହି ହେବ ନାହିଁ । ସମାଲୋଚକମାନେ ଯୁଗ ଯୁଗ ପରିଶ୍ରମ କରି ଏପରି ଭାବରେ ଆମ ଆଖିରେ ଭେଳିକି ଲଗାଇ ଦେଇଛନ୍ତି ଯେ, ଯେଉଁଠି କିଛି ଗୋଲମାଳ ବା ଭୁଲ ରହିଛି, ସେଠି ଆମେ ନିଜ ନିଜ ଶକ୍ତିରେ ବଢ଼ି ବଢ଼ି ସବୁଠୁ ବଡ଼ ବଡ଼ କଥା ଭାବି ନେବାକୁ ବାଧ୍ୟ । ହ୍ୟାମ୍‌ଲେଟ୍‌ ପାଗଳ କି ନା, ଏ ବିଷୟରେ ବଡ଼ ବଡ଼ ଡାକ୍ତରମାନେ ଯୁକ୍ତି କରି ବ୍ୟବସ୍ଥା ଦେଇ ଯାଇଥିଲେ । ସବୁ ଦେଶରେ ସେପରି, କେବଳ ଓଡ଼ିଶା ଛଡ଼ା ।

 

ଫଳରେ ଆମକୁ ପଚାରୁଛି କିଏ ? ସାମନ୍ତସିଂହାର ବଡ, ନା ରବି ବାବୁ ବଡ଼ ? ରବି ବାବୁ । କାହିଁକି ? ସାମନ୍ତସିଂହାର ପଟ ଧଡ଼ିଆ, ହୀନବଳ; ସେପଟେ ଲଢ଼ିବାକୁ ଓଡ଼ିଆ ପୁଏ କଲମ ଧରୁ ନାହାନ୍ତି, ମୁଣ୍ଡ ଖେଳାଉ ନାହାନ୍ତି । ହ୍ୱିଟ୍‌ମାନ ଅଶ୍ଳୀଳ, ନା ଭଞ୍ଜ ଅଶ୍ଳୀଳ ? ସେପଟୁ ଭୁବନେଶ୍ୱରୀ ମୁଥ ହ୍ୱିଟ୍‌ମାନ୍‌କୁ କିଏ ଦୋଷୀ କଲା ରେ ? ‘‘ସେ ପବିତ୍ର ମନରେ ଦେହର ତତ୍ତ୍ୱ ବିଷୟରେ କବିତା ଲେଖିଛନ୍ତି (Of the human body I sing) ।’’ ଆଜିକାଲିକା ବିଦେଶୀ ଅଶ୍ଳୀଳ ଲେଖାଳୀମାନେ ମଧ୍ୟ ଅଶ୍ଳୀଳ ନୁହନ୍ତି, ଶ୍ଳୀଳ । ସେମାନଙ୍କର ବଡ଼ ବଡ଼ ପାହାଡ଼ିଆ ଥିଓରୀ ଅଛି; ସେମାନେ Sex problemକୁ ଆଲୋଚନା କରୁଅଛନ୍ତି । ସେମାନେ ଅଶ୍ଳୀଳ ଲେଖିଲା ବେଳେ Art is neither moral nor immoral but simply non-moral.

 

ଆଉ ଭଞ୍ଜେ ? ଛି ଛି, କ’ଣ ନ କଲେ । ଏ ପୁରୁଣା ଓଡ଼ିଆ ସାହିତ୍ୟ ଗୋଟାକଯାକ; ଥୁଃ ଥୁଃ ଖାଲି ଅଭଦ୍ର, ଅସନା ଆଦି–ରସ କଥା । କିନ୍ତୁ ଏପରି ଲେଖିବାର ଉଦ୍ଦେଶ୍ୟ କ’ଣ ? ସେମାନଙ୍କର ବଡ଼ ideal ଥିଲା କି ନା, ସେମାନେ ଜୀବନରେ କି ସତ୍ୟ ଖୋଜୁଥିଲେ, ତାଙ୍କ ଲେଖାରେ କ’ଣ ନିଦାନ, ତଥ୍ୟ ଥିଲା, ସେସବୁ ଗାଧୋଇଗଲା । ସେମାନଙ୍କ ଉପରେ ଦେଶକାଳପାତ୍ରର କ’ଣ ପ୍ରଭାବ ପଡ଼ିଥିଲା, ସେସବୁ କୁଆଡ଼େ ଗଲା । ସବୁ ଗଲେ ଗଲା, ଯଦିଚ ସେମାନେ ଅଶ୍ଳୀଳ କଥା ଲେଖୁଥିଲେ, ଅନ୍ୟାନ୍ୟ ସାହିତ୍ୟରେ ତା’ଠୁ ବେଶୀ ଅସନା ଥିଲେ ବି ଆମରି ଆଡ଼କୁ ଆଙ୍ଗୁଠି କାହିଁକି ? ଇଂରେଜି Restoration ସାହିତ୍ୟକୁ ତ ସେ ବିଷୟରେ ବେଶୀ କେହି ବଳାଇବ ନାହିଁ; ତଥାପି ଏ ବିଷୟରେ ଆମ କଲମ କଥା କହୁନାହିଁ । ଫଳରେ ହାଟ ବଜାରରେ ନିଜ ଗୁଣ ନିଜେ ନ ବାହୁନିବାରୁ କେହି ଆମକୁ ବଡ଼ ବୋଲି ମାନି ନେବାକୁ ନାରାଜ ।

 

ଥରେ ଅନ୍ତବାବୁ କହିଲେ, ‘‘ଆମେ ଭିତରେ ପୋଲା ଥାଇ ବାହାରକୁ ବଡ଼ ବୋଲି କେମିତି କହିବା ?’’ କିନ୍ତୁ ଆମ ସାହିତ୍ୟ ପୋଲା ବୋଲି ପ୍ରମାଣ କ’ଣ ? ବୁଝାଳୀ ଉପରେ ସବୁ ନିର୍ଭର କରେ । ଗୋଟାଏ କଥା ଭିନ୍ନ ଭିନ୍ନ ଲୋକଙ୍କୁ ଅଲଗା ଅଲଗା ଅର୍ଥ ଦିଏ । ଆମ ଭିତରେ ଏପରି ମହାତ୍ମା କ’ଣ ନାହାନ୍ତି–ଯାହାଙ୍କ ଗହୀର ଆମର ସାହିତ୍ୟରେ ବଡ଼ପଣ ଗହୀର ଛାପା ମାରି ବଡ଼ ବଡ଼ ତଥ୍ୟ (theory) ଓ ଯୁକ୍ତି ବାହାର କରିବ ? କିନ୍ତୁ କ’ଣ ଦେଖୁଥାଇଁ ?

 

ଯଦି କେହି ପଚାରେ, ‘‘ତୁମେ ଜୀଅନ୍ତା ନା ମଲା ?’’ ଅନ୍ୟ ଲୋକ ଆଖିତରାଟି ଦାନ୍ତକାମୁଡ଼ି କହନ୍ତା, ‘‘ଅନ୍ଧ ନା କଣା ? ଆଖିକୁ ଦିଶୁନାହିଁ ?’’ ଆମେ କହିବା, ‘‘ବାବୁ ଆଜ୍ଞା, ତୁମେ ମା ବାପ, ଆମେ...ଆମେ ମଲା ମୁର୍ଦ୍ଦାର !’’

 

ମୁଣ୍ଡହଲା ସାଙ୍ଗେ ମୁହଁ ବିକଟାଳ କରି ହୁଁ, ହେଃ, ଓହୋଃ, ‘‘ଭୀଷନ’’ ‘‘ସାଂଘାତିକ’’ ଇତ୍ୟାଦି ସାହାଯ୍ୟରେ ଆମର ଯାହା ବି କିଛି ସମାଲୋଚନା ସେତକ ପୁଣି ଗାଁ-ଗୋହିରୀରେ ଡୁବି ରହିଛି । ଖାରବେଳର ବୀର-ବାଇଦ ଆଉ ସାରା ଜଗତରେ ହୁଲୁସ୍ଥୂଲ ପକାଉ ନାହିଁ । ଯାହି ବା ତାଧିନ୍‌ଧିନ୍ଦା ଆମର ଶେଷ ସମ୍ବଳ, ସେ ପୁଣି ବିଲୟ ପାଉଛି ଗାଁ କଦମ ଦାଣ୍ଡରୁ କଚିରୀ ପିଣ୍ଡା ମଝିରେ ! ଦୂରକୁ ଶୁଭିବା ତ ଦୂରର କଥା ।

Image

 

ଲୋକହସା

 

କଚିକାଚି ବରଷା ଅସରାଏ ଛେଚିଥିଲା, ବାଟଘାଟ କାଦୁଅ; ବଳାଗଣ୍ଠି ଡୁବିଯାଉଛି ! କାଖରେ ପୋଥିବିଡ଼ା, ଚୁଟି ଅଗରେ ଗେଣ୍ଡୁ ଫୁଲ, କାନ୍ଧରେ ବେଶ୍‌ ଦି’ସେରିଆ ଯାଉଁଳି । ହରୟାନ୍ନା ଟିକି ଝିଅଟି ହାତ ଧରି ବେଶ ଖୁସିରେ ତ ଚାଲିଥିଲେ । ଥଲ୍‌ଥଲ ଦୋପୁରି ପେଟ ଉପରେ ମସ୍‌ମସିଆ ନାଚ ସାଙ୍ଗେ ତାଳେ ତାଳେ ଗୋଡ଼ ପଡ଼ୁଥିଲା; କିନ୍ତୁ ହଠାତ୍ ଏ କି ବିପତ୍ତି ? ଗୋଡ଼ଟା ଖସିଗଲା ପରା ! ଦି’ ହାତ ଉପରକୁ ଟେକି ନନା ଚିତ୍‌ପଟାଂ !

 

ଦେହଗୋଟା କାଦୁଅ; ଦୂରବସ୍ଥାର କଳନା ନାହିଁ ! ବୁଜୁଳିଟି ଅଣ୍ଡାଳୁ ଅଣ୍ଡାଳୁ ସରୁ ଆଖିରେ ନନା ଚାହିଁଲେ ଚାରିଆଡ଼ର ହସିବାଲୋକଙ୍କ ମଝିକୁ । ତାପରେ ନିଜେ ବି କଣେଇ କଣେଇ ହସି ସରୁ କରି କହିଲେ,‘‘ଉହୁଃ’’ ! ଝିଅଟି ଆଉମାନଙ୍କ ହସ ଦେଖି ଅଳପେ ହସିଥିଲା; ପରମୂହୂର୍ତ୍ତରେ ଭେଁକିନା କାନ୍ଦି ଉଠିଲା ଆଖିଦିଟା ଉପରକୁ ଥରେ ଖୋସି ।

 

ସମସ୍ତଙ୍କୁ ଯେଉଁଟା ହସ, ତହିଁରେ ସେ କାନ୍ଦିଲା । ଆଉ କେହି ଅଙ୍ଗେ ନିଭାଇଲା ପରି ହୃଦୟ ଭିତରେ ଭାବି ଦେଖିଲେ ନାହିଁ । ଦେଖିଥିଲେ ହସ ତୁଟିଥାନ୍ତା, ଆଖି କଣର ମେଘୁଆ ଆଲୁଅ ତଳେ ଢଳ ଢଳ ଲୁହରେ ମିଳାଇ ଯାଇଥାନ୍ତା ! କିନ୍ତୁ ସେ ଘଟନାଟା ହୃଦୟ ଭିତରେ ଦେଖିଲା । ନନାଙ୍କ ଆଘାତଟା ବାଜିଲା ତା କଅଁଳ ଛାତିରେ । ହସି ଉଡ଼ାଇବାର ପହିଲି ଗୁଣ ସହାନୁଭୂତିର ଅଭାବ । କଅଁଳ ମରମ ଭାବ (Emotion)ର ଅଭାବ ! ବର୍ଗସୋଁ କହିଲେ, ‘‘ହସ ଆସେ ଜଣକ ଉପରେ ମନ ନିବେଶି ଯେତେବେଳେ ଦଳେ ଲୋକ ବିଚାରବୁଦ୍ଧିର ପ୍ରକ୍ରିୟାକୁ ଉଦ୍‌ବୋଧନ କରନ୍ତି–କଅଁଳ ମରମ ଭାବ ଚାପି ରଖି । ହସ ଆଉ କଅଁଳ ମରମ ଭାବ ଭିତରେ ଅହିନକୁଳ ସମ୍ୱନ୍ଧ !’’ ହସ ଭିତରେ ବିଚାରବୁଦ୍ଧିର ପ୍ରକ୍ରିୟା; କିନ୍ତୁ ମରମ ଭାବକୁ ଏକାବେଳକେ ତଣ୍ଟି ଚିପି ରଖାଯାଇ ନ ପାରେ, ଅଳ୍ପକେ ହେଲେ ସେ ଥିବ । ଖାଣ୍ଟି ଶୁଖିଲା ହସ ନିଛକତଥ୍ୟ (Hypothesis) ଅବସ୍ଥାରେ ରହିଲା । ହସ ଭିତରେ ମମତା ଅଳ୍ପ ସତ; ଏତେ ଲୋକ ତ ଖୁସିରେ ହସିଲେ ନାହିଁ । ସେଥିପାଇଁ କହନ୍ତି ସେ, ହସ ହେଉଛି ବିଶ୍ଳେଷକ; ଦୋଷ ଗୁଣ ବାଛି ଦେଖେ ନାହିଁ । ହସ ଗଢ଼େ ନାହିଁ, ଭାଙ୍ଗେ । ହସରେ ବନ୍ଧୁତା ଅପେକ୍ଷା ଶତ୍ରୁତା ବେଶୀ । ହସ ଅଙ୍ଗେ ନିଭାଇବା ପରି ମମତା ରଖି ଭାବେ ନାହିଁ । ଅବଶ୍ୟ ଏଠି ଖୁସିର ହସ କଥା ପଡ଼ିନାହିଁ; ଟାହିଟାପରା, ଥଟ୍ଟାନକଲ, ମଉଜିକଥା–ଏହି ବିଷୟ ପଡ଼ିଛି ।

 

ହସର ପହିଲି ଉପାଦାନ, ଅକସ୍ମାତ୍‌ ଆଶ୍ଚର୍ଯ୍ୟ ହେବା, ଆଶ୍ଚର୍ଯ୍ୟ ହେଲେ ହସ ନ ମାଡ଼ିପାରେ, ରାତି ଅଧରେ ମଶାଣି ଭୂଇଁରେ ଭୂତ ଦେଖି ହସ ମାଡ଼େ ନାହିଁ, କିନ୍ତୁ ହସିବା ପୂର୍ବରୁ ନୂଆ ଦେଖିବାର ଚମକ୍ ଲାଗିବା କଥା ଧରାବନ୍ଧା । ଉଦାହରଣସ୍ୱରୂପ ସମସ୍ତେ ଜାଣନ୍ତି ଯେ, ହସକଥା ବାସି ହେଲେ ତହିଁରୁ ରସ ଉଡ଼ିଯାଏ । ଏପରି ହେବାର କାରଣ, ଦେହଘଷା ହୋଇ ନୂଆ ଦେଖିବାର ଚମକ, ଅକସ୍ମାତ୍ ଆଶ୍ଚର୍ଯ୍ୟ ହେବା ଗୁଣ ଚାଲିଯାଇଥାଏ । ସାଧାରଣ ଧାରଣାରୁ ବାହାର ହେଲେ ଆଶ୍ଚର୍ଯ୍ୟ ଲାଗିଲା । ଚାଖଣ୍ଡେ ଚାଲି ଥରେ ପଡ଼ିବାକୁ ହେଉଥିଲେ, ବାରମ୍ୱାର ପଡ଼ିବା ଚାଲିବା କାମର ସାଧାରଣ ନିୟମ ହୋଇଥିଲେ ଜଣେ ପଡ଼ିଗଲେ ଲୋକେ ହସନ୍ତେ ନାହିଁ-

 

ଓଡ଼ିଶା ଉଢ଼ାଳରେ ଯେଉଁ ସେମେଟା ପାକୁଆ ମୁହଁଟି, ତାରି ଥୋମଣୀ ଅଗରେ ଗଣି ଗଣି ଦଶୋଟି ଦାଢ଼ି ! କିଏ ନ ହସିବ ? ସ୍ତ୍ରୀଲୋକ ବିଷୟରେ ଯାହା ସାଧାରଣ ଧାରଣା, ତହିଁରୁ ଏ ବାହାରେ ! ସେହିପରି ପ୍ରତିଦିନ ପାହାନ୍ତି ପହରରେ ନରି ବୁଢ଼ା ବିଛଣାରୁ ତାନ ଛାଡ଼ନ୍ତି, ‘‘ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ।’’ ସେଦିନ ମଞ୍ଜୁଷା ବିଭାଘରକୁ ସେଇ ଯେଉଁ ଭଦ୍ରଲୋକଟି ଆସିଥିଲେ, ବାରଟାବେଳ ପୋଡ଼ି, ବେଦୀ ପାଖେ ହୋମଧୂଆଁ ଭିତରେ ଗେଞ୍ଜି ଉପରେ–କାମିଜ–ଉପରେ ମଫ୍‌ଲର୍‌–ଉପରେ–କୋଟ୍‌–ଉପରେ ଶାଲ ! ଘରେ ଆଉ କିଛି ପୋଷାକ ନଥିଲା ! ଏ ସବୁଥିରେ ହସର କାରଣ ହୁଏ ଅସାମଞ୍ଜସ୍ୟ, ଅସାଧାରଣ ଗୁଣ (Ludicrous) ଖାଲି ଏତିକି ନୁହେଁ, ଚରିତ୍ର, କ୍ରିୟାକଳାପ ସବୁଥିରେ ଏ ଗୁଣଟି ମିଳେ । ଜଣେ ପ୍ରତି କଥାରେ କହେ, ‘‘ଗିଡ଼ିଗିଡ଼ି ଗାବୁ ଗାବୁ’’; ଆଉ ଜଣେ କହେ ‘‘ତା ନାଁ କ’ଣ ।’’ ଏହିପରି କେତେ ମୁଦ୍ରାଦୋଷ (Mannerism) । ସାଧାରଣ ଲୋକହସା ଉପାଦାନ ଭିତରେ ଏହିପରି କେତେ ‘‘ଅଖାଡ଼ୁଆମି’’ ଦେଖାଯାଏ ।

 

ଅନେକ ସମୟରେ ଲୋକେ ହସନ୍ତି, କାହିଁକି ନା ଲୋକହସା ଉପାଦାନ ନୀଚ, ହେୟ, ନିଜଠାରୁ ତଳେ ବୋଲି ମନେ ହୁଏ; ତେଣୁ ଶ୍ଳେଷ, ବିଦ୍ରୂପ ସଙ୍ଗେ ଆତ୍ମପ୍ରଶଂସା ମିଶି ହସ ମାଡ଼େ । ହସର ସାଧାରଣ ତଥ୍ୟ ଏପରି ନୁହେଁ; କିନ୍ତୁ ଏ ମଧ୍ୟ ଗୋଟାଏ କାରଣ । ବେଦୀ ପାଖେ ସେ ଲୋକଟିକୁ ଦେଖି ସମସ୍ତଙ୍କ ମନ ଭିତରେ ସୂକ୍ଷ୍ମକ୍ରିୟା ହେଲା, ସେମାନେ ଏପରି ମୁର୍ଖତା କରି ନ ଥାନ୍ତେ । ଯେଉଁ ଲୋକ ଟୋପି, କାମିଜ ଓଲଟା ପିନ୍ଧିଥାଏ, ଯେଉଁ ଲୋକ ସୌଖୀନ୍‌ ଜରିଦିଆ ପାଟ ଯୋତାକୁ ମୁଣ୍ଡ ଉପରେ ପିନ୍ଧି ସଭାକୁ ଯାଏ, ତା ପ୍ରତି ନିଶ୍ଚୟ ଏପରି ଭାବ ଆସିଥାଏ ।

 

ହସିବା ଲୋକ ମନରେ ଲୋକହସା ଉପାଦାନ ପ୍ରତି ଭଲ ପାଇବା ପୁଣି ଦେଖି ନ ପାରିବା; ପ୍ରେମ ବିଦ୍ୱେଷ, ସହାନୁଭୂତି ମମତାହୀନତା–ଏହିପରି - ବିପରୀତ ଭାବ ରହିଥାଏ । ପ୍ରଥମେ ଗୋଟିଏ ଭାବ ଆସିଲା । ତାପରେ ବିରୋଧୀ ଭାବ ଆସିଲା ସ୍ରୋତ ମଝିରେ ବନ୍ଧ ପରି । ଏ ସଂଘର୍ଷ, ବାଧା ସଙ୍ଗେ ମନେ ମନେ ତାଳ ଦେଇ ଚାଲିବାକୁ ବଳକା କ୍ରିୟାଶୀଳ ଶକ୍ତି ଆସିଲା । ଯେତେବେଳେ ବନ୍ଧ, ବିପରୀତ ଭାବ ଯାଇ ପୁଣି ପୂର୍ବ ଭାବ ଫେରି ଆସିଲା, ଏ ବଳକା ଶକ୍ତି ହଠାତ୍‌ ଅଦରକାର ହୋଇ ହସ ବାଟେ ବାହାରିଗଲା । ହରି ନନାଙ୍କ ସଙ୍ଗେ ପରିଚୟ ଅଛି, ସେ ବାଙ୍କ ବୁଲି ରାସ୍ତା ଉପରେ ଲମ୍ୱା ଫୁଟବଲ ପରି ଯେଉଁ କାଳୁ ଗଡ଼ି ଆସୁଥିଲେ, ସେହି କାଳୁ ନିଜର ଅଜାଣତରେ ମଧ୍ୟ ଦେଖିବା ଲୋକ କୌତୁହଳୀ ହୋଇ ଇନ୍ଦ୍ରିୟ ଓ ମନଦ୍ୱାରା ତାଙ୍କ ସାଙ୍ଗେ ପରିଚିତ ହୋଇଛି । ତେଣୁ ତାଙ୍କ ସମ୍ୱନ୍ଧରେ ମନ ଢଳିଲା (Interest) । ପଡ଼ିବା ଅବସ୍ଥାଟା ସ୍ଫୃହଣୀୟ ନୁହେଁ; ତେଣୁ ବିରକ୍ତି, ବିରୋଧୀ ଭାବରୁ ହସ ହେଲା, ଯେତେବେଳେ ପୂର୍ବ ପରିଚୟର ସହାନୁଭୂତି ଫେରି ଆସିଲା । ତାଙ୍କ ସଙ୍ଗେ କୌଣସି ସମ୍ବନ୍ଧ ବା ପରିଚୟ ନ ଥିଲେ କେହି ତାଙ୍କ ପଡ଼ିବାରେ ମୁଣ୍ଡ ବୁଲାଇ ନ ଥାନ୍ତା; ସହାନୁଭୂତି ଅତି ବେଶି ଥିଲେ କେହି ଏତେ ହସି ନ ଥାନ୍ତା । ନାରୀ ଜାତି ମାତ୍ରେ ଦୁଇ ବିଯୋଡ଼ ବ୍ୟବହାର (Ambivalent behaviour)ର ଆଧାର, ସେମାନଙ୍କ ପ୍ରତି ଦେଖି ପାରିବା ନ ଦେଖି ପାରିବା ଉଭୟ ଅଛି । ଆକର୍ଷଣ ମଝିରେ ବିପରୀତ ଘୃଣାଭାବ ଅଣାଗଲେ ଯେଉଁ ସଂଘର୍ଷ ଘଟେ, ତହିଁରୁ ହସ ଲାଗି କ୍ରିୟାଶୀଳ ଶକ୍ତି ସଞ୍ଚିତ ହୁଏ ।

 

କୁନି କହିଲା, ‘‘ଅନି, ସେ ବୁଢ଼ାଟା, ବୁଝିଲୁ ସେ ବୁଢ଼ାଟା ତୋ ବର !’’

 

‘‘ଛିଃ, ବୁଢ଼ା ଥେଣ୍ଟ, ମଢ଼ିଆ ନିଶୁଆଟାକୁ ମୁଁ ବାହା ହେବି ନାଇଁ ।’’ ଛ ବର୍ଷର ଅନି କହିଲା; ସମସ୍ତେ ହସିଲେ ଏ ଅସାଧାରଣ କଥାଟା ଶୁଣି । ସେତେବେଳେ ସିନା ହସର କାରଣ ହେଲା ଅସାଧାରଣର ପରିକଳ୍ପନା; କିନ୍ତୁ ଏ କଥା ହସର ଉପାଦାନ ବୋଲି ସେତେବେଳେ ପ୍ରଥମେ ବ୍ୟବହାର କରାହେଲା, ସେତେବେଳେ ତା ମଞ୍ଜି ପୋତା ହେଲା, ଯୌନ ସମ୍ବନ୍ଧ ପ୍ରତି ମଣିଷର ସହାନୁଭୂତି, ଆକର୍ଷଣ, ଆଉ ତା’ର ବିରୋଧୀ ଭାବରେ ମନ ଭିତରେ ଯୌନ ସମ୍ବନ୍ଧର ଅବାଧ କ୍ରିୟା ମଝିରେ ବନ୍ଧ–ସଙ୍କୋଚ, ଲଜ୍ଜା ଭାବରେ । ହସର କାରଣ ଶେଷ ଦୁଇ ବିଯୋଡ଼ ବ୍ୟବହାର । ବର, ବାହାଘର, ଶାଶୁଘର, କନ୍ୟା ଏ ସବୁ ଆମ ଦେଶର ଅତି ପରିଚିତ ହସ ଉପାଦାନ, ଘରେ ଘରେ । ଆଦିମ ମୂଳ ସେହି ଯୌନ ସମ୍ବନ୍ଧର ଆକର୍ଷଣ ଆଉ ଲଜ୍ଜା ସଙ୍କୋଚରେ । ଏହି କାରଣରୁ ସ୍ତ୍ରୀ-ଲୋକ ପ୍ରତି ଏତେ ଟାହିଟାପରା ସାରାସଂସାରରେ । କଥାଟା କାନସହା ନୁହେଁ, କି ପ୍ରିୟ ନୁହେଁ; ତଥାପି...। ଏ ତ ଗଲା ହସର ତଥ୍ୟ–(୧) ଆଶ୍ଚର୍ଯ୍ୟ ଗୁଣ (୨) ଅସାଧାରଣ ଅଖାଡ଼ୁଆ (୩) ଦୁଇ ବିଯୋଡ଼ ବିରୋଧୀ ଭାବ (୪) ଯୌନ ସମ୍ବନ୍ଧ । ହସ ତଳେ ତଳେ ଏହି କେତୋଟି ଅବସ୍ଥା ଦେଖାଯାଏ । ତା ପରେ ଲୋକହସା ପ୍ରଧାନ ଉପାଦାନ ।

 

‘‘ଥେବେଡ଼ା ନାକରେ ନାଟେଣୀ ମୟୂର

ଯୋଡ଼ାଏ ବେହେଡ଼ା ଦାନ୍ତ

ଆଖି ଦି’ଗୋଟି ମିଟିରି ମିଟିରି

କେମ୍ପାଟି ଡେବିରି ହାତ ।’’

 

–ମାମୁ

 

ହଂସିଆ ମା ଢିପେଇ ଢିପେଇ ଚାଲେ,–ମଲି ଢପ । ଦେହ ଅଙ୍ଗଭଙ୍ଗୀ, ସବୁ ହସର ଉପାଦାନ ହୋଇଥାଏ । ଆଟିକାପେଟା, ଘୁଷୁରି ମୁହାଁ , ମାଗୁରନିଶା, ଚିଲା-ଆଖିଆ, ବିଶେଷଣର ଅଭାବ ନାହିଁ । ସୂକ୍ଷ୍ମ, ଅସୀମ, ବିରାଟ ଆତ୍ମା ତୁଳନାରେ ମାଟିର ଦେହଟା ବିଚାର ବୁଦ୍ଧିରେ ଦିଶେ ସତେ ଯେପରି ଆଶ୍ଚର୍ଯ୍ୟ, ଅସାଧାରଣ, ଅସାମଞ୍ଜସ୍ୟର ବିରାଟ ବୋଝ ପରି ।

 

ମିଷ୍ଟର ଫକ୍‌ସ ଏହିପରି ଅନ୍ୟମନସ୍କ ଭାବରେ ଥରେ ରେଳ ଚଢ଼ିଲା ବେଳେ ସ୍ତ୍ରୀକୁ ବୋଝିଆ ଭାବି ଭଡ଼ା ଦେଇଦେଲେ; ଆଉ ଖାକି ପିନ୍ଧା ଝାଳୁଆ କୁଲିଟିର ନିଶୁଆ ମୁହଁଟାକୁ ଦି ହାତରେ ଟାଣି ନେଇ ଗୋଟିଏ ବିଦାୟ ଚୁମ୍ବନ ଥୋଇ ଦେଇ ଗମ୍ଭୀର ହୋଇ ବସି ପଡ଼ିଲେ ।

 

ଚରିତ୍ରଦୋଷ, ହୀନତା, ପାପ, ଏ ସବୁ ହସର ଉପାଦାନ ହୋଇ ବ୍ୟବହୃତ ହୁଏ । ଏଥିରେ ଅନ୍ୟାନ୍ୟ କାରଣ ସଙ୍ଗେ ଆଶ୍ଚର୍ଯ୍ୟ, ଅସାଧାରଣ ସମ୍ବନ୍ଧ ଅଛି । ଆହୁରି ଏପରି ସ୍ଥଳେ ହସିବା ଲୋକ ଲୋକହସା ଉପାଦାନ ଉପରେ ନିଜର ବଡ଼ପଣ ଅନୁଭବ କରି ଆତ୍ମପ୍ରସାଦ ଅନୁଭବ କରେ । ରାସ୍ତା କରରେ ଦୁଇଜଣ ଠିଆ ହୋଇ ଦଉଡ଼ି ବଲିଳା ପରି ଅଙ୍ଗଭଙ୍ଗୀ କଲେ ଗୁଲିଖୋର ନଇଁ ଚାଲିଯାଏ । ମଦତି ଭଦ୍ରଲୋକ ଜୋତା ବ୍ରୁସରେ ମୁହଁ ଦେଖି ସେହି-ଭରା କଲମରେ ମୁଣ୍ଡ କୁଣ୍ଡାଇବାକୁ ଚେଷ୍ଟା କରନ୍ତି । ସମାଜ ତଳର, ଭଦ୍ରତା ତଳର ଦୋଷ ଏହି ଶ୍ରେଣୀରେ ଯାଏ । ଜଣେ ଖୁବ୍‌ ପେଟୁ, ଚୁଡ଼ା ଦହି ଲାଗି ଦଶ କୋଶ ଧାଇଁପାରେ; ସଂସ୍କୃତ ସାହିତ୍ୟରେ ‘ନୃତ୍ୟନ୍ତି ଭୋଜନେ ବିପ୍ରାଃ’— ! ଜଣକର ଏପରି ଢମ ଯେ, ଘର କଣରେ ସଜଳ ଓଦନ ଗୋପାଳସେବା କଲାବେଳେ ମିଛଟାକୁ ବାହାରକୁ ଶୁଣାଇ ପାଟି କରନ୍ତି, ‘‘ମାଂସ ଆହୁରି ଦହି ଖାଇଥାନ୍ତା !’’ ଇତ୍ୟାଦି । ଏସବୁ ହସ-ସାହିତ୍ୟରେ ଚରିତ୍ର ବା ବ୍ୟକ୍ତି-ବର୍ଣ୍ଣନାରେ ବ୍ୟବହାର ହୁଏ ।

 

ଅଶ୍ଳୀଳ ହସ ଅତି ସହଜ; ତା’ର କ୍ରମ ଯୌନ ସମ୍ବନ୍ଧ ଭିତରେ ଦେଖା ଯାଇଛି । ଅଶ୍ଳୀଳ ଇଙ୍ଗିତ ହେଲେ ଆକର୍ଷଣ ଓ ତା’ର ବିରୋଧୀ ଭାବ ଓ ସଙ୍କୋଚ ଏକାବେଳକେ ମନକୁ ଆସେ । ଏଥିରେ ବେଶି ମୁଣ୍ଡ ଖଟାଇବା ଦରକାର ପଡ଼େ ନାହିଁ । କେତେଗୁଡ଼ାଏ କଥା ସମାଜର ସାଧାରଣ ଭଦ୍ରତାର ଆଖିକାନ ଉଢ଼ାଳରେ ରଖାଯାଇଛି ଓ ସେହି କାରଣରୁ ତା’ର ଆକର୍ଷଣ ବେଶି । ତାହାରି ପ୍ରତି ଇଙ୍ଗିତ ହେଲେ ହେଲା । ଏ ଅତି ଆଦିମ, ଅଶିକ୍ଷିତ, ମରହଟୀ କାଳର ଥଟ୍ଟା ନକଲ ଅଧିକାଂଶ ଏ ଶ୍ରେଣୀରେ ଥିଲା । ସାହିତ୍ୟରେ କେବେ କେବେ ଏପରି ହସ-ରସ ଦେଖାଯାଏ–ଯେପରି ଧୁର୍ମୂଷ ଧର୍ମ୍ମାଙ୍କ ‘‘ସ୍ୱପ୍ନରେ ରାଜଯୋଗ’’ ରେ ।

 

ଯଦୁମଣିଙ୍କ ହସ ପେଡ଼ି, ପ୍ରହରାଜଙ୍କ ଲେଖା ବାଦ୍‌ ଦେଲେ ଓଡ଼ିଆ ସାହିତ୍ୟରେ ହସ ବିରଳ; କିନ୍ତୁ ବିଦେଶୀ ସାହିତ୍ୟରେ ହସ ଗୋଟିଏ ବଡ଼ ଉପାଦାନ ! ଆମ ସାହିତ୍ୟରେ ହସ ଅଭାବ ହେବା କାରଣ ଏପରି ନୁହେଁ ଯେ, ଆମେ ବେଶି ଗମ୍ଭୀର । କଥାବାର୍ତ୍ତା, ଚାଲିଚଳନ, ସାଧାରଣ ଜୀବନରେ ଆମେ ଏପରି ହସପ୍ରିୟ ଯେ, ଆମ ସାହିତ୍ୟରେ ତା’ର ପ୍ରଭାବ ପଡ଼ି ନାହିଁ, ଶୁଣି କେହି ବିଶ୍ୱାସ କରିବ ନାହିଁ । ସାହିତ୍ୟରେ ହସ ଅଭାବର କାରଣ ହେଉଛି, ହସକୁ ହେୟ, ତୁଚ୍ଛ, ଉଚ୍ଚ ସାହିତ୍ୟ ଲାଗି ଅଯୋଗ୍ୟ ମଣି ସେ ବିଷୟରେ ଆମେ ଉଦାସୀନ ରହିଥାଇଁ । ସାହିତ୍ୟ ବିଚାରରେ ହସର ଗୋଟାଏ ମହତ୍ତ୍ୱ ଅଛି, ଏ ଧାରଣା ଆମ ଦେଶରେ ନୂଆ ଯୁଗର ।

 

ସାଧାରଣ ଲୋକହସା ଉପାଦାନ ଛାଡ଼ି ହସରସ ପ୍ରଧାନ ତିନି ରୂପରେ ଦେଖାଯାଏ-(୧) ବ୍ୟକ୍ତି, ଚରିତ୍ର (୨) ଭାଷା (୩) ବିଷୟ ବା ଅବସ୍ଥା । ଦୁର୍ବଳତା, ହୀନତା, ପାପ, ସମାଜର ଭଦ୍ରତା ବିରୁଦ୍ଧରେ ଦୋଷ, ଏ ବିଷୟରେ ଯାହା ଦେଖିଥାଇଁ, ବ୍ୟକ୍ତି, ଚରିତ୍ର ଲାଗି ତା ଉପଯୋଗୀ ।

 

‘‘ଶୋଇଥିଲ ନା ଚେଇଁ— ’’

 

‘‘କଣ କହିଲ । ଚୁଇଁ ! ଚୁଇଁ !’’ ପଣ୍ଡିତେ ‘‘ଚୁଇଁ’’ କହିଲେ ଚଳନ୍ତି । (ନିଷ୍ପତ୍ତି)

 

ଭାଷାରେ ହସ ଫୁଟାଇବା ବରଂ ସହଜ । ଅନେକ ଉପାୟରେ ଲେଖକ ଭାଷାରେ ହସ ଆଣନ୍ତି । ଜାଣି ଜାଣି ଭୁଲ୍‌ କରି ଯଥା—ଚିଲିକାର ଧାତୁ ପ୍ରତ୍ୟୟ, Chilly (ଥଣ୍ଡା) ଅସ୍ତ୍ୟର୍ଥେ ଇକା ପ୍ରତ୍ୟୟ; (ନିଷ୍ପତ୍ତି-କାହ୍ନୁଚରଣ ମହାନ୍ତି) । ସଂସ୍କୃତ ଶବ୍ଦ, ବାରମିଶା ବ୍ୟବହାର, ଗୁରୁଗମ୍ଭୀର ବାକ୍ୟ ଦ୍ୱାରା, ଯଥା—

 

‘‘ଲମ୍ବା ଦାଢିଂ ସ୍ୱହସ୍ତେ ଧରି ଅଳପେ ତହୁଁ

ବୋଇଲେ ଶ୍ରୂୟତାଂ ହେ

ତୁମ୍ଭେ ବ୍ରହ୍ମା ସ୍ୱ ତୁଣ୍ଡେ କହିଗଲଟି ଯଉଁ

ଶ୍ଲୋକଜାଳଂ ସରାଗେ

ତାହାଂ ଶ୍ରୁତ୍ୱା ପୁନଃ କେ ରଖିବଟି ରତିଏ

ରୋଷ ନିଶ୍ଚିନ୍ତ ଭୂୟାଃ ।’’

 

(ଦେଶୋତ୍‌ଠେଲଣକର୍ମା)

 

ଅପଭ୍ରଷ୍ଟ ଭାଷା, ସ୍ୱାଭାବିକ ଅଶୁଦ୍ଧି ମଧ୍ୟ ହସର ଉପାଦାନ ହୁଏ । ଫକୀରମୋହନଙ୍କ ‘‘ମାମୁଁ’’ ଉପନ୍ୟାସରେ ବିଶାଖା ଦେଇ ଲେଡ଼ି କ୍ୟାନିଂଙ୍କୁ କହନ୍ତି, ଲେଣ୍ଡୀକାନୀ; ହରିବୋଲ ବାରିକ କମିସନର ଶବ୍ଦକୁ କହେ କମିଷ୍ଟନ । ଫକୀରମୋହନ ହସ ଲାଗି ବାରମିଶା ଭାଷା ମଧ୍ୟ ବ୍ୟବହାର କରିଛନ୍ତି—

 

‘‘ଯେମନ୍ତ ମିରିପିକାଇଲୁ ବୋଇଲେ ଲଙ୍କାମାରିଚା ତୀବ୍ର ଥାଉଛି, ମାତ୍ର ପୃଥିବୀର ସର୍ବଶ୍ରେଷ୍ଠ ଖାଦ୍ୟ ଥାଉଛି, ଲଙ୍କାମାରିଚା ଆଉ ଦର୍ଶନଶାସ୍ତ୍ର ନ ଥିଲେ ମାନବାଲୁ ରକ୍ଷା ପାଇବାର ନାହିଁ ଏକ୍‌କା ।’’ ଓଡ଼ିଆ ସାହିତ୍ୟରେ ହସମିଶା ଭାଷାରେ ପ୍ରହରାଜେ ଗୋଟିଏ ନୂଆ ଉପାୟ ବାହାର କରିଛନ୍ତି, ଯାହା ଅନ୍ୟ ସାହିତ୍ୟରେ ନାହିଁ ! ତା ହେଉଛି ଅତିରିକ୍ତ ବର୍ଣ୍ଣନା କରି ତାରି ଉପରେ ଛୋଟ ବଡ଼ ସବୁ କଥା ଖୁନ୍ଦିଦେବା । ଧୁର୍ମୂଷ ଧର୍ମ୍ମାଙ୍କ ରାଜଯୋଗ ଅବଶ୍ୟ ବୀଭତ୍ସ-ରସ, ଅପ୍ରିୟ ଅଶ୍ଳୀଳତାରେ ସ୍ଥାନେ ସ୍ଥାନେ କଦାକାର ହୋଇଯାଇଛି; କିନ୍ତୁ ଏ ନୂଆ ଉପାଦାନଟି ତହିଁରେ ପୂର୍ଣ୍ଣମାତ୍ରାରେ ଅଛି–‘‘ଆମ ରାଜବଂଶରେ ମାନ୍ଧାତାଙ୍କ ଅମଳରୁ ଯେଉଁ ଅନ୍ତର, ଭ୍ରାତାନ୍ତର, ଜାତ୍ୟନ୍ତର, ପାକାନ୍ତର, ବାସାନ୍ତର, ରସାନ୍ତର ଆଦି ‘ଅନ୍ତର’ ପୁଅ ପ୍ରଥା ଅଛି .....’’

 

‘‘ଦେଖିଲା ମାତ୍ରେ ଠଉରାଇ ହେବ ଳଲିତ-ଯୌବନା କି ପଳିତ-ଯୌବନା କି ସ୍ଖଳିତଯୌବନା କି ଲୁଳିତଯୌବନା କି ଟଳିତଯୌବନା କି ଦଳିତଯୌବନା କି ମଳିତଯୌବନା’’ ଇତ୍ୟାଦି ।

 

ହସର ଆହୁରି ଗୋଟାଏ ଉପାୟ, ତିଳ କୁ ତାଳ କରିବା ଅତିରିକ୍ତ ବର୍ଣ୍ଣନା । କୌଣସି ଗୋଟିଏ ଉପାଦାନକୁ ଏପରି ଭାବରେ ତିଳ- ତାଳ ପ୍ରମାଣେନ ବଢ଼ାଇଲେ ଯେଉଁ ଅସାଧାରଣ ଅସାମଞ୍ଜସ୍ୟ ହୁଏ, ତହିଁରୁ ହସ ହୁଏ । ଓଡ଼ିଆରେ ଥଟ୍ଟା, ଟାପରା ଶ୍ରେଣୀରେ ଯେଉଁ ‘‘ନକଲ’’ ଶବ୍ଦ ଅଛି, ତାହାର ମୂଳ ଅର୍ଥ ଏହା ହିଁ । ପ୍ୟାରୋଡ଼ି କବିତାରେ ଏପରି ଉଦାହରଣ ମିଳେ । ଯେପରି–

 

‘‘ଚାହିଁ ଚାହିଁ ତୋ ସରଣୀ କକୁଭକୁ ରେ ତରୁଣି

ଚଣା ମୁଁ ଚୋବାଉଥିଲି ବସି ରେ ଚିଲା-ଆଖି ।’

 

(କବି ହନୁମନ୍ତ ନକଲନବିଶ୍)

 

‘‘ପଥ ଛାଡ଼ି ଦେ ଯିବି ମୁଁ ଓଲ ଖୋଳି,

ଆରେ ବନମାଳି

ମୁଁ ତ ସାନ ସାଆନ୍ତଙ୍କ ଟିକି ଶାଳୀ

ଆରେ ବନମାଳି ।’’

 

ଗୁରୁଗମ୍ଭୀର ହୋଇ ଛୋଟ ଛୋଟ ବିଷୟ ବର୍ଣ୍ଣନା କଲେ ହସ ଆସେ । ଦୁଇ କଳିହୁଡ଼ୀଙ୍କ କଜିଆକୁ ରାମ-ରାବଣ ଯୁଦ୍ଧ ସଙ୍ଗେ ତୁଳନା କଲେ, ଖଣ୍ଡିଆ ବିଡ଼ି ବିଷୟରେ କବିତା ଲେଖିଲେ, ଇତ୍ୟାଦି ।

 

ତିଳ-ତାଳ ଉପାୟ ଛାଡ଼ି ଠକାମି, ଧପାବାଜି, ଅନ୍ୟର ଭୁଲ, ଏସବୁ ହସର ବିଷୟ—ଅବସ୍ଥାରେ ବ୍ୟବହୃତ ହୁଏ । ବିଦେଶୀ ସାହିତ୍ୟରେ ହସର ଅଧିକାଂଶ ଉପାଦାନ ହେଉଛି ଭ୍ରମ, ଭୁଲ; ଭଣ୍ଡାମି, ଧପ୍‌ପାବାଜି । ଆମ ଦେଶରେ ଏହି ସବୁ ଅଧିକାଂଶ ବିଷୟ ଉପାଦାନ । ଲଙ୍ଗୁଳୀ ଗୋସାଇଁଙ୍କ ସମାଧି ଆଗରେ ଉପାଧିଆ ପଡ଼ି ନଖି ଓଝା ଡାକିଲା, ‘‘ହେ ଠାକୁରେ, ମୋ ଗୁହାରି ଶୁଣ ।’’ କିଆବୁଦା ସେ ପାଖୁ ହଂସନାଥ ହାଙ୍କିଲେ, ‘‘ହୁଁ–ହୁଁ–ହୁଁ–ଉଁ–ଉଁ !’’ କଦମ ଦାଣ୍ଡରେ ହଂସନାଥଙ୍କୁ ନଖି ଓଝା କହିଲା, ‘‘ଠାକୁରେ ଆଜି ଜବାବ୍‌ ଦେଲେ ।’’ ହଂସନାଥେ କହିଲେ, ‘‘ଗୁରୁବାର ସକାଳେ ସମାଧି ଆଗରେ ହାଣ୍ଡିଏ କଟକ ମିଠାଇ ଥୋଇ ଏକମୁହାଁ ହୋଇ, ଆଗକୁ ଚାହିଁ ଏକାଦମ୍‌କେ-ବୁଝିଲୁ, ପଛକୁ ଚାହିଁବୁ ନାହିଁ ।’’ ଗୁରୁବାର ଦିନ ହଂସନାଥେ ବାଳଲୀଳା କରାଇଲେ । ଏପରି କେତେ ଠକାମି ହସର ଉପାଦାନ ହୁଏ ।

 

ହସ ଆଉ କାନ୍ଦ ବେଶୀ ତଫାତ୍ ନୁହେଁ; ଖାଲି କଥାଟାକୁ ଭାବି ଦେଖିବାର ଦୁଇଟା ଅଲଗା ଅଲଗା ଉପାୟ । ଗୋଟାଏ ଘଟନାରେ ଜଣେ ହସି ହସି ଗଡ଼ିଯାଏ, ଜଣେ ଦୁଃଖରେ ମରମେ ମରମେ ଦହି ହୁଏ । କାଲିକା କଥା; ଚମ୍ପୀକୁ ଯେଉଁ ଦିନ ଦୁର୍ଗାଚରଣ ଠକିଲା । ସ୍ୱାମୀ କେଉଁ କାଳୁ କଲିକତା ଗଲାଣି, ମୁହଁଟି ବି ଦୂର ଅତୀତର କୁହୁଡ଼ି ତଳେ ଲୁଚିଗଲାଣି, ହଠାତ୍ ଜାଲ୍ ଚିଠି–ସେ ଆସୁଛନ୍ତି । ଚମ୍ପୀର ଗୋଡ଼ ତଳେ ପଡ଼ୁ ନାହିଁ । ସୁଟ୍‌କେଶ୍, ବାଡ଼ି, ଟର୍ଚ୍ଚ ଘେନି ଯେତେବେଳେ କଲିକତିଆ ଭାଇ ପରି ଦୁର୍ଗାଚରଣ ପହଞ୍ଚିଲା, ଚମ୍ପୀ କେତେ ବାହୁନିଲା । ଶେଷରେ ଯେତେବେଳେ ଦୁର୍ଗାଚରଣ ଠକାମି ଛାଡ଼ି ଚମ୍ପୀ ହାତକୁ ଓଟାରି ହସି ହସି ଗଡ଼ିଗଲା, ଚମ୍ପୀ ବିଛଣା ଧରିଲା, ଗାଁ ଗୋଟାକ ହସି ହସି ଗଡ଼ିଲେ । କବି କାନ୍ଦେ; ହସେ ନାହିଁ । ତା’ର କଳା ଏହି କାନ୍ଦ ଭିତରେ । ସଂସାରର ସବୁ ଦୁଃଖ ତା ମରମରେ ଆଘାତ କରେ । ଯେ ହସେ, ସବୁ କଅଁଳ ମରମ ଭାବ ଚାପି ରଖି, ତା’ର ବି କଳା ଅଛି । ତା କଳା ତା ହୃଦୟର, ସହାନୁଭୂତିର, ଚରମ ସମାଧି ଭିତରେ । ସବୁ ତା’ର ସରିଛି, ଆଖିର ଲୁହ ତତଲା ପବନରେ ଉଡ଼ି ବୁଲୁଛି । ହୃଦୟର ଭାବପ୍ରବଣତା ନାହିଁ, ତା ପରେ cynic କବି–ଖାଲି ହସ–‘‘ହେଃ ! ଜହ୍ନ ଆଲୁଅଟା–କେଡ଼େ ବଡ଼ । anachronism । ଆଉ ପଙ୍ଗତପରି ଏ ମଣିଷ ଜାତିଟା–ହାଃ–ହାଃ–’’ ହସି ହସି ଗଡ଼ିଯାଏ, ପବନ ଦୋହଲି ହସି ହସି ଗଡ଼ିଯାଏ, ନଈ ଜଙ୍ଗଲ ପାହାଡ଼ ଉପରେ । ଫୁଲଗୁଡ଼ାକ ଢଳି ଢଳି ହସି ଉଠେ; ଆଉ ଝରି ପଡ଼େ ସୁବାସମଖା ଟୋପା ଟୋପା କାକର, ଫୁଲର ଲୁହ !

Image

 

Unknown

କଳା-ଶକ୍ତି

 

ନାଁ ଟି ତା’ର ‘କଳା’ ।

 

ମିଡ଼ିୟମ୍‌ ଉପରେ ପ୍ରେତାତ୍ମା ପରି ସାଧାରଣ ମାନବ ଉପରେ ଅବତରୁଥିବା କବିତାର ଆତ୍ମା, ଗୋଟାଏ ମୂର୍ଚ୍ଛନା, ଗୋଟାଏ ସ୍ପନ୍ଦନ, ଗୋଟାଏ ଅତୀନ୍ଦ୍ରିୟ ବିକାଶ । ପରିଚୟ ଯଦିବା ମିଳେ, ସେ କେବଳ ପ୍ରକାଶରୁ; ତା ପୁଣି ନିଶ୍ଚୟ ନୁହେଁ । ସରସ ଚିକ୍‌କଣ ପତ୍ରରେ ଗଛନଟା ଝିକିମିକି କରେ । ଫୁଲର ହସ ଭିତରେ ସୌରଭ ପରି ବେଳେବେଳେ ଅଜଣା ପୁଲକ ଜାଗେ । ସୃଷ୍ଟିର ପ୍ରାଣୀ ଆପେ ଆପେ ଚମକି ଚାହେଁ, ବସନ୍ତ ଆସିଲା । କୌଣସି ଲେଖା ନାହିଁ, କୌଣସି ବାହାରର ପ୍ରମାଣ ନାହିଁ, ପ୍ରମାଣ ନିଜକୁ ନିଜେ । ଠିକ୍ ସେହିପରି ଶିଳ୍ପୀଙ୍କ ଆଗମନ । ହଠାତ୍‌ ଯେ ବିଶ୍ୱ ବୁଝିବ, ସେପରି ନୁହେଁ । କେତେ ଦିନ ଶୀତରେ ଥରି ହୁଏତ ଚୋରା ବସନ୍ତର ନୀରବ ଅଭିଯାନ ସହଜେ ଆଖିରେ ବାରି ହୁଏ ନାହିଁ । ପୂର୍ବର ସଂସ୍କାର ଓ ପରିସ୍ଥିତିରେ ବଢ଼ି ପୁରାତନ ଧରଣ ଦେଖିବା ଯେଉଁ ଆଖିର ଅଭ୍ୟାସ, ଅନାହୂତର ଆଗମନ ସ୍ୱପ୍ନରେ ଯେ ପ୍ରତ୍ୟାଶା କରିନାହିଁ, ନୂଆ ଶିଳ୍ପର ବିକାଶ ସହଜେ ସେ ବାରିପାରେ ନାହିଁ; ଜାଣିଲେ ମଧ୍ୟ ଜାଣେ ନାହିଁ, ବିଶ୍ୱାସରେ ଭରାଦେଇ ଉପେକ୍ଷା କରି ଚାଲିଯାଏ । ତେଣୁ ସମସାମୟିକମାନେ ଶିଳ୍ପୀଙ୍କର କଳା-ଶକ୍ତି ବିଷୟରେ ଧାରଣା କରି ପାରନ୍ତି ନାହିଁ; କିନ୍ତୁ ଶିଳ୍ପୀର ବିଜୟ ଯେବେ ଧରାପଡ଼େ, ଶୁଆରୀ ଡାକ ଯେବେ କାନରେ ପଶେ, ଶଙ୍ଖଟା, ହୁଳହୁଳିଟା, ଅର୍ଘ୍ୟଚନ୍ଦନ, ଏ ତ ସାଧାରଣ କଥା !

 

ଯେଉଁ ମଣିଷ କଳା-ଆତ୍ମାର ମିଡ଼ିୟମ୍‌ ହୋଇଛି, ସାଧାରଣ ସଂସାର ଘରକରଣାରେ ତା’ର ବିଶେଷ ପରିବର୍ତ୍ତନ ଘଟେ ନାହିଁ । ସେହି ଘରସଂସାର, ସେହି ଦୈନ୍ୟ, ସେହି ବୁଦ୍ଧି । ପୋଷା ବିରାଡ଼ି କାଗଜପତ୍ର ଉପରେ ଗାଦିମାଡ଼ି ବସେ; ସେ ତ କିଛି ଜାଣେ ନାହିଁ । ଚାକର ନିଜର କାମ କରି ଚାଲିଯାଏ; ସେ ତ କିଛି ବୁଝେ ନାହିଁ । ହୁଏତ କଳା ଦାଉରେ ଶିଳ୍ପୀ ଟିକିଏ ଅନ୍ୟମନସ୍କ ହୁଅନ୍ତି; କେତେବେଳେ ବା ସଂସାର ଆଖିରେ ଅତି ଜଡ଼, ଅତି ଅପାରଗ । ସେ ତ ଗୋଟାଏ ଗୁଣର ପରିଚୟ ନୁହେଁ, ହୁଏ ତ ଅତି ନଗଣ୍ୟ, ଅତି ଦରିଦ୍ର, ସେ ବି ଆଖି ଟାଣିବାର ଉପକରଣ ନୁହେଁ । ଭିତରକୁ ଚାହିଁ ଦେଖିବାକୁ କାହାରି ଶକ୍ତି ନାହିଁ । କାଳିରେ ମାଛି ପଡ଼େ, କଲମ ମୁନରେ ଅଲିଅଳ ଶିଶୁ ଦାନ୍ତ ପରଖ କରେ, ଲେଖା କାଗଜ ଏଣେ ତେଣେ ଉଡ଼ିବୁଲେ । ବାହାରର ଗଦ୍ୟମୟ ପରିସ୍ଥିତି ବଦଳେ ନାହିଁ । ତା’ର ପ୍ରୟୋଜନୀୟତା ଅନ୍ୟମାନେ ବୁଝନ୍ତି ନାହିଁ । ଧୋବା ଲୁଗା ମାଗେ, କାବୁଲିବାଲା ଟଙ୍କା ପାଇଁ ତାଗଦା କରେ ବିଶେଷତ୍ୱ କିଛି ନାହିଁ ।

 

କେଉଁ ଉପାୟରେ କ’ଣ ପ୍ରକିୟା ଘଟୁଛି, ଶିଳ୍ପୀ ନିଜେ ଜାଣିପାରେ ନାହିଁ । ନିଜର କେଉଁଠି ଉତ୍କର୍ଷ, କେଉଁଠି ଅପକର୍ଷ, ସେ ଜ୍ଞାନ ଜ୍ଞାତସାରରେ ଜନ୍ମେ ନାହିଁ । ସେତେବେଳେ ଶିଳ୍ପୀଗୋଟାଏ ଆବେଶରେ । ହୁଏ ତ ରୁଚି ଆପେ ଆପେ କଳା ଖୋଜି ଚାଲେ । ହୁଏତ କେତେ କଥା ନୂଆ ଆଲୋକରେ ସେ ଦେଖେ । ସୂକ୍ଷ୍ମ ଅନୁଭୂତି ତା’ର ଆସେ, ଯାହା ସାଧାରଣ ଜଗତର ମୋଟା ଆଙ୍ଗୁଠି ଫାଙ୍କରେ ଖସିଯାଏ, ଶିଳ୍ପୀ ପାଖରେ ସେ ଆପେ ଧରାଦିଏ । ଯାହା ସାଧାରଣ ଉପାଦାନ, ତା ଭିତରୁ ଶିଳ୍ପୀ ନୂଆ ରସ ପାଏ–ଯାହା ଅନ୍ୟମାନେ ପାଇ ନ ଥିଲେ । ପ୍ରକୃତି ? ସମସ୍ତେ ଦେଖୁଛନ୍ତି, ଗାଈଆଳ ଟୋକା ଦେଖିଛି, ଘାସ ଉପରେ ଘାସ, ବିଲରେ ସଞ୍ଜ ଆଲୁଅ ତଳେ ସବୁଜ କ୍ଷେତ ଉପରେ ଢେଉ; ପହିଲି ଅସରାରେ ଶୁଖିଲା ମାଟିର ସୌରଭ ସେ ଚାଖିଛି । କାଠକଟାଳି ଚିହ୍ନିଛି, ବଣ-ଜଙ୍ଗଲ, ହରିଣ-ଠେକୁଆ, ବାଘ-ଭାଲୁ । ଜୀବନ ? ଶହେ ବର୍ଷର ଅନୁଭୂତି ବୋଝରେ ନଇଁ ପଡ଼ିଛି । ହାଡ଼ଚମର ଶୁଖିଲା ପ୍ରାଣୀ, କେତେ ଓଲଟ ପାଲଟ ଦେଖି ଦେଖି ଆଖିରୁ ପାଣି ମରିଛି । କବିର ତ ଗାଈଆଳ, କାଠକଟାଳି, ଲୋକନାଥ ବୁଢ଼ା ହେବା ଆବଶ୍ୟକ ହୁଏ ନାହିଁ । ଏମାନଙ୍କ ଅଭିଜ୍ଞତା ଆଗରେ ତା ଅଭିଜ୍ଞତା କେଡ଼େ ଛୋଟ ବୋଲି ଜଣାପଡ଼େ; କିନ୍ତୁ ଏମାନେ ଦେଖି ଦେଖନ୍ତି ନାହିଁ । ନଈ ତ ନଈ; ଆକାଶ ଆକାଶ, ଯେପରି କାଠ ତ କାଠ, ଏମାନେ ବାହାରଟି ଭଲ ଚିହ୍ନନ୍ତି; କିନ୍ତୁ ଏମାନଙ୍କ ଆଖିରେ ସବୁ ଜଡ଼, ନିର୍ବାକ୍‌ । କବିର ବେଶି ଅଙ୍ଗେ ନିଭାଇବା ପ୍ରୟୋଜନ ହୁଏ ନାହିଁ, ଶିଳ୍ପୀଶକ୍ତିରେ ତାଙ୍କର ଅନ୍ତର୍ଦୃଷ୍ଟି ଆସେ । କବି-ଅନୁଭୂତି ସୂକ୍ଷ୍ମ ଯେପରି, ପ୍ରବଳ ସେହିପରି; କବି ଅକବି ଭିତରେ ପ୍ରଭେଦ ଅନୁଭୂତିର ଗୁଣ ଘେନି ।

 

ଯଦି ଶିଳ୍ପୀ-ଶକ୍ତିର ମୂଳ ହୁଏ କେବଳ ଅନୁଭୂତି, ତା ହେଲେ କହିବାକୁ ହେବ ଯେ, ଊଣା ଅଧିକେ ସମସ୍ତେ କବି, ସମସ୍ତେ ଶିଳ୍ପୀ । ବାସ୍ତବିକ ତାହା ସତ । ସମୟବିଶେଷରେ ଯେତେବେଳେ ଯାହାର ଅନୁଭୂତି ସୂକ୍ଷ୍ମ ହେବ, ପ୍ରବଳ ହେବ, ମନ ଭିତରେ ଅଜଣା ପ୍ରେରଣା ଫଳରୁ, ସେତେବେଳେ ତା’ର ପ୍ରକାଶ ନ ଥିଲେ ହେଁ ସେ କବି । ଏପରି ଅନୁଭୂତି ସମସ୍ତଙ୍କର ବେଳେବେଳେ ଆସିଥାଏ । ପ୍ରକାଶ ନ ଥିବାରୁ ହଳୁଆ ମନକୁ ମନ ଅବୋଧ ଗୁଣୁଗୁଣୁରେ ମୂର୍ଚ୍ଛନାର ଶକ୍ତିକୁ ପ୍ରକାଶ କରେ; ଗାଈଆଳ ଟୋକା ସ୍ତବ୍‌ଧ ହୋଇ କ୍ଷଣେ ଚାହେଁ- ଘାସ ଭିତରେ ଯେପରି କଅଣ ଅପ୍ରକାଶ୍ୟ ପ୍ରଭାବ ତା’ର ମନକୁ ଘଣ୍ଟା ଚକଟା କରି ଚାଲିଯାଉଛି; କିନ୍ତୁ ମୁହୂର୍ତ୍ତେ ! ପର ମୁହୂର୍ତ୍ତରେ ସେ ସପନ ଉଭେଇ ଯାଇ ଶିଳ୍ପୀ ହୁଏ ସାଧାରଣ ଗାଈଜଗୁଆଳ ଟୋକା । କେତେବେଳେ ଦୁଇଟୋପା ଲୁହ, ଢଳଢଳ ଆଖି, ତୁଚ୍ଛାକୁ ଗୋଟାଏ ଆନନ୍ଦ, ଆଉ ‘‘ବାଃ ବାଃ’’, ଏତିକିରେ ଭିତରର ପ୍ରେରଣା ଆପଣାକୁ ଫୁଟାଇ ନିଭିଯାଏଁ । ଯେଉଁ ବେଳରେ ଅନ୍ତରର ଉଚ୍ଛ୍ୱାସ ନାହିଁ, ସ୍ୱପ୍ନ ଅନୁଭୂତିର ମୋହ ନାହିଁ, ମୂର୍ଚ୍ଛନା ନାହିଁ, ସେ ଅବସ୍ଥାରେ ଶିଳ୍ପୀ ନାହିଁ ।

 

କବିତାର ଆତ୍ମା ଆସେ ବିଶେଷ ଅବସ୍ଥାରେ, କିନ୍ତୁ ପ୍ରକାଶ ନ ପାଇଲେ କିଏ ଚିହ୍ନୁଛି ? ପ୍ରକାଶ ପାଇଲେ ଅନ୍ୟମାନେ ଭାଗ ନିଅନ୍ତି, ଭବିଷ୍ୟତ୍‌ ଲାଗି ସଞ୍ଚି ରଖିବାକୁ ବ୍ୟବସ୍ଥା କରାଯାଏ । ପ୍ରକାଶ ଲାଗି ଏପରି ଉପାୟ ସମ୍ଭବି ନାହିଁ, ଯହିଁରେ ଦର୍ପଣ ଉପରେ ପ୍ରତିବିମ୍ବ ପରି ଶିଳ୍ପୀ-ମନର ଗୋପନ ପ୍ରକ୍ରିୟା ପ୍ରକାଶିତ ହୋଇ ପାରିବ, ଜଣକର ମନୋଭାବ ଆଉ ଜଣେ ଅବିକଳ ବୁଝିପାରିବ । ତଥାପି ଯାହା କିଛି ପ୍ରକାଶ ଲାଗି ଉପାୟ ରହିଛି, ତାହାରି ସାହାଯ୍ୟରେ ଶିଳ୍ପକୁ ସଞ୍ଚି ରଖିବାକୁ ହେବ । ତାଳପତ୍ର ବିଡ଼ାରେ ଲେଖନ ମୁନରୁ ଦୁଇଧାଡ଼ି, କୋଣାର୍କ ମନ୍ଦିରରେ ପଥର ଉପରେ ଦୁଇଗାର, ପୃଥିବୀକୁ ଶିଳ୍ପୀର ଏତକ ମହାଦାନ । କି ଅନୁଭୂତିରେ, କେଉଁ ସ୍ୱପ୍ନର ଛାୟା ପ୍ରକାଶି ବସି ପଥର ଉପରେ ହାତ ଥରି ଉଠିଥିଲା, କିଏ କହିବ ? ବୁଝାଇବାକୁ ଶିଳ୍ପୀ ବଞ୍ଚି ନାହିଁ; ଥିଲେ ମଧ୍ୟ ବୁଝାଇବା କଷ୍ଟକର ହୋଇଥାନ୍ତା । କଳାର ମୂର୍ଚ୍ଛନା ତ ଜ୍ଞାତସାରରେ କ୍ରିୟାଶୀଳ ହୁଏ ନାହିଁ; ତଥାପି ଯାହା ପ୍ରକାଶ ପାଇଲା, ସମସ୍ତେ ତାରି ହିସାବ ରଖିବେ । ଅନ୍ୟମାନଙ୍କୁ କେହି ପଚାରିବେ ନାହିଁ । ଶିଳ୍ପୀ-ଆତ୍ମା କଳାର ମୂର୍ଚ୍ଛନା ଦୁଆରେ ଦୁଆରେ ଉପାଧିଆ ପଡ଼ି ପ୍ରକାଶ ଲୋଡ଼ିଥିଲା, ସୃଷ୍ଟି ଚାହିଁଥିଲା । ସେମାନଙ୍କ ଦ୍ୱାରା ରୁଦ୍ଧ ଥିଲା, ଚିରଯୁଗ ରୁଦ୍ଧ ରହିବ, ପାଉଁଶ କଥା କହିବ ନାହିଁ ।

 

କଳାର ବିକାଶ ଲାଗି କଳାର ଆତ୍ମା ଯେପରି ଲୋଡ଼ା, ଉପାଦାନ ସେପରି ଲୋଡ଼ା । ଉପାଦାନ ହୁଏ କଙ୍କାଳ, ତାରି ଭିତରେ କବି-ଶକ୍ତି ହୁଏ ଜୀବନ । ଏ ଉପାଦାନ ଅଭିଜ୍ଞତାରୁ ଯେପରି ଆସେ, କଳ୍ପନାରୁ ସେପରି ଆସେ । ଯେଉଁ ପରିସ୍ଥିତିରେ ଶିଳ୍ପୀ ବଢ଼ି ଆସିଛି, ଯାହା ତା’ର ଦେଖାପରଖା, ଜଣାଶୁଣା, ପରିଚିତ, ସେ ଯେପରି ଉପାଦାନ ହୁଏ–କଳ୍ପନା ସେହିପରି । କଳ୍ପନାରେ ମଧ୍ୟ ଅଭିଜ୍ଞତା ରହିଛି; କେବଳ ଖଞ୍ଜା ହେବାର ଭିନ୍ନ ଧରଣ । ଆହୁରି କଳ୍ପନାରେ ଅଛି କଳା-ଶକ୍ତିର ଅବତାର ଫଳରୁ ଗୋଟାଏ ସ୍ୱପ୍ନ । ଏ ସବୁ ଏକାଠି କରି ସଜାଇ ରଖିଲେ, ଖାଲି ଦୁନିଆ ମଝିରୁ ଅନୁଭୂତି ଗୋଟାଇ ଭଣ୍ଡାର ଭରିଲେ କଳାଗଢ଼ା ହେବ ନାହିଁ । କଳାର ଆତ୍ମା ଆଶ୍ରା କରିବା ଆବଶ୍ୟକ । ଯେତେବେଳେ ତା ଆସେ, ପ୍ରଥମ ଆବେଗର ହୁଏ ସୃଷ୍ଟି । ‘‘କେତେ କ’ଣ ବାକି ପଡ଼ିଛି, ଏ ନୂଆ ଦୃଶ୍ୟ କେହି କ’ଣ ଦେଖିଛି ? ବିରାଟ ସୃଷ୍ଟିର ଅପ୍ରକାଶିତ ଭାଷା ପ୍ରକାଶିବାକୁ ହେବ, ନୂଆ ସର୍ଜନ କରିବାକୁ ହେବ ।’’ ସେ ପର୍ଯ୍ୟନ୍ତ ତର ସହେ ନାହିଁ । ଏ ଯେପରି ଗୋଟାଏ ଦାୟିତ୍ୱର ବୋଝ-ସଂସାର ପ୍ରତି ଦାୟିତ୍ୱ, ଅସୀମ ସ୍ରଷ୍ଟାଙ୍କର ଅଂଶ ଲଭିବା ଦାୟିତ୍ୱ । ସବୁ ପ୍ରବୃତ୍ତି ଗୋଟିଏ ଆଡ଼କୁ–ସୃଷ୍ଟି । କେବଳ ତହିଁରେ ଆନନ୍ଦ, କାର୍ଯ୍ୟ ମାତ୍ରକେ । ଫଳ କ’ଣ ହେବ, ଶିଳ୍ପୀ ଭାବିବାକୁ ଅବସର ପାଏ ନାହିଁ । କଳା ତ ମୂର୍ଚ୍ଛନାର ଉତୁରା ପେଜ ।

 

ଚିର ନୂତନ ଚିର-ତରୁଣ କଳା ଯେଉଁମାନଙ୍କଠାରେ ପ୍ରକାଶ ପାଇଥାଏ, ସେମାନଙ୍କର ବିଶେଷ ପ୍ରତିଭା । ଏ ଗୋଟାଏ ସ୍ୱୟଂପ୍ରକାଶ, ବିଚାର ବୁଦ୍ଧିରେ କହି ହେବ ନାହିଁ–କେଉଁ ପରିସ୍ଥିତିରେ, କେଉଁ ଉପାୟରେ କଳାଶକ୍ତିକୁ ଉଦ୍‌ବୋଧନ କରିହେବ । ଆସୀମ ଆର୍ଦଶର କ୍ଷଣିକ ଛାୟାପାତ, ସ୍ୱାଧୀନ ଅବତାର, କାହାରି ଆଜ୍ଞାଧୀନ ନୁହେଁ-ଇଚ୍ଛାର ଦାସ ନୁହେଁ; ତହିଁରେ କାହାରି ଆୟତ୍ତ ନାହିଁ । ସ୍ୱଇଚ୍ଛାରେ ପ୍ରକାଶ, ସ୍ୱୟଂ ବିଲୟ । ବାଣୀ-ପୂଜା, ବାଣୀଆବାହନ, ପୁରୁଣା କାବ୍ୟକବିତାରେ ପ୍ରଥମେ ଯେଉଁ ବୀଣାପାଣି ସ୍ତୁତି ପ୍ରଭୃତି ଦେଖାଯାଏ, ସେ ସବୁ କଳାର ସ୍ୱାଧୀନ ପ୍ରକାଶ ପ୍ରତି ସମ୍ମାନର ଅର୍ଘ୍ୟ ! ଯେପରି କି ପ୍ରାଚୀନ କବି ଜାଣିଥିଲେ, ଯଥାସାଧ୍ୟ ଚେଷ୍ଟାସତ୍ତ୍ୱେ ଅନାୟତ୍ତ ମୂର୍ଚ୍ଛନା ବିନା କଳାପ୍ରକାଶ ଅସମ୍ଭବ । ହୁଏତ ଶିଳ୍ପୀ ନିଜେ ବୁଝେ ନାହିଁ । ଉପନ୍ୟାସ ଲେଖିଲେ ମାନସପଟରେ କେତେ ଚରିତ୍ର ଜୀବନ ପାଇ ଉଠି ବସନ୍ତି, ଦୂର ଅତୀତର ଅନ୍ଧାର ଭିତରୁ, ଆଦର୍ଶ ଭିତରୁ, ଚାରିପାଖର ପରିସ୍ଥିତି ମଝିରୁ । ସେମାନେ ଆପେ ଆପେ ଜୀଅନ୍ତି, ଆପେ ଆପେ ଖେଳିବୁଲି ଯାନ୍ତି । କେତେବେଳେ କଳା ହିସାବରେ କେଉଁ ପରଶ ଦିଆଯିବ, ଶିଳ୍ପୀ ଆଗରୁ ନକ୍‌ସା କାଟି ନାହିଁ । ଶିଳ୍ପୀ ସେତେବେଳେ ଭାବରେ ବିଭୋର; ଭୂତ ଲାଗିଥିବା ମିଡ଼ିୟମ୍‌ ପରି । ହୁଏ ତ କ’ଣ ଘଟୁଛି, ତା’ର ଗୋଟାଏ ଅସ୍ପଷ୍ଟ ଅନୁଭୂତି ରହିଛି; ଆଉ କିଛି ନାହିଁ । ସାଧାରଣତଃ ଦେଖାଯାଏ, ନିଜ ପ୍ରକାଶିତ କଳାର ନିଜେ ଉଚିତ ସମାଲୋଚନା କରିବା ଶିଳ୍ପୀ ପକ୍ଷରେ ସମ୍ଭବେ ନାହିଁ । ହୁଏତ ନିଜେ ଶିଳ୍ପୀ ଯେଉଁ ବୁଝାମଣା ଦିଏ, ତହିଁରେ ନିଜ ସୃଷ୍ଟି କଳାର ମୂଲ୍ୟ କମିଯାଇପାରେ ।

 

କଳାଶକ୍ତି ଯେ ପର୍ଯ୍ୟନ୍ତ ଅଛି, ସେ ପର୍ଯ୍ୟନ୍ତ ନୂଆ ସୃଷ୍ଟି କରିବାକୁ ଉତ୍ସାହ ଅଛି, ବଳ ଅଛି-। କଳା ଗୋଟିଏ ସୀମା ବାହାର ଶକ୍ତି, ସବୁଦିନେ ନୂଆ, ସବୁଦିନେ ଉଦ୍‌ବେଗ ଉଚ୍ଛ୍ୱାସରେ ଚଞ୍ଚଳ । ଶିଳ୍ପୀ ଚିରଦିନ ଯୁବା । କଳା ଭିତରେ ବାର୍ଦ୍ଧକ୍ୟ ରହି ନ ପାରେ; କାରଣ କଳା ଓ ବାର୍ଦ୍ଧକ୍ୟ ଏ ଦୁହେଁ ଉଦ୍ଦେଶ୍ୟ ଓ ପ୍ରକାଶରେ ପରସ୍ପର ବିରୋଧୀ । କଳା-ଶକ୍ତିରେ ପ୍ରେରଣାରେ ଭଟ୍ଟା ପଡ଼ିଲେ ଶିଳ୍ପୀ ନ ଥାଏ । ପୁରୁଷୋତ୍ତମଙ୍କ ଦରବାରରେ କବି ଜୟଦେବ ହୁଏତ କୌଣସି ମୁହୂର୍ତ୍ତରେ ସାଂସାରିକ ଚିନ୍ତାରେ ପ୍ରବୃତ୍ତ । ସେତେବେଳେ ସେ ଜଣେ ସାଧାରଣ ଓଡ଼ିଆ କବି; ‘ପଣ୍ଡିତ କବି ’ ଆଖ୍ୟା ଗୋଟାଏ ଭୂଷଣ ସେତେବେଳେ ତାଙ୍କର ପରିଚୟ ନୁହେଁ । ହୁଏ ତ ନିତ୍ୟକର୍ମ ସମୟରେ ଅକସ୍ମାତ୍‌ କଳାର ମୂର୍ଚ୍ଛନା ଆସିଲା; ସେତେବେଳେ ସେ କବି । ସବୁ ମୁହୂର୍ତ୍ତରେ ଜଣେ କବି ହେବ, ଏପରି ନୁହେଁ । ପ୍ରେରଣା ନଥିଲା ସମୟରେ ପଦ ମିଳାଯାଇପାରେ; ଜୀବନ୍ୟାସ ବ୍ୟତୀତ ଅନ୍ୟ ସବୁ ଘଟିପାରେ । ଜଣେ ଲୋକକୁ କବି ମାନ ନେଇ ତା’ର ପ୍ରତ୍ୟେକ ଲେଖା, ପ୍ରତ୍ୟେକ ପଙ୍‌କ୍ତିରେ ଉଚ୍ଚ ଆର୍ଦଶ ଖୋଜି ବୁଲିଲେ ଫଳ ନାହିଁ । ହୁଏତ ଅନେକ ସମୟରେ ଖାଲି ଲେଖିବା ଲାଗି ଲେଖା ହୋଇଛି । ଏପରି ଅବସ୍ଥାରେ କବି କବି ନୁହେଁ; ଜଣେ ସାଧାରଣ ବ୍ୟକ୍ତି ।

 

ଯେଉଁ ମୁହୂର୍ତ୍ତରେ କଳା ପ୍ରାଣବନ୍ତ, ସେହି ମୁହୂର୍ତ୍ତର କଳା ଆଲୋଚନା କରି ବସିଲେ ବ୍ୟକ୍ତିଗତ ଜୀବନର ମଣିଷ କି ଦରକାରରେ ଆସିବ ? ବ୍ୟକ୍ତିଗତ ଜୀବନରେ ସେ ଯାହା ଥିଲା, ଭୂତ ଲାଗିଲା ପରି କଳା ଲାଗିଲା ବେଳେ ସେ କ’ଣ ପୂର୍ବ ସାଧାରଣ ଅବସ୍ଥାଠାରୁ ଭିନ୍ନ ନୁହେଁ ? ବ୍ୟକ୍ତିଗତ ଜୀବନରେ କବି କେତେ କାର୍ଯ୍ୟ ନ କରନ୍ତି ? ଘରକରଣା ବୁଦ୍ଧିରେ କବି କେବେ ଆଳୁବିକାଳୀ ସଙ୍ଗେ ଝିକ୍‌ମିକ୍‌ ଲଗାଇ ଭାଉ କରୁଥିଲେ; ସେ ଅବସ୍ଥାର କବିଙ୍କୁ ତାଙ୍କରି ଉଚ୍ଚ କଳାର କବିତା ଭିତରେ ଖୋଜି ବୁଲିଲେ କବିତାର କେଉଁ ବୁଝାମଣା ହେବ ? ବ୍ୟକ୍ତିଗତ ଜୀବନରେ କବି ବଡ଼ କର୍ମଠ ଥିଲେ, ହାତରେ କୋଡ଼ି ଧରି ବାରିଯାକ ବାଇଗଣ ଲଗାଉଥିଲେ, ହୁଏତ ହାତରେ ଲଗୁଡ଼ ଧରି ମାଙ୍କଡ଼ ଜଗୁଥିଲେ, କବିତାର ଆଭ୍ୟନ୍ତରୀଣ ଜୀବନରେ ସେ ଛବି କେଉଁଠି ମିଳେ ?

 

ତେଣୁ ସାଧାରଣ ଜୀବନକୁ ମାପକାଠି କରି ମାପି ବସିଲେ କବିକୁ ବୁଝିବା ହେବ ନାହିଁ-। ସାଧାରଣ ଜୀବନକୁ ଏକାବେଳକେ ଏଡ଼ି ଦେଲେ ଚଳିବ ନାହିଁ । କବିଙ୍କର ଯାହା ଅଭିଜ୍ଞତା, ତାରି ଭିତରୁ ସେ ଉପାଦାନ ଆଣିବେ । ପରିସ୍ଥିତି ବିଷୟରେ ଧାଡ଼ିଏ ଦୁଇଧାଡ଼ି ଲେଖି ନ ଯିବେ, ଏପରି ନୁହେଁ । କାୟିକ, ବାଚିକ, ମାନସିକ, ନୈତିକ, ଆର୍ଥିକ, ଐତିହାସିକ, ପ୍ରାଗୈତିହାସିକ, କବିଙ୍କ ଜୀବନ ସମ୍ୱନ୍ଧୀ କେତେ କଥା ସେଥିରେ ସ୍ଥାନ ପାଇବ, ପାଉ, ତହିଁରେ ଆପତ୍ତି ନାହିଁ ; କିନ୍ତୁ କବିଙ୍କ ଜୀବନ ସମ୍ବନ୍ଧୀୟ ସବୁ ଉପାଦାନ ଏକାଠି କଲେ ସେହି ଲେଖା ପୁଣି ଉଚ୍ଚ ଆଦର୍ଶର କବିତା ହେବ ତ ? ଅନେକେ ପୁଣି କବିଙ୍କ ଜନ୍ମସ୍ଥାନ, ତାଙ୍କ ପ୍ରିୟ ବୃକ୍ଷଲତା ଦେଖିବାକୁ ବ୍ୟସ୍ତ; କିନ୍ତୁ ତହିଁରେ ଉପକାର କିଛି ନାହିଁ । ସେହି ଆକାଶ, ସେହି ନଈ ରହିଛି, କେତେ ଲୋକ ନ ଦେଖୁଛନ୍ତି; କିନ୍ତୁ କବି ଯେଉଁ ସନ୍ଦେଶ ସେଠୁ ପାଇଥିଲେ, ସେହି କବି ନ ହେଲେ ଆଉ କେହି ସେପରି ପାଇପାରିବେ କି-? କବିଙ୍କ ଜୀବନର ସାଧାରଣ ଅଭିଜ୍ଞତା ତ ଉପାଦାନ; କିନ୍ତୁ ତାଠୁଁ ତ ବଡ଼ କିଛି କବିତାରେ ଅଛି । ସେ ଆଭା, ସେ ମୂର୍ଚ୍ଛନା କବି -ଶକ୍ତିର, ସାଧାରଣ କବି ମଣିଷର ନୁହେଁ ।

 

Style is the man । କିପରି ହେଲା, ହଠାତ୍‌ ଦେଖିଲେ ବିଶ୍ଵାସ ହେବାର କଥା । କବି ଭାରି ପବିତ୍ର; ତେଣୁ ‘‘ଲିଖନୀଭଙ୍ଗୀ’’ ରେ ନିଛକ ଶୁଦ୍ଧତା, ଶୁଚିବାୟୁ ବ୍ୟତୀତ ଆଉ କିଛି ନାହିଁ-। କବି ରଙ୍ଗଢ଼ଙ୍ଗ ଭଲ ପାଉଥିଲେ, ଆଡ଼ମ୍ବରପ୍ରିୟ ଥିଲେ; ତେଣୁ ଏ ଭାଷାରେ ଏ ସବୁ ନ ଥାଇ ଯିବ କାହିଁ ? ଏସବୁ ଏଡ଼େ ସହଜ ଯେ, ଶିଶୁମାନଙ୍କୁ ଏଥିରେ ଅତିଶୀଘ୍ର ଭୁଲାଯାଇପାରେ । ଆଡ଼ମ୍ବରପ୍ରିୟ ସାଧାରଣ ଲୋକ ଲେଖି ବସିଲେ ଭାଷାରେ ଆଡ଼ମ୍ବର ରଖିବା ସ୍ଵାଭାବିକ; କିନ୍ତୁ ସେ ଲୋକ ଉପରେ ଯେତେବେଳେ ଆହୁରି ଗୋଟିଏ ଆତ୍ମା, କଳାଶକ୍ତି ଆଶ୍ରା କରିଛି, ସେ ନିଜକୁ ପ୍ରକାଶ କଲାବେଳେ ପୂର୍ବର ସାଧାରଣ ଲୋକ ପରି କରିବା ଧରାବନ୍ଧା ନୁହେଁ । କବିର ଭାଷା କବିର, କବି-ଶକ୍ତିର ଯେଉଁ ଲୋକଠି ଆବିର୍ଭାବ ହେଲା, ତାହା ଲୋକର ସାଧାରଣ ଜୀବନର କେବେହେଁ ନୁହେଁ । ତା ହୋଇଥିଲେ, ଦୁଇଟି କାରଣରୁ ଘଟିଥିବ-(୧) ହୁଏ ତ ସେ ଲେଖା ଆବେଶ ମୁହୂର୍ତ୍ତର ନୁହେଁ, (୨) ହୁଏତ କବି-ପ୍ରତିଭାର ସେ ଗୋଟିଏ ବିକାଶ । ସାଧାରଣ ଅଭିବ୍ୟକ୍ତି ଉପରେ ନିର୍ଭର କରିବା ଫଳରୁ ତାହା ସାଧାରଣ ଜୀବନର ନୁହେଁ ।

 

ଟାଣିଓଟାରି ପ୍ରମାଣ କରି ବସିଲେ କଳାକୁ ଧଳା ବୋଲାଇ ଛେଳିକୁ କୁକୁର କରାଯାଇପାରେ । ତେଣୁ କୌଣସି ନୀତିକୁ ବିଧାତାଙ୍କ ଗାର ଭାବିନେଲେ ସେ ଅନୁସାରେ fallacy ଦେଇ ପ୍ରମାଣ କରାଯାଇପାରେ; କିନ୍ତୁ ଖୋଲା ଆଖିରେ ଦେଖିଲେ ଅନେକ ସମୟରେ ସାଧାରଣ ମଣିଷଠାରୁ ଭିନ୍ନ ପ୍ରକୃତି ଅତି ସହଜରେ ମିଳିଥାଏ । ଅନେକ ‘‘ଲିଖନଭଙ୍ଗୀ’’ ପରଖି ଲେଖକ ବିଷୟରେ ଯାହା ଧାରଣା କରାଯାଇଥାଏ, ବାସ୍ତବିକ ତା’ ହୋଇନଥାଏ । ସେତେବେଳେ ବିକଳ୍ପେ ନିପାତନ ସିଦ୍ଧ ନ କରି ଗତି ନାହିଁ ।

 

ଆହୁରି ଯଦି Style is the man ନୀତିକୁ ବିଶ୍ୱାସ କରାଯାଏ, ତେବେ କବି-ପ୍ରତିଭାକୁ ଅପମାନ କରାହେବ । ତେବେ ବୁଝିବାକୁ ହେବ, ଅଙ୍କଶାସ୍ତ୍ର ପରି କବି-ପ୍ରତିଭାକୁ ମାପି ଚୁପି ତିଆରି କରିହେବ । ହୁଏ ତ Laboratoryରେ କବି ପ୍ରସ୍ତୁତ କରିବାର ସ୍ପର୍ଦ୍ଧା ଆସିବ । ତା ହେଲେ ଆଉ କବି ଅସୀମ କଅଣ ? ପରିସ୍ଥିତିର ଆଇନ୍‌ରେ ବନ୍ଧା ସସୀମ କବି । ତା ହେଲେ ଆଉ କବିଙ୍କର ମର୍ଯ୍ୟାଦା ଗୋଟାଏ କଅଣ ? ପରିସ୍ଥିତି ଉପରେ, ସମୟ କାଳ ଉପରେ କବି-ଆତ୍ମା କଣ ? କବି ବିଦେଶୀ ଭାବର ଫାଷ୍ଟ ବୁକ୍‌ର ଘୋଡ଼ା ଲେଶନ୍‌ ପଢ଼ିଲେ ଯାହା, ଆଉ ଦୁଇ ପୃଷ୍ଠା ଆଗକୁ ମାଡ଼ିଲେ ତାଠୁ ବେଶୀ ନିଶ୍ଚୟ । ଏ ତ ବଳଦିଆ ହିସାବରେ ବି ସିଦ୍ଧ । ତା ହେଲେ ଆଉ କବି-ଆତ୍ମା ବୋଲି ଗୋଟାଏ କ’ଣ କବିଙ୍କର ଅସାଧାରଣ ଗୁଣ ବା କଅଣ ?

 

କିନ୍ତୁ ବାସ୍ତବିକ ତା ଘଟେନାହିଁ; ତେଣୁ ‘‘man’’କୁ ବିଶ୍ଳେଷଣ କଲେ କବି-ଶକ୍ତିର ପାଖ ପଶିବା ମଧ୍ୟ ସମ୍ଭବେ ନାହିଁ । କବିଙ୍କ ଭାଷାରେ ଏତେ ପଣ ବଙ୍ଗଳା, କଅଣ କବି ବଙ୍ଗ ଦେଶକୁ ବିଶେଷ ଶ୍ରଦ୍ଧା କରୁଥିଲେ-ଏ ତଥ୍ୟଟି ଆବିଷ୍କାର କଲେ ଇତିହାସର କିଛି ଉପକାର ହେବ, ସାହିତ୍ୟର ନୁହେଁ । ଯଦି କେବେ କେହି ପ୍ରମାଣ କରିବସେ, Woodrow Wilson ଉଡ଼୍ର ବିଲସନ୍‌ ଜଣେ ଓଡ଼ିଆ; ସେକ୍‌ସପିଅରଙ୍କ ପୂର୍ବପୁରୁଷ ବଙ୍ଗାଳୀ ମୁସଲମାନ୍‌ (ସାଖ୍‌-ପିର୍‌) । ତହିଁରେ କବି-ଆତ୍ମା ସେକ୍‌ସପିୟରଙ୍କର ବୁଝାମଣା ହେବ ନାହିଁ । ସାଧାରଣ ଜୀବନର ବହୁ ଉପାଦାନ କବିଙ୍କ ଲେଖାରେ ରହିବ ତ; ତା ବୋଲି ସେ ନିଜେ କବିତାର ଆତ୍ମା ନୁହେଁ । ମଣିଷର ଆତ୍ମାକୁ ପାଇବା ଲାଗି ମୁର୍ଦ୍ଦାର ଘାଣ୍ଟିବା କି ପ୍ରୟୋଜନ ?

 

ସାଧାରଣ ବ୍ୟକ୍ତିଗତ ଜୀବନରେ କବିତାଶକ୍ତି ଉଦୟ ହେଲେ ବାହାରୁ କିଏ କିପରି ଜାଣିବ ? ନିଜେ ପ୍ରକାଶ ନ କଲେ ଆଉ ଜଣେ ଜାଣିବାର ଉପାୟ ନାହିଁ । ଯେ ପର୍ଯ୍ୟନ୍ତ ପ୍ରକାଶ ନ ଘଟିଛି, କବି ମନ କିପରି ପ୍ରକ୍ରିୟାରେ ଅଛି, କେହି କହିପାରିବ ନାହିଁ; ତେଣୁ କବିଙ୍କ ଲେଖାରେ ସାଧାରଣ ମଣିଷକୁ ନ ଖୋଜି କବିଶକ୍ତି (the future man) କୁ ଖୋଜିବା ଉଚିତ ।

 

ଯାହା ତାଙ୍କର ପ୍ରକାଶ, ତାରି ଭିତରୁ ଯେଉଁଠି ତାଙ୍କର ପ୍ରେରଣାର ବିକାଶ, ସେଇ ତାଙ୍କର କବିତା । ତାଙ୍କର କବିତାର ଆତ୍ମାକୁ ଖୋଜିବାକୁ ପଡ଼ିବ, ତାଙ୍କ ବ୍ୟକ୍ତିଗତ ଜୀବନରେ ନୁହେଁ, ତାଙ୍କର କବିତାର ଜୀବନରେ । ନିଷ୍ଫଳ ହେଉ, କ୍ଷତି ନାହିଁ; କିନ୍ତୁ କବିଶକ୍ତି ଭିତରେ ଅସୀମ ଐଶ୍ଵରିକ ଶକ୍ତି ଯାହା, ତାରି ସନ୍ଧାନୀ ବୋଲି ନିଜର ଆନନ୍ଦ ହେବ । କବିତାର ଐତିହାସିକ ଆନନ୍ଦ ଛାଡ଼ି, ସାହିତ୍ୟକ, ଆଧ୍ୟାତ୍ମିକ ଆନନ୍ଦ ମିଳିବାର ଅବକାଶ ରହିବ । ପ୍ରକାଶିତ କର୍ମର କେଉଁ ଅଂଶରେ କବି ସାଧାରଣରୁ ବାହାରି ଅସାଧାରଣ ଅସୀମର ପ୍ରେରଣା ପାଇଛନ୍ତି ବୋଲି ବିଚାର ହେବ, ହୁଏତ ଶତକଡ଼ା ପ୍ରକାଶିତ ଲେଖାରୁ ୯୯ ଭାଗ ଅକବିତା ଫେଡ଼ି ଯେଉଁ ଅଳ୍ପ ଅଂଶରେ କବିପ୍ରତିଭା ମୂର୍ତ୍ତ ହେଲା, ସେହି ପ୍ରକାଶରୁ ତା’ର ପରିଚୟ ମିଳିବ ।

 

କବିଙ୍କ ଅଭିଜ୍ଞତା ଉପରେ କବି କଳ୍ପନା । ତା’ର ଥଳକୂଳ ନାହିଁ, ସୀମା ନାହିଁ । କଲ୍ପନାର କବିଅନୁଭୂତି ସାଧାରଣ ଅନୁଭୂତିଠାରୁ ଭିନ୍ନ । ସାଧାରଣ ଅଭିଜ୍ଞତା ଉପରେ ଆହୁରି କିଛି ପାଆନ୍ତି, ଆହୁରି ସୂକ୍ଷ୍ମ ଅନ୍ତଦୃର୍ଷ୍ଟି, ନୂଆ ଆଲୋକ, ନୂଆ sensibility । ତା ପାଖରେ ସାଧାରଣ ଅଭିଜ୍ଞତା ଅତି ନ୍ୟୂନ । ଶିଳ୍ପୀଙ୍କର ପୂଜା ସେଥିପାଇଁ, ମାନବ ଉପରେ ଅତିମାନବ ସୀମାହୀନ ଐଶ୍ଵରିକ ଶକ୍ତିର ଅଂଶାବତାର ସେ ।

 

ଲୋଭ ହୁଏ ସାଧାରଣ ଜୀବନ ସଙ୍ଗେ କବିତାକୁ ଯୋଖି ଏ ଅପେକ୍ଷାକୃତ ସହଜ ଉପାୟରେ କବିପ୍ରତିଭାର କତି ପଶିବାକୁ । ଅନେକେ ପୁଣି ବ୍ୟକ୍ତିଗତ ଜୀବନରେ କବିଙ୍କ ଚରିତ୍ର ଇତ୍ୟାଦି ଦେଇ କବିତାକୁ ବିଚାରି ଦେଖନ୍ତି । କବି ଲମ୍ପଟ, କବି ଦୁଃଖୀ, କବି ଦୁର୍ବଳ, ତା ବୋଲି ଯେଉଁ ମୁହୂର୍ତ୍ତରେ କବି-ପ୍ରତିଭାର ବିକାଶ, ସେତେବେଳେ ‘‘କାଳିସୀ’’ କବି ବାସ୍ତବିକ ଏ ସବୁ ତ ? ବ୍ୟକ୍ତିଗତ ଜୀବନର ଦୋଷ ପାଇଁ କେତେ କବି ଉପେକ୍ଷା ପାଆନ୍ତି ।

 

ଭ୍ରାନ୍ତି !

 

କବି-ଅନୁଭୂତି ଚିରଦିନ ରହେ ନାହିଁ । ବିଷୟ ବୁଦ୍ଧିର ଶୃଙ୍ଖଳ ଯେତିକି ଦୃଢ଼ ହୁଏ, କବି ମିଡ଼ିୟମ କଳାଶକ୍ତିର ଅବତାର ଲାଗି ସେତିକି ଅନୁପଯୁକ୍ତ ହୁଏ । କ୍ରମେ ଶକ୍ତି ଦୁର୍ବଳ ହୋଇଆସେ-। କଳାଶକ୍ତିର ଉଗ୍ରତାପ ସହିବାକୁ ଉପାଦାନ ତ ଦୁର୍ବଳ, ଅବତାର ଆସିବ କାହୁଁ ? ପ୍ରକାଶ କରିବା ଶକ୍ତି କ୍ଷୟ ହୋଇ ଆସେ । ବାହାରେ ଇନ୍ଦ୍ରିୟ ଦୁର୍ବଳ, ଆଖିର ଆଲୁଅ ନିଭି ନିଭି ଆସୁଛି, ବଳ ନଇଁବାକୁ ନୂଆ ଆଲୋକରେ ଉପଭୋଗ କରିବା ପ୍ରବୃତ୍ତି କମ୍‌, ଆକାଶର ରସ, ମାଟିର ରସ ଗ୍ରହଣ କରି ଉପାଦାନ ପୋଷିବା କଷ୍ଟକର । ଭିତରେ ବିଷୟବୁଦ୍ଧିର ପ୍ରକୋପ, ସାଂସାରିକ ଗଦ୍ୟମୟ ଜଟିଳତା । କବି ପ୍ରତିଭାର ବାର୍ଦ୍ଧକ୍ୟ ଯେ କେବଳ ବୟସ ଉପରେ ନିର୍ଭର କରେ, ତା ନୁହେଁ; ସାଧାରଣ ଘଟନା ଉପରେ ମଧ୍ୟ ନିର୍ଭୟ କରେ । କବିର ଯୌବନର ଯେପରି ବୟଃକାଳ ନାହିଁ ବାର୍ଦ୍ଧକ୍ୟର ମଧ୍ୟ ସେପରି ବୟଃକାଳ କାହିଁ । ଯୌବନର ଦ୍ଵିପ୍ରହରରେ କବି-ଜୀବନର ସନ୍ଧ୍ୟା ଘଟିପାରେ, ବାର୍ଦ୍ଧକ୍ୟର ସଞ୍ଜବତି ନିଭି ଆସିଲାବେଳେ କବି ଜୀବନରେ ଯୌବନ ଆରମ୍ଭ ହୋଇପାରେ, କିନ୍ତୁ ଯେତେବେଳେ ସଞ୍ଜବତି ଲାଗେ, କି କରୁଣ ସେ ଦୃଶ୍ୟ ! ଯୌବନର ପ୍ରଖର ଶକ୍ତିରେ କବି ଚାହିଁଥିଲା ସୃଷ୍ଟି ! ସର୍ଜନର ମୋହରେ ସେତେବେଳେ ସେ ପାଗଳ ! ଭିତରେ କଳାଶକ୍ତିର ପ୍ରକୋପ ପ୍ରକାଶ ଚାହେଁ, ଖାଲି ପ୍ରକାଶ । ସେତେବେଳେ ମାନ ଅପମାନ ଭୟ ନାହିଁ, ଆଦର ଉପେକ୍ଷା ପ୍ରତି ନିଘା ନାହିଁ, କିନ୍ତୁ କବି–ଜୀବନର ଶେଷଦୃଶ୍ୟରେ ଯେତେବେଳେ ବନ୍ଧ୍ୟତ୍ୱ ଆସେ, କରୁଣ ଆଖିରେ କବି ଚାହେଁ ଅତୀତର ମାନସପୁତ୍ରମାନଙ୍କୁ । ସୃଷ୍ଟି-ଗୌରବ ନିଭିଗଲେ କବି ଚାହେଁ ସମ୍ମାନର ଗୌରବ । ସେତେବେଳେ ଦେଶ ବିଦେଶରେ ‘‘ମୁଁ କବି, ମୁଁ ଅମୁକ ଦେଶର କବି’’ ଢୋଲ ପିଟି ପ୍ରଚାର କରିବା ଲାଗି ଅବକାଶ ଆସେ । ନିଜେ ଯେତେବେଳେ ଦୁର୍ବଳ, ସେତେବେଳେ ମାନସମ୍ମାନ, ଅହଂକାର ବଜାୟ ରଖିବାକୁ ଅସ୍ତିନ୍‌ ଟେକି ଠିଆ ହେବା ଦରକାର ପଡ଼େ । ନିଜର ଗୌରବ ବଜାୟ ରଖିବାକୁ ହେବ; ଭିତରେ ଝରଣା ଶୁଖି ଯାଇଛି, ବାହାରେ ଆଡ଼ମ୍ବର ଦରକାର । ଯେଉଁ କବି ସଂସାରର ସବୁ ବନ୍ଧା ଗତ ଉପରେ କାର୍ତ୍ତିକର ଆଲୁଅ ପରି ଝଟକୁଥିଲେ, ସେ ପୁଣି ବନ୍ଧା ଗତରେ ଛୁଞ୍ଚିମାଛି ପରଖ ଦେଖାଇ ତରୁଣ ଦଳ ସଙ୍ଗେ ଆକ୍ରୋଶ ରଖି ଯୁଝିବାକୁ ପ୍ରବୃତ୍ତ ହୁଅନ୍ତି। ଧୂପ ଆଣ, ଅର୍ଘ୍ୟ ଆଣ, ମୋତେ ପୂଜା କର,ଏପରି ଅବସ୍ଥା ମଧ୍ୟ ଆସେ । ଲୋଭ ହୁଏ, ସିଂହାସନ ବଜାୟ ରଖିବା ଲାଗି, ସିଂହାସନ ଚାଲିଗଲେ ସୁଦ୍ଧା ଉଇ ହୁଙ୍କାରେ ଶିଆଳ ରଜା ହୋଇ ଥାଟ ଦେଖାଇବାକୁ ଇଚ୍ଛା ହୁଏ । ଧନ୍ୟ ସେମାନେ, ଯେଉଁମାନେ ଏ ଜୀଅନ୍ତା ମରଣରୁ ରକ୍ଷା ପାଇ ଶକ୍ତି ହ୍ରାସ ହେବା ପୂର୍ବେ ସେ ପାରିକୁ ପାଲ ମେଲନ୍ତି ।

 

ଜିଭକଟା ବୁଲ୍‌ ବୁଲ୍‌ ପରି ପ୍ରକାଶ-ହୀନ କବି, ହୁଏତ ପୂର୍ବର ପ୍ରେରଣା-କବାଟରେ କଡ଼ା ହଲାଇ କେତେଥର ଫେରିଯାଏ ।

Image

 

କୁଆତରା

 

ନିଥର ଆକାଶ ତଳେ ଧୀର ପବନ ଥରି ଥରି ଚାଲିଗଲା । ଯେପରି ଗୋଟାଏ ଦୀର୍ଘଶ୍ୱାସରେ ରାତି ଗୋଟାକର ଜଡ଼ ଅବସାଦ ଝାଡ଼ିଝୁଡ଼ି ସାରା ପ୍ରକୃତି ଉଠିପଡ଼ିଲା । ଝାପ୍‌ସା ଅନ୍ଧାର ଉପରେ ସ୍ଥିର ଉଜ୍ଜ୍ୱଳ ତାରାଟି । ସେ ଗୋଟିଏ ସଂକେତ କି ନା ! ଆଉ ଘଡ଼ିକେ ଆଲୁଅ ଆସିବ । ଜମାଟବନ୍ଧା ଅନ୍ଧାର ହାଲୁକା ହୋଇ ଆସିଲାଣି; ଖାଲି ନିଶ୍ଚଳ ହୋଇ ଚାହିଁ ରହିବାକୁ ହେବ-ଯୁଗ ବଦଳି କିପରି ଧୀରେ ଧୀରେ ଚାଲିଛି । ବାହାରର ସ୍ଥିର ଶାନ୍ତ ଆବରଣ ତଳେ ଏହି ଯେଉଁ ବିରାଟ ପରିବର୍ତ୍ତନ ଚାଲିଛି, କୁଆତରା ତା’ର ସାକ୍ଷୀ ।

 

ଯୁଗ ଯୁଗ ବିତିଯାଏ; ତଥାପି କୁଆତରା ଉଠୁଥାଏ । ଆଗକୁ ଚାହିଁ ମନେ ହୁଏ, ଗଲା କଥା ଗଲାଣି; ଅତୀତର ବନ୍ଧାଗତ, କୁସଂସ୍କାର, ଏସବୁ ଦିନେ ସପନ । ସାହିତ୍ୟର ଇତିହାସରେ ଏଇପରି କେତେକ ଓଲଟ ପାଲଟ ଦେଖା ଗଲାଣି । ଆଜି ସେ ନୂଆ, କାଲିକୁ ସେ ବାସି; ଆଜି ଯେ ମୁକ୍ତିର ଅସ୍ତ୍ର, କାଲିକୁ ସେ ବନ୍ଧନର ଶିକୁଳି । ବନ୍ଧା ଗତ ବୋଲି ମୂଳରୁ ତ କିଛି ନ ଥାଏ; କିନ୍ତୁ ତା ବୋଲି ନୂଆ କିଛି ନ କରିବା ଉଚିତ ହେବ ନାହିଁ । କୁଆତରା ଉଠିବା ପଛେ ଭ୍ରମ ହେଉ, ସେ ଭ୍ରମରେ ଚକ ଘୂରୁଛି, ଯୁଗ ବଦଳୁଛି; ତାକୁ ଅସ୍ୱୀକାର କଲେ ବଞ୍ଚିବାଟା ହେବ ଗୋଟିଏ ଫାଙ୍କି । ପ୍ରତି ଯୁଗରେ ସେ ଯୁଗର ଯାହା ଉପଯୁକ୍ତ ପରିବର୍ତ୍ତନ, ସେ ପ୍ରୟୋଜନର ଗୁରୁଭାର ଆପେ ଆନ୍ଦୋଳନ ଆଣିଥାଏ । ସେ ନୂଆ ଭାବ ବିରୁଦ୍ଧରେ ପୁଣି ଯୁଗବଦଳି ଲଢ଼ାଇ କରେ, ବନ୍ଧାଗତ କୁସଂସ୍କାର ବୋଲି ତାକୁ ଏଡ଼ି ଚାଲିଯାଏ ।

 

ଓଡ଼ିଆ ସାହିତ୍ୟ ଯୁଗବଦଳି ସଙ୍ଗେ ତାଳ ରଖି ଗୋଡ଼ ପକାଇପାରି ନାହିଁ; ତେଣୁ, ଏ ଯୁଗର ଅନ୍ୟାନ୍ୟ ସାହିତ୍ୟ ତୁଳନାରେ ଆମ ସାହିତ୍ୟ ସାହେବୀ ଟୋପି ଆଗରେ ‘‘ମରହଟ୍ଟୀ’’ ଚୁଟି ପରି, ବଙ୍ଗାଳି କେଶପ୍ରସାଧନ ଆଗରେ ଚଉଁରୀଭୁଣ୍ଡି-ଗୋଜିକାଠିବିଶିଷ୍ଟ ଜୁଡ଼ା ପରି । ଯୁଗକୁ ନୁହେଁ; ତେଣୁ ସାହିତ୍ୟ ବଦଳିବ, ବଦଳାଇବାକୁ ପଡ଼ିବ । ଅବିକଳ ଏହିପରି ଦିନେ ଭଞ୍ଜକବି ଭାବିଥିଲେ, ଦିନେ ରାଧାନାଥ ଫକୀର ମୋହନ ଭାବିଥିଲେ; ପୁଣି ଦିନେ ‘ସବୁଜ’ ଦଳିଆ ଭାବିଥିଲେ । ସ୍ଥାନେ ସ୍ଥାନେ ଶିକ୍ଷିତ ଲୋକେ ନୂଆ ସାହିତ୍ୟ ଗଢ଼ିବାକୁ ଚେଷ୍ଟା କରୁଛନ୍ତି, ଚର୍ଚ୍ଚା କରୁଛନ୍ତି, ବୈଠକ ବସୁଛି, ବକ୍ତୃତା ହେଉଛି । କିନ୍ତୁ ଏ ନୂତନତ୍ୱ ଦିନକର କାମ ନୁହେଁ, ଘଡ଼ି ନକ୍ଷତ୍ର ଧରି ଆସିପାରେ ନାହିଁ । ତଥାପି ସମ୍ମିଳିତ ଉଦ୍‌ଯୋଗରୁ ଫଳ ଫଳିବ,ଏଥିରେ ସନ୍ଦେହ ନାହିଁ ।

 

ଓଡ଼ିଶାର ଏ ନବ ଉଦ୍‌ବୋଧନକୁ ଦେଖି ମନେ ପଡ଼େ ଆୟରଲ୍ୟାଣ୍ଡର କେଲଟ ଜାଗରଣ(Celtic twilight) କଥା । କେବଳ କେତେ ଜଣ ଉତ୍ସାହୀ, ଆଙ୍ଗୁଠି ଆଗରେ ଗଣି ହେବେ; କିନ୍ତୁ ସେମାନଙ୍କ ଉଦ୍‌ଯୋଗ ଓ ଶ୍ରମ ସାର୍ଥକ ହେଲା । କେଉଁ ଦୂର ଅତୀତର ବୀର ଗାଥା ଛାଡ଼ି ଆୟରଲାଣ୍ଡ୍‍ର ଥିଲା କଅଣ ? କିନ୍ତୁ ୟେଟ୍‌ସ, ସିଞ୍ଜ୍‌ ଆୟରଲାଣ୍ଡ୍‍ଦ୍ୱାରା ଅନୁପ୍ରାଣିତ ହେଲେ । ହଠାତ୍ ଗୋଟିଏ ଦଳ ବାନ୍ଧି କେତେ ଜଣ ଶିକ୍ଷିତ ତରୁଣ କାର୍ଯ୍ୟ ଆରମ୍ଭ କରିଦେଲେ–ସେ ଦେଶର ବଣ ଜଙ୍ଗଲ, ଆକାଶ ନଈ, ଫୁଲଫଳଠାରୁ ଆରମ୍ଭ କରି ସବୁ ସଂସ୍କାର ସଂସ୍କୃତି ସାହିତ୍ୟରେ ସ୍ଥାନ ଦେବେ–ଏହି ଉଦ୍ଦେଶ୍ୟରେ । ମହାକବି ୟେଟ୍‌ସଙ୍କ କବିତାର ପ୍ରତ୍ୟେକ ଧାଡ଼ିରେ ଦେଖାଯାଏ ଆୟରଲାଣ୍ଡ୍‌ର ପ୍ରତିଛବି, ଶୁଣାଯାଏ ସେ ଦେଶର ହୃତ୍‌ପିଣ୍ଡର ସ୍ପନ୍ଦନ । ଆଇରିଶ୍‌ ଗ୍ରାମ୍ୟ ଭାଷାରୁ ରତ୍ନ ସଂଗ୍ରହ କରିବା ଲାଗି ସିଞ୍ଜ୍‌ କି ପରିଶ୍ରମ ନ କରିଛନ୍ତି । ଟିପାଖାତା ଧରି କେଦିନ୍‌ରେ, ଶେଦିନ୍‌ରେ, ବଣ ଜଙ୍ଗଲରେ କାନ ଠିଆ କରି ଶୁଣିଛନ୍ତି–ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପରିସ୍ଥିତିରେ ଗ୍ରାମ୍ୟ ଭାଷାଦ୍ୱାରା କିପରି ପ୍ରୟୋଗରେ ଭାବ ପ୍ରକାଶ ହୁଏ । କେତେ ଥର ଘରୋଇ କଥାରେ ଗାଉଁଲୀ ପ୍ରୟୋଗ ଶିଖିବା ଲାଗି କବାଟ ଫାଙ୍କରେ କାନପାତି ଶୁଣିଛନ୍ତି । ଏ କଠିନ ପରିଶ୍ରମ ଫଳରୁ କଞ୍ଚା ଆଇରିଶ୍‌ ଭାଷାରୁ କେତେ ପ୍ରୟୋଗ ସେ ସାହିତ୍ୟରେ ସ୍ଥାନ ଦେଲେ ।

 

ଓଡ଼ିଆ ସାହିତ୍ୟର କୁଆତାରାକୁ ଚାହିଁ କେଲ୍‌ଟ ଜାଗରଣର ସ୍ନିଗ୍‌ଧ ଆଲୁଅ ମନରେ ଆସେ; କିନ୍ତୁ ସଙ୍ଗେ ସଙ୍ଗେ ମନେ ପଡ଼େ, ଓଡ଼ିଆ ଜାତି ଆଇରିଶ୍‌ମାନ୍‌ ନୁହନ୍ତି । ଯେଉଁ ଦେଶର କୁଲି ମୂଳିଆ କଲିକତାରୁ ଫେରି ଭଙ୍ଗା ଭଙ୍ଗା ବଙ୍ଗଳାରେ ଜାତିଭାଇ ସଙ୍ଗେ କଥା କହେ, ଯେଉଁ ଦେଶର ଶିକ୍ଷିତ ତରୁଣ ଦଶଜଣ ଏକାଠି ଥିଲେ, ଜଣେ ବଙ୍ଗାଳୀ ସଙ୍ଗେ ସମସ୍ତେ ବଙ୍ଗଳା କହନ୍ତି, ଯେଉଁ ଦେଶର ଭାଷା-ପ୍ରୀତି ଏପରି ଯେ ବାପମାଙ୍କ ପାଖକୁ ଚିଠି ଚାଲେ ଇଂରାଜୀରେ, ସେ ଦେଶର ସାହିତ୍ୟର ଉଦ୍‌ବୋଧନ ଠିକ୍‌ କେଲ୍‌ଟିକ୍‌ ଜାଗରଣ ପରି ନ ହୋଇପାରେ । ଆମରି ସାହିତ୍ୟରୁ ବିଦେଶୀ ଭାଇ ଯେବେ ଆମରି ଛବି ନ ପାଇ, ହୁଏତ ବିଲାତର ନୋହିଲେ ବଙ୍ଗଦେଶର ଗୋଟାଏ ବିକୃତ ଛବି ପାଇବେ, ତେବେ ଆମ ସାହିତ୍ୟକୁ ପ୍ରଶଂସା କରିବାକୁ କିଛି ରହିଲା ନାହିଁ ।

 

ସାହିତ୍ୟ ସାରା ବିଶ୍ୱର (Universal) ସତ; କିନ୍ତୁ ସେ ଗୁଣର ଉପାଦାନ ପ୍ରାଦେଶିକ (Local) । ଯେଉଁ ‘‘ଓଡ଼ିଆତ୍ୱ’’ ଏ ସାହିତ୍ୟର ପ୍ରାଣର ସ୍ପନ୍ଦନ, ତାହା ନୂଆ ସାହିତ୍ୟରେ ନାହିଁ । ଆମ ଦେଶର ସାହିତ୍ୟ କାଞ୍ଜି-ତୋରାଣିରୁ ରସ ଟାଣି ବଞ୍ଚିବ, ମାଣ୍ଡିଆ ଯାଉ, କାକରା, ଆରିସା ପିଠାରେ ମୋଟେଇବ । ଏହି ଆକାଶ, ଏଇ ପବନ, ଏଇ ମଳିମୁଣ୍ଡିଆ ଉପାସିଆ ଜାତି–ଆମେ ଏହି ବେଶରେ ବଟୁଆ ଖୋସି ଗାମୁଛା ପକାଇ ଜଗତ ଆଗରେ ଠିଆହେବା । ପାନ, ଗୁଣ୍ଡି, ପଖାଳ, ଶୁଖୁଆ ଭିତରେ ଆମଠାରେ ଯାହା ମହତ୍‌, ଯାହା ଆଦର୍ଶ, ତାକୁ ହିଁ ଉଦ୍‌ବୋଧନ କରି ଜଗତକୁ ଦେବା–ବୁନିଆଦୀ ଜାତିର ନୂଆ ଆନ୍ଦୋଳନରେ ଉଦ୍‌ବୁଦ୍ଧ ପ୍ରାଣ ସଂସ୍କୃତି ।

 

ଏହାର ଉଦ୍ଦେଶ୍ୟ ନୁହେଁ ଯେ, ସଂକୀର୍ଣ୍ଣ ପ୍ରାଦେଶିକତାରେ ବନ୍ଧା ରହି ପୁରାତନ ବନ୍ଧାଗତରେ ଚିରଯୁଗ ଆମେ ଗଡ଼ି ଚାଲୁଥିବା–ଆମର ଭଞ୍ଜକବି, ଆମର କୋଣାରଖ ରଡ଼ି ଛାଡ଼ି ଚିରଦିନ ଆକାଶ ଅବନୀ କମ୍ପାଉଥିବା । ଏ ଯୁଗର କୁଆତରା ଉଉଁଛି ବୋଲି ବିଶ୍ୱାସ କରିବାକୁ ହେବ; ନବଯୁଗର ‘‘ଆବହାଉଆ’’ ରେ ଯେଉଁ ଭାବ ଉପଯୁକ୍ତ, ତାକୁ ହିଁ ପ୍ରଚାର କରିବାକୁ ହେବ । ନୂଆ ଯୁଗର ବିପ୍ଳବ ଦରକାର; କିନ୍ତୁ ସବା ଉପରେ ମନେ ରଖିବାକୁ ପଡ଼ିବ ଯେପରି ଏ ବିପ୍ଳବ, ଏ ଆନ୍ଦୋଳନ ହୁଏ ଆମ ନିଜର, ଆମ ନିଜ ସଂସ୍କୃତିମୂଳକ । ସଂକୀର୍ଣ୍ଣ ମନରେ ବୈଦେଶିକତା ପ୍ରାଦେଶିକତା ବ୍ୟବଧାନ ରଖିବା ଯେପରି ଦୁର୍ବଳତା, ଅବିବେକୀ ଦାସ ମନରେ ନୂତନତ୍ଵର ଦ୍ଵାହି ଦେଇ ନିଜର ସଂସ୍କୃତି ଭୁଲି ବୈଦେଶିକତାର ଚାକଚକ୍ୟ ଆଉ ମୋହରେ ଭାସିଯିବା ସେହିପରି ଦୁର୍ବଳତା ।

 

ରୁଷ ସାହିତ୍ୟରେ ଗୋଡ଼ଦଳା ମଳିମୁଣ୍ଡିଆ ଗରିବର ଜୀବନ ଆଲୋଚନାର ବିଷୟ ହୋଇଛି । ଦୁଃଖଦରିଦ୍ର୍ୟ ଯେପରି ହୋଇଛି କଳାଶକ୍ତିର ଭଣ୍ଡାର ! ଏ ଗୋଟିଏ ନୂଆ ଭାବ । ଏପରି ନୂଆ ଭାବ ଆଖି ଖୋଲିଦିଏ; ହୁଏତ ଶାସ୍ତ୍ରରେ ଯାହା ନିରଥର୍କ ବନ୍ଧାଗତ ବୋଲି ଲାଗୁଥିଲା, ତା ଉପରେ ଆଲୋକ ପକାଏ । ପତିତା ଜୀବନରେ ପତିବ୍ରତା ଅଛି; ବାହାରକୁ ପବିତ୍ର ସମାଜ-ବନ୍ଧନ ଭିତରେ ଦାସତ୍ଵ, ସ୍ଵାର୍ଥପରତା, ପଙ୍କିଳ ପାପ ଅଛି-ବାର୍ଣ୍ଣାଡ଼ଶ ଏପରି ଧାରଣା ଦିଅନ୍ତି । ଏ ନୂଆ ଚିନ୍ତା ଥରେ କାହାରି ମସ୍ତିଷ୍କରୁ ବାହାରିଲେ ସାରାସୃଷ୍ଟିରେ ତହିଁରେ ସମସ୍ତଙ୍କ ଅଧିକାର; ତେଣୁ ଯଦି କୌଣସି ଲୋକ ହୃଦୟ ସହିତ ଏପରି ଭାବକୁ ଅନୁମୋଦନ କରେ, ନୂଆ ତଥ୍ୟର ଉଜ୍ଜ୍ୱଳ ଆଲୋକରେ ନିଜ ଦେଶର ଦୋଷ ଦୁର୍ବଳତା ଦେଖିପାରେ, ତାହା ହେଲେ ଆପତ୍ତି କିଛି ନାହିଁ । କିନ୍ତୁ ଏପରି ନୂଆ ତଥ୍ୟଦ୍ଵାରା ଓଡ଼ିଶା ଦେଶର ପ୍ରକୃତ ଅବସ୍ଥା ବିଚାରି ଦେଖିବାକୁ ହେବ । ବିଲାତର ସମାଜ ପୃଥକ୍‌ । ସେମାନଙ୍କ ଦେଶରେ ସମାଜରେ କେବଳ ସ୍ଵତନ୍ତ୍ର ବାଦ (Individualism) । ସେ ଦେଶର ଲୋକେ ସେ ଦେଶର ସମାଜ ଉପରେ ସେମାନଙ୍କ ତଥ୍ୟର ପ୍ରତିକ୍ରିୟା ଦେଖାଇ ଯାଇଛନ୍ତି । ଆମ ଦେଶର ସାହିତ୍ୟରେ ସେହି ବିଦେଶୀ ସମାଜର ଆଲୋଚନା କଲେ କିପରି ଫଳ ହେବ ? ବରଂ ପରିସ୍ଫୁଟ ହେବ ନାହଁ କି ଯେ, ଲେଖକ ନୂଆ ‘‘ଆଇଡ଼ିଆ’’ ହଜମ କରିପାରି ନାହାନ୍ତି; ତେଣୁ ସ୍ଥଳ କାଳ ପାସୋରି ଯେଉଁଠି ତାହା ପ୍ରଯୋଜ୍ୟ ନୁହେଁ, ସେଠି ତାହା ପ୍ରୟୋଗ କରିଛନ୍ତି ? ନୂଆ ଭାବ, ନୂଆ ଚିନ୍ତା ଦେବା ଲାଗି ସାରା ଜଗତ୍‌ ଚାହିଁ ବସିଛି । ପୁରାତନ ବନ୍ଧାଗତରେ ଗଡ଼ି ଚାଲି ବାହାରୁ ସେ ରସ ଗ୍ରହଣ ନ କରିବା ବରଂ ଅନୁଚିତ; କିନ୍ତୁ କୌଣଶି ମତ ବା ଭାବ ଗ୍ରହଣ କରିବା ପୂର୍ବରୁ ତହିଁରେ ଅନୁପ୍ରାଣିତ ହେବା ଦରକାର । ପ୍ରାଚୀନତା ବ୍ୟତିରେକେ ନୂତନତ୍ଵ ଗ୍ରହଣ କରିବା ସପକ୍ଷରେ ନିଜ ମନରେ ଦ୍ୱିଧାରେ ବିଚ୍ଛିନ୍ନ ନ ହୋଇଥିବା ବିଶ୍ୱାସ ଥିବା ଆବଶ୍ୟକ ହୁଏ । ପ୍ରତ୍ୟାଖ୍ୟାନ ପୂର୍ବରୁ ମଧ୍ୟ ସେହିପରି । ତାହା ନ କରି କେବଳ ନୂତନତ୍ଵ ମୋହରେ ବୁଦ୍ଧିବୃତ୍ତିକୁ ଏକବେଳକେ ଚାପି ରଖିବା ବରଂ ଗର୍ହିତ ।

 

ଆଜିକାଲି ଦେଖାଯାଏ, ଅନେକ ଲେଖକଙ୍କ ଭାଷାରେ ବଙ୍ଗତ୍ଵର ମାତ୍ରା ଟିକିଏ ବେଶି । କଥାବାର୍ତ୍ତା କଲାବେଳେ ଯେପରି ଇଣ୍ଡୋ ଜର୍ମାନିକ୍‌ ‘ଅ’ କାର ଶବ୍ଦକୁ ପଦ ଶେଷରେ ବାଦ୍‌ ଦିଆଯାଇଥାଏ, ଭାଷାରେ ସେହିପରି ଓଡ଼ିଆଭାଷାର ମୌଳିକତା ପରିବର୍ତ୍ତେ ଅଯଥା ବଙ୍ଗବିପ୍ଲବ ଦେଖାଯାଏ । ଯେଉଁ ଶବ୍ଦ ଓଡ଼ିଆରେ ନାହିଁ, ଯେଉଁ ପ୍ରୟୋଗ ଅନ୍ୟାନ୍ୟ ଭାଷାରେ ଅଛି, ହୁଏତ ଓଡ଼ିଆରେ ନାହିଁ–ସର୍ବସାଧାରଣଙ୍କ ସମ୍ମତିକ୍ରମେ ଅନ୍ୟ ଭାଷାରୁ ସେ ଶବ୍ଦ ଆଣିବା ବରଂ ସ୍ଵାଭାବିକ-। ‘‘ରେଲ୍‌ଗାଡ଼ି ଲାଇନ୍‌ ଉପରେ ଚାଲେ’’ ନ କହି ‘‘ବାଷ୍ପୀୟ ଶକଟ ଲୌହବର୍ତ୍ମ ଉପରେ...’’ ଇତ୍ୟାଦି କହିବା ହାସ୍ୟାସ୍ପଦ । କାହଁକି ନା ‘‘ରେଲ୍‌’’ ଓ ‘‘ଲାଇନ୍‌’’ ଏ ଦୁଇଟି ଆବଶ୍ୟକ ଶବ୍ଦ ସର୍ବସାଧାରଣଙ୍କ ଇଚ୍ଛା ଅନୁସାରେ ସାଧାରଣ ଭାଷାରେ ସ୍ଥାନ ପାଇପାରିଛି । ଓଡ଼ିଆରେ ଏପରି ଅନେକ ଶବ୍ଦର ପ୍ରୟୋଗ ଅଛି, ଇଂରାଜୀରୁ ଅନୁବାଦ କରିବା ନିମନ୍ତେ ଅନେକ ନୂଆ ଶବ୍ଦ ସୃଷ୍ଟିକରିବା ଆବଶ୍ୟକ ହେଉଛି; କିନ୍ତୁ ଯେଉଁ ସ୍ଥଳରେ ଶବ୍ଦ ଅଛି, ଶବ୍ଦ କର୍କଶ ବା ବ୍ୟବହାର ଲାଗି ଅସଜ ନୁହେଁ, ସେଠି ବଙ୍ଗଳାକୁ ଓଡ଼ିଆ ଅକ୍ଷରରେ ଛପାଇବାର ଆଦୌ ଆବଶ୍ୟକ ନାହିଁ ।

 

ବଙ୍ଗଳାଠୁଁ ଆହୁରି ଡର ସଂସ୍କୃତକୁ । ଓଡ଼ିଆ ସହିତ ସଂସ୍କୃତର ଯେତେ ସମ୍ବନ୍ଧ ଥିଲେ ସୁଦ୍ଧା ଓଡ଼ିଆ ଭାଷା ଗୋଟିଏ ସ୍ଵତନ୍ତ୍ର ଭାଷା । ଓଡ଼ିଆ ସଂସ୍କୃତ ନୁହେଁ । ପ୍ରତ୍ୟେକ ପ୍ରୟୋଗ ଲାଗି ସଂସ୍କୃତ ଉପରେ ନିଭର୍ର କରିବା ଗୋଟାଏ ଅଭ୍ୟାସ ହୋଇଯାଇଛି; ଫଳରେ ଓଡ଼ିଆ ଭାଷାରୁ ସଂସ୍କୃତର ଉଧାର ଶୁଝିବାକୁ ହେଲେ ଏ ଭାଷା ଦେବାଲିଆ ହୋଇଯିବ । ସଂସ୍କୃତ ଓଡ଼ିଆ ଭିତରେ ବ୍ୟବଧାନ କେଉଁଠି ? ଗାଉଁଲୀ କଞ୍ଚା ଓଡ଼ିଆଭାଷାରୁ ଓଡ଼ିଆର ଭିନ୍ନ ଭିନ୍ନ ପ୍ରାଦେଶିକ ଭାଷାରୁ କୌଣସି ନୂଆ ପ୍ରୟୋଗ ଆସିପାରେ କି ନା, ଏ ବିଷୟରେ ଅନୁସନ୍ଧାନ ହେବା ପ୍ରୟୋଜନ । ଯେ ପର୍ଯ୍ୟନ୍ତ ଦେଶର ଦଶଜଣ ଗୋଟିଏ ପ୍ରୟୋଗ-ପ୍ରଣାଳୀରେ ଭାବ-ପ୍ରକାଶ କରିବାଲାଗି ଏକମତ, ସେତେବେଳେ ସେମାନଙ୍କ ପ୍ରୟୋଗ ସଂସ୍କୃତ ବ୍ୟାକରଣ ଆଖିରେ ବେ-ଆଇନ୍‌ ହେଲେ ସୁଦ୍ଧା ସେ ଭାଷା । ଗାଉଁଲୀ ବୋଲିର ଉପଯୋଗିତା ବିଦେଶୀ ସାହିତ୍ୟରୁ ପରିଷ୍କାର ପ୍ରମାଣ ହୁଏ । ଗାଉଁଲୀ ଭାଷା ଭିତରୁ ବାଛି ବାଛି କିପରି ରତ୍ନ-ସଂଗ୍ରହ କରିବାକୁ ହେବ, ସେ ବିଷୟରେ ଇଉରୋପ-ସାହିତ୍ୟ, ଏପରି କି ବଙ୍ଗଳା ସାହିତ୍ୟ ମଧ୍ୟ ସାକ୍ଷୀ ।

 

ବୈଦେଶିକତାର ଅପବ୍ୟବହାର ଯୋଗୁଁ ଯେପରି ଲୋକହସା ଫଳ ଫଳୁଛି, ତା’ର ଉଦାହରଣ ମିଳେ ଗୋଟିଏ ଶ୍ରେଣୀର କବିତାରେ । ଓଡ଼ିଶାରେ ବେଳେ ବେଳେ ଗୋଟିଏ ଗୋଟିଏ କବିତା ଦେଖାଯାଏ, ଧାଡ଼ିରେ ଯାହାର ଆକାର ସୁନ୍ଦର, ଲିଖନଭଙ୍ଗୀ ବିଚିତ୍ର ଓ ଶବ୍ଦମାନଙ୍କର ସଂଖ୍ୟା ଚମତ୍କାର ଉପାୟରେ ବିଷମ । ଇଂରାଜୀରେ ଭର୍ସଲିବାର୍‌ ଦଳ ଯେ କବିତାର ଲିଖନଭଙ୍ଗୀ ବଦଳଉଥିଲେ, ତା ପଛରେ ସେମାନଙ୍କର ଯୁକ୍ତି ଥିଲା, ତଥ୍ୟ ଥିଲା, ମନସ୍ତତ୍ତ୍ୱ ଆଲୋଚନା କରି ସାହିତ୍ୟରେ ସେମାନେ ତା ପ୍ରୟୋଗ କରୁଥିଲେ । ପ୍ରବଣତା ଘେନି ଶବ୍ଦକୁ ବିଚିତ୍ର ଭଙ୍ଗୀରେ ଭାଙ୍ଗି ଦେଉଥିଲେ, ତହିଁରେ ସୁଦ୍ଧା ଭିତିରି ଛନ୍ଦ ଥିଲା; କିନ୍ତୁ କୌଣସି ଯୁକ୍ତି ତଥ୍ୟ ନ ଥାଇ କେବଳ ନୂଆ ଦିଶିବାପାଇଁ ଯଦି ଲେଖାଯାଏ–

 

‘‘ତୁମେ

କିଏ ଗୋ ଯାଉଛ କିଆଁ ଆଜି

ଏତେ ଡେରିରେ

ମୁଁ ପରା ଜାଗି ବସିଛି

ଏଇ

ଓଉମୂଳେ ବାରିଆଡ଼େ ।’’

 

ତା ହେଲେ ବୈଚିତ୍ର୍ୟ ଥାଇପାରେ, ଉପାଦେୟତା ନାହିଁ ।

 

ଉପନ୍ୟାସ ଲେଖିବା ବିଷୟରେ ବିଦେଶରୁ କି ଉପକାର ମିଳେ ? ଦେଖିବାକୁ ଗଲେ ଉପନ୍ୟାସ ମାତ୍ରକେ ବିଦେଶରୁ ଆମଦାନୀ । ସେ ଦେଶରେ ଉପନ୍ୟାସର ପଦ୍ଧତି କେତେ ଥର ବଦଳିଲାଣି; କିନ୍ତୁ ଆମେ ସେହି ଜୀର୍ଣ୍ଣ ‘‘ବଡ଼ ଗଳ୍ପ’’ କୁ କାମୁଡ଼ି ଧରିଥାଇଁ । ଯେ କୌଣସି ଉପାୟରେ ପ୍ଲଟ୍‌ଟି ଚହଟ ଛିକ୍‌କଣ କରିବାକୁ ହେବ, ଏପରି ଧାରଣା ଆମ ମନରେ ବସା ବାନ୍ଧିଛି । କିନ୍ତୁ ପ୍ଲଟର ସେପରି ମୂଲ୍ୟ ଆଉ ନାହିଁ । ପ୍ଲଟ୍‌ ‘‘ଅସାଧାରଣ’’ ହେଲେ ଅବାସ୍ତବ ହୋଇପାରେ । କାଳ୍ପନିକ ଉପନ୍ୟାସକୁ ଛାଡ଼ି ରିଏଲିଷ୍ଟିକ୍‌ ଆର୍ଟ ତ ବୁଢ଼ୀ ଅସୁରୁଣୀ କିମ୍ବା ପରୀମହଲରେ ବନ୍ଧା ପଡ଼େ ନାହିଁ । ପ୍ଲଟ୍‌ର ନିଜର କୌଣସି ମୂଲ୍ୟ ନାହିଁ; ଉପନ୍ୟାସର ଅନ୍ୟାନ୍ୟ ଉପାଦାନର ସାପେକ୍ଷତାରେ ପ୍ଲଟର ମୂଲ୍ୟ । ପ୍ଲଟ୍‌ ବା କଅଣ ? ଗୋଟିଏ ଲୋକର ଜୀବନକାଳ କ’ଣ ଯଥେଷ୍ଟ ପ୍ଲଟ୍‌ ନୁହେଁ ? ଘଟନା ଦୁଇ ପ୍ରକାର ହୋଇପାରେ–ଗୋଟିଏ ଲୋକର ବାହାରର ଘଟନା ସଙ୍ଗେ ସମ୍ବନ୍ଧ ହେତୁ କ୍ରିୟାକଳାପରୁ, ଅନ୍ୟଟି ଲୋକର ମନ ଭିତରକୁ ଆଲୋଚନା କରି ଦେଖିଲେ ତା’ର ମନର ଭାବର କ୍ରମ ବିକାଶ ଓ ଅବସ୍ଥାରୁ । ଏହି ଅପର ପ୍ରକାର ପ୍ଲଟ୍‌ ଅନ୍ତର୍ଦୃଷ୍ଟି କାରଣଯୋଗୁ ଅଧିକ ଆୟାସସାଧ୍ୟ; କିନ୍ତୁ ଅଧିକ ଆଧୁନିକ । ବଙ୍ଗ-ସାହିତ୍ୟରେ ମାମୁଲି ‘ପ୍ରେମ-ପ୍ଲଟ୍’, ‘ହା-ହୁତାଶ ପ୍ଲଟ୍‌’ ପ୍ରତି ଶ୍ରଦ୍ଧା ଏ ଦେଶରେ ଅସାଧାରଣ ନୁହେଁ; କିନ୍ତୁ ଇଉରୋପୀୟ ସାହିତ୍ୟରୁ ବଙ୍ଗୀୟ ଲେଖକମାନେ ‘‘ଆଭ୍ୟନ୍ତରୀଣ ଗତି’’ ବିଷୟରେ ଶିକ୍ଷାପାଇ ଅତି ସାଧାରଣ ବାହାର ଘଟନା ଉପରେ ମନୋଭାବର କ୍ରମ ଅନୁସରି ଯେପରି ଉପନ୍ୟାସ ଲେଖିଲେଣି, ତାହା ଅନୁକରଣ କରିବା ପ୍ରୟାସ ଆମର ନାହିଁ । ଉପେନ୍ଦ୍ର ବନ୍ଦୋପାଧ୍ୟାୟ କେବଳ ଦୁଇଟି ଗ୍ରାମ୍ୟ ଶିଶୁଙ୍କ ମନର ଭାବ ଉପରେ ଉପନ୍ୟାସ ଲେଖିଛନ୍ତି । ସେ ଦୁହେଁ ଜନ୍ମ ହେବା ଦିନୁଁ ଯାହା ଦେଖିଲେ, କ୍ରମେ ଅନୁଭୂତି କିପରି ବଢ଼ିଲା, ଶିଶୁ ମନରେ ଆଚମ୍ବିତକାରୀ ଗୁଣର କିପରି ପ୍ରକ୍ରିୟା ହୁଏ, ସେହି ବିଷୟ ଉପନ୍ୟାସରେ ବ୍ୟାଖ୍ୟା କରି ଏକନିଃଶ୍ୱାସରେ ପଢ଼ିବା ଭଳି ବିରାଟ ଉପନ୍ୟାସ ଲେଖିଛନ୍ତି । ଅଚିନ୍ତ୍ୟ ସେନ୍‌ ପ୍ରଭୃତି ତରୁଣ ଦଳରେ ନବଯୁଗର ଏପରି ଲେଖା ପ୍ରାୟ ଦେଖିବାକୁ ମିଳେ । ଅଚିନ୍ତ୍ୟ ବାବୁ ପୁଣି ଭାଷାରେ ବିପ୍ଳବ ଆଣିଛନ୍ତି; ଆବର୍ଜନା ଅଦରକାରୀ ଅଂଶ ବାଦ୍‌ ଦେଇ ଅଳ୍ପ ଲେଖାରେ କିପରି ଅଧିକ ପ୍ରକାଶ ହେବ, ସେ ଉଦ୍ୟମରେ ଉନ୍ନତି କରିଛନ୍ତି । ସେମାନେ ନିଜର ମସ୍ତିଷ୍କ ଖର୍ଚ୍ଚ କରୁଛନ୍ତି । ଆମେ ତାଙ୍କର ଉଦ୍ୟମରୁ ନ ଶିଖି କେବଳ ନ ଶିଖିବା କଥା ଶିଖୁଥାଇଁ । ପ୍ଲଟ୍‌ ଧରିଲେ ମନୁଷ୍ୟର ଜୀବନକାଳଠାରୁ ଉପାଦେୟ ଆଉ କିଛି ନାହିଁ କହିଲେ ଚଳେ ।

 

ବଡ଼ ବଡ଼ ଔପନାସିକମାନେ ଏପରି ପୂର୍ଣ୍ଣାଙ୍ଗ ଉପନ୍ୟାସ ଲେଖିଥାନ୍ତି, ଯହିଁରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କ୍ରମ ପରିଣତିର ପ୍ରକୃତ ଚିତ୍ର ମିଳେ । ରୋମ୍ୟାଁ ରୋଲ୍ୟାଁ ଲେଖିଲେ ଜନ୍‌ କ୍ରିଷ୍ଟୋଫରଙ୍କ ଜୀବନୀ; ଗଲ୍‌ସ୍‌ ଉଅର୍ଦ୍ଦି କେବଳ ଜଣେ ଲୋକର ଜୀବନକାଳ ବର୍ଣ୍ଣି ବସିଲେ ତା ନୁହେଁ, ମନୁଷ୍ୟ ଜୀବନରେ ସୌନ୍ଦର୍ଯ୍ୟର ପ୍ରଭାବ ବର୍ଣ୍ଣିବାକୁ ଯାଇ ସେ ଗୋଟିଏ ଯୁଗର ଉପନ୍ୟାସ ଲେଖିବସିଲେ । ସେମାନଙ୍କ ପରି ବଙ୍ଗଳାର ଶରତ୍‌ଚନ୍ଦ୍ର ଲେ୍ଖିଲେ ‘‘ଶ୍ରୀକାନ୍ତ ।’’ ଏପରି ପ୍ରୟାସରେ ବହୁ ଅୟାସ ପ୍ରୟୋଜନ ହୁଏ ସତ; କିନ୍ତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୁଏ । ଜୀବନର ଗୋଟିଏ ବଡ଼ ଉଦ୍ଦେଶ୍ୟ ପଛରେ ଗୋଡ଼ାଇ ଶେଷରେ ଫେଲ୍‌ ହୋଇ ମରିବା ବରଂ ଭଲ; ଦଶୋଟି ଛୋଟ ଉଦ୍ଦେଶ୍ୟ ସାଧି ଶେଷରେ ସଂକୀର୍ଣ୍ଣତା ଭିତରେ ବନ୍ଦୀ ହୋଇ ରହିବା ଭଲ ନୁହେଁ । ଓଡ଼ିଶାର କୁଆତରା ତଳେ ଏପରି ଅନ୍ତର୍ଦୃଷ୍ଟି ଆବଶ୍ୟକ ହେଉଛି । ଗୋଟିଏ ପୂର୍ଣ୍ଣାଙ୍ଗ ଜୀବନ ବର୍ଣ୍ଣି ବସିଲେ କେତେ ପ୍ରକାର ସମସ୍ୟା, ଚରିତ୍ର, ରସ ଆସି ପହଞ୍ଚିବ; କେବଳ ସହଜ ବାଟରେ ଚାଲିଲେ ଭବିଷ୍ୟତ୍‌ରେ ବିଶେଷ ଲାଭ ହେବାର ଆଶା ନାହିଁ ।

 

ଓଡ଼ିଶାର ଯେ କୌଣସି ପରିସ୍ଥିତିରୁ ଯେ କୌଣସି ପ୍ଲଟ୍‌ ଉଠାଇ ନେଇ ଛାତ୍ର-ମନରେ ବିଶ୍ଳେଷଣ କରି ଦେଖିଲେ କିପରି ଉପନ୍ୟାସ ହୁଅନ୍ତା ? ଏ ପ୍ରସଙ୍ଗରେ କାଳିନ୍ଦୀ ବାବୁଙ୍କ ‘‘ମାଟିର ମଣିଷ’’ ଓ କାହ୍ନୁଚରଣ ମହାନ୍ତିଙ୍କ ‘‘ଦୁନିଆର ଦାଉ’’ ପ୍ରଶଂସାଯୋଗ୍ୟ । ଇଂରାଜିରେ ଜେମ୍‌ସ ଜଏସ୍‌ ‘‘ୟୁଲିସେସ୍‌’’ ବୋଲି ଯେଉଁ ବିରାଟ ଉପନ୍ୟାସ ଲେଖିଛନ୍ତି, ତା’ର ଘଟନାର ସମୟକାଳ ହେଉଛି ଗୋଟିଏ ମାତ୍ର ଦିନ ! ଗୋଟିଏ ଅଖଣ୍ଡ impression ଆଣି ଦେବାକୁ ହେବ, ସେ ଯେଉଁ ଉପାୟରେ ହେଉ-ବର୍ଣ୍ଣିତ ଘଟନାର କାଳ ଦୁଇଖଣ୍ଡ ହେଉ ବା ଦୁଇ ଯୁଗ ହେଉ । ନବଯୁଗର ସାହିତ୍ୟ ଲେଖିବା ପାଇଁ କେବଳ ଅନ୍ୟମାନଙ୍କୁ ଅପେକ୍ଷା କରି ବସିବାର ଆବଶ୍ୟକତା ନାହିଁ । ମଣିଷର ଯାହା ସାଧାରଣ ଦାବୀ–ସ୍ୱାଧୀନ ଚିନ୍ତା, ତାହା ବଳରେ ନିଜେ ନୂତନ କିଛି କରାଯାଇପାରେ, ଅନ୍ୟମାନଙ୍କର ଆଦର୍ଶ ଭିନ୍ନ ଉପାୟରେ ନିରେଖି ଦେଖିବାକୁ ବାଟ ଖୋଲି ଦିଏ ଯାହା । ଯଦି ସ୍ୱାଧୀନ ଚିନ୍ତାରୁ ଯାହା ମିଳିଲା ତହିଁରେ ସ୍ୱାଧୀନ ମତ ବିଶ୍ୱାସ କରି ପାରିଲା, ତେବେ ସାହସ ବାନ୍ଧି ଅତି ନୂତନ (Ultra modern) ସାହିତ୍ୟଦ୍ୱାରା ଦେଶକୁ ଅଗ୍ରଗତିରେ ଚଳାଇବା ଉଚିତ । ଅଗ୍ରଗତି ନିର୍ଭର କରେ ସ୍ୱାଧୀନତା ଉପରେ, ଦାସମନ ଦ୍ୱାରା କିଛି ଫଳ ନାହିଁ ।

 

ଏ ଯୁଗରେ ବିଜ୍ଞାନର ଉନ୍ନତି ଯୋଗୁ ସାହିତ୍ୟରେ ଗୋଟିଏ ନୂତନ ଚିନ୍ତାଧାରା ଆସିଛି । ଘଟନା ପରଖ କରି ପ୍ରତ୍ୟକ୍ଷ ଓ ବିକ୍ଷିପ୍ତ ଅନୁଶୀଳନ ଭିତରୁ ସଜ୍ଜୀକରଣଦ୍ୱାରା ଆଇନ ବାହାର କରିବା ଯେପରି ବିଜ୍ଞାନର ସାଧାରଣ ଉପାୟ, କୌଣସି ଘଟନାକୁ ବିଶ୍ଳେଷଣ କରି ଦେଖିବା, ଆଲୋଚନା କରିବା ସେହିପରି ବିଜ୍ଞାପନର ଆମୋଦ । ଏପରି କ୍ରିୟା ପ୍ରତିକ୍ରିୟା ନିରେଖି ବସି ବୌଜ୍ଞାନିକ ଉପାୟ ଧରିବାଦ୍ୱାରା ନବଯୁଗର ସାହିତ୍ୟ କେତେଗୁଡ଼ାଏ ସମସ୍ୟା ପାଖରେ ପହଞ୍ଚିଛି–ମନୁଷ୍ୟ ଜୀବନର ସମସ୍ୟା, ପରିସ୍ଥିତିର ସମସ୍ୟା–ଇତ୍ୟାଦି ।

 

ଗତ ମହାଯୁଦ୍ଧ ପରେ ଯେତେବେଳେ ଇଉରୋପର ପୁରାତନ ସମାଜର ଧ୍ୱଂସ ହେଲା, ପୂର୍ବର ସୁଶୃଙ୍ଖଳ ବନ୍ଧାଗତ ଛିନ୍ନ ଭିନ୍ନ ହେଲା, ସେତେବେଳେ ଇଉରୋପ ଦେଖିଲା, ଗୋଡ଼ ତଳୁ ମାଟି ଖସି ଯାଉଛି; ଆଶ୍ରୟ ନେବାକୁ ପୂର୍ବର ସଂସ୍କାର ଆଉ ନାହିଁ । ନୂଆ ସୃଷ୍ଟି, ନୂଆ ସଂସ୍କାର ପାଇଁ ସେତେବେଳେ ଚେଷ୍ଟା କରାହେଲା । ବିଭିନ୍ନ କାରଣରୁ ଯେଉଁ ସମସ୍ୟାଗୁଡ଼ିକ ଆସିଥିଲା, ତା’ର ସମାଧାନ ଆବଶ୍ୟକ ହେଲା । ଆମ ଦେଶରେ ଯେ ସମସ୍ୟା ନାହିଁ, ଏପରି ନୁହେଁ; ବରଂ ଆମ ସାହିତ୍ୟରେ ସମସ୍ୟାର ଅଭାବ ଏ ଯୁଗର ସମସ୍ୟାସାର ସାହିତ୍ୟ ତୁଳନାରେ ଅଯଥା ପ୍ରାଚୀନ । କିନ୍ତୁ ବିଦେଶର ସମସ୍ୟା ଆମ ଦେଶରେ ନୁହେଁ, ଏ ପରିସ୍ଥିତିରେ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ଆମ ଦେଶର, ଆମ ନିଜର ବହୁତ ସମସ୍ୟା ଅଛି–ଉଦର-ସମସ୍ୟା, ନାରୀ-ସମସ୍ୟା, ହରିଜନ-ସମସ୍ୟା, ବିବାହର ଯୌତୁକ ସମସ୍ୟା–ଇତ୍ୟାଦି । କିନ୍ତୁ ଛାଡ଼ପତ୍ର ସମସ୍ୟା, କଳକାରଖାନା-ପ୍ରପୀଡ଼ିତ ଦେଶର ବିକୃତ ଜୀବନଯାପନର ସମସ୍ୟା, ଏସବୁ ଆମ ଦେଶର ନୁହେଁ-। ଚାକିରି ଲାଗି ବିଦେଶକୁ ଯିବା କାରଣରୁ ଗ୍ରାମ ଶୂନ୍‌ଶାନ୍‌–ପରିସ୍ଥିତିର ପ୍ରଭାବ ପାଇ କ୍ରମେ କୁଟୁମ୍ବ ସଂଖ୍ୟା କମି ‘‘ସ୍ୱତନ୍ତ୍ରବାଦ’’ ଆଡ଼କୁ ଅଗ୍ରସର କରୁଥାଇଁ । ଏପରି ଅବସ୍ଥାରେ ଆମରି ବୋଝ ଆମକୁ ବେଶୀ । ମଫସଲର ଗରିବ ଚଷା ଶୀତରେ ଥରି ଖଡ଼, ଅଖା ଭିତରେ ଧୂଆଁ ମଝିରେ ରାତି କଟାଉଛି, ନଈବଢ଼ି ଯୋଗୁଁ ବାଟି ବାଟି ଜମି ବାଲିବନ୍ତ ହୋଇ ଯାଇଛି । ଏ ସବୁ ଜୀବନମରଣର ସମସ୍ୟା କ’ଣ ଆମ ସାହିତ୍ୟରେ ଦେଖାଯାଏ ? ଖାଲି ପ୍ରେମ, ବିଚ୍ଛେଦ, ପୁଣି ପ୍ରେମ, ଆହୁରି ପ୍ରେମ, ଏହିପରି ହତଭାଗ୍ୟ ଦାର୍ଶନିକର ସମସ୍ୟାରେ ସାହିତ୍ୟ ଆମର ଭରାଭର୍‌ ।

 

ନୂଆ ଓଡ଼ିଶାର କୁଆତରାକୁ ଚାହିଁ ଗୋଟିଏ କଥା ବାରମ୍ବାର ମନେ ପଡ଼େ–ଆମ ଦେଶର ସାହିତ୍ୟିକମାନେ ଦେଶର ସାଧାରଣ ଲୋକଙ୍କୁ ବୋଧହୁଏ ଏ ପର୍ଯ୍ୟନ୍ତ ଛୁଇଁପାରି ନାହାନ୍ତି-। ଦେଶର ଦଶ ଜଣଙ୍କ ପାଖରେ ସାହିତ୍ୟ ପହଞ୍ଚି ପାରିବା ଲାଗି ସେମାନଙ୍କ ଶିକ୍ଷା ସଂସ୍କୃତି ସ୍ପୃହା ଯେପରି ଦାୟୀ, ସାହିତ୍ୟର ନିଜ ରୂପ ସେହିପରି ଦାୟୀ । ଭାଷାର ସାଧାରଣ ମାପକାଠି ଏ ପର୍ଯ୍ୟନ୍ତ ହେଲା ନାହିଁ, ବଙ୍ଗଳା ଲେଖିବେ ନା ସଂସ୍କୃତ ଲେଖିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ-। ଉଭୟେ ଦେଶର ‘‘ଓଡ଼ିଆ’’ ଠାରୁ ବହୁତ ଦୂରରେ ।

 

ଭାଷା କାଳ୍ପନିକ ନ ହୋଇ ଦେଶର ପ୍ରତିନିଧିସ୍ୱରୂପ ହେବା ଦରକାର । ଓଡ଼ିଆରେ ବଢ଼ି, ଭାବି, ବଞ୍ଚି ଇସ୍କୁଲ କଲେଜରେ ଯେପରି ଇଂରାଜିରେ ଭାବପ୍ରକାଶ କରିବାକୁ ହୁଏ, ସେହିପରି ଓଡ଼ିଆ ଶିଶୁ ଦେଶଭାଷାରେ ବଢ଼ି ମାନସମ୍ମାନ ପାଇଁ ସଂସ୍କୃତ ମିଶା ବ୍ୟାକରଣୀ ଭାଷାରେ ଭାବ ପ୍ରକାଶ କରେ; ନୋହିଲେ ହାଲ୍‌ ଫେଶନୀ ଲିଖନଭଙ୍ଗୀରେ ବଙ୍ଗଳା ଆଡ଼କୁ ଢଳି ପଡ଼େ; ତେଣୁ ଦେଶର ଦଶଲୋକେ ଯେଉଁ ଭାଷା ବୁଝନ୍ତି ବା ଯେଉଁ ଭାଷାର ପୋଷକତା କରନ୍ତି, ତାଠାରୁ ଦୁରକୁ ଚାଲିଯାଏ । ଗରିବ ମୂଲିଆ କି ଆଶାରେ ସାହିତ୍ୟ ପଢ଼ିବ ? ତା’ର ପେଜ ତୋରାଣି ତ ତହିଁରେ ନାହିଁ; ଚା ଟେବୁଲ, କୋଠା ମଟରର ବିଷୟ-ବସ୍ତୁ ତା’ର କଅଣ ହେବ? ତା’ର ସଂସ୍କୃତି (Tradition) ସମସ୍ୟା ଚିନ୍ତା ତହିଁରେ ନାହିଁ । ଯେଉଁ ବାସ୍ତବ ଜୀବନରେ ସେ ବଞ୍ଚୁଛି, ସେ କଥା ଏ ସାହିତ୍ୟ କରୁ ନାହିଁ । ତା’ର ଦୁଃଖ ଦୁର୍ଦ୍ଦଶା, ସମସ୍ୟା ଅଭିଯୋଗର ପୋଷକତା ଏ ସାହିତ୍ୟ କରୁ ନାହିଁ । ତେଣୁ ଆଉ କ’ଣ ? ଜୀବନର ଆଦର୍ଶ ଲାଗି ଦାର୍ଢ଼୍ୟତାଭକ୍ତିରୁ ସେ ଯାହା ପାଏ, ତା’ର ଲାଳସା ଦୁର୍ବଳତାର ଅତିରଞ୍ଜିତ ଚିତ୍ର ବୈଷ୍ଣବ ପାଣି ଗୀତି-ନାଟ୍ୟରେ ସେ ଯାହା ଦେଖିଥାଏ, ତହିଁରେ ତା’ର ସାହିତ୍ୟିକ କ୍ଷୁଧା ସେ ମେଣ୍ଟାଏ । ନବଯୁଗର ଓଡ଼ିଆ ସାହିତ୍ୟର ଏ ଅପ୍ରକାଶିତ ସତ୍ୟ ଆଡ଼କୁ ପ୍ରଥମେ ଆଖି ପକାଇବା ଦରକାର । ରୁଷ-ସାହିତ୍ୟରୁ କେବଳ ପିଲା-ଭୁଲାଣି ଅସାଧାରଣ ବିଷୟ-ବସ୍ତୁ ମିଳେ ନାହିଁ । ନୀଚାଦିଗି ନୀଚ (?) ଅତ୍ୟାଚାରିତ ଦେଶର ଦଶଜଣଙ୍କ (masses) ଗର୍ବିତ ସ୍ପର୍ଦ୍ଧା ତା’ର ଅସଲ ବିଷୟ-ବସ୍ତୁ ।

 

ବିପ୍ଳବୀ ନବଯୁଗର କୁଆତରା !

 

ସବୁ ଯୁଗରେ ଲୋକେ ଭାବିଥାନ୍ତି, ସେମାନେ ବିପ୍ଳବୀ । ଅତୀତକୁ ଅନାଇ କହନ୍ତି, ଅନ୍ଧାର ତୁଟି ଯାଉଛି, ଆଲୁଅ ଆସିବ, ସବୁ ଯୁଗରେ ପୁଣି ସେମାନଙ୍କ ସଂସ୍କୃତିକୁ ପର ଯୁଗ କହେ, ‘‘ମର୍ହଟି’’ । ଦୀପ ଆଲୁଅ ବିଦା ହୋଇ ନଲ୍‌ଟଣ ଆଲୁଅ ଆସେ; ତା ପରେ ଆସେ-ବିଜୁଳିବତି ।

 

କିନ୍ତୁ କୁଆତରା ନିଭେ ନାହିଁ । ହୁଏତ ଗୋଟାଏ ଭ୍ରାନ୍ତି, ତଥାପି–। ସୃଷ୍ଟିର କ୍ରମ ଗଡ଼ି ଚାଲେ, କୁଆତରା ସବୁଦିନେ ଉଜ୍ଜ୍ୱଳ !

Image

 

କାରୁଣୀ

 

ଅଗନାଗ୍ନି ବନସ୍ତ ଭିତରେ ସୂର୍ପଣଖା ଭେଟିଲା ରାମ ଲକ୍ଷ୍ମଣଙ୍କୁ । ଜାତିରେ ରାକ୍ଷସୀ, ଏଡ଼େ ମୁହଁ, ଅଲରା ବାଳ, ନଖ ସତେ କି କୁଲା ପଟେ ଲେଖାଁ ! କି ବିକଟାଳ ! କହିଲା କ’ଣ ନା ବାହା ହେବି । ରାମଚନ୍ଦ୍ର ତ ହସି ହସି ଗଡ଼ିଲେ । ‘‘ଭାଇ ଲଇକ୍ଷଣ, କାଳ ହବ ନାଇଁ, ହବ ନାଇଁ । ଦବୁ ନାସା ଦାନ, ଦବୁଟି ।’’ ଲକ୍ଷ୍ମଣ ଏଣେ ସୁତୁରେଇ ସୁତୁରେଇ ଖଞ୍ଜ ଉଣ୍ଡି ନାକ ଉପରେ କରି ମାରିଲେ ଚୋଟେ ଯେ, ନାକ ଏକା ଥରକେ ଦି’ଫାଳ ।

 

ଯାତ୍ରା ଚାଲିଛି, ଜଟିଆ ଓଝା ଉଠି କହିଲା, ‘‘ଭଲ ହେଲା–ଆଚ୍ଛା । ନାସଦାନି, ପା ।’’ ସମସ୍ତେ ତୁହାଇ ତୁହାଇ ହସିଲେ । ସବୁ ବୁଝାଳି ବୁଝିଲେ, ନାକଟା କାଟିବା ଅନ୍ତତଃ ଦଶଥର ଉଚିତ ହୋଇଛି । ଭଲ ନାକ, ଭଲ କଟା, ଭଲ ସୂପଣଖା ନାକକଟା । ସମସ୍ତଙ୍କ ସହାନୁଭୂତି ପଡ଼ିଲା ରାମଲକ୍ଷ୍ମଣଙ୍କ ଉପରେ ।

 

ହଜାର ହଜାର ବର୍ଷ ବିତିଗଲା । ସୂର୍ପଣଖା ଜନ୍ମ ହେଲା ନରିପୁର ମହାଜନ ଘରେ, ନାଁ ହେଲା ସୁପି । ଲକ୍ଷ୍ମଣ ଜନ୍ମ ହେଲେ ଗଞ୍ଜାମ ଜିଲ୍ଲା ଏନ୍ତୁପାଲ୍ଲ ଗାଁରେ, ନାଁ ହେଲା ଲଚ୍ଛମନ । ବାଇଶି ବର୍ଷର ଲଚ୍ଛମନ ହେଲେ ବାବାଜି, କୌପୁନୀ ମାରି ଚିମୁଟା କମଣ୍ଡଳୁ ହାତରେ ଧରି ଚାଲିଲେ । କହରା ବର’ଠାଖିଆ ବାଳ ପଡ଼ିଲା ବେକରେ, ମୁହଁରେ । ଝକ୍‌ ଝକ୍‌ ଗୋରା ଧିଅ ଖରା ଲାଗି ଦିଶିଲା ତମ୍ବା ପରି । ବୁଲି ବୁଲି, ଶେଷରେ ନରିପୁର ମହାଜନ ଘର ଖମାର ପାଖରେ ସେ ଯେଉଁ ଝଙ୍କା ବରଗଛ, ତାରି ମୂଳେ ଟୁଙ୍ଗି ଠିଆ ହେଲା । ଭକ୍ତ ଜମିଲେ ବହୁତ, ଲଛମନ ବାବା ଫୁଙ୍କିଲେ, ଫୁଙ୍କିଲେ, ଫୁଙ୍କିଲେ । ଆଖି ଦିଶିଲା ନାଲ, ପବନ ହେଲା ଧୂଆଁଳିଆ । ଜପ, ତପ, କ୍ରିୟା, କାମ, କେତେ କ’ଣ ।

 

ଷୋଳ ବରଷୀ ଗେଲ-ବସରୀ ଝିଅ ସୁପି, ନଇକି ଗାଧୋଇ ଯାଏ ବଡ଼ି ଅନ୍ଧାରୁ- ଗୋଟିଏ ଗୋଟିଏ, ଖୋଜେ ଖୋଜେ, ଢଳି ଢଳି, ହଲି ହଲି । ହାତେ ଲମ୍ବ ଓଢ଼ଣା ଦୋହଲେ ଏପାଖ ସେପାଖ, ଚାଟି ଦେବ ଯେପରି ସାରା ଦୁନିଆ । ଠିକ୍‌ ଟୁଙ୍ଗି ପାଖେ –‘‘ନାନି, ଆଗେ ଆଗେ ଚାଲିଥା; କଣ୍ଟାଟେ ପଶିଲା ଗୋଡ଼ରେ ।’’ ତା ପରେ ତହିଁ ଆରଦିନ ‘‘ବୋଉ, ଯା ଯା, ହେଇ ମଧୁଆ ଆସୁଛି ପଛରୁ, ଚାଲି ଆସୁ ।’’ ସେଠୁ ତା ଆରଦିନ, ‘‘ଖୁଡ଼ି, ଯା ଯା, ଦେଠି ପଳେଇଲା । ମୋ ଗୁଡ଼ାଖୁ ମେଞ୍ଚାଟା କୋଉଠି ପଡ଼ିଗଲା, ଗୋଟେଇ ନିଏଁ ।’’ ଆହା ବିଚରା । ଦୀକ୍ଷା ନେଲା, ଆଳାପ ବି ଶେଷକୁ ଜମିଲା ଭଲ । ବସି...ଇ ଥାଏ, ଚାହିଁ....ଇ ଥାଏ । ‘‘ବାପା, ବାବାଜିଙ୍କ ଦୁଧ ପଠେଇ ଦିଅ’’, ‘‘ବୋଉ, ବାବାଜିଙ୍କର ଘିଅ ନାହିଁ ।’’ ପୁନେଇ ରାତିର କଇଁଫୁଲିଆ ଜହ୍ନରେ ତା’ର ମନଟା ବୁଲେ ଛାଇ ପରି, ଟୁଙ୍ଗି ଏ ପାଖ ସେ ପାଖ, ଗଛ ଏ କନ୍ଦି ସେ କନ୍ଦି । ଆଖିରେ ନିଦ ଭରିଯାଏ, ସୁପି ସପନ ଦେଖେ-କେତେ ସୁଖରେ ସୁଖୀ ସେ ! କେତେ ଦେଶ, କେତେ ବଣ ଜଙ୍ଗଲ, ସାଙ୍ଗରେ ଖାଲି ଜଣେ ଲୋକ । ବାବାଜିଟା କ’ଣ ପଥର ? ନୀରବ ଆଖିର ଗୋପନ ବ୍ୟଥା ସେ ବୁଝେ ନାହିଁ-। ଶେଷରେ ଯେଉଁ ଦିନ ସୁପି ମୁହଁ ଫିଟାଇଲା, ବାବାଜି ଉଠି ଠିଆ ହେଲା, ଆଖି ଦିଟା ଶଗଡ଼ ଚକ ପରି ବୁଲାଇ ବୁଲାଇ । ଚିମୁଟା ମୁନରେ ନାକ ଉପରେ ଗେବେ ଥୋଇ ପଚାରିଲା, ‘‘କିସ କହିଲୁ ଶ...ରା...ହାମେ ବାବାଜି ଆଛେ, ହାମେ ବାବା...’’ ସିଧା ଚାଲିଗଲା ପଶ୍ଚିମ ଦେଶକୁ, ସିଧା । ଚାରିଆଡ଼ ଶୁନ୍‌ଶାନ୍‌ । ବରଗଛ ଫାଙ୍କରେ ଜହ୍ନ ଆଲୁଅ ଦେଖିଲା, ସୁପି କାନ୍ଦୁଛି, ଏକୁଟିଆଟା, ମୁକୁଳା ବାଳ ଫାଙ୍କରେ ଲୁହଗୁଡ଼ା ପଡ଼ୁଛି ଟୋପା ଟୋପା, ଚିକ୍‌ ଚିକ୍‌, ଚିକ୍‌ ଚିକ୍‌ । ନିଭିଲା ଧୁନି ପାଉଁଶ ଉପରେ କାନ୍ଦୁଛି ସୁପି, ଥରି ଥରି ।

 

ଥିଏଟର ଭାଙ୍ଗିଲା । ଏତେ ଲୋକଙ୍କର ଘୋ ଘା ଭିତରେ ଶୁଭୁଛି ଖାଲି ‘‘ଆହା......ସୁପି-।’’ ଜଟି ଓଝା ଥିଏଟର ଦେଖି ଆସିଥିଲା କଟକ, ଲୁଗା କାନିରେ ମୁହଁ ପୋଛି ପୋଛି ଚାଲିଲା ପଦାକୁ । ଏ ସୁପି ସେ ସୂର୍ପଣଖା ନୁହେଁ, ଏଠି ସହାନୁଭୂତି ଢଳିଛି ତା’ର ପ୍ରତ୍ୟାଖ୍ୟାନ ଉପରକୁ । ଦୁଇଟା ଏକା ଘଟନାରେ ହସକାନ୍ଦର ତଫାତ୍‌ କାହିଁକି ? ଗୋଟାକରେ ରାମ ଲକ୍ଷ୍ମଣଙ୍କ ଉପରେ ସହାନୁଭୂତି, ସୂର୍ପଣାଖର ଘଟନା ଦିଶୁଛି ବୁଦ୍ଧି, ଚିନ୍ତା ଉପରେ, ଆରଟିରେ ସୁପି ଉପରେ ସହାନୁଭୂତି, ତା’ର ଘଟନା ବୁଝା ପଡ଼ୁଛି ନିଜେ ଅଙ୍ଗେ ନିଭାଇଲା ପରି ହୃଦୟ ଭିତରେ । ଓଜନ ଉପରେ କଥା, ଗୋଟାକରେ ରାମଲକ୍ଷ୍ମଣ ଉପରେ ଓଜନ, ଆରଟିରେ ସୁପି ଉପରେ ଓଜନ ପଡ଼ିଛି-। ତେଣୁ ଯେଉଁ ଲୋକ ବଖାଣୁଛି ବା ଘଟନାର ଅଭିନୟ କିପରି ହେବ ବରାଦ କରିଛି, ଯଦି ତା’ର ଉଦ୍ଦେଶ୍ୟ ଫଳ ଫଳେ, ତେବେ ତା’ର ସହାନୁଭୂତି ଆଉ ଘଟନାର ଭିନ୍ନ ଭିନ୍ନ ଅଂଶ ଉପରେ ସେ ଯେଉଁ ଓଜନ ଦେଇଥିବ, ତାହାରି ଉପରେ ନିର୍ଭର କରେ, ବିଷୟଟି ହସ-ନାଟକ କି କରୁଣ-ନାଟକ ହେବ । କିନ୍ତୁ ସୂର୍ପଣଖାର ନାକର ରକ୍ତ ଦେଖିଲେ ଦୁଃଖ ଆସିପାରେ, କରୁଣ-ନାଟକ ହେବ ନାହିଁ । ମହାଜନ ଝିଅ ସୁପିର ନାକ ସତେ ସତେ ନ ଫୁଟିଲେ ମଧ୍ୟ କାରୁଣୀ ହେବ । ଚାହାଳୀରେ ଟିକି ପିଲାଙ୍କ ହାତପିଠିରେ ଯେତେବେଳେ ବେତବାଡ଼ି ଗର୍ଜେ, ଟିକି ଟିକି ଦୁଧିଆ ଆଖିରୁ ବୁହେ ଲୁହ, ମନରେ ଦୁଃଖ ହୁଏ; କିନ୍ତୁ ସେ ତ କରୁଣ-ନାଟକ (ଟ୍ରାଜେଡ଼ି) ନୁହେଁ । ମୁଣ୍ଡବ୍ୟଥା ହେଲେ, ଦାନ୍ତମୂଳ ଧରିଲେ ତ ଟ୍ରାଜେଡ଼ି ହୁଏ ନାହିଁ । ତଫାତ୍‌ କେଉଁଠି ?

 

କରୁଣର ସୁଅ ମାଡ଼ି ଆସି ଚାଲିଯାଏ, ଭାବି ବୁଝିବାର ଅବସର ନାହିଁ, ବଇଶାଖୀ ଝଡ଼ପରି । ଟ୍ରାଜେଡ଼ି ଆହୁରି ଗହୀର, ବଢ଼ିଲା ନଈର ମଳମଳି ପରି । ଦୁଃଖର ପ୍ରତି ଅଣୁକୁ ଅନୁଭୂତି ଭିତରେ ବୁଝିବାକୁ ହେବା ବିରୋଧୀ ଚେଷ୍ଟା ଉପରେ କ୍ରମେ କ୍ରମେ କିପରି ବିଫଳତା ଆସି ଶେଷରେ ସବୁ କେବଳ ଦୁଃଖମୟ କଲା, ଅପୂର୍ଣ୍ଣ ରଖିଲା, କରୁଣ ନାଟକ ତାହାହିଁ ବୁଝାଏ । ଥିଲା କଣ, ହେଲା କଣ, କେଉଁ କ୍ରମରେ ହେଲା, ସଂଘର୍ଷ ହେଲା କିପରି, ଏ ସବୁ ଦେଖୁଁ ଟ୍ରାଜେଡ଼ିରେ । ସହାନୁଭୂତି ଆସେ, ଦୁଃଖ, ଭୟ । କରୁଣ ନାଟକ ମନର ସବୁ ପ୍ରବୃତ୍ତି ଦରକାର କରେ ଯେପରି ବୁଝିବାକୁ, ଚେଷ୍ଟା ଆଉ ସଂଘର୍ଷରେ ସବୁ ପ୍ରବୃତ୍ତିର ଶେଷ ପରାକାଷ୍ଠା ଦେଖାଇଥାଏ ସେହିପରି । କେବଳ କରୁଣ ରସ ଗୋଟାଏ ଛାଇ, ଗୋଟାଏ ସ୍ଥିତିବାନ୍‌ ଧାରଣା; କରୁଣ ନାଟକ କେବଳ ଛାଇ ନୁହେଁ, ଜୀଅନ୍ତା; ସ୍ଥିତିବାନ୍‌ ନୁହେଁ, କାର୍ଯ୍ୟକାରୀ । ପୁଅଟି ମରିଯିବାରୁ ବୁଢ଼ୀ କାନ୍ଦୁଚି, ଏ ଦୁଃଖ ମନ ଉପରେ ପଡ଼େ ଛାଇ ପରି । ଏ ଦୁଃଖର କାର୍ଯ୍ୟକାରିତା କଅଣ, ଜୀବନ ଉପରେ ଓଜନ କେତେ, କିପରି କ୍ରମରେ ଏ ଦୁଃଖ ଆସିଲା, ଜୀବନର ଭିନ୍ନ ଭିନ୍ନ ସମ୍ବନ୍ଧ ଉପରେ କ୍ରିୟା କଣ, ଏସବୁ ଯେଉଁ ଉପାୟରେ ମନ ଭିତରେ ମଳମଳି ପରି ଘାରିବ, ତହିଁରେ ହେବ କରୁଣ-ନାଟକ, ତହିଁରୁ ବାହାରିବ କାରୁଣୀ, ତା ନ ହେଲେ ଏ କେବଳ କରୁଣ ରସ । ଖଣ୍ଡିଆଭୂତ ପାଲରେ ପଡ଼ି ଉଡ଼ନ୍ତା ପତ୍ରର ଦୁର୍ଦ୍ଦଶା ନୁହେଁ ଟ୍ରାଜେଡ଼ି । ଦୁଃଖ ହୋଇପାରେ; କିନ୍ତୁ ସହାନୁଭୂତି ଆଉ ସମ୍ମାନ ଏ ଉଭୟ ଆସିବେ ନାହିଁ । ତେଣୁ କାରୁଣୀର ନାୟକ ଘୋର ବା’ ବତାସି ବିରୁଦ୍ଧରେ ଯୁଝୁଥିବା ସରସା ଡାହି । ଡାହି ଭାଙ୍ଗିବ, ନୋହିଲେ ଟ୍ରାଜେଡ଼ି ହେବ ନାହିଁ; କିନ୍ତୁ ତା ପୂର୍ବରୁ ବହୁତ ଟଣାଓଟରା, ଯହିଁରେ ଲୋକେ କହିବେ, -‘‘ଓଃ, ଏଡ଼େ ସରସା ଡାହିଟା ।’’

 

କରୁଣ ନାଟକରେ ଦୁଇଟି ଦଳ, ଗୋଟିଏ ପାଖେ ନାୟକ, ଯେ ଶେଷରେ ହେବ ଚିତ୍‌, ଆର ପାଖେ, ଯେଉଁ ଦଳ ଜିତିବ; କିନ୍ତୁ ଯାହାପ୍ରତି ଆମର ସବୁ ସହାନୁଭୂତି ପୋଛାପୋଛି ଝଡ଼ାଝଡ଼ି ସରି ନାହିଁ । ବିପକ୍ଷ ଦଳ ହେଉ ମଣିଷ, ନୋହିଲେ ଘଟନା, ନୋହିଲେ ଭାଗ୍ୟ । ଏ ଦୁହିଁଙ୍କ ସଂଘର୍ଷ ଆଣେ ଗୋଟାଏ ଉଚ୍ଚ ଅନୁଭୂତି, ଗୋଟାଏ ସହାନୁଭୂତିମିଶା ଔତ୍ସୁକ୍ୟ । ସଂଘର୍ଷ ନିଶ୍ଚୟ ରହିବ, ପରିଷ୍କାର ପଦାରେ ପଡ଼ୁ ନ ପଡ଼ୁ । ପିମ୍ପୁଡ଼ିକୁ ଗୋଡ଼ରେ ଦଳିଲେ, ନୋହିଲେ ମଶାକୁ ତାଳିରେ ଛେଚିଲେ ଏ ଉଚ୍ଚ ଅନୁଭୂତି ଆସିବ ନାହିଁ । ସଂଘର୍ଷ ଯେଉଁଠି ଖୋଲା ଆଖିକୁ ନ ଦିଶୁଛି, ହୁଏତ ସେଠି ରହିଛି ଦୁଃଖଦୁର୍ଦ୍ଦଶାର କ୍ରମବିକାଶ, ପରିସ୍ଥିତି ପ୍ରତିଘାତ କିପରି ‘ଘନେଇ’ ଆସୁଛି, ନାୟକ କିପରି ମନକୁ ମନ କାର୍ଯ୍ୟଦ୍ୱାରା ଘାତ ପ୍ରତିଘାତ କରୁଛି, ଆଉ ତା’ର ଭାଗ୍ୟ ଆଗେଇ ପୁଣି ପଛକୁ ହଟୁଛି । ତା’ର ଆଶା ଭରସା ବିରୁଦ୍ଧରେ ରହିଛି ଅଜଣା ଆଶଙ୍କା, ତା’ର ସୁନେଲି ସପନର କୁହୁଡ଼ି ସେ ପାଖେ ଅଛି ନିଷ୍ଠୁର ବାସ୍ତବତା, ତା’ର ଉତ୍ସାହ ଉଦ୍ୟମ ତଳେ ତଳେ ଅଛି ବିଧିବିଧାନର ଭଗାରୀ ହସ ।

 

କରୁଣ-ନାଟକର ମନ ଉପରେ କ୍ରିୟା ହୁଏ କିପରି ? ଯେଉଁ ଲୋକର ଭଲ ଗୁଣ ବା ଉଦ୍ୟମ ଦେଖି ତା ଆଡ଼କୁ ଢଳି ପଡ଼ିଥାଇଁ, ପ୍ରଶଂସା କରିଥାଇଁ, ସଂଘର୍ଷଦ୍ୱାରା ଶକ୍ତିର ପରିଚୟ ପାଇ ସମ୍ମାନ କରିଥାଇଁ, ସେ ମାଟି କାମୁଡ଼ିଲେ ଦୁଃଖ ହେବ, ଭୟ ହୋଇପାରେ, ଅନିଶ୍ଚିତ ଭାଗ୍ୟ ବା ଅତି ପରାକ୍ରମୀ ବିପକ୍ଷଦଳ କଥା ଭାବି । ଭୀମ ପୁଣି ଘଟିଲେ ପୂଝାରୀ କାମରେ, ଯୁଧିଷ୍ଠିର ଗଲେ ବନବାସ । ଯେତେବେଳେ କରୁଣ-ନାଟକ ହେଲା ଆରମ୍ଭ, ସେତେବେଳେ ବିପକ୍ଷ ଦଳ ନିଜେ ଭାଗ୍ୟ ! ଅତି ସହଜ ଭାଗ୍ୟ ଉପରେ ତ ଆଉ କଥା ନାହିଁ ! ବେଳେ ବେଳେ ଭାଗ୍ୟର ସ୍ଥାନ ନେଲେ ଦେବତା, ଉଦ୍ଦେଶ୍ୟ, ତୁଚ୍ଛା ଡର । ଓଷା ପାଳିବ ତ ପାଳିବ, ନୋହିଲେ, ଜାଣିଥା । ମନସା ଦେବୀ ସୌଦାଗରକୁ କେତେ ହଲାପଟା କଲେ, ସୁଦଶାବ୍ରତରେ ରାଜାଙ୍କର ଦୁର୍ଭାଗ୍ୟ; ଇତ୍ୟାଦି ଇତ୍ୟାଦି କଥା ଏ ଦେଶରେ ନୂଆ ନୁହେଁ ।

 

କିନ୍ତୁ ଏ ହେଲା ବାହାର ଟ୍ରାଜେଡ଼ିର କଥା । ଅସ୍ତ ଆଲୁଅର ଶେଷ ରେଖାଟି ମିଶିଯାଏ ଧୀରେ ଧୀରେ କେଉଁ ଅଜଣା ଦରିଆର ସେ ପାରିରେ । ମେଘ ଭାସି ଚାଲିଯାଏ ଛାଇ ପରି । ତାପରେ ଆସେ ଗୋଟାଏ ବିରାଟ ଶୂନ୍ୟତା, ଯେପରି ସେ ଏକା....ଏକା ! ତୁଳସୀତଳର ମିଞ୍ଜି ମିଞ୍ଜି ସଞ୍ଜବତୀ କି କଥା କହେ ମଉନ ରହି, କିଏ ଜାଣେ ? ଅକସ୍ମାତ ସବୁ ସୁଖ, ସବୁ ସମ୍ପଦ ମଝିରେ ଦୁଃଖ କାହିଁକି ? ଉଜୁଡ଼ିଛି କ’ଣ ? ଯାଇଛି କ’ଣ ? ଅଭାବ କାହାର ? ତଥାପି ଦୁଃଖ ଆସେ, ମନେ ହୁଏ ଯେପରି ଏତେ ଲଢ଼ାଲଢ଼ି, ଫଳ ନାହିଁ । ଜୀବନଟା ଗଲା ବୃଥା । ହୁଏ ତ କେତେକଥା ଆଖି ଆଗରେ ଭାସି ଚାଲିଯାଏ, ଝାପ୍‌ସା ଆଲୁଅରେ ଅତୀତର କେତେ ଆଶା, ଇଚ୍ଛା-। ସେ ଦିନ, ଆଉ ଆଜି ! ସେ ଦିନ ସାମନାରେ ଜୀବନକୁ ଚାହିଁ ମନେ ମନେ କେତେ ରଙ୍ଗିଣୀ ମୋହ ଆଙ୍କିଥିଲା; ଶାଉଁଳା ଘାସର ସୌରଭରେ ମାଟି ଉପରେ ପାଦ ରଖି ଛାତି ଫୁଲାଇ ଶିଶୁ ହାଙ୍କିଥିଲା, ‘‘କାଲି....ହବ,....କାଲି ।’’ ଆଉ ଆଜି ! କେତେ କୁହୁଡ଼ିଖିଆ ଶୁଖିଲା କଇଁ, କେତେ ଚିତା ପାଉଁଶ । ଜୀବନଟା ନିଜେ ଗୋଟାଏ ବଡ଼ କାରୁଣୀ, ତା ଆଗରେ ଅଧିକ କିଛି ନାହିଁ; କିନ୍ତୁ ଏପରି ଅନୁଭୂତି ନିଜ ମନକୁ ଆସେ, ଜବରଦସ୍ତି କାହାରି ମୁଣ୍ଡରେ ପୂରାଇବା ବା ସେହି ଅନୁଭୂତି ଅଣାଇବା କଷ୍ଟ । ତା ପରେ ଜଣକର ଗୋଟିକିଆ ମନ, ଆଉ ଏକାଠି ରୁଣ୍ଡ ଦଳର ମନ ସମାନ ନୁହେଁ । ମନକୁ ମନ ବୁଝି ଅନୁଭବ କରିବା ଯେପରି, ଥିଏଟର ଚାନ୍ଦିନୀ ଉପରେ ଠିଆ ହୋଇ ଦଳେ ଲୋକଙ୍କ ମନକୁ ଧରିବା ସେପରି ନୁହେଁ । ଏତେ ଲୋକଙ୍କ ମନରେ ଧାରଣା ଦେବାକୁ ହେଲେ ଦୁଇଟି ଉପାୟ । ଅଳ୍ପ ଆକାରରେ ଅଧିକ ବହଳ (Intensive), ତା ନ ହେଲେ ଘନ ନୋହିଲେ ବି ଅନ୍ଧାର, ପରିସରରେ ବଡ଼ (Extensive) କରି ବଖାଣିବାର ଉପାୟ । ଟିକି କଥାରେ ବହଳ ଭାବ ରଖି ଧାରଣା ଦେବା କଷ୍ଟ, ହାତ କରାମତି ଦରକାର ବେଶି, ଜୀବନ ଭିତରକୁ–ପ୍ରତ୍ୟେକ ଛୋଟ ଛୋଟ ଘଟନା ଭିତରକୁ ଖିଅ ଧରି ପଶିବା ଆଗେ ଲୋଡ଼ା । କେମ୍ପା ଗୋଦରା ଜୀବନର ଟ୍ରାଜେଡ଼ି ଜଣ ଜଣ କରି ଲୋକେ ଶୁଣି ବୁଝି ପାରନ୍ତି, ନିଜେ ଆଖି ଆଗରେ ଦେଖି; କିନ୍ତୁ ସାମ୍ନାସାମ୍ନି ଥିଏଟରରେ ଏତେ ଲୋକ ଦେଖି ବୁଝିବା ଯେପରି କଷ୍ଟ, ସୂକ୍ଷ୍ମ ଜିନିଷକୁ ଆଖିପୁରା ମୋଟା ଘଟନା କରି ବୁଝାଇବା ସେପରି କଷ୍ଟ । କରୁଣ ନାଟକର ନାୟକ ହୁଅନ୍ତୁ ଜଣେ ବଡ଼ ରାଜା, ଦଶଜଣଙ୍କ ଆଖି ଆପେ ଆପେ ଲାଖିଯିବ । ବଡ଼ ବଡ଼ ଘଟନା, ବଡ଼ ବଡ଼ ଲୋକ, ଏମାନେ ହେଲେ ପ୍ରଥମେ କରୁଣ ନାଟକର ବିଷୟ ।

 

ନାୟକ ହେଲେ ବଡ଼ ଲୋକ, ଘଟନା ହେଲା ହୁଲସ୍ଥୁଲ ଲାଗିବାଭଳି । ଝର ଝର ରକ୍ତ, ଗୁଣ୍ଡାଫେଷା ହାଡ଼, ମେଞ୍ଚାମେଞ୍ଚି ଚକଟାଚକଟି ମାଉଁସ, ଦେଖିବାଲୋକ ମନରେ ଏସବୁ ଯେତେ ସହଜେ ଗାର ଟାଣେ, ଭଙ୍ଗା ମନ, ଦଦରା ଆଶାଭରସା, ନଷ୍ଟ ଜୀବନ, ଏସବୁ ସେତେ ସହଜରେ ଚମକ ଲଗାଏ ନାହିଁ । ଝଣ୍ ଝାଣ୍ ତରୁଆଲ୍, ଭୁଷାଭୁଷି, କେଞ୍ଚା କେଞ୍ଚି, ଖୁନ୍ କତଲ୍, ବାଡ଼ିଆ କଚଡ଼ା, ବାହାରର ଏଇ ଆଡ଼ମ୍ବର ଘେନି ଟ୍ରାଜେଡ଼ି ଆସିଲା ପ୍ରଥମେ । ତା ପରେ ଯେତିକି ଯେତିକି ଉନ୍ନତି କଲା, ସେତିକି ସେତିକି ସାଧାରଣ ହେଲା । ବାହାରର ଗାଲଗଫା ହଟଚମକ ମଉଳି ଆସିଲା । ଯାତ୍ରା ସୁଆଙ୍ଗରେ ଯେଉଁ ‘‘ଭେସରାମି’’ ସାଜସଜ୍ଜା, ଆଡ଼ମ୍ବର, ସେସବୁ ଏଇ ଆଦିମ ଆଖିପୁରା ଉପାୟ (Broad effects) ର ପ୍ରମାଣ । ରାବଣ ମଲା, ଦୁଇରାତି କଦମ ଦାଣ୍ଡରେ ଯୁଦ୍ଧ । ଲକ୍ଷ୍ମଣ ଶକ୍ତି ଶେଳ, ଗୋଟିଏ ରାତି । କେଉଟ ସାହୀ, ଜଟିଆ ମଠ, ନଙ୍ଗୁଳି ମଠ ବାଟେ ଦୁଇ ଘଣ୍ଟା ଗୋଡ଼ାଇ ଗୋଡ଼ାଇ ଶେଷରେ ମଶାଲଯୋଖା କାଣ୍ଡ ଫୋପାଡ଼ିଲା ରାବଣ । ଭାଇ ତଳେ; ରାମ କାନ୍ଦିଲେ, ମାଙ୍କଡ଼ ସୈନ୍ୟ କାନ୍ଦିଲେ, ଦାଣ୍ଡ ଫାଟିଲା, ଦୁଃଖରେ ଗଡ଼ି ଗଡ଼ି ମାଙ୍କଡ଼ ସୈନ୍ୟ ଦେଖାଣାହାରୀ ଟିକିପିଲାଙ୍କ ଉପରେ ପଡ଼ିବାରୁ ପିଲାଏ କାନ୍ଦିଲେ, ପିଲାଙ୍କ କାନ୍ଦଣା ଦେଖି ଆଡ଼େଇ ହୋଇ ବସିଥିବା ମା’ମାନେ କାନ୍ଦିଲେ । ହନୁମନ୍ତ ଗନ୍ଧମାର୍ଦ୍ଦନ ଉପାଡ଼ିବାକୁ ତୋଟାକୁ ଗଲା, ବିଶାଳ ଭାରବୁହା କାନ୍ଧରେ ଏତେ ଡାଳବୁଦା ବୋହି ଆଣୁ ଆଣୁ କୁଆଁତରା ଉଇଁଲାଣି । ଆଖି ଆଗରେ ମଲା ଖଣ୍ଡିଆ କିପରି ଦେଖା ହେଉଥିଲା, ସେକ୍‌ସ୍‌ପିଅରଙ୍କ ବେଳର ନାଟକ ତା’ର ସାକ୍ଷୀ । ନାଟକ ସରିଲାବେଳକୁ ଷ୍ଟେଜ୍‌ ଉପରେ ଖାଲି ମୁର୍ଦ୍ଦାରମାଳ, ‘‘ଟାମ୍ବରଲେନ୍‌’’ ନାଟକ ଅଭିନୟ କରୁ କରୁ ଲଢ଼େଇ ମୁହଁ ଥରେ ଢଳିଲା ଦେଖଣାହାରୀଙ୍କ ଉପରକୁ, ସେଥିରେ ଗୋଟିଏ ସ୍ତ୍ରୀ ଲୋକ ଆଉ ଗୋଟିଏ ଟିକି ପିଲା ସତକୁ ସତ ମରିଗଲେ ।

 

ପରେ ସାକ୍ଷାତ୍‌ ଝୁଣ୍‌ ଜଖମ୍‌ ପରିବର୍ତ୍ତେ ଆସିଲା ଦୁଃଖ, ବିରହ । ବାଇଦ ବାଜିଲା, ନହବତ, ପେଁକାଳୀ କାନ୍ଦିଲା, ଏତେ ଦିନର ଖୁସିବାସିଆ ଜୀବନ ଏତେ ଦିନର ସୁଖ ସୁଆଗଠାରୁ ବିଦାବିଦି ସାରି କାନ୍ଦି କାନ୍ଦି ରୂପା ଦେଈ ଚାଲିଲେ, ଶାଶୁ ଘରକୁ । ବଉଳ ଏଥର ଏକା ଯିବ ତଳବାରିକି, ପୁଷି ଆଉ ଘଷା ଆଉଁସା ପାଇବ ନାହିଁ, ବଣଭୋଜୀବେଳେ ରୂପେଇ ଆଉ ନ ଥିବ, ଆଗ ମାଡ଼ିବସି ଖାଇବାକୁ । ଶକୁନ୍ତଳା କାନ୍ଦିଲେ, କଣ୍ୱ ଋଷି କାନ୍ଦିଲେ ମିରିଗ ଛୁଆଟି ପଛେ ପଛେ ଗଲା କେତେ ବାଟ, ‘ନୋମାଳିଆ’ ଆମ୍ବ ଗଛରେ ଛନ୍ଦିଛାନ୍ଦି ହୋଇ ଚାହିଁଲା । ମରଣ ପରିବର୍ତ୍ତେ ବିଚ୍ଛେଦ, ବିରହ ଆସିଲାବେଳକୁ କାରୁଣୀ ପାହାଚେ ଉଠିଛି । ମଣିଷ ବୁଝିଛି, ଖାଲି ମୁହଁ ନେଫେଡ଼ି ଆଖି ବୁଜି ପଡ଼ିବାଠୁଁ ମରଣ ଅଛି, ଜୀଅନ୍ତା ମରଣ; ସ୍ମୃତିର ମରଣ, ସ୍ୱପ୍ନର ମରଣ, ଗେଲବସର ‘‘ମାନସ ପୁତ୍ର’’ ମାନଙ୍କ ମରଣ, ସଳଖ ଡାହି ଭାଙ୍ଗି ନ ପାରି ମରିପାରେ, ଶୁଖିଯାଇପାରେ, ବାହାରକୁ ସିଧା, ଚିକ୍‌ଚିକ୍‌, ଭିତରେ ପୋଲା । ଏ ଦେଶର ସାହିତ୍ୟ ଏ ଉଞ୍ଚ ପାହାଚରେ ଚଢ଼ିଛି ବହୁତ ଦିନୁଁ । ଆଖି-ଝଲସାଣି ଜାକଜମକ ଭିତରେ ଦେଖିଥାଇଁ ସୀତା ଚୋରୀ, ସୀତା ବନବାସ, କରୁଣ ରସର ଉତ୍ତର ଚରିତ, ଶକୁନ୍ତଳା ପ୍ରତ୍ୟାଖ୍ୟାନ; ଶୁଣିଥାଇ–

 

“କୋଇଲି ଲୋ କେଶବ ଯେ ମଥୁରାକୁ ଗଲା

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି ।’’

 

ଦୁଃଖ ଦୁର୍ଦ୍ଦଶା, ଆଶା ଭଙ୍ଗା, ମରଣର ସ୍ଥାନ ନେଇଥାଏ । ସମାଜ ପରିସ୍ଥିତି, ସାଧାରଣ ଘଟନା ଉପରେ ଜୀବନର ବୋଇତ କିପରି ଭାଙ୍ଗିଯାଏ ଆଜିକାଲିକା ୟୁରୋପ ଦେଶର ଉନ୍ନତ କରୁଣ-ନାଟକ ତହିଁରେ ଖୁବ୍‌ ଦକ୍ଷ । ଇଚ୍ଛା ହେଉଛି, ଅତୀତର ମସିଆ ପୃଷ୍ଠା ଓଲଟାଇ କିପରି ନୂଆ ଜୀବନ ପାଆନ୍ତେ । ଉଦ୍‌ଯୋଗ ହେଲା, ଅତୀତର ବାସ୍ତବତା ରହିଲା ନୂଆ ଆଶା, ନୂଆ ଆଦର୍ଶର ସପନ ମୋହର ତଳେ; କିନ୍ତୁ ନିସ୍ତାର ନାହିଁ ଅତୀତର ଚିତା ପାଉଁଶରୁ ବାହାରିଲେ ପ୍ରେତ । ନେଳି ଆକାଶ ହେଲା କାଳିଆ, ସୂର୍ଯ୍ୟ ଗଲା ବୁଡ଼ି, ଅନ୍ଧାର, ବରଷା, ଏହିପରି କେତେ ସାଧାରଣ ବିଷୟ ।

 

ପ୍ରଥମରେ ବିପକ୍ଷ ଦଳ ଥିଲା ଭାଗ୍ୟ; ଦେବତା, ଅଦେଖା ଶକ୍ତି । ଶୋଷ କଲେ ନଈକା ନଈ ପାଣି ଯାଉଛି ଶୁଖି, ଭୋକ କଲେ ଖାଇବା ଗୁଣ୍ଡା ହେଉଛି ପାଉଁଶ, ତତଲା କରେଇରୁ ଭଜା ହେବା ମାଛ ଜୀବନ ପାଇ ଯାଉଛି ପାଣିକି । ସୀମାହୀନ ଅନ୍ଧାରୀ ଭାଗ୍ୟ ବିରୁଦ୍ଧରେ ମଣିଷ କେଡ଼େ ନଗଣ୍ୟ, ନିଆଁ-ବିରୋଧୀ ତୁଳାଗଦା; କିନ୍ତୁ ଯେତେବେଳେ ମଣିଷ ବୁଝିଲା, ସୀମାଦିଆ ମାଟିର ଘଟ ନୁହେଁ ସର୍ବସ୍ୱ, ଭାଗ୍ୟର ଏକତରଫା ଡିଗ୍ରୀ ଛାଡ଼ି ମଣିଷ ପକ୍ଷରେ ଖୁବ୍ ଅଛି କହିବାକୁ, ସେତେବେଳେ କରୁଣ–ନାଟକର ଧାରଣା ବଦଳିଲା । ଭାଗ୍ୟର ଏକଚାଟିଆ ଅଧିକାର ବଦଳିଗଲା-। ମଣିଷର ଉତ୍ସାହ; ଶେଷ ନ ହେବା ପର୍ଯ୍ୟନ୍ତ ପ୍ରାଣପଣ ଚେଷ୍ଟା, ମରଣ ଉପରେ ବିଜୟୀ ଅମର ଆତ୍ମା, ଅମର ପ୍ରେମ, ଧୀରେ ଧୀରେ ସ୍ଥାନ ପାଇଲା । କ୍ରମେ ଭାଗ୍ୟ ବାହାରର ଘଟନା ନ ହୋଇ ଭିତରକୁ ଗଲା, ଅର୍ଥାତ୍ ପ୍ରତ୍ୟେକେ ନିଜ ନିଜର ଭାଗ୍ୟ ଲାଗି ଊଣା ଅଧିକେ ଦାୟୀ; ଏ ଭାବ ଆସିଲା । କାନ୍ଥରେ ଫାଟ ଅଛି, ବରମଞ୍ଜି ଗଜା ହୋଇ ପରେ ଚେର ମେଲି କାନ୍ଥ ଫଟାଇବ । କାନ୍ଥରେ ଫାଟ ଅଛି, ଏ ହେଲା ଚରିତ୍ରର ପ୍ରବଣତା । ବରମଞ୍ଜି ଗଜା ହେଲା; ଏ ହେଉଛି ପ୍ରବଣତାର ସୁବିଧା ଘେନୁଥିବା ବିପକ୍ଷଦଳ , ଊଣା ଅଧିକେ ଭାଗ୍ୟ ଦାୟୀ ହେଲେ ସୁଦ୍ଧା ନାୟକ ବାଟ ଛାଡ଼ୁଛି ନିଜ ଦୋଷରୁ । ଏପରି ଧାରଣାର ଓଜନ କେତେ ? ଯହିଁରେ ଫାଟ ନ ଥିବ, ଦୋଷ ତ୍ରୁଟି କିଛି ନ ଥିବ, ସେ ଆଦର୍ଶ ପ୍ରତି ସମ୍ମାନ, ନିଜେ ଚେଷ୍ଟା କଲେ ଫାଟ ବୁଜା ଯାଇପାରେ, ତେଣୁ ଭାଗ୍ୟ ଉପରେ ଅନ୍ଧବିଶ୍ୱାସ ନ ରଖି ନିଜର ସ୍ଥିତିବାନ (Potential) ଶକ୍ତି ଉପରେ ବିଶ୍ୱାସ, ଏପରି ଧାରଣା ବିଜ୍ଞାନ ଆଖିରେ ଭଲ, ବସ୍ତୁବାଦ ଆଖିରେ ଅତି ଶ୍ରଦ୍ଧାର ହେତୁ; କିନ୍ତୁ କଳା ହିସାବରେ ଦୁର୍ବଳ । ‘‘କବି ଯେ ସତ ମିଛ କହି କବିତା ଚାତୁରୀରେ ମନ ମୋହନ୍ତି’’ ସେ ସମ୍ଭବ ଅସମ୍ଭବ, ସତ ମିଛ, ଅଦେଖା ଆଦର୍ଶ, ସୀମାହୀନ ସାଧାରଣ ପରିକଳ୍ପନାର ବହିର୍ଭୁତ ଧାରଣା, ତା’ର ସ୍ଥାନ ରହିଲା କେଉଁଠି ? କୌଣସି ପ୍ରକାର ତ୍ରୁଟି, ଦୋଷ, କରୁଣର ହେତୁ ହେବା ଭଳି ଫାଟ (Tragic Flaw) ନ ଥାଇ ବିନା ମେଘରେ ବଜ୍ରପାତ ପରି ଭାଗ୍ୟ ଆସି ଝାମ୍ପି ଘେନିଯିବ, ଏପରି ଦେଖାଇଲେ ଅପ୍ରାକୃତ ହେବ ଯେପରି, ନିଜ ଉପରେ ବିଶ୍ୱାସ, ମଣିଷର ଆଦର୍ଶ, ସେ ସବୁ ପ୍ରତି ଅସମ୍ମାନ ହେବ ସେପରି । କିନ୍ତୁ କୌଣସି ଉଚ୍ଚ କରୁଣ ନାଟକର ମୋଟ ଧାରଣା ଅଙ୍କ କଷି ବାଣ୍ଟି ଦେଲା ପରି ପ୍ରତ୍ୟେକ କାରଣ ଉପରକୁ ବାଣ୍ଟି ଦେଲେ ଛିଣ୍ଡିବ ନାହିଁ । ଯାହା ବାକି ରହିବ, ତା’ର ପରିମାଣ ଅତି ବେଶୀ, ତା’ର ନିଦାନ ସେଇ ଆଦିମ କରୁଣ ନାଟକର ଅଦେଖା ଶକ୍ତି । ଶକୁନ୍ତଳା ପ୍ରତ୍ୟାଖ୍ୟାନର ଓର ହେଉଛି ଦୁର୍ବାସାଙ୍କ ପ୍ରତି ଅବହେଳା; କିନ୍ତୁ ଯେଉଁ ପରିମାଣରେ ସୀମାହୀନ କରୁଣ ରସ ମିଳୁଛି, ସେ କ’ଣ ଏଇ ଗୋଟିଏ ଓରରେ ମେଣ୍ଟିଯିବ ? କେତେ ସୁପି କେତେ ଲଛମନଙ୍କଠୁଁ ହତାଶ ହୋଇ ଫେରି ଆସୁଛନ୍ତି, କିନ୍ତୁ ଟ୍ରାଜେଡ଼ି କ’ଣ ଏକା ? ଯେଉଁଦିନ ଆଙ୍ଗୁଠି ଅଗରେ ହିସାବ କରି ଟ୍ରାଜେଡ଼ିର ସମୁଦାୟ ଧାରଣାକୁ ଭିନ୍ନ ଭିନ୍ନ ହେତୁରେ ବାଣ୍ଟି ଦେଲେ ଛିଣ୍ଡିଯିବ, ଆଉ ଭିନ୍ନ ଭିନ୍ନ ହେତୁର ଓଜନକୁ ଏକାଠି କରି ସେହି ମୋଟ ଧାରଣା ପୂର୍ବ ପରି ଅଣାଯାଇ ପାରିବ, ସେଦିନ କଳାର କୁହୁଡ଼ି ମିଳାଇଯିବ । ତେଣୁ ଯେତେ କାରଣ ଦେଖାଇଲେ ସୁଦ୍ଧା ସମୁଦାୟ ଧାରଣାର ବହୁତ ଅଂଶ ରହେ, ଯାହା ଅଦେଖା ହାତର କରାମତି ।

 

ପ୍ରଥମେ ବିପକ୍ଷ ଦଳ ଥିଲା ଭାଗ୍ୟ, ତାପରେ ଚରିତ୍ରଗତ ଦୋଷ ଆଉ ଘଟନାଚକ୍ର; କ୍ରମେ ଭାଗ୍ୟ ପରିବର୍ତ୍ତନରେ ଭାଗ୍ୟ ପରି ପରାକ୍ରମୀ ଅନ୍ୟାନ୍ୟ ଶକ୍ତି, ସମାଜ, ଆଇନ, ସ୍ୱାର୍ଥ, ଦଶ ଲୋକ । ସମାଜର ଆଘାତ ସହି ନ ପାରି ଥରକର ଭୁଲ ଲାଗି ନାୟିକା ଧୀରେ ଧୀରେ ପଙ୍କରେ ଡୁବିଯାଉଛି । ସାତ ବର୍ଷର ହାରାମଣି କରୁଛି ବିଧବାର ଏକାଦଶୀ, କାଲିକାର ଚଗଲୀ ଉଷା ଆଜି ଆଉ ପଦାକୁ ଯିବାକୁ ହୁକୁମ ପାଉନାହିଁ । ପେଟ ବିକଳରେ ଚୋରି କରି ଦୁଃଖୀ ଲୋକ ଯାଉଛି ଜେଲ, ବଡ଼ ଲୋକ ଯାଉଛନ୍ତି ସଭାକୁ । ଗଲ୍‌ସଉଅର୍ଦ୍ଦି ସେ ଦେଶର ସମାଜକୁ କରିଥଲେ ବିପକ୍ଷ ଦଳ । ତାଙ୍କର ‘‘ନ୍ୟାୟ ବିଚାର’’ ନାଟକ ଏତେ ହୁଲୁସ୍ତୁଲ ପକାଇଲା ଯେ, ଜେଲଖାନା ଆଇନ ତଦାରଖ ହୋଇ ସଂସ୍କାର କରାହେଲା ସଙ୍ଗେ ସଙ୍ଗେ ।

 

କରୁଣ-ନାଟକ ସେତିକିରେ ରହିନାହିଁ । ଧାରଣା, ଆଦର୍ଶ, କର୍ତ୍ତବ୍ୟଦ୍ୱନ୍ଦ୍ୱ, ଏସବୁ ଧୀରେ ଧୀରେ ହେଲାଣି ବିଷୟ, ଅତି ସାଧାରଣ ନିତିଦିନିଆ ଜୀବନ ଭିତରେ କିପରି ଟ୍ରାଜେଡ଼ି ଅଛି, ଶାଶୁବୋହୂ କଳିରେ, ଦି ସଉତୁଣୀ କଳିରେ ତା’ର ବିଶ୍ଳେଷଣ ଉପରେ କରୁଣ–ନାଟକ ବର୍ତ୍ତି ପାରିବ । ଶାଶୁ ବୋହୂଙ୍କର କଳି, ସ୍ୱାର୍ଥ ସ୍ୱାର୍ଥ, କର୍ତ୍ତବ୍ୟ କର୍ତ୍ତବ୍ୟ ଭିତରେ ଲଢ଼ାଲଢ଼ି । ଶାଶୁ-କେଉଁ ଦୂର ଅତୀତର କଥା, ଘୋଡ଼ାଚଢ଼ା ବାପ ରହିଲା ନାହିଁ, ଘାସକଟା ମା’ ରହିଲା । ଝଡ଼ତୋଫାନ ଚାଳଘର ଦୋହଲାଇ ଦୋହଲାଇ ଚାଲିଯାଏ, ଛୋଟ ପିଲା ଆହୁରି କୁଙ୍କୁରିକାଙ୍କରି ମା’ କତିକି ଲାଗିଯାଏ, ଚାଳରୁ ଝଡ଼େ ବରକୋଳିଆ ପାଣିଟୋପା । ଖୁଦ ଫୁଟାଇ ପେଜ ପାଣିରେ ଛୁଆପାଳିବା–ସେ କି କଷ୍ଟ ! ବୋହୂ-ଦି’ ଦିନର କଥା ଲାଗେ ଯେପରି କେଉଁ ଯୁଗର ! ବାପଘରୁ ଗୋଡ଼ ଟେକିଲା ଦିନୁଁ ସବୁ ତ ତା’ର ଏଇ, ମାନ ଅଭିମାନ, ସାତ ପାଞ୍ଚ କାହା ପାଖରେ-? ଦିନଯାକର ଖଟଣୀ କାହା ଲାଗି ? ଅବୁଝା ଶାଶୁ ବୁଝେ ନାହିଁ, ରୋପିଲା ଗଛ ବଡ଼ ହେଲାଣି, ଅବୁଝା ବୋହୂ ବୁଝେ ନାହିଁ, ଏଇ ଟାକୁଆ ନିଜକୁ ଦେଇ ଗଛ ଉତାରିଛି । ଶେଷରେ ସବୁ ଉଜୁଡ଼େ । ଦୋଟଣାରେ ପଡ଼ି ପୁରୁଷ ଯାଏ ଛିଣ୍ଡି, କାହାର ହବ ସେ ? ଢୋଲପିଟା ମାର୍‌କାଟ୍‌ ଟ୍ରାଜେଡ଼ିଠାରୁ କେତେ ବାଟ ?

 

ପର୍ଦ୍ଦା ଉଠିଲା, କ୍ଷୀଣ କରୁଣ ସଙ୍ଗୀତ ଆଳାପ । ଅନ୍ଧାରି ଅନ୍ଧାରି ଝାପ୍‌ସା ଆଲୁଅରେ ଦିଶୁଛି ପିଞ୍ଜରା ଭିତରେ ହାତଗୋଡ଼ବନ୍ଧା ସ୍ତ୍ରୀଲୋକ, ଉଦାସୀ ଆଖି ହତାଶ ମୂର୍ଦ୍ଦାରିଆ ମୁହଁ । ପିଞ୍ଜରା ଏପାଖରୁ ସେପାଖ ଚାଲି ଗଲା । ଅନ୍ଧାର ଭିତରେ ବଡ଼ ବଡ଼ ପାହୁଣ୍ଡ ପକାଇ ଚାଲିଗଲା ଗୁଡ଼ାଏ ଛାଇ ଏକର ସେକର । ସବୁ ଶୁନ୍‌ଶାନ୍‌, କେବଳ କ୍ଷୀଣ କରୁଣ ସଙ୍ଗୀତ ଆଳାପ ଛାଡ଼ି ।

 

କଥା କ’ଣ ? ଛାଇ ଗୁଡ଼ାଏ କ’ଣ ? ଅନ୍ଧାର, ଛାଇ, ଦୁଃଖ, କରୁଣ, କ୍ଷୀଣ ସଙ୍ଗୀତ, କରୁଣ ରସର ସୂଚନା । ପିଞ୍ଜରାଭିତରେ ବନ୍ଧାବନ୍ଧି ସ୍ତ୍ରୀଜାତିର କି ନୀରବ ଅଭିଯାନ । ସେକ୍‌ସପିଅରଙ୍କ ଯୁଗଠାରୁ ନାଟ୍ୟକଳା ବହୁତ ଉନ୍ନତି କରିଛି, ବିଜ୍ଞାନ ଫଳରୁ, ନୂଆ ଉଦ୍ଭାବନ ଫଳରୁ । ତଥାପି ସେକ୍‌ସପିଅର ସେ କାଳରେ ଦିନର ଆଲୁଅ ଥାଇ ଥିଏଟର ଦେଖାଇ ଭାଷାରେ ଧାରଣା ଦେଊଥିଲେ, ସୂଚନା ଦେଉଥିଲେ, ପ୍ରତ୍ୟେକ ନାଟକର ପ୍ରଥମ ଅଙ୍କରେ ନାଟକର ସାଧାରଣ ଢପର ଛାଞ୍ଚ ଦେଖଣାହାରୀଙ୍କ ଉପରେ ପକାଉଥିଲା । ଅନ୍ଧାର ରାତି, ଭୂତ ଭୟ, ଯୁଦ୍ଧର କଥା, ଅଜଣା ଆଶଙ୍କା, ଏଥିରେ ଆରମ୍ଭ ହ୍ୟାମ୍‌ଲେଟ୍‌ ନାଟକ । ଅନ୍ଧାର ଭିତରେ ଗଡ଼ର ଧାସ ଦିଶିଯାଉଛି ପ୍ରେତପୁରୀ ପରି । ହଠାତ୍‌ ବନ୍ଧୁକ ଫୁଟିଲା ପରି ଶୁଭିଲା ପହରାର ‘‘ହୁକୁମଦାର’’ । ସାରା ନାଟକ ଭିତରେ ଟ୍ରାଜେଡ଼ିର ଗୋଟାଏ ‘‘ବାୟୁମଣ୍ଡଳ’’ ରଖିଲେ ଧାରଣା ହୁଏ ବେଶି ଘନ । ଗଲା ଦୃଶ୍ୟ ସଙ୍ଗେ ନୂଆ ଦୃଶ୍ୟର ବିସଦୃଶ ତୁଳନା ଗଲା-ଜୀବନର ସ୍ମୃତି ମଧ୍ୟ ଟ୍ରାଜେଡ଼ିରେ ବ୍ୟବହାର କରାଯାଏ । ପ୍ରଥମ ଅଙ୍କରେ ଉଷାଖେଳି ବୁଲୁଥିଲା ସାଙ୍ଗ ଝିଅଙ୍କ ସାଥିରେ । ଦ୍ୱିତୀୟ ଅଙ୍କରେ ଉଷା ଜ୍ଞାନ ପାଇଛି । ସେଇ କିଆବୁଦାଘେରା କାଇଁଚ ମାଳତୀର ଅରମା ଭିତରେ ଖେଳ; କିନ୍ତୁ ଉଷା ନାହିଁ । ସାଙ୍ଗପିଲା କହୁଛନ୍ତି, ‘‘ଏଇ କାଇଁଚ ପେନ୍ଥାଟା ଉଷା ପାରିଥିଲା, ଗଛରୁ ପଡ଼ି ଏଇ ନେଳି କାଚରେ ଉଷା ଗୋଡ଼ କାଟିଥିଲା ।’’ ଏ ବିସଦୃଶ ଗୁଣ ଉଷା ପ୍ରତି ସହାନୁଭୂତି ଆଣିପାରେ, ଉଷାର ବର୍ତ୍ତମାନ ଅବସ୍ଥା ଉପରକୁ କରୁଣାର ଛାଇ ପକାଇପାରେ । ପୁଣି ଶେଷ ଅଙ୍କରେ, ଘର ଧାଉଡ଼ିକୁ ଲାଗି ମେଲା ଅଗଣା, ଶୂନ୍ୟ, ଖାଲି ଗୋଟାଏ ଗଛରେ ଲାଗିଛନ୍ତି ପଲେ ଜୁଳୁଜୁଳା ପୋକ । ଏକୁଟିଆ ଉଷା, ସଂସାରର ଏତେ ଉପଦ୍ରବ ବିରୁଦ୍ଧରେ ଲଢ଼ି ଲଢ଼ି କ୍ଳାନ୍ତ । ବିଦାୟ ଘେନି ଚାଲିଯିବା ବେଳେ ଯେତେବେଳେ ସେ କହୁଛି, ‘‘ମାଳତୀ ଫୁଲ ଝଡ଼ୁଥିବ, କାଇଁଚ ଦୋହଲୁଥିବ’’ ସେତେବେଳେ ସ୍ମୃତିଗୁଣା ଧାରଣା ଚାଲିଯାଏ ପାଖକୁ ପାଖ ଲଗାଲଗି କରି ଭାବିବାକୁ । ଖେଳ, ଆନନ୍ଦରେ କାଇଁଚ ମାଳତୀ ପାଖେ ପ୍ରଥମ ଅଙ୍କର ଉଷା, ଆଉ ଜୀବନ-ସଞ୍ଜର ଏ ଉଷା । ‘‘କୋଣାର୍କ’’ ର ବିଶୁ ଧରମାର ମୃତ୍ୟୁର କାରଣ କୋଣାର୍କ ମନ୍ଦିରକୁ ଭାଙ୍ଗିବାକୁ ହାତ ଟେକୁଛି; ଆଉ ପ୍ରତି ପଥରଚେକାରେ ଦେଖୁଛି ଧରମାର ହସ ହସ ଢଳ ଢଳ ମୁହଁଟି । ହାତ ଥରି ଥରି ଖସି ପଡ଼ୁଛି, ଶେଷରେ ମନ୍ଦିରର ପଥର ଦେହରେ ବୁକୁ ଚାପି ବିଶୁ ଡାକିଲା, ‘‘ଧରମା !’’ ବୁଝିଲା, ସେହି ତା’ର ପୁଅ ।

 

ଉପାୟ ଯାହା ହେଉ, ଅସଲ ହେଉଛି ଧାରଣା । ଭାଷାକୁ ଏ ପାଖ ସେ ପାଖ ମୋଡ଼ୁଛନ୍ତି, ଅଭିନୟ ଉପରେ ବେଶି ଆଖି ରଖୁଛନ୍ତି, ହାବଭାବ କଥା କହୁଛି, ଧାରଣା ଦେବା ଲାଗି କେତେ କ’ଣ ଉପାୟ ଷ୍ଟେଜ ଉପରେ ବ୍ୟବହାର କାରଯାଉଛି । ହତାଶା ଦୁଃଖ, ଦେଖାଇବାକୁ ସୁବିଧା ଦେଖି । ଘର୍ଘର, ଘର୍ଘର (ଚକି ଫେଷିଲା ପରି ନୋହିଲେ ରେଲ ଚାଲିଲା ପରି) ଶବ୍ଦ କଲେ ମନ ଭିତରେ ହୁଏତ ଧାରଣା ହେବ ଯେପରି ସବୁ ମନ୍ଥି ଚୂରି ଗୁଣ୍ଡା ହୋଇଯାଉଛି । ହୁଏତ ଷ୍ଟେଜ ପଛରେ ଦିଶୁଛି back ground ହିସାବରେ ଗୋଟାଏ ଭଙ୍ଗା ଘର, ଧୀରେ ଧୀରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଛି । ଏ ସବୁ ଥିଏଟର କାଇଦା, ମୋଟ ଉପରେ ଆଲୁଅ, ଶବ୍ଦ, ତିଆରି, ସାଜ ଏ ସବୁ ଉପରେ ବୈଜ୍ଞାନିକ ଉପାୟରେ ନିଘା ପଡ଼ିଛି, ତା ପରେ ଭାଷା ତ ଅଛି । ଅଳ୍ପ ସମୟ ଭିତରେ ବହୁତ ଅନୁଭୂତି, ବହୁତ ଘଟନା ଦେବାକୁ ହେବ; ତେଣୁ କଥାବାର୍ତ୍ତା ଦେବାକୁ ହେବ ବାଛି ବାଛି, ଯେପରି ଅଳ୍ପ କଥାରେ ଇଙ୍ଗିତ ରଖି ଜୀବନ ଗୋଟାଯାକ ହାଲୋଳମୟ ହୋଇପାରିବ, ଯେପରି ଷ୍ଟେଜ୍‌ର ସାଜ ଆଉ ଭାଷାର ଅର୍ଥ ଉଭୟ ମିଶି ଧାରଣାକୁ ବହଳ କରିବେ ।

 

ସଂସ୍କୃତ ନାଟକ ଭିତରେ କରୁଣ ରସ ପ୍ରଚୁର ଅଛି; କିନ୍ତୁ କୌଣସି ନାଟକ କରୁଣ ରସରେ ଶେଷ ନୁହେଁ । ଏହାର ଦୁଇଟି କାରଣ ଥାଇପାରେ । ହୁଏତ ସେମାନଙ୍କର ମନ ଦୁର୍ବଳ ଥିଲା । ସେମାନେ କରୁଣ–ନାଟକ ସହି ପାରୁ ନ ଥିଲେ, ନୋହିଲେ ଅନ୍ୟ କିଛି କଥା ଥିଲା । ପ୍ରଥମ କାରଣ ଶୁଣି ହସ ମାଡ଼େ । ସଂସ୍କୃତ ସାହିତ୍ୟରେ କରୁଣ ରସର ଖଣି ପଡ଼ିଛି । ଅର୍ଥସମ୍ପତ୍ତି, ଇଙ୍ଗିତ, ବ୍ୟଙ୍ଗ, ଉପାୟ, ସବୁଥିରେ ସେମାନେ ସିଦ୍ଧହସ୍ତ । ଏତେ ବିଶ୍ଲେଷଣ କରି ରସକୁ ଯେଉଁମାନେ ଦେଖୁଥିଲେ, ସଂଯମ ଥିଲା ଯେଉଁମାନଙ୍କର ପେଷା, କରୁଣ-ନାଟକଠାରୁ ସେମାନେ ଶଙ୍କୁଥିଲେ ! ନାଟକ ଭିତରଯାକ କରୁଣର ଅନ୍ଧାର ରଖି ଶେଷରେ ଆଲୁଅ ଦେଖାଇବା ସପକ୍ଷରେ ସେମାନଙ୍କର ନିଶ୍ଚୟ କୌଣସି ତଥ୍ୟ-ମୂଳକ ନୀତି ଥିଲା । ଯେଉଁମାନେ ଜୀବନର ଟ୍ରାଜେଡ଼ିକୁ ଏଡ଼େ ସୁନ୍ଦର ଅନୁଭବ କରିଥିଲେ, ବୋଧହୁଏ ବୋଝ ଉପରେ ନଳିତାବିଡ଼ା ଲଦି ମୁହଁ ପୋଛି ପୋଛି ‘‘ହା ! ଆହା’’ କରି ଘରକୁ ପଠାଇବାକୁ ସେମାନେ ପସନ୍ଦ କରୁ ନ ଥିଲେ । ରସ ହିସାବରେ କରୁଣକୁ ବିଶ୍ଳେଷଣ କରାଯାଉ; କିନ୍ତୁ ଜୀବନର ନୀତି ଯେପରି ତାହା ନ ହେଉ, ବୋଧହୁଏ ଏହି ଥିଲା ତାଙ୍କର ନୀତି । ଯେତେ ଦୁଃଖ ଆସିଲେ ବି ଅମୃତର ସନ୍ତାନମାନଙ୍କର ଚରମ ହେଉଛି ଆନନ୍ଦ । କି ଆଶାୟୀ ବିଶ୍ୱାସ ! କିନ୍ତୁ ଏ ଯୁଗର ଧାରଣା, କରୁଣ-ନାଟକ ଆଜି ଅତି ଉଚ୍ଚ ସାହିତ୍ୟ-। ଆନନ୍ଦକୁ ଆମେ ଖୋଜିବୁଁ, କର୍କଶ, କଠୋର, ଗଦ୍ୟମୟ ବାସ୍ତବତା ଭିତରେ । ଓଡ଼ିଆ ସାହିତ୍ୟରେ ଏ ପର୍ଯ୍ୟନ୍ତ ଉଚ୍ଚ ଟ୍ରାଜେଡ଼ି ଲେଖାହୋଇନାହିଁ । ଏ ଦେଶର ପ୍ରତି ଧୂଳିକଣାରେ କାରୁଣୀ, ଆକାଶନଈରେ କରୁଣର ଛାଇ । ଦୁର୍ଭିକ୍ଷ, ମଡ଼କ, ବଢ଼ିମରୁଡ଼ିର ଦେଶରେ କାରୁଣୀ ନାହିଁ-?

 

ଏ ଜାତିଟା ଯେ ନିଜେ ଗୋଟାଏ ଟ୍ରାଜେଡ଼ି; କେବଳ ବର୍ତ୍ତମାନର ନୁହେଁ, ଅତୀତର । ଖାରବେଳର ! ମୁକୁନ୍ଦର !

Image

 

ବନ୍ଧା ଖୋଲା

 

ଅସନା ଜଙ୍ଗଲିଆ ବାରିଘର; ଅଗଣାରେ ଅସନା ଅପୋଛା ଚାରି ପାଞ୍ଚୋଟି ଛୁଆ କଳିଗୋଳ କରୁଛନ୍ତି । ନୁଆଣିଆ ପିଣ୍ଡାରେ ଚୌକିଆ–ପୋଷାକ-ପିନ୍ଧା ପାଞ୍ଚହାତିଆ ମରଦ, ପାଖରେ ମୋଟା ଗଣ୍ଠିଗଣ୍ଠିଆ ପାଚିଲା ବାଡ଼ି, ମୁହଁରେ ଲମ୍ବା ପିକା । ବାଡ଼ କରରେ ପିକା ଧୂଆଁରୁ ବର୍ତ୍ତି ଯେଉଁ ଠିଆକାନିଆ କୁକୁରଟି ଧକାଉଛି, ପିଠିରେ ଯାର ସ୍ଥାନେ ସ୍ଥାନେ ପୂଳା ପୂଳା ରୁମ, ସେ ଉପେଇ ମଳିକର କୁକୁର । ଗାଁର ଯେ କେହି ଶପଥ କରି କହିପାରିବ, ଏ ଘରଟି ତାରି-ଏ ଲୋକଟି ସେ ନିଜେ । ବାରିରେ ଯେଁଉ ଗାରଡ଼ଟି ଦରମରା କଖାରୁନଟା ଟଣାଓଟରା କରୁଛି, ସେ ଉପେଇର ନିଜ ଉପାର୍ଜିତ ଗାରଡ଼ । ଏ ସ୍ଥାନକୁ ଆସିଲେ ଚାରିଆଡ଼େ ଯେମିତି ଉପେଇ ମଳିକର ଅଧିକାର ପରିଷ୍କାର ଦିଶେ, ଏ ସ୍ଥାନର ପବନ ଯେପରି ବାସି ଉଠେ-ଉପେଇ ମଳିକ ! ଉପେଇ ମଳିକ ! ଚୌକିଆ ଶ୍ରୀ ଉପେଇ ମଳିକ ! ଆରପାଖେ ଆହୁରି ଗୋଟିଏ ଚିତ୍ର–ତଳେ ମାଟି ଉପରେ ନେଳି ଆକାଶ; ମଝିରେ ଗୋଟିଏ ଜନ୍ତୁ–ମଣିଷ; ତା’ର ନାଁ ନାହିଁ, ଗାଁ ନାହିଁ, ଜାତି ନାହିଁ, ଗୋତ୍ର ନାହିଁ, ପୋଷାକ ନାହିଁ, ଖାଲି ମଣିଷ ।

 

ଉପେଇ ମଳିକ ରହିବ ଉପେଇ ମଳିକ, ମଣିଷ ରହିବ ମଣିଷ । ଉପେଇକୁ ବିଲାତର ଲୋକେ ଭାବିବେ ନାହିଁ ନିଜର ବୋଲି, ଖୋଲା ଆକାଶତଳର ମଣିଷକୁ ହୁଏତ ଭାବିପାରନ୍ତି । ଏ ମଣିଷର ଜାତି ଗୋତ୍ର ପୃଥିବୀର ଯେ କୌଣସି ସ୍ଥାନର ଲୋକେ ନିଜର କହିପାରନ୍ତି । ଉପେଇ ମଳିକ ରହିବ ଉପେଇ ମଳିକ, ଜାତି ମଳିକ, ପେଷା ଚୈାକିଦାରୀ, ନିବାସ ଗ୍ରାମ ମଲ୍ଲୀପୁର ଇତ୍ୟାଦି ଇତ୍ୟାଦି ।

 

ଦୁଇ ଜଣ ମଣିଷ; କିନ୍ତୁ ଜଣେ ଘରର, ଜଣେ ବାହାରର । ଜଣେ କୌଣସି ଗୋଟିଏ ସ୍ଥାନର (local), ଆଉ ଜଣେ ସାରା ବିଶ୍ୱର (universal) । କିନ୍ତୁ ଦୁହେଁଯାକ ମଣିଷ ! ଏ ଫରକ କାହିଁକି ? କେବଳ background (ତଳିରଙ୍ଗ) ଲାଗି ତ ! ଉପେଇ ମଳିକକୁ ନିଜ ଘରୁ ଘେନି ଯାଇ ପୋଷାକ ଖୋଲି ଅଚିହ୍ନା, ବିଦେଶ ଜାଗାରେ ଛାଡ଼ିଦେଲେ କିଏ କହିବ ଏ ଉପେଇ ମଳିକ ବୋଲି ? ସାହିତ୍ୟରେ ବର୍ଣ୍ଣନା ବା ବିଷୟବସ୍ତୁ ଭିତରେ ଦୁଇଟି [type] ପ୍ରକାର ଦେଖିବାକୁ ମିଳେ–ଗୋଟିଏ କୈାଣସି ବିଶିଷ୍ଟ ଅଧିକାରର ପରିଚୟ ଦିଏ (local), ଆଉ ଗୋଟିଏ ସାରା ବିଶ୍ୱର, ଯହିଁରେ କାହାରି ବିଶିଷ୍ଟ ଅଧିକାର ନାହିଁ; କିନ୍ତୁ ସାରା ମଣିଷ ଜାତି ନିଜର ବୋଲି ଦାବୀ କରିପାରିବ । ବିଶ୍ୱସାହିତ୍ୟ କହିଲେ ରୋମା ରୋଲାଁ, ହାଉଟମାନ୍ କିମ୍ୱା ରବିଠାକୁର ବୁଝାଏ ନାହିଁ, ବିଶ୍ଵ ସାହିତ୍ୟ କହିଲେ ବୁଝାଏ, ଯେଉଁ ସାହିତ୍ୟ ବିଶ୍ଵର, ଯେଉଁଥିରେ ସାରା ମଣିଷଜାତିର ଅଧିକାର-। ତହିଁରେ ଆାଖିପଡ଼େ ନାହିଁ ପଖାଳ କଂସା କିମ୍ବା ଚା ଟେବୁଲ ଉପରେ, ପୋଷାକର ପାର୍ଥକ୍ୟ ବା ସଂସ୍କାରର ପାର୍ଥକ୍ୟ ଉପରେ । ଆଖିପଡ଼େ ମଣିଷର ମଣିଷ ହିସାବରେ । ଆକାଶ ତଳର ପ୍ରାଣୀ ମଣିଷ ଦୁଇଟି ଜାତି-ନରନାରୀ । ତା’ର ସୁଖଦୁଃଖ ସବୁ ମଣିଷର, ତା’ର ମଣିଷ ହିସାବରେ ବନ୍ଧନ-। ସବୁ ମଣିଷର, ତା’ର ଜୀବନ ମଣିଷର ।

 

ଏପରି ଅବସ୍ଥା ଆସେ କେତେବେଳେ ? ଯେତେବେଳେ background ରହେ ଏପରି, ଯାହା ଦୁନିଆସାରା ସବୁଠିଁ ସମାନ; ଯାହା ଚିରଯୁଗ ରହିଛି, ଚିରଯୁଗ ରହିଥିବ, ଗୋଟାଏ ବିରାଟ ଶୂନ୍ୟତା, ଅସୀମର ପରିକଳ୍ପନା କେବଳ ମଣିଷକୁ ମଣିଷ ସଙ୍ଗେ ଛନ୍ଦିବାକୁ ।

 

କିନ୍ତୁ ମଣିଷ ଅସୀମର background ଆଗରେ ସମତାର ବିଶ୍ୱ ଗୁଣ ଧରି ବଞ୍ଚି ରହେ ନାହିଁ । ତା’ର ରଙ୍ଗ ଆସେ, ଗୁଣ ଆସେ, ଆବରଣ ଆସେ, ମନଗଢ଼ା, ସମାଜଗଢ଼ା ସଂସ୍କାର ଆସେ । ପରିସ୍ଥିତିର ସେ ରଙ୍ଗ, ନିଜତ୍ଵର ସେ ସଂସ୍କାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ଫରକ ହୁଏ; ତେଣୁ ଜାତି, ଗୋତ୍ର, ବିଶିଷ୍ଟତା, ଅଧିକାର, କେତେ କ’ଣ ବାଡ଼ରେ ସେ ଆପଣାକୁ ଘେରାଇ ରଖେ ବିରାଟ ଅସୀମ, ବିରାଟ ଶୂନ୍ୟତା ଭିତରେ ନିଜକୁ ସସୀମ, ସ୍ଥୂଳ କରି । ସାହିତ୍ୟରେ ଏ ସଂସ୍କାରର ବାସନା ପାଉଁ, ଏ ଗୁଣର ଠନ୍‌ଠାନ୍‌ ଆବାଜ ଶୁଣୁ; ତେଣୁ ସାହିତ୍ୟ ମଝିରେ ବାଡ଼ ଦେବାର ସୁବିଧା ହୁଏ । ବିରାଟ ଫାଙ୍କି, ସବୁଥିରେ ‘‘ଅସୀମର ଛାନ୍ଦ”, ‘‘ଅରୂପର ରୂପ’’ ଏପରି ଓଲଟା କଥା; ସବୁଥିରେ ଅତି ଚପଳ-ଭାବ-ପ୍ରବଣ, ବିଦେଶୀ ନକଲର ପୁନର୍ନକଲ ! ବିଷୟବସ୍ତୁରେ କାଶୀବାସଠାରୁ ଓଡ଼ିଆ ମାଳି, ପଶ୍ଚିମା ଦରବାନ, ଅକାରଣ ପ୍ରେମ, ପୁଣି ଉଚ୍ଛୃ‌ଙ୍ଖଳତା, ଉତ୍ସାହ, ଲଳିତ ପଦରେ ଭାବ, ଉନ୍ନତି କରିବାକୁ ଚେଷ୍ଟା ଏ ଆବାଜ ଯେପରି ଆସେ ଏ କାଳର ‘‘ଶସ୍ତା’’ ସାଧାରଣ ବଙ୍ଗଳା ସାହିତ୍ୟରୁ, ଚପଳତା, ସଂସ୍କୃତିର ଟଳମଟଳ ଅବସ୍ଥା, ଭାବର ଅରାଜକତା, ବଙ୍ଗଳାରୁ ଅନୁକରଣ, ଉନ୍ନତି କରିବାକୁ ଚେଷ୍ଟା, ଏକାଦିନକେ ବଡ଼ ହେବାର ଇଚ୍ଛା, ଏ ଆବାଜ ଆସେ ଆଜିକାଲିକା ଓଡ଼ିଆ ସାହିତ୍ୟରୁ । ଅଭ୍ୟାସ ପଡ଼ିଲେ ଧରା ପଡ଼ିଯାଏ କେଉଁଟା କିପରି ସାହିତ୍ୟ–କେବଳ ଏ ସାଧାରଣ ଗୁଣରୁ ।

 

ମଣିଷର ଏ ସ୍ୱତନ୍ତ୍ରତାର ବାଡ଼ କ’ଣ ତୁଚ୍ଛା ଅନର୍ଥ ? ତା’ ନୁହେଁ ? ସବୁ ତ ଅସୀମ; ଏ ଅସୀମ ଭିତରେ ସସୀମର ସୃଷ୍ଟି କିପରି ହେଲା ? ଅରୂପରେ ରୂପ ଲାଗି, ଶୂନ୍ୟତା ଭିତରେ ରଙ୍ଗ, ଆକାର ଆସି । ଗୁଣରୁ ରଙ୍ଗ, ଯେଉଁଠି କିଛି ନଥିଲା ସେଠି ଏ ଅନହୁତି ଅବତାର ଆପେ ଗୋଟାଏ ବଡ଼ ବନ୍ଧ । ସ୍ୱାର୍ଥର ମୋହ ତୁଟିଲେ ସ୍ୱତନ୍ତ୍ରତାର ବାଡ଼ ଭାଙ୍ଗିଲେ ସୃଷ୍ଟି ସରିଲା । ‘‘ମୁଁ’’ ଲୋପ ହେଲେ ସବୁ ଶେଷ, ମଣିଷ ମଣିଷ ନୁହେଁ, କିଛି ନୁହେଁ !

 

ସ୍ଵତନ୍ତ୍ରତାର ବନ୍ଧନ ବେଳେ ବେଳେ ଭାଙ୍ଗେ । ସେତେବେଳେ ସାହିତ୍ୟ ଛୁଏଁ ସବୁ ଦେଶର ସବୁ ମଣିଷଙ୍କ ପ୍ରାଣକୁ । ସବୁ ଖୋଲା, ପବନ ପରି ଖୋଲା, ଆକାଶ ପରି ମେଲା । ସ୍ଵାର୍ଥର ବନ୍ଧନ ଭାଙ୍ଗି ଦୀପ ନିଭିଆସେ । ସେତେବେଳେ ଦେଶ ଜାତିର ବ୍ୟବଧାନ ଆଉ ରହେ ନାହିଁ; ସବୁ ହୁଏ ଗୋଟାଏ ଜାତି-ମଣିଷ । ପୁଂ-ଚାଂ ମରେ ଯାଂସି ନଈ କୂଳରେ, ଅପନ୍ତରାରେ ପଡ଼ି-। ତା’ର ଦୁଃଖ ବାଜେ ଦୂର ଓଡ଼ିଶାର ପଲ୍ଲୀରେ । ଏତେ ଲୋକ ଯୁଦ୍ଧରେ ମରନ୍ତି, ଟାଇପୁନ ଝଡ଼ରେ ମରନ୍ତି, ଭୂମିକମ୍ପରେ ମରନ୍ତି, ସାରା ମଣିଷ ଜାତି ବୁଝେ, ସାରା ମଣିଷ ଜାତି କାନ୍ଦେ । ମରଣ ସ୍ଵାର୍ଥର ଅତି ବଡ଼ ଶତ୍ରୁ; କିନ୍ତୁ ସମତାର ଅମୃତ ସେ ଆଣେ । କଳା ଆକାଶରେ ବିଜୁଳି, ତୋଫାନ, ଧ୍ୱଂସ, ପ୍ରଳୟ, ମହାବିପ୍ଳବର ଅମାନିଶାତଳେ ମଣିଷ ଶିଶୁ ପରସ୍ପରକୁ ଖୋଜେ, ଯାପ୍‌ଟି ଧରେ, ସ୍ୱତନ୍ତ୍ରତାର ସବୁ ବନ୍ଧନ ଭାଙ୍ଗେ । ସେତେବେଳେ ଦିଶେ ଗୋଟାଏ ଜାତି–ମଣିଷ, ଦୁଃଖୀ ମଣିଷ !

 

ନରନାରୀଙ୍କ ଆକର୍ଷଣ ଗୋଟିଏ ବିଶ୍ୱଗୁଣ । ମାଂସ ଲାଗି ମାଂସ କାନ୍ଦେ, କଷ୍ଟପାଏ, ଉଲ୍ଲାସରେ ଥରେ-ସବୁଠିଁ, ସୃଷ୍ଟିର ଚଳନ୍ତି ଲାଗି । ଏ ଗୁଣ କାହାରି ଏକା ନୁହେଁ, ମଣିଷ ଜାତିର । ରୂପର ମୋହ, ସ୍ପର୍ଶର ମୋହ, ତାରି ଉପରେ କଳ୍ପନାର ସ୍ୱପ୍ନ । ଆଖି ଚିଲା ହେଉ କି ନାଲି ହେଉ, ଚୁମ୍ୱନ ତଳର କେଶ ସୁନେଲି ହେଉ କି କଳା ହେଉ, ବାସନା ହେଉ ନୋହିଲେ ଫୁରଫୁରିଆ ଉକୁଣିମିଶା ହେଉ, ଦେହ ଦୁଇଟି, ଦୁଇଟି ମନର ଚୁମ୍ୱକି ଆକର୍ଷଣ ଭିତରେ ଏ ଆବରଣ ଆଖିରେ ପଡ଼େ ନାହିଁ । ଏ ଦେଶରେ ସୁଆରୀ ଡାକ, ବୋହୂ ବାହୁନା, ସେ ଦେଶକୁ ଲାଗିବ ଶିକ୍ଷାର ଅଭାବ ବୋଲି; ସେ ଦେଶର ପ୍ରକାଶ୍ୟ ପ୍ରେମ, ବିଭାଘରରେ ନୂଆବୋହୂର ଉତ୍ସାହ ମିଶା ଚୁମ୍ୱନ, ଦଶ ଲୋକଙ୍କ ଆଗରେ, ଏ ଦେଶକୁ ଦିଶିବ ବର୍ବର ଅସଭ୍ୟତା ବୋଲି; କିନ୍ତୁ ପଦ୍ଧତି ଆଚାର ଭିନ୍ନ ହେଲେ ସୁଦ୍ଧା ମୂଳ ଆକର୍ଷଣ କେହି ଭୁଲିବେ ନାହିଁ । ପତରସାଉଁଟି ଟୋକୀ ଗାଈଆଳ ଟୋକାକୁ ଜରଜର ଆଖିରେ ଚାହେଁ, ଏ କଥା ସେମାନେ ଯେପରି ହୃଦକୁ ଘେନି ପାରିବେ, ଚା’ ଟେବୁଲ ତଳେ ଗୋଡ଼ ଗୋଡ଼ ଭିତରେ ସ୍ପନ୍ଦନମିଶା ଆକର୍ଷଣୀ କଥାବାର୍ତ୍ତା ଏ ଦେଶର ଆମେ ସେପରି ବୁଝିପାରିବା । ମୌଳିକ ଗୁଣ ଭିତରେ ସ୍ଵତନ୍ତ୍ରତାର ବାଡ଼ ଆସି ନ ପାରେ ।

 

ଜୀବନର ଆନନ୍ଦ ବା ଦୁଃଖ ଅନେକ ସମୟରେ ଲାଗେ ଗୋଟାଏ ବିଶ୍ଵଗୁଣ ପରି । ତା ଭିତରେ ଚରିତ୍ର ବା ବ୍ୟବହାରର ସ୍ୱତନ୍ତ୍ରତା ଅଛି; କିନ୍ତୁ ସେ ବ୍ୟବଧାନ ଏଡ଼ି ଗୋଟାଏ ସାଲିସ୍‌ର ଅନୁଭୂତି ଆଖିରେ ପଡ଼େ । ତା ନୋହିଲେ ବିଲାତୀ ସାହିତ୍ୟର ନିଆରା ଘରକରଣା ଏ ଦେଶଠୁ ଏତେ ଫରକ, ତଥାପି ତା ଭିତରେ ଆମେ ଆନନ୍ଦ କାହିଁକି ପାଆନ୍ତୁ ? ଆଫ୍ରିକାର ନିଗ୍ରୋ ଜାତିଙ୍କ ଘରକରଣା, ଆମେରିକାର ଆକାଶୀ କୋଠାର ସହର ଭିତରେ ସାରା ମଣିଷଜାତିର ସମ ଗୁଣ ମିଳନ୍ତା କିପରି ? ଅବଶ୍ୟ ନୂଆ ସଂସ୍କୃତି ଆଡ଼କୁ ମଣିଷର ସାଧାରଣ ‘‘ଅନୁସନ୍ଧିତ୍ସା’’ ଯୋଗୁଁ ସହାନୁଭୂତି ଆସିଥାଏ; କିନ୍ତୁ ବିଶ୍ୱ ଗୁଣର ସମତା ନ ଥିଲେ ସେ ଚମକ ଘୋଳି ହୋଇପଡ଼ନ୍ତା ।

 

ବର୍ଷର ଋତୁପରିବର୍ତ୍ତନ, ଦିନର ସକାଳ ସଞ୍ଜ ପରି ମଣିଷ-ଜୀବନର ଅବସ୍ଥା । ଶିଶୁ ସମସ୍ତଙ୍କର ଶିଶୁ-ବେଦୁଇନ୍ ହେଉ, ନିଗ୍ରୋ ହେଉ, ଓଡ଼ିଆ ହେଉ, ବଙ୍ଗାଳୀ ହେଉ । ବିଭୂତି ବନ୍ଦୋପାଧ୍ୟାୟଙ୍କ “ଅପୁ” ଏ ଦେଶର ‘ଅପୁ’, ସେ ଦେଶର ‘ଅପୁ’, ସବୁ ଦେଶର ‘ଅପୁ’ । ତା’ର ଢଙ୍ଗଢ଼ାଙ୍ଗ ବ୍ୟବହାର ଭିତରେ ସ୍ୱତନ୍ତ୍ରତା ରହିବ; କିନ୍ତୁ ତା ଭିତରେ ଯେଉଁ ସାଧାରଣ ଶିଶୁ-ଗୁଣ, ସେ ସମସ୍ତଙ୍କର । କାଳିଦାସ ଲେଖିଗଲେ–କଢ଼ପରି ଟିକି ଟିକି ଦାନ୍ତରେ ଅକାରଣ ହସ, ଅନର୍ଗଳ ନିରର୍ଥକ କଥା, ଧୂଳିବୋଳା ଦିହରେ ଚାହେଁ କୋଡ଼ରେ ଚଢ଼ିବାକୁ । ଧନ୍ୟ ସେମାନେ, ଯେଉଁମାନେ ସେ ଧୂଳିରେ ଧୂଳିଆ ହୁଅନ୍ତି । କି ସୁନ୍ଦର ! କବି ଗୟଟେ ବୁଝିଲେ, ଇଉରୋପ ବୁଝିଲା, ସମସ୍ତେ ବୁଝିଲେ । ସବୁ ସାହିତ୍ୟରେ ଜୀବନର ଭିନ୍ନ ଭିନ୍ନ ଅବସ୍ଥା ମଣିଷର ମନରୁ ସମାନ ଉତ୍ତର ଆଣିଥାଏ ।

 

ସ୍ଵପ୍ନପ୍ରିୟ ମଣିଷର ସ୍ଵପନ ମୋହ, ଆଦର୍ଶବାଦ, ସୁନ୍ଦର ପ୍ରତି ଆକର୍ଷଣ ଭିତରେ ବିଶ୍ଵ-ବାଦ ଅଛି । ସାରା ଜୀବନ ଜନ୍ମଠୁଁ ମରଣ ପର୍ଯ୍ୟନ୍ତ ମଣିଷ ଚାଲେ ଖାଲି ସ୍ଵପ୍ନ ମଝିରେ । ଯେଉଁ ପାଖଟି ତା’ର ଦେଖା ପରଖା, ସେ ଗୋଟାଏ ଯନ୍ତ୍ର ପରି । ସ୍ଵପ୍ନ ଅସୀମର ଶକ୍ତି । ଯାହାକୁ ଆଶ୍ରା କରି ମଣିଷ ଗତି କରେ, ତାରି ଭିତରେ ଆଶା, ଆକାଙ୍‌କ୍ଷା, କଳ୍ପନା, କବିତା; ଅନୁଭୂତି ଭିତରେ ଝୁରି ଝୁରି ମରେ କେଉଁ ଅପୂର୍ଣ୍ଣତା ଟିକକ ଆଶ୍ରାକରି । ସାଧାରଣ ମଣିଷ ଜୀବନର ସ୍ଵତନ୍ତ୍ରତା ଭିତରେ କେବଳ ଏହି ବିଶ୍ଵଗୁଣ ହେତୁ ଗୋଟାଏ ଦେଶର ସାହିତ୍ୟ ଅନ୍ୟ ଦେଶର ଲୋକ ଏତେ ସହଜରେ ବୁଝିପାରେ । ଦେଶକାଳପାତ୍ରର ସ୍ଵତନ୍ତ୍ରତାର ବ୍ୟବଧାନ ଏଡ଼ି ମନ ଚାଲିଯାଏ ସିଧା ଏଇ ସ୍ଵପ୍ନରାଜ୍ୟକୁ । ସେକ୍‌ସପିଅରଙ୍କ ନାଟକରେ କେତେ ଦେଶର କଥା ଅଛି–ଇଂଲଣ୍ଡ, ସ୍କଟଲାଣ୍ଡ, ରୋମ, ଭେନିସ୍‌, ଇଜିପ୍‌ଟ କେତେ ଦେଶର, ପୁଣି କେତେ ଯୁଗର । ସେ ଦେଶର ଧରଣ, ରୀତିନୀତି କେତେ ପୃଥକ; କିନ୍ତୁ ତାଙ୍କ ନାଟକର ଆମ ମନରେ ଯେଉଁ ସ୍ମୃତି, ସେ ଏଇ ସ୍ଵପ୍ନ-ମିଶା ମଣିଷର, ସ୍ଥାନକାଳପାତ୍ରର ଜୀବ–ବିଶେଷର ନୁହେଁ । ସିଜରଙ୍କ ପୋଷାକ, ଚେହେରା କହିଲେ ଭିନ୍ନ ଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ଆସେ । ମ୍ୟାକ୍‌ବେଥ୍‌ଙ୍କ ଦୁର୍ଗ କହିଲେ ଝାପ୍‌ସା ଝାପ୍‌ସା ଦିଶେ ଗୋଟାଏ ଭୟଙ୍କର ଦୁର୍ଗ, କିଛି ପରିଷ୍କାର ନୁହେଁ ; କିନ୍ତୁ ତା ଭିତରେ ଯେଉଁ ରୋମାନ୍‌ସ, ଯେଉଁ ବିଭୀଷିକା, ଚରିତ୍ରର ଯେଉଁ ଭୟଙ୍କର ରୂପ, ତାରି ମୋଟାମୋଟି Impression ଗୋଟାଏ ରୂପ ଘେନି ସ୍ମୃତିପଥରେ ଉଭା ହୁଏ । ଏ ଦେଶର ଅଧିକାଂଶ ଲୋକ ନର୍‌ଉଏ ଦେଶର ଛାଇ ମାଡ଼ି ନାହାନ୍ତି, ରୁଷ୍‌ ଦେଶର କତି ପଶି ନାହାନ୍ତି; ତଥାପି ସେ ଦେଶର ସାହିତ୍ୟରେ ସମସ୍ତେ ଏତେ ମସ୍‌ଗୁଲ କାହିଁକି ? କାରଣ ତୁଛା ଛବିର ମୋହ, ବୁଲିବା ନିଶାରେ ସେ ଦେଶକୁ ଆମେ ଚାହୁଁ ନାହୁଁ । ସାହିତ୍ୟ ଭିତରେ ଗୋଟାଏ ପ୍ରାଣର ସ୍ପନ୍ଦନ ଆମେ ପାଉଁ, ଯାହା ଆମ ଭିତରେ ଗୋଟାଏ ପ୍ରାଣର ସ୍ପନ୍ଦନ ଆମେ ପାଉଁ, ଯାହା ଆମ ଭିତରେ କିଛି ତଫାତ୍‌ ରଖେ ନାହିଁ; ଗୋଟାଏ ସ୍ୱପ୍ନର ମୋହ ଆମେ ଦେଖୁଁ, ଯହିଁରେ ସେ ଦେଶର ସେମାନେ ଯେତିକି ଦାବି କରିବେ, ଏ ଦେଶର ଆମେ ସେତିକି ଦାବି କରିବା; କାରଣ ଆମେ ମଣିଷ । ଇବ୍‌ସେନ୍‌ଙ୍କ ନୋରା କିପରି ଧଡ଼୍‌ ଧାଡ଼୍‌ କବାଟ ପିଟି ରାସ୍ତାକୁ ଚାଲିଗଲା, ଏ ଦେଶର ସାହିତ୍ୟରେ ସମସ୍ତେ ତା’ର ଉଲ୍ଲେଖ କରିଥାନ୍ତି । ସେମାନଙ୍କ ଖାଦ୍ୟ ଅଲଗା, ପୋଷାକ ଅଲଗା । ଯଦି ସେମାନଙ୍କ ସଙ୍ଗେ ମୁହାଁମୁହିଁ ପରିଚୟ ବା ହୁଏ, ତେବେ ବୋଧହୁଏ ସେମାନଙ୍କ ଆଡ଼କୁ ପ୍ରାଣେ ପ୍ରାଣେ ଆମର ସହାନୁଭୂତି ଢଳିବ ନାହିଁ; ତଥାପି ସମସ୍ତେ ଜାଣନ୍ତି, ସମସ୍ତେ ଲେଖନ୍ତି । କବାଟର ଧଡ଼୍‌ଧାଡ଼୍‌ ଶୁଭିଲା ସାରା ପୃଥିବୀର ପ୍ରାଣ ଭିତରେ । ଫରାସୀ ବେଙ୍ଗ ଖାନ୍ତି, ଚିନା ଖାନ୍ତି ଚଡ଼େଇ ବସା, ସାହେବ ଘୁଷୁରି, ସାନ୍ତାଳ ଖାନ୍ତି ଝରିପୋକ । ଆହୁରି କେତେ ଅପରୂପ ଖାଦ୍ୟ ଅଛି, ଯେଉଁଥିରେ ଗୋଟାଏ ଜାତିର ରୁଚି ଅନ୍ୟ ଜାତିର ରୁଚି ସଙ୍ଗେ ସଂଘର୍ଷ ଲଗାଇବ; କିନ୍ତୁ ଏ ସବୁ ସ୍ୱତନ୍ତ୍ରତା ବିଶ୍ୱଗୁଣ ନୁହେଁ-। ସ୍ୱପ୍ନର ମୋହରେ, ଆଦର୍ଶର ଚମକରେ ଏସବୁ ପ୍ରତି ଆମର ନଜର ପଡ଼େ ନାହିଁ । ପଡ଼ିଲେ ସୁଦ୍ଧା ରୁଚିର ସଂଘର୍ଷ ଆମେ ଧରି ବସୁନାହିଁ । ସୁନ୍ଦରୀ ମାନସୀ, ମନର ଆବେଗରେ ଛାତି ଉଠୁଛି ପଡ଼ୁଛି-। ସବୁ ସ୍ୱପ୍ନ, ସବୁ ଆଶା ସେଇ ଗୋଟାଏ impression ରେ । ଆମେ ଭୁଲିଯାଉଁ ତା’ର ଖାଦ୍ୟପେୟ, ତା’ର ଜାତିଗୋତ୍ର, ଖାଲି ମାନସୀ, ସ୍ୱପ୍ନର ଗୋଟାଏ ମୋହ । କବି କହିଲେ, ସୁନ୍ଦରର ମୋହ ସବୁଦିନେ ନୂଆ; କିନ୍ତୁ ସେ କ’ଣ ଗୋଟିଏ ସ୍ଥାନର ? ସବୁ ଦେଶ ଲାଗି । ଅବଶ୍ୟ ରୁଚିଭେଦରେ, ମନର ସ୍ୱତନ୍ତ୍ରତାଭେଦରେ ସୁନ୍ଦରର ପରିକଳ୍ପନା ପୃଥକ୍‌ ପୃଥକ୍‌ ହୋଇଥାଏ; ତେବେ ସ୍ୱତନ୍ତ୍ରତା ଭେଦ କରି ଆଦର୍ଶର ସୁନ୍ଦର ପରିକଳ୍ପନା ଆବେଗ ଆସିଥାଏ ସମସ୍ତଙ୍କ ମନରେ-

 

ଚିକ୍‌ ଚିକ୍‌ ବରଫ ଉପରେ ଅରୋରା ବୋରିଆଲିସର ଶୋଭା, ପାହାଡ଼, ଜଙ୍ଗଲ; ଶାନ୍ତ ନେଳି ଆକାଶରେ ଜହ୍ନ, କେଡ଼େ ସୁନ୍ଦର ! କେବେ ପୃଥିବୀ ସାରା ବୁଲି ନାହୁଁ; ତଥାପି ଏଡ଼େ ସୁନ୍ଦର ଲାଗେ କାହିଁକି ? ପ୍ରକୃତିର ଆକର୍ଷଣ ଗୋଟିଏ ବିଶ୍ୱଗୁଣ । ମଣିଷ ଜାତିର ରକ୍ତରେ ଅଛି ଯେଉଁ ଦୂର ଅତୀତର ଆଦିମ କାଳର ପ୍ରକୃତିର ପରିଚୟ, କେବଳ ତାରି ଲାଗି ନୁହେଁ । ପ୍ରକୃତି ଭିତରେ କେତେଗୁଡ଼ିଏ ବିଶ୍ୱଗୁଣର ସତ୍ତା ଅଛି । ବାହାରର ପ୍ରକୃତି, ଭିତରର ମଣିଷ ଭିତରେ ସମ୍ୱନ୍ଧ, ପ୍ରକୃତିର ମଣିଷ ଉପରେ ପ୍ରଭାବ ! ଭିତରେ ଭଙ୍ଗା ଆଶାଭରସାର ଚିତା, ବାହାରେ ମରୁଭୂମି; ଭିତରେ ଦୁଃଖ, ବାହାରେ କଳା ମେଘ । ନୋହିଲେ ବିସଦୃଶ ଗୁଣରେ ଯେତେବେଳେ ମନ ଭିତରେ ହତାଶ, ବାହାରେ ହସ୍‍କୁରୀ ପ୍ରକୃତି । ଫୁଲ, ଫଳ, ପବନ ଭିତରେ ଲୋଟି ଯାଉଛି କିରଣର ଲହରୀ । ପ୍ରକୃତି ନିଜେ ପ୍ରାଣବନ୍ତ ବୋଲି ବର୍ଣ୍ଣନା କରାହେଲେ ସୁଦ୍ଧା ବିଶ୍ୱଗୁଣ ଆସେ । କାରଣ ପ୍ରକୃତି ସେତେବେଳେ ନିଜେ ମଣିଷ ପରି ଦିଶେ । ମଣିଷର ସୁଖ ଦୁଃଖ ସ୍ୱତନ୍ତ୍ରତାର ଆବରଣ ଭେଦି ସବୁଦିନେ ମଣିଷର ସହାନୁଭୂତି ପାଇଥାଏ; କିନ୍ତୁ ସାରା ମଣିଷ ଜାତିର ଆଖିରେ ଲାଖି ବିଶ୍ୱଗୁଣର ପରିଚୟ ଦେବାକୁ ପ୍ରକୃତିର ସବୁ ପ୍ରକାର ବର୍ଣ୍ଣନା ଉପଯୁକ୍ତ ନୁହେଁ । ଯେଉଁଠି ସ୍ୱତନ୍ତ୍ରତା ବେଶି, ସ୍ଥାନ ବା ବିଶିଷ୍ଟ ଗୁଣ ପ୍ରତି ଉଲ୍ଲେଖ ଅଛି ବେଶି, ସେଠି ପ୍ରକୃତିର ଏ Appeal ମିଳେ ନାହିଁ । କବି Wordsworth (ଉଆଡ଼ଶଉଆର୍ଥ) ଡେଜିଫୁଲ ଦେଖି ହଜିଥିଲେ; କିନ୍ତୁ ଡେଜି ଫୁଲର ଧାରଣା ଯାହାର ନ ଥିବ, ସେ କାହୁଁ ସେ ରସ ଚାଖିବ । ଛୋଟ ଗଛରେ ସଜନା ଫୁଲ ଫୁଟିଛି, ପିଢ଼ାରେ ଫୁଟିଛି କଖାରୁ ଫୁଲ । ସଜନା ଫୁଲର ବାସନା କେବଳ ସୁନ୍ଦର ଲାଗି ନୁହେଁ–ଗରିବ ଗୃହସ୍ଥର ଆଶା ତହିଁରେ ମେଣ୍ଟେ । ଜହ୍ନିଫୁଲ ଫୁଟି ଫୁଟି ଆସୁଛି-ଭାଡ଼ିରେ ପିଢ଼ାରେ, ଚାହାଳିଘର ବାଡ଼ରେ । ଟିକି ପିଲାଏ ବସ୍ତାନି ବାନ୍ଧି ସାରିଲେଣି; ଏଥର ଛୁଟି । ଶିଶୁକଳରବମିଶା ଶାନ୍ତ ସଞ୍ଜର ଜହ୍ନିଫୁଲ ! ଓଡ଼ିଶାର ସମସ୍ତେ ବୁଝିବେ; ଯେ ଜାଣେ ସେ ବୁଝିବ ! କିନ୍ତୁ ସ୍ଥାନ, ଦେଶ ଆଚାର ସଙ୍ଗେ ଏ ଯେଉଁ ଘନିଷ୍ଠ ସମ୍ୱନ୍ଧ, ତହିଁରେ ବିଶ୍ୱ-ଭାବ ଆସୁ ନାହିଁ; ସ୍ୱତନ୍ତ୍ରବାଦ ଆସୁଛି । ଜହ୍ନିଫୁଲ ନାଁରେ ଏ ଯେଉଁ ଉଲ୍ଲାସ, ଏ ବିଦେଶୀ ବୁଝିବେ ନାହିଁ-ଆମେ ଯେପରି ବୁଝୁ ନାହୁଁ ସେମାନଙ୍କର ଡେଜି ଫୁଲ । ଯେଉଁଠି ଏପରି ସମ୍ୱନ୍ଧ ବା ଇଙ୍ଗିତ ଅତି ଅଧିକ, ସେଠି ବିଶ୍ୱବାଦ ମଝିରେ ଅସଂଖ୍ୟ ବାଡ଼ ।

 

ବିଶ୍ୱଗୁଣର କେତୋଟି ବଡ଼ ଉପାଦାନ ମାତ୍ର ଆମ୍ଭେମାନେ ଏ ପର୍ଯ୍ୟନ୍ତ ଦେଖିଛୁଁ । ସବୁ ଗଡ଼େଇ ଆଣିଲେ ମୂଳରେ ମିଳେ ଗୋଟିଏ ସମାନ ଗୁଣ, ମଣିଷ । ତାରି ମୌଳିକ ପ୍ରବୃତ୍ତି, ମୌଳିକ ପ୍ରବଣତାର ଏ ସବୁ ଅବତାର ବିଶେଷ । ମଣିଷ–ସାହିତ୍ୟରେ ମଣିଷର ବିଶ୍ୱଗୁଣ ଲାଗି ଏହା ଛଡ଼ା ଆଉ କ’ଣ ରହି ପାରେ ? ଯେଉଁଠି ତା’ରି ମୌଳିକ ପ୍ରବୃତ୍ତି ଆଉ ପ୍ରବଣତା, ଲେଖକ ବେଶି ଓଜନ ଦେଇଥାନ୍ତି ସେଠି । ଯେତେ ସ୍ୱତନ୍ତ୍ରବାଦ ଥିଲେ ସୁଦ୍ଧା ପୃଥିବୀସାରା ସମସ୍ତେ ସେ ସାହିତ୍ୟ ବୁଝନ୍ତି । ମଣିଷର ଆନନ୍ଦ, ମଣିଷର ଦୁଃଖ, ମଣିଷର ଚେଷ୍ଟା ମଣିଷ ବୁଝେ । ରକ୍ତର ତାତି, ସାହସ, ଭୀରୁତା, ଜୀବନର ଭୋଗ, ଦେହର ରୋଗ ସବୁ–ଏ ବର୍ଣ୍ଣନା ଉପରେ ଦୃଷ୍ଟି ଓଟାରିଲେ ଉପେଇ ମଳିକ ହୁଏ ମଣିଷ, ଯେପରି ଅଶଷ୍ଟ, ଯେରି ଜିନ କ୍ରିସ୍ତଫି । ଉପେଇ ମଳିକ କେଉଁ ଦେଶର ଲୋକ, କେଉଁଠି ତା’ର ଘରବାଡ଼ି–ସବୁ ଭୁଲି ଯାଉଁ । କେବଳ ଆଖିରେ ପଡ଼େ ହତଶ୍ରୀ ଦୁଃଖୀ ମଣିଷ–ଦୁଃଖ ଭିତରେ ସୁଖର ପ୍ରୟାସ, ତା’ର ଅଳିଆ ଅକର୍ମା ପିଲାଗୁଡ଼ିକ, ତା’ର ଗଣ୍ଠିଗଣ୍ଠିଆ ବାଡ଼ି ଖଣ୍ଡି, ତା’ର ରୋଗଣା କୁକୁରଟି, ତା’ର ଗାରଡ଼ଟି, ନୁଆଣିଆଁ ଚାଳ ତଳେ ତା’ର ପିକା ଖଣ୍ଡିକ । ସବୁ ସ୍ୱତନ୍ତ୍ରତା ନିଭି ଯାଇ ଦିଶେ ଖାଲି ଆକାଶ ତଳର ପ୍ରାଣୀ ମଣିଷ–ଏକା ଭାଇ, ଏକା ରକ୍ତ, ଏକା ନାହି ଦିଖଣ୍ଡ । ଏଥିଲାଗି ଯେଉଁ ସାହିତ୍ୟରେ ସାରା ମଣିଷ ଜାତିର ସହାନୁଭୂତି ଆଣିବା ଲାଗି ଗୁଣ ଥାଏ । ସେ ଲାଗେ କିପରି ଅତି ଆପଣାର ପରି–ତା ଭିତରେ ଆମ ମନ ଭିତରେ କୌଣସି ବ୍ୟବଧାନ ନ ଥାଏ ବୋଲି ।

 

ସେ କେବେ ପୁରୁଣା ହୁଏ ନାହିଁ କି ତା’ର କୌଣସି ପରିବର୍ତ୍ତନ ଆସେ ନାହିଁ । ସ୍ଥାନ କାଳର ପରିବର୍ତ୍ତନ ତାକୁ ବାଧେ ନାହିଁ । ଧର୍ମୁ ଅଜା ଅଭିଆଡ଼ା ଥିବାବେଳେ ଝିଅ ବେଶ ଧରି ଆଈଙ୍କୁ ଦେଖି ଚାହିଁ ଆସିଥିଲେ । ବର୍ତ୍ତମାନ ସେମାନେ କଣ, କିଏ କହିବ ? ହୁଏ ତ ଯେଉଁ ଡିହ ଉପରେ ସେମାନଙ୍କର ଏତେ ଖେଳ, ଏତେ ଆନନ୍ଦ, ଏତେ ରୋମାନ୍‌ସ ହେଉଥିଲା, ସେଠି ଫୁଟୁଛି ହୁଙ୍କାଛତୁ । ଆହୁରି ତିନି ପୁରୁଷ ଉପରକୁ ପ୍ରଣୟୀ ତା’ର ବାଳକୁ ଗଣ୍ଠିକରି ବାନ୍ଧିଛି ଫୁଲ । ପ୍ରଣୟିନୀ ଓଜନ ଓଜନ ଅଳଙ୍କାର ନାଇ ଝମର ଝମର କରି ପାଦ ପକାଇ ଆସୁଛି । ଚଉଁରୀ ଭୁଣ୍ଡି ଆଜି ବେଶି ଚିକ୍‌ ଚିକ୍‌, ଗୋଜିକାଠି ବେଶି ଉଞ୍ଚ । ସେମାନଙ୍କର ପ୍ରଣୟ ହେଲାଣି ପୁରୁଣା; କିନ୍ତୁ ମଣିଷ ମନକୁ ବାସି ନୁହେଁ । ଏ ସଂସ୍କୃତିଟିର ମର୍ଯ୍ୟାଦା ଆମେ ବୁଝିବାକୁ ଖାତିର କରୁ ନାହୁଁ–ପାଉଛୁଁ କେବଳ ମୂଳ ଭାବ, ବୁଝୁଛୁଁ ଖାଲି ନିଦାନ ମଣିଷ-ରସ ।

 

ବିଶ୍ୱ-ଭାବର ଗତିର ଦୂରତା ସ୍ୱତନ୍ତ୍ରବାଦର ସାହିତ୍ୟ ତୁଳନାରେ ଅତି ଅଳ୍‌ପ, ବିଷୟ ଅଳ୍‌ପ, ପ୍ରକାର ବେଶୀ ନାହିଁ; କିନ୍ତୁ ପୁରାତନର କ୍ଲାନ୍ତି, ଅବସାଦ, ଜରା ତହିଁରେ ନ ଥାଏ । ମଣିଷର ମୌଳିକ ପ୍ରବୃତ୍ତି–ପ୍ରବଣତା ପାଇଛି ଚିରଯୌବନ-ଅତୀତର କୁହୁଡ଼ି ଭେଦି ସ୍ଥାନର ଦୂରତା ଏଡ଼ି । ତାହାର ଜରା ନାହିଁ, ମରଣ ନାହିଁ । ମୌଳିକ ଭାବ ମନ ଉପରେ ବେଶୀ ଗହୀର ଗାର ଟାଣେ; ତେଣୁ ନିଜର ଅନିଚ୍ଛାରେ ଅଜଣାରେ ସୁଦ୍ଧା ଲେଖକ ତହିଁରେ ମାତିଥାନ୍ତି । ଶତକଡ଼ା ୯୯ ଗଳ୍ପ-ଉପନ୍ୟାସର ବିଷୟ ସେଇ ପ୍ରେମ । ତହିଁରେ ନୂଆ କଥା କ’ଣ ବା ଅଛି, କେତେ ସମାଲୋଚକ ଫର୍ମୁଲାରେ ପକାଇ ସାରିଛନ୍ତି । ଭଞ୍ଜକବି ଯେପରି ପ୍ଲଟ୍‌ କରନ୍ତି–ପ୍ରଥମେ ଉଭୟ ପକ୍ଷର ବେଶ ବର୍ଣ୍ଣନା, ତା ପରେ ଛବି ଦେଖା; ତା ପରେ ଚିଠି ଲେଖା, ତା ପରେ ବିଭା, ବିରହ, ପୁଣି ମିଳନ–ସେହିପରି ଏସବୁ ଲେଖା ଲାଗି ବନ୍ଧା ତପ କରାଯାଇପାରେ; କିନ୍ତୁ ଲକ୍ଷେ ଥର ଘୋରଡ଼େଇ ହେବା ପରେ ସୁଦ୍ଧା ବିଷୟବସ୍ତୁ ସେଇ ପ୍ରେମ, ସବୁ ଦେଶରେ । ଏଥିରୁ ପ୍ରମାଣ ମିଳୁଛି ମଣିଷର ମୌଳିକ ଭାବ, ପ୍ରବୃତ୍ତିର ପ୍ରବଣତା କେବେ ହେଲେ ପୁରୁଣା ହୁଏ ନାହିଁ ; କାରଣ ନିଜେ ମଣିଷ ଆଦିମ ଯୁଗରୁ ସେଇ କେତୋଟି ମୌଳିକ ଭାବ, ଗୁଣ, ପ୍ରବୃତ୍ତିର ପ୍ରବଣତାରେ ତିଆରି ।

 

ସାହିତ୍ୟରେ ଦୁଇଟି ଉପାଦାନ-ଗୋଟିଏ ବିଶ୍ଵଭାବ, ଅନ୍ୟଟି ସ୍ଵତନ୍ତ୍ର-ଭାବ । ବିଶ୍ୱଭାବ ଅତି ଉଚ୍ଚ, ମୌଳିକ, ତା’ର ଅତି ଆଦର; କିନ୍ତୁ ଏ ଦୁଇଟିରୁ ଖାଲି ଗୋଟିଏ ଉପାଦାନରେ ସାହିତ୍ୟ ବର୍ତ୍ତି ପାରିବ ନାହିଁ । ମନର ଆବେଗ ଘୋଳି ହୁଏ ନାହିଁ ବୋଲି ସଂସ୍କୃତ କବିମାନେ ସେହି ଅଳ୍ପ ପରିସର ଭିତରେ ମୌଳିକତା ପ୍ରବୃତ୍ତିର ଚର୍ଚ୍ଚା କରୁଥିଲେ; କିନ୍ତୁ ପରିସର ତା’ର ଅଳ୍ପ-ସ୍ଵତନ୍ତ୍ର ଭାବର ପରିସର ବେଶୀ । ଏ ଦେଶ କଥା, ସେ ଦେଶ କଥା, ଏ ମଣିଷ କଥା, ସେ ମଣିଷ କଥା–ବିଷୟବସ୍ତୁ ଏଥିରେ ଅତି ବେଶି । ଅନ୍ୟ ଦେଶ ପ୍ରତି ସ୍ଵତନ୍ତ୍ରବାଦ ଦୁର୍ଗମବାଡ଼; କିନ୍ତୁ ଯେଉଁ ଦେଶର ଏ ବିଶିଷ୍ଟତା, ସେ ଦେଶରେ ଏହାର ଆଦର ବେଶି । ପ୍ରତି ଦେଶରେ ପରିସ୍ଥିତିର ଆବରଣ ଭିତରେ କେତେଗୁଡ଼ିଏ experience (ଅନୁଭୂତି) ବନ୍ଧାଗତ ହୋଇ ସାରିଲାଣି । ବହୁଯୁଗର ଆଚାରବ୍ୟବହାର, ପାଣିପବନ ମିଶି ଏପରି ବନ୍ଧାଗତ ଆଣିଛି । ଭାଷାରେ ଯେପରି ଅନେକ ଶବ୍ଦ ଅଛି, ମଣିଷର ଭାବ ସଙ୍ଗେ ଯାହାର ଏପରି ସମ୍ବନ୍ଧ ଯେ , ଖାଲି ସେହି ଶବ୍ଦ ମନେ ପଡ଼ିଲେ ଆଖି ଆଗରେ ନାଚେ ଗୋଟାଏ ଭାବର ପରିଷ୍ଫୁଟ ଛବି, ସାହିତ୍ୟରେ ସେହିପରି । ଏ ଦେଶରେ “ଘଡ଼ଘଡ଼ି କବିତା” ସେହି ସୂକ୍ଷ୍ମ ସହଜ ଉପାୟରେ କାର୍ଯ୍ୟ ହାସଲ କରିଥାନ୍ତି । “ବଜ୍ର”, “ପ୍ରଳୟ”, “ହୁଙ୍କାର”, “ରୁଦ୍ର”, “ତାଣ୍ଡବ”, “ଝଞ୍ଜା”, “ମୃତ୍ୟୁ”, “ଚିତା”, “ଧୂଧୂ”, “ମରୁ” କେବଳ ଏହିପରି କେତୋଟି ଶବ୍ଦ ଏପାଖ ସେପାଖ କରି ବ୍ୟବହାର କଲେ ପ୍ରତ୍ୟେକ ଶବ୍ଦର ଯେଉଁ ଇଙ୍ଗିତ (?) (appeal) ତହିଁରେ ଗୋଟାଏ ଉଦ୍ଦାମ ଭାବ ଆସେ । ସାହିତ୍ୟରେ ସେହିପରି କେତେଗୁଡ଼ିଏ ଇଙ୍ଗିତ କଲେ ସ୍ଵତନ୍ତ୍ରବାଦର ସାହିତ୍ୟ ତିଆରି ହୁଏ, ଯାହା ସେହି ଦେଶର ଅତି ପ୍ରିୟ । “ଖୁଦୁରୁକୁଣୀ” ରେ ଝିଅମାନଙ୍କର ଉତ୍ସାହ, ଫୁଲର ସମ୍ଭାଗ, କଇଁଫୁଲ, ଭାଲୁକୁଣୀ ଆକାଶଫଟା ହୁଳୁହୁଳି-କେତେ କ’ଣ ମନେ ପଡ଼େ । “କୁଆଁର ପୁନେଇଁ” ରେ ମନରେ ଆସେ କଇଁଫୁଲିଆ ଜହ୍ନ ତଳେ ଉତ୍ସାହ, ଆନନ୍ଦ, ଗୀତ, ଖେଳ ଓ ସୁନ୍ଦରିମାର ଏକାଠି ଠୁଳ ହେବାର ମାଧୁରୀ । “ରଜର” ଖୁସିବାସି, ପୋଡ଼ପିଠା, ଚଷାପୁଅର ଛୁଟି, ବାଜା, ଡୁଡ଼ୁଖେଳ, ଗୁଆଖୋଳପା, ତାସଖେଳ, ହେଁସ, ପାନ, ପୁଣି ଚନ୍ଦନାପାଟି, ଅଳତା, ଦୋଳିଖେଳ । ସାହିତ୍ୟରେ ଏପରି ବର୍ଣ୍ଣନା ବା ଉପାଦାନ ପ୍ରତ୍ୟେକ ଓଡ଼ିଆର ଅତି ପ୍ରିୟ, ଅତି ଆଦରର ଧନ । ପୁରୁଷ ପୁରୁଷ ଏପରି ସଂସ୍କାରରେ ବଢ଼ି ଏଗୁଡ଼ିକ ଯେପରି ମଣିଷର ମୌଳିକ ପ୍ରବୃତ୍ତି ଓ ପ୍ରବଣତା ସଙ୍ଗେ ସମାନ ଆସନ ପାଇ ସାରିଲେଣି-। ଓଡ଼ିଶାର ନୂଆଯୁଗର ସାହିତ୍ୟ ବର୍ତ୍ତମାନ ଗୁରୁଣ୍ଡୁଛି; ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ “ଜାତିର” ସାହିତ୍ୟ ଗଢ଼ା ହୋଇନାହିଁ । ତା ବୋଲି ଏ “ଜାତୀୟ-ସ୍ଵତନ୍ତ୍ରତା” ର ଆଦର ସମସ୍ତେ ବୁଝିବେ, ଏ ସ୍ଵତନ୍ତ୍ରତା ଭିତରେ ବିଦେଶୀ ସୁଖ ପାଇପାରିବେ ନାହିଁ–ବରଫ ଉପରେ ସ୍କି (Ski) ଚଢ଼ି ଖେଳିବାର ମଉଜ ଯେପରି ଆମ ମୁଣ୍ଡରେ ଗଳିବ ନାହିଁ । ଏ ସ୍ଵତନ୍ତ୍ରବାଦ ବରଂ ଭଲ, କଳା ହିସାବରେ ଉଚ୍ଚ ।

 

ଏପରି ସ୍ଵତନ୍ତ୍ରବାଦ ନୀଚ ନୁହେଁ । ଅନ୍ୟାନ୍ୟ ଦେଶରେ ଆଦର ନ ପାଇଲେ ସୁଦ୍ଧା ଗୋଟିଏ ଦେଶରେ ତା’ର ସବୁଦିନେ ଆଦର ଆଉ ପୂଜା । ଅନେକ ସମୟରେ ବେଳବେଳକାର ଘଟନା ଉପରେ ସାହିତ୍ୟ ଲେଖା ହୁଏ । କାହାରି ଉପରେ ଗାଳି-ସାହିତ୍ୟ ଲେଖା ହେଉଛି । ତା’ର ଚରିତ୍ର ବା ଅନ୍ୟାନ୍ୟ ବିଶିଷ୍ଟତାକୁ ଚାହିଁ କେତେ ଗାଳି ହୋଇଗଲା । ତା ଅନ୍ତେ କିମ୍ବା ତା’ର ସେ ବିଶିଷ୍ଟତା ନ ଜାଣିଥିବା ଲୋକ ପାଖରେ ସେ ଲେଖାର ମୂଲ୍ୟ ଅଳ୍ପ । ଜଣେ ଯଦି ତା’ର ଦୋଷ, ତା’ର ଆକୃତିର ଫାଟ, ତା’ର କୁକର୍ମ, ଏସବୁ ବିଷୟରେ ଜାଣେ, ତାହେଲେ ସେ ଇଙ୍ଗିତ ଧରିପାରିବ; ନୋହିଲେ ନୁହେଁ । ବିଶେଷ ସମୟର ଖବର, ଘଟନା, ବିଶିଷ୍ଟତା- ଏହାରି ଉପରେ ଜୋର ଦେଇ ଲେଖିଗଲେ ସେହି ସମୟରେ ତା’ର ଆଦର ହୁଏ ବେଶୀ, ପରେ କେହି ପଚାରନ୍ତି ନାହିଁ । ଗଲା ମହାଯୁଦ୍ଧ ପରେ ଠିକ୍‌ ସେହି “ସମୟ” ର ବହି କେତେ ଖଣ୍ଡି ଏତେ ବିକ୍ରି ହେଲା; ଆଜିକାଲି ତା’ର ବଜାର ମାନ୍ଦା । ଏପରି ସାହିତ୍ୟ ବେଳକାଳର ସାହିତ୍ୟ, ଦୁଇ ଦିନ ବଞ୍ଚେ; କିନ୍ତୁ ସେହି ଦୁଇ ଦିନ ଭିତରେ ଚାରିଆଡ଼େ ଡିବି ଡିବି ପଡ଼ିଯାଏ ।

 

ବିଶ୍ଵ-ଗୁଣ ଭିତରେ ଚରିତ୍ରର କେତୋଟି ବିଶ୍ଳେଷଣ ମିଳେ । ଜଣେ ଲୋକ ବାହାରେ ଭାରି ଭଲ କଥା ଶୁଣିଲେ ଚନ୍ଦନ ପରି ଲାଗେ, ଅନ୍ଧାର ଘର ଆଲୁଅ କରେ; କିନ୍ତୁ ଭିତରେ ଗୁପ୍ତମାରୁ । ସବୁଠି ଜଣେ ଖାଲି ଛିଦ୍ର ଉଣ୍ଡିବାକୁ ବାହାରେ ଥାପୁଡ଼େଇ ଥାପୁଡ଼େଇ ଭିତରେ ବିଷ ଦିଏ । ଅନ୍ୟ ଜଣେ ବାହାରିଲେ ସାଧୁ–ଏତେ ଆଦର୍ଶବାଦୀ, ଏତେ ସୁପୁରୁଷ କୋଟିକରେ ଗୋଟିଏ; ଭିତରେ ଭାରି ଅସତ୍, କଅଁଳେଇ କଁଅଳେଇ ସୁତୁରେଇ ସୁତୁରେଇ କେତେ ଘର ପୋଡ଼ିଛି, ତା’ର କଳନା ନାହଁ । ଅନ୍ୟ ଜଣେ ଭାରି ଡମ୍ଫା-ସାହସ ନାହଁ, ଗୁଣ ନାହିଁ, ଖାଲି ପମ୍ପା । ଏପରି ଅନେକ ଭିତରେ ‘ପ୍ରକାର’ (Type) ଅଛନ୍ତି; ଯେ ବିଶିଷ୍ଟ ସ୍ୱତନ୍ତ୍ର ହେଲେ ସବୁ ଦେଶରେ ଥାନ୍ତି, ତେଣୁ ସମସ୍ତେ ବୁଝନ୍ତି । ମଣିଷ ମନର ସେପରି କେତେ ବିଶ୍ଳେଷଣ ପୃଥିବୀର ସବୁଲୋକ ଜାଣନ୍ତି । କଦାକାର ସତ କଥାକୁ ଘୋଡ଼ାଇବା ଲାଗି ପ୍ରିୟ ହସ, କୌତୁକ, ଆନନ୍ଦ ମିଛ, ‘‘ନୟନେ ଯେବେ ଚପଳା ଖେଳ, ଅନ୍ତରେ ତେବେ ବଉଦ ମେଳ’’ ଏହିପରି କେତେ କଥା ।

 

କିନ୍ତୁ ଆହୁରି ଅନେକ ବିଶ୍ଳେଷଣ ଅଛି–ଜଣେ ମଣିଷ ଅନ୍ୟ ସମସ୍ତଙ୍କଠାରୁ ସ୍ୱତନ୍ତ୍ର–ଯେଉଁ ଅଂଶରେ ତାହାରି ବିଶ୍ଳେଷଣ, ଯହଁରେ ବିଜ୍ଞାନ ଆନନ୍ଦ ପାଏ, ମଣିଷ ପାଏ ଔତ୍ସୁକ୍ୟ । ପ୍ରତ୍ୟେକ ପଦାର୍ଥ, ପ୍ରତ୍ୟେକ ଘଟନା ନିକଟି ପରୀକ୍ଷା କରିବା ଆରମ୍ଭ କଲା ପ୍ରଥମେ ବିଜ୍ଞାନ । ତାପରେ ସାହିତ୍ୟରେ ଏପରି ସ୍ୱତନ୍ତ୍ରବାଦ ଦେଖାଗଲା । ଜଣେ ସାଧାରଣ ଗୁଣ ପରଖି ଦେଖେ, ଜଣେ ତା’ର ସବୁ ବୁଦ୍ଧି ଲଗାଏ ବିଶେଷ ଗୁଣ ପରଖିବାକୁ । ଜଣେ ଲୋକର ପ୍ରତ୍ୟେକ କାର୍ଯ୍ୟର ମୂଳ କାରଣ ମସ୍ତିଷ୍କର ପ୍ରକ୍ରିୟା । କେଉଁ କେଉଁ ଘଟନା ବା ଶକ୍ତିର ପ୍ରଭାବରେ ସେ କେଉଁ କାର୍ଯ୍ୟ କଲା, ଏସବୁ ସାହିତ୍ୟରେ ଦେଖାଯାଏ । ମଣିଷର ମନ ଯେପରି ଗୋଟାଏ ପ୍ରକାଣ୍ଡ ପରଖାଘର-Laboratory । ଯେତେବେଳେ ଏପରି ସାହିତ୍ୟ ଅତି ଉନ୍ନତ ହୁଏ, ସେତେବେଳେ ଏ ସ୍ୱତନ୍ତ୍ରତା ସମସ୍ତଙ୍କଠାରୁ ସ୍ୱତନ୍ତ୍ର ହୁଏ-ଏ ଦେଶର ଲୋକଙ୍କୁ ଯେପରି ଚମକ ଦିଏ, ସେ ଦେଶର ଲୋକଙ୍କୁ ସେପରି ଚମକ ଦିଏ । ତେଣୁ ଆଜିକାଲି ବିଦେଶୀ ସାହିତ୍ୟରେ ମନସ୍ତତ୍ତ୍ଵର ଏ ବିଶ୍ଳେଷଣ ମଧ୍ୟ ଏ ଦେଶର ଆମେ ଘେନିଥାଉଁ ।

 

ସ୍ଵତନ୍ତ୍ରବାଦ ଆଉ ବିଶ୍ୱବାଦର ଫରକ ଅନେକ ସମୟରେ ହୁଏ ସ୍ଵପ୍ନବାଦ ଆଉ ବାସ୍ତବବାଦର ଫରକ । ଗୋଟିକରେ ମଣିଷର ମୌଳିକ ପ୍ରବୃତ୍ତିପ୍ରବଣତା ପରସ୍ଥିତିକୁ ଚାପି ରଖି ଉଭା ହୁଏ, ଅନ୍ୟଟିରେ ପରସ୍ଥିତିର ବିଶିଷ୍ଟତା ଭିତରେ ଚରିତ୍ରର ସ୍ଵତନ୍ତ୍ରତା ବେଶି ଆଖିରେ ପଡ଼େ । ଗୋଟିଏ ଦେଖେ ଉପେଇ ମଳିକ ମଣିଷ–ତାର ଦୁଃଖ, ଆନନ୍ଦ, ସ୍ନେହ, ଘୃଣା ଇତ୍ୟାଦି; ଅନ୍ୟଟି ଦେଖେ ଉପେଇ ମଳିକ ସ୍ୱତନ୍ତ୍ରନାଁଧରା ସ୍ୱତନ୍ତ୍ର ଲୋକ; ତା’ର ବାରିଘର ଅନ୍ୟ ସମସ୍ତଙ୍କ ବାରିଘରଠାରୁ ନିଆରା । ମନ ଭିତରେ ଭାବପ୍ରବଣତା Subjective କୁ ନ ପାଇ ବାହାରର ପରସ୍ଥିତିର ବିଶିଷ୍ଟତାର ରଙ୍ଗ, ସ୍ଥାନର ରଙ୍ଗ, ସେ local colour ପ୍ରକାଶିଥାଏ; Objective ସମ ଗୁଣକୁ ନ ଦେଖି ବରଂ ବିସଦୃଶ ଗୁଣ ସେ ପ୍ରକାଶିଥାଏ । ଏଇ ତା’ର ଗଣ୍ଠିଗଣ୍ଠିଆ ପାଚିଲା ବାଡ଼ି, ସଂସାରର ଅନ୍ୟ ସବୁ ବାଡ଼ିଠାରୁ ଫରକ । ଏଇ ତା’ର ଦରମରା କଖାରୁ ନଟା । ଉପେଇର ଚରିତ୍ରର ଏ ବିଶିଷ୍ଟତା ନ ଥିଲେ ଏପରି ଦରମରା କଖାରୁ ନଟା କେହି ହୁଏ ତ ରଖନ୍ତା ନାହିଁ । ମନ ଉପରେ ପ୍ରଭାବ ହୁଏ ବିସଦୃଶ ଗୁଣରୁ । ଯେତେ ବାସ୍ତବବାଦର କଳା (Realistic art), ସବୁଠି ସ୍ୱତନ୍ତ୍ରତା ପ୍ରାୟ ମିଳିଥାଏ ।

 

କିନ୍ତୁ କଳା ସବୁ ଦେଶରେ କଳା । କଳା ହେବାଭଳି ଉଞ୍ଚ ହେଲେ ସ୍ଵତନ୍ତ୍ରବାଦ ବା ବିଶ୍ଵବାଦ, ସ୍ୱପ୍ନବାଦ ବା ବାସ୍ତବବାଦ ସବୁ ଏକାକାର ହୋଇ ହୁଏ ସାମ୍ୟବାଦ । ସେଇ ଅସୀମର ଆଦର୍ଶ ଭିତରେ ଏସବୁ ଉପାୟ ଫଳ ପାଇବା ପରେ ଲୁଚିଯାଏ; ତେଣୁ ସମସ୍ତେ ବୁଝନ୍ତି; ସମସ୍ତେ ଶୁଣନ୍ତି ସ୍ଵତନ୍ତ୍ରତା ଯେତେ ଉଚ୍ଚ ହେଉ ପଛେ ତହିଁରେ ବ୍ୟବଧାନ ଆସେ । ଦେଶ ଦେଶ ଭିତରେ, ମଣିଷ ଭିତରେ । ସେ ବ୍ୟବଧାନ ନ ଆସି ବା ଯିବ କୁଆଡ଼େ ? ନିରାକାରରେ ଆକାର ଅଛି । ଶୂନ୍ୟ ଭିତରେ ସୃଷ୍ଟି ଯେତେବେଳେ ହେଲା, ଏ ସ୍ୱତନ୍ତ୍ରବାଦ ଯିବ କାହିଁ ? ସୁନ୍ଦର ପୃଥିବୀରେ କେତେ ଫୁଲ ଫୁଟେ; ଡେଜି ଫୁଲ ବି ଫୁଟେ, କନିଅର ଫୁଲ ବି ଫୁଟେ । ସବୁ ତ ସ୍ଵତନ୍ତ୍ର; କିନ୍ତୁ ଅସୀମର ଅଂଶ ସମସ୍ତେ । ତେଣୁ ତାଙ୍କ ଭିତରେ ତ ବିଶିଷ୍ଟତାର ନିଗଡ଼ ଭାଙ୍ଗି ସମତା । ସମତା, ବିଶ୍ୱଭାବ ଥାଏ ଭିତରେ, ସ୍ୱପ୍ନରେ, ଆଦର୍ଶରେ, ପ୍ରାଣରେ । ଆକାରରେ ଥାଏ ସ୍ୱତନ୍ତ୍ରତାର ବାସ୍ତବବାଦ । ସୃଷ୍ଟିର ପ୍ରକାଶ ସ୍ଵତନ୍ତ୍ରତାରେ, ସୃଷ୍ଟିର ଅନୁଭୂତି, ମୌଳିକ ଗୁଣ ସମତାର ବିଶ୍ୱବାଦରେ । ଅନୁଭୂତି, ମୌଳିକ ପ୍ରବୃତ୍ତିପ୍ରବଣତା ନ ଥିଲେ ସୃଷ୍ଟି ନିର୍ଜୀବ ନିର୍ଜୀବ । ପ୍ରକାଶନ ପ୍ରକାଶ ନ ଥିଲେ ସୃଷ୍ଟି ଅସୃଷ୍ଟ, ଅପ୍ରକାଶ, ଶୂନ୍ୟ; ତେଣୁ ଉଭୟେ ରହିବେ-ଫୁଲର ସୌରଭ, ଫୁଲର ମୂଳ ଗୁଣ–ଆଉ ଫୁଲର ଆକାର, ଫୁଲର ରଙ୍ଗ ।

Image

 

ଏପାରି ସେ ପାରି

 

କବି ଗାଇଗଲେ,

 

ସୁନ୍ଦର ପୃଥିବୀରେ ସୁନ୍ଦରିମାର କବିତା । କାହିଁ ଦୂର ଅତୀତର ସୁନ୍ଦର ରାଜପୁରୀ, ସୁନେଲି ସ୍ୱପ୍ନ ମଝିରେ ହୀରାମାଣିକର ଛବି । ସେ ଛବିର ଅଛି ଆତ୍ମା, ତା’ର ମେଘବର୍ଣ୍ଣ କେଶ, ଆଖିରେ ଲକ୍ଷ ଯୁଗର ଛଞ୍ଚା ମୋହ,–ମାୟା-କୁହୁଡ଼ିଠାରୁ ଆହୁରି ସୁନ୍ଦର; ପ୍ରତି ଅଙ୍ଗ ନିଜେ ଯେପରି ଗୋଟିଏ ଗୋଟିଏ ସ୍ତ୍ରୀ-ରୂପ, ଆହୁରି ସୁନ୍ଦର, ଆହୁରି ଆକର୍ଷଣୀ । ଛବିର ଆତ୍ମା । ବାହାରେ ବସନ୍ତର ପୁଲକ ବାଜେ କୋଇଲିର ଗୀତରେ । ସୁନ୍ଦରିମାର ପୂଜା ହୁଏ ସ୍ୱପ୍ନର ଆବେଶରେ । ନିଶବଦ ଚାନ୍ଦିନୀ ରାତିରେ ବାଜେ ବଇଁଶୀ, ରାଜାଝିଅ ନିରେଖି ନିରେଖି ଚାହେଁ, ସବୁ ପ୍ରାଣ ଠୁଳ କରି ଦୁଇଟି ଆଖିର ଅତୀତଭବିଷ୍ୟଭେଦୀ ଚାହାଣିରେ । କବି ଗାଇଲେ, ଆକାଶ ଦିଶିଲା ରଙ୍ଗା, ଘାସରୁ ଫୁଟିଲା ଫୁଲ, ପତ୍ର ଭିତରେ ଥରି ଥରି ବାଜି ଉଠିଲା ଅଜଣାର ପରଶମିଶା ସଙ୍ଗୀତ । କରୁଣର ସୁଅ ବୋହିଗଲା । ପ୍ରେମର ପୁଲକ ଖେଳି ବୁଲିଲା ପ୍ରତି ଅନ୍ତରର ତନ୍ତ୍ରୀରେ ।

 

କବିର ଗୀତ । ଯୁଗେ ଯୁଗେ ଦୁଇଟି ପ୍ରାଣୀ ନରନାରୀ । ଗୀତର ମୋହରେ ସବୁ ମିଶି ଏକାକାର, ଗୋଟାଏ ସ୍ପନ୍ଦନ । ସତ୍ୟ ଶିବ ସୁନ୍ଦର ସବୁ ମିଶିଛି ଗୋଟିଏ ଧାରଣାରେ । କବିତା ।

 

ଆଜିର ନୁହେଁ, ଅତି ବୁନିଆଦି ଏ କବିତା । ସୁନ୍ଦର, ନୋହିଲେ ତାରି ବିପରୀତ ଗୁଣ, ଅସୁନ୍ଦର । ଆନନ୍ଦ, ନୋହିଲେ ଦୁଃଖ, ଆନନ୍ଦର ଓଲଟା, ତେଣୁ ଓଲଟା ଉପାୟରେ ଆନନ୍ଦ । ଏଇ ଦୁଇଟି ହୁଏ ତା’ର ବଛା ଗୁଣ । ଭାବର ମୂର୍ଚ୍ଛନା, ଛନ୍ଦର ଅବେଶ, ସ୍ୱପ୍ନ, କଳ୍ପନାର ମୋହ, ଏଇ ତା’ର ଉପାଦାନ । ଅତି ବୁନିଆଦି ଏ କବିତାର ନିଜର ରୂପ ଅଛି, କଳା ଶକ୍ତିର ସ୍ୱୟଂପ୍ରକାଶ ।

 

କବି ଗାଇଲେ, ‘‘କବି ସେ ସତମିଛ କହି କବିତା ଚାତୁରୀରେ ମନ ମୋହନ୍ତି ।’’ କିଏ ବୁଝୁଛି ସତ କି ମିଛ । କାଳିସୀଲଗା କଳାଶକ୍ତିର ପ୍ରକାଶ ଗୋଟାଏ ଧାରଣା; ମନ ପହୁଞ୍ଚିଛି ଗୋଟାଏ ଅବସ୍ଥାରେ, ସେ କବିତାର ଅବସ୍ଥା (attitude) ।

 

କବିର ବୀଣା ବାଧାପାଏ ଦୁଇଦଳର ପ୍ରବଳ ବିତଣ୍ଡାରେ । ଭୁଲାମନ ଫେରିଆସେ ଅଧଭୁଲା ଅନୁଭୂତିର କୁହୁକମିଶା ପରିକଳ୍ପନାରୁ । ସଙ୍ଗୀତ ଭାଙ୍ଗେ, କବିତା ଯାଏ ଫେରି ।

 

‘‘ବନ୍ଦ କର, ଥାଉ ।’’ ଗୋଟିଏ ଦଳର ଅଭିଯୋଗ, କବିତାରେ କିଛି ଲାଭ ନାହିଁ । ପେଟରେ ଓଦାକନା ଦେଇ କବିତା ଲେଖିଲେ କି ମିଳିବ ? କବିତା ଶିଖାଏ ନାହିଁ ଜୀବନ ଗଢ଼ିବାକୁ, କବିତା ଶିଖାଏ ନାହିଁ ବଞ୍ଚି ରହିବାକୁ । ହଳ କରିବ ଭୂଷ୍‌ ଭୂଷ୍‌, ଜମିରେ ଦେବ ସାର । ନିରାଟ ଖରାଦିନେ ତେଣ୍ଡା ଲଗାଇ ଘାଇରୁ ବୋହିବ ପାଣି । କବିତା କ’ଣ ଶିଖାଏ ? କଳକାରଖାନା, ବେପାରବଣିଜ, ଗଡ଼ଜାତର Natural resources ଆମରି, ଆଖି ଆଗରେ ଗୋରୁମହିଷାଣୀ ଟାଟା ତିଆରି କଲା । ଏ ଦେଶର ଘାସ ବାଉଁଶ ଚାଲିଲା ବିଦେଶର କାଗଜ କାରଖାନାକୁ । ଭଞ୍ଜ କ’ଣ ବାଟ ଓଗାଳିଲେ ? ସାମନ୍ତସିଂହାର କ’ଣ ଦେଶକୁ ଦେଲେ କପାଚାଷର ସୂତ୍ର ? କବିତା ଛାଡ଼, କବିତା ପୋଡ଼ ।

 

ସାଧାରଣ ବଞ୍ଚି ରହିବା ଲାଗି ଯେଉଁ ଲଢ଼େଇ, କବିତା ତହିଁରୁ ମନକୁ ଟାଣିନିଏ । କବିତା ଆଦିମ ମାନବର ଲଢ଼େଇ ପରର ମଜଲିସ୍‌, ଶିକାର ଶେଷରେ ଲଢ଼େଇରୁ ଫେରି କ୍ଳାନ୍ତ ଦେହମନ ଯେବେ ଲୋଡ଼ୁଥିଲା ଖୁସି ଆନନ୍ଦ, କବିତା ସେତିକି ବେଳର ମଜଲିସ୍‌ । ଆଗେ ରାଜା, ପରେ କବି । ମଦ, ସ୍ତ୍ରୀ, କବିତା,ଏକା କାଟର । ଏ ଦେଶର ଟୋକାଏ ଯେବେ ସମସ୍ତେ ହେବେ କବି, ଜାତିର ଟାଣୁଆ ମଞ୍ଜ ହେବ ପାଣି, ଅତି ଭାବ-ପ୍ରବଣ, ଅତି କଅଁଳ, ଅତି ନରମ ମନ, ଦୁର୍ବଳ, ଏଇ ହେବ ଦେଶର ରୂପ । କବିତା ଛାଡ଼, କବିତା ପୋଡ଼ !

 

ଅତି ବେଶୀରେ କବିତା ଗୋଟିଏ ନିଶା; ଜୀବନର ଦୁଃଖକଷ୍ଟ ଭୁଲିବାକୁ ଗୋଟିଏ ଔଷଧ । ମନ ଚାହେଁ ବଳ, ବାସ୍ତବିକ ଅଛି ରୋଗ । ମନ ଚାହୁଁଛି ବୀରତ୍ୱ, ସ୍ୱାଧିନତା; ବାସ୍ତବିକ ମିଳେ ଦାସତ୍ୱର ଶିଙ୍କୁଳି । ବସନ୍ତ ପରିବର୍ତ୍ତେ ମିଳେ ବରଷାକାଳର କଟକ ରାସ୍ତା, କାଦୁଅ, ଅସନା, ଦୁର୍ଗନ୍ଧ, ନାଲିପାଣି, କୁତ୍ସିତ ! ସୁନ୍ଦର ପରିବର୍ତ୍ତେ ବାସ୍ତବିକ ମିଳେ ଯାବତ୍‌ ଅସୁନ୍ଦର, ହାଡ଼ର ରୂପ, ଆବର୍ଜନାର ‘କୁଡ଼ିଆ‘ । କବି ରାଧାନାଥ ଅତି ଉଲ୍ଲାସରେ ଗାଇଗଲେ–

 

‘‘ତୃଷାତୁର ରୋଗୀ ଗୃହେ ଯଥା ବସି

ସ୍ମରେ କମଳିନୀ-ହରିତ-ସରସୀ’’

 

ଇତ୍ୟାଦି

 

ଚିଲିକାର କବିତା ଯେପରି ଉପଯୋଗୀ, କବିର ଦୁର୍ଦ୍ଦିନରେ ଜୀବନ ବାଟରେ ଆଲୁଅ ପକାଇବାକୁ କବିତାର କାର୍ଯ୍ୟ ଠିକ୍‌ ସେହିପରି । ତେଣୁ କବିତା ନିଶା ଆଣିବା ପାଇଁ ଦରକାର । ଏ ତଥ୍ୟକୁ ଭବିଷ୍ୟତରେ ‘‘ତୃଷାତୁର ରୋଗୀ’’ ତଥ୍ୟ କୁହାଯାଇପାରେ । କବିତା ନିଶା, ବାସ୍ତବ ଉପରେ ଆଣେ ଅବାସ୍ତବ, ଅପ୍ରାକୃତ ସ୍ୱପ୍ନର ମୋହ । ତେଣୁ ଯେତେବେଳେ ନିଶା ଦରକରା, ସେତିକି ବେଳେ କବିତା ଘାଣ୍ଟ । ଅନ୍ୟ ବେଳେ ‘‘ଥାଉ, ବନ୍ଦ କର ।’’

 

ଏ ହେଲା ଦୁଇ ଚରମପନ୍ଥୀ ଦଳରୁ ଗୋଟିଏ ପକ୍ଷର ମତ ।

 

ଏମାନେ ଖାଲି ଯଦି କବିତାର ଆସନ ନୁଆଁଣିଆ କରୁଥାନ୍ତେ, ତା ହେଲେ ଅଳ୍ପ ଦୁଃଖ ହୁଅନ୍ତା; କିନ୍ତୁ ଏମାନେ କବିତାର ଉପଯୋଗିତାକୁ ଖାଲି ଅସ୍ୱୀକାର କରନ୍ତି ନାହିଁ, କବିତାକୁ ଆସନ ଦିଅନ୍ତି ବେଶ୍ୟା, ମଦ ସହିତ । କବିତା ସ୍ୱାଧୀନତାର ଶତ୍ରୁ; ସମାଜର, ପ୍ରଗତିର, ଶିକ୍ଷାର ସଭିଙ୍କର ଶତ୍ରୁ । ଏ ମତ ପୃଥିବୀ ଭିତରେ ଆଧ୍ୟାତ୍ମିକ ଭାରତବର୍ଷର ନୁହେଁ କବିତା ଯାହାର ଜୀବନ । ଏ ମତ ଭାରତ ଭିତରେ କବିତା ରସିକ ବୁନିଆଦି ଓଡ଼ିଆ ଜାତିର ନୁହେଁ, ଅବନତିର ଶେଷ ପାହାଚରେ ପଡ଼ି, ବର୍ଷ ବର୍ଷ ଓଦାକନାରେ ଭୋକ ମାରି ଯାହାର ସମୁଦାୟ ମର୍ଯ୍ୟାଦା ମିଳେ କବିତାମୟ ଧାରଣାରୁ । ଗରିବ ଓଡ଼ିଆ ଝିଅ, ନୁଖୁରାମୁଣ୍ଡୀ, ଭୋକିଲା, ସାଧାରଣ ସୁଖର କେତେ ବା ସେ ପାଏ ତା’ର ସଙ୍ଗତି ମଝିରେ ! କିନ୍ତୁ ଚିତାକୁଟାରେ, ଚାନ୍ଦିନୀ ପୁନେଇଁ ରାତିର (Mystic) କବିତାରେ, ହୁଳହୁଳି-ଫଟା ଆକାଶ ତଳେ, ତା’ର ଖୁଦୁକୁଣୀ ଭାଲୁକୁଣୀ ଭିତରେ ସେ କରିଥାଏ କବିତାର ଉଜୁଆଁ । କିନ୍ତୁ ଏ ମତ ବସ୍ତୁବାଦୀ ପଶ୍ଚିମ ପୃଥିବୀର, ଯେଉଁଠି କଅଁଳ ମରମଭାବ ହୁଏ ଦୁର୍ବଳ ସେଣ୍ଟିମେଣ୍ଟାଲିଜ୍‌ମ, କବିତା ହୁଏ ଦୁର୍ବଳତା, ସଭ୍ୟତାର ଶତ୍ରୁ । ସେ ଦେଶରେ ଗୋଟିଏ ଦଳର ମତ ଏହିପରି ।

 

ଯେଉଁଠି କବିତା ଅକାମୀ ବୋଲାଏ, ସେଠି ଚେଷ୍ଟା ହୁଏ କବିତାକୁ କାମୀ କରିବାକୁ । ଉପାୟ–‘‘ଧର କବି ତୁମର ବୀଣା । ଝଙ୍କାର ଦିଅ ନା ନିରୁଦ୍ଦେଶ୍ୟର ମୂର୍ଚ୍ଛନାରେ, ଅଜଣା ପ୍ରେରଣାରେ, ଅଦେଖା, ଅଚିହ୍ନାର ଅନୁଭୂତିରେ । ତୁମର ମୂଳ ମନ୍ତ୍ର ହେଉ ଉଚ୍ଚ ଉଦ୍ଦେଶ୍ୟ । ଦେଶକୁ ଶିଖାଅ, ଜାତିକୁ ଉଠାଅ । ତୁମର-ବୀଣା ହେଉ ପ୍ରଚାରପଦ୍ଧତିର ବ୍ୟାଣ୍ଡ୍‌ ବାଜା । ଯେତେ ଯେତେ ଭଲଗୁଣ ଅଛି, ସବୁ ତୁମେ ଦେଶକୁ ଶିଖାଅ, ଧର୍ମ, ନୀତି,ସବୁ । ବିନା ଉପଦେଶରେ କବିତା ମିଛ ।’’

 

କବିତାର ଏପରି ଧାରଣା ଏ ଦେଶରେ ପୁରୁଣା ସାହିତ୍ୟରେ ସଚରାଚର ଦେଖାଯାଏ । ଏଥିରେ କବିତା ଦୁର୍ବଳତା ନୁହେଁ, ମଦ୍ୟ, ବେଶ୍ୟା ସହିତ ନୁହେଁ କବିତାର ଆସନ । ଏ ଧାରଣାରେ କବି ହେଲେ ଗୁରୁ, ଅନ୍ୟ କଥାରେ ଶିକ୍ଷକ, ମାଷ୍ଟର । ସମାଜ ବନ୍ଧାଗତର ସଂସ୍କାର ବିରୁଦ୍ଧରେ କବିଙ୍କର ପଦେ କଥା କହିବାର ଅଧିକାର ନାହିଁ । ବିନା ଉପଦେଶରେ ଗୋଟିଏ ଗାର ଲେଖିବା ଭୁଲ । ସାଧାରଣ ପ୍ରବୃତ୍ତିକୁ ଦମନ କରିବାକୁ ହେବ । ସୁନ୍ଦର, କୁତ୍ସିତ, ଉଞ୍ଚ, ନୀଚ, ସବୁ କଥା ଉପରେ ଗୋଟାଏ ପର୍ଦ୍ଦା ଟାଣି ମୋଟା, ଆଖିପୂରା, ସଂଯତ, ଆର୍ଦଶ ସୁନ୍ଦର, ଆଦର୍ଶ ଧର୍ମ, ଆଦର୍ଶ ନ୍ୟାୟ ଲେଖି ପ୍ରଚାର କରିବାକୁ ପଡ଼ିବ । ଗ୍ରୀକ୍‌ କଳାରେ ଏପରି ଭାବ ପରିଷ୍କାର ମିଳେ । ଶାନ୍ତି ଅଛି, କାରଣ ସନ୍ଦେହର ଛାଇ ରହିବାକୁ ସ୍ଥାନ ନାହିଁ । କିନ୍ତୁ ମୂଳରେ ଗୋଟାଏ ନୀତି–କବି ମାଷ୍ଟର, ନୋହିଲେ ପ୍ରଚାରକ ।

 

କବିତାର ଡାଇଡ଼ାକ୍‌ଟିକ୍‌ ବା ଶିକ୍ଷାମୂଳକ ଧାରଣାର ବିରୋଧୀ ଆହୁରି ଗୋଟିଏ ଚରମପନ୍ଥୀ ଦଳ । ଏ ଦଳର ସଭ୍ୟସଂଖ୍ୟା ୧୯ଶ ଶତାବ୍ଦୀର ଶେଷଦିନରେ ଇଉରୋପ ଆମେରିକାରେ ବଢ଼ି ବଢ଼ି ଚାଲିଥିଲା । ଭାରି ଆଖି-ଝଲସା ନୀତି, ‘‘କଳାପାଇଁ କଳା, କବିତା ପାଇଁ କବିତା ।’’ କବିତାର ଚାର୍ବାକ୍‌ ଉଠି ପଡ଼ି କହିଲେ,-‘‘ଜୀବନ ! ପୃଥିବୀ ! କବିତାର ଏଥିସଙ୍ଗେ କି ସମ୍ୱନ୍ଧ ? ପୃଥିବୀରେ ଅଛି କଣ୍ଟା, କବିତାରେ ଅଛି ଗୋଲାପ, ପୃଥିବୀରେ ଅଛି କୁତ୍ସିତ, ଅସୁନ୍ଦର; କବିତାରେ ଅଛି ସୁନ୍ଦରିମା । କବିତାର ସ୍ୱପ୍ନ ରାଇଜରେ ଫୁଲ ଫୁଟେ, ବାସ ଚହଟେ, ଆମ୍ୱ ବଉଳେ, କୋଇଲି ଗାଏ, ସୁନ୍ଦର ଯୁବା ଯୁବତି ପ୍ରେମର ଲହଡ଼ି ଭାଙ୍ଗନ୍ତି, ରୂପ ସମୁଦ୍ର କୂଳେ କୂଳେ । ବାସ୍ତବ ଜୀବନରେ କ’ଣ ଏପରି ହୁଏ ? କବିତା ରାଇଜରେ ବିସଦୃଶ୍ୟ ଗୁଣର ବ୍ୟାକ୍‌ଗ୍ରାଉଣ୍ଡ ଉପରେ ସୁନ୍ଦରିମାର ଆସନ । କୁତ୍ସିତର ପାହାଡ଼, ଅସୁର, ରାକ୍ଷସ । ଏ ପାଖେ ସୁନେଲି ପରୀଏ ଫୁଲରୁ ଆଣନ୍ତି ମହୁ, ଘାସର କାନରେ ଖଞ୍ଜନ୍ତି କାକରର ଅଳଙ୍କାର ଆଉ ସ୍ୱପ୍ନ ଦେଖନ୍ତି ପଦ୍ମପାଖୁଡ଼ାରେ ଶୋଇ ଶୋଇ । କାହିଁ ପୃଥିବୀରେ ଏପରି ତ କାହିଁ ନାହିଁ । ବାସ୍ତବ ଜୀବନରୁ ରସ ଟାଣେ କବିତା ! ମିଛ !’’

 

ସମାଲୋଚକ ଉତ୍ପୀଡ଼ିତ କବି ଟାଣ କରି କୁହନ୍ତି, ‘‘ମୋର ଇଚ୍ଛା ମୁଁ ଯାହା ଲେଖିବି । ମୁଁ ପୃଥିବୀ ପାଇଁ କବିତା ଲେଖୁନାହିଁ । ମୁଁ ଲେଖୁଛି ନିଜର ଖିଆଲରେ କବିତା । ମୋର ଖୁସି ମୁଁ ଯାହା ଲେଖିଲି । ମୋର ମଣିଷ ଆକାଶରେ ଉଡ଼ିବେ, ଏକାଥରକେ ସମୁଦ୍ରକା ସମୁଦ୍ର ପାଣି ଶୋଷି ନେବେ । ଜୀବନ କବିତାକୁ ଅନୁସରି ଚାଲିବ । କବିତାରେ ବାସ୍ତବ ଜୀବନର କୌଣସି ସମ୍ୱନ୍ଧ ନାହିଁ । କବିତାର ଉଦ୍ଦେଶ୍ୟ ତା’ର ନିଜର, କବିତାର ନିଜର ମୂଲ୍ୟ କବିତା । ପୃଥିବୀର ନୀତି ଅନୀତି, ଉଦ୍ଦେଶ୍ୟ, ଦର ଦାମ୍‌, ନ୍ୟାୟ ଅନ୍ୟାୟ କାହାରି କୌଣସି ସମ୍ୱନ୍ଧ କବିତାରେ ନାହିଁ; ତେଣୁ ଏସବୁ ସମ୍ୱନ୍ଧରେ କବିତାକୁ ଘାଣ୍ଟିବା କି ବିଚାର କରିବା ବୃଥା ।’’

 

ଆଉ କବିତାର ପ୍ରକାଶର ଉପାୟ ଅର୍ଥାତ୍‌ ରୀତିଗତି ସମ୍ୱନ୍ଧେ ‘‘ଯେପରି ମୋର ଯାହା ଇଚ୍ଛା ମୁଁ ତାହା ଲେଖିବି, ସେହିପରି ମୋର ଯେପରି ଇଚ୍ଛା ମୁଁ ସେପରି ଲେଖିବି । ପ୍ରକାଶର ଉପାୟ ଲାଗି ମୁଁ ସାଧାରଣ ବନ୍ଧାଗତ ମାଡ଼ି ଚାଲିବାକୁ ରାଜି ନୁହେଁ । ମୁଁ ଯାହା ଲେଖିବି, ତା କବିତାର ପ୍ରେରଣାରେ, ତେଣୁ ମୋର କବିତା ପ୍ରକାଶର ଉପାୟ କବିତା । ନିଜେ ଯେପରି ଇଚ୍ଛା କରିଛି ସେହିପରି । କଳା ସମ୍ୱନ୍ଧେ ମଧ୍ୟ ସେହିପରି । ହୁଏତ କବି ଲେଖିଲେ ଗବିତା (ଅର୍ଥାତ୍‌ ଅକବିତା), କିନ୍ତୁ ଆମେ ଯଦି ତାକୁ ଅକବିତା ବା ଗବିତା କହୁଁ, ତେବେ ସେ ଆମର ବୁଝିବା ଭୁଲ । ହୁଏତ ଶିଳ୍ପୀ ଆଙ୍କିଲେ ମଗରମୁହାଁ ମଣିଷ; କିନ୍ତୁ ସେତିକି କହିବା ପାଇଁ ସାହସ ଦରକାର । ବାସ୍ତବ ଜୀବନର ମଣିଷ ସଙ୍ଗେ ତା’ର କୌଣସି ସମ୍ୱନ୍ଧ ନାହିଁ । ସେ ‘ଶିଳ୍ପର ଶିଳ୍ପ ଉପାୟରେ ପ୍ରକାଶ’, ହୁଏତ ସେ ମଗର-ମୁହଁର ଶିଳ୍ପୀଙ୍କ ମୁହଁରେ ଅର୍ଥ ହେବ–ସୁନ୍ଦରିମାର ବିକାଶ ପ୍ରେମ, ବିହ୍ୱଳ, ‘ଅଜଣାର ଛନ୍ଦ’ ର ଏକତ୍ର ସମାବେଶ ।

 

ସଂକ୍ଷେପରେ କହିଲେ କବିତା ବିଷୟରେ ଚରମପନ୍ଥୀ ଧାରଣାର ଏହି ଦୁଇଟି ଦଳ । ଜଣେ କହେ, ‘ରଖ କବିତା, ସାରା ଦୁନିଆର ଲୋକେ ଗଡ଼ି ମଲେ ଦୁଃଖକଷ୍ଟରେ, ତା’ର ଉପାୟ ଚିନ୍ତାକର, ନୋହିଲେ ଯଦି କବିତା ଲେଖିବାକୁ ଏତେ ଝୁଙ୍କ ଅଛି, ତେବେ ଲେଖ ମଣିଷର ବସ୍ତୁବାଦର କବିତା, ଉପାୟ ଦେଖାଇ, ଉପଦେଶ ଦେଇ । ତୁମର କବିତା ହେଉ ଡାକ୍ତରଖାନାର ଔଷଧ, ନୋହିଲେ ଧର୍ମ ନୀତିର ଲେକ୍‌ଚର୍‌ ।’’ ଆଉ ଜଣେ କହେ, ‘‘ରଖ ତୁମର ଜୀବନ, ତୁମର ଲାଭ କ୍ଷତି, ଦୁଃଖ କଷ୍ଟ, ଧର୍ମ ଅଧର୍ମ, ନୀତି ଅନୀତି । ଲେଖ କବିତାର କବିତା ଉଦ୍ଦେଶ୍ୟ-କବିତା । ଉପାୟ-କବିତା । ବିଧାନ କବିତା ।’’ କବିତାର ରୂପ ପ୍ରକାଶ ବିଷୟରେ ଅଧିକାଂଶଙ୍କର ମତ ଏ ଦୁଇଟି ବାଦର ଏପାଖ ସେପାଖ ଅଳ୍ପ ବେଶୀ ମତାମତ ଘେନି । ଜଣେ ଜୀବନର ସାଧାରଣ ସମ୍ୱନ୍ଧ ଉପରେ ଆଉ କିଛି ସ୍ଥାନ ଦେବାକୁ ଚାହେଁ ନାହିଁ, ଆଉ ଜଣେ ଜୀବନ ସଙ୍ଗେ କୌଣସି ସମ୍ୱନ୍ଧ ସ୍ୱୀକାର କରିବାକୁ ନାରାଜ ।

 

କିନ୍ତୁ ଏ ଦୁଇଟି ବିପକ୍ଷଦଳ ସମାଲୋଚକଙ୍କ ପକ୍ଷରୁ ବିଚାରବୁଦ୍ଧି ଦୃଷ୍ଟିରେ ପ୍ରକୃତ କବିତା ଯେତେବେଳେ ବାହାରେ, ସେ କ’ଣ ଅପେକ୍ଷା କରି ବସେ ବିଚାରବୁଦ୍ଧିକୁ ? କଳା-ଶକ୍ତି କ’ଣ ନିଜର ଉପାୟ ଲାଗି ଟାକି ବସେ, ଦୁଇ ଦଳର ବିତଣ୍ଡାର ଶେଷ ମୀମାଂସାକୁ ? ସର୍ଜନର ମୋହରେ କବି ନିଜକୁ ଭୁଲିଯାଏ, ସେ ଜାଣେ ନାହିଁ ସେ ନିଜେ କ’ଣ ଲେଖୁଛି । ସେ ହୁଏ ଗୋଟିଏ ଅଜଣା ଶକ୍ତିର ମିଡ଼ିୟମ୍‌ । ସେ ପ୍ରକୋପ ନିଭିଲେ କବି ଯେତେବେଳେ ଯାଏ ବୁଝିବିଚାରି କବିତା ଲେଖିବାକୁ, ସେତେବେଳେ ସବୁ ଥାଏ, କବିତାର ଆତ୍ମା ନ ଥାଏ । ଧର୍ମୁ ଅଜା କବିତା ଲେଖନ୍ତି ଉପଦେଶ ଦେଇ, ‘‘ପାପ ପୁଣ୍ୟର ଏତିକି ବିଚାର ଦେବି, ବିଷୟ ହେବ ସତୀତ୍ୱର ସଂରକ୍ଷଣ, ଅମୂକ ଅମୂକ ଦୋଷ ବିରୁଦ୍ଧରେ ଅଭିଯାନ କରିବି । ମାଷ୍ଟର ପରି ଶିଖାଇବି ଏଇ ପାପ ଏଡ଼ି ଚାଲିବାକୁ ।’’ ଓସ୍କାର ଓ୍ୟାଇଲ୍‌ଡ଼ ଆଙ୍କିଲେ ‘‘କଳା ଲାଗି କଳା’’, ଗାଇଲେ ‘‘କବିତା ଲାଗି କବିତା’’, ‘‘ଜୀବନର କୌଣସି ଛବିର କୌଣସି ଗତର ହାତତଳିଆ ଏ ହବ ନାହିଁ, ରହିବ ମୋର ଜଣାଶୁଣା ଖିଆଲ ।’’ ଆହା ! କବିତା ନୁହେଁ ଗବିତା । ସେମାନଙ୍କର କବିତା ବାହାରିଛି, ଯେଉଁଠି ସେମାନେ ନିଜକୁ ଭୁଲିଥିଲେ, ନିଜର ଏ ମପାଚୁପା ଉଦ୍ଦେଶ୍ୟ ଅଭିସନ୍ଧି ପାସୋରି ଥିଲେ । ଅନ୍ୟଠି କବି ଅତି ଚେଷ୍ଟାରେ କରିବ ଚମତ୍କାର ଦେହ (Form) । ବାଛିଦେବାକୁ କେହି ନାହିଁ; କିନ୍ତୁ ଗୋଟିଏ ଅଭାବ–କଳାର ଆତ୍ମା ।

 

ପ୍ରକୃତ କବିତା ବାସ୍ତବିକ ଯେତେବେଳେ ବୁଝାଳି ପ୍ରାଣରେ ପ୍ରତିଧ୍ୱନି ଆଣେ, ସେତେବେଳେ କବିତାର ପ୍ରକୃତ ବୁଝାଳି, ଏତେ କଥା ମନରେ ପାଞ୍ଚି କବିତାକୁ ଭାବି ଦେଖେ ନାହିଁ-। ମନ ଭିତରୁ ସବୁ ସୋଫିଷ୍ଟ୍ରି ବାଛି ପଦା କରିବାକୁ ହେବ, କବିତାର ନିଜର ଯେଉଁ ମାନସିକ ଆଉ ପାରିପାର୍ଶ୍ୱିକ ଅବସ୍ଥା(ଆଟିଚ୍ୟୁଡ଼୍‌), ସେହି ଅବସ୍ଥାରେ ଥିବ ବୁଝାଳିର ମନ, ତା ହେଲେ କବିତାର ସ୍ପଷ୍ଟ ପ୍ରତିଧ୍ୱନି ମିଳିବ; ଯଦି ତହିଁରେ ଥାଏ ପ୍ରକୃତ କଳାଶକ୍ତି । କିନ୍ତୁ ଏପରି ହେବା ସହଜ ନୁହେଁ; ତେଣୁ ଯାବତୀୟ ଅଶାନ୍ତି ଭୁଲ ବୁଝିବା ଇତ୍ୟାଦି । କବିତାର ଇତିହାସରେ ବିଶେଷତଃ ୟୁରୋପ ଦେଶରେ ସମାଲୋଚକ ଆଉ କଳାବିତ୍ ଏମାନଙ୍କ ଭିତରେ କଜିଆ, କବିମାନେ ଭାବିଥାନ୍ତି, ସମାଲୋଚକ ସବୁ ଅଶାନ୍ତି ସବୁ ଭୁଲ ବୁଝିବାର ହେତୁ । ଏହାର କାରଣ ସମାଲୋଚକମାନଙ୍କର ଅନେକ ସମୟରେ ଅନର୍ଥକ ଦାବୀ ଅନର୍ଥକ ଖିଆଲ, ଅକାରଣ ଜୋରଜବରଦସ୍ତି । ଗୋବରା ଜେନା ଯେତିକି ବୁଝେ ବୁଝେ, ହରି ପଣ୍ଡିତେ ଯେତିକି ଭଞ୍ଜ କବିତା ବୁଝନ୍ତି ବୁଝନ୍ତି; କିନ୍ତୁ ମୂଳି ମିଶ୍ରେ ସମାଲୋଚକ ଯେତିକି ନ ବୁଝନ୍ତି, ସେତିକି ବୁଝିବାକୁ ଢମ କରନ୍ତି-। ଯେତିକି ବୁଝିପାରନ୍ତି, ସେତିକି ଭିତରେ ଅନ୍ୟ ଉପାୟ, ଅନ୍ୟ ତଥ୍ୟ, ଅନ୍ୟ ଦେଶର ସେର ତରାଜୁ ପକାଇ ଭିନ୍ନ ଅର୍ଥ କରନ୍ତି, ଯାହା ଶେଷରେ ହୁଏ ଅନର୍ଥ ।

 

କବିତା ଏତେ ପ୍ରଭାବ ପକାଏ, କାରଣ ଏ ଗୋଟିଏ ଅଦେଖା ଆଦର୍ଶର ପ୍ରକାଶ । ସୁନେଲି ହେଉ, ରୂପେଲି ହେଉ, ମଣିଷ ମଣିଷର ଭିନ୍ନ ଭିନ୍ନ ମତ, ଧାରଣା, ସ୍ୱତନ୍ତ୍ରତାର ବାଡ଼ ତା ମଝିରେ ନ ଥାଏ ।

 

କବିତା ଏତେ ଲୋକଙ୍କୁ ଭୁଲାଏ; କାରଣ ପ୍ରତିଲୋକ ନିଜ ଭିତରେ ବାହାରର ଏ ଶକ୍ତି ସହିତ ସାମଞ୍ଜସ୍ୟ ଅନୁଭବ କରେ । ଜୀବନଭିତରେ କଳାଶକ୍ତିର ପ୍ରକାଶ । ମଣିଷ ନିଜକୁ ତା ଭିତରେ ଚିହ୍ନେ, ଦୂର ସ୍ୱପନର ସୁନ୍ଦର ରାଜପୁରୀର ନବରଙ୍ଗିଆ ରଜାପୁଅ ସେ ନିଜେ । ସେଇ ପ୍ରେମ ତା’ର ନିଜର, ସେଇ ଆଶା ଆଶଙ୍କାର ପଡ଼ିବା ଉଠିବା ତା ନିଜର, ଚିହ୍ନା ପ୍ରଣୟିନୀଟି ତାରି । ସବୁ ସେ ବୁଝୁଛି; ତଥାପି ସବୁ ତା ଆଖିକୁ ନୂଆ, ସବୁ ଯେପରି ନୂଆ ଜୀବନ ପାଇଛି । କଳାଶକ୍ତିର ପ୍ରଭାବରେ ଦିଶୁଛି କେମିତି କେମିତି, ଅତି ସୁନ୍ଦର, ଅତି ମନଭୁଲାଣୀ । ଘାସରେ ପଡ଼ିଛି ନୂଆ ଆଲୁଅ, ସେଇ ଘାସ ଯାହା ସେ ସବୁଦିନେ ଦେଖିଛି; କିନ୍ତୁ କେବେ ଚିହ୍ନି ନାହିଁ । ସେଇ ଫୁଲ ତା ଆଖିକୁ ନୂଆ, ସେଇ ଆକାଶ, ସେଇ ପୃଥିବୀ । ଜୀବନ ଆଉ ଆଦର୍ଶର ଅପରୂପ ମିଳନ !

 

ତେବେ ଏ ଦୁଇଟି ଚରମପନ୍ଥୀ ଦଳର ସାର୍ଥକତା କେଉଁଠି ?

 

କବିତାର ସାର୍ଥକତା ବିଷୟରେ ତର୍କ କରିବା ବୃଥା । ତେବେ ଯେ ପର୍ଯ୍ୟନ୍ତ ମଣିଷ ମଣିଷ ରହିଛି, ଫୁଲ ଦେଖିଲେ ଖୁସି ହୁଏ, ଅସନା ଦେଖିଲେ ନାକ ଟେକେ, ଜହ୍ନ ଆଲୁଅ ଥିଲେ ଝରକା ଖୋଲେ, ଭାବେ ନଈ କୂଳରେ ଅନ୍ତତଃ ପଦାରେ ଟିକିଏ ବୁଲି ଆସେଁ, ବରଷାର ଅନ୍ଧାର ରାତିରେ ଘରେ ବସେ, ହସେ, କାନ୍ଦେ, ସ୍ତ୍ରୀ ପୁରୁଷ ଭିତରେ ଆକର୍ଷଣ ଅନୁଭବ କରେ, ସେ ପର୍ଯ୍ୟନ୍ତ କବିତା ରହିବ । ମୁହୂର୍ତ୍ତକ ପାଇଁ ସୁଦ୍ଧା କଳାର ଅନୁଭୂତି ହେଲେ କବିତା ସଞ୍ଚାର ହୁଏ । ପ୍ରକାଶ ପାଇଲେ ଦଶଲୋକ ସାଇତି ରଖନ୍ତି, ନୋହିଲେ ପାସୋରିଯାଏ । ଲଢ଼େଇ ଶେଷରେ କବିତାର ଉପକାର କେବଳ ମଜଲିସ ପାଇଁ ନୁହେଁ, ଜୀବନ ଆଣିବା ପାଇଁ । ଲଢ଼େଇ ଧ୍ୱଂସ, ଅପ୍ରାକୃତ, ଯେଉଁ ପରିମାଣରେ ସୃଷ୍ଟିର ସୂଚକ, ସେତିକି ପରିମାଣରେ ପ୍ରାକୃତିକ । କବିତା ଆଦର୍ଶ ଭିତରେ ପ୍ରାକୃତିକ ଉପାୟରେ ବାସ୍ତବକୁ ଜୀବନ ଦେଇଥାଏ ।

 

କବିତା ଔଷଧ ନୁହେଁ, ଜୀବନ । ଯେଉଁ କବିତା ଔଷଧ, ଯେଉଁ କବିତା ସଂସାରର ଦୁଃଖକଷ୍ଟ ଭୁଲିବା ପାଇଁ ଗୋଟିଏ ନିଶା, ସେ କବିତା, ଅକବିତା । ଜଣେ କବି ଯଦି କହନ୍ତି–

 

“ମୋର କବିତାରେ ନାହିଁ ଖୁସିବାସିଆ ରଜାପୁଅ, ମଜଲିସରେ ବ୍ୟସ୍ତ, ମୋଟା ପୁରୋହିତ, ଖାଇ ପିଇ ଗୋଲଗାଲ, ପୋଷାକ ପିନ୍ଧି ରଥରେ ଚଢ଼ି ଚାଲନ୍ତି ଯେଉଁମାନେ ଦୃଶ୍ୟ ଦେଖି ।

 

“ମୋର କବିତାରେ ନାହାନ୍ତି ମେଡ଼ାଲ-(ସମ୍ମାନର ପଦକ) ମଖା ସେନାପତି, ଦାମୀ ଘୋଡ଼ାରେ ଚଢ଼ି ଚାଲନ୍ତି ଯେ ପ୍ୟାରେଡ଼୍‌ ଦେଖି ।

 

“ମୁଁ ଚିହ୍ନେ ସେଇ ଲୋକଙ୍କୁ, ଲଢ଼ି ଲଢ଼ି ମୁହଁ ଝାଳରେ ମିଶିଛି ଯାହାଙ୍କର ମୁଣ୍ଡର ରକ୍ତ । ଆଜି ମଲେ କାଲି କେହି ନାହିଁ ପଚାରିବାକୁ ।

 

“ଅନ୍ୟମାନେ ଗାଆନ୍ତୁ ପଛେ ଗୋଲାପ କଥା, ନାଗରୀ କଥା, ମଜଲିସ୍‌ କଥା । ଥାଉ ତାଙ୍କର ରଙ୍ଗ, ତାଙ୍କର ବଡ଼ ବଡ଼ ନାଁ, ତାଙ୍କର ବଡ଼ତି, ତାଙ୍କର ସୁନେଲି ଆଲୁଅ ତାଙ୍କର ବାସନା । ମୋର କବିତାର ଥାଉ ଖାଲି ମୁଠାଏ ପାଉଁଶ, ଖାଲି କଳେ ଫିମ୍ପିମରା ଦୁର୍ଗନ୍ଧ, ଯାହା ଦଶଲୋକେ ଫୋପାଡ଼ି ଦିଅନ୍ତି ରାସ୍ତାକୁ, କୁକୁର ସୁଦ୍ଧା ଛୁଏଁ ନାହିଁ–ଯାବତୀୟ ଅସନା, ଯାବତୀୟ ଅସୁନ୍ଦର, ଯାବତ ଛୋଟଲୋକ, ଯାବତ ଦୁଃଖକଷ୍ଟ ।

 

“ଖାଲି ହାତମୁଠାରେ ମୁଠାଏ ପାଉଁଶ, ପାଟିରେ କଳେ ଫିମ୍ପି ।"

 

ସେ ଧରିଲେ ଗୋଟାଏ ନିଆରା ରାସ୍ତା । ଜୀବନର ବହୁ ରୂପ, କବିତାର କେବଳ ମଜଲିସ୍‌ ରୂପ ନୁହେଁ, ଆହୁରି ଅନେକ ରୂପ । କବି ଯେ ସୁନ୍ଦରିମାରେ ମାତନ୍ତି, ସେ କେବଳ କଳାଶକ୍ତିର ଗୋଟିଏ ବିକାଶ, ପ୍ରକାଶର ଗୋଟିଏ ଉପାୟ । ପ୍ରଭୁସମ୍ମିତ, କାନ୍ତା-ସମ୍ମିତ, ମିତ୍ର-ସମ୍ମିତ ପ୍ରଭୃତି ଉପକାରୀ ଉଦ୍ଦେଶ୍ୟ-ମିଶା ବ୍ୟବହାର ଉପରେ ଆହୁରି ଗୋଟିଏ ବଡ଼ ଉପାୟ, ଆଦର୍ଶର, ଯାହା ସବୁ ଉଦ୍ଦେଶ୍ୟର ଉପରେ । “ତୃଷାତୁର ରୋଗୀ” ତଥ୍ୟର ପ୍ରସାର କବିତାର ଆଦର୍ଶ ତୁଳନାରେ ଅତି ସଙ୍କୀର୍ଣ୍ଣ । ଜୀବନକୁ ନୂଆ ରୂପରେ ଅନୁଭବ କରି ସାଧାରଣ ବାସ୍ତବ ପୃଥିବୀରେ ଅସାଧାରଣ ଆଦର୍ଶକୁ ଯେ ସହଜରେ ମନକୁ ନିଏ, ସେ ନିଶ୍ଚୟ ଔଷଧ ବା ନିଶାଠାରୁ ଅଲଗା ।

 

ଏପରି ଯେଉଁ କବିତା, କୌଣସି ଉଦ୍ଦେଶ୍ୟ ରଖି ଲେକ୍‌ଚର୍‌ ପ୍ରଣାଳୀରେ ତାକୁ ବାନ୍ଧି ରଖିବା କ’ଣ ହସର କଥା ନୁହେଁ ? ଏକେ ତ ପ୍ରକୃତ କଳା ସବୁଦିନେ ଗୋଟିଏ ଅଜଣା ଉଚ୍ଛ୍ୱାସ । ତା ଉପରେ ବାନ୍ଧି ରଖିବାର ପ୍ରଣାଳୀ ଆଦର୍ଶକୁ ବାସ୍ତବରେ ବାନ୍ଧି ରଖିବାକୁ ବୃଥା ଚେଷ୍ଟା । ଆମର ଧର୍ମ ଗ୍ରନ୍ଥ ଦେଶର ଲୋକଙ୍କ ପ୍ରାଣରେ ପ୍ରତିଧ୍ଵନି ଆଣେ, ଏଥିପାଇଁ ନୁହେଁ ଯେ, ସେ କବିତାର ମୂଳ ହେଉଛି ଉପଦେଶ । ଦୂରତ୍ଵର ମୋହ, ସ୍ଵପ୍ନମୟ କଳ୍ପନାର ଦଣ୍ଡକାରଣ୍ୟରେ ରାମ ଲକ୍ଷ୍ମଣ, ଅଶୋକ ବନରେ ରାକ୍ଷସ (ବ୍ୟାକ୍‌ଗ୍ରାଉଣ୍ଡ), ଆଗରେ ସୀତା, ମନର ଭାବ-ପ୍ରବୃତ୍ତିର ସହଜ ଚଳାଚଳ ଭିତରେ ବାଲ୍ମୀକିଙ୍କର କଳାପ୍ରକାଶ, ଚମତ୍କାରୀ ଗୁଣ, ଏଥି ସକାଶେ ସେ କବିତା ଏ ଯୁଗର ପ୍ରାଣରେ ସ୍ପନ୍ଦନ ଆଣେ । ସମୟ ଅନୁସାରେ ଧର୍ମ ବଦଳେ । ନୀତି ନିର୍ଭର କରେ ସମାଜର ପରିସ୍ଥିତି ଉପରେ; ତେଣୁ କାଳକ୍ରମେ ପୁରୁଣା ହୋଇଯାଏ । ନୂଆ ନୀତି, ନୂଆ ଧର୍ମ ଆସେ; କିନ୍ତୁ କବିତା ସବୁଦିନେ ପୁରୁଣା, ସବୁଦିନେ ନୂଆ । ସହଜେ ବଦଳେ ଯେଉଁ ନୀତି ଉପଦେଶ, କବିତା ତା’ଠାରୁ ଉପରେ ।

 

ବଦଳେ କବିତାର ପ୍ରକାଶର ଉପାୟ । ଭାଷା ବଦଳେ, ରୁଚି ବଦଳେ; ତେଣୁ ପ୍ରକାଶର ଉପାୟ ବଦଳେ । ଭଞ୍ଜଯୁଗର ଭାଷା ଏ ଯୁଗରେ ପୁରୁଣା । ଭାଷା ବଦଳେ, ନଈର ଗତି ଯେପରି ବଦଳେ ସେହିପରି । ସାଧାରଣ ଶବ୍ଦ, କବିତାର ଭାବ ପ୍ରକାଶ କରିବା ଲାଗି ଭାଷା ଗୋଟାଏ ଯୁଗକୁ ନୂଆ ଲାଗେ । ତା’ର କିଛି ବିଶିଷ୍ଟତା ଥାଏ । ଅନ୍ୟ ଯୁଗରେ ସେ ହୁଏ ନିରର୍ଥକ, ତା’ର ବିଶିଷ୍ଟତା ଉଭେଇ ଯାଇ ସାଧାରଣ ହୋଇଯାଏ, ନଈର ପୁରୁଣା ଗହୀର ବାଟରେ ପଟୁ ପଡ଼ିଲା ପରି । ତାପରେ ପ୍ରକାଶ ଲାଗି ନୂତନ ଉପାୟ । କିନ୍ତୁ କବିତାର ସାର ବଦଳେ ନାହିଁ ।

 

ତାପରେ ଆର ଦଳ, “କବିତା ଲାଗି କବିତା, କଳା ଲାଗି କଳା ।“ ଏମାନେ ଭାବନ୍ତି, କବିତାର ନିଜର ରୂପ, ନିଜର ରାଇଜ, ନିଜର ସବୁ । କବିତା ଜୀବନକୁ ଅନୁସରି ଚାଲିବ ନାହିଁ । କବିତାର ଜୀବନ ସଙ୍ଗେ ସମ୍ବନ୍ଧ ନାହିଁ । ଜଣେ ଜଣକର ବନ୍ଧୁ ନ ହୋଇପାରେ; କିନ୍ତୁ ବନ୍ଧୁ ନ ହେଲେ ଶତ୍ରୁ ହେବାକୁ ପଡ଼ିବ, ଏ ଧାରଣା କେତେ ସଙ୍ଗତ ? କବିତା ଧର୍ମ ଅଧର୍ମ, ନୀତି ଅନୀତି ପ୍ରଚାର କରିବ ନାହିଁ ବୋଲି ଯେ ପୃଥିବୀଠାରୁ ପୃଥକ୍‍, କବିତା ମୂଳରେ କୌଣସି ଶିକ୍ଷା ଉଦ୍ଦେଶ୍ୟ ପ୍ରଚାରି ନ ବୁଲିବ ବୋଲି ତା’ର ଦୁନିଆ ନିଆରା, ଏକଥା କିଏ କହିଲା ?

 

କବି ରଚିଲେ ପରୀ, ରାକ୍ଷସ, ସୁନ୍ଦରିମାର ସମାବେଶ, କୁତ୍ସିତର ପାହାଡ଼ । ଭଲ କଥା; କିନ୍ତୁ ସୁନ୍ଦରିମାର ସମାବେଶ ବା କୁତ୍ସିତର ବୋଝ କରିବା ପାଇଁ ସେ ନିଜର ସୃଷ୍ଟିରୁ ଗଢ଼ିବେ କିପରି-? ହୁଏତ ପରୀଟିର ସୁନ୍ଦର ସ୍ତ୍ରୀ ମୁହଁ, ଦେହ ବାସ୍ନା, ସ୍ୱର ବୀଣାର ଶବ୍ଦ ପରି, ପକ୍ଷ ମଣିମୁକ୍ତାର । ପରୀ ଉଡ଼ିପାରେ, ଫୁଲ ପାଖୁଡ଼ାରେ ଶୋଇପାରେ; କିନ୍ତୁ ପରୀର ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟେକ ଲକ୍ଷଣ କବି ପୃଥିବୀରୁ ଘେନି ଏକାଠି କରିଛନ୍ତି । ସ୍ତ୍ରୀ ଉଡ଼ିପାରେ ନାହିଁ, ହଂସର ପକ୍ଷ ମଣିମୁକ୍ତାର ନୁହେଁ । ନ ହେଉ; କିନ୍ତୁ ପୃଥିବୀରେ ଉଡ଼ିବାର ଉଦାହରଣ ମଧ୍ୟ ମିଳେ, ମଣିମୁକ୍ତାର ଧାରଣା ମଧ୍ୟ ମିଳେ, ବୀଣା ସ୍ୱରର ଧାରଣା ମଧ୍ୟ ମିଳେ । ଏଠି କବିଙ୍କର ବାହାଦୂରୀ ସଜାଇବାରେ, ସର୍ଜନ କରିବାରେ ନୁହେଁ । ସଂସ୍କୃତ ଅଳଙ୍କାର ଏ ଧାରଣାକୁ ଆହୁରି ସହଜ କରି ଥୋଇଛନ୍ତି ଅଳ୍ପ ଆଡ଼ମ୍ବରରେ । ହରିଣ ଆଖି ପରି ଆଖି, କୁନ୍ଦ ଫୁଲରେ ଭଅଁର ବସିଥିଲା ପରି ଆଖି, ଆଙ୍ଗୁଠି ଅଶୋକ କଢ଼ିପରି, ରଙ୍ଗ କେତକୀ ପରି, ନୋହିଲେ ଚମ୍ପା ପରି । ସେହିପରି ଓଡ଼ିଆରେ–‘‘ଲାଜକୁଳୀ ନଟା ପରି ନୂଆବୋହୂଟି, ପାନ ପତର ପରି ମୁହଁ, ରଙ୍ଗ କଞ୍ଚା ହଳଦୀ ପରି, ଚାଲେ ଯେମିତି ଗୁଣ୍ଠୁଣୀ ହାତୀ ।’’ ନୋହିଲେ ମୁହଁ ଚାଲୁଣୀ ପରି, ନାକ ଗଜମଣ୍ଡା, ଆଖି ଶଗଡ଼ ଚକ ପରି, କୁମ୍ଭାଟୁଆ ଆଖିର ରଙ୍ଗ, ଦାନ୍ତ ମୂଳା ପରି, ଚାଲେ ଦୁମ୍‌ ଦୁମ୍‌, ହସେ ଘୋଡ଼ା ପରି ।’’ କବି ସଜାଇଲେ । କଳାଶକ୍ତିର ପ୍ରେରଣାରେ ତାଙ୍କୁ ଗୋଟାଏ ପ୍ରକାର ସାଜ ଭଲ ଲାଗିଲା; କିନ୍ତୁ ପ୍ରତ୍ୟେକ ଅଂଶ ସେ ଘେନିଲେ ଜୀବନରୁ, ପୃଥିବୀରୁ ।

 

କବିତାର ନିଜର ଗୋଟିଏ ରୂପ ଅଛି, ଗୋଟିଏ ଆତ୍ମା ଅଛି, ଯାହା ଦେଖା-ପରଖା ପୃଥିବୀର ନୁହେଁ; କିନ୍ତୁ ସେ ନିଜକୁ ପ୍ରକାଶ କରିଥାଏ ଜୀବନ ଭିତରେ । ‘‘କନକଲତା’’, କବି ପ୍ରେୟସୀ କଳା-କଉତୁକୀର ନାଁ, ଗୋଟାସୁଦ୍ଧା କବି କଳ୍ପନାର; କିନ୍ତୁ ଧାରଣା ଆସିଲା ଏ ପୃଥିବୀର ‘କନକ’ ରୁ, ପ୍ରକୃତିର ‘‘ଲତା’’ ଠାରୁ ।

 

ଯଦି ଧରାଯାଏ କବି ନିଜକୁ ପ୍ରକାଶ କଲେ ନିଜର ଖିଆଲି ସୃଷ୍ଟି ଭିତରେ, ଯାହାର ଜୀବନ ସହିତ ଆଦୌ ସମ୍ବନ୍ଧ ନାହିଁ, ତା ହେଲେ ସାଧାରଣ ପୃଥିବୀର କବିତାର ଧାରଣା ବଦଳାଇବାକୁ ପଡ଼ିବ । ସମସ୍ତେ ବୁଝିବା ସକାଶେ କେତେଗୁଡ଼ିଏ ବନ୍ଧାଗତ ଅଛି, ଯେପରି-ଭାଷା । ନିଜର ମନୋଭାବ ତହିଁରେ ସ୍ପଷ୍ଟ ପରିଷ୍କାର ଅନୁବାଦ କରିବା ଯେତେ କଷ୍ଟ ହେଉ ପଛକେ ତାକୁ ଛାଡ଼ି ଅନ୍ୟ ଉପାୟ ନାହିଁ । କବି ଦେଖିଲେ, ‘‘କାବାସ’’ ‘କ’ ଆକାର ‘ବ’ ଆକାର ଦନ୍ତ୍ୟ ‘ସ’ । କହିଲେ, ‘‘ଏ ହେଉଛି କବାଟ ।’’ ମୋର କବି ଶକ୍ତିର ସ୍ୱୟଂ ପ୍ରକାଶ ଏହି ଉପାୟରେ ହେଲା ।’’ କବି ଭାଷାର ବନ୍ଧାଗତ ଭାଙ୍ଗିଲେ; ତେଣୁ କେହି ବୁଝି ପାରିବ ନାହିଁ, ସ୍ୱୀକାର କରିବା ତ ଦୂରର କଥା, ଯେଉଁ ମୁହୂର୍ତ୍ତରେ ଏ ଖିଆଲ ବାସ୍ତବିକ କଳା ଶକ୍ତିର ତାଡ଼ନାରେ ମୁଣ୍ଡରେ ପଶିଲା, ତା ପର ମୁହୂର୍ତ୍ତରେ ହୁଏତ କବି ନିଜେ ବୁଝି ପାରିବେ ନାହିଁ । କବି ଲେଖିବେ ଗବିତା କହିବେ ‘‘ୟେ ହେଲା ଅତି ଉଚ୍ଚକବିତା, ଅତି ମିଷ୍ଟିକ୍‌, ଅତି ଆଦର୍ଶ ।’’ କବି ଟାଣିବେ ଗାର, ସାଧାରଣ ଲୋକ ଦେଖିବ ଭାରତ ମାନଚିତ୍ରର ଲାଞ୍ଜ, ଢେଙ୍କିର ଥଣ୍ଟ, ବଗର ପକ୍ଷୀ, ସାପର ମୁଣ୍ଡ । କବି କହିବେ, ‘‘ଏ ହେଉଛି ଅତି ଉପାଦେୟ ଚିତ୍ର, ଜୀବନ ସଙ୍ଗେ କୌଣସି ସମ୍ୱନ୍ଧ ନାହିଁ, କିନ୍ତୁ ବିରହୀ ଯକ୍ଷର ନିଜ ରୂପ । ହେଇ ଦେଖ, ଆଶା ଉଚ୍ଛ୍ୱାସର ରାମଗିରି, (ଦିଶିବ ଗୋଟାଏ ଦୁଇଟା ଆଞ୍ଚୁଡ଼ାଗାର) ହେଇ ଦେଖ ବିରହୀ ଯକ୍ଷ ଅର୍ଥାତ୍‌ ଭାରତର ଲାଞ୍ଜ ଢେଙ୍କିର ଥଣ୍ଟ ଓଗେର । ତା’ର ପ୍ରତ୍ୟେକ ଭାବ ଅସମାପିକା ଛନ୍ଦରେ ମୁଁ ଫୁଟେଇଛି’’ । ବୁଝାଳି ଶୁଣିବେ, କବିଙ୍କର ନୋହିଲେ କବିଙ୍କ ଭକ୍ତମାନଙ୍କର ବକ୍ତୃତା; ଫେରିବେ ମୁଣ୍ଡ ଆଉଁଷି । କିଏ କହିବ ଚଲାଖ କବି ନିଜର ଅକ୍ଷମତାକୁ ଘୋଡ଼ାଇବାକୁ ନ ଯାଉଛନ୍ତି, ବିହ୍ୱଳ ତର୍କରେ ? କିଏ କହିବ ଏ ନୁହେଁ ଦିନ ଦିପ୍ରହରରେ ଡକାୟତି ?

 

ନ ହୋଇପାରେ । ହୁଏତ ତହିଁରେ ସାର ଅଛି; କିନ୍ତୁ ସେ ସାର ଯଦି ଥାଏ, କବିଙ୍କର ନିଜର । କଟକ ସହରର କେତେ କାନ୍ଥରେ ରହିଛି ଚିତ୍ର । ସାଧାରଣ ଲୋକେ ଭାବିବେ, ଅପଟୁ ମହାରଣାର କାରସାଜି । ଜୀବଜନ୍ତୁ ଦେଖିଲେ ମନେ ପଡ଼ିବ ପ୍ରାଗୈତିହାସିକ ଯୁଗର କଥା; କିନ୍ତୁ କିଏ ଜାଣେ ? ହୁଏତ ଶିଳ୍ପୀ ପ୍ରାଣ ‘ଅସୀମର ଛନ୍ଦ’ରେ ମାତି ଉଠିଥିଲା, ହୁଏ ତ ଯାହା ଦିଶୁଛି ତାହା ନୁହେ, ହାତୀ ଗୋଡ଼ଠାରୁ ମୋଟା ହାତୀ ଶୁଣ୍ଢରେ ରହିଛି ଅତି ଅପୂର୍ବ ଇଙ୍ଗିତ-କଳା; ବୁଝାଇବାକୁ ଶିଳ୍ପୀର ଶକ୍ତି ନାହିଁ ।

 

ଏପରି ଶିଳ୍ପ, ଯହିଁରେ ସାଧାରଣ ଜୀବନକୁ ଏଡ଼ି ରହିଛି ଶିଳ୍ପୀର ନିଜର ମନ କଥା, ଏପରି କବିତା, ଯହିଁରେ ସାଧାରଣ ଜୀବନର ଅନୁଭୂତି ବଦଳରେ ଅଛି କବିଙ୍କର ନିଜ ସର୍ଜନର ଅନୁଭୂତି । ଏ ସବୁ ପୃଥିବୀର କଳା ବା କବିତା ମହଲରେ ସଞ୍ଚି ରଖିବାକୁ ଉପଯୁକ୍ତ ନୁହେଁ । ପ୍ରକାଶର ଉପାୟ ଯେତେ ଉଞ୍ଚ ହେଉ ପଛେ, ଏ ଅତି ବ୍ୟକ୍ତିଗତ, ଏଥିରେ ଦେଶର ଦଶଲୋକେ ଭାଗ ନେଇ ପାରିବେ ନାହିଁ । ଉଦୁଉଦିଆ ଝୋଲାମରା ଦି ପହରେ ଗାଈଜଗା ଟୋକା ବସିପଡ଼େ ମୁହୂର୍ତ୍ତେ । ସ୍ଥିର ପ୍ରକୃତି ମଝିରେ କ’ଣ ସେ ପାଏ, ସେ ଜାଣେ ନାହିଁ । ବିନା ଚେଷ୍ଟାରେ ଗୁଣୁଗୁଣୁ କରି ସେ ଗୀତ ଗାଏ । ମୁହୂର୍ତ୍ତକ ଲାଗି କଳା-ଶକ୍ତି ତା ଉପରେ ଉଭା ହୋଇ ତା ପରେ ଚାଲିଯାଏ-। ସେ ଗୁଣୁ ଗୁଣୁ ଆପେ ନିଜର ପ୍ରକାଶ, ହୁଏତ ସେ ଯେଉଁ ଅନୁଭୂତି ପାଇଛି, କସିକାସି ତା’ରି ସାମଞ୍ଜସ୍ୟରେ ସେ ଶବ୍ଦ ପ୍ରକାଶ ପାଏ ! କିନ୍ତୁ ପୃଥିବୀର ବନ୍ଧାଗତ ହୋଇଛି ଯେଉଁ ଆଦାନ ପ୍ରଦାନର ସାଧାରଣ ଧାରଣା, ଯେଉଁ ଭାଷା, ସେହି ଉପାୟରେ ପ୍ରକାଶ ନ ପାଇବାରୁ କେହି ବୁଝେ ନାହିଁ । କଳା-ଶକ୍ତି ଥିଲା; କିନ୍ତୁ ମିଡ଼ିୟମ ଜୀବନ ଅପୂର୍ଣ୍ଣ, ଅନୁପଯୁକ୍ତ; ଅତଏବ ତାକୁ କବିତା ବୋଲି ଲେଖିବା ଆଇନ ନୁହେଁ । ଠିକ୍‌ ସେହିପରି ‘‘କଳା ଲାଗି କଳା, କବିତା ଲାଗି କବିତା’’ ଭଣ୍ଡାମି ନ ହୋଇ ସାର ହେଲେ ସେ ବ୍ୟକ୍ତିଗତ ସମ୍ପତ୍ତି, ‘‘କବିତା’’ ବୋଲାଯାଇ ନ ପାରେ, ସେ ଗବିତା ।

 

କବିତାର ବ୍ୟର୍ଥତା ପ୍ରମାଣ କରିବା କିମ୍ବା କବିତାକୁ କୌଣସି ମତ ବା ଉଦ୍ଦେଶ୍ୟର ସାପେକ୍ଷ କରିବା ଭୁଲ । ଏ ଠିକ୍‌ ଭୋଟ୍‌ କବିତା ବା ପଣିକିଆ ବୋଲି ପରି ।

 

କବିତାକୁ ଜୀବନଠାରୁ ଅଲଗା କରିବା ବା ନିଜର ବନ୍ଧା ସଙ୍କେତରେ ପ୍ରକାଶିବା ଅତି ବେଶୀରେ ହେବ ସଙ୍କେତ ସାହିତ୍ୟ । ପୂର୍ବକାଳରେ ଠଗମାନେ ଯାତ୍ରୀଦଳକୁ ଭଣ୍ଡାଇ ନେଇ ଖୁସିବାସିରେ ଆଳାପ କରିବା ଛଳରେ ଜଣକା ପିଛା ଜଣେ ଗାଦି ମାଡ଼ି ବସିଲା ପରେ ସର୍ଦ୍ଦାର ହାଙ୍କୁଥିଲା, ‘‘ପାନ ଲାଓ’’ ନୋହିଲେ, ‘‘ହୁକା ଲାଓ’’ ! ୟାର ଅର୍ଥ ଯାତ୍ରୀମାନଙ୍କୁ ସତ୍କାର ପରି ଜଣାପଡ଼ିଲେ ସୁଦ୍ଧା ଚୋରଦଳକୁ ଅର୍ଥ ‘‘ତଣ୍ଟିରେ ଫାସା ମାର’’ ।

 

କବିତା ଏଇ ଜୀବନରୁ ରସ ଟାଣି ବଞ୍ଚେ । ମଣିଷର ସୁଖ ଦୁଃଖ, ଚାରି ପାଖର ପୃଥିବୀ, ସବୁ ପ୍ରବୃତ୍ତି, ଆଦର୍ଶ, କବିତାର ବସ୍ତୁ । ଜୀବନଠାରୁ କବିତାକୁ ଅଲଗା କରି ଦେଖିବା କଥା ଉଠି ନ ପାରେ । କବିତା ମଣିଷ ଜାତିକୁ ଏକାଠି ବାନ୍ଧେ କାରଣ ମଣିଷକୁ ସେ ଦେଖେ ମୂଳ ମଣିଷ ପରି । କଳ୍ପନାର କୁହୁକରେ ପୃଥିବୀକୁ ଟାଣି ଓଟାରି ଘେନି ଚାଲେ ସଭ୍ୟତା ଆଡ଼କୁ । କଳାଶକ୍ତିର ଆବରଣଭେଦୀ ଦୃଷ୍ଟିରେ ପ୍ରତ୍ୟେକ ପଦାର୍ଥକୁ ବୁଝାଏ । ଯେଉଁ ସ୍ୱରୂପ ବାହାର ଆଖିରେ ଧରାପଡ଼େ ନାହିଁ, ତାକୁ ରଖେ ସାମ୍ନାକୁ ।

 

କିନ୍ତୁ କବିତା ସ୍ୱାଧୀନ କଳାର ପ୍ରକାଶ, କାହାରି ହୁକୁମ ମାନେ ନାହିଁ । ସେପରି ମୁହୂର୍ତ୍ତରେ ସାଧାରଣ ଦୃଶ୍ୟ ମନ ଉପରେ ଯେଉଁ ଗହୀର ଗାର ଟାଣେ, ତା ପ୍ରଚାରକର ପଦ୍ଧତିରେ ନୁହେ, କି ଗୁରୁଙ୍କ ଅନୁଜ୍ଞାରେ ନୁହେଁ ।

 

କବିତା କିଛି ନୁହେଁ, କବିତା କବିତା, ଶରବଣ ଭିତରେ ପବନର ଲୁଚୁକାଳି ଖେଳ ।

 

ଫୁଲ ଫୁଟେ, ଫୁଲ ଝଡ଼େ, ଫୁଲ ସୁନ୍ଦର ଦିଶେ । ଏ ଫୁଲଟି ଢଳିପଡ଼େ ନିଜର ଭାରରେ-। ସେ ଫୁଲଟି ଥିରି ଥିରି ଥରେ ଉଦାସୀ ପବନରେ । କଇଁ ଫୁଲିଆ ଜହ୍ନ ରଚେ ସ୍ୱପ୍ନର ମାୟାପୁରୀ, ଆକାଶର ବଉଦ ପକାଏ ଚଳନ୍ତି ଛାଇ । କାରଣ ନାହିଁ । ମଣିଷର ହୁକୁମ ଉପଦେଶ ମାନେ ନାହିଁ । ଏଇ ପୃଥିବୀରେ ଏ ଜୀବନ ସମ୍ଭାର ମଝିରେ । ସ୍ୱାଧୀନ କବି ଗାଏ, କବିତାର ମାଧୁରୀରେ ଖେଳେ ରୂପ ଭିତରେ ଅପରୂପ ମୂର୍ଚ୍ଛନା ।

Image

 

Unknown

ଶାରଦୀୟା

 

ନେଳି ଆକାଶ ତଳେ ସବୁଜ କ୍ଷେତ, ସେପାଖେ ବାକୁଲି ନଈଟି ଯାଉଛି ବହି, ଭାସି ଭାସି ସ୍ୱପ୍ନର ସେ ପାରିକୁ । ଏଠି ସେଠି ଦୁଇ ଚାରିଟା ବୁଦା, ଲାଲ, ଧଳା, କଳା ମିଚ୍‌ମିଚ୍‌–ସେପାରିରେ କେରାଏ କେରାଏ ସୁନେଲି ଚରା । କାଶ ଫୁଲର ଗାର ସେପାଖେ ନେଳି ପାହାଡ଼ର ବାଡ଼ି ଚାଲିଛି ।

 

ସଞ୍ଜର ମଳିନ ଛାଇ ଓହ୍ଲାଇ ଆସେ । ପଥୁଳି ବାଡ଼ିଟି ପୋତେ ନଈ କୂଳରେ, ବୁଜୁଳି ଟାଙ୍ଗିଦେଇ ଆଁ କରି ଚାହେଁ ସେ ପାରିକୁ । ସଞ୍ଜର ମଳିନ ଛାଇ ତଳେ ଧିରେ ଧିରେ ସବୁ ଲିଭିଆସେ; ଖାଲି ରହେ ନଈଟା । ଚାଲିଛି, ଆଉ ଆକାଶରେ ଉଡ଼ନ୍ତା ଚଢ଼େଇ । ଆଜି ଏତିକି ।

 

କାଲି ସକାଳେ ଆହୁରି ବାଟ ସିଧା । ନଈ ସେପାଖେ କାଶ ଫୁଲ; ସେ ପାଖେ କେତେ ବିଲ ଜଙ୍ଗଲ, ଗାଁ ଗଣ୍ଡା । ଆହୁରି ଆଗକୁ ବଡ଼ ସଡ଼କର ନାଲିଆ ଗାର । କାଲି ସେତିକି । ପୁଣି ସଞ୍ଜର ଛାଇ ।

 

ଯୁଗ ଯୁଗ ଧରି ମଣିଷ ଚାଲିଛି । କୁଆଡ଼େ ? କେତେ ବାଟ ?

 

ସନ୍ଦେହ ହୁଏ । ହୁଏ ବା ମୋଟେ ଚାଲିନାହିଁ । ନିଜେ ଚାଲୁ ନଥିଲା । ଆଖି ଦିଟା ଘୂରୁଛି-। ବିଶ୍ୱାସ ଘୂରୁଚି । ଅନୁଭୂତି ଚହଲୁଛି । କେତେ ବାଟ ?

 

ସେ ଦିନର ଦୁର୍ଗାପୂଜା, ଖଣ୍ଡାଏତ ଧରିଲା ଖଣ୍ଡା, ଜାତି ଧରିଲା ଶକ୍ତି । ଶତ୍ରୁର ରକ୍ତରେ ଭୁଇଁ ହେଲା ଲାଲେଲାଲ ! ଛାତି ଫୁଲାଇ ଓଡ଼ିଆ ବୀର ଚାଲିଲା ଖଣ୍ଡାଟେକି, ଶକ୍ତିର ହେଲା ପୂଜା-କାୟିକ । ‘‘ବାଇଦ ବାଜିଲା, ପାଇକ ସାଜିଲା’’ ସଇନୀ ଚାଲିଲେ, ପ୍ୟାରେଡ଼୍‌ ହେଲା, ହତିଆର ହେଲା ପୂଜା । ରୁମ ଟାଙ୍କୁରି ଉଠେ, ନୀରସ ହାଡ଼ୁଆ ଛାତିରେ ଆସେ ବଳ, ଶୁଖିଲା ହାତରେ ଯାବ ପଡ଼େ, ଜାତି ଚହଲେ । ତା ପରେ କେତେ କାଳ ଯାଇଛି, ଆଜିକାର ମୁରୁଚାଖିଆ ଖଣ୍ଡା ଖାଉଛି କଦଳୀ ଗଛ, ଗଡ଼-ଗଡ଼ତିଆ ପାଇକେ ଚାଲିଛନ୍ତି କିସ୍କିନ୍ଧ୍ୟା କଟକର ଦରବାନ ଦଳ ପରି । ସେଇ ବାଇଦ ବାଜୁଛି, - ବେସୁରା, ଢୋଲ ଫଟା ! ଜାତି କାନ୍ଦେ, କାହିଁକି ?

 

ଯୁଗ ବଦଳିଛି; ଭଲ କି ଖରାପ, କିଏ କହିବ ? ସେ ଦିନ ଦୁର୍ଗା ହାତରେ ଥିଲା ଖଣ୍ଡା, ତା ପରେ କାପାଳିକ ଦେଖିଲା ଖଣ୍ଡାଖର୍ପରଧରା ଦୁର୍ଗା ପରିବର୍ତ୍ତେ ବଇଁଶୀଫୁଙ୍କା ବାଙ୍କଚୂଳିଆ ଗଉଡ଼ ଟୋକା; ତାପରେ ଜାତି ଦିନେ ଦେଖିବ, ପାନଖିଲିଯକା ଚିରୁଣୀଆରଶିଧରା ଦେବତା, କିଏ କହିବ ?

 

କିନ୍ତୁ ଠାକୁର ଠିକ୍‌ ରହିଛନ୍ତି । ଯାହା ହେଉ, ଗୋଟାଏ ଠାକୁର ଦରକାର । ସ୍ୱାଧୀନ ମଣିଷ ଜାତି, ଏଇ ଦୁନିଆର ଜନ୍ତୁ, ଜନ୍ତୁ ପରି ଉନ୍ମତ୍ତ, ଜନ୍ତୁ ପରି ପରାଧୀନତା ପ୍ରତି ଅସହିଷ୍ଣୁ । ସେ ଦିନେ ଜାଣିଶୁଣି ଗୋଟାଏ ଠାକୁର ପୂଜିଲା କାହିଁକି ? ବଡ଼ ଜଟିଳ ପ୍ରଶ୍ନ ! ସଭ୍ୟତାର ଆଲୁଅରେ ଯେପରି ଦାନ୍ତନଖ ପରିବର୍ତ୍ତେ ହେଲା ବାଡ଼ି ବାଡ଼ିର ଲଢ଼େଇ, ଖଣ୍ଡାର ଖଣ୍ଡାର, କଲମର, କଲମର ଇଚ୍ଛାର ଇଚ୍ଛାର । ବାଘ ହେଲା ସର୍କସର ପୋଷା ଜନ୍ତୁ, କୁକୁର ଚାଟିଲା ଗୋଡ଼ । ମଣିଷ ହୁଏତ କାଳକ୍ରମେ ଜଣକୁ ଆଦରିଲା । ଆଦରିଲା କାହିଁକି ?

 

ପୁରାତନ ଠାକୁର ଦେବତା ମଣିଷକୁ ଡରେଇ ହରେଇ ଆସିଲେ କହିଲେ ତ ସବୁ ହେଲା ନାହିଁ । ଡଗର ଦଉଡ଼ ଜନ୍ତୁବୁଦ୍ଧିରେ ବହୁତ ବାଟ; କିନ୍ତୁ ସଭ୍ୟ ମଣିଷ କତିରେ ବେଶୀ ନୁହେଁ-। ଅରଣା ମଣିଷ ସେଦିନ ଢୁ ଢୁ ବରଷାରେ କମ୍ପୁଥିଲା, ତା କୋରଡ଼ରେ ପଶୁଥିଲା ପାଣି । ଅତି ବିକଳରେ ‘‘କୋପେ ବର’’ ନୀତିରେ ଦେବତାକୁ ଦେଉଥିଲା ସେ ପୂଜା । ପବନରେ ଗଛ ଯେତେବେଳେ ମଡ଼ମଡ଼, ମଣିଷ ଭାବିଲା, ପବନ ଦେବତାଙ୍କୁ ଖୁସି କଲେ ସେ ବଞ୍ଚିବ । କାହିଁ ସେଦିନ ତ ଏତେ ବଡ଼ ତୋଫାନ ଓଡ଼ିଶା ଗାଁରେ ଏତେ ଗରିବଗୁରୁବାଙ୍କ ମୁଣ୍ଡପାତ କରି ଚାଲିଗଲା, କେହି ତ କୁକୁଡ଼ା ବଳି ଯାଚିଲେ ନାହିଁ !

 

କିନ୍ତୁ ଭୟ ନିଶ୍ଚୟ ଗୋଟାଏ କାରଣ ଠାକୁର ପୂଜାର । ନ କଲେ ଅମୁକ ହେବ, ଏତେ ଅଡ଼ୁଆରେ କିଏ ପଶେ ? ପୂଜାଟି କରିଦେଲେ କାମ ସରିଲା । ପଶୁ ମନରେ ଭୟର ପ୍ରଭାବ ବଡ଼ ବେଶୀ । କାଳକ୍ରମେ ଦେବତା ଉପରେ ସବୁ ଟାଳି ଦେଇ ଭାରତ ଘୁଙ୍ଗୁଡ଼ି ମାରିଲା । ଦେବତାଙ୍କ ଲାଗି ଫୁଲକାରୀର ଫୁଲ ଉଜୁଡ଼ିଲା । ଅକାଳରେ କଦଳୀ ବାରିରୁ ନିପାତ ହେଲା କଦଳୀ । ଅସମୟରେ ଗରିବ ଲୋକ ପୂଜାବିଧିରେ ସବୁ ସାରିଲା । ପଥର ଦିଶିଲା ସିନ୍ଦୁରରେ ଚିକ୍‌ଚିକ୍‌ । କାଠ ନାଇଲା ଚନ୍ଦନ, କୁଙ୍କୁମ, ତା ପରେ ଦେବତା ବି ଘୁଙ୍ଗୁଡ଼ି ମାରିଲେ । ଭାରତ ଗଡ଼ିମଲା ।

 

ବହୁରୂପୀ ଦେବତାର ଏ ମୋଟେ ଗୋଟାଏ ରୂପ, ପଶୁଭାବର ।

 

ତଥାପି ଏତିକି ପରାଧୀନତାରୁ ମିଳୁଛି ସ୍ୱାଧୀନତାର ଛାଇ । ମଣିଷ ମାଡ଼ ଖାଇ ବୁଝିଲା, ମେଘ ତୋଫାନ, ଖରା ବରଷା, ପର୍ବତ ଜଙ୍ଗଲ ତାଠାରୁ ବଡ଼ । ବୁଝିଲା, ଆହୁରି ବୁଝିଲା–ଚାରିପାଖର ପ୍ରକୃତି ଭିତରେ ଅଛି ଜୀବନ । ପାଣି ପାଣି ନୁହେଁ, ସୂର୍ଯ୍ୟ ସୂର୍ଯ୍ୟ ନୁହେଁ, ସେମାନେ ବି ଗୋଟିଏ ଗୋଟିଏ ଜନ୍ତୁ । ତାଠୁଁ ବେଶୀ ବଳୁଆ; କିନ୍ତୁ ପ୍ରାଣବନ୍ତ ।

 

ସେ ପ୍ରାଣ କଅଣ ଖାଲି ପ୍ରକାଶ ପାଏ ଡର ଭୟ ଭିତରେ ?

 

ମଣିଷ ଯେଉଁ ଦିନ ବୁଝିଲା, ପବନ କଥା କହୁଛି, ବରଷା ମାଗୁଛି ବଳି, ସୂର୍ଯ୍ୟ ଚାହୁଁଛି ମନ୍ଦିର, କି ଦିନ ସେ ନ ହୋଇଥିବ ! ମଣିଷର ଅନୁଭୂତି-ରାଇଜରେ ସେ ଯେ ଗୋଟାଏ ବିରାଟ ଆବିଷ୍କାର ! ଉତ୍ତର ମେରୁ ଆବିଷ୍କାର ତା ପାଖରେ ପିଲାଖେଳ ପରି । ହେଡ଼ାଖିଆ ଜାତି ଆବିଷ୍କାର ତା ପାଖରେ ଅତି ତୁଚ୍ଛ । ଆମେରିକା ଆବିଷ୍କାର ଅପାସଙ୍ଗ । ସେ ଗୋଟାଏ ଦିନ !

 

ତା ପରେ ମଣିଷ ବାଡ଼ ପକେଇ ଚାଲିଛି, ଗୋଟାକ ପରେ ଗୋଟାଏ । ସେ ପିଲାଳିଆ ଉଲ୍ଲାସ ଗଲାଣି ଉଭେଇ, ବେଳେ ବେଳେ ଯାହା ଉଙ୍କିମାରେ ।

 

କେଡେ ସୁନ୍ଦର ! ମଣିଷଠୁ ବଳି ସୁନ୍ଦର, ଯୁବତୀର ସରମ ମିଶା ଅଧଓଢ଼ଣା ରଙ୍ଗା ମୁହଁଠୁ ସୁନ୍ଦର ସକାଳର ରଜୋସୂର୍ଯ୍ୟର ମନମତାଣିଆ ଚାହାଣି; ପ୍ରେୟସୀର କଳାବେଣାଠୁ ସୁନ୍ଦର ବକ-ସାରସ-ବିନ୍ଦୁମିଶା ଦୂର ଯମୁନାର ଜଳବେଣୀ ! ବନ୍ଧା ବାଡ଼କୁ ଡ଼େଇଁ ମଣିଷ ଚାଲିଗଲା । ଚେତନା ଉପରେ ଆସିଲା ଯେପରି ଗୋଟାଏ Super consciousness । ପୁଅଟି ନାଁ ରଖିଲା ସୂର୍ଯ୍ୟ, ଝିଅ ନାଁଟି ଦେଲା ଯମୁନା । ମଣିଷ ଆଁ କରି ଦେଖିଲା, ନଈକୂଳର ପଥୁକିଟି ପରି ଆଁ କରି । ମଣିଷର ସେ ଉଲ୍ଲାସ ଦେଖିବାକୁ ମନ ହୁଏ । କଅଣ ସେ କଲା । ତାପରେ ସୁନ୍ଦରର ପୂଜା । ଶିଳ୍ପୀ ମନ ଚାହିଁଲା ସାକାର ଭିତରେ ନିରାକାରକୁ ପୂଜିବାକୁ । ଦେବତାକୁ ଡରି ବୃଦ୍ଧ ଦେଲା ବଳି । ଦେବତାକୁ ଭଲ ପାଇ ତରୁଣୀ ରଚିଲା ହାର—ଡରିହରି ନୁହେଁ; ଭଲ ପାଇ । ସୁନ୍ଦର, ସବୁ ସୁନ୍ଦର, ଆଉ ସୁନ୍ଦରର ଠୁଳ ଦେବତା ସବୁ ସୁନ୍ଦରିମା ଉପରେ । ଉଜାଡ଼ି ଦିଅ ସଉକି ଫୁଲ ବଗିଚାର ଫୁଲ, କଦଳୀ ବାରିର କଦଳୀ, ହାତଗଢ଼ା ସବୁ ଫୁଲ ଫଳ । ଶଙ୍ଖ ଫୁଙ୍କ, ଦେବତାଙ୍କ ପୂଜା ହେଉ ।

 

ଖାଲି ଡର ଆଉ ସ୍ନେହ ମିଶା ଦେବତା ହେଲେ ନଟ ଛିଣ୍ଡିଯିବ; ଏତେ ଜଟିଳ ହେବନାହିଁ-। ପଥୁକି ଆଜି ଦେଖୁଛି—ସେ ପାରିରେ ନେଳୀ ପାହାଡ଼; କାଲି ଦେଖିବ, ସେ ପାଖରେ ନାଲି ସଡ଼କ । ଯାହା କିଛି ରହିଲା ଅଚିହ୍ନା ଅମଡ଼ା, ତାରି ଉପରେ ମଣିଷର ଦେବତା । ଥରେ ହାତମୁଠାରେ ପାଇଲେ ମୋହ ତୁଟିଯାଏ । ଯେ ପର୍ଯ୍ୟନ୍ତ ପାଖେ ପାଖେ ଥାଇ ଦୂରକୁ ଦୂରକୁ ଘୁଞ୍ଚି ଯାଉଥାଏ, ସେତେ ଦିନ ଦେବତା, ସେତେଦିନ ପୂଜିବାକୁ ମନ ବଳୁଥାଏ । ତେଣୁ ଠାକୁର ସବୁଦିନେ ଅଛିଣ୍ଡା-

 

ଯେତେ ଦିନ ପର୍ଯ୍ୟନ୍ତ ଜଣାଥିଲା, ଭିନ୍ନ ଭିନ୍ନ ରୋଗ ଗୋଟିଏ ଗୋଟିଏ ଶକ୍ତି, ଲୋକେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଣା ଢାଳୁଥିଲେ । ରୋଗର ଔଷଧ ହେଲା, ବାଡ଼ି ଠାକୁରାଣୀଙ୍କର ପଣା ମାଟି ହେଲା । ମେଘଠୁଁ ରକ୍ଷା ମିଳିଲା କୋଠାଘର ତଳେ, ଛତା ତଳେ, ବର୍ଷାତି ତଳେ । ନାଳର ଆଶ୍ରୟରେ ମେଘର ପୂଜା ଡରିହରି ନ ହୋଇ ଯେ ଇଚ୍ଛା କଲେ ଖୁସିରେ ଭଲ ପାଇ କଲେ-

 

କିନ୍ତୁ ଦେବତା ତୁଟିଲେ ନାହିଁ । ଆହୁରି ଅନେକ ବାକି । ଶେଷ ବାକି ମରଣ । ମରଣକୁ ଜିଣିଲେ ପ୍ରକୃତ ଠାକୁର ପୂଜା ହେବ, କାରଣ ପୂଜାରୁ ଆଦିମ ପଶୁ ପ୍ରବୃତ୍ତିର ଯେଉଁ ‘‘ଭୟ’’ ଭାବ ରହି ଆସିଛ, ସେ ଉଭେଇ ଯିବ । ମଣିଷ ଖୁସି ହେଲେ ପୂଜା କରିବ, ନ ହେଲେ ନାହିଁ । ଖାଲି ମରଣ ମଧ୍ୟ ନୁହେଁ; ମଣିଷ ଯେଉଁଦିନ ଯାହା ଇଚ୍ଛା କରିବ, ତା କରି ପାରିବ । ସେଦିନ ଡରର ଠାକୁର ବୁଜୁଳି ବାନ୍ଧି ଖସିବେ; ସ୍ନେହର ଠାକୁର, ହୃଦୟର ଠାକୁର ଆସିବେ; ମଣିଷ ଠାକୁରକୁ ନିଜର ଦରକାର ଲାଗି ପୂଜିବ ନାହିଁ, ପୂଜିବ ମନ ଖୁସିରେ, ପୂଜିବ ଭଲ ପାଇ ।

 

ମଣିଷକୁ ଗଢ଼ିଲା ବେଳେ ଭଗବାନ ଦେଲେ ତାକୁ ଅଛିଣ୍ଡାର ଗୋଟାଏ ଗୁଣ । ହୁଏତ ଏଇ ଗୁଣ ପାଇଁ ମଣିଷ ଭଗବାନଙ୍କର ଏତେ ନିକଟ । ଆଶାର ସୀମା ନାହିଁ, ଚେଷ୍ଟାର ତ୍ରୁଟି ନାହିଁ, କାହିଁକି ? ବାବାଜି କହିବେ, ତୃଷ୍ଣା–ତୃଷ୍ଣିକା ତରୁଣାୟତେ’ ଅତି ଖରାପ ! ମଣିଷର କଳଙ୍କ ! ଷାଠିଏ ବର୍ଷର ବୁଢ଼ୀ, ଗୋଟାଏ ଗୋଡ଼ ସେ ପାରିରେ; ତଥାପି ଲୋଭ ତା’ର ତୁଟି ନାହିଁ, ନଇଁପଡ଼ି କଣ୍ଡିଆରୁ ସୋରିଷ ତୋଳୁଛି ।

 

କିନ୍ତୁ ଏଇ ତୃଷ୍ଣା ମଣିଷ ଜାତିକୁ ଜିଅନ୍ତା କରି ରଖିଛି । ମାୟା ତୁଟିଲେ ସବୁ ସରିଲା, ତୃଷ୍ଣା ନିଭିଲେ ଆଲୁଅ ନିଭିଲା । ପରିଶ୍ରମ, ଉଦ୍ଦେଶ୍ୟ ପାଇଁ ଅଣ୍ଟାଭିଡ଼ା, ଏଇ ତ ବାହାଦୁରୀ । ଯେଉଁ ବୁଢ଼ା ଆଖି ବୁଜିଲା ବେଳକୁ ହିସାବପତ୍ରର ସନ୍ଧାନ ନିଏ, ଘର ବୁଝେ, ରୋଜଗାରର ଉପାୟ ଚିନ୍ତା କରେ, ସଂସାରୀ ହେଲେ ବି ସେଇ ବାସ୍ତବିକ ବଞ୍ଚିଛି । ହାତରୁ କଲମ ଖସି ନାହିଁ, ଶିଳ୍ପୀ ମରି ସୁଦ୍ଧା ବଞ୍ଚିଛି । ସେ ପାରିର ଧାରଣାରେ ହୁଏତ କଲମ ହାତରେ ଧରି ଶିଳ୍ପୀ ବଞ୍ଚିଛି । ବିଶ୍ରାମ ଅର୍ଥ ମରଣ । ଆଗ ମାଡ଼ି ଚାଲିବାକୁ ହବ, ଝଡ଼ତୋଫାନ ପରି, ନଈ ପରି । କାମ ନିଜେ ହିଁ ଶାନ୍ତି ।

 

ଏ କଥା ସେ ବୁଝେ, ତେଣୁ ଆଗ ମାଡ଼ି ଚାଲେ । ବୁଝି ନ ବୁଝିବାକୁ ଉପାୟ ନାହିଁ । ସେଇ ଗୋଟାଏ କୁହାଟ ସେ ଶୁଣେ–

 

“ଚେ-ଏ-ଏ ତ !”

 

ତେଣୁ ଆଜିକାର ପଖାଳ କାଲିକୁ ଲାଗେ ବାସି; ଆଜିକାର ଘର କାଲି ଲୋଡ଼େ ଗୋଟିଏ ଖୁଣ୍ଟି । ମାଟି ବଞ୍ଚେ, ବଢ଼େ । ଜଙ୍ଗଲ ହୁଏ ସୁନ୍ଦର; ପୁଣି ସହର ଭଙ୍ଗା ହୁଏ । ଭଙ୍ଗାଗଢ଼ା ଉଭୟ ନ ରହିଲେ ମଜା କେଉଁଠି ?

 

ସେହି କାରଣରୁ ଦିନୁ ଦିନ ଠାକୁର ବଦଳୁଛି । ସବୁ ତ ଚକର ଭଉଁରୀ ଖେଳ । ଠିଆ ହେବାକୁ, ବସି ଭାବିବାକୁ, କୌଣସି ଜିନିଷକୁ ସୀମା ବୋଲି ମାନି ନେବାକୁ ଆଦୌ ଛୁଟିନାହିଁ । ନୂଆ ଆଦର୍ଶ ଆସେ, ଶିଳ୍ପୀ ଗଢ଼ି ଚାଲେ ।

 

ମଣିଷ ଦେବତାକୁ ପାଇଲା ଅଛୁଆଁ ଆଦର୍ଶର ସେ ପାରିରେ । ଯେତେ ବୋଝ ମାଟି ସେ ମୁଣ୍ଡେଇଛି, ଯେତିକି ବୋଝକୁ ତା’ର ଯୁ ପାଇବ, ତା’ଠୁ ଆହୁରି ବେଶୀ ତା’ର ଇଚ୍ଛା । ସେ ବଳୁଆ ହବ, ପାହାଡ଼ ଉପାଡ଼ିବ, ସେଇ ଆଡ଼କୁ ସେ ଝୁଙ୍କି ଚାଲେ । ବଳ- ଆଦର୍ଶର ଦେବତା ଗଢ଼େ- “ଭୀମ,” “ହନୁମାନ”, “ବଳଦେବ” । ସେଇ ବଳରେ ସେ କୀଚକକୁ ମାରିବ, ଗନ୍ଧମାଦନ ଉପାଡ଼ି ଆଣି ଉଡ଼ିବ, ପୁଥିବୀକୁ ଟେକିବ ଲଙ୍ଗଳ ଅଗରେ । ରୂପର ଦେବତା ତା’ର କନ୍ଦର୍ପ, ବିଦ୍ୟାର ଦେବତା ସରସ୍ଵତୀ, ଶକ୍ତିର ଦେବତା ଦୁର୍ଗା ।

 

ସେ କଅଣ କୌଣସି ଠାକୁରକୁ କଳି ପାରିଛି ? ଯେଉଁଦିନ କଳିବ, ସେ ଦିନ ସେ ଠାକୁରକୁ ଫିଙ୍ଗିବ ଢିଙ୍କିଶାଳରେ, ଆହୁରି ଗୋଟିଏ ଠାକୁର ରଖିବ ଆସ୍ଥାନରେ–ଯେ ତାଠୁଁ ଆହୁରି ଚୌଦପା ଉଞ୍ଚ । ନଈ ସେ ପାଖର ନେଳି ପାହାଡ଼ର ରେଖା ଉଭେଇ ଗଲା; ତା ପରେ ସେ....ନାଲି ସଡ଼କ ।

 

ଠାକୁର କଳ୍ପନାରେ ତିଆରି, ଏ କଥା ଖୁବ୍‌ ସତ; କିନ୍ତୁ ଯେ କହେ ଠାକୁର ମିଛ, କାହିଁକି ନା କଳ୍ପନାର absolute ନାହିଁ, ଅତଏବ ଠାକୁରର ପ୍ରତି ଅଣୁ, ପ୍ରତି ପରମାଣୁ ଖାଲି ମିଛ, ତୁଚ୍ଛା ମିଛ, ସେ ମୂର୍ଖ । କାରଣ ସେ ନିଜେ ନିଜକୁ ଅସ୍ଵୀକାର କରୁଛି, ନିଜେ ନିଜର ଗୋଡ଼ରେ କୁରାଢ଼ି ମାରୁଛି । କଳ୍ପନା କେବେ ମିଛ ହୋଇପାରେ ? କଳ୍ପନା ଅନ୍ଧରାରେ ଆଲୁଅ, ନଈ ସେ ପାରିର ଦିଗ୍‌ବଳୟ । କଳ୍ପନା ଆଦର୍ଶ ଗଢ଼େ, ଯାହାରି ଆଡ଼କୁ ପ୍ରତି ମଣିଷ ପ୍ରତି ମୁହୂର୍ତ୍ତରେ ଆଗେଇ ଚାଲିଛି-। କଳ୍ପନା ମଣିଷର ମନଗଢ଼ା, ଏ କଥା ସୁଦ୍ଧା ମିଛ । କଳ୍ପନା ଶୁଭ ମୁହୂର୍ତ୍ତରେ ଗୋଟାଏ ଦିବ୍ୟ ଦୃଷ୍ଟି (revelation) । ଗୋଟାଏ ଦୁଆର ଖୋଲେ, କବାଟ ସେ ପାଖେ ଦିଅ (latent possibilities) । ଏମିତି ଲକ୍ଷ ଲକ୍ଷ କୋଟି କୋଟି ପଡ଼ିଛି, ଗୋଟାଏ ତହିଁରୁ ଦିଶିଲା ।

 

ମିଛ ସତର ପ୍ରମାଦ ଏଥିରେ ନାହିଁ । କିଛି ମିଛ ନୁହେଁ, କିଛି ସତ ନୁହେଁ । ଦେଖିବା ଉପାୟ, ଦେଖିବା ଧରଣ ଉପରେ ସବୁ ନିର୍ଭର କରିଥାଏ । ତେଣୁ କଳ୍ପନା ସତ । ନଈ କାଣ୍ଡିଆରେ ଅନ୍ଧାର ରାତିରେ ଚିର୍ଗୁଣୀ ଆଲୁଅ ସତ; ଏକୁଟିଆ ପଥୁକି ଆଗରେ ଦୂରର ଆଲୁଅଟି ସତ । ଜଣେ ଲୋକଠୁଁ ଆଉ ଜଣେ ଲୋକର consciousness ବଦଳି ଥାଏ, ଏତିକି ଯାହା । କାହାରି ଅନୁଭୂତି ଆଉ କେହି ବୁଝି ନ ପାରେ; କିନ୍ତୁ ମିଛ ବୋଲି କହିବା ମୂର୍ଖତା ।

 

ସେଇ ଆଦର୍ଶ ଲାଗି ମଣିଷ ନିଜକୁ ନିଜେ ପୂଜା କରେ; ତାଠୁ ବଳି ପୁଣ୍ୟ ଆଉ କଅଣ ଅଛି ? ଚଳନ୍ତି ଶଗଡ଼ ନିଜକୁ ନିଜେ ପୂଜା କରେ, କେଁକଟର କରି ମନ୍ତ୍ର ପଢ଼େ । କହେ–‘‘ହାଁ ଭାଇ–ଆଗକୁ–ହେଇଁଓ–ହଁ ଆଗକୁ ।’’ ଚାଲିଥାଉ ।

 

କିନ୍ତୁ ସେଥିପାଇଁ ତା’ର ପୂଜା ଏତେ ଛୋଟ ନୁହେଁ । ଶଗଡ଼ ଯେ ଟାଣୁଛି, ତାକୁ ଆମର ଦେଖିବା ଦରକାର ନାହିଁ, ତାରି ବେଗ ନିଜ ଭିତରେ ନିଜେ ବୁଝିପାରିବା ସୁଦ୍ଧା ଅସମ୍ଭବ ନ ହେଲେ ବି କଷ୍ଟ । ଖାଲି–‘‘ମାଡ଼ି ଚାଲୁ ।’’ ଚାଲିବା ହିଁ ସଭ୍ୟତା, ଚାଲିବା ହିଁ ସୁଖ ଜୀବନର ଧର୍ମ ।

 

ନିଜର ଆଦେଶ ନିଜେ ପୂଜିବ । ସେଥିରେ ବିଚିତ୍ରତା କଅଣ ଅଛି ? ନିଜର ଘର ନିଜେ ଓଳାଇବ, ନିଜର ପାଠ ନିଜେ ପଢ଼ିବ, ନିଜର ଇଚ୍ଛା ନିଜେ ଠିକ୍‌ କରି ସେ ଉଦ୍ଦେଶ୍ୟକୁ ଧରି ଆଗକୁ ଗଡ଼ି ଚାଲିବ । ସବୁ ଅଭିପ୍ରାୟର ଅସୀମ ଆଡ଼କୁ; ମରୁ ବା ବଞ୍ଚୁ; ସେଥିରେ କ୍ଷତି ନାହିଁ । ସେଇ ତ ଅସଲ ପୂଜା । ମଣିଷ ନିଜ ଛଡ଼ା ଆଉ କାହାକୁ ଏ ସଂସାରରେ ଦେଖେ ? ନିଜର ଆଖି, ନିଜର Sense, ନିଜର ମନ; ସେଇ ତ ତା’ର ସରଞ୍ଜାମ । ସାରା ଜୀବନ ମଣିଷ ନିଜ ସାଙ୍ଗେ ଲୁଚୁକାଳି ଖେଳେ, ନିଜ ସାଙ୍ଗେ କଥା କହେ, ଏ ନିଜ ବାହାରକୁ ଚାଲିଗଲେ ତା’ର ସଂସାର ସରିଲା । ହସକାନ୍ଦର ସବୁ ‘‘ମୁଁ’’, ତେଣୁ ଏ ପୂଜା ସାର୍ଥକ । ଏପରି (Fagan) ଆଦର୍ଶ ସମସ୍ତେ ମାନନ୍ତି ନାହିଁ କହିଲେ ଠିକ୍‌ ହେବ ନାହିଁ । କାହା ମନ ‘ଆହୁରି-ଆହୁରି–’ ଲାଗି ହାଇଁପାଇଁ ନ ହୁଏ ? କେହି ଆଦର୍ଶକୁ ସାକାର ରୂପେ ପାଇବାକୁ ଭଲପାଏ, କିଏ ବା ଖାଲି ଆକାଶକୁ ଅନାଏ । ପୂଜାଟା ତ ହେଲା ଠାକୁରଙ୍କ ଅସୀମ ସ୍ୱରୂପ ଲାଗି । ସେଇଟାକୁ ସବୁବେଳେ ମନ ଆଗରେ ରଖିବାକୁ ମୂର୍ତ୍ତି ହେଉ, ସେ ତ ବରଂ ଭଲ । ଏଣେତେଣେ ନ ଚାହିଁ ଏତେ ଅସୀମ ଠାକୁରଙ୍କ ଭିତରେ ଗୋଳମାଳ ଗୋଳଘାଣ୍ଟ କରି ସୀମାଦିଆ ସାକାର ଠାକୁରଙ୍କୁ ସଙ୍କେତ ପରି ରଖିଲେ ଖୁବ ଭଲ ତ । ଆମର ମୂର୍ତ୍ତି ଖାଲି ସ୍ମାରକ ନୁହନ୍ତି, ଆମର ମୂର୍ତ୍ତି ବୈଜ୍ଞାନିକର ସୂତ୍ର (Formula) ।

 

ବର୍ଣ୍ଣାଡ଼ଶ ଠିକ୍‌ କହିଛନ୍ତି, ‘‘ହୁସିୟାର ବାବା, ସେ ଲୋକକୁ, ଯାହାର ଠାକୁର ଥାଆନ୍ତି ଶୂନ୍ୟରେ !’’ ଠାକୁର ତ ଆମରି ଭିତରେ । ଯାହା ଠାକୁର ଶୂନ୍ୟରେ, ତା’ର କିଛି ଠିକ୍‌ ନାହିଁ, ତା’ର କୌଣସି ଗତ ନାହିଁ, ମିଞ୍ଜାସ ବିଗଡ଼ା । ବରଂ Pagan classism ଭିତରେ ଗୋଟାଏ ବୁନିଆଦି ଢଙ୍ଗ ମିଳେ, ଯାହା ଅନ୍ୟଠି ନଥାଏ । ତା’ର ହଟଚମକ, ତା’ର Sublimity ନିଆରା ।

 

ସାକାର ପ୍ରତିମା ଲାଗେ ଯେପରି ଅତି ପରିଚିତ ନିଜ ମଣିଷଟି ପରି । ମଣିଷ ଭୁଲ କରେ, କରୁ; ଭୁଲ ବୁଝେ ବୁଝୁ; ପ୍ରତିମାକୁ ଲୁଗା ପିନ୍ଧାଏ, ଚନ୍ଦନ ମଖାଏ, ସଙ୍କେତଟି, ସୂତ୍ରଟି ଛାଟ ଧରି ବସେ ଗାଡ଼ି ଆଗରେ; ସଂସାର ଗଡ଼ି ଚାଲେ । ନିଜକୁ ନିଜେ ଏକାଠି ଠୁଳ କରିଛି, ନିଜକୁ ଚିହ୍ନିବାକୁ ଭୁଲ ଭିତରେ ଭୁଲକୁ ଧରା ଦେଇ ସତକୁ ଆଦରିଛି । ଖୁସିବାସିଆ ଲୋକପାଇଁ ଏଇ ଖୁବ ଭଲ ।

 

ପ୍ରତିମା ହସେ, ପ୍ରତିମା ଗୋଳ କରେ–ଭକ୍ତ ସବୁ ଦେଖେ । ଭକ୍ତ ପୂଜା କରେ, ପ୍ରତିମା ପୂଜା ଘେନେ । ଠାକୁର Evolutionର ଏ ଦ୍ଵିତୀୟ ସ୍ତର । ଯେଉଁ ବିଶିଷ୍ଟ ସଂକେତ ଏ ଠାକୁରଠି ଥିଲା, ଭକ୍ତ ତାକୁ ପାସୋରିଛି । ସେ ବିଶେଷ ଗୁଣ, ସେ ବିଶେଷ ଆଦର୍ଶ ପରିବର୍ତ୍ତେରେ ଭକ୍ତ ଦେଖୁଛି, ସବୁ ଗୁଣମିଶା ଗୋଟିଏ ଠାକୁର, ଠିକ୍‌ ମଣିଷ ପରି । ପୂଜା ହେଲାଣି ଶ୍ରେଷ୍ଠ, ସ୍ନେହ ସମ୍ମାନମିଶା ମାୟା ହେଲାଣି ଅସଲ, ବୁଦ୍ଧ ମୂର୍ତ୍ତି ପାଲଟିଲାଣି ଦୁର୍ଗା ମୂର୍ତ୍ତି, ଅହିଂସା ପରିବର୍ତ୍ତରେ ନିର୍ଦ୍ଦୋଷ ପଶୁ ରକ୍ତରେ ସ୍ନାନ କଲାଣି । କେହି ପଚାରେ ନାହିଁ, ‘ଦୁର୍ଗା’ ର ସଙ୍କେତ କଣ, ହନୁମାନ କି ଆଦର୍ଶର ଠୁଳ ବିଗ୍ରହ ? ପରୀକ୍ଷା ଦିନ ପାଖ ହେଲେ ଛାତ୍ରଛାତ୍ରୀ ହନୁମାନଙ୍କ ସିନ୍ଦୁର ଲଗାନ୍ତି, ଭକ୍ତିର ଆତିଶଯ୍ୟରେ ଖେଳ ସମୟ କଟାନ୍ତି ପୂଜା ଅର୍ଚ୍ଚନାରେ । ପୁଣି ମାମଲାବାଜ ମାନସିକ କରେ, ମକଦମାରେ କେମିତି ଜିତିବ । ଠିକ୍‌ ମାନସିକ କରେ, ‘‘ଏ ଠକେଇ ମାଲ ଭଡ଼ାକ କେମିତି ସୁରୁଖୁରୁରେ କଟିଗଲେ-’’

 

ଏ ସ୍ତରର ଠାକୁରଙ୍କର ଉଦ୍ଦେଶ୍ୟ ବଦଳିଲାଣି । ଠାକୁର ଆଦର୍ଶରୁ ପାଲଟିଲେଣି ଆଶ୍ରୟକୁ । ଏଠି ମଣିଷ ନିଜକୁ ପୂଜୁ ନାହିଁ–ନିଜର ଇଚ୍ଛାକୁ ଆଦରି ପୂଜୁଛି ଉଡ଼ା ଆକାଶକୁ, ପୂଜୁଛି ଗୋଟାଏ ଆଶ୍ରୟକୁ ।

 

ଆଶ୍ରୟର ପୂଜା ସୁଦ୍ଧା ଏତେ ହେୟ ନୁହେଁ । ଯେପର୍ଯ୍ୟନ୍ତ ପାରେ ସେପର୍ଯ୍ୟନ୍ତ ଲୋକ ଲଢ଼େ, ତାପରେ ଖୋଜେ ଗୋଟାଏ ଆଶ୍ରୟ । ଏ ଆଶ୍ରୟ ଆଦରିବା ଭିତରେ ସୁଦ୍ଧା ଅଛି ଆଦର୍ଶର ପୂଜା । ରୋଗରେ ମଣିଷ ଭଗବାନଙ୍କୁ ସ୍ମରଣ କରେ । କାହିଁକି ନା, ସୁସ୍ଥ ଥିବାଯାକେ ଆଶ୍ରୟ ସେ ଲୋଡ଼େ ନାହିଁ ।

 

ରୋଗରେ, ଦୁଃଖରେ ସେ ଜଣକର ସାହାଯ୍ୟ ଲୋଡ଼େ । କାହାରିକୁ ନ ପାଇ ସେ ଭାବେ–‘‘ତେବେ କଅଣ କେହି ନାହିଁ ? କାଳେ କିଏ ଥିବ, ମୋର ଅଜଣା ଅଶୁଣା, କାଳେ ମୋତେ ଉଧାରିବାକୁ ଆସିବ କାହାର ଅଦେଖା ହାତ, କାଳେ ।’’

 

‘ଏଇ କାଳେ-’ ଉପରେ ତା’ର ଆଶ୍ରୟର ପରିକଳ୍ପନା, ଆଶା ଉଚ୍ଛ୍ୱାସରେ ତିଆରି ତାର ଏ ଭଗବାନ, ଶିଳ୍ପୀ ମନର କଳ୍ପନାରେ । ଆଘାତରୁ କବିତା ବାହାରେ, ସ୍ଵପ୍ନର ରାଇଜ ରଚି ବୁଲେ, ତାରି ଭିତରେ ଦେବତା ।

 

ମଣିଷର ଆଶା ଉଚ୍ଛ୍ୱାସ, ଆଦର୍ଶ ସ୍ଵପ୍ନଗୁନ୍ଥା ଅସମାପିକାର ମାଳାରେ; ତେଣୁ ଭଗବାନ ଚିରଦିନ ରହିବେ, ଖାଲି ନାଁ ବଦଳୁଥିବ । ଆଦର୍ଶ ତ ଯୁଗକୁ ଯୁଗ ଚହଲେ । ଆଶ୍ରୟ ସେ ସବୁଦିନେ ଖୋଜୁଥିବ, ସବୁଦିନେ ଚାହୁଁଥିବ, ଏ ମୁଣ୍ଡବୁଲା ଚକ ଉପରୁ ଖସି ଗୋଟିଏ କେଉଁଠି ସ୍ଥିର ହୋଇ ବସି ଘଡ଼ିଏ ଦମ୍‌ ନେବାକୁ; ତେଣୁ ଭଗବାନ ରହିଥିବେ ।

 

‘‘ନୀଳାଚଳେ ଜଗନ୍ନାଥ

ଯୁଗେ ଯୁଗେ ବିରାଜିତ ।’’

 

ଠିକ୍‌ କଥା ! ଯେତେଦିନ ଯାକେ ଦିଗ୍‌ବଳୟ ଥିବ, ଖାଲି ଧାରଣା ପୃଥକ୍‌ । ଦୁର୍ଗା ପରିବର୍ତ୍ତରେ ଶିବ, ରାମ ପରିବର୍ତ୍ତରେ କୃଷ୍ଣ, ନୋହିଲେ ନିରାକାର ପରିବର୍ତ୍ତରେ ସାକାର, ଛବି ପରିବର୍ତ୍ତରେ ମୂର୍ତ୍ତି, ନୋହିଲେ କାଠର ଠାକୁର ପରିବର୍ତ୍ତରେ ମଣିଷର ଠାକୁର; କିନ୍ତୁ ଏ ଶେଷ କଥାଟି ସତ ନ ହୋଇପାରେ, କାରଣ ଠାକୁର ଯେ ହେବ, ସେ ସବୁ ସୀମାର ସେପାଖର; ଅତଏବ ମଣିଷ ପରିବର୍ତ୍ତରେ ରୁଷ ଦେଶରେ ଯେପରି, ସେହିପରି ‘ମାନବ-ଧାରଣା’ ଠାକୁର ଗାଦିରେ ବସିପାରେ ।

 

ଯୁଗ ଦେଖୁଛି, ଆଦର୍ଶ ଆଦର୍ଶ ଭିତରେ କଜିଆ ଲାଗି କେତେ ନାଆ ଡୁବୁଛି, କେତେ ଦେଶ ଖତମ ହେଉଛି । ଭଙ୍ଗାଗଢ଼ା, ସେତିକି ତ ବଞ୍ଚିବାର ମଜା । ଦିଗ୍‌ବଳୟ ତଳେ କେତେ ସୀମା–ଘୁଞ୍ଚୁଛି; ଆଗକୁ ପଛକୁ । ଏ ଯୁଗ ଦେଖିଲା ସେ ପାଖେ ଗୋଟାଏ ନେଳିଆ ଗାର, ସେ ଯୁଗ ହୁଏତ ଦେଖିବ ନାଲିଗାର ।

 

ଦୁର୍ଗା ପୂଜା, ସେଦିନର ସଇନୀ; ସେଦିନର ହତିଆର ପୂଜା–ଆଜିକାର ମୂର୍ତ୍ତି ପୂଜା । ଏଇ ମାଟିର ମୂର୍ତ୍ତି କେତେଟା ଦିନରେ ବା ପାଣିରେ ଉଭା ହେବେ, ତାରି ଭିତରେ ଏତେ ଚହଳ । ଗୋଟାଏ ମୂର୍ତ୍ତିରେ କେତେ ଆଦର୍ଶର ଧାରଣା । କିଏ ଖୋଜୁଛି ଶକ୍ତି, କିଏ ମନାସୁଛି ମିଠାଇ, କିଏ ଚାହୁଁଛି ଚାକିରୀ, କିଏ ଖୋଜୁଛି ସନ୍ତାନ ।

 

ଶିଳ୍ପୀ କିଛି ଖୋଜେ ନାହିଁ, ଖାଲି ହସେ । ଏଇ ମାଟିର ମୂର୍ତ୍ତି ତ ତାରି ମନଗଢ଼ା, ତାରି ମନ ଉପରେ ସେଦିନ ଅଜାଣତରେ କିଏ ଉଭା ହେଲା, ତାରି ସ୍ଵପ୍ନ ଭିତରେ ଆପେ ଆପେ କିଏ ବିଜେ କଲା । ଶିଳ୍ପୀ ଚାହିଁ ଦେଖିଲା–‘‘ଦୁର୍ଗା’’ । ସବୁ ଦୁଆର ଖୋଲା, ଥରି ଥରି ବାଜି ଉଠିଲା କାହାର ଆଗମନୀ ।

 

ଆଉ ଆଜିକାର ସମ୍ଭାର ଭିତରେ କେତେ ସୁନ୍ଦରିମା ସେ ଦେଖେ । କେତେ ମୁହଁ, ଛୋଟ, ବଡ଼, କଅଁଳ, କାଠ, ଗୋରା, କଳା, କୁଞ୍ଚକୁଞ୍ଚ ବାଳ, ଚନ୍ଦା ମୁଣ୍ଡ ।

 

ଦେବୀ ଆଗରେ ସମସ୍ତେ ସୁନ୍ଦର, ଅଜଣାର ଉଲ୍ଲାସ ପଡ଼ିଛି ମୁହଁରେ । ଆଦର୍ଶର ଅସମାପିକ ଛନ୍ଦ ବାଜୁଛି, ହୃଦୟର ଗୋପନ ତନ୍ତ୍ରୀରେ, ତେଣୁ ସୁନ୍ଦର । ସତେ କି ସେପାରିର ଚେନାଏ ଛବି ଖସିଛି ଏତେ ଲୋକଙ୍କ ମୁହଁରେ, ରଙ୍ଗମିଶା ନେଳି ଆକାଶର ବକସାରସ ମିଶା ବାଙ୍କୁଲି ନଈର ସେ-ପାରିର କାଶ-ପଠାର ।

 

ସବୁ ମୁଣ୍ଡ ନଇଁ ଆସେ, ହେଉ ପଛେ ଆଦର୍ଶ ଅଲଗା, ‘ମାନସିକ’ ଅଲଗା; ଆଦର୍ଶ ତ ଅଛି । ସବୁ ତ ଅଲଗା, ଦେଶକେ ଫାଙ୍କ ନଈକେ ବାଙ୍କ । ସେଥିରେ ଥାଏ କ’ଣ ? ସାନାଇଁ କାନ୍ଦେ, ଶିଳ୍ପୀ ମନର ପ୍ରତୀକ ପରି, ଶିଳ୍ପୀ ନଇଁଯାଏ, ଫୁଲର ଆଞ୍ଜୁଳି ଫାଟି ପଡ଼େ । “ନିଜକୁ ପୂଜିବି, ଅସମାପିକା ତୁଲରେ ।’’ ଉଜାଡ଼ି ଦିଅ, ଉଜାଡ଼ି ଦିଅ, ସଉକୀ ଫୁଲ ବଗିଚା ଉଜାଡ଼ି ଦିଅ, ଜୀବନର ସମ୍ଭାର, ଦେବୀର ପୂଜା ହେଉ ।

 

ଶିଳ୍ପୀ ଆଖି ବୁଜେ ।

 

ଉଜ୍ଜ୍ୱଳ ଚିକ୍‌ ଚିକ୍‌ ଆଲୁଅରେ ଦେବୀର ନାଲି ଓଠ ଜୀବନ ପାଏ, ଦେବୀ ଗଳାରୁ ଖସେ ଫୁଲ ।

Image

 

ଛାଇ

 

ଛାଇ, ଛାଇ, ଦୁନିଆଗୋଟା ଯେମିତି ଖାଲି ଛାଇ ! ନିସ୍ତାର ନାହିଁ ସତେ କି କେଉଁଠି ! ପାହାନ୍ତି ପହର ପଖି ମେଳି ଯେବେ ଓହ୍ଲାଇ ଆସେ, ଶିଳ୍ପୀ ନିଦୁଆ ଆଖିରେ ଦେଖେ–କେତେ ଆଲୁଅର ଢଙ୍ଗ-ବଦଳି । ସକାଳର କୁହୁଡ଼ି ପକାଏ ଛାଇ, ସବୁ ଢାଙ୍କି ରଖେ । କଅଁଳା ସୂର୍ଯ୍ୟ ଦେବଦାରୁ ବାଡ଼ ଉହାଡ଼େ ଉଙ୍କିମାରେ । ପୋଖରୀର ଥରିଲା ଥରିଲା ପାଣି ଉପରେ ପଡ଼େ ଲମ୍ବା ଲମ୍ବା ଛାଇ । ସେଠି ଆଲୁଅ ନାହିଁ, ଅନ୍ଧାର । ସେଠି ଜୀବନ ନାହିଁ, ଅଛି ପ୍ରତିକୃତି । ସବୁ ଗୁଡ଼ାକ ଯେମିତି କାହାର ନୂଆ ବିକାଶ ! ପତ୍ରର ସାବ୍‌ଜା ରଙ୍ଗ ସେଠି ନାହିଁ, ଗଛର ଠାଣି ନାହିଁ; ରସ ନାହିଁ, କିଛି ନାହିଁ; ଖାଲି ଗୋଟାଏ ବିକୃତ ଆଭାସ–ଛାଇ !

 

ନି-ତି ପଡ଼େ । ଗଛର ଛାଇ ପୋଖରୀରେ, ପାହାଡ଼ର ଛାଇ ଜଙ୍ଗଲରେ । ଅରମାର ଧଳା ନାଲି ଫୁଲଫଳ ଦିଶେ ଛାଇରେ । ନାଲି ଦିଶେ ମଉଲା; ଧଳା ଦିଶେ ତୋରା । ୟା ଛାଇ ତାଠି; ତା ଛାଇ ୟା ଠି । ଦୁନିଆ ଗୋଟାକ ଖାଲି ଛାଇ !

 

କେତେ ଛାଇ ଆଖିକୁ ଦିଶୁଛି; କେତେ ଛାଇ ନ ଦିଶୁଛି । ନିମ୍ବ ଗଛର ଛାଇଟା ମିଶିଛି ଦେବଦାରୁ ଗଛ ଛାଇରେ । ଆଉ ସେ କିଆପତ୍ରର କଣ୍ଟାଏ କଣ୍ଟାଏ ଯେଉଁ ଛାଇ ଦିଶୁଛି, କିଏ ଜାଣେ, ସେ ଛାଇ କାହାର ?

 

କାହାର ଛାଇ ଜଣା ନାହିଁ; କିନ୍ତୁ ତାରି କତି କତି ଯିବା ଆସିବା, ବୁଲଚାଲ ଜୀବନସାରା-!

 

‘‘କାହାର ସେ ଛାୟା ଜାଣେ ନା ମୁଁ ହରି

ଯାପିବି ଜୀବନ ତାରେ ଅନୁସରି ।’’

 

ମନ ଅଣ୍ଡାଳୁଛି, ପାଉ ନାହିଁ । ଏ ସଂସାରରେ କେତେ କଥା ନ ଘଟିଛି ? କେତେ ଲୋକ, କେତେ ଗଛଲଟା ନ ଉପୁଜିଛନ୍ତି ? ନ ଉପୁଜିବେ ବା ? ସମସ୍ତେ ତ ଛାଇ ପକାଇଥିବେ; ତା’ର ସମଷ୍ଟି ଗଲା କାହିଁ ? ସଂସାରରେ ଯେତେ କଥା, ସବୁ ଛକାଛକି; ଜଣକୁ ଜଣେ । ଏକୁଟିଆ ନିଛାଟିଆ ହୋଇ ରହିଛି କିଏ ? ଆମ ଆକାଶରେ ଯେମିତି ଗୋଟିଏ ସୂର୍ଯ୍ୟ ତାରି ଆଲୁଅର ତାରତମ୍ୟ ଅନୁସାରେ ସବୁରି ଛାଇ । ସବୁ କରଣି, ସବୁ ସର୍ଜନ ସେ ପାଖେ ହୁଏ ତ ସେମିତି ଗୋଟିଏ ରହିଛି ଶକ୍ତିର ସମଷ୍ଟି । ସେହି ଅନୁପାତରେ ଆମର ଛାଇ । ସେ ସୂର୍ଯ୍ୟ, କି ସେ ତାରା, କି ସେ ଚନ୍ଦ୍ର କି ସେ କେତେଜଣ ଶକ୍ତି ଉପଶକ୍ତିର କୌଣସି କୈନ୍ଦ୍ରିକ ସମଷ୍ଟି, ଏତେକଥା ଏ ସୃଷ୍ଟିର ବାଡ଼ ଡେଇଁ ଆମର ସୀମାଦିଆ ଆଖି ଧରିବାକୁ ନାରାଜ ନ ହେଲେ ସୁଦ୍ଧା ନିପାରଗ । କିନ୍ତୁ ଯାହା ଆମେ ଦେଖୁଁ ସବୁ ଜଣକା ଜଣ ଛାଇରେ ଛକାଛକି, ଛନ୍ଦାଛନ୍ଦି । ଅଣ୍ଡାଳି ଅଣ୍ଡାଳି ମନ ଭିତରେ ଆଲୋକି ବସିଲେ କେଉଁଠୁ କେଉଁ ଛାଇଟା ଆସିଲା, ସେ ବିଷୟ ଆମେ କେତୁଟା ଧରି ପାରିବା ସିନା, ସବୁ ତ ନୁହେଁ ! ଏ ଯୁଗର ସାହିତ୍ୟ ଉପରେ ଅମୁକ ଜାଗାରେ ରୁଷ ଦେଶର ଛାଇ ପଡ଼ିଛି । ବେଶ୍‌, ଗୋଟାଏ ହେଲା ! ଅମୁକଠି ପଡ଼ିଛି ଗଲା ଭଞ୍ଜଯୁଗର ଛାଇ । ଭଲ, ଦୁଇଟା ହେଲା । ଏମିତି ଗଣି ବସିଲେ କେତୁଟା ଛାଇ ସିନା ଆମେ ପାଇ ପାରିବା, ସବୁ ତ ନୁହେଁ । ଆଉ ଉଖାରି ଉଖାରି ଦେଖିଲେ କେଉଁଠି ଛାଇ ସରି ବାସ୍ତବିକ ଯୁଗର ଆତ୍ମା (Zeitgist) ଅଛି ତାର ସ୍ୱରୂପ କଅଣ, ଏ କଥା ସ୍ଥିର କରିବା ହେବ ଅସମ୍ଭବ । କେତେ ଖିଅ ଛାଡ଼ି ହୋଇଯିବ, କେତେ ଖିଅ ଆମର ଗୋଟା ଆଙ୍ଗୁଠି ସନ୍ଧିରେ ଖସିଯିବ, କେତେ ବୁଢ଼ିଆଣୀ ଜାଲ ଆଙ୍ଗୁଠିରେ ବାଜି ପରଶ ନ ଆଣି ହିସାବ ତାଲିକାରେ ସ୍ଥାନ ପାଇବ ନାହିଁ । ତେଣୁ ଏତେ ଫର୍ଦ୍ଦ ଛାଇ ଉଠାଇପାରିବା ଅସମ୍ଭବ । ଯାହା ଲୋକେ କହିବେ, ସେ କେବଳ ମୋଟାମୋଟି । ଅରମା ନଟାର ଫୁଲ କସରା କି ନାଲିଆ, ତା’ର ପ୍ରକୃତି କଅଣ, ଛାଇ ତଳେ ଅନେକ କଥା ଢଙ୍କା ପଡ଼ିବ ।

 

ତେଣୁ ଶିଳ୍ପୀ ଛାଇକୁ ଏତେ ଭଲ କରି ବୁଝିବାକୁ ଚେଷ୍ଟା କରେ । ସେ ବୁଝିଛି, ଯୁଆଡ଼କୁ ଚାହଁ, ଖାଲି ଛାଇ ! ପର ଭଳି, ପବନରେ ସ୍ତର ସ୍ତର କରି ଭାସି ଆସୁଥିବା ଉଡ଼ନ୍ତା ତୁଳା ପାରି ସେ ଯେଣିକି ଚାହେଁ, ତେଣେ ଆଖି ରୁନ୍ଧେ ୟା ତା ଛାଇ । ନିଜର ଭାବକୁ ଶିଳ୍ପୀ ଛାଇ ଭିତରେ ମିଶାଇ ଦିଏ । ନିଜର ପ୍ରେରଣାକୁ ଅବଲମ୍ବି ଛାଇରେ ଡୁବିଯାଏ । ତାପରେ ଗଢ଼ା କାମ ଆପେ ଆପେ ଚାଲେ । ସେଥିରେ ଯେତେ ଯୁଗର, ଯେତେ କାଳର, ଯେତେ କଳାର ଛାଇ ପଡ଼ୁ ପଛେ !

 

ଆଉ ଛାଇକୁ ଶିଳ୍ପୀ ହତାଦର କରିପାରେ ନାହିଁ । ଗଢ଼ାକାମରେ ଚୂନସୁର୍କି ପରି ଛାଇ ଯେ ତା’ର ଗୋଟାଏ ଆଦରର ଉପାଦାନ ! ଛାଇ ନ ଥିଲେ କଳା ଭିତରେ ଅର୍ଥ ସନ୍ଧିବ କିଏ ? ଆଲୁଅ ଅନ୍ଧାର ଫାଙ୍କେ ଫାଙ୍କେ ଝରଣାଟି ଯେତେବେଳେ ବହିଯାଏ, କେତେ ସର୍ଜନାର କୁହୁକ ଛାଇ ପଡ଼େ ତା’ର ଛାତିରେ । କାଳିଆ ହେଉ, ଅନ୍ଧାରୁଆ ହେଉ ଠାଏ ଠାଏ ମେଞ୍ଚା ମେଞ୍ଚା ଛାଇ ଝରଣାର ଚଳନ୍ତି ପାଣିରେ ଶବ୍ଦ ନ କରି କଥା କହେ । ସବୁ ଛାଇ ଏକାଠି ମିଶି କେତେ ପୋଷାକ ସୃଷ୍ଟି କରେ । କଳା ତାକୁ ଛାଡ଼ିପାରିବ ନାହିଁ । ଫାଙ୍କା ଆଲୁଅ ତଳେ ଏ ପାଖେ ଛାଇ ସେ ପାଖେ ଛାଇ କରି ଗୁଣର ଯେଉଁ ବିକାଶ ହୁଏ, ଊଣେଇଶ ବିଶ କରି ଏ ପାଖ ସେ ପାଖ ଭିତରେ ଯେଉଁ ସମ୍ବନ୍ଧମୂଳକ ସଂସ୍ଥିତି ରହେ, ତହିଁରେ ରୂପର ଯେଉଁ ସ୍ଥୂଳତା ଫୁଟି ଉଠେ, ଛାଇ ନ ଥିଲେ ସେତେକ ହୁଅନ୍ତା ନାହିଁ । ଛାଇ ଶିଳ୍ପୀର ତୂଳିର ରଙ୍ଗ; ଶିଳ୍ପୀ ତହିଁକୁ ବଡ଼ ହୁସିଆର !

 

ଶିଳ୍ପୀର ଆଖି ଆଗରେ ଠୁଳ ହୁଏ ଛାଇ । ତେଣୁ ଆଖିରେ ଚାହିଁ କୌଣସି କଥାର ସ୍ୱରୂପ ଘେନିବା ବେଳେ ଶିଳ୍ପୀ ଛାଇ ଭିତରେ ସବୁ ଦେଖିଥାଏ । କଣ୍ଵମୁନି ଆଶ୍ରମରେ ଶକୁନ୍ତଳା । ଖାଲି କଅଣ ଶକୁନ୍ତଳାକୁ ଦେଖିଲେ ଅନସୂୟାର ଛାଇ ପ୍ରିୟମ୍ବଦାର । କଣ୍ଵମୁନି ଆଶ୍ରମର କଅଁଳ ଗଛନଟାର ଛାଇ, ଗୁଣ୍ଠୁଣି ହାତୀପରି ଢଳୁଥିଲା । ଝଙ୍କା ଆମ୍ବଗଛ ‘‘ନୋମାଲିଆ’’ ଲତା ରୁନ୍ଧିଥିଲା ତା’ର ଗଣ୍ଠିଏ ଗଣ୍ଠିଏ ଡାଳେ ଡାଳେ ‘‘ପତର ଠେଲି ପାଖୁଡ଼ା ମେଲି’’ । ଫୁଲ ଗୋଟି ଗୋଟି ହସ ହସ ଆଖିରେ ଚାହିଁ ରହିଥିଲା ତା’ର ଛାଇ । ମହୁମାଛି ବୁଲୁଥିଲା ଏ କନ୍ଦି ସେ କନ୍ଦି । ସେଇ ମହୁମାଛି ଯାହାର ପରିଚର୍ଯ୍ୟାରେ ବାଳିକା ବ୍ୟତିବ୍ୟସ୍ତ ହେବାରୁ ପୌରବ ବୀରବିକ୍ରମରେ ହୁଙ୍କାର ଦେଇ ଶିଭ୍ୟାଲରୀ ଦେଖାଇ ବାହାରିଲେ । ପୁଣି ପାଣି ମାଠିଆର ଠାଣି ! ଦେହ ଉପରେ ଭାର ପଡ଼ିବାରୁ ଅଙ୍ଗସୌଷ୍ଠବର ଲଳିତ ଲାବଣ୍ୟ ! ଶିଳ୍ପୀ ଏତେକଥା ବାଦଦେଇ ଶକୁନ୍ତଳାଙ୍କୁ ଦେଖିପାରି ନ ଥିଲେ । ଏତେ କଥା ସବୁ ନିଜ ନିଜର ସମ୍ବନ୍ଧମୂଳକ ବ୍ୟକ୍ତିତ୍ଵ ହେତୁ ଛାଇ ପକାଉଥିଲା । ତେଣୁ ଶକୁନ୍ତଳାଙ୍କର ଯେତିକି ସ୍ଵରୂପ ଶିଳ୍ପୀ ଘେନିଲେ, ତା ଭିତରେ କେତେ ପଣ ଯେ ଅପର ପଦାର୍ଥର ଛାଇ, ସେ କଥା ଆପେ ଜଣାପଡ଼ୁଛି ।

 

ଶକୁନ୍ତଳାଙ୍କୁ ସେ ପରିସ୍ଥିତିରୁ ଉଠାଇ ନିଆଯାଉ । ଭିନ୍ନ ପରିସ୍ଥିତିରେ ରଖାଯାଉ, ଭିନ୍ନ ଛାଇ-ସମଷ୍ଟି ତଳେ । ଫଳ ଏକା ହେବ ନାହିଁ । ରାଜଦୁଆରେ ଋଷି-ସ୍ୟାପେରନ୍‌ (ଅଭିଭାବକ) ଘେନି ଶକୁନ୍ତଳା ମୂଳ ଶକୁନ୍ତଳାଠୁଁ ଭିନ୍ନ, କାରଣ ଛାଇ-ସମଷ୍ଟି ଅଲଗା ।

 

“ଓଳି ଘେନି କୋଳି, ତେଲାଉଣି ଘେନି ଚକୁଳି” ପରି ସ୍ଵରୂପ ଘେନିବା ବିଷୟରେ ଛାଇର ପ୍ରଭାବ ବାସ୍ତବ ଜୀବନରେ ପଡ଼ିଥାଏ । ନିଃଶବ୍ଦ ନିଶୁନ ସଞ୍ଜରେ ପୋଖରୀ ଭିତରେ ମାନସୀ । ଚାରିପାଖର ଗଛ ଆଢ଼ୁଆଳ ଭେଦି ଚେନାଏ ଜହ୍ନ ଉଠିଲା । ଛାପିଛାପିକା ଆଲୁଅରେ ମାନସୀ ମୁହଁ ଉଠାଇଲା । ଗୋଟାଏ ମୁହଁର ସ୍ମୃତି, ଆଲୁଅ ଛାଇ ମିଶା, ଅଧା-ଆଲୁଅ ଅଧା-ଛାଇରେ ଆଖିକଣରେ କେରା କେରା ପାଣି ଚମକି ଉଠିଲା । ଶୁଭ ମୁହୂର୍ତ୍ତରେ ବିଶିଷ୍ଟ ଛାଇ-ସମଷ୍ଟି ତଳେ ଦିଶିଲା ଗୋଟିଏ ଛବି । ତାପରେ ଯବନିକା । କିନ୍ତୁ ସ୍ମୃତିଟି ରହିଲା ଚିରଦିନ । ଆଉ ସ୍ମୃତିର ହେତୁ ଛାଇ । ଗୋଟିଏ ଗୋଟିଏ ମୁହୂର୍ତ୍ତରେ ଗୋଟିଏ ଗୋଟିଏ ଛବି ମନ ଉପରେ ଯେଉଁ ଗାର ଟାଣେ, ତହିଁରୁ କେତେ କରଣି ଛାଇର, କିଏ କହିବ ? ସୃଷ୍ଟିର ପ୍ରତ୍ୟେକ ବସ୍ତୁର ଗୋଟିଏ ଗୋଟିଏ (ପର୍ସନାଲିଟି) ବିଶିଷ୍ଟ ରୂପ ଅଛି । ପ୍ରତ୍ୟେକ ବସ୍ତୁ ନିଜେ ଯେପରି ଦିଶେ କେତେ ପର୍ସନାଲିଟିର ଛାଇରେ, ସେପରି ନିଜର ଛାଇକୁ ପକାଇଥାଏ ଅନ୍ୟ ବସ୍ତୁ ଉପରେ । ତେଣୁ ଗୋଟିଏ କଥା ଯାହା ଆମେ ଦେଖୁ, ତା’ର ନିଜର ଚେହେରାରେ ନୁହେଁ । ନିଜର ଚେହେରାରେ ଅନ୍ୟ କେତେ ଛାଇ-ସମଷ୍ଟି ମିଶି ଯେଉଁ ଚେହେରା ହୁଏ, ତାକୁ ଆମେ ଦେଖିଥାଉଁ ।

 

ଶିଳ୍ପୀର କଳ୍ପନାରେ ସୁଦ୍ଧା କେତେ ଛାଇ ପଡ଼େ । ଶୂନ୍ୟ ଭିତରେ ପଦାର୍ଥ ଉଦୟ ହେଲେହେଁ ତା’ର ଗୋଟିଏ ପର୍ସନାଲିଟି ଆସିଲା । ଅପର ପଦାର୍ଥ ଯଦି ଆସିବ, ତେବେ ଦୁହେଁ ଦୁହିଁଙ୍କ ସମ୍ବନ୍ଧମୂଳକ ଚେହେରାରେ ପ୍ରକାଶ ପାଇବେ ।

 

ଖାଲି କଅଣ ଛାଇ ଥାଏ ଦେଖିବାରେ ! ମନର କଅଁଳ ମରମ ଭାବ ଭିତରେ ସେପରି ଛାଇ ପଡ଼େ । ହସ ଉପରେ କାନ୍ଦର, କାନ୍ଦ ଉପରେ ହସର । ଅତି ଖୁସିରେ ମନ ଯେତେବେଳେ ଫୁଲି ଫାଟୁଛି, ତଳେ ତଳେ ଆସେ ହୁଏତ କେଉଁ କାଳର ଦୁଃଖ ସ୍ମୃତି । ବାହା ମଉଛବ ଦୁଆରେ ଠିଆ ହୁଏ ଗୋଟାଏ ସତୁରି ବର୍ଷର କତରା ଭିକାରୀ । ବାଇଦ ବାଜେ, ହସରେ ଆକାଶ ଫାଟେ; କିନ୍ତୁ ହସ ଭିତରେ ମିଶିଯାଏ କାନ୍ଦଣାର ଗୋଟାଏ ଖିଅ, ଗଲା ଅତୀତର । କି ପାସୋରା ଅନୁଭୂତିର, କି କାହାର ! ମନର କୋହ ମନରେ ମରେ; କିନ୍ତୁ ସବୁ ମିଶିଯାଏ ଏକାଠି–ହସ କାନ୍ଦ, ବାହା ମଉଜ, ଆଉ ଝିଅ-କାନ୍ଦଣା ମନରେ ସ୍ତରେ ସ୍ତରେ । ହୁଏତ ବିସଦୃଶ ଗୁଣରେ କଳାପଟା ଉପରେ ଧଳାଗାର ପରି ଆନନ୍ଦ ଉଛୁଳି ପଡ଼େ; ନୋହିଲେ ମରମେ ମରମେ କରତି ହୁଏ, ଅଳ୍ପେ ଅଳ୍ପେ ସହଯୋଗ ପାଇ । ଜୀବନର କେତେ ଅନୁଭୂତି । ପ୍ରତ୍ୟେକଟି ଦିଶେ ସମ୍ୱନ୍ଧମୂଳକ ସଂସ୍ଥିତିରେ; ପ୍ରତ୍ୟେକଟି ଆରଟି ଉପରେ ଛାଇ ପକାଏ । ଅତି ସୁଖରେ ମନେ ପଡ଼େ କେତେ ଅଭାବ । କେଉଁ ପ୍ରିୟଜନ ଉଦ୍ଦେଶ୍ୟରେ କେଉଁ ପାସୋରା ସୁନେଲି ଦିନର ପରିକଳ୍ପନାରେ ମନ ଭିତରେ ହୁଏ କ୍ଷତ । ଅତି ଦୁଃଖରେ ଅନ୍ଧାର ଭେଦି ଖେଳିଯାଏ ଆଶାର ବିଜୁଳି । ଛାଇ ପଡ଼େ, ଲମ୍ବା ଲମ୍ବା ଛାଇ । ପରିସ୍ଫୁଟ ଆଦୌ ନୁହେଁ । ଖାଲି ଗୋଟାଏ ଛାପା ।

 

ଚିନ୍ତା କଲେ ସୁଦ୍ଧା ଛାଇପଡ଼େ, ଗୋଟାଏ ଧାରଣାର ଆଉ ଗୋଟାଏ ଧାରଣା ଉପରେ-। କବି ଭାବୁଛନ୍ତି ବସନ୍ତର ଯଥାର୍ଥତା ବିଷୟ । ଶୀତ କଥା ସେ ଆଦୌ ଭୁଲି ପାରିବେ ନାହିଁ । ଆହୁରି ଭୁଲି ପାରିବେ ନାହିଁ ପୋଷା କୁକୁରଟି କଥା; ବର୍ଷାର ରାମ ସୀତାଙ୍କ କଥା ।

 

କିନ୍ତୁ ମଜା ଏତିକି, ଧାରଣାର ବା ଅନୁଭୂତିର ବା ଦୃଷ୍ଟିର ଯେଉଁ ଛାଇ ପଡ଼େ, ସେ ପଡ଼େ ନିଜର ଅଜାଣତରେ । ମଣିଷ ମନର ଅଧଚିଆଁ ପାଞ୍ଜିଆଁ କେତେବେଳେ କଅଣ ଢୁଳେଇ ଢୁଳେଇ ଲେଖି ନେଇଛି–ମଣିଷ ଜାଣୁ ନ ଜାଣୁ । ସେଇ ଯେଉଁସବୁ ସ୍ମୃତି ରହିଲା; ଯେଉଁ ସବୁ ଛାଇ ସଞ୍ଚି ହୋଇ ରହିଲା, ସେଗୁଡ଼ିକୁ ସବୁ ଭବିଷ୍ୟତକୁ । ସେତେବେଳେ ମଣିଷ ଜାଣୁ ନ ଜାଣୁ ଅଧଭୁଲା ସ୍ମୃତିର ଏସବୁ ଛାଇ ତା’ର ପ୍ରତ୍ୟେକ କାର୍ଯ୍ୟରେ ପଡ଼ିବ । ଗୋଟିଏ ଫୁଲ ଦେଖୁ ଦେଖୁ ମନ ଭିତରେ ଆଉ ଗୋଟିଏ ଆହୁରି ସୁନ୍ଦର ଫୁଲର ଛାଇ ପଡ଼ି ଏ ଫୁଲଟିକୁ ହତାଦର କରିବାକୁ ମନ ବଳୁଛି । ହସର କଥା ଭାବୁ ଭାବୁ ମନ ଭିତରେ ଅଜାଣତରେ କାନ୍ଦର କଥା ପଡ଼ି ଫରକଟା ଓଠ ବୁଜି ହୋଇ ଆସିଲାଣି । ପ୍ରତ୍ୟେକ କାର୍ଯ୍ୟରେ ଖାଲି ଛାଇ ଛାଇ ଭିତରେ ଛନ୍ଦାଛନ୍ଦି । କେଉଁ କାଳର ସେ ଛାଇ, କିଏ କହିବ ? ନିଜେ ନିଜକୁ ବୁଝିହୁଏ ନାହିଁ । ଯାହା କ୍ରିୟା ବାହାରେ, ତା ସମଷ୍ଟିଗତ ।

 

ଛାଇ ପ୍ରକାଶ ପାଏ କେମିତି ? ଶିଳ୍ପୀ ତୂଳି ଉଠାଇଲା ସିଧା ଗାର କାଟିବାକୁ । ମୂଳ ଉଦ୍ଦେଶ୍ୟ ରହିଲା ଗୋଟିଏ । ଗୋଟିଏ ବିଶେଷ ଦିଗ ଅନୁସରି ତୂଳି ଚାଲିଲା; କିନ୍ତୁ ଗାରଟି ଟାଣି ସାରି ଶିଳ୍ପୀ ଦେଖିଲା–ନାଁ, ସିଧା ତ ହେଲା ନାହିଁ; ଠାଏ ଠାଏ ଗାର ହେଲା ମୋଟା । ହେଇ, ସେଠି ଗାର କରେ କରେ କେଡ଼େ ହାଲୁକା ରଙ୍ଗର ଛୋଟ ଛୋଟ କେତେ ବୁନ୍ଦା ! ସେ ପାଖେ କରେ କରେ ଟିକିଏ ଏ ପାଖ ସେ ପାଖ ଉଞ୍ଚାନିଚା । ଶିଳ୍ପୀର ହାତ ଅଜାଣତରେ ଥରିଛି । ଗୋଟିଏ ଆଦର୍ଶକୁ ଚାହୁଁ ଚାହୁଁ ଅନ୍ୟ କେତେ ଆଦର୍ଶର ମୋହ ଏ ପାଖ ସେ ପାଖ ଟଣାଓଟରା ଲଗାଇଛି । ଗୋଟାଏ ଗାରରେ କେତେ ଛାଇ ପଡ଼ିଛି–ଦେଖିବାର, ଭାବିବାର, ବୁଝିବାର ସବୁଥିରେ । କିନ୍ତୁ ଶିଳ୍ପୀର ନିଜର ବିଚାର ଏ ଛାଇଠୁଁ ଅଲଗା ରହିପାରୁ ନାହିଁ । ସେଥିପାଇଁ ଶିଳ୍ପୀ କହିଲା, “ବାଃ, କି ସୁନ୍ଦର !” ଦେବଦାରୁ ଗଛ ଛାଇରେ ନାଲି କୁଞ୍ଜଲତାଟି ଦୂରରୁ ଦିଶୁଛି କସରା । ବେଶ, ସେହି କସରା ରଙ୍ଗରେ ତା’ର ଶିଳ୍ପ ପ୍ରକାଶ ହେବ । ଗାଁ-ଅନୁଭୂତି ଛାଇରେ ଫକୀରମୋହନ ହସ ଉପାଦାନର ନାୟିକାକୁ ଦେବେ ପାନଖିଲ, ନାଁ ରଖିବେ ଚମ୍ପା । ସେ କଅଣ ଆଉ କିଛି ନାଁ ପାଇଲେ ନାହିଁ ? କେଉଁ ଚମ୍ପାର ଛାଇ ପଡ଼ିଥିଲା ତାଙ୍କ ମନରେ ? ନିଶ୍ଚୟ କାହାରି ପଡ଼ିଥିବ । ଛାଇ ତଥ୍ୟ ଓଲାରି ଦେଖିବା ସୁବିଧା ନୁହେଁ; କିନ୍ତୁ ଦେଖିଲେ ବୋଧହୁଏ ଜଣାପଡ଼ନ୍ତା, ମେହେର କବି କେଉଁ ଭୀମସେନଙ୍କ ଛାଇରେ କବିତା ଲେଖିଲେ । କେଉଁ ମୁହୂର୍ତ୍ତରେ ତାଙ୍କର ପ୍ରକୃତି-ଉଦ୍ୟାନର କେଉଁ କୀଚକ ବାସ୍ତବିକ ତାଙ୍କରି ଆଗରେ ଚାଲବୁଲ୍‍ କରୁଥିଲା; ଆଉ ଜଙ୍ଗଲ ଭିତରେ ଅନ୍ଧାରେ ଅନ୍ଧାରେ କେଉଁ ଦ୍ରୌପଦୀକୁ ହାତ କରିବା ପାଇଁ ସାତ ପାଞ୍ଚ କରୁଥିଲା !

 

କଳାଶକ୍ତିର ପ୍ରେରଣାରେ କଳାଶିଳ୍ପୀ ମିଡ଼ିୟମ୍‌ଦ୍ଵାରା ନିଜକୁ ନିଜେ ଗଢ଼େ, ପୋକକଣା ବାଉଁଶ ଭିତରେ ପବନ ପରି । କିନ୍ତୁ ବାଉଁଶର ଅଳ୍ପେ ବହୁତୋ ବିଶିଷ୍ଟତା ଅଛି–ବାଙ୍କ, କଣାର ଆକାର, କଣା କଣା ଭିତରେ ଦୂରତା, କେତେ କଅଣ ! ଶିଳ୍ପୀ ନିଜର ଅଭିଜ୍ଞତା ଚିଆଁ ଅଧଚିଆଁ ସବୁନ୍ତିକୁ ଏକାଠି ଠୁଳ କରି ତାରି ଉପରେ କଳାଶକ୍ତି ନିଜର ଛାପା ମାରି ଯାଏ । ତେଣୁ ଶିଳ୍ପୀ ଠାକୁର ଗଢ଼ୁ ବା ମାଙ୍କଡ଼ ଗଢ଼ୁ, ତା’ର ହଜିଲା ଅଭିଜ୍ଞତାର ଛାଇ ତହିଁରେ ପଡ଼ିଥିବ । ଅତଏବ ମେହେର କବି ପୁରାଣ କଥା, ପୁରାଣ ଚରିତ୍ର ଘାଣ୍ଟିଥିଲେ ବି ଜୀବନ ଭିତରୁ ସ୍ମୃତି ଗୋଟାଇଥିବେ । ସେ ଦ୍ରୌପଦୀକୁ ଦେଖିଛନ୍ତି ସାମନାସାମନି ନ ହେଲେ ସୁଦ୍ଧା ଗୋଟାଏ ସ୍ଵପ୍ନମିଶା ଅନୁଭୂତିର ଛାଇରେ । ସେହିପରି କୀଚକକୁ, ଭୀମକୁ । ସବୁ ଉପାଦାନ ଜଣକଠିଁ ନ ପାଇଥିବେ; ଦଶଠିଁ ଦଶକଥା ପାଇଥିବେ । କିଏ ଜାଣେ, କେଉଁ ପାନରାଣୀ, କେଉଁ ଧୋବଣୀ, କେଉଁ ଭଉଣୀ, କେଉଁ ମା ଦ୍ରୌପଦୀର ସ୍ମୃତି ଅଜାଣତରେ ଶିଳ୍ପୀ ମନରେ ଢାଳିଛି ? କିଏ ଜାଣେ, କେଉଁ ମଦତି, କେଉଁ ଗୁଣ୍ଡା, କେଉଁ କେଉଟ, କେଉଁ ରଜାପୁଅ କୀଚକର ଛାଇ ପକାଇଛି ? ଆଲୁଅକୁ ଆମେ ଆଗୁସାର ! ଛାଇ ଭିତରେ ଆମର ଯୁ ନାହିଁ; ତେଣୁ ଆମେ ଅଟକିଯାଉଁ ।

 

ବଙ୍ଗଳା ସାହିତ୍ୟରୁ ଦଶ କଥା ଏ ଦେଶର ଲୋକେ ଘେନୁଛନ୍ତି–ବଙ୍ଗାଳି ଲେଖକ ଓଡ଼ିଶାରୁ କେତେ କଥା ଗୋଟାଉଛନ୍ତି, ଜାଣି ଜାଣି ନ ହେଲେ ସୁଦ୍ଧା ଅଜାଣତରେ । ଛାଇରେ ଛାଇରେ ଛନ୍ଦାଛନ୍ଦି । ବର୍ତ୍ତମାନର ଛାଇ ଆନ୍ତର୍ଜାତିକ । ଆମ ଦେଶର ଆଜିକାଲିକା “ଘଡ଼ଘଡ଼ି” କବିତାରେ ଯେଉଁ ରଣଦୁନ୍ଦୁଭି ଶୁଣିଥାଉଁ, ତା’ର କେତେ ଅଂଶ ଦରିଆ ସେ ପାରିର ? ରୁଷ ଦେଶର ଜନକୋଳାହଳର ପ୍ରତିଧ୍ୱନି ଶୁଣୁ ଆମେ ଓଡ଼ିଶା ଦେଶରେ; ଜର୍ମାନ ଦେଶର ସଂସ୍କୃତି ପଢ଼ୁଁ ଓଡ଼ିଆ ଲେଖକଙ୍କ ହାତ ଲେଖାରୁ । ସେମାନେ ବି ହୁଏତ ହାଇଡ଼ଚ୍‌ ଲେଖାରୁ “ସଂସ୍କୃତ”ର ସଂସ୍କୃତି ପାଉଥିବେ । ୟାର କାରଣ ଛାଇ । ଏ ଦେଶର ଛାଇ ସେ ଦେଶରେ ପଡ଼ିଛି, ସେ ଦେଶର ଛାଇ ଏ ଦେଶରେ ପଡ଼ିଛି । ହୁଏ ତ ଆଫ୍ରିକାର ନିଗ୍ରୋ ସଭ୍ୟତାର ଛାଇ ପଡ଼ିଥିବ ରାଧାନାଥଙ୍କ କବିତାରେ-। ଅଷ୍ଟ୍ରେଲିଆର ମାଓରି ଛାଇ ପଡ଼ିଥିବ ହମିଦ କବିଙ୍କ ଗୀତିଗୁଚ୍ଛରେ । କିଛି କହିହେବ ନାହିଁ, କେମତି କଅଣ ହେଲା । କୌଣସି କାଳରେ ଗୋଟାଏ ଦେଶର ସାହିତ୍ୟ ସେତିକି ବେଳର ଯୁଗ ଆତ୍ମା ପାଖେ ଯେତିକି ଋଣୀ, ସେହିକାଳର ଅନ୍ୟାନ୍ୟ ସାହିତ୍ୟ ପାଖେ କମ ଋଣୀ ନୁହେଁ ।

 

ତା ପରେ ସବା ପଛରେ ତ ଅଛି ପୁଣି ଅତୀତର ଛାଇ । ପୁରୁଣା ଭାଙ୍ଗି ନୂଆ ଗଢ଼ିବାକୁ ଆମର ଯେତେ ଇଚ୍ଛା ହେଉଥାଉ, ସବୁ କାଟି ଦେଇ ଶୂନ୍ୟରୁ ପାହାଡ଼ ଗଢ଼ିବା ଅସମ୍ଭବ । ଏ ଯୁଗରେ ଜନ୍ମି, ଏ ରାବୀନ୍ଦ୍ରିକ ଯୁଗରେ, ଏ ଆଇନ୍‌ଷ୍ଟାଇନ୍‌ ଶତାବ୍ଦୀରେ, ଏ ବାର୍ଣ୍ଣାଡ଼୍‍ଶ ସମ୍ବତ୍‌ସରରେ ବଢ଼ି, ଆମେ ଗଲା ଯୁଗର ଭଞ୍ଜ, ଦୀନକୃଷ୍ଣ ବା ଶାରଳା ଦାସ, ଜଗନ୍ନାଥ ଦାଶ ବା ମାଦଳା ପାଞ୍ଜି, ଭୀମ ଭୋଇ କାଳର ରୀତିଗତିକୁ ସାହିତ୍ୟରୁ ତଡ଼ି ଦେଇ ପାରିବୁ ନାହିଁ । ଗଲା ଯୁଗର ଆତ୍ମା କଟାସ ପରି ଆଗକୁ ଚାହିଁ ରହିଛି । ଅତୀତର କୁହୁଡ଼ି ଭିତରେ ତା’ର ଯେତିକି ପର୍ସନାଲିଟି ରହିଛି, ସେ ଆଗକୁ ଆଗକୁ ପକାଉଛି ଛାଇ । ଆମର ଅଜାଣତରେ, ଆମର ଅତି ନୂତନ ମୋହର ଉଲ୍ଲାସରେ ସୁଦ୍ଧା ଆମେ ସେ ଅତି ଆଦିମର ଛାଇରେ ଘରକରଣା କରୁଥାଇଁ । ସେ ଯୁଗରେ କୁମ୍ଭକର୍ଣ୍ଣ ନିଦରୁ ଉଠି ମୁଣ୍ଡରେ ହାତ ମାରି କହିବ–“ମୋ ବେଣ୍ଟ ଗଲା କାହିଁ ? ମୋ ଚୁଟି ?” ତା ପରେ ହାତରେ ତାର ବାଜିବ ଦୀପ ଶଳିତା ପରି ଗୋଟିଏ ଛୋଟିଆ ଚୁର୍‍କି ! ବେଣ୍ଟର ଛାଇ ନିଭିଯାଇନାହିଁ ରହିଚି ।

 

ତେଣୁ ଛାଇର ଗୋଟାଏ ଖରାପ ଗୁଣ, ଅତି-ନୂତନ ପକ୍ଷରେ ସେ ଅତି ବହଳ ନାଗଫେଣୀ ବାଡ଼–ତାଡ଼, ଭାଙ୍ଗ, କିଛି ଫଳ ନାହିଁ । ଅତି ନୂତନ ଅସମ୍ଭବ । ପୁରାତନର ମଉଳା ଛାଇ, ପୁରାତନର ଫିମ୍ପିମରା ଗନ୍ଧ ଅଳ୍ପେ ବହୁତେ ରହିଥିବ ।

 

କିନ୍ତୁ ଅତି-ନୂତନର ସହଯୋଗୀ ନୁହେଁ ବୋଲି ଛାଇ ଖରାପ, ଏ କଥା କେବଳ କେତେ ଜଣ ସେମିତି ସେମିତି ସଂସ୍କାରକ ଭାବିବେ । ଗୋଟାଏ ଯୁଗକୁ ଅନ୍ୟ ଗୋଟାଏ ଯୁଗ ସଙ୍ଗେ ବାନ୍ଧେ କିଏ ? ଛାଇ ! ଗୋଟାଏ ଜାତିକୁ ଆଉ ଗୋଟାଏ ଜାତି ସଙ୍ଗେ ମିଶାଏ କିଏ ? ଛାଇ ! ତା’ର ବାଡ଼ ନାହିଁ; ଧୀରେ ଧୀରେ ସ୍ତର ସ୍ତର ହୋଇ ସବୁ ମିଶିଯାଏ । ଛାଇ ସବୁ ମିଶାଇ ଦିଏ ।

 

ଆଉ ସୃଷ୍ଟି ପକ୍ଷରେ ଛାଇ ଅତି ଉପଯୋଗୀ । ବଡ ହେଲେ ଚାରା ଗଛ ମଞ୍ଜ ଖୋଳପାକୁ ଖସାଇ ଦିଏ; କିନ୍ତୁ ଖୋଳପା ଏତେଦିନ ତାକୁ ଧରି ରଖି ତିଆରି କଲା । ଖାଲି ଫାଙ୍କା ହେବା ପରିବର୍ତ୍ତେ ଗୋଟାଏ ଛାଇ ପଡ଼ିଥିବା ଭଲ । ତାରି ତଳେ ନୂଆ ଛାଞ୍ଚ ଗଢ଼ା ହେବ, ନୂଆ ଫୁଲ ଫୁଟିବ, ପୁଣି ଛାଇରେ ମଉଳି ନିଭିଯାଇ ନିଜେ ହେବ ଭବିଷ୍ୟତ ଲାଗି ଅତୀତର ଛାଇ ।

 

ପରିସ୍ଥିତିର ଛାଇ ଢାଙ୍କି ରଖି ଜଣେ ଯେମିତି, ରଙ୍ଗ ଦେଇ ଜାଣେ ସେମିତି, ଆକାର ଦେଇ ଜାଣେ ସେମିତି ! ଆକାର, ରଙ୍ଗ, ଶେଷରେ ଅର୍ଥ; ତେଣୁ ଶିଳ୍ପୀର ଏତେ ଆଦରର ଏ ଛାଇ ।

 

ଦେଖା ଅଦେଖା, ଛୁଆଁ ଅଛୁଆଁ ସବୁ ଖାଲି ଛାଇ, ପ୍ରେତ ପରି ଛାଇ । ପରସ୍ତ ପରସ୍ତ ହୋଇ ରହିଛି, ଆଖିରେ ଢାଙ୍କୁଛି ପରସ୍ତ ପରସ୍ତ ପର୍ଦ୍ଦା; ଅନୁଭୂତିରେ ଆଣୁଛି ପରସ୍ତ ପରସ୍ତ କ୍ରିୟାଗୁଣ ।

 

ସବୁ ଯେମିତି ଖାଲି ଛାଇ ! ସୃଷ୍ଟିଟା ଯେମିତି କୋଉ ଅଜଣା ବାହାର ଛାଇ-ସମଷ୍ଟି । ଦିନ ସରିଯିବ, ଆଖିବୁଜି ଢୁଳେଇ ପଡ଼ିବ, କିନ୍ତୁ ଭବିଷ୍ୟତକୁ ସମସ୍ତଙ୍କର ସେ ଗୋଟିଏ ଦାନ, ଛାଇ-। କୃଷ୍ଣଙ୍କର ବଇଁଶୀ, ଓଡ଼ିଆ ପାଇକର କୁହାଟ, ସବୁ ରହିଛି ଛାଇରେ । ବାରବାଟିର ଭୂତପ୍ରେତ ଭବିଷ୍ୟତ ପ୍ରତି ଯେତିକି ପ୍ରଭାବ ଦେଖାଇବେ, ସେ କେବଳ ଛାଇରେ; ଆଉ ଆମେ ବି ହଟଚମକ ସାରି ଚିରଯୁଗ ଲାଗି ବଞ୍ଚି ରହିବା ସୂକ୍ଷ୍ମଠୁ ଆହୁରି ସୂକ୍ଷ୍ମ ସେଇ ଛାଇରେ । ବିଶିଷ୍ଟତା ରହିବ ଅତି ସୂକ୍ଷ୍ମ ହୋଇ; ହିସାବ କଲାବେଳକୁ କେତେ ହିସାବୀଙ୍କ ଗୋଟା ଆଙ୍ଗୁଠିରେ ଖସିଯିବ । ସବୁ ସରିଯିବ, ଖାଲି ଗୋଟାଏ— ଖାଲି ଗୋଟାଏ ଛାଇ !

 

ମନରେ ଚମକ ଲାଗେ, ମୁଁ, ସେ, ଆଉମାନେ ସବୁ ସତ ତ ? କାହାର ଛାଇ ଏଥିରେ ହଲୁଛି ?

 

କାହାର ?

 

ବାସ୍ତବ ଛାୟାର ସଙ୍କେତ, ନାଁ ଛାୟା ସଙ୍କେତ ବାସ୍ତବର ?

 

ଗୋଡ଼ତଳୁ ଭୂଇଁ ଖସି ଖସି ଯାଏ । ଆଖିରେ ଦେଖେ ଛାଇ, ଯୁଗ ଯୁଗର ଯାଇ, ଭୋକିଲା ଆଶାର ଶାନ୍ତ ସ୍ନିଗ୍‌ଧ ମରଣର ! ଛାଇ କଥା କହେ ନାହିଁ; ଖାଲି କାମ କରିଯାଏ ସୂକ୍ଷ୍ମେ ସୂକ୍ଷ୍ମେ । ବୁଢ଼ା ସୂର୍ଯ୍ୟ ବିଶ୍ରାମକୁ ଯାଏ । ପୋଖରୀ ଉପରେ ଛାଇଗୁଡ଼ାକ ଦୋହଲେ, ଲମ୍ୱା ଲମ୍ୱା ଛାଇ ! ଆଉ ତରୁଣୀର ସରମରଙ୍ଗା ପାଣି ମୁକୁତା ମିଶା ମୁହଁ ଅର୍ଥ ପାଇ ଝଲସି ଉଠେ–ଅଧା ଛାଇ ଅଧା ବୋହୂ ମୁହଁଦେଖା ଆଲୁଅରେ ।

Image

 

Unknown

ଶେଷ ଅଙ୍କ

 

ପର୍ଦ୍ଦା ପଡ଼େ, ଥରି ଥରି ପଡ଼େ-ଆ-ସ୍ତେ ! ତା ପରେ- ? ଖେଳ ସରିଲା; ଫେରି ଚାଲ, ଫେରି ଚାଲ, ଆପଣା ଘରକୁ । କଳା ମିଚିମିଚି ଅନ୍ଧାର ପଖି ମେଲାଇ ଓହ୍ଲାଇ ଆସେ ପୃଥିବୀ ଉପରକୁ । ସଞ୍ଜର ମଉଳା ବତୀଟି ମରିଯାଏ ଗାଢ଼ କଳାର ପଖି ଉଢ଼ାଳରେ । ଆଲୁଅର ଚହଳ ନାହିଁ, ହୁଏ ତ ବା ଥିବ ? –କିଏ ଜାଣେ, ଆମ ସାଧାସିଧା ଖୋଲା ଆଖିକୁ ତ ଦିଶେ ନାହିଁ । ଏଇ ମେଞ୍ଚା ମେଞ୍ଚା ଅନ୍ଧାର ତଳେ ତଳେ, ବୁଦା ଗାତ ଗଦା ମଝି ମଝିରେ କିଏ ସବୁ ଯିବା ଆସିବା କରୁଥିବେ ପରା ! ଅନ୍ଧାରର ନିର୍ଜନ ଶୂନ୍ୟ ପୁରୀ କାହାର ଅଜଣା ହାତ ଲାଗି ଥରି ଥରି ଶିର୍‍ଶିରେଇ ଉଠୁଥିବ ବା; ସେ ଖବର ଆମର ନୁହେଁ ଆମ ଆଖିରେ–ପର୍ଦ୍ଦା ପଡ଼ିଲା ।

 

ଦଳ ଦଳ ଲୋକ, ଖଣ୍ଡା ତରୁଆଲ୍, ହାଣକାଟ, ମଲା ଜୀଅନ୍ତା ଭଲ ପାଇବାର ମଖାମଖି ଢଳାଢଳି, ନୋହିଲେ ଶତ୍ରୁତା ସାଧିବାର ଧରାଧରି ଗଡ଼ାଗଡ଼ି, ଭୂଷାଭୁଷି । ପଛପଟେ ଦୃଶ୍ୟ–ନଈ ପାହାଡ଼, ‘‘ରାଜପଥ’’ ସବୁ ରହିଛି; କିନ୍ତୁ ପର୍ଦ୍ଦା ପଡ଼େ । ଶିଳ୍ପୀ ସେତେବେଳେ ଫୋପାଡ଼ିଦିଏ କଲମ, ସାଧକ ବହି ବନ୍ଦକରି ଘୁମେଇ ପଡ଼େ ।

 

ଏଇ ଶେଷ ଅଙ୍କର ପରିଣତି କିଏ ହାତରୁ କରେ । ମୂଳରୁ ତ ଚକ ଗଡ଼ି ଚାଲିଲା, ଶେଷରେ ପଦ୍ଦା, ଏ ବିଚାର ଆରମ୍ଭ କରିଦେବା ତ ଅତି ସହଜ, ମୁହଁ ଖୋଲିଲେ କଥା ବାହାରିଲା; କିନ୍ତୁ ମୁଣ୍ଡିମାରିବା କେଡ଼େ କଷ୍ଟ । ବାରଶହ ବଢ଼େଇ, କେତେ ବଡ଼ ବଡ଼ ମିସ୍ତ୍ରୀ, କେତେ ବଡ଼ ବଡ଼ ଇଞ୍ଜିନିୟର, ସେବା ଉପରେ ଖୋଦ୍‌ ସୁପରଦଣ୍ଠ, ଜିନୀୟସ୍ ଶିବେଇ ସାନ୍ତ୍ରା । କାମ ଚାଲିଲା ପଥର ଉପରେ ପଥର, ମୂର୍ତ୍ତି ଉପରେ ଦହିମାଠିଆ, ବାହାର ପ୍ରକୃତିର ବାଲିବନ୍ତ ଆଉ ଚଞ୍ଚଳ ସମୁଦ୍ର ଉପରେ ଗାଦିମାଡ଼ି ଠିଆହେଲା କୋଣାରକ; କିନ୍ତୁ ବାକି ରହିଗଲା ସେଇ ମୁଣ୍ଡିମାରିବା । ଜହ୍ନ ଆଲୁଅରେ ଚିକ୍ ଚିକ୍‌ ଲହଡ଼ି ଅସରନ୍ତି ଦରିଆର ଅସରନ୍ତି ଦୁଃଖରେ ଅମୁଣ୍ଡିଆ ଦେଉଳର ଗୋଡ଼ତଳେ ଲୋଟିଗଲା–ମଥା କାହିଁ ? ସାଇଁ ସାଇଁ ନିଶାରେ ଝାମୁଁ ଗଛ ନିଃଶ୍ୱାସ ପକାଇଲା–ମଥା କାହିଁ ?

 

ତେଣୁ ଶେଷ ଅଙ୍କର ପରିଣତି ବିଚାର କରିବା ଏଡ଼େ କଷ୍ଟ । ସ୍ୱୟଂ ବିଧାତା ଏ କାମରେ ପାରଦର୍ଶୀ ହୋଇଛନ୍ତି କି ନା ସେ ଜାଣନ୍ତି । ଶିଳ୍ପୀ ତ ଶିଳ୍ପୀ, କଳାଶକ୍ତି ଅଜଣାର ସ୍ପନ୍ଦନ ହେଲେ ସୁଦ୍ଧା ମିଡ଼ିୟମ ଏଇ ମଣିଷ । ଡମେଇ ବୁଢ଼ା ନଈରୁ ଗାଧୋଇ ପାଧୋଇ ଆସିଲେ । ପଖାଳ କଂସା ବଢ଼ା ରହିଛି, ଶାଗରୁ ବାମ୍ପ ନିଭି ନାହିଁ, ଖଟା ଉକୁଟି ନାହିଁ, ଖାଇସାରି ଅଢ଼ଙ୍ଗ ଗାଁ ଯିବାକୁ ହେବ, ଧୋବି ଜେନା ଉପରେ ସାତପଇସା ଅଧଲାଏ ବାକି, ତା ପରେ ପୁଅ ହଟିଆ ଫେରିବ ମାମୁଘରୁ ଆର ଓଳି; କିନ୍ତୁ ଡମେଇ ବୁଢ଼ାଙ୍କ ଉପରେ ପର୍ଦ୍ଦା ପଡ଼ିଲା । ଚାଲିଲେ ।

 

ଏଇ କ’ଣ ଶେଷ ପରିଣତି ? କାହିଁକି ? ଜଣେ ମଣିଷର ଜୀବନ ନାଟକ କେତେ ଢିପଖାଲ ଭଲ ମନ୍ଦ ଦେଇ ଗଡ଼ି ଚାଲି ଆସିଲା; କିନ୍ତୁ ଶେଷ ଅଙ୍କଟି ସୁବିଧା ହେଲା କି ? ବିଧାତାଙ୍କୁ ଜଣା । ଲୋକେ କହନ୍ତି, ସେକ୍‌ସପିଅର ତାଙ୍କ ନାଟକର କୁଶୀଲବମାନଙ୍କ ପ୍ରତି ଏହିପରି ଉଦାସୀନ, କାମ ସରିଲେ ବେକରେ ହାତ ଦେଇ ସୁବିଧାରେ ଠେଲି ଦେବାକୁ ତାଙ୍କର ଆପତ୍ତି ନାହିଁ-। ପଲେନିୟସ୍‌ ହ୍ୟାମଲେଟ୍‌ ନାଟକରୁ ଠିକ୍‌ ସେହିପରି ତଡ଼ା ଖାଇଲେ, ତାଙ୍କର କାମ ସରିଲା–ଦେ ଓଲଟା ମୂଷା କେଞ୍ଚିବା ବାହାନାରେ ହ୍ୟାମଲେଟ୍‌ ତାଙ୍କୁ ପଠାଇଦେଲେ ଆରପାରିକି । ବୁଢ଼ାଲୋକ, ପୁଣି ଏମିତି ସେମିତି ନୁହନ୍ତି, ରାଜ୍ୟର ବଡ଼ ମନ୍ତ୍ରୀ, କିନ୍ତୁ ନାଟ୍ୟକାରଙ୍କ ରାଜ୍ୟରୁ ତାଙ୍କ ପାଳି ସରିଲା-। ତା ପରେ ଏ ଚକଚକିଆ ବୁଢ଼ାଙ୍କର ଆଉ କିଛି ପ୍ରୟୋଜନ ରହିଲା ନାହିଁ; ଅତଏବ ସେକ୍‌ସ୍‌ପିଅର ବିବ୍ରତ ହୋଇ ଅକାରଣ ବିନା ଦୋଷରେ ପଲୋନିୟସ୍‌କୁ ମାରି ପକାଇଲେ । ଟୋପାଏ ଲୁହ କ’ଣ ପଡ଼ିଲା ନାହିଁ; କଲମ ଥରିଲା ନାହିଁ ସୂତାଖିଏ ସୁଦ୍ଧା–ନା, ପଲୋନିୟସ୍‌ ବିଦା ହେବେ ।

 

ଶେଷ ଅଙ୍କର ବିଚାର ହେବ, ମୂଳ ଆଉ ମଝି ଘେନି ଏଇ ଆମର ସାଧାରଣ ଧାରଣା । ସବୁ ଯେମିତି ଗୋଟାଏ କ୍ରମର ଗତି । ମୂଳରୁ କଳାର ଯେଉଁ ଅବଧାରଣାର ଶୁଭ ଦିଆହେଲା, ମଝିକୁ ଆସିଲା ବେଳକୁ ତା’ର ଗତି କେତେ ଅଂଶରେ ମାଫ୍‌ ଦିଆ ସରିଛି । ଶେଷରେ ଘଟନା ଯାହା ହେଉ ପଛେ, ଶେଷ ଅଙ୍କର କ୍ରମ ସେଇ ବନ୍ଧା ବାଟର ଶଗଡ଼ ଗୁଳାରେ ଗଡ଼ି ଚାଲିବ । ବସନ୍ତ ଆସିଛି, କୋଇଲି ରାବିଲାଣି, ନୂଆ ପତ୍ରର ଫାଙ୍କେ ଫାଙ୍କେ ଆମ୍ୱ ମେଲିଲାଣି ବଉଳ, ଭବିଷ୍ୟତରେ ଆମ୍ବ ଫଳିବ ଏଇ ତ ସହଜ ଧାରଣା । କିନ୍ତୁ–କୁହୁଡ଼ି ଘୋଟେ, ପହିଲି ଅଙ୍କରୁ ମଝିଗଡ଼ି ଶେଷ ଯାକେ କେତେ ଘଟନା ନ ଘଟିଛି । ଅନ୍ଧାର ଥିଲା, ଆଲୁଅ ଆସୁଛି । ରାମବନବାସ ସରି ଆସିଲା । ଗୋଟି ଗୋଟି ହୋଇ ଅସୁର ଗଡ଼ିମଲେ । ସମୁଦ୍ର ଅସୁର ରକ୍ତରେ ହେଲା ରଙ୍ଗା । ସୁନେଲି ଲଙ୍କାର ଆକାଶୀ ଛଇ ଭାଙ୍ଗିରୁଜି ହେଲା ଛାରଖାର । ଏଇ ହେଲା ଶେଷ ପରିଣତି, ପାପର ପ୍ରାୟଶ୍ଚିତ୍ତ । ଅଯୋଧ୍ୟା ପୁରୀର ଆନନ୍ଦ କୋଳାହଳ, ଦେବମାନବଙ୍କର ସ୍ତୁତି ଗୀତ, କେଡ଼େ ଚମତ୍କାର ପରିଣତି ! ସେ ଦିନର ଅଭିଷେକ; କେଡ଼େ ଆନନ୍ଦର, ଆକାଶ-ବିମାନ ଦେଖିବାକୁ ଅଯୋଧ୍ୟାରେ ଲୋକାରଣ୍ୟ । ସ୍ଥାନେ ସ୍ଥାନେ ମଜଲିସ ବାଦସାହୀ ଚହଳ । ଖଣ୍ଡା, ଧନୁ, ଭୁଷା, କେଞ୍ଚା, ଅସ୍ତ୍ରଶସ୍ତ୍ର ଧରି ଭାରତ ଅ-ଭାରତର ହର୍‌ରଙ୍ଗି ପଲ୍‌ଟଣ, ବଡ଼ ବଡ଼ ସେନାପତି, କପ୍ତାନ୍‌ ମେଜର୍‌ ଫିଲଡ଼୍‍ମାର୍ଶାଲ ଅସୁର ବିଭୀଷଣ, କପି-ଧ୍ୱଜ ସୁଗ୍ରୀବ; ଭାଲୁ-ଧ୍ୱଜ ଜାମ୍ବବାନ, କେତେ ଜାତି, କେତେ ଭାଷା । କାହିଁ ହନୁମାନଙ୍କର କୁସ୍ତି କସରତ୍‌ ଲାଗିଛି, କାହିଁ ଲାଗିଛି ଦେଶଦ୍ରୋହୀ ବିଭୀଷଣଙ୍କର ବକ୍ତୃତା, କେଉଁଠି ଋଷିମାନଙ୍କର ଭୋଜି, ଟେବ୍ଲ-ଟକ୍‌, ବିଶ୍ୱାମିତ୍ର କଡ଼ମଡ଼ କରି ଚୋବାଉଛନ୍ତି ଅଣ୍ଡିରା ବାଛୁରୀର ଷ୍ଟୀଉ, ବାଙ୍ଖ ଆଉ ଯୁଦ୍ଧ ବାଜାରେ ଅଯୋଧ୍ୟା ଉଲୁସି ଉଠୁଛି, ଦେବତାମାନେ ନାଟ ଗୀତ କରୁଛନ୍ତି । ଏଇ ଆନନ୍ଦ ହୁଅନ୍ତା ଶେଷ ପରିଣତି । କିନ୍ତୁ ନା-ମଙ୍ଗଳ ଦୁଆର ଆଗରେ ପଡ଼ିଲା କାହାର ଛାଇ, ମଙ୍ଗଳ ଶଙ୍ଖଧ୍ୱନିରେ ମିଶିଲା କାହାର ବତାସୀ କୋହ, ଚନ୍ଦନଅଗରୁ ଧୂଆଁରେ ପଶିଲା କାହାର ରୁଦ୍ଧ ବେଦନାର ବିଷ ନିଃଶ୍ୱାସ । ଫୁଟିଲା ଫୁଲ ମଉଳିଗଲା, ପରିଣତିର କ୍ରମ ଗଡ଼ିଗଲା ବନ୍ଧାବାଟ ଶଗଡ଼ ଗୁଳାରୁ । ତା ପରେ-ଅରଣା ଉତ୍ତରଚରିତ ।

 

ମନ ଭିତରେ ଆପଣା ଆପେ ପ୍ରଶ୍ନ ଉଠେ – ରାମାୟଣ କାବ୍ୟର ଶେଷ ଅଙ୍କ ଲମ୍ବିଗଲା କାହିଁକି, ଶେଷ ଅଙ୍କ ଉତ୍ତରଚରିତରେ ପଡ଼ିଲା ବା କାହିଁକି ? ଉତ୍ତର ହୋଇପାରେ (ଯଦି ରାମାୟଣକୁ ଇତିହାସ ନ ଭାବି ଖାଲି କାବ୍ୟ ବୋଲି ଧରାଯାଏ) ଯେ, କବି କରୁଣ ରସର କଳା ଦେଖାଇବାକୁ ଇଚ୍ଛା କଲେ । କବି ଏପରି ଘଟନ କରି କେତେଗୁଡ଼ିଏ ଗୁଣ ବା କେତେଗୁଡ଼ିଏ ନୂଆ ଭାବ ଫୁଟାଇବାକୁ ଇଚ୍ଛା କଲେ; ତେଣୁ ଏପରି କଲେ; କିନ୍ତୁ ଏହାର ଯଥାର୍ଥତା କେଉଁଠି ରହିଲା ? ସୀତା ବନବାସ ଯିବେ କାହିଁକି ? ସୀତା ବନବାସରୁ ଫେରିଲେ ପୁଣି ଭୂଇଁରେ ପଶିବେ କାହିଁକି ? ଅଯୋଧ୍ୟାପୁରୀର ଉଜ୍ଜ୍ୱଳ ପତାକା ମଉଳି ପଡ଼ିବ କି ଦୋଷରେ ?

 

କାରଣ କିଛି ନାହିଁ–ଖାଲି ଏପରି ଘଟେ । ଅଗ ଆଉ ମଝି ଶେଷ ଅଙ୍କର ପରିଣତି ଗଢ଼ିବାକୁ କେତେ ଦୂର କ୍ଷମ, ସେ ବିଷୟରେ ସନ୍ଦେହ ଆସେ । ସାହିତ୍ୟର ଫଳାଫଳରେ ଯଥାର୍ଥ୍ୟ ବା (Poetic justice) ସାହିତ୍ୟିକ ନ୍ୟାୟ ବିଚାର ବାସ୍ତବିକ କିଛି ନାହିଁ । ଖାଲି ଗାଲୁକଥାଗୁଡ଼ାକ ମିଛ, ମିଛକଥାଗୁଡ଼ାକ ଗାଲୁ । ସାହିତ୍ୟିକ ନ୍ୟାୟବିଚାର ସପକ୍ଷରେ ଆଉ ବିପକ୍ଷରେ ବହୁତ କଥା କୁହାଯାଇପାରେ; କିନ୍ତୁ ଏପରି ନ୍ୟାୟ ବିଚାର ଖାଲି ଲେଖକଙ୍କ ଖିଆଲ ଉପରେ ନିର୍ଭର କରେ । ବାସ୍ତବିକ ଜୀବନରେ ଏପରି ନ୍ୟାୟବିଚାରର ସ୍ଥାନ କାହିଁ ? ଣେଷ ପର୍ଦ୍ଦା ଯେତେବେଳେ ଖସେ, ସେତେବେଳେ କେତେଟା ଦୁଷ୍ଟ ଲୋକ ଶାସ୍ତି ପାଇଥାନ୍ତି; ଆଉ କେତେଟା ସାଧୁ ଲୋକ ପୁରସ୍କାର ପାଇଥାନ୍ତି । ଖାଲି ମଣିଷର ଆଶା—ଏପରି ହେଲେ ହୁଅନ୍ତା । ଲେଖାଳୀ ପଢ଼ାଳୀ ନିଜେ ନିଜର ଖିଆଲର ମର୍ଜି ଯୋଗାନ୍ତି । କଥାର ନାୟକ ନିଶ୍ଚୟ ହଜାରେ ବିପଦ ଡେଇଁ ନାୟିକାକୁ ଘେନି ସାତ ସମୁଦ୍ର ସେପାରିରୁ ଫେରି ଆସିବ; ଯେତେ ଯାହା ହେଉ ଫଳାଫଳ ଯେପରି ସ୍ୱତଃସିଦ୍ଧ । ଆରମ୍ଭ ଆଉ ମଝିର କ୍ରମ ଘେନି ଶେଷର ନିଷ୍ପତ୍ତି ଅସମ୍ଭବ । ସଳଖ ଚକରେ ଅଛି ବାଙ୍କ । ଏଇ ତ ଦୁନିଆର ନିୟମ ।

 

ଅସମ୍ଭବ, ଅମାପ—ଏ ଯେପରି ସମ୍ଭବ, ମପାଚୁପା ସ୍ୱତଃସିଦ୍ଧ ସେପରି ସମ୍ଭବ ନୁହେଁ । କଳାଶକ୍ତିର ପ୍ରେରଣାରେ ଶିଳ୍ପୀ ଯେଉଁ ମୁଣ୍ଡିମାରି ଦିଏ, ବେଳେ ବେଳେ ଅସମ୍ଭବ ହେଲେ ବି ସେଇ ସତେ ଠିକ୍‌ । ଗଣିତର ଗଣନା ଉପରେ ନିର୍ଭର କରି ଯେଉଁ ଶେଷ ଅଙ୍କ ପଡ଼େ, ସେ ଖାଲି ମନ ଭୁଲାଣି । ଆରମ୍ଭରେ ପିଲାଟି ହେଲା ଅତି ଭଲ । ମଝିରେ ଯୌବନରେ ହେଲା ଅତି ସାଧୁ । ଶେଷରେ ସେ ସାଧୁ ନ ରହିବା ହିଁ ସ୍ୱତଃସିଦ୍ଧ–ଯଦି ତା ନିଜ ଭିତରେ ଜୀବନ ଥାଏ, ଯଦି ସେ କଳକବଜା ପରି ମଲା ନ ହୋଇଥାଏ ।

 

ତେଣୁ ଦେଖିବାକୁ ହେବ, ପୂର୍ଣ୍ଣଚ୍ଛେଦ ପଡ଼ିଲା କେଉଁଠି । ଯେଉଁ ଆରମ୍ଭ ଆଉ ମଝିକୁ ମୂଳରୁ ଆମେ ଆରମ୍ଭ ଆଉ ମଝି ବୋଲି ଧରି ନେଇଛୁଁ, ସେହି ପ୍ରକୃତ କଥା ନା ତା ଉପରେ ଆଉ କିଛି ଅଛି ? ଯେତେବେଳେ ସାଧାରଣ କ୍ରମ ଅନୁସାରେ ହିସାବ କରି ଦେଖିଲେ ମୋଟାମୋଟି ଅନୁମାନ ଉପରେ ଯାଇ ଭୁଲରେ ପଡ଼ିବାକୁ ହେଉଛି, ସେତେବେଳେ ତା ଉପରେ ବିଶ୍ୱାସ ତୁଟାଇବାକୁ ହେବ । ଯେଉଁ କ୍ଷୀଣ କ୍ରମ ଆଖି ଆଗରେ ପଡ଼ିନାହିଁ, ଯେଉଁ କାରଣ-ସତ୍ତାର ଅସ୍ତିତ୍ୱ ମନ ଉପରେ ଧୀର ଗାର ସୁଦ୍ଧା ଟାଣି ନାହିଁ, ତାକୁ ଖୋଜି ବୁଲିବାକୁ ପଡ଼ିବ । ଧରାବନ୍ଧା ଦାମ୍‌ (accepted values) ଛାଡ଼ି ଦେଲେ ଭୂଇଁତଳୁ ତ ମାଟି ଖସିଗଲା, ତେବେ ଆଶ୍ରା କାହା ଉପରେ ? ଅନ୍ଧାରି ସତ୍ୟକୁ ଆଶ୍ରା କରି ଦେଖି ବୁଲିଲେ କେଉଁଟା ଆଗ, କେଉଁଟା ମଝି, ସେ କଥା ପାସୋରି ପକାଇବା । ହୁଏତ ଯେଉଁ କ୍ରମ ଆଖି ଆଗରେ ରହିଛି, ତାରି ଭିତରେ କେତେ ପୂର୍ଣ୍ଣଚ୍ଛେଦ, କେତେ ଡ୍ୟାଶ୍‌ ପଡ଼ି ସାରିଲାଣି ।

 

ତେଣୁ ବେଳେ ବେଳେ ସନ୍ଦେହ ହୁଏ, ଶେଷ ପୂର୍ଣ୍ଣଚ୍ଛେଦ କେଉଁଠି ? ଶେଷ ଅଙ୍କର ଯେଉଁ ଦୃଶ୍ୟ ଉପରେ ପର୍ଦ୍ଦା ପଡ଼ିଲା, ସେଇ କ’ଣ ପୂର୍ଣ୍ଣଚ୍ଛେଦ ନା ସେ ଖାଲି ଗତିଶୀଳ କ୍ରମ ମଝିରେ ଗୋଟିଏ ସାଧାରଣ ଅବସ୍ଥା ? ଯେଉଁ ଭୋକିଲା ଇଚ୍ଛା ଅଭିଳାଷ ଘେନି ମଣିଷ ଏ ଜୀବନରୁ ବିଦାୟ ନିଏ, ସେଇ କ’ଣ ତା’ର ଶେଷ ନା ଜୀବନର ଶେଷ ପାରିରେ ତା’ର ଆଉ କିଛି କ୍ରମ ରହିଛି ? ଜୀବନଟାର ଯେତେଗୁଡ଼ିଏ କାରଣ ସତ୍ତା ସେ ସବୁ ନିଜେ ତ ଥିଲେ ଜୀଅନ୍ତା । ତେବେ ମଲାପରେ ହଠାତ୍‌ ତାଙ୍କର କ୍ରିୟା ଶେଷ ହୋଇଗଲା କି ? ପରିଣତି କ’ଣ ମିଳିବ ପ୍ରେତପୁରୀର ପ୍ରେତଲୀଳାରେ ଅବା ବିରାଟ ଯୁଗରେ ସଞ୍ଚା ରହିଲା ମଲା ଲୋକର ଯେଉଁ କ୍ରିୟାର ଅନୁଭୂତି ସେଇ ଅନୁଭୂତିର କ୍ରିୟାଶୀଳ ପକ୍ୱତାରେ ? ମଲାପରେ ମଣିଷର ଯେଉଁ ସ୍ମୃତି ଥାଏ, ସେଇ କ’ଣ କାମ କରେ, ସେଇ କ’ଣ ପରିଣତି ଆଣେ ? ନା ଆଉ କିଛି !

 

ଶିଳ୍ପୀର କଳା ସେହିପରି ! ନାଟକର ଶେଷ ଅଙ୍କ impression ର ମୁଣ୍ଡିମରା ନୁହେଁ-। ହୁଏତ ଅନ୍ୟ ଘଟନା ପରି ସେ ଖାଲି ଗୋଟାଏ episode । ସଙ୍ଗୀତ ଶେଷ ହେଲେ ମନ ଭିତରେ ଯେପରି ରାଗିଣୀର ଗୁଣ ଆଉଟି ହେଉଥାଏ, ନାଟକର ଶେଷ ଦୃଶ୍ୟ ପରେ କେତେ ଅବଧାରଣା ରହିଯାଏ ବାକି, ମନକୁ ମନ କରିବାକୁ ହୁଏ; କେତେ ଆହା ଉହୁ, କେତେ anticipations, କେତେ forecasts, ଶେଷ ଅଙ୍କ ଗୋଟାଏ ସଙ୍କେତ ପରି । ସଙ୍କେତ ପରିଣତି ନୁହେଁ, ସଙ୍କେତ ଦେଖାଏ ପରିଣତିର କ୍ରମ । ପୂର୍ଣ୍ଣଚ୍ଛେଦ ଠିକ୍ କେଉଁଠି ପଡ଼ିଲା, ଥଗ ମଝି ଧରି ବାଛିଦେବା ସେତେ ସହଜ ନୁହେଁ ।

 

ହୁଏତ ଅଗ ମଝି ଶେଷ କିଛି ନାହିଁ । ସତେ ଯେପରି ସବୁ କଳା, ସବୁ ଲୀଳା ଗୋଟାଏ ଗୋଟାଏ କ୍ରମିକ ଅବସ୍ଥା । ଅଗ ନାହିଁ ମଳ ନାହିଁ, ସବୁ ଖାଲି ମଝି ତାର, ଦରିଆର ଲହଡ଼ି ।

 

କୋଇଲିର ଗୀତ ଭାସିଆସେ, ‘‘ଗହଳ ପତର ଫାଙ୍କେ, ବାଟ ତା’ର ଚିରି ଚିରି ।’’ ଗୀତ ସରିଲା, କୋଇଲି ଗଲା ଉଡ଼ି; ଯୁଗ ଯୁଗର ଚିର ସ୍ପନ୍ଦନ ମଝିରେ ସେହି ଗୀତର ସ୍ମୃତି ରହିଗଲା । ଶେଷ ତା’ର କେଉଁଠି ? ଏଇ ଆରମ୍ଭ ତ ତା’ର ଶେଷ, ଖାଲି ଗୋଟାଏ ସ୍ମୃତିର ସ୍ପନ୍ଦନ । ଜୀବନର ନିତିଦିନିଆ ଘଟନା, ସବୁ ଗୋଟିଏ ଗୋଟିଏ ଘଟନା, ସବୁ ଯେମିତି ଖଣ୍ଡିଆଭୂତର ଉଡ଼ନ୍ତା ପତର । ସମ୍ବନ୍ଧ ତା’ର କେଉଁଠି ? କିଏ କାହାର କ’ଣ ? କିଏ କାହାର ଅଗ ଶେଷ ? ମଝି ଦରିଆରେ ଲହଡ଼ି ଉଠେ, ଗୋଟାକ ପରେ ଗୋଟାଏ–ଆଦି ନାହିଁ, ଅନ୍ତ ନାହିଁ । କଳାର ଅବଧାରଣା ତ ଠିକ୍‌ ସେହିପରି । କଳା ଶକ୍ତିର ଅବତାରଣା ହୁଏ ଉଚ୍ଛ୍ୱାସରେ । ଉଚ୍ଛ୍ୱାସର ପୁଣି ଅଗ ମୂଳ କ’ଣ ? ଅଛିଣ୍ଡା, ଅଯୋଡ଼ା; ତେଣୁ ସବୁଦିନେ ନୂଆ, ସବୁଦିନେ ଆଶାୟୀ, ସବୁଦିନେ ଜୀଅନ୍ତା । କଳାର ଶେଷ, କଳାର ଅବଧାରଣାର ଉଜୁଆଁରେ । ସେ ଉଜୁଆଁ କେବେ ହୁଏ ନାହିଁ । ଯେତେ ଧରିଲେ ରହିଯାଏ ଅଛୁଆଁ । ମନର ସ୍ତର ଅନୁସାରେ, ଅବସ୍ଥା ଅନୁସାରେ ନୂଆ ନୂଆ ଅନୁଭୂତି ହେଉଥାଏ; ଶେଷ ପାଇଁ ଭାବି ହେବା ବୃଥା ।

 

ପର୍ଦ୍ଦା ପଡ଼ିଲା; ଗୋଟାଏ ନାଟକର ସବୁ ସୂଚୀ ଏକାଠି କରି ମୁଣ୍ଡି ମରା ହେଲା । କେତେଟା ଘଟନାରେ କଥାବସ୍ତୁର କ୍ରମରେ ଶେଷ ପରିସ୍ଥିତି ଘନେଇ ଆସିଲା । ତା ପରେ–ମୋ କଥାଟି ସରିଲା, ଫୁଲ ଗଛଟି ମରିଲା । ଶେଷ ଅଙ୍କ ସରିଲା; କିନ୍ତୁ Impressionର ଅଗ ମୂଳ ନାହିଁ । ଯେଉଁ ସୂକ୍ଷ୍ମ କ୍ରମବିକାଶର ଶେଷ ପର୍ଦ୍ଦାଯାକେ ଚାଲିଆସିଲା, ତା’ର ଆଖି ରହିଲା ଭବିଷ୍ୟତକୁ, ତା’ର ପ୍ରବଣତା ଚାହିଁଲା ଆଗକୁ । ରାମ ବନବାସ ପରେ ସୀତା ବନବାସ ସରିଲା; ତଥାପି ଆଗକୁ ରହିଲା ରସର କ୍ରମ । ରାମ ରାଜା ପରେ ଭୀମ ରାଜା ହେଉ କ୍ଷତି ନାହିଁ; କିନ୍ତୁ କଳାର ବାଡ଼ା ବନ୍ଦୀ ହୁଏନାହିଁ ଘଟନାର ମୋଟା ଝାଟିରେ । ରସର କ୍ରମିକ ଉଚ୍ଛ୍ୱାସ ରହିଲା ଅପୂର୍ଣ୍ଣ-

 

ଶେଷ ଅଙ୍କ ବାସ୍ତବିକ ଶେଷ ଅଙ୍କ ନୁହେଁ; କିନ୍ତୁ ସାଧାରଣ ଆଖିରେ ଶେଷ ଅଙ୍କ ଗୋଟାଏ ସୀମା ବରଂ ଦୋସମାଳି । ସେପାଖେ କ’ଣ ଅଛି, କ’ଣ ହେବ, ସେ କଥା ଭାବିବା ସୁବିଧା ନୁହେଁ ବା ଅସମ୍ଭବ । ଏ ପାଖର କାମ ସରିଲା । ଉଚ୍ଛ୍ୱାସର କ୍ରମିକ ପ୍ରବଣତା ଘେନି ଭବିଷ୍ୟତକୁ ଚାହିଁ କଳାର ଅବଧାରଣା କରିବା ସମ୍ଭବ ହୋଇ ପାରିବ ନାହିଁ । ଦେଖାପରଖା ଜଣାଶୁଣା ଅଂଶର ମୁଣ୍ଡିମରା ହେଲା, ଅଶୁଣା ଗୀତ ବାକି ରହିଲା, ଶୁଣା ଗୀତର ଧାର ସରିଲା ।

 

ତହୁଁ ଶେଷ ଅଙ୍କ is more important. ସଞ୍ଜ କାଳକୁ ଗାଢ଼ କରି କଳାମେଘର ପର୍ଦ୍ଦା ଓହ୍ଲାଇ ଆସେ; ହସିଲା ହସିଲା, ଥରିଲା ଥରିଲା ଧାନ କ୍ଷେତ ଉପରେ ଦିନର ଆଖି ନିଭିଯାଏ; ଦୂର ଦେଉଳର ଚୂଡ଼ା ମିଶିଯାଏ ଦିଗ୍‌ବଳୟ ମେଘ କୋଳରେ । ଯେତିକି ରହିଲା, ସେ ରହିଲା ଅଛପା; କିନ୍ତୁ ଯେଉଁ ସ୍ମୃତି ଘେନି ଦିନର ଆଲୁଅ ଲୋକ ଆଖିରୁ ବିଦାୟ ନେଲା, ଅନ୍ଧାରର ତଳପର୍ଦ୍ଦା (back ground) ଉପରେ ସେତିକି ରହିଲା ପରିସ୍ପୁଟ, ସେତିକି ଯେପରି ଅନାଦିକାଳର ସଙ୍କେତ । ଦୁନିଆର ସାଧାରଣ ଲୋକ ଅନ୍ୟ କିଛି ବୁଝେ ନାହିଁ । ଗାଈଗୋରୁ ଚଢ଼େଇ ପଲ ପରି ସେ ବୁଝେ ଦିନ ସରିଲା; ସରିଲା–ହେଇ ଧାନ କ୍ଷେତ ଉପରେ ଶେଷ ଚକମକି ଆଲୁଅ, ଦୂର ଦେଉଳ ଉପରେ କାହାର କାଳିଆ ହାତର ଛାଇ; ସେତିକି ଘେନି ଦିନ ବିଦା ହେଲା । କଳାର ଶେଷ ଅଙ୍କ ଠିକ୍‌ ସେହିପରି । ରସର କ୍ରମିକ ଉଚ୍ଛ୍ୱାସର ପ୍ରବଣତା କେହି କାଟି ଛାଟି ବାଛିବୁଛି ବୁଝିବାକୁ ଚେଷ୍ଟା କରେ ନାହିଁ, ଶେଷ ପର୍ଦ୍ଦା ତଳର ଯେଉଁ ବିରହୀ ଆଖିର ଲୁହ ଦିଟୋପା, ଶେଷ ହତାଶାର ଉଛୁଳା କୋହ, ଶେଷ ଚୁମ୍ବନର ମିଳନ ରେଖା, ସେତିକି ତା ମନରେ କ୍ରିୟା କରେ, ସେତିକି ସମ୍ବଳ ଘେନି ସେ କଳାଠାରୁ ବିଦାୟ ନିଏ ।

 

ଶେଷ ଅଙ୍କ ସୁଖର ହେବ ନା ଦୁଃଖର ହେବ, ଏହାର ବିଚାର ନିର୍ଭର କରେ ଶେଷ ଅଙ୍କର tendencies ଗୁଡ଼ିକ ବୁଝିବା ଉପରେ । ଯେ ଯେଉଁ ପ୍ରକାରେ ତା’ର ଅର୍ଥ କଲା, ସେହି ପ୍ରକାରେ ସେ ଦିଶିବ । ହସ ରସ ଲାଗିପାରେ କାରୁଣୀ ପରି; କାରୁଣୀ ଲାଗିପାରେ ହସ ରସ ପରି-। ଅଛିଣ୍ଡା ରହିଲେ ଗତି ବରଂ ହୁଏ କରୁଣ ଆଡ଼କୁ । କାହିଁକି ନା, ମନ ଭିତରେ ସନ୍ଦେହ ଆସେ, ଭୟ ଆସେ, ସାତ ପାଞ୍ଚ ଭାବି ହେବାକୁ ହୁଏ । କରୁଣ ରସର ସାଧାରଣ ଉପାୟରେ ମୁଣ୍ଡିମରା ହେଲେ ସବୁ ସାଧାରଣ ସହଜ ଜଣାପଡ଼େ । ଦଶଟା ମଲେ ବା କୋଡ଼ିଏଟା ଦହଗଞ୍ଜ ହେଲେ, ଯେତେ ଦୁଃଖ ହେଲେ ବି ସବୁ ରହେ ଜଣାଶୁଣା; ତେଣୁ ଅମପା ବାଟଘାଟର କୁହୁଡ଼ିଆ କୁହୁଡ଼ିଆ ଯେଉଁ ବଡ଼ କାରୁଣୀ ତା’ର ଭାବ ସେତେ ସୁବିଧାରେ ଆସେ ନାହିଁ ।

 

ଶେଷ ଅଙ୍କରେ ଦୁଃଖ ପରିବର୍ତ୍ତେ ସୁଖ ରଖିଲେ ଭଲ । ଏଥିଲାଗି ସେ ସାହିତ୍ୟର ମଣିଷ ଉପରେ ଆଶ୍ୱାସନାର ଭଲ ଫଳ ଜଣାପଡ଼େ–ମଝିରେ ଯେତେ କରୁଣ ରସ ଥାଉ ପଛେ ଭଲ ଲାଗେ । ଆଶା ଥାଏ, ଶେଷରେ ଟିକିଏ ସୁଖ ଦେଖିବାକୁ । ଥରେ କଳା-ଶକ୍ତିର ମନ୍ତ୍ର ଆଡ଼କୁ ଝୁଙ୍କିଲେ ମନ ତେଣେ ବନ୍ଧା ରହିଯାଏ । ସେଇ ଚମକରେ ଯଦି ଶେଷରେ କେବଳ ଦୁଃଖହିଁ ହୁଏ ସାରା, ତେବେ ଅକାରଣ ଦୁଃଖର ବୋଝ ଭାରି ହୁଏ । ଜଡ଼ ଟ୍ରାଜେଡ଼ି ଦୁଃଖ ଅନୁଭୂତି ଭିତରେ ସୂକ୍ଷ୍ମ ଭାବରେ ଦେଖା ପରଖା ଜିନିଷର ଆରପାଖେ ଯେଉଁ ଅଦେଖା ଅଶୁଣା ଅଜଣା ବଡ଼ ବଡ଼ ଭାବ ରହିଛି, ତାରି ପରଶ ଦିଏ । କଳା ହିସାବରେ ସେ ଅତି ଉଚ୍ଚ; କିନ୍ତୁ ସାଧାରଣ ଲୋକର ସାଧାରଣ ଜୀବନରେ ତା’ର ବେଶୀ ଉପକାର ହୁଏ ନାହିଁ । ସଂସାରରେ ବଡ଼ ଆଶା ଘେନି ଯୁଝି ବଞ୍ଚିବାକୁ ହେଲେ ନିଜର ବଡ଼ ଆତ୍ମପ୍ରସାଦ ଥିବା ଦରକାର; ଦରକାର ନିଜର ଅଣ୍ଟା ଭିଡ଼ି ବଡ଼ ବଡ଼ ଅଛୁଆଁ ଶକ୍ତି ବିରୁଦ୍ଧରେ ରାକ୍ଷସ ଅଭିଯାନ ଚଳାଇବା । କରୁଣ ରସ ସତେ ଯେପରି ଗୋଟାଏ ବଡ଼ ଧର୍ମଭାବ । ମଣିଷର ବନ୍ଧା ବାଡ଼ରେ ସେ ଗୋଦା ଖୋଲେ, ଯେଉଁ ଉଇହୁଙ୍କାକୁ ଛୋଟ ମଣିଷ ପାହାଡ଼ ମନେ କରି ଆସିଛି, ତା ସେପାଖେ ଛିଡ଼ାକରେ ବିରାଟ ହିମାଳୟ, କଳାବିତ୍‌ର ଖୁବ୍‌ ଉନ୍ନତି-। ସେ ଧୀରେ ଧୀରେ ସତ୍ୟ ଆଡ଼କୁ ଗତିକରେ । ତେଣୁ ନିଜକୁ ନିଜେ ଭାରୀ ଖୁସି ପାଏ । ଦୁନିଆର ଲୋକର ସେତେ ଉନ୍ନତି ନୁହେଁ, ଯେଉଁ ଠକେଇକୁ ସତ ବୋଲି ସେ ହାମୁଡ଼ି ଧରି ତତଲା ବୈତରଣୀ ପାରି ହେଉଛି, ତା ଉପରେ ହାତର ଜାବ ହୁଗୁଳା ହୁଏ । ଦୁନିଆର ଲୋକ ଚାହେଁ ଆଶା, ସାହସ, ବିଶ୍ୱାସ । ଯେଉଁ ବିଶ୍ୱାସରେ ମଣିଷ ମନେ ମନେ ଆକାଶୀ ସଉଧ ତୋଳି ଆସିଛି, ତାକୁ ତଳେଇ ଦେଖିଲେ ସେ ତ ତାସ-ଘର ପରି ମୂଳରୁ ଉପୁଡ଼ି ଅଜାଡ଼ି ହୋଇ ପଡ଼ିବ । ତେଣୁ ତା’ର ଘରକରଣା ଆଇନରେ ସବୁ ମନ-ନରମା କଳା-ଅନୁଭୂତି ଗୋଟାଏ ଗୋଟାଏ ଦୁର୍ବଳତା । ଏଯୁଗର ବସ୍ତୁବାଦ ସେହି ଗୁଣରୁ ସୂକ୍ଷ୍ମକଳାକୁ ହତାଦର କରି ଆସିଛି; ଚମତ୍କାରୀ ଗୁଣକୁ ଦୂରରେ ଦୂରରେ ରଖି କରଛଡ଼ା ଦେଇ ଆସିଛି ।

 

ତେବେ ଏ ଯୁଗର ବସ୍ତୁବାଦ ଉପରେ ନିର୍ଭର କରି ବା କଳା ଛାଡ଼ି ଅନ୍ୟ କୌଣସି ହିତ ଉଦ୍ଦେଶ୍ୟରେ ସାହିତ୍ୟ ଉପରେ ଆଇନ୍‌ ଜାରି କରିବା ଯେ ବିଶେଷ ବୁଦ୍ଧିର କଥା, ତା ନୁହେଁ । ଭଲ ହେଉ ମନ୍ଦ ହେଉ ସତକୁ ଡରି ଡରି ପଛକୁ ପଳାଇବା ମଣିଷପଣିଆ ନୁହେଁ । କଳା ତା ନିଜର ଗତି ଧରିବ–ସୁଖର ହେଉ ବା ଦୁଃଖର ହେଉ । ମଜଲିସି କଳା-ସୌଖିନୀ ସାହିତ୍ୟ କୌଣସି ଯୁଗରେ ବଡ଼ କଳା ନୁହେଁ ବା ବଡ଼ ସାହିତ୍ୟ ନୁହେଁ ।

 

ଶେଷ ଅଙ୍କର ଗୁଣ ନିର୍ଭର କରେ ତା’ର କଳା ହିସାବରେ ମୂଲ୍ୟ ଉପରେ । ବଡ଼ କଳାର ସାଧାରଣ ଗୁଣ, ମଣିଷର ହୃଦୟ-ତାରରେ ଆଘାତ କରି ଗୀତ ଗାଇ ଗାଇ ଚାଲିଯିବ । ପ୍ରକୃତି ଅନୁଭୂତି ନଆସିଲେ କଳା ଅସମ୍ଭବ– ‘ସୂତେ ବଦାମି’ – ଫୋଡ଼ିହେଲେ ଗୀତ ଗାଏଁ (ବେଦ) ଫୋଡ଼ି ନହେଲେ ? ଲକ୍ଷେ ଗୁଣ ଦେଖାଇଲେ କିଛି ଫଳ ନାହିଁ, ଯଦି ପ୍ରକୃତରେ ଅନୁଭୂତି ନ ଆସିଥାଏ । ମଣିଷର ଗୁଣ, ମଣିଷର ନିତିଦିନିଆ ଆକର୍ଷଣୀ, ମୂଳର ଅନୁଭୂତି ଏଇତ କଳାର ଉପାଦାନ । ତା ଉପରେ ତର୍କ ଚାଲେ ନାହିଁ । ତା ଉପରେ ବଡ଼ କରି ଅମଣିଷ କଳା, ସୋପିଷ୍ଟ୍ରିର ଆଖିଝଲସା ବଡ଼ ବଡ଼ ଢିମା ଢିମା କଥା, ଏସବୁ କଳା ହିସାବରେ ଅତି କମ୍‌ ଦାମ୍‌ । କଳାର ଅଗ ହେଉ, ମଝି ହେଉ, ଶେଷ ହେଉ, ସବୁଠି ଏଇ ଏକାକଥା କାଟୁ । ଯାହା ମନକୁ ଛୁଇଁ ପାରିବ ନାହିଁ, ଯାହା ହୃଦୟର ନିତିଦିନିଆ ସୂକ୍ଷ୍ମ ଅନୁଭୂତି ନ ଦେଖାଇ ବାଜେ ଆତସବାଜିରେ ମାତେ, ସେ ଯେପରି କଳା ଆଡ଼କୁ ବା କଳା ବିରୁଦ୍ଧରେ ଏକସ୍‌ପେରିମେଣ୍ଟ–ନୂଆଶିଖାଳୀର ଗଡ଼ିଆ କୂଳରେ ହାତଗୋଡ଼ପିଟା ଏକସ୍‌ପେରିମେଣ୍ଟ୍‌ । କ୍ରମେ ଏ ହାତ ଗୋଡ଼ ବାଡ଼ିଆ ଭଲ ହୋଇଯିବ, ହୁଲସ୍ତୁଲିଆ ଚମକକଳା ପରିବର୍ତ୍ତେ ପୁଣି ଚିନ୍ତାଧାରା ଗତି କରିବ ଯୁଗଯୁଗର ସେଇ ବନ୍ଧା ବାଟରେ–ଧୀରେ ସୁସ୍ଥେ ।

 

ଶେଷ ଅଙ୍କର ପରିଣତି କେଉଁପାଖେ, ସେ କଥା କେହି କହିପାରିବେ ନାହିଁ । ସତେ କ’ଣ କିଛି ଶେଷ ବୋଲି ଅଛି ? କିଏ କହିବ ?

 

ଜୀବନ ହେଉ, କଳା ହେଉ, ବାହାରର ଅଗ ଶେଷ ସେ ପାଖେ ରହିଛି, ଯେମିତି କେଉଁ ଅନ୍ଧାରିମୁଲକର ହଲଚଲ ଚହଳ । ନିତ୍ୟ ଯୁଗର ଦରିଆ ମଝିରେ ଛୋଟ ଛୋଟ ଢେଉ । ଶେଷ କେଉଁଠି ?

 

ସବୁ ଯେପରି Episodic, ଗୋଟିକୁ ଗୋଟି ଛନ୍ଦାଛନ୍ଦି ।

 

ଆଉ ସବୁ ଶେଷ ଯେମିତି ଅଡ଼େଶିଅସ୍‌ଙ୍କ ଶେଷ ଯାତ୍ରା ପରି । ସମୁଦ୍ର ଉପରେ ପାଲ ମେଲି ବୋଇତ ଚାଲିଛି ।

 

ନ ହେଲେ ଅଗସ୍ତିଙ୍କ ଦକ୍ଷିଣାପଥ ଯିବାପରି–ବିନ୍ଧ୍ୟ ପାହାଡ଼ ଚାହିଁ ବସିଛି ।

 

ଏଇ ଚାଲିବାଟା ଯେମିତି ଜୀବନର ମଉଜ । ଅନ୍ଧାର ତଳେ କାଳିଆପାଣି ଚହଳ କରେ, ତୋଫାନ ଉଠେ; ତଥାପି ବୋଇତ ଚାଲିଛି । ବାଟ କେତେ ?

Image

 

ନାଲି ସଡ଼କର ଢିମା

 

ଯାବତ ସଢ଼ାପଚା ଅସନା କଦର୍ଥନ ଭିତରୁ ପଦ୍ମ ଫୁଲଟି ଫୁଟି ବାହାରେ, ନେଳିଚା ଭୁଟୁକିମରା ଦଳ ଭିତରୁ । ଯାବତ ଅଭାବ ଅସୁବିଧା ଦୁଃଖ ହତାଶ ଏଡ଼ି କଳାର ବାସ ଚହଟେ, କଳାର ଫୁଲ ଫୁଟି ଦିଶେ–ଅସରନ୍ତି ବିରାଟ ଅସୀମକୁ ଚାହିଁ । କାଳିସୀଲଗା କଳାଶକ୍ତି କାହାରିକୁ ଅପେକ୍ଷା କରେ ନାହିଁ । ପେଟରେ ଓଦାକନା ଦେଇ ଓଡ଼ିଆ ତା’ର ଶିଳ୍ପୀ ପ୍ରାଣକୁ ପ୍ରକଟ କରେ । ଷୋଡ଼ଶ ଶତାବ୍ଦୀର ଅଶିକ୍ଷିତ ବିଲାତି ପେଣ୍ଡେଲରେ ଦିନ ଦି’ପହରେ ମଦୁଆ ସେକ୍‌ସ୍‌ପିୟର ପ୍ରଚାର କଲେ ମ୍ୟାକ୍‌ବେଥ ନାଟକର ଘନ ଅନ୍ଧାରର ଗାଢ଼ କାଳିମା, ଦିନର ଆଲୁଅକୁ ଉପହାସ କରି । ଶିଳ୍ପୀ ଯେପରି ନିଜର ଆଇନ ନିଜେ ଗଢ଼େ, ଦେଶକାଳ ପାତ୍ରର ବନ୍ଧନ ଏଡ଼ି । କଳାଶକ୍ତି ବସ୍ତୁ-ତନ୍ତ୍ର ଭିତରେ ବନ୍ଧା ନୁହେଁ, ପ୍ରାଣ ଯେପରି ବନ୍ଧା ନୁହେଁ ରକ୍ତ ମାଂସର ଦେହ ଭିତରେ ।

 

କିନ୍ତୁ କଳାର ଶକ୍ତି ଯଦିଚ ଅସୀମର ସ୍ୱୟଂ ପ୍ରକାଶ, କଳାର ପ୍ରକାଶ ହେଉଛି ପ୍ରକାଶର ଆଇନରେ ବନ୍ଧା । ସାଧାରଣ ପ୍ରକାଶ କରିବାର ଯେଉଁ ବନ୍ଧା ବାଟ ଅଛି, ଯେଉଁ ଭାଷା, ଯେଉଁ ଉପାୟ, ଯେଉଁ ଅବସ୍ଥା, ମୋଟ ଉପରେ ଯେଉଁ Form, ଶିଳ୍ପୀ ତା ଛଡ଼ା ଅନ୍ୟ ବାଟ ଦେଖିପାରେ ନାହିଁ ।

 

ସେକ୍‌ସ୍‌ପିୟର ତ ଓଡ଼ିଆରେ ନାଟକ ଲେଖିଲେ ନାହିଁ, ପଣ୍ଡିତ କବି ଜୟଦେବ ତ ବଙ୍ଗଳାରେ ଗୀତଗୋବିନ୍ଦ ଲେଖିଲେ ନାହିଁ; ସେମାନେ ଲେଖିଲେ ନିଜ ଭାଷାରେ । ହୁଏତ କଳାର ମୂଳ ଗୁଣ ସବୁ ମଣିଷଠିଁ ସମାନ; ତେଣୁ ସେକ୍‌ସ୍‌ପିୟରଙ୍କ ଉପରେ ଆମର ବି ଦାବୀ ଅଛି; ଜୟଦେବଙ୍କ କଳାରେ ବଙ୍ଗାଳୀମାନଙ୍କର ବି ଦାବୀ ଅଛି । କିନ୍ତୁ ବାହାରର ପ୍ରକାଶର ଯେଉଁ ଆବରଣ, ସେ ଆବରଣ ଯେପରି ଦେଶକାଳପାତ୍ର ସଙ୍ଗେ ବନ୍ଧା । ପ୍ରକାଶର ସେ ଆବରଣକୁ କଳାର ଛାଞ୍ଚ କୁହାଯାଇପାରେ । ହୁଏତ ଯେଉଁ ଧାତୁ ଢଳା ହେଉଛି, ସେ ଧାତୁ ଏକା-ନିଆରା ଛାଞ୍ଚରେ ନିଆରା ଆକାର ଦିଶେ । ସେକ୍‌ସ୍‌ପିୟର ଯଦି ‘ଶକୁନ୍ତଳା’ ନାଟକ ଲେଖିଥାଆନ୍ତେ, ଆଉ କାଳିଦାସ ଲେଖିଥାନ୍ତେ ଟେମ୍ପେଷ୍ଟ୍‌ ନାଟକ, ତା ହେଲେ ଦୁଇ ଶିଳ୍ପୀଙ୍କ କଳାର ପାର୍ଥକ୍ୟ ଛାଡ଼ି ଦେଲେ ସୁଦ୍ଧା ଦେଶକାଳପାତ୍ରରୁ ସେମାନେ ଯେଉଁ ଅଲଗା ଅଲଗା ଆବରଣ ପାଇଥିଲେ, ସେ ଆବରଣ ଗୁଣରୁ ଫଳ ଅଲଗା ହୋଇଥାନ୍ତା । ରାଧାନାଥ ଯଦି ଏ ଯୁଗରେ ଲେଖିଥାନ୍ତେ, ତେବେ ସେ ବୋଧହୁଏ ଲେଖି ନ ଥାନ୍ତେ ‘‘ଆମ୍ଭେ ଆମ୍ଭ ହସ୍ତସ୍ଥିତ କରବାଳକୁ ତାଙ୍କ ପେଟ (?)ରେ ଭୁଷିଦେଲୁ’’ ।

 

ଏହି କାରଣରୁ ଅତୀତ ଯୁଗର ଶିଳ୍ପୀମାନେ ଦେଶକାଳପାତ୍ରର ଆବରଣକୁ ମୁଣ୍ଡପାତି ଆଭରଣ କରି ମାନି ନେଇଛନ୍ତି । ହାଲିକା କଥା, ଫକୀରମୋହନ ଏ ଯୁଗରେ ଭିନ୍ନ କଥା ଲେଖିଥାନ୍ତେ । ଏ ବର୍ଣ୍ଣାଡ଼୍‍ଶ ଯୁଗରେ ସେକ୍‌ସ୍‌ପିୟର ଅନ୍ୟ ପ୍ରକାରେ ନାଟକ ଲେଖିଥାନ୍ତେ, ଅନ୍ତତଃ ଅମିତ୍ରାକ୍ଷର ଛନ୍ଦର ସେ ଭୀମ ରଡ଼ି ଛାଡ଼ି ସରଳ ଗଦ୍ୟରେ–ଏ ଯୁଗର ନାରୀ, ଯୁଦ୍ଧ ପରେ ପୃଥିବୀର ଅବସ୍ଥା, ଏ ଯୁଗର ଅକର୍ମା ସମସ୍ୟା, ଆଉ ସୋସିଏଲିଷ୍ଟ୍‌ ଦଳ-ଏହିସବୁ କଥା ଲେଖିଥାନ୍ତେ, ରାଜା ମହାରାଜାଙ୍କ କଥା ଛାଡ଼ି ଅଧପେଟା ଭୋକିଲା ଦରମଲା ଗରିବଙ୍କ କଥା ଲେଖିଥାନ୍ତେ, ଭିନ୍ନ ଭିନ୍ନ ନୂଆ ନୂଆ ବୈଜ୍ଞାନିକ ଷ୍ଟେଜ ଉପାୟକୁ ଚାହିଁ ନାଟକ ଲେଖିଥାନ୍ତେ । ଲୋକେ କହନ୍ତି, ପଠାଣି ସାଆନ୍ତେ କୁଆଡ଼େ ବୁଢ଼ା ବୟସରେ ଟେଲିସ୍କୋପ ଦେଖି କାନ୍ଦି ଥିଲେ, ଆଉ କହିଥିଲେ ଯେ, ଏପରି ଯନ୍ତ୍ରପାତି ଯଦି ସେ ପାଇଥାନ୍ତେ, ତେବେ ନିଜେ ଗୋଟିଏ ହାତ-ଗଢ଼ା ଯନ୍ତ୍ର ତିଆରି ନ କରି ଅମୂଲ୍ୟ ସମୟ ଅନ୍ୟ ଉନ୍ନତି ଉପାୟରେ ଲଗାଇଥାନ୍ତେ । ଏଇ ବେଳକାଳର ବନ୍ଧା-ଗତ ହେଉଛି ଶିଳ୍ପୀର ଉପାୟ ।

 

ଏଇ ବନ୍ଧା-ଗତର ନାଲି ସଡ଼କ ଉପରେ ଶିଳ୍ପୀ ମାଡ଼ିଚାଲେ-ବେଳ-କାଳର ନାଲି ସଡ଼କ, ତାରି ପରିସର, ତାରି କ୍ରମ ଆଉ ତାରି ଅବସ୍ଥା ଉପରେ ଶିଳ୍ପୀର ପ୍ରକାଶର ଉପାୟ ନିର୍ଭର କରେ । କେତେଠିଁ ନାଲି ସଡ଼କରେ ଅଛି ଢିମା ପଥର । ଶିଳ୍ପୀ ଝୁଣ୍ଟେ, ବୁଲାଣି ବାଟରେ ଯାଏ । କେତେଠିଁ ନାଲି ସଡ଼କ ବାଟ ଅଡ଼ୁଆ, ବଙ୍କେଇ ବଙ୍କେଇ କେନ୍ଦ୍ରେଇ କେନ୍ଦ୍ରେଇ ସାପ ପରି ଯାଇଛି । ତାରି ଉପରେ ଶିଳ୍ପୀ ଚାଲେ । କେଉଁଠି ଖାଲ, କେଉଁଠି ଢିପ, କେଉଁଠି ବାର ହିନସ୍ତା; ତଥାପି ବନ୍ଧା ବାଟରେ ଯିବାକୁ ହିଁ ହେବ । ତା ଛଡ଼ା ଉପାୟ ନାହିଁ । ଶିଳ୍ପୀ ଉଠିପଡ଼ି ଚାଲେ ।

 

କୌଣସି ସାହିତ୍ୟର ଇତିହାସ ପଢ଼ି ବସିଲେ ପରିଷ୍କାର ଜଣାପଡ଼େ, କିପରି ସ୍ଥାନ, କାଳ, ଆଉ ଅନ୍ୟାନ୍ୟ ଅବସ୍ଥାଭେଦରେ ସାହିତ୍ୟକୁ ଯୁଗ ଯୁଗ କରି ଭାଗ କରାଯାଇପାରେ । ଯେତେବେଳେ ଆମେ କହୁଁ ଭଞ୍ଜ ଯୁଗ, ରାଧାନାଥ ଯୁଗ, ଫକୀରମୋହନ ଯୁଗ, ବିଂଶଶତାବ୍ଦୀ, ସେତେବେଳେ ଆପେ ଆପେ ଆମେ ଧରିନେଉ ଯେ, ପ୍ରତ୍ୟେକ ଦୁଇ ଯୁଗ ଭିତରେ ଅନେକ ଫରକ ଅଛି । ଭଞ୍ଜଯୁଗର କବି ଆଉ ରାଧାନାଥ ଯୁଗର କବି, ଏ ଦୁଇ ଦଳ ଭିତରେ ଯଥେଷ୍ଟ ଫରକ ଅଛି । ତା’ର କାରଣ ହେଉଛି, ପ୍ରତ୍ୟେକ ଦଳର ଗୋଟିଏ ଗୋଟିଏ ବଂଶଗତ ଗୁଣ ରହିଛି । ପୂର୍ବବର୍ତ୍ତୀ ଯୁଗମାନଙ୍କର କ୍ରମର ସମଷ୍ଟି ଗୋଟିଏ ସାହିତ୍ୟିକ ସଂସ୍କାର ଗଢ଼ିଛି । ଦୁଇ ଯୁଗର ସାହିତ୍ୟିକ ସଂସ୍କାର ନିଶ୍ଚୟ ଫରକ । ତାହାଛଡ଼ା ଦୁଇଟି ଯୁଗର ସାମାଜିକ, ରାଜନୈତିକ, ଆର୍ଥିକ ଅବସ୍ଥା ଘେନି ସେହି ସମୟ, ଆଉ ସେହି କାଳର କେତେକ ଧାରା (Conventions) ତିଆରି ହୋଇଯାଇଛି, ଯାହା ପରସ୍ପରଠୁଁ ଅଲଗା । ବିଂଶ ଶତାବ୍ଦୀର ସାହିତ୍ୟିକ ବନ୍ଧାଗତ ଭଞ୍ଜ ଯୁଗର ସାହିତ୍ୟିକ ବନ୍ଧାଗତଠାରୁ ଅଲଗା । ବିଂଶ ଶତାବ୍ଦୀର ସାହିତ୍ୟିକ ସଂସ୍କାର ଭଞ୍ଜଯୁଗର ସାହିତ୍ୟିକ ସଂସ୍କାରଠାରୁ ଅଲଗା । ଏହି ଯେଉଁ ପାର୍ଥକ୍ୟ, ତାହାର ଛାଇ ପଡ଼େ ସାହିତ୍ୟର ଆବରଣ ଆଉ ପ୍ରକାଶ ଉପରେ । ତେଣୁ ଯୁଗ ଯୁଗ ପ୍ରଭେଦରେ ସାହିତ୍ୟର Formରେ ଫରକ ରହିଯାଏ । ଏଇ Form ଦେଖି କହିହେବ, କେଉଁ ସାହିତ୍ୟ କେଉଁ ଯୁଗର । କାଳ ନିରୂପଣ କରିବା ପାଇଁ ଏହି Formର ସାହିତ୍ୟିକ ସଂସ୍କାର ଆଉ ସାହିତ୍ୟିକ ବନ୍ଧାଗତଜନିତ ବିଶେଷତ୍ୱ ହେଉଛି ଆଭ୍ୟନ୍ତରୀଣ ପ୍ରମାଣ (Internal evidence) ।

 

ଏ ଯୁଗର ଓଡ଼ିଆ ସାହିତ୍ୟର ଫଳାଫଳ ଦେଖିବାକୁ ହେଲେ ଏ ଯୁଗର ସାହିତ୍ୟିକ ସଂସ୍କାର ଓ ସାହିତ୍ୟିକ ବନ୍ଧାଗତର କାରଣ ଉଣ୍ଡି ଦେଖିବାକୁ ପଡ଼ିବ । ପରୀକ୍ଷା କଲେ ଜଣାପଡ଼ିବ, ନାଲି ସଡ଼କର ଢିମା କେଉଁଠି, କେଉଁ କେଉଁ ସ୍ଥାନରେ କେଉଁ କେଉଁ କାରଣ ଲାଗି ଆମକୁ ଅଟକି ରହିବାକୁ ପଡ଼ିବ, କେଉଁଠି ବା ହଲି ହଲି ଢଳି ଢଳି ଖସିଯାଇ ପାରିବା । ଆଜିକାଲିକା ଓଡ଼ିଆ ସାହିତ୍ୟକୁ ଇଂରେଜି ସାହିତ୍ୟ ଆଉ ଭାରତବର୍ଷର ଅନ୍ୟାନ୍ୟ ସାହିତ୍ୟ ସହିତ ତୁଳନା କରି ଦେଖିଲେ, କେତେ ଫରକ ଜଣାପଡ଼େ । କଳା-ଶକ୍ତିର ଗତାଗତ ବାଦ୍‌ ଦେଲେ ଅନ୍ୟାନ୍ୟ କାରଣ ସବୁ କ’ଣ ? କାହିଁକି ଆମ ସାହିତ୍ୟର ଢଙ୍ଗ ଅଲଗା ହେଉଛି ? କ’ଣ ଏପରି କାରଣ ଅଛି, ଯାହାକୁ ଦଳ ଦଳ ଲେଖାଳୀ ଭାଙ୍ଗିପାରୁ ନାହାନ୍ତି ?

 

କଳା-ଶକ୍ତିର ଗତାଗତ ବାଦ୍‌ ହେଲେ ସାହିତ୍ୟର ଆବରଣ ଭିତରେ ତା’ର କାରଣ ମିଳେ । ଦେଶର ସାଧାରଣ ଅବସ୍ଥା, ସାମାଜିକ, ଆର୍ଥିକ, ରାଜନୈତିକ ଓ ଅନ୍ୟାନ୍ୟ, ଜାତିର ମୂଳ-ଗୁଣ, ଏହିପରି ଅନେକ କଥା ଅଛି, ଯାହା ଲେଖକ ଦେହରେ ଲାଗି ରହୁଛି । କଞ୍ଚାଫଳ ଦେହରେ ଖୋଳପା ପରି । ଏ ଦେଶର କେତେଗୁଡ଼ିଏ ସଂସ୍କାର ଅଛି–ହୁଏତ ସାହିତ୍ୟରେ ସେପରି ସଂସ୍କାର କୌଣସି ଉପକାରରେ ଆସୁନାହିଁ; କିନ୍ତୁ ତା ବିରୁଦ୍ଧରେ ଗଲେ ସାହିତ୍ୟ ହୁଏତ ହେବ ଅମୂଳକ; ନୋହିଲେ ହେବ ଗର୍ହିତ ।

 

ସାଧାରଣତଃ ଦେଖିବାକୁ ମିଳେ, ଆମ ସାହିତ୍ୟରେ ଭଲ ରୋମାନ୍‌ସ୍‌ ନାହିଁ । ବଙ୍ଗଳା ପତ୍ରପତ୍ରିକାରେ କେତେ ଶସ୍ତା ରୋମାନ୍‌ସ୍‍ ଥାଏ; ତେଣୁ ଆମେ ଏତେ ବଙ୍ଗଳା ପଢ଼ୁଁ । ସେଦିନ ଜ୍ଞାନବାବୁ କହିଲେ, ‘‘କାହିଁ, ରସରସିଆ ଲେଖା ତ ଲେଖୁନା, ଏ କାଠୁଆ କଥାର ମଉଜ ବୁଝନ୍ତି ବୁଢ଼ାଏ, ନୋହିଲେ, ପଣ୍ଡିତେ; ଆମର ଦରକାର ନାହିଁ ।’’ ରସରସିଆ କାହାଣୀ ବାସ୍ତବିକ ଆମର ଅଭାବ । ଅସୀମର ଛନ୍ଦ ଧରାପଡ଼ିଛି, ସୃଷ୍ଟିର ଯୌନ-ଲୀଳା ଭିତରେ । ତାରି ଭିତରେହିଁ ନିରାକାର ପାଇଛି ଆକାର, ଅନାଦି ଅନନ୍ତ ଆଦି ଆଉ ଅନ୍ତ ପାଇଛି । ନରନାରୀଙ୍କ ଭେଟାଭେଟି Sexର ଆଖିଝଲସା ଗୁଣ । ଏ ଖାଲି ଅନ୍ୟାନ୍ୟ ପ୍ରବୃତ୍ତି ପରି ‘‘ଗୋଟିଏ’’ ପ୍ରବୃତ୍ତି ନୁହେଁ । ବେହିଆ ମୁହଁରେ ପଦାକୁ ପଥର ହେଲେ ବି ସମସ୍ତେ ଏ କଥା ବୁଝନ୍ତି; ତେଣୁ ସମସ୍ତେ ମନେ ମନେ ଖୋଜନ୍ତି, ଆଉ ଝୁରନ୍ତି । Spirit ଯୁଗ କଥାଟାକୁ କବିତା କରିଥିଲା, Matter ଯୁଗ ତାକୁ ଗଦ୍ୟରେ ରଖିଛି-ଏତିକି ଯାହା ପ୍ରଭେଦ ।

 

ତେଣୁ ଏପାଖ ସେପାଖ କରି ଘୋରତେଇ ପୋରତେଇ ଲେଖିଲେ ବି ସତର ଥର ସେ କଥାଟି ସାରା ଲୋକଙ୍କୁ ଭଲ ଲାଗୁଥିବ । ଶସ୍ତାରେ ଲୋକଙ୍କ ମନକୁ କିଣିନେବାକୁ ମନ ଥିଲେ, ଚାରି ମହଣ ଅଳିଆ ଗଦା ଭିତରେ ଅଧଛଟାଙ୍କି ଆଦିରସ ପୂରାଇ ଦେବାକୁ ହେବ । ବେଶ୍‌, ସେତିକିରେ କାମ ଫତେ ! କିନ୍ତୁ ଆମ ଓଡ଼ିଆରେ ସେତକ ସୁବିଧାରେ ଘଟୁନାହିଁ । ଆମେ ପଥର ହୋଇପାରିବା, ଆମେ ପହିଲି ରାତି ବର୍ଣ୍ଣିପାରିବା; କିନ୍ତୁ ଜଣକା ପିଛା ଜଣେ ଯେଉଁ ଗୋଡ଼ିଆଗୋଡ଼ି, ଯେଉଁ ଗୋଡ଼ିଆଗୋଡ଼ି ଜୀବନକୁ କରିଛି କବିତା, ଫୁଲରେ ଦେଇଛି ସୁବାସ, ରଙ୍ଗ, ରକ୍ତରେ ଦେଇଛି ତେଜ, ସେ ଗୋଡ଼ିଆଗୋଡ଼ି ଆମେ ସୁବିଧାରେ ସହଜ ଉପାୟରେ ଏ ଯୁଗରେ ଲେଖିପାରି ନାହୁଁ ।

 

ଦେହର କଥା ଶେଷ କଥା । ଛୁଇଁଲା-ଛାଡ଼ିଲା, ଛୁଇଁଲା ଛାଡ଼ିଲା ଏହି ଯେଉଁ କ୍ରମ, ସେହି ହେଉଛି ପ୍ରେମର ଇତିହାସ । ଧରି ରଖିନେଲେ କାମ ତୁଟିଗଲା । ତେଣୁ ଅତିରସିକ କବି ସେଠି ସୁଦ୍ଧା ଲେଖିଲେ ‘‘ଶୈଳାଧିରାଜତନୟା ନ ଯଯୌ ନ ତସ୍ଥୌ’’ । ମନ ଭିତରେ ସେହି ଯେଉଁ ଗୋଡ଼ିଆଗୋଡ଼ି ଲାଗି ରହିଥିଲା, ବାହାରେ ତାହା ସ୍ଥିତିବାନ୍‌ ହୋଇଗଲେ ସୁଦ୍ଧା, ତରଳ ଛବି ପଥର ଦେହରେ ଧରାପଡ଼ିଲେ ସୁଦ୍ଧା, ଅନୁଭୂତିର (impression) ସେହି ଗତିଶୀଳ (dynamic) ଅବସ୍ଥା ପୂରା ଯାଇନାହିଁ; ତେଣୁ ନ ଯଯୌ ନ ତସ୍ଥୌ ।

 

ଆମର ଏ ଯୁଗର ସାହିତ୍ୟରେ ସେପରି ଚମତ୍କାର ଗୋଡ଼ିଆଗୋଡ଼ି ବାହାରି ପାରୁ ନାହିଁ-। ତେଣୁ ମଣିଷର ସହଜ ମୂଳ ଗୁଣ ବହି ଭଉଣୀ ଆଉ ଭାଇମାନେ ଓଡ଼ିଆ ସାହିତ୍ୟକୁ ଦେଖି ଦୀର୍ଘଶ୍ୱାସ ପକାଉଛନ୍ତି; ଆଉ ଭାବୁଛନ୍ତି- ଏ ସାହିତ୍ୟଟା ବୃଥା- କାଠୁଆ, ନୀରସ ! ଆଉ ଲେଖାଳିମାନେ ହେଲେ ବାଜେ, ଯେଉଁମାନେ କି କାଳି କଲମର ଭଲ ବ୍ୟବହାର କରୁ ନାହାନ୍ତି । ତେଣୁ ପରା ଓଡ଼ିଆ ଲେଖାଟିଏ ଦେଖିଲେ ସାଧାରଣ ମନ୍ତବ୍ୟ ‘‘ଦେ ଓଲଟା !’’ ତେଣୁ ପରା କଅଁଳକୁହା ଶସ୍ତା ବଙ୍ଗଳା ସାହିତ୍ୟ ଆମର ଘରେ ଘରେ ! ଆମର ଭଉଣୀମାନେ ଓଡ଼ିଆ ଯେତେ ନ ପଢ଼ନ୍ତି, ବଙ୍ଗଳା ପଢ଼ନ୍ତି ତହିଁରୁ ବେଶୀ । ତା’ର କାରଣ ଆଉ ଅନ୍ୟ କିଛି ନୁହେଁ, ସାଧାରଣ ବଙ୍ଗଳା ସାହିତ୍ୟ ଅତିଶୟ ସେଣ୍ଟିମେଣ୍ଟାଲ, ଆଉ ତହିଁରେ ସ୍ତ୍ରୀ-ପୁରୁଷଙ୍କ ଗୋଡ଼ିଆଗୋଡ଼ି ପ୍ରକରଣ ଅତି ଦୁର୍ବଳ ହେଲେ ବି ଅତି ପରିସ୍ଫୁଟ । ଅତଏବ ଯେଉଁମାନଙ୍କ ରୁଚି ଅପେକ୍ଷାକୃତ ମାର୍ଜିତ, ସେମାନେ ସୁଦ୍ଧା ତାକୁ ଆଦର କରିବା କଥା ।

 

ଆମର ଏପରି ଅଭାବ ଗୋଟିଏ ସମସ୍ୟା ହୋଇପଡ଼ିଲାଣି । ତା’ର କାରଣ ରହିଛି ସମାଜର ମଞ୍ଚ ଭିତରେ । ରୋମାନ୍‌ସ୍‌ ଚାହେଁ ଅବାରିତ ମୁକ୍ତ ବ୍ୟବହାର । ପ୍ରେମର ଇତିହାସର କ୍ରମ କୌଣସି ସଂସ୍କାରଗତ ଆଇନରେ ବନ୍ଧା ନୁହେଁ । ପ୍ରେମ ବାହାରର ମୋହର ମାନେ ନାହିଁ । ଦୁଷ୍ମନ୍ତ ଶକୁନ୍ତଳାଙ୍କ ସାଙ୍ଗେ ପ୍ରେମ କରୁଥିବା ସମୟରେ ଯଦି ଶକୁନ୍ତଳା ହାତେ ଓଢ଼ଣା ପକାଇ ଘରକଣରେ ଲୁଚିଥାନ୍ତେ, ଆଉ କଣ୍ୱ ଋଷି ନାଲି ଆଖି ଦେଖାଇ ମୁହଁ ଫଣଫଣ କରି ପିଣ୍ଡା ପହଣ୍ଡରେ ବସି ଜଟାରେ ବରକ୍ଷୀର ମାଖୁଥାଆନ୍ତେ, ତେବେ କାଳିଦାସଙ୍କ ନାଟକର କ୍ରମ ଅନ୍ୟ ରକମ ହୋଇଥାନ୍ତା । ପ୍ରେମ ଚାହେଁ ଦୁଇଟି ଟୋକା ଟୋକୀ ଖୋଲା ଆକାଶ ତଳେ ଯୁଗଯୁଗର ସେ ଗୋଡ଼ିଆଗୋଡ଼ି ଖେଳ ଖେଳୁଥିବେ । ଛୁଇଁଲାଛାଡ଼ିଲା, ହସ କାନ୍ଦର ସେ ଚିରନ୍ତନ ଖେଳ ଭାବର ଢେଉ ଉଠାଉଥିବ । ତା ହେଲେ ଅନୁଭୂତି ଚାଲିଯିବ କେଉଁ ଦୂର ଅସୀମକୁ । ମଣିଷ ମୌଳିକ ଗୁଣଦ୍ୱାରା ଅନୁଭବ କରିପାରିବ ବିରାଟ ଅସୀମ ଭାବର ସପନକୁ ।

 

କିନ୍ତୁ ଆମର ସମାଜର ଘଟନା ସ୍ତ୍ରୀପୁରୁଷଙ୍କ ମିଳାମିଶା ସପକ୍ଷରେ ନୁହେଁ । ଆମର ସ୍ତ୍ରୀଲୋକମାନେ ଓଢ଼ଣାପକା, ଅନ୍ଦର ମହଲର ବାସିନ୍ଦା । ସ୍ତ୍ରୀପୁରୁଷଙ୍କର ସାଧାରଣ ମିଳାମିଶା ଆମ ସମାଜରେ ନାହିଁ । ଅତଏବ ସାହିତ୍ୟରେ ତାକୁ ଆକାର ଦେଲେ ସୁଦ୍ଧା ଚଳିବ ନାହିଁ । ଯୁବକ ଯୁବତୀଙ୍କୁ ଏକାଠି ଭେଟାଇବା ପାଇଁ ତ ଗୋଟିଏ କାରଣ (raison d’eter) ଦରକାର । ଆମର ସମାଜର ଆଇନ ଅନୁସାରେ ସେପରି ଉପଲକ୍ଷ ବା ସେପରି କାରଣ ନାହିଁ । ଯଦି ଜଣେ ଲେଖକ ଦେଖାଇଲେ, ସେ ଯୁବକ ରାଜଯୁବତୀ କନକଲତାଙ୍କ ସଙ୍ଗେ ପ୍ରେମ କରୁଛନ୍ତି, ତା ହେଲେ ଆପଣା ଆପେ ମନ ଭିତରେ ପ୍ରଶ୍ନ ଉଠିବ, ‘‘କେମିତି ହେଲା ?’’ ବିଶେଷଣର ମଧ୍ୟ ଊଣା ରହିବ ନାହିଁ । ଅତଏବ ଏପରି ଲେଖା ଅପ୍ରାସଙ୍ଗିକ ହେବ, ଯେପରି ଅପ୍ରାସଙ୍ଗିକ ହୁଏ ଗପୁର ମିଆଁ ପଇତା ପକାଇଲେ । ଏକେ ତ ସେପରି ମିଳାମିଶା ନ ଥିବାରୁ ପ୍ରେମ କରିବାକୁ ହେଲେ ଅ-ଚିହ୍ନା କିମ୍ବା ଅଧ-ଚିହ୍ନା ଦୁଇପକ୍ଷ ଭିତରେ କିପରି ବ୍ୟବହାର ହୁଏ, ତା ଅନେକ ଲେଖକଙ୍କ ଅଭିଜ୍ଞତାର ବାହାରେ; ତହିଁରେ ପୁଣି ଅନୁମାନ ଉପରେ ନିର୍ଭର କରି କିଛି ଲେଖିଲେ ସମସ୍ତେ ନାକ ଟେକିବେ- ‘‘କିଲ୍ଲୋ ମା କିସ, ଏମନ୍ତି ତ ହୁଏ ନାହିଁ ।’’

 

କିନ୍ତୁ ଯଦି ହୁଏ, ତେବେ ସେ ହେବ ପାପ । ବିଦେଶୀ ସାହିତ୍ୟରେ ମିଷ୍ଟର – ଶୁ-ମେକର ମିସେସ୍‌ ବା ମିସ୍‌ ୟଂ ହଜ୍‌ବ୍ୟାଣ୍ଡଙ୍କ ସଙ୍ଗେ ପ୍ରେମ କଲେ ସମସ୍ତେ ଦେଖିବେ, ଏ ବୈଜ୍ଞାନିକ ପ୍ରକ୍ରିୟାର କ୍ରମ ଓ ପରିଣତି କିପରି ହେଉଛି । ସେଠି ପାପର କଥା ଆଦୌ ଉଠି ନ ପାରେ । କିନ୍ତୁ ଗୋବରା ପଧାନ ଯଦି ଭଗି ମଳିକ ଝିଅ ସାଙ୍ଗେ ରୋମାନ୍‌ସ ଆରମ୍ଭ କରିଦିଏ, ତେବେ ସମସ୍ତେ ପଢ଼ି ମଜା ଦେଖିଲେ ବି ଲୋକେ ଲେଖକଙ୍କ ଉପରେ ଫୁଲ, ଚନ୍ଦନ ନ ପକାଇ ଆଉ କିଛି ପକାଇବେ । କାରଣ ଏଇଟା ପାପ ! ଶହ ଶହ ବରଷର ତରୁଣଙ୍କ ହେଣ୍ଟାଳ ସମାଜର ଏ କୁସଂସ୍କାର ଭାଙ୍ଗିପାରି ନାହିଁ । ସ୍ତ୍ରୀ ଜାତିମାତ୍ରେହିଁ ଭାରତବର୍ଷରେ ଦୁଇ ଭାଗରେ ବିଭାଜ୍ୟ ମା, ଆଉ ଭଉଣୀ । ବାସ୍‌, ଏତିକିରେ କଥା ସରିଲା । ୟା ଉପରେ ଆଉ ବିଚାର ନାହିଁ । ଯେଉଁ କଥା ପାପ ବୋଲି ସମାଜ ମାନି ନେଇଛି, ଯେଉଁ କଥା ପାପ ବୋଲି ସଂସ୍କାରରେ, ଆଉ ଆମର ରକ୍ତରେ ଲେଖା ରହି ଯାଇଛି, ତାହା ବର୍ଣ୍ଣନା କଲେ ଭଲ ରୁଚି ହେବ ନାହିଁ; ମଧ୍ୟ ଯେତେ ପୂର୍ଣ୍ଣାଙ୍ଗ ହେଲେହେଁ ସ୍ୱାସ୍ଥ୍ୟକର ହେବ ନାହିଁ । ସେହି କାରଣରୁ ଓଡ଼ିଆ ସାହିତ୍ୟରେ ଭରସି ଚିହ୍ନାପଡ଼ି କେହି ଅପ୍ରୀତିକର କଥା ଲେଖିବେ ନାହିଁ । ଯେତେ କାଳ୍ପନିକ ହେଉ ପଛେ, ଯାହା ପାପ, ତାହା ଅରୁଚିକର ।

 

ଏକେ ତ ପାପ, ତହିଁରେ ପୁଣି ବାସ୍ତବ ଓଡ଼ିଆ ଜଗତରେ ଏତେ ମିଳାମିଶା ଅସମ୍ଭବ । ବଙ୍ଗାଳି ସାହିତ୍ୟ ସଦର୍ପରେ ମିଶାମିଶି ଦେଖାଇ ପାରିବ; କାରଣ ସେମାନଙ୍କ ଭିତରେ ମିଶାମିଶି ସହଜ, ଶିକ୍ଷାଫଳରୁ ଆଡ଼ ଉଢ଼ୁଆଳ ଅଳ୍ପ । ବେଶ୍‌ ଆରାମରେ ଲେଖକ ଟୋକାଟୋକୀଙ୍କୁ ‘‘ଦାଦା’’ ‘‘ଦିଦୀ’’ କରି ଭଲ ରସ ବନେଇ ଦେଇପାରନ୍ତି; କିନ୍ତୁ ଆମର ‘‘ଦାଦା’’ ‘‘ଦିଦୀ’’ କଲେ ସମାଜର ଅଲେଖା ଆଇନ ଅନୁସାରେ ସାରାଜୀବନ ‘‘ଦାଦା’’ ‘‘ଦିଦୀ’’ ରହିବାକୁ ପଡ଼ିବ । ତହିଁରୁ ବ୍ୟତିକ୍ରମ ହେଲେ ଅନ୍ତତଃ ଆଇନ ଅନୁସାରେ ‘‘ଭୂମିଂ ସ୍ପୁଷ୍ଟ୍ୱ । କର୍ଣ୍ଣଂ ସ୍ପର୍ଶାମି ।’’

 

ଚାରିଆଡ଼ୁ ଗୋଲମାଲରେ ପଡ଼ି ମଣିଷ ଭାବେ ଓଡ଼ିଆରେ ରୋମାନ୍‌ସ ଖଣ୍ଡେ ଆରମ୍ଭ କଲେ ପରିଚୟଟି କି ଉପାୟରେ ହେବ ? ରୋମାନ୍‌ସରେ ଖାଲି ପରିଚୟ ଛଡ଼ା ପୁଣି ଦେଖାଶୁଣା ତ ଅଛି ! ସେ କଥା ହବ କେମିତି ? ଆମ ସମାଜରେ ତ ପରିଚିତ ହେବାର ବା ମିଳାମିଶା କରିବାର ସୁବିଧା ନାହିଁ ।

 

କିନ୍ତୁ ସୁବିଧା ଅଛି । ବନ୍ଧୁ ବାନ୍ଧବମାନଙ୍କ ଭିତରେ କିଶୋର କିଶୋରୀମାନଙ୍କର ମିଳାମିଶା ହୁଏ । ପ୍ରେମପ୍ଲଟର ସେଟିଂ ସେଇଠି ଆରମ୍ଭ କଲେ ମନ୍ଦ ହୁଅନ୍ତା ନାହିଁ; କିନ୍ତୁ ସମାଜ ସେ ବିଷୟରେ ଆହୁରି ଉଦାସୀନ । ବନ୍ଧୁବାନ୍ଧବ ସମ୍ପର୍କ ନ ଥାଇ ଯେପରି ଆଖି ପକାଇବା ଅଭଦ୍ରତା ଓ ପାପ, ବନ୍ଧୁ ବାନ୍ଧବ ସମ୍ପର୍କ ଥାଇ ସେପରି ‘ଭଲ ପାଇବା’ ହେବ ପାପ ଆଉ incest-। ବଙ୍ଗାଳି ସାହିତ୍ୟ ଭାରି ଚଲାଖ, ଦୂର ସମ୍ପର୍କର ଭଉଣୀ କରି ‘‘ଦିଦୀ ଦାଦା’’ ରୋମାନ୍‌ସ ଚଳେଇ ନିଅନ୍ତି; କିନ୍ତୁ ହାୟ, ଓଡ଼ିଆ ସାହିତ୍ୟିକଙ୍କର ହାତ ବନ୍ଧା । ବଙ୍ଗଳାରେ ଚଳେ; ଓଡ଼ିଆ ଦେଶରେ ଯେଉଁଠି ନିକଟ ସମ୍ପର୍କ ହେଲେ ବି ବଢ଼ିଲା ଝିଅର ପୁରୁଷମାନଙ୍କ ଆଗରେ ଠିଆ ହେବା ବିଧି ନାହିଁ, ସେଠି ଚଳିବ ନାହିଁ ।

 

ତା ବୋଲି ମୁଁ କହୁ ନାହିଁ, ଆମ ସମାଜ ନିଷ୍କଳଙ୍କ । ଆଦୌ ନୁହେଁ । ରୋମାନ୍‌ସ ହେଉଛି, ଇନ୍‌ସେଷ୍ଟ ହେଉଛି, ସବୁ ହେଉଛି; କିନ୍ତୁ ସମାଜର ବନ୍ଧାଗତ ଅନୁସାରେ ସେଗୁଡ଼ାକ ପାପ-ଅପ୍ରାସଙ୍ଗିକ, ଘଟିବା ଅନୁଚିତ, ଆଉ ଅସମ୍ଭବ ! ଅତଏବ ତା’ର ସପକ୍ଷରେ ସାହିତ୍ୟ ଘଟି ନ ପାରେ । ବିପକ୍ଷରେ ଲେଖା ହେଲେ ସାହିତ୍ୟ Didactic ହୋଇଯିବ । ଊଣା ଅଧିକେ ଗୋଟାଏ ପାପର ଛାଇ, ଆଉ ଗୋଟାଏ Morbidity ରହିବ । ଅତି ପୂଣ୍ୟ, ଅତି ପବିତ୍ର ଯେଉଁ ସ୍ତ୍ରୀ ପୁରୁଷଙ୍କର ପ୍ରେମ, ତା’ର ଆନନ୍ଦକର ଉଲ୍ଲାସ ରହିପାରିବ ନାହିଁ । ସେ ଦେଶର ସାହିତ୍ୟରେ ଯୁଗଯୁଗର ସ୍ତ୍ରୀପୁରୁଷଙ୍କ ଭିତରେ ଯେଉଁ ପ୍ରଣୟର ଇତିହାସ ସାହିତ୍ୟରୁ ମିଳେ, ତା’ର କାରଣ ହେଉଛି ସେମାନଙ୍କର ସମାଜରେ ଏପରି ବନ୍ଧନ ନାହିଁ । ସେମାନଙ୍କ ସମାଜରେ ବନ୍ଧାଗତ ଆଉ କ୍ରମିକ ସଂସ୍କାରରେ ସ୍ତ୍ରୀ ଆଉ ପୁରୁଷଙ୍କ ସ୍ୱାଧୀନ ମିଳାମିଶା ମଝିରେ କୌଣସି ପ୍ରକାର ବାଡ଼ ନାହିଁ । ସେମାନଙ୍କର ଆମ ପରି ଏପରି Prejudice ନାହିଁ ବା ପାପପୁଣ୍ୟର ଏପରି ବିଚାର ନାହିଁ । ଥ୍ୟାକ୍‌ରେ (Thackeray) ତାଙ୍କ ଶ୍ରେଷ୍ଠ ଉପନ୍ୟାସ ଏଡ଼୍‌ମଣ୍ଡରେ ପୁତୁରା ଓ ଖୁଡ଼ୀଙ୍କର ଯେଉଁ ଅପୂର୍ବ ଦାମ୍ପତ୍ୟ ପ୍ରେମ ଦେଖାଇ ପାରିଛନ୍ତି, ତହିଁରେ ଯୁଗଯୁଗର ସ୍ତ୍ରୀପୁରୁଷଙ୍କର ଯେଉଁ ମୌଳିକ ଚିତ୍ର ରହିଛି, ଉତ୍କଳ ଦେଶରେ ତା ଅସମ୍ଭବ । ସେ ଦେଶରେ ଯଦି ଗୋଟାଏ ରୋମାନ୍‌ସ (Romance) ଆରମ୍ଭ କରିବାକୁ ହୁଏ, ତା ହେଲେ ଲେଖକ କୌଣସି ରକମର ଛଳ ନ କରି ମୋଟାମୋଟି ଭେଟାଭେଟି କରାଇ ଦେଇ ପ୍ରେମର କ୍ରମ ଦେଖାଇ ପାରନ୍ତି । ଏଠି ତା ଅସମ୍ଭବ । ଏଠି ଖାଲି ଘନ ଘନ ଦୀର୍ଘଶ୍ୱାସ, ଥରେ ଅଧେ ‘‘ଚୋରା ଚକିତ ଚାହାଣି’’ ରେ ଦେଖା, ମନକୁ ମନ କବିତା ଲେଖା, ଆଉ କାଗଜ ଛିଣ୍ଡା; କାରଣ ମୁହାଁ ମୁହିଁ ଅସମ୍ଭବ ।

 

କେଉଁ ଛଳ, କେଉଁ ଉପଲକ୍ଷ୍ୟ ଦେଖାଇ ଅପ୍ରାକୃତ, ଅପ୍ରାସଙ୍ଗିକ ନ କରି ରୋମାନ୍‌ସ ଓଡ଼ିଆରେ ଲେଖାଯାଇ ପାରେ ? କେବଳ ଓଡ଼ିଶା ନୁହେଁ ଭାରତବର୍ଷର ସାଧାରଣ ପ୍ରେମ କାହାଣୀ ଭିତରେ ଦେଖିବାକୁ ମିଳେ, କେତେଗୁଡ଼ାଏ ବନ୍ଧା ବିଷୟବସ୍ତୁ । ଟିଉଶନ୍‌ ପ୍ରେମ କେତେ ଉପାୟରେ କେତେ ଲେଖକଙ୍କ ହାତରେ ଦେଖାଯାଏ । ଭାରି ସୁବିଧା, କାହିଁକି ନା ସେଇ ଗୋଟିଏ ସୁବିଧା, ଯହିଁରେ କିଶୋର କିଶୋରୀ ଏକାଠି ମିଶିବାକୁ ସୁବିଧା ପାଆନ୍ତି । ଅବଶ୍ୟ ଏ ବିଷୟ ମଧ୍ୟ ସେତେ ବେଶୀ ସୁବିଧା ନୁହେଁ; କାରଣ ଯେଉଁମାନେ ଟିଉଶନ୍‌ ମାଷ୍ଟର ରଖନ୍ତି, ସେମାନେ ଅନେକ ସମୟରେ ବୟସ ଆଉ ଚରିତ୍ର ଦେଖି ମାଷ୍ଟର ରଖିଥାନ୍ତି । ଏ ଟିଉଶନ୍‍-ପ୍ରେମ ଯେପରି କି ଗୋଟିଏ ଚିରନ୍ତନୀ ବିଷୟ । ତା ଉତ୍ତାରୁ ଆଉ ଗୋଟିଏ ସାଧାରଣ ପ୍ଲଟ୍‌ ହେଉଛି ଭାଇର ବନ୍ଧୁ । ଭାଇର ବନ୍ଧୁଭାଇ ପରି କାରବାର କରେ; କିନ୍ତୁ ଭାଇ ନୁହେଁ । କିନ୍ତୁ ଏ ବି ଅତି ଅସୁବିଧା କଥା, କାରଣ ବଙ୍ଗଳାପରି ଓଡ଼ିଶାରେ ଏପରି ଭାଇର ବନ୍ଧୁ ଗୃହପାଳିତ ହୋଇ ପାରନ୍ତି ନାହିଁ । ହେଲେ ବି ଭାଇ ଓ ବାପା ବୋଉ ହୁଏତ ଭଲ କରି ଜାଣିଥାନ୍ତି ଯେ, ବନ୍ଧୁଟି ଅତ୍ୟନ୍ତ ଅନ୍‌ରୋମାଣ୍ଟିକ୍‌ । ଆଉ ଯେଉଁଠି ଏପରି ବନ୍ଧୁତା ଥାଏ, ସେଠି ଆଡ଼ ଉଢ଼ୁଆଳ ମୁହାଁମୁହିଁ ପରିଷ୍କାର ନ ହେଲେ ସୁଦ୍ଧା ତଳେ ତଳେ ଥାଏ । ଆମେ ଅତି ମୋଟା ଜାତି, ଭାରି ଓଲା, ନିହାତି ଖୋଲା ନାହୁଁ । ଏପରି କି ସହପାଠୀ ହେଲେ ହେଁ ବେଶୀ ଦୂର ଗତି ନୁହେଁ ।

 

ଏଇ ସାଧାରଣ କେତୋଟି ଅତି ଘଷରା ପ୍ଲଟ୍‌ ଦିନୁଦିନ ଆହୁରି ଅଧିକ ଘଷରା ହେବା ଛାଡ଼ି ଅନ୍ୟ କୌଣସି ସମ୍ଭଳ ନାହିଁ । ବାହାରେ, ଗୋଟାଏ ରୋମାନ୍‌ସ ଲେଖିବାକୁ ହେଲେ କେବଳ ଭେଟାଭେଟି ପାଇଁ ଛଳନାର ଆଶ୍ରୟ ନେବାକୁ ପଡ଼ୁଛି । ସେ ପୁଣି ଅତି ଘଷରା ଛଳନା ।

 

ସୁବିଧା କଥା ହେଉଛି ଖ୍ରୀଷ୍ଟିୟାନ ବା ବ୍ରାହ୍ମ ସଂପ୍ରଦାୟ, ଏମାନଙ୍କ ଭିତରୁ ନାୟକ-ନାୟିକା ବାଛି ନେବା; କିନ୍ତୁ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ଅଳ୍ପ । ଅତଏବ ଏମାନଙ୍କୁ ଘେନି ସାହିତ୍ୟ ରଚିଲେ, ସେ ସାହିତ୍ୟ ଦେଶର ଦଶଙ୍କ ମନକୁ ଆସିବ ନାହିଁ !

 

ରୋମାନ୍‌ସ ଦେଖାଇବା ମଝିରେ କେତେ ବାଡ଼, କୁଟୁମ୍ବ କୁଟୁମ୍ବର ଜାତି ଜାତିର । ତଳ ଜାତିମାନଙ୍କର ଭଲ ମିଳାମିଶା ଅଛି; କିନ୍ତୁ ରୋମାନ୍‌ସର ନାୟକ-ନାୟିକା ହେବା ପାଇଁ କେତେକ ପରିମାଣରେ ଶିକ୍ଷା ଓ ଗୁରୁତା ଦରକାର, ଯାହା ସେମାନଙ୍କର ନାହିଁ । ଅବଶ୍ୟ ପ୍ରତିଭା ଥିଲେ ଲେଖକ ଛୋଟ ନଗଣ୍ୟ ଲୋକଙ୍କୁ ଘେନି କଳାର କରାମତି ଦେଖାଇ ପାରିବେ; କିନ୍ତୁ ସାଧାରଣ ଲେଖକଙ୍କ ପକ୍ଷରେ ଚମ୍ପୀ ଆଉ ପାଣୁଆଙ୍କ ରୋମାନ୍‌ସ ପ୍ରହସନ ଭଳି ହେବ, ତହିଁରେ ଉଚିତ ପରିମାଣରେ ଗୁରୁତ୍ୱ ରହି ପାରିବ ନାହିଁ ।

 

ଯଦି କୌଣସି ଛଳରେ କିଶୋର କିଶୋରୀଙ୍କର ପ୍ରେମ ଆରମ୍ଭ କରିଦିଆଯାଏ, ତେବେ ସୁଦ୍ଧା ପଶ୍ଚିମ ଦେଶର ସାହିତ୍ୟ ପରି ଏତେ ଉଚ୍ଚ ଦରର କରି ହେବ ନାହିଁ–ଅନ୍ତତଃ ଆଧୁନିକ intellectualism ଫୁଟାଇବା କଷ୍ଟ ହେବ । ତା’ର କାରଣ ହେଉଛି ସ୍ତ୍ରୀଲୋକମାନଙ୍କର ଶିକ୍ଷାର ଅଭାବ । ଅନେକ ସମୟରେ ସାରଗର୍ଭକ intellectualism ରେ ପ୍ରେମର ଆରମ୍ଭ ଓ ବୟାନ ହୁଏ । ସରଳା ବାଳିକା କିପରି ତହିଁରେ ଟକ୍କର ଦେବ ?

 

ଆମେ ପ୍ରକୃତ ଜୀବନରେ ରୋମାଣ୍ଟିକ୍‌ ନ ହେବା ପର୍ଯ୍ୟନ୍ତ ସାହିତ୍ୟରେ ରୋମାନ୍‌ସ ଦେଖାଇ ପାରିବା କଷ୍ଟ ହେବ । ଜାତି ଯେତେବେଳେ ପ୍ରଜାପତି ପରି ଖୋଲା ହୋଇପାରିବ, ସେତେବେଳେ ଆଦିମ ଯୁଗର ସେ ଯୌନମୂଳକ ଦୌଡ଼ାଦୌଡ଼ି ଆମେ ଦେଖାଇ ପାରିବା । ସେ ପର୍ଯ୍ୟନ୍ତ ବନ୍ଧାଗତର ସଂସାର କ୍ରିୟା ଆମର ସମ୍ଭାର ରହିଲା ।

 

କିନ୍ତୁ ଏହାଦ୍ୱାରା ସାହିତ୍ୟର କ୍ଷତି ହେଉଛି । ସାହିତ୍ୟରୁ ସ୍ତ୍ରୀଲୋକର ପରଶ (Feminine Touch) ବାଦ ପଡ଼ିଯାଉଛି । ଆଉ ସେତକ ବାଦ୍‌ ପଡ଼ିବାଦ୍ୱାରା ସମସ୍ତେ କହୁଛନ୍ତି ‘‘ଦେ ଓଲଟା ।’’ ହସର ରସ ବିଷୟରେ ଲେଖୁ ଲେଖୁ ମେରେଡ଼ିଥ୍‌ କହିଛନ୍ତି, ‘‘ପୂର୍ବ ଦେଶରେ, ଯେଉଁଠି ସ୍ତ୍ରୀଲୋକର ମୁହଁରେ ଅଛି ଓଢ଼ଣା, ସେଠି ହସର ରସ ଅସମ୍ଭବ ।’’ କଥାଟା ଟାଣୁଆ ହେଲେ ସୁଦ୍ଧା ଭାବିବାର କଥା । ସାହିତ୍ୟରେ ନାରୀର ପରଶ ନ ଥିଲେ ସବୁ ବିଗିଡ଼ିଲା ।

 

ଇଉରୋପରେ ଚାରିଦଉଡ଼ିକଟା ମୁକ୍ତ ରୋମାନ୍‌ସ ଅଛି । ସେ ଦେଶରେ ସ୍ତ୍ରୀ-ପୁରୁଷଙ୍କ ସମ୍ବନ୍ଧ ସ୍ୱାଧୀନ-ଅବାଧରେ ମିଳାମିଶା, ସୁବିଧାରେ ଛାଡ଼ପତ୍ର । ଘରେ କୁଟୁମ୍ବମାନଙ୍କ ସଂଖ୍ୟା ଓ ସମ୍ବନ୍ଧ ସାହିତ୍ୟ ଉପରେ ପ୍ରଭାବ ପକାଏ । ସେମାନଙ୍କର ଏକସିଙ୍ଘା-ଗୁଣ ବେଶୀ । ପରିବାରରେ ମାମୁଁ ମାଇଁ ଦୁଇ ପ୍ରାଣୀ; ତେଣୁ ବେଶୀ ସ୍ୱାଧୀନତା ।

 

ସୋସାଇଟି ଓ ଅବାଧରେ ମିଳାମିଶା, ଏ ଦୁଇ କାରଣ ଯୋଗୁଁ ସେମାନେ ପାଇପାରିଛନ୍ତି ତାଙ୍କର ତ୍ରିଭୁଜ ଗଳ୍ପ, ଯେଉଁଠି ଜଣେ ସ୍ତ୍ରୀ ଦୁଇ ଜଣଙ୍କୁ ଭଲ ପାଏ, ଆଉ ଦୋସମାଳିର ଦୋଟଣାରେ ପଡ଼େ । ଏପରି ମନ୍ଥନରୁ ଈର୍ଷା, ପ୍ରେମ, ଛୁଇଁଲା ଛାଡ଼ିଲା, ଯୌନ ଗୋଡ଼ିଆଗୋଡ଼ି–ଏପରି କେତେ ସାହିତ୍ୟିକ ସମ୍ପଦ ମିଳେ । ଓଡ଼ିଆ ସାହିତ୍ୟରେ ତା ଅସମ୍ଭବ ।

 

ଆମର ଏକମାତ୍ର ରୋମାନ୍‌ସ ଆରମ୍ଭ ହୁଏ ବିବାହ ପରେ । ସେତେବେଳେ ତ୍ରିଭୁଜ ଗଳ୍ପର କ୍ରମ ଅଶୋଭନ ହେବ । ଜୀବନର ଘୋରତେଇ ପୋରତେଇ ଭିତରେ ତରୁଣର ଚଞ୍ଚଳ ତରଳ ଅଭିସାର ହୋଇଯିବ ପଥର । ସ୍ଥିରତାର ଗୌରବ ଅଛି; କିନ୍ତୁ ସାଧାରଣ ମଣିଷର ମନ ଉପରେ ତରଳତାର ଯେଉଁ ଚଞ୍ଚଳ ପ୍ରଭାବ, ସ୍ଥିରତାର ତା ନୁହେଁ । ତହିଁରେ ପୁଣି ସ୍ଥିର ଗମ୍ଭୀର ବନ୍ଧାଗତର ପ୍ରେମ ବର୍ଣ୍ଣନା କରିବାକୁ ଅତି ଶିଳ୍ପୀଙ୍କର ଉଦ୍ୟମ ଦରକାର । ଦେଶର ଦଶ ଜଣ ଦଣ୍ଡିଖିରୀ ମହୁରାଡ଼ିଙ୍କର ଅବସର, ଉଦ୍ୟମର କାମ ତା ନୁହେଁ ।

 

ଏତ ଗଲା ରୋମାନ୍‌ସ୍‌ ଉପରେ ସାମାଜିକ ସଂସ୍କାରର ପ୍ରଭାବ । ଏପରି ହରେକ ସୁବିଧା ଅସୁବିଧା ଆମେ ଭୋଗୁଥାଇଁ । ଆର୍ଥିକ ଅବସ୍ଥା ମଧ୍ୟ ସାହିତ୍ୟ ଉପରେ ପ୍ରଭାବ ପକାଉଛି ।

 

ବଙ୍ଗଦେଶର ଚିରସ୍ଥାୟୀ ବନ୍ଦୋବସ୍ତ ହେତୁ ଯେଉଁ ଜମିଦାର ଦଳ ବଢ଼ୁଛନ୍ତି, ସେମାନେ ସାହିତ୍ୟର ଉପାଦାନ ହୋଇଥାନ୍ତି । ପ୍ଲଟର ସୁବିଧା ଲାଗି ମୁକ୍ତି ଲୋଡ଼ା । ଟଙ୍କା ଥିଲେ ସବୁ କଥା ଖୋଲା । ତେଣୁ ବଡ଼ ଘର, ମଟରଗାଡ଼ି, ଓଡ଼ିଆ ପୂଝାରୀ, ମାଳି, ଆଉ ପଶ୍ଚିମା ଦରବାନ, ଉଡ଼େ ଖୋଟ୍ଟା ଧେଡ଼େ ନେଡ଼େ ମେଡ଼େ, ଗମତ୍‌ର ବଡ଼ ଘର ଏସବୁ ବଙ୍ଗାଳି ଉପନ୍ୟାସର ସାଧାରଣ ଉପକରଣ । ଏଣ୍ଡୁଅ ଧାଉଡ଼ି କିଆବଣକୁ । ଇଂରେଜମାନେ ସେହିପରି ତାଙ୍କର ବଡ଼ଲୋକ ବଣିକମାନଙ୍କୁ ଘେନି ସାହିତ୍ୟରେ ସଂସାର କରନ୍ତି । ଆମେରିକା ଦେଶର ଗଳ୍ପ ଉପନ୍ୟାସର ସାଧାରଣ ନାୟକ ନାୟିକା ବଡ଼ ଲୋକ । ସାଧାରଣ ପ୍ଲଟ ହେଉଛି ଜଣେ ଲୋକ କିପରି ଧୀରେ ଧୀରେ ବଡ଼ଲୋକ ହେଉଛି । ଗରିବଗୁରୁବାଙ୍କୁ ଘିତି ସାହିତ୍ୟ ଚଳିବ; କିନ୍ତୁ ଅଭାବ ଅସୁବିଧା ପ୍ଲଟ ପକ୍ଷରେ ବଡ଼ ବ୍ୟାଘାତ । ତେଣୁ ଆମର ଏ ଦିଗରେ ବଡ଼ ଅସୁବିଧା । ଜଣେ କେହି ଯଦି ବଡ଼ ବଡ଼ କଥା ବଡ଼ଲୋକି କାରଖାନା ଦେଖାଇ ଉପନ୍ୟାସ ଲେଖିବ, ଏ ଓଡ଼ିଶା ଦେଶରେ ଆମେ ମୂରକି ମୂରକି ହସିବା । ଇଂରେଜି ଉପନ୍ୟାସ ଯେଉଁଠି ଇଚ୍ଛା ସେଠିକା କଥା ଲେଖେ, ପୃଥିବୀର ଚାରିଆଡ଼ର କଥା ଲେଖେ । ପୃଥିବୀର କେଉଁ ସ୍ଥାନରେ କେଉଁ ମନୋହର ଦୃଶ୍ୟ ବା ଘଟନା ଅଛି, ସବୁ ସେମାନେ ନିଜର କରିନେଲେଣି । ଆମର ସ୍ଥାନ ଓଡ଼ିଶା ନୋହିଲେ ପୁଣି ଏଣ୍ଡୁଅ ଧାଉଡ଼ି କିଆବଣକୁ-କଲିକତା; ନୋହିଲେ କାଳିମାଟି । ବଙ୍ଗାଳୀ ଲେଖାରେ ବୁଢ଼ାବୁଢ଼ୀ ସୁବିଧାରେ କାଶୀ ଚାଲିଯାଆନ୍ତି ଘରେ କୌଣସି ଉପଦ୍ରବ ଘଟିଲେ । କେତେକ ଲେଖାରେ ଭାରତବର୍ଷର ଅନ୍ୟସ୍ଥାନର ସେଟିଂ ରହିଛି । ତା’ର କାରଣ ବଙ୍ଗାଳି ଭାରତର ଅନ୍ୟଠି ବି ଅଛନ୍ତି, କାଶୀ ବି ଯାଆନ୍ତି । ଆମର ସେପରି କୌଣସି ଉପଲକ୍ଷ ନାହିଁ । ଖାଲି କେତେଗୁଡ଼ିଏ ପଶ୍ଚିମା ନାଁ, ମାଥୁର, ଶ୍ରୀବାସ୍ତବ କରିଦେଲେ ସ୍ୟାଡ଼କା ସେଟିଂ ହେବ ନାହିଁ, ବରଂ ଲୋକେ ହସିବେ ।

 

ଓଡ଼ିଶାରେ ବିଦେଶୀ ସେଟିଂ ଚାଲିବ ନାହିଁ । ବଡ଼ଲୋକ ନାୟକ, ମାହାଲା ମହାଲା କୋଠା, ଚା-ଟେବୁଲ-ରୋମାନ୍‌ସର ସହଜ ସୁବିଧା ଚଳିବ ନାହିଁ । ପାଶ୍ଚାତ୍ୟ ସଭ୍ୟତା ଆଗ ମାଡ଼ି ଚାଲିଛି । ସାହିତ୍ୟର ଆବରଣର ଗତାଗତ ପାଇ ତହିଁରେ ଅନେକ ସୁବିଧା । କଳକବଜା ବିଜ୍ଞାନ ଦେଶରେ ଅନେକ ସୁବିଧା । ସାମାନ୍ୟ ଚୋର-ପୁଲିସ ଗଳ୍ପଟିଏ ଆମେ ଲେଖିପାରୁନାହୁଁ; କାରଣ ଭଲ ବୈଜ୍ଞାନିକ ଡିଟେକ୍‌ସନ୍‌ କଥା ଲେଖିଲେ ଏ ଦେଶକୁ ସେଇଟା ହବ ଅପ୍ରାକୃତିକ ଆଉ ଅପ୍ରାସଙ୍ଗିକ । କଳକବ୍‌ଜାର ଛଟକ ଦେଖାଇବାକୁ ଚେଷ୍ଟା କଲେ ପାଞ୍ଚକଡ଼ି ଦେ ସ୍ପ୍ରିଂ ଚିପିଲା ପରି ଦିଶିବ ।

 

ଅର୍ଥ ଅଭାବରୁ ଓଡ଼ିଶାର ଲୋକେ ପୃଥିବୀର ଲୋକ ହୋଇପାରୁ ନାହାନ୍ତି; ତେଣୁ ପୃଥିବୀର ବଡ଼ ବଡ଼ ସମସ୍ୟା ଆମର ସାଧାରଣ କଥାଭାଷା ହୋଇପାରୁ ନାହିଁ କିମ୍ବା ବଡ଼ ବଡ଼ ସମସ୍ୟା ଆମର ସାହିତ୍ୟର ଉପାଦାନ ହୋଇପାରୁନାହିଁ । ଆମେ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ପୂରାପୂରି ଉଠିପାରି ନାହୁଁ, ପଦାର କଥା ତ ଆହୁରି ବେଶୀ ।

 

ଓଡ଼ିଆ ଭାଷାରେ ନାଟକ ଲେଖା ହୋଇପାରୁନାହିଁ । କେତେଖଣ୍ଡ ବାଜେମାର୍କା ନାଟକ ଛାଡ଼ିଦେଲେ ଆମର ନାଟକ ନାହିଁ । ଘଡ଼ିକେ ପହରକେ ପୂର୍ତ୍ତି କରିବା ଲାଗି ଯଦି ଦଳେ ନାଟକ ଆରମ୍ଭ କରିଦିଅନ୍ତି, ତା ହେଲେ ମନ୍ଥାଚକଟା ପଡ଼େ–ଭଲ ନାଟକ କାହିଁ ? ଶେଷରେ ଅଧିକାଂଶ ବେଳେ ବଙ୍ଗଳାରୁ ଅଳ୍ପ-ବାଜେ ନାଟକ ବଛା ହୋଇ ଥିଏଟର ହୁଏ । ଏଥିପାଇଁ କିଏ ଦାୟୀ ? ଆମର ଅଭାବ । ଟଙ୍କା ନାହିଁ; ତେଣୁ ଚିରସ୍ଥାୟୀ ନାଟ୍ୟମନ୍ଦିର ତିଆରି ହୋଇପାରୁ ନାହିଁ । ଟଙ୍କା ନାହିଁ; ତେଣୁ ଦେଖିବା ଲୋକଙ୍କ ଅଭାବ । ଲୋକେ ନାଟକ ଲେଖିବେ କି ଦୁଃଖରେ ? ସାହିତ୍ୟ ଯେଉଁ ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ଲୋକର ଖୋରାକ ପୋଷାକ ଯୋଗାଇ ପାରିନାହିଁ, ସେ ଦେଶରେ ନାଟକ ପୁଣି ଲୋକେ କାହିଁକି ଲେଖିବେ ? ବିଦେଶୀ ଭାବିବେ, ଏମାନେ ନାଟକ ଲେଖି ଜାଣନ୍ତି ନାହିଁ ।

 

ଅର୍ଥ ଅଭାବରେ ପଡ଼ି ପଡ଼ି ପେଟରେ ଓଦାକନା ଦେଇ ସରସ୍ଵତୀ ଦେବୀଙ୍କୁ ଯେ ଏ ଦେଶର ଲେଖାଳୀ ନିଷ୍କାମ ଭକ୍ତି ଦେଖାଇ ଆସିଛନ୍ତି; ସେତିକି ଯଥେଷ୍ଟ । ମନର ତାରୁଣ୍ୟରେ ଟୋକା ବୁଢ଼ା ବେଳେ ବେଳେ ଲେଖନ୍ତି । ସେତିକି ଆମର ସମ୍ପଦ । ତାରି ଉପରେ ଆମର ସବୁ ସମାଲୋଚନା । ସେତିକି ପଢ଼ିବାକୁ ଦେଶର ଲୋକେ ଟାକିକରି ବସିଛନ୍ତି । ତେବେ ଓଡ଼ିଶାରେ କିପରି ସାହିତ୍ୟ ଚଳିବ ?

 

ରୋମାନ୍‌ସ—ପ୍ରଜାପତି ପ୍ରେମ—ଛାଗ ସାହିତ୍ୟ ଜୀବନର ଟୋକାଳିଆ ଦୌଡ଼ାଦୌଡ଼ିର ମଉଜ, ଏପରି ସାହିତ୍ୟ ଲାଗି ଉପାଦାନ ନାହିଁ । ଲୋକଙ୍କର ନୈତିକ ବିତୃଷ୍ଣା ରହିଛି । ଆଜିକାଲିକା ଦୁନିଆରେ ସେକାଳର ଶ୍ଳୀଳ-ଅଶ୍ଳୀଳ ନ ମାନି ଖୋଲା ମନରେ ସାହିତ୍ୟ ଆଉ ଦର୍ଶନରେ ଯେଉଁ ଯୌନତତ୍ତ୍ୱର ଆଲୋଚନା ଚାଲିଛି, ସେ ବି ଏଠି ମୋଟେଇ ପାରିବ ନାହିଁ ସେହି ସେହି କାରଣରୁ ।

 

ଇଉରୋପ ଆମେରିକାରେ ଯେଉଁ ବଡ଼ ବଡ଼ ସାହିତ୍ୟିକ ଆଦର୍ଶ ଆଉ ସାହିତ୍ୟିକ ସମସ୍ୟା ଚାଲିଛି, ସେ ବି ଏଠି ଏକପ୍ରକାର ଅଚଳ; କାରଣ ବହିରୁ ପଢ଼ି ହାଇଁପାଇଁ ହେଲେ ବି ଆମେ ସାହିତ୍ୟିକ ସଂସ୍କାର, ସାହିତ୍ୟିକ ବନ୍ଧାଗତ, ଆଉ ଘଟନାର କ୍ରମକୁ ବଦଳାଇ ଏକା ମୁଥକେ ଓଡ଼ିଶାକୁ ଇଉରୋପ କରି ଦେଇ ପାରିବା ନାହିଁ । ସେ ଦେଶର କଥା ଆମେ ପଢ଼ୁଥାଇଁ । କେତେକ ଅଂଶରେ ତା’ର ପ୍ରଭାବ ଏ ସାହିତ୍ୟରେ ପଡ଼ିବ; କିନ୍ତୁ ହଠାତ୍‌ ସେ ଦେଶର ସବୁ ସମସ୍ୟା ଆମର ବୋଲି ଭାବି ନେଇ ଲୁହ ଲୁହରେ ତକିଆ ତିନ୍ତେଇବା ଆମ ପକ୍ଷରେ ଅଶୋଭନ ।

 

ତେବେ ଆମେ କେଉଁଠି ? ଆମେ ଏଠି ନା ବିଲାତରେ ? ବିଲାତରେ ତ ନୋହୁଁ; କିନ୍ତୁ ପଶ୍ଚିମ ଆକାଶକୁ ଚାହିଁ ଚାହିଁ ପୂର୍ବ ଆକାଶକୁ ମୁଣ୍ଡ ବୁଲାଇ ପାରୁନାହୁଁ, ବେକ ଲାଗିଗଲାଣି । ଆମେ ହେଲୁଣି ଯେମିତି ସେହି ସବୁ ଲୋକଙ୍କ ପରି, ଯେଉଁମାନେ ରଙ୍ଗିଲା ଚମଡ଼ାରେ ବିଲାତକୁ କହନ୍ତି ‘ହୋମ’ (ଆମ ଘର), ରୁଡ଼ୟିଆର୍ଡ଼ କିପ୍‌ଲିଙ୍ଗ୍‍ଙ୍କ ଭାଷାରେ ବିଲାତକୁ ଚାହିଁ ଦୀର୍ଘନିଶ୍ଵାସ ପକାନ୍ତି, ଆଉ ନିଦାଘ ଖରାଦିନେ ଭାବନ୍ତି–

 

O to be in England now

Now that summer's there.

 

ଭାରତର ଆଦର୍ଶ ଗଲାଣି ପାସୋରି । ପୂର୍ବ ସଂସ୍କୃତ ସଂସ୍କୃତି ଆଉ ମିଳିବ ନାହିଁ । ପଶ୍ଚିମର ପ୍ରଭାବରେ ଭାରତର କାଉ ଘରଚଟିଆ ଧଳା ହୋଇନାହାନ୍ତି, କିନ୍ତୁ ତାଙ୍କ ଆଡ଼କୁ ଅନାଇବାର ଢଙ୍ଗ ଆମର ବଦଳିଛି ।

 

ଯୁଗର ଗତି ଅନୁସାରେ ଆମେ ପାଇଛୁ ମଝି ମଝିକା ଗୋଟାଏ ସାଲିସ । ତହିଁରେ ନୂଆ ସାହିତ୍ୟର ଛାଞ୍ଚ ପଡ଼ିଛି ।

 

ବିଶ୍ଵ-ସାହିତ୍ୟକୁ କେହି ନିନ୍ଦା କରୁନାହିଁ; କିନ୍ତୁ ଯେଉଁଠି ମଣିଷ ସତକୁ ଚିହ୍ନିପାରିଛି, ଯେଉଁଠି ମଣିଷ ମଣିଷକୁ ଠିକ୍‌ ଠିକଣା କରି ବର୍ଣ୍ଣିପାରିଛି, ସେଠି ସେ ବିଶ୍ଵ ସାହିତ୍ୟ ତିଆରି କରିପାରିଛି । ଯେଉଁଠି ଅଳଙ୍କାରର ଝଲମଲରେ ଦୁର୍ବଳତା ଲୁଚାଇ ମଣିଷ ମଣିଷକୁ ପୂର୍ଣ୍ଣତା ଦେଇ ପାରିନାହିଁ, ସେଠି ବିଶ୍ୱ-ସାହିତ୍ୟ ଗଢ଼ାଯାଇ ପାରିନାହିଁ ।

ସବୁ ମଣିଷ ସମାନ ମଣିଷ । ବଡ଼ ଛୋଟ ସମସ୍ତେ । ଆମେ ଯଦି ବଡ଼ଲୋକ ଆଡ଼ାକୁ ଉପାଦାନ କରିନେବା, ତା ହେଲେ ପୃଥିବୀର ପ୍ରତିଯୋଗିତାରେ ଆମେ ପଡ଼ିବା ଅତି ତଳେ । କାରଣ ଅନ୍ୟମାନେ ସେ ଦିଗରେ ବେଶୀ ଲମ୍ବି ପାରିବେ । ଛୋଟ ମଣିଷ, ଗରିବ ଦୁଃଖୀ ଯେମିତି, ଆମ୍ଭେମାନେ ସେମିତି ଦୁନିଆରେ ଦଶ ଜଣ ଆଉ । ବରଂ ଦେଶ ଗୋଟାକ ଗରିବ ବୋଲି ବଡ଼ଲୋକମାନଙ୍କର ବଡ଼ଲୋକୀ ବିଷୟରେ ଯେତିକି ଅଭିଜ୍ଞତା, ଗରିବଗିରୀରେ ଆମର ତାଠାରୁ ବେଶୀ । ଆମେ ପ୍ରାଣେ ପ୍ରାଣେ ଅନୁଭବ କରୁଁ, ଶାଗ ପାଣିରେ ନିଜେ ମଣିଷ ହେଉ, ଆଖି ଆଗରେ ଆସନ୍ତା ପୁରୁଷକୁ ଅଧପେଟା ଦରମଲା ହୋଇ ବଢ଼ି ଉଠିବାର ଦେଖୁଁ । ଗରିବର ଟେକ କିଛି କମ୍‌ ନୁହେଁ ! ଗରିବର ବଞ୍ଚି ରହିବାର ବାହାଦୁରୀ ବଡ଼ଲୋକଙ୍କର ବଡ଼ଲୋକୀପଣିଆର ବାହାଦୂରୀଠାରୁ କମ୍‌ ନୁହେଁ ।

ଭଙ୍ଗା କାନ୍ଥ, ଅଧନୂଆଁ ଦାନ୍ତୁରା ଚାଳ ତଳେ ଖୁଦମଳୁଖର ଜୀବନ ସମ୍ଭାର ଭିତରେ ଶାଶ୍ଵତ ମଣିଷର ଯେଉଁ ପରଶ ମିଳେ, ତହିଁରେ ଷୋଳ ପଣ ସତ ଅଛି । ମଣିଷର ମୂଳ ଗୁଣ ବାହାରର ଆବରଣ ତଳେ ବଦଳି ପାରେ ନାହିଁ । ଅତଏବ ବିଶ୍ଵ-ସାହିତ୍ୟ ପାଇଁ ବଳିଆ ଭାଇର ମାଗୁର ନିଶ ଲୋଡ଼ା ନାହିଁ । ଲୋଡ଼ା ନାହିଁ ପଶ୍ଚିମ ଜଗତର ମଣି-କାଞ୍ଚନ, ଧନ-ଦୌଲତ । ଯୌନ ଆକର୍ଷଣର ଆଖିଝଲସା ଛବି, ରୋମାନ୍‌ସ ଛଳରେ ଆମେ ନ ଦେଖାଇପାରୁଁ, ନ ଦେଖାଉ ଆମେ ସାହିତ୍ୟର ସମସ୍ୟା, ବିଜ୍ଞାନର ପ୍ରତିକ୍ରିୟା ।

ତେଣୁ ଆମର ଏକମାତ୍ର ସମ୍ପଦ, ଦୈନିକ ଜୀବନର ଘୋରତେଇ ଘୋରତେଇ କ୍ରିୟାକଳାପ ସେଇ ଘର, ସେଇ ବିଲ ପଡ଼ିଛି । ନିୟମ ଧରି ଯୁଗ ଯୁଗ ଧରି ଚାଷୀ ମାଟି ତାଡ଼ୁଛି, ଫସଲ କରି ବଞ୍ଚୁଛି; ଶେଷରେ ମରୁଛି । ଚିରନ୍ତନୀର ପ୍ରତୀକ ପରି ସବୁ ସହଜ କଥା ଘଟୁଛି—ବଢ଼ି ମରୁଡ଼ି ଧୋଇ ଦୁର୍ଭିକ୍ଷ ବା-ବତାସୀ ! କେତେ କାଳର ମାଟି ପଡ଼ିଛି, କେତେ କାଳର ମଣିଷ ଜନ୍ମ ହେଉଛି, ଆଖି ଖୋଲି ବକା ବକା ହୋଇ ଚାହୁଁଛି । ପ୍ରତି ସାଧାରଣ କଥାରେ ନୂଆ ଚମକ ପାଉଛି, ସ୍ଵପ୍ନ ଭିତରେ ବୁଲିଚାଲି ସପନ ଭିତରେ ବୁଡ଼ିଯାଉଛି । ଏତିକି ସରଳ କଥାରେ ଯୁଗ ପରେ ଯୁଗ ଚାଲିଛି । ସତ ସତ ସରଳ ଅଭିଜ୍ଞତା ଅନୁଭୂତିରେ ଏତିକି କଥା ଲେଖି ପାରିଲେ ସେଇ ହେବ ବିରାଟ ବିଶ୍ଵ-ସାହିତ୍ୟ । ଏ ବିରାଟ ସମ୍ଭାର ଆଗରେ ସବୁ ଅଳଙ୍କାର ଅଢ଼େଇଦିନିଆ, ଆଉ ଯୁଗ ଯୁଗର ସଂସ୍କାର ସାହିତ୍ୟିକ ବନ୍ଧାଗତ ଓ ପରିସ୍ଥିତି ଏତିକି ଛଡ଼ା ଏ ଦେଶର ସାହିତ୍ୟରେ ଅନ୍ୟ ଉପାଦାନ ରଖିଦେଇ ନାହିଁ ।

ଏଣୁ ଏ ଦେଶର ସାରା ସାହିତ୍ୟ ହେବ ଦୁଃଖ ଅଭାବର-ଯେଉଁ ସାଧାରଣ ଜୀବନ ତା’ର ନିତିଦିନିଆ ଦେହଘଷରା, ପୁଣି ଅଜଣା ଅଚିହ୍ନା ବନ୍ଧାଗତ । ଗରିବର ଇତିହାସ; ଗୋଡ଼ଦଳା ମଳିମୁଣ୍ଡିଆର କଅଁଳ ମରମ ଭାବ, ଆଉ ଆଶା ଉଚ୍ଛ୍ଵାସ, ଅଭେକାର ଘରକରଣା, ସେତିକି ହେବ ସରସ୍ଵତୀଙ୍କର ପୂଜାର ବାସନା ଆରତି, ଅଜଣା ବଜାଳିର ଜୀବନଭେଦି ବୀଣାର ସ୍ଵର । ସେତିକି ହେବ ଯୁଗ ଯୁଗକୁ କଅଁଳ ଶାଉଁଳିଆ ସାବଜା ଘାସ । ସେତିକି ଏ ଦେଶର ବଡ଼ ଠାକୁରଙ୍କ ଆସ୍ଥାନ ତଳେ ପୂଜାର ଅଞ୍ଜଳି । ଆମ ଗରିବିଆନୀ ଆମର, ତାଙ୍କ ବଡ଼ଲୋକୀ ତାଙ୍କର ଥାଉ ।

Image

 

କିମ୍‌-ଭୂତ

 

ନିତିଦିନିଆ ଦେଖାର ଧରଣ ଉପରେ ଚମକ ଫୁଟାଇ ଆସେ, ଯେତେ ଅଚିହ୍ନା, ଯେତେ ଅସାଧାରଣ, ଯେତେ ଅଢ଼ଙ୍ଗ, ଯେତେ ଅଖାଡ଼ୁ, ସବୁ ରୂପରେ । କିଏ ଜାଣିଥିଲା, ଆକାଶ କଣର ମେଘମେଞ୍ଚାକ ଦିଶିବ ଘୋଡ଼ା ପରି, ହାତୀ ପରି, ପୁଣି ଘୋଡ଼ାର ଥିବ ଗୋଜା ଗୋଜା ଯୋଡ଼ାଏ ଶିଙ୍ଘ, ମିମିକା ମାଣିକରଜା ପରି, ପୁଣି ହାତୀର ଲାଙ୍ଗୁଡ଼ ଲୋଟିଯିବ ଗୋଡ଼ ତଳେ ତଳେ । ହୁଏ ତ ହାତୀ ଲାଙ୍ଗୁଡ଼ରେ ଟଣା ହୋଇ ଚାଲିବ ଧୋବଲା ବଉଦର ଗୋଟାଏ ବଡ଼ ମହାଦେଶ, ଯାହା ଇଉରୋପ ନୁହେଁ, କି ଉତ୍ତର ଆମେରିକା ନୁହେଁ; କିନ୍ତୁ ଦୁଇଟା ମହାଦେଶର ମଝାମଝି ଗୋଟାଏ ସାଲିସ, ଗୋଟାଏ ସଙ୍କର । ଏତେ ଅପରୂପ-ପୁଣି ସେହି ନେଳି ଆକାଶରେ, ଯେଉଁଠି ଜହ୍ନ ଆଲୁଅର ଜୁଆର ଲହଡ଼ି ଭାଙ୍ଗେ, ଆଉ ବିଞ୍ଚିହୋଇ ପଡ଼େ ଭଙ୍ଗା ଫେଣର ପରମେଘ ।

 

ସବା ଉପରେ ଗାଦି ମାଡ଼ି ବସିଛି-କିମ୍‌-ଭୂତ, ଆକାଶର ମଥାମଣି ଜହ୍ନ ଉପରେ; ଆଉ ଯେତେ କବି, ଯେତେ ଶିଳ୍ପୀ, ଯେତେ ସଉକୀ ଚାହିଁ ବସିଛନ୍ତି ତଳର ଏ ପୃଥିବୀରେ, ତାଙ୍କରି ଆଡ଼କୁ ଚାହିଁ ଚାହିଁ ହସୁଛି, କଣେଇ କଣେଇ, ବଙ୍କେଇ ବଙ୍କେଇ । ଜହ୍ନ ମଝିରେ ସେଇଟା କ’ଣ ? ସେଇଟା କ’ଣ ଠେକୁଆ ? ନା ପାହାଡ଼ ? ନା ଝାଟିଝଟା ଆଉ ମଶାଲ ଧରି ଜହ୍ନର ମଣିଷ । ସେଇଟା କିଛି ନୁହେଁ, ସେଇଟା କିମ୍‍-ଭୂତ ।

 

ସୁନ୍ଦର ଆଖି-ଦରଶାର ବନ୍ଧ ଡେଇଁ ଗୋଟାଏ କ’ଣ ଲମ୍ବିଯାଏ, ଛବି ଉପରେ ଅହେତୁକୀ ରଙ୍ଗ-ମେଞ୍ଚା ପରି । ଲମ୍ବି ଚାଲିଯାଏ, କ୍ରମର ଅଗ ଶେଷ ନ ମାନି । ଲମ୍ବି ଚାଲିଯାଏ, ମପା ଚୁପା ଗଢ଼େଇ ନକ୍‌ସାର ବାଡ଼ ଡେଇଁ । ଶେଷରେ ଦିଅଁ ହୁଏ ମାଙ୍କଡ଼, ପୋଷା ହୁଏ ଅରଣ, ଛବି ହୁଏ ମେଞ୍ଚା ମେଞ୍ଚା ରଙ୍ଗର ଅସନା ସମଷ୍ଟି, ଗୀତ ହୁଏ ଘୋ ଘା ଗୋଳମାଳ କୋଇଲିର କୁହୁ କୁହୁ ହୁଏ ଗଧର ଭେରଣ୍ଡା ।

 

ଦୁନିଆର ସବୁ ହୋଇଥାଆନ୍ତା ଆମ ଆଇନ୍‍ରେ ସୁନ୍ଦର । ତା ନ ହୋଇ ଠାଏ ଠାଏ ଖାଲି ବଙ୍କା, ଢେମଣା, ଆବଡ଼ା, ଖାବଡ଼ା, ଗେଞ୍ଜା, ଗୋଜା, ଦାନ୍ତୁରା ଗ୍ରହଣଖଣ୍ଡିଆ । ଲତାର ଲଳିତ କଳା ଭୁରୁକୁଣ୍ଡିଆ ମାରେ, ଫୁଲ ହୁଏ କେମ୍ପା କୁଜା ।

 

ପ୍ରକୃତିର ଆଇନ୍‌ରେ ଫାଙ୍କେ ଫାଙ୍କେ ରହିଯାଏ ବେ-ଆଇନି; ନ ହେଲେ କି ଅଦିନରେ ବରଷା ରୂପରେ ବିରୂପ । କେହି କହିବେ ସୃଷ୍ଟିର ବୈଚିତ୍ର୍ୟ; କିନ୍ତୁ ସେ ବିଚିତ୍ରତା ଯେଉଁ ସରୁ ସୂତାରେ ଗୁନ୍ଥା ହୋଇଛି, ତା ରହିଯାଏ ସବୁଦିନେ ଅଛପା; ଖାଲି ମନର ଶାନ୍ତି ପାଇଁ ଆମେ ଧରିନେଉଁ ମଝିଏ ମଝିଏ ସରୁ ଖିଅ-ଅନ୍ଧକାରରେ ଦୂର ବାଟୋଇ ଭାବେ ଯେପରି ଚିରଗୁଣି ଆଲୁଅକୁ ଶଗଡ଼ର ଲଲ୍‌ଟଣ ବୋଲି ।

 

ଆଉ ପ୍ରକୃତି ଭିତରେ ଠାଏ ଠାଏ ନ କହି ନ ପୋଛି ବାହାରି ପଡ଼େ ସେହି କିମ୍‌-ଭୂତ୍, ଟଳଟଳା, ଅଥରପା, ଅଖାଡ଼ୁଆ, ଅରଣା; ବନ୍ଧାବାଡ଼ର ଭେଡ଼ା ଡେଉଁ ସେ ପାଖେ ଠିଆ ହୁଏ; ଅଛିଣ୍ଡା ଚାହାଣିରେ ଥରେ ଚାହିଁଦେଇ ମାଡ଼ି ଚାଲିଯାଏ, ଅନ୍ଧାର ଆଲୁଅ ମଝିଆଁ ମଝି ।

 

ଆଖି ପାଏ ନାହିଁ । ମନ ଭିତରର ସଞ୍ଚା ବିଶ୍ଵାସ ଧାରଣା ଦୋହଲାଇ ଦେଇଯାଏ; କେତେ ଆଦରର କେତେ ଯୁଗ ଯୁଗର ବସାଣି (deposit) ସଂସ୍କାର ସଂସ୍କୃତି ଓଲଟ ପାଲଟ କରି ଦେଇଯାଏ; ଦମକା ପବନ ଯେପରି ଓଲଟ ପାଲଟ କରିଯାଏ, ଅତି ଯତନରେ ସଜଡ଼ା ମଥାର କବରୀ ।

 

ମନ ଆପେ ଆପେ ଲେଉଟି ଆସେ କିମ୍‌-ଭୂତର ପରିକଳ୍ପନାରୁ, ମୁଣ୍ଡବୁଲା ପାହାଡ଼ ତଳର ଢେଉ ଉପରୁ ଆଖି ଚାଲିଯାଇ ବିଶ୍ରାମ କରେ ଫୁଲଫୁଟା ବଗିଚା ଉପରେ । ଯେଉଁଠି ମଣିଷର ଯତ୍ନରେ ଫୁଲ ଫୁଟିଛି ଅଗଣିତ ମନମାଫି ସଜ, ମନମାଫି କଟା ଛଣ୍ଟା, ଯେଉଁଠି ମଣିଷର ମରଜି ଯୋଗାଇ ଅରଣା ଘାସ ହୋଇଛି ସାବୁଜା ଶେଯ, ସମା...ନ ।

 

ଖାଲି ଯେ ଦିଶନ୍ତା ପ୍ରକୃତିରେ କିମ୍ଭୁତ ଥାଏ, ତା ନୁହେଁ; ସବୁଠି କିମ୍ଭୁତ । ତଳେଇ ତଳେଇ ଦେଖିଲେ ତ ଯାହା ଅତି ସାଧାରଣ, ତା ଭିତରେ ସୁଦ୍ଧା ପଦେ ପଦେ କିମ୍‌-ଭୂତ । ତା ଛଡ଼ା ସାଧାରଣ ମୋଟା ଦୃଷ୍ଟିରେ ଦେଖିଲେ ବି ଚେହେରାରେ, ବ୍ୟବହାରରେ, ହାବଭାବରେ ସବୁଠି ମିଳେ କିମ୍‌-ଭୂତ । ଲୋକଟି ସଙ୍ଗେ ଏହି ପହିଲି ଦେଖା । ଦେଖିଲେ ମନେହୁଏ କିମ-ଭୂତ ! ବାଳଗୁଡ଼ାକ ଫୁର୍‍ ଫୁର୍‍ ହେଉଛି, ସେମେଟା ସେମେଟା ରଙ୍ଗ, ବେକଟା ସତେ କି କିଏ ରଞ୍ଜା ଦେଇ ବଢ଼େଇଛି । ଜଙ୍ଗଲିଆ ଭ୍ରୂଲତା ତଳେ ଘଟାଟୋପ ପରି ଆଖିପତା ଘୋରାଇ ରଖିଛି ଗାରଡ଼ିଆ ଆଖିର ଚାହାଣି । ବାଙ୍କୁଲି ନାକ ନକ ନକ କରୁଛି, ପୁଣି ଚାଲିବାର କେମିତି ଗୋଟାଏ ଦୋହଲିବା ଢଙ୍ଗ ଦେଖିଲେ ମନେପଡ଼େ ଡିଆଁ, ବଢ଼ିଲା ନଈରେ ଭାସିଲା କାଠ । କଥାବାର୍ତ୍ତା, ଚାଲିଚଳନ, ହାବଭାବ, କିମ୍‌-ଭୂତ !

 

ଅଧିକ କିଛି ନୁହେଁ–ଆକାଶର କିମ୍‌-ଭୂତ ଓହ୍ଲାଇଛି ଦୁନିଆର ମଣିଷ ଉପରକୁ; ଦୁନିଆର କିମ୍ଭୁତ ଚଢ଼ିଛି ଆକାଶର ବଉଦ ଉପରେ । ସବୁ ଧରାବନ୍ଧା ନିତିଦିନିଆ ଧାରଣା ଉପରେ ସେଇ କିମ୍‌-ଭୂତ ।

 

କେଉଁଠୁ ତା’ର ଜନ୍ମ ? କେଉଁ ଅଜଣା ଦରିଆର ଢେଉର ହାବୁକା ଏଇ କିମ୍‌-ଭୂତ !

 

ସାଧାରଣ ମଣିଷର ସରଳ ମନ ଉପରେ ହଠାତ୍‌ ସେ ଆଘାତ କରେ । ମୁହୂର୍ତ୍ତେ ତା’ର ନିତିଦିନିଆ ଧାରଣାକୁ ଦୂରକୁ ଫିଙ୍ଗି ମଣିଷ ଆଖି ରଗଡ଼ି ରଗଡ଼ି ଚାହେଁ । କିଛି ଅନ୍ତ ପାଏ ନାହିଁ କାହିଁକି ? ଆକାଶର ବଉଦ ସବୁଦିନେ ଏଇ ରୂପରେ ତା’ର ଆଖି ଆଗରେ ଠିଆ ହୁଏ ନାହିଁ । ବାଟର ବାଟୋଇ ଏଇ ଭେକରେ ସବୁଦିନେ ତା’ର ଧାରଣା ଆଗରେ ଚାଲିଯାଏ ନାହିଁ । ସବୁଦିନେ ଦେଖେ ନାହିଁ, ଭାବେ ନାହିଁ; ତେଣୁ ମଣିଷ ହଠାତ୍‌ ଚମକିପଡ଼ି ଭାବେ, ‘‘ଏ କ’ଣ ?’’ ତା’ର ନିତିଦିନିଆ ଧାରଣା ଭିତରେ ଏ ରୂପ ସହଜେ ମିଶିଯାଏ ନାହିଁ-ଫୁଲ ବଗିଚାରେ ସାରୁଗଛର ପେହେଁକାଳୀ ଫୁଲଟି ଯେପରି ମିଶେ ନାହିଁ, ସେମିତି । ସାରୁଫୁଲର ନିଜର କିଛି ବିଶେଷ ଗୁଣ, ବିଶେଷ କଥା ଅଛି, ଏ କଥା ମଣିଷ ଭାବିବାକୁ ଅବସର ପାଏ ନାହିଁ । ତା’ର ଦେହସହା ଧାରଣାରେ ଫୁଲବଗିଚା ଯେପରି ହେବ, ସେହି ଧାରଣା ଉପରେ ଦମ୍ଭହୋଇ ଠିଆହୋଇ ଏ ବେଢ଼ଙ୍ଗ ଅତିଥିକୁ ଦୂରରୁ ସମାଦର କରେ ‘‘ଦୂର୍‌ ପଳା, ଦୂର୍‌ ପଳା !’’

 

ସାଧାରଣ ମଣିଷ ମୋଟାମୋଟି କରି ସବୁକଥା ଦେଖେ । ଉପରୁ ଉପରୁ ଦେଖେ, ଆଉ ବୁଝେ ଏପରି ଭାବରେ, ଯହିଁରେ ତା’ର ବୁଦ୍ଧି, ମରମ ଭାବ ଓ ଅନ୍ୟାନ୍ୟ ଶକ୍ତି ତା’ର ଜାଣତାରେ ଖରଚ ନ ହେବ, ବୁଦ୍ଧିର ପରିଶ୍ରମ ସେ ଜାଣିଶୁଣି କରିବ ନାହିଁ କୌଣସି ସାଧାରଣ କଥା ବୁଝିବାପାଇଁ । ରାତି ପାହିଲା । ଆଲୁଅ ଆସିଲା । ତା’ର ନୂଆ ବିଚିତ୍ରତା କଣ, ତା ନିରେଖି ବୁଝିବାକୁ ଅବସର ନାହିଁ । ଦିନଗୋଟାକ ଏମିତି ଏମିତି ଚାଲିଯିବ । ଯେତେବେଳେ ବାହାର ପ୍ରକୃତି ଜୋର ଜବରଦସ୍ତି କରି ମଣିଷର ମନ ଉପରେ ବା ଇନ୍ଦ୍ରିୟ ଉପରେ ଜବରାନି ପ୍ରକୋପ କରିବ, ସେଠି ମଣିଷ ତାକୁ ମାନିନେବ । ମାନିନେବ, ସକାଳର ସୁଲୁସୁଲିଆ ବାଆ, ଗୁଲୁଗୁଲିଆ ଆଲୁଅ, ଆଉ ପ୍ରକୃତିର ଚହଲିଲା ଚହଲିଆ ନିଦୁଆ ନିଦୁଆ ଚାହାଣି ମନ ଗୋଟାକ ଉସତ କରିଯାଉଛି । ମାନିନେବ, ଦିପହରର ପୋଡ଼ି ଝାଞ୍ଜି ବେଳେ ଚାରିଆଡ଼େ ନିଆଁ ପରି ଖରା । ବସନ୍ତର ବରାତା; ଯେବେ ନିଘଞ୍ଚ ଡାଳରୁ କୋଇଲି କହିବ, ମଣିଷ ମାନିନେବ-କୋଇଲିର ଡାକ ଭାରୀ ସୁନ୍ଦର ।

 

କିନ୍ତୁ ସେତିକି, ବେଶି ନୁହେଁ । ମୋଟାମୋଟି ଭାବ ଘେନିଯାଇ ଟିକି ବିଚିତ୍ରତାକୁ ମୁଣ୍ଡ ଟେକି ଚାହିଁବ ବି ନାହିଁ ଅଳପେ । ଏଇ ‘ସାଧାରଣ’ ଢଙ୍ଗରେ ଚଲି ଚଳି ମଣିଷ ତା’ର ନିକିତି ଗଢ଼ିଛି ଏଇ ‘ସାଧାରଣ’ ପାଇଁ, ତା’ର ମୋଟାମୋଟି ଜୀବନର ମୋଟାମୋଟି ଅଭିଜ୍ଞତା ବଳରେ । ସବୁ କଥାର ଦରଦାମ ସେ ଠିକଣା କରେ ଏଇ ସାଧାରଣ ଅଭିଜ୍ଞତା ଉପରେ । ତା’ର ନ୍ୟାୟ ବିଚାର ହେଲାଣି ବନ୍ଧାଗତ । ତା’ର ଜୀବନ ହେଲାଣି ରୁଟିନ୍‌ବନ୍ଧା ଧାରା । ଏଇ ଧାରା, ଏଇ ଅଭିଜ୍ଞତା ଘେନି ଯୁଗ ଯୁଗ ଧରି ବୁଝି ବିଚାରିବାର ସଂସ୍କାର ସାଇତା ହୋଇ ଆସିଛି; କିନ୍ତୁ ଏ ବିଚାର-ଧାରାର ମୂଳରେ ରହିଛି ମଣିଷର ସେଇ ‘‘ମୋଟାମୋଟି’’ ଦେଖା, ଯାହା ଆପେ ଆପେ ହେଇଛି, ମନ ଉପରେ ବାହାର କଥାର ହାବୁକା ବାଜି, ଆପେ ଆପେ (ପ୍ରତିଘାତ) ଉତାର ମାଡ଼ ଯେତିକି ଚିନ୍ତା, ଯେତିକି ଅନୁଭୂତି ବାହାରିଛି, ତାରିଦ୍ଵାରା । ତାରିଦ୍ଵାରା ଯୁଗଯୁଗର ‘‘ସାଧାରଣ’’ ଅଭିଜ୍ଞତାରେ ତିଆରି ହୋଇଛି ସାଧାରଣ ଧାରା (Norm) ।

 

ଅତଏବ ଦୁନିଆର ଦଶଲୋକେ ଗୋରୁପଲ ପରି ଚାଲିଛୁଁ ଆମେ ସେଇ ପୁରୁଣା ବାଟରେ । ସବୁଥିରେ ଆମର ଧାରଣାରେ ସଂସ୍କାର ରହିଛି । ଯାହା ଏ ଗୁଳାବନ୍ଧା ଧାରଣାରେ ନ ପଡ଼ିବ, ସେ ହବ ‘‘ବେଢ଼ଙ୍ଗ’’ । ତାକୁ ଜାଗା ଦେବାକୁ ବନ୍ଧାଗତର ଧାରଣା ଭିତରେ ରାହା ନାହିଁ । ସେ କିମ୍‌-ଭୂତ ।

 

କିନ୍ତୁ ଏପରି ତ କେହି କେହି ଅଛନ୍ତି, ଯେଉଁମାନଙ୍କୁ ଦଶପଲାର ବନ୍ଧାବାଟ ଲାଗେ ଅଡ଼ୁଆ, ବନ୍ଧାଗତର ସଂସ୍କାର ସଭ୍ୟତା ଲାଗେ ଅଶୁଦ୍ଧ । ପତରଚକି ‘ଡେଙ୍ଗା’ ପରି ସେମାନଙ୍କର ନିଆରା କଣରେ ବସା । ‘ସାଧାରଣ’ର ମୋଟା ସୁନ୍ଦର ସେମାନଙ୍କର ସୁନ୍ଦର ନୁହେଁ, ଘନ ବରଷାର ମୋହ ଆଉ ମାଟିକାଦୁଅ ପାଣିପଙ୍କରେ ସୋଗ, ତୋଫାନର କୁହାଟ, ଆଉ ଆକାଶ-ଫଟା ବିଜୁଳିର ହସ ସେମାନଙ୍କୁ କରେ କୂଳରୁ ବାହାର । ଖାଁ-ଖାଁ-ମଶାଣି ଭୂଇଁରେ ଚିକ୍‌ ଚିକ୍‌ ହାଡ଼କଙ୍କାଳ ଭିତରେ ସେମାନେ ଖୋଜନ୍ତି ସୁନ୍ଦରିମା । ସେମାନଙ୍କ ରୁଚି ଅଲଗା-ଦୁନିଆର ବନ୍ଧାଗତରେ ବନ୍ଧା ନୁହେଁ । ଦୁନିଆ ସେମାନଙ୍କୁ ତରକି ତରକି ଚାହେଁ । ଦୁନିଆ ଆଖିରେ ସେମାନଙ୍କ ମୁଣ୍ଡରେ ଗୋଳମାଳ ରହିଛି । ଦୁନିଆ ଆଖିରେ ସେମାନେ ଜୀଅନ୍ତା ଭୂତ, କିମ୍‌ଭୂତ । ଦୁନିଆ ସାଙ୍ଗେ ସେମାନେ ଆଖିକୁ ଆଖି ମିଳାଇ ଦେଖିପାରନ୍ତି ନାହିଁ ।

 

ଏତିକି ଯେଉଁ କିମ୍‌-ଭୂତ ଗୁଣ, ସେ ଦୁନିଆର ସୁନେଲି ଧାରା ଭାଙ୍ଗିଦିଏ । ଏପରି ଲୋକ ବାସ୍ତବିକ ତ ପାଗଳ । ଦୁନିଆ ଯାହାକୁ ସ୍ତିର, ଶାନ୍ତ ମୋଟାମୋଟି ଧାରଣାର ମଣିଷ ବୋଲି ନିଶାପରେ ଧରି ନେଇ ସାରିଛି, ଏମାନେ ସେଥିରୁ ବାହାର; ତେଣୁ ଆପେ ଆପେ ସେମାନେ ‘ଭଲ ମଣିଷ’ ନାଁଟି ହରାଇଲେ । ମନ ଭିତରେ କୌଣସି ଗୋଟାଏ ଗୁଣ ଏମାନଙ୍କର ଅଧିକ ବଳି ପଡ଼ିଛି-। ସବୁ ଭାବ ଭିତରେ ଯେଉଁ ପୋଷାପଣର ସଂଯମ ରହିଛି, ତା ସେମାନଙ୍କର ତୁଟିଛି; ତେଣୁ ସେମାନେ କିମ୍‌-ଭୂତ । ଗୋଟାଏ ଗୁଣ ବଢ଼ିଛି; ତେଣୁ ସାଧାରଣରେ ସେ ଗୁଣର ଯେପରି କ୍ରିୟା, ତାଠୁ ଆହୁରି କିଛି ଅଧିକା ବାହାରିଛି, ଯାହା ସଚରାଚର ଆଖିରେ ପଡ଼େ ନାହିଁ । ସେଇ ବଳକା ଶକ୍ତି ଅପର ‘ମୋଟାମୋଟି’ ସ୍ତରର ଭାବଗୁଡ଼ିକୁ ଘୋଡ଼ାଇ ଦେଇଛି । ଅତଏବ ମପାଚୁପା ବିଧାନର ବାଡ଼ ଭାଙ୍ଗି ଆକାର ଯେପରି ଦିଶୁଛି, ସେଥିରେ ଲୋକଟିକୁ ସହଜରେ କୁହାଯିବ-‘‘କିମ୍‌-ଭୂତ ।’’ ସେଇ କିମ୍‌-ଭୂତ ଭାଙ୍ଗିଛି ହିସାବୀ ଦୁନିଆର ଲୁହାର ବାଡ଼, ଓଲଟାଇ ଦେଇଛି ଦୁନିଆର ସବୁ ନ୍ୟାୟ ବ୍ୟବହାର ନିକିତି ।

 

ଯେଉଁଠି ଛପିଛପିକା କିମ୍-ଭୂତର ଗୁଣ ହଠାତ୍‌ ବାହାରିପଡ଼େ, ସେଠି କଳା ଉପରେ ସେ ବଡ଼ ପ୍ରଭାବ ପକାଏ, ତା’ର ପ୍ରକାଶର ଗତି ଆଉ କ୍ରମ ଉପରେ, ପ୍ରକାଶର ଉପକରଣ ଉପରେ, ତା’ର ଧାରଣା ଉପରେ । ସବୁନ୍ତିଙ୍କୁ ସେ ନିଜର ରଙ୍ଗରେ ରଙ୍ଗାଇ ଦିଏ, ସମସ୍ତିଙ୍କୁ ନିଜର ଧରଣରେ ବାଗେଇ ଦିଏ ।

 

କଳାର ଗଢ଼ିବା ମାଟି ଉପରେ କିମ୍-ଭୂତ ତା’ର ଅପରୂପ ରୂପ ପିଟି ଦେଇଯାଏ; ତେଣୁ ଗଢ଼ଣ ଦିଶେ ଆଗ ପରି । କଥାଟି ଆରମ୍ଭ ହେଲା, ଆଗ ମଝି ଦେଇ ଧୀରେ ସୁସ୍ଥେ ଶେଷଆଡ଼କୁ ନଇଁଯାଆନ୍ତା । ତା ନାହିଁ, ଯେଉଁଠି କେତେ କଥା ରହିଛି ଅକୁହା, ସେଇଠି ପଡ଼ିଲା ପୁର୍ଣ୍ଣଚ୍ଛେଦ । ନାୟିକାର ମୁଣ୍ଡବନ୍ଧା ସରି ନାହିଁ, ନାୟକ ତା’ର ସଫଳତା ପାଇଛି; କିନ୍ତୁ ପାଇ ନାହିଁ ତେଣେ ପ୍ରତିଦ୍ୱନ୍ଦୀ ଯେ ଥିଲା ଧଡ଼ି ତଳେ । ତା’ର ଭାଗ୍ୟ ଖୋଲିବା ଉପରେ । ଏପରି ଯେଉଁ ସନ୍ଦେହର ମଉନ ସଞ୍ଜ, ସେତିକିବେଳେ ଶୁଖିଲା କଲମରୁ କାଳି, କଥା ସରିଲା ।

 

ନୋହିଲେ ଘଟଣାର ପରସ୍ପର ସହିତ ସମ୍ବଦ୍ଧ ଥିଲା ପରି ଲାଗୁ ନାହିଁ, ଦଶ ଲୋକଙ୍କ କଥା ଯେପରି କୁହା ହେଉଛି ଏକା ମୁହଁରେ; କିନ୍ତୁ ଦଶଟା ଶବ୍ଦରେ । କିମ୍‌ଭୂତର ପ୍ରଭାବରୁ କେତେ ନୂଆ ରୂପ ଆମେ ଦେଖୁଁ ନିତି ନିତି ।

 

କଳ୍ପନାରେ ସେହିପରି, ଯେପରି କଥା-ଗଢ଼େଇରେ । ଚିରଦିନ ଯେଉଁଠି ଯେତେ ପ୍ରକାର ଧରାବନ୍ଧା ବର୍ଣ୍ଣନା ଶୁଣି ଶୁଣି କାନରେ ଅଭ୍ୟାସ ପଡ଼ିଗଲାଣି, ଆଜି କିମ୍‌-ଭୂତ କବି ଦେବେ ନୂଆ କଥା, ଅ କଥା । ବିରହରେ ହସ ପୁଣି ଫୁଲସାଜ, ମିଳନରେ ଆଖିର ଲୁହ । ପ୍ରଣୟର ଶେଷ ପହୁଞ୍ଚାରେ ବସନ୍ତର ମଳୟ ନୁହେଁ, କୋଇଲି ନୁହେଁ, ଖାଲି ମାଟିକାଦୁଅର ଗାଁ ବାଟ, ଯେଉଁଠି ଗୋରୁପଲ ଚାଲିଛନ୍ତି ରଡ଼ି ରଡ଼ି, ପୁନେଇଁର ଚାନ୍ଦ ଚାହୁଁ ନାହିଁ ଆନନ୍ଦର ପୁଲକରେ ସୁନ୍ଦରିମାର ଅଞ୍ଜଳି ଧରି । ପୁନେଇଁର ଚାନ୍ଦ ଆଜି ଭିକାରୁଣୀ !

 

ଭିତରର ଆତ୍ମା ତା’ର ଥଣ୍ଡା, ବରଫ ପରି ଥଣ୍ଡା, ବାହାରର ଛାଇ ଯେପରି ମଡ଼ାମୁହଁର ଶୁଖିଲା ହସ, ଚୋରା ଚକିତ ଚାହାଣି ନୁହେଁ ଅଭିସାରିକାର, ଚାହାଣି ତା’ର କରୁଣ, ଭିତରର ଶୂନ୍ୟତାର ଗୋଟିଏ ନିର୍ଜ୍ଜୀବ ଦୁର୍ବଳ ଛାଇ, ଆଖିର ଚାହାଣି ନୁହେଁ, ପଥରର ଛାଇ । ପୁଣି ସେହିପରି ଦୁନିଆର ସୁନ୍ଦରିମାର ସହଜ କ୍ରମ ଲାଗେ ରେଳଗାଡ଼ିର ଅନବରତ ଘଡ଼୍‌ ଘଡ଼୍‌ ପରି କିଂସ୍ଵିତେ, ସଜ ପବନ ଲାଗେ ସାବୁଜା ଘାସର ଶାଉଁଳିଆ ରଙ୍ଗ ପରି ।

 

ପୁନେଇଁର ଚାନ୍ଦ ପୁଣି ଭିକାରୁଣୀ ! ସଜ ପବନ ପୁଣି ସାବୁଜା ଘାସ ! କେଉଁଟା ହେଲା କିପରି? ସବୁ କିମ୍‌-ଭୂତ ।

 

କାଳର ଥାଏ ଯେଉଁ କଅଁଳ ମରମ ଭାବ, କିମ୍‌ଭୂତର ହାତ ବାଜି ସେ ପୁଣି ହୋଇଯାଏ ଅରଣା । କେଉଁଠି ମରମ ଭାବ ମିଶେ ଚିନ୍ତାରେ, କେଉଁଠି ରୂପ ମିଶେ ରସରେ । କେଉଁଠି ସାତପାଞ୍ଚ ଭାବର ଥିର ମଣିଷ ଦିଶେ ଗୋଟାଏ ଭାବର ଖଣ୍ଡିଆ-ଭୂତ ପରି । ସାଧାରଣ ମିଶାମିଶି, ଯୋଖାଯୋଖି, ଖେଳାଖେଳି, ଯେଉଁ ପୂର୍ଣ୍ଣତା ତାକୁ ହରାଇ ହୁଏ ଗୋଟାଏ ଗୁଣ, ଗୋଟାଏ ଭାବ, ଗୋଟାଏ ଖିଆଲର ସୂକ୍ଷ୍ମ ଗୁଣ, ଯାହା ସଚରାଚର ସାଧାରଣଙ୍କୁ ଦୁନିଆରେ ଦିଶେ ନାହିଁ ।

 

କିମ୍‌-ଭୂତର ଧରଣ ବହୁତ । ଯାହା ବାଡ଼ ଭିତରେ ରହିଛି, ହତା ଯେତେ ବଡ଼ ହେଉ ପଛେ, ଶେଷରେ ଗଣାଗଣି କରି ହିସାବ ରଖା ହୋଇପାରେ, ବା, ଯାହା ବାଡ଼ ସେ ପାଖେ ରହିଲା, ତାକୁ ଗଣିବା କାଠିକର ପାଠ ।

 

ଲୋକେ କହନ୍ତି, କିମ୍-ଭୂତ କୁଆଡ଼େ ସିଧା-ବାଟରୁ ଅବାଟକୁ - ଅସୁନ୍ଦର ବାଟକୁ ଚାଲିଯାଏ । ସେ ତ କିମ୍‌ଭୂତର ମୂଳ ଧାରଣାରେ ରହିଛି । କିମ୍-ଭୂତ ହେଲେ ହିଁ ମଡ଼ା ବାଟରୁ ଅମଡ଼ା କଥା ଆପେ ଆପେ ଉଠିବ; କିନ୍ତୁ ସବୁ ଅମଡ଼ା ବାଟ କ’ଣ ଅସୁନ୍ଦର ? ଆମର ଦେଖାପରଖା ଜଣେଇ (ଅଭିଜ୍ଞତା) ବାହାରେ କ’ଣ ଆଉ ଆଉ ବାଟ ନାହିଁ, ଯାହା ଆମର ଅଜଣା; କିନ୍ତୁ ଜଣା କଥାଠୁଁ ଆହୁରି ଭଲ, ଆହୁରି ସରସ ? ଯୁଗକୁ ଯୁଗ ବାଟ ବଦଳୁଛି; କିନ୍ତୁ ପୂର୍ବେ ଯାହା ଥିଲା, ତାଠୁଁ ଆଜି ଯାହା ହେଲାଣି, ସେ କ’ଣ ଅସୁନ୍ଦର ?

 

ଲୋକେ କହନ୍ତି, କିମ୍‌-ଭୂତ ଅପୂର୍ଣ୍ଣ । ପୂର୍ଣ୍ଣତା ଥିଲେ ଚାରିଆଡ଼ର କଥା ଥାଏ; ପୁଣି ଏପରି ସମ୍ବନ୍ଧ ରଖିଥାଏ, ଯହିଁରେ ଫୁଲ ଦିଶିବ ଫୁଲପରି, ମଣିଷ ଦିଶିବ ମଣିଷ ପରି । କିମ୍‌ଭୂତ ଏ ସମ୍ବନ୍ଧ ଭାଙ୍ଗିଯାଏ । ଫୁଲକୁ ଫୁଲ ରହିଛି, କିନ୍ତୁ ଗୋଟାଏ ନାଲିପାଖୁଡ଼ା ମୋଡ଼ି ମୋଡ଼ି ହୋଇ ସମସ୍ତିଙ୍କ ଉପରେ ରାଜୁତି କଲାଣି । କଳାରେ ସେହିପରି ଚରିତ୍ରର ଗୋଟାଏ ଗୁଣ ଅନ୍ୟ ଗୁଣଗୁଡ଼ିକୁ ଘୋଡ଼ାଇ ପକାଇଛି । ସମସ୍ତେ ସାଧାରଣରେ ଯେଉଁ ଯେଉଁ ଉପକରଣକୁ ଯେପରି ଭାବରେ ମିଶାଇ ସଜାଇଥାଆନ୍ତି, କିମ୍-ଭୂତ କଳାରେ ସେପରି ମିଶାମିଶି ନାହିଁ ।

 

କିନ୍ତୁ ‘ପୂର୍ଣ୍ଣତା’ ବିଷୟରେ ସମସ୍ତିଙ୍କର ଧାରଣା ଏକ ନୁହେଁ । ସାଧାରଣଙ୍କର, ସାଧାରଣ ବୁଝାଳିଙ୍କର ଧାରଣାର ବାହାରେ ମଧ୍ୟ ପୂର୍ଣ୍ଣତା ରହିପାରେ, ଯାହା ସେମାନଙ୍କ ମୋଟାମୋଟି ପୂର୍ଣ୍ଣତାଠାରୁ ଅଲଗା, ହୁଏତ ଆହୁରି ‘ପୂର୍ଣ୍ଣ’ । ବନ୍ଧାଗତର ସଙ୍କେତ ସବୁବେଳେ ଠିକ୍‌ ନୁହେଁ । ବନ୍ଧାବାଟର ବାଟୋଇମାନେ ସେହି ମାନ୍ଧାତାଙ୍କ ଅମଳରୁ ଗୋଟାଏ ପାଖରୁ ବାଟକରର ନିତିଦେଖା ଗଛପତର, ଘରବାରି, କୋଠା ଇଟା ଦେଖି ଦେଖି ଚାଲିଛନ୍ତି । ସେଇ ଦେଖାରୁ ସେମାନେ ବାଟକରର ନିତିଦେଖା ଜିନିଷ ବିଷୟରେ ଧାରଣା କରିଛନ୍ତି । ସେଇ ଗୋଟାଏ ଦିଗରୁ ତାଙ୍କର ପୂର୍ଣ୍ଣତାର ଧାରଣା । ବେକରେ ଯୁଗ ଯୁଗର ଯାଉଁଳି, କାନ୍ଧରେ ଯୁଗ ଯୁଗର ବୋଝ ସାମନାରେ ଯୁଗ ଯୁଗର ଲକ୍ଷ୍ୟହୀନ ବାଟ, ଯହିଁରେ ଘୂରି ଘୂରି ଚାଲିଥିବା ହେଉଛି ସୃଷ୍ଟିର ଆଉ ସଂସାରର ନିୟମ । ଅବାଟ ବାଟେ ବାଟ ଭାଙ୍ଗିଯିବା, ବାଟ ସେ କରରେ କୁଦ ଉପରେ ବସି ଆରପାଖୁ ନିତିଦେଖା ଜିନିଷ ଦେଖିବା, କାହିଁ ଏତେ କଥା କରିବାକୁ ସମସ୍ତଙ୍କର ଅବସର ? ଠିଆ ହୋଇ ଚାହିଁବାକୁ ତର ନାହିଁ, ବୁଲିପଡ଼ି ହେଳାରେ ହେଳାରେ ଦେଖି ଏଠି ସେଠି ମୁହଁ ମାରି ଯିବାକୁ ସୁବିଧା ନାହିଁ । ଯାହାର ସେପରି ସୁବିଧା ହେବ, ଦୁନିଆର ଜ୍ଞାନ ଉପରେ ଯାହାର ଆସିବ ବଳକା ଚେତା, ତା କଥା ନାଲି ସଡ଼କର ଦଶ ଜଣ ବାଟୋଇ ବିଶ୍ଵାସ କରିବେ ନାହିଁ ସତ; ତା ବୋଲି ତା’ର କ’ଣ ଭୁଲ ?

 

ଲୋକେ କହନ୍ତି, କିମ୍‌-ଭୂତ କଳାରୁ କଳାର ଆନନ୍ଦ ମିଳେ ନାହିଁ । କାହିଁ କବିଏ ଲେଖନ୍ତି ଗୋଲାପ ଫୁଲ କଥା, ବାସ-ଚାହଟା, ମଧୁ-ମାଳତୀର କଥା, କେତେ ସୁନ୍ଦର କଥା; କିମ୍‌-ଭୂତ କବି ଲେଖିବେ ଅସନା ଅପୋଛା ମଳିମୁଣ୍ଡିଆଙ୍କ କଥା, ବରଷା ଛିଞ୍ଚା ଖତଗଦାର ମାଟିଆ ଗୋବରା ଛତୁ କଥା, କଣ୍ଟାବାଇଁଶୀ ବଣର କଥା, ଯେତେ ନିଉଛୁଣା ଯାବତ-ସବୁ । ଅତଏବ କିମ୍‌-ଭୂତ ଭିତରେ ଆନନ୍ଦ ନାହିଁ, ଏଇ ସମସ୍ତଙ୍କର ସଫା ଜବାବ ।

 

କିନ୍ତୁ ଆନନ୍ଦ ବିଷୟରେ ମଧ୍ୟ ଦଶଜଣଙ୍କ ମତାମତ ଘେନି ଚଳି ହେବ ନାହିଁ । କଳା-ଶକ୍ତି ଯଦି ପ୍ରକୃତରେ ଅବତାର ପାଇଥାଏ, ତେବେ କଳାର ଭିତରି ଦେଖା ସାର ସତ ଗୁଣ ଆପେ ଆପେ ଫୁଟି ବାହାରିବ । ସତ ଆଉ ଆନନ୍ଦ, ଏ ଦୁଇଟି ଏକ ସଙ୍ଗରେ ଗୁନ୍ଥା ହୋଇଅଛି । କିମ୍‌-ଭୂତ କଳା କଳାରୁ ବାହାର ନୁହେଁ; କଳାର ଗୋଟାଏ ରୂପ ମାତ୍ର । ତା ପରେ ଆନନ୍ଦ ବିଷୟରେ ସମସ୍ତିଙ୍କର ସମାନ ଧାରଣା ନୁହେଁ । ଅନେକ ସମୟରେ ଅନେକ କଥା ଏତେ ଦୂର ଆନନ୍ଦ ପାଇଁ ବନ୍ଧା-କଥା ହୋଇଯାଇଛି ଯେ, ସେ ଲାଗେ ଅତି ନୀରସ, ସାଧାରଣ ଲୌକିକତା ପରି ।

 

ପୂର୍ବକାଳରେ ଯେଉଁ ସବୁ ବନ୍ଧେଇ ବର୍ଣ୍ଣନା ଥିଲା, ତା’ର ଫଳ ଠିକ୍‌ ସେମିତି ହେଲା । ବସନ୍ତ ବର୍ଣ୍ଣନା କରିବାକୁ ଯାଇ କିଏ ନ ଲେଖୁଥିଲା ପଳାଶ ଅଶୋକ ଫୁଲର କଥା, ଭଅଁର କଥା, ଆମ୍ବ ବଉଳ ଆଉ କୋଇଲି କଥା ? ସେଇ ସେଇ ବର୍ଣ୍ଣନା, ଘୋରତେଇ ପୋରତେଇ, ଏ ପୋଥିରେ ସେ ପୋଥିରେ ସବୁ ପୋଥିରେ । ଲେଖାଳି ଯେତେବେଳେ ଲେଖୁଥିଲେ, ସେମାନେ କ’ଣ କଳା-ଶକ୍ତିର ପ୍ରେରଣାରେ ପାଗଳ ହୋଇ ଏତେ ଲେଖୁଥିଲେ, ନା ଚିଠି ମୁଣ୍ଡରେ ଓଁ ଟି ପରି ସେମାନେ ଏ ସବୁ ମାମୁଲି ଗତ ବୋଲି ମାନି ନେଇଥିଲେ ? ସବୁପ୍ରକାର ବନ୍ଧେଇ ବର୍ଣ୍ଣନା ବନ୍ଧା-ଗତ ଛାଡ଼ିଗଲେ ପୁରୁଣା ଆନନ୍ଦର ଧାରଣା ଘେନି ଟିକିଏ ଅସୁବିଧା ଘଟିପାରେ, ଯେଉଁମାନେ ଏକା ଥରକେ ଆଖି ବୁଲେଇ ନେଇ ନିକୁଛା କମ୍‍ ମୁଣ୍ଡ ଖର୍ଚ୍ଚ କରି କଳାରୁ ଆନନ୍ଦ ପାଆନ୍ତି, ସେମାନଙ୍କ ପକ୍ଷରେ । କିମ୍‌-ଭୂତ କଳା ଧରିନିଏ, ବୁଝାଳି ଉଚିତ ଅବଧାନରେ ବୁଝିବାକୁ ତିଆର । ବୁଝାଳି ସେଥିଲାଗି ନିଜ ଭିତରର ବନ୍ଧା-ଗତର ଦୁର୍ବଳତା ଭାଙ୍ଗିବାକୁ ପ୍ରସ୍ତୁତ । ବୁଝାଳି ସବୁ ଆଗତୁରା ଧାରଣା ପଛକୁ ପକାଇଛନ୍ତି । ଏତେ କଲେ ଆନନ୍ଦ ଅଟକ ରହିବ ନାହିଁ, ଯଦି ପ୍ରକୃତ କଳା ହୋଇଥାଏ; କିନ୍ତୁ ଏତିକି ଲାଗି ଧୈର୍ଯ୍ୟ ଦରକାର ।

 

ଶିଳ୍ପୀ କାହାରି ଆଇନରେ ବନ୍ଧା ନୁହେଁ, କାହାରି ମର୍ଜି ଯୋଗାଇବାକୁ କିଣା ନୁହେଁ । ଯେଉଁ ବାଟ ତାକୁ ଦିଶିବ, ସେଇ ବାଟେ ସେ ଯିବ । ତହିଁରେ ଆଇନ ଅମାନ୍ୟ ହେଲେ ତା’ର ଖାତିର ନାହିଁ । ତେଣୁ ଶିଳ୍ପୀକୁ ମହାନୁଭୂତି ଦେଇ ଖୋଳିତାଡ଼ି ଦେଖିବାକୁ ମନ କରି ଲାଗିଲେ ତା’ର ହାତକାମର ବୁଝାଶୁଝା ହେବ, ପରେ ଦରଦାମ ବା ହୋଇପାରେ । ବାହାରର ଆଇନ ଦଶଲୋକଙ୍କ ଅଧ-ଦେଖା ଉପରେ-ଠାଉରିଆ ଧାରଣା ଘେନି ଦେଖିବାର ଦିଗ ନ ବଦଳାଇ ଲାଗିଲେ ଶିଳ୍ପୀର ଉଚିତ ବୁଝାମଣା ହେବ ନାହିଁ; କାରଣ ‘ଲୋକଙ୍କୁ’ ଯାହା ଠିକ୍‌, ‘ଲୋକକୁ’ ତା ଠିକ୍‌ ନ ହୋଇପାରେ–ବିଶେଷରେ କଳାରେ, ଯେଉଁଠି କି ନିଧର୍ଯ୍ୟ ନିକ୍‌ତି ନାହିଁ ।

 

କାନ୍ଥରେ ଛବି ଅଙ୍କା ହୋଇଛି, ଢାଉରେ, କଳାରେ, ଚୂନରେ । ଜାତିଜାତିକା ଛବି-ଯେଉଁଠି ମଣିଷ, ଗାଈ, ଘୋଡ଼ା, ଗଛ, କିଛି ଠିକ୍‌ ବୁଝାପଡ଼ୁ ନାହିଁ । ବାଟର ବାଟୋଇ ଥରେ ଚାହିଁ ଦେଇ ହସି ହସି ବାଟ ଚାଲେ । ପୁଣି ସେପରି ଛବି ନାମଜାଦା ଛବି ଘରମାନଙ୍କରେ ଦେଖେ, ବଡ଼ ବଡ଼ ନାଁ, ବଡ଼ ବଡ଼ ଶିଳ୍ପୀ । ଆଁ କରି ଚାହେଁ; କିଛି ବୁଝି ନ ପାରି ଦୂରରୁ ଭକ୍ତିର ଆଞ୍ଜୁଳା ଟେକେ ।

 

ସରୁ ସରୁ ଆଙ୍ଗୁଠିରେ ନୂଆବୋହୂଟି ପକାଏ ଚିତା ଗୋବରନିପା ମାଟିଭୁଇଁରେ । ଧଳା ପିଠୋଉ କଥା କହେ । କେତେ ଜାତିର ଛବି ଫୁଟିଉଠେ-ଫୁଲ, ଫଳ, ଗଛ, ଚଢ଼େଇ । ସବୁ ସତ ସତ ହୁଏ ନାହିଁ, କିନ୍ତୁ ସୁନ୍ଦର ଦିଶେ । କାହିଁର କ’ଣ ସଙ୍କେତ ଲୁଚି ରହେ, ଭୂଇଁର ପ୍ରତିଦାଗରେ ମନର କେତେ ଖିଆଲ, ସପନର କେତେ ଆଭାସ ! ପଚାରିଲେ ଚିତାକୁଟାଳୀ କହିପାରିବ ନାହିଁ, ଚଡ଼େଇ ମୁଣ୍ଡୁଳାର ଧଳା ଭଉଁରୀ ମଝିରେ ଢାଉ ଠୋପାଟି କି ଉପକାରରେ ଲାଗିବ, କ’ଣ ତା’ର ସଙ୍କେତ, କ’ଣ ତା’ର ଭାଷା । କଳା ଯେପରି କିମ୍‌-ଭୂତ ! କିନ୍ତୁ ସୁନ୍ଦର ଦିଶେ । କେତେ ଲୋକ ଭଲ ପାଆନ୍ତି, କେତେ ଲୋକ ଛୋଟ ମନର ଟିକି ଖିଆଲଟିକୁ ଗୋଡ଼ରେ ଠେଲି ଦିଅନ୍ତି । କିନ୍ତୁ କାହାର ଭୁଲ୍‍ ? କାହାର ଠିକ୍‌ ? ସେ ରସ ଘେନି ପାରେ, ସେ ଚିହ୍ନରା କହିବ ଠିକ୍‌ ? କାହାର ଆଇନରେ ବିଚାର ହେବ ?

 

କିନ୍ତୁ ଅସୁବିଧା ପଡ଼େ ସେଇଠି, ଯେଉଁଠି କଳାର ରୂପ ଏପରି ଅସ୍ପଷ୍ଟ ଯେ, ଅତିଶୀଘ୍ର ଧରି ହେବ ନାହିଁ । ଯଦି ପ୍ରତି ଚିହ୍ନରାଙ୍କର ଏପରି ଶକ୍ତି ଥାନ୍ତା ଯେ, ଯେ ଯାହା କରୁ, ଯାହା ଲେଖୁ, ବାହାରକୁ ଯେତେ ବେଢ଼ଙ୍ଗ, ବେ-ସୁରା ଲାଗୁ, ତା’ର ତିଆରି ବେଳର ପ୍ରତି ଖିଅ ସେମାନେ ଧରିପାରନ୍ତେ, ତା ହେଲେ ପୃଥିବୀରେ କଳାର ଜୁଆର ଆସନ୍ତା, ସବୁ କଥାରେ କଳାର ରସ ଘେନି ହୁଅନ୍ତା; କିନ୍ତୁ ତା ସମ୍ଭବ ନୁହେଁ-ସାଧାରଣରେ ସମ୍ଭବ ନୁହେଁ । ଯେତେଠି ଯେତେବେଳେ ସମ୍ଭବ ହୋଇଛି, ସେତେଠିଁ କଳାର ପାଖ ପଶିବା ଘଟିଛି, ସେତେଠିଁ ଦଶ ଜଣଙ୍କର 'ଧଳା', 'କଳା' ବୋଲି ପ୍ରମାଣ ପାଇଛି । ସେଇ ଦଶଲୋକେ ଶେଷରେ ତାକୁ 'କଳା' ବୋଲି ଘେନି ପାରିଛନ୍ତି । ସେଇମାନେ ପୁଣି ବୁଝିପାରିଛନ୍ତି, ଯାହାକୁ ତଷୁ ବୋଲି ଫୋପାଡ଼ି ଦେଉଥିଲେ, ତାହାରି ଭିତରେ ରହିଛି କଳାର ମୂଳ ଗୁଣ ।

 

କିନ୍ତୁ ପ୍ରକୃତରେ ଯଦି କଳା-ଶକ୍ତି ଶିଳ୍ପୀ ଉପରେ ଉଇଁଥାଏ, ତେବେ କଳାର ମୂଳଗୁଣ ଟିକିଏ ବେଶୀ ପରିଷ୍କାର ହୋଇ ଦେଖାପଡ଼ିବ । ମଣିଷର ମୂଳ-ଗୁଣ ଉପରେ ଟଣା-ଓଟରା ପଡ଼ି ବେଶୀ ଜୋରରେ ତା’ର ରୂପ ପ୍ରକାଶିବ । ଅତଏବ ଖାଲି କିମ୍‌-ଭୂତ ହେଲେ ଚଳିବ ନାହିଁ; କିମ୍-ଭୂତ କଳା ହେବା ଦରକାର । ଅଧେ କଜିଆର ମଞ୍ଜି ହେଉଛି ଶୁଦ୍ଧ କିମ୍‌-ଭୂତକୁ କିମ୍‌-ଭୂତ କଳାର ଆସନରେ ବସାଇବା ପାଇଁ ଦାବି କରିବା । କଳାର ମୂଳ-ଗୁଣ ଯେଉଁଠି ନାହିଁ, ଖାଲି ପ୍ରକାଶର ଉପାୟରେ କିମ୍‌-ଭୂତ କଲେ କିଛି ଫଳ ନାହିଁ । ନୂଆ ଧରଣ ଦେଖି ବିରକ୍ତି ଆସିବ, ଚମକ ଆସିବ; କିନ୍ତୁ ଫଳ ହେବ ନାହିଁ କିଛି । ନଈବଢ଼ିର ଭାସନ୍ତା କାଠି-କୁଟା, ଜୀବନ ନାହିଁ, ଚେର ଧରି ପାରିବ ନାହିଁ, ଯୁଗ ଯୁଗର ମଣିଷ ଅଭିଜ୍ଞତାର ଭୂଇଁରେ ।

 

ଶିଳ୍ପୀର ଦୁର୍ବଳତା, କିମ୍‌-ଭୂତର ଦୋଷ ନାହିଁ । ପ୍ରତି ନୂଆ କଥା ତ ଆସେ କିମ୍‌-ଭୂତ ବେଶରେ । ଶିଳ୍ପୀ ସଙ୍କେତ ଦେଇ ଖାଲି ଶାଢ଼ୀର ଧଡ଼ି ଆଙ୍କି ଫୁଟାଇଲେ ସୁନ୍ଦରିମା, ନୋହିଲେ ଆଖିର ଚାହାଣୀକୁ ଛବି ଭିତରେ ବଡ଼ତି ଦେଇ ଦେଖାଇଲେ ମନର ଭାବ । ଦେହ ତୁଳନାରେ ଗୋଟିଏ ଗୋଟିଏ ଅଙ୍ଗର ଏ ଉତ୍‍କର୍ଷ କଲା ସାଧାରଣଙ୍କ ଆଖିରେ ବିରୂପ ସଙ୍କେତ କଳା । ମନର ଭାବ, ଉପମା, ଏସବୁ ପାଇଲା ବେଶୀ ପ୍ରଶ୍ରୟ, ସୁନ୍ଦରୀ ମୂର୍ତ୍ତିରେ ହରିଣର ଆଖି, ଶୁଆ-ଥଣ୍ଟର ନାକ ଆଙ୍କି । ଅଂଶର ପରସ୍ପର ସମ୍ବନ୍ଧ ଭିତରେ ଗୋଳମାଳ ଘଟିଲା; କିନ୍ତୁ ସେ ହେଲା ଉଚ୍ଚ କଳା ।

 

କଳାରେ ନୂଆ ନୂଆ ଯେତେ ism, ସବୁ ପ୍ରଥମେ ଆସିଲା କିମ୍‌-ଭୂତ ବେଶରେ ।

 

ଖାଲି ସେତିକି ନୁହେଁ, ରୁଟିନବନ୍ଧା ସାଧାରଣ କ୍ରମ ପରେ ଯାହା କିଛି ନୂଆ, ସବୁ କିମ୍‌-ଭୂତ । ଚାଟଶାଳୀରେ ସହଜ ମନର ଭାବ ଦାବି ସଭ୍ୟ ହୋଇ ସମସ୍ତେ ବସିଛନ୍ତି । ଗୋଟିଏ ପିଲା ବଡ଼ ପାଟିରେ ହସି ଉଠିଲା । ସେଇ ହେଲା କିମ୍‌-ଭୂତ । ଅବଧାନଙ୍କ ବେତ ଗର୍ଜି ଉଠିଲା । ସେ କିମ୍‌-ଭୂତ ନୁହେଁ; ସେ ସାଧାରଣ କ୍ରମ । ସେହିପରି ଆକାଶର କଳା ବଉଦ ଘୁଞ୍ଚିଯାଇ ମୁହୂର୍ତ୍ତେ ପରିଷ୍କାର ଜହ୍ନ ଆଲୁଅ ଅନ୍ଧାରୁଆ ନଈ ପଠା ଉପରେ ସୋରିଷ ଫୁଲ ବିଞ୍ଚି ଚାଲିଗଲା । ସେଇ କିମ୍‌-ଭୂତ । ଘନ ରାତିରେ ମୁହୂର୍ତ୍ତେ ଜହ୍ନ ଆଲୁଅ ଖେଳିଗଲା, ଆକାଶର ବଉଦଗୁଡ଼ାକ ଦୋହଲି ଗଡ଼ିଗଲେ । ସକାଳ ହେଲା ବୋଲି କାଉ ଆଖି ମିଟିମିଟି କରି ଡାକିଲା ‘‘କାଆ କାଆ’’-ସେଇ କିମ୍‌-ଭୂତର ଉଦ୍‌ବୋଧନ ।

 

କଳାର ସୁଅ ଯେବେ ଶଇଥିଳା ପଡ଼େ, ଅନୁହତି ଆଶ୍ଚର୍ଯ୍ୟର ଚମକ ଘେନି ନୂଆ ସୁଅ ଆସେ । ପହିଲେ ଲୋକେ ଭାବନ୍ତି କିମ୍‌-ଭୂତ । ତହୁଁ ଆରେଇ ଯାଏ । ସେଇ ହୁଏ ନୂଆ କଳା, ସେଇ ଶିଳ୍ପୀ ହୁଏ ନୂଆ ଯୁଗର ଶିଳ୍ପୀ; କିନ୍ତୁ ବନ୍ଧାଗତର ମୋହ ତୁଟୁ ତୁଟୁ ବେଳ ଯାଏ । ଯେତେବେଳକୁ ତୁଟେ, ସେତେବେଳକୁ ଶିଳ୍ପୀର ହାଡ଼ କଙ୍କାଳ ଉପରେ ମାଟି ଜମିବଣି, ଘାସ ଉଠିବଣି, କଣ୍ଟାଅଗରା ଫୁଲ ଝଡ଼ିବଣି । ଶିଳ୍ପୀ ତା’ର କର୍ତ୍ତବ୍ୟ କରିଛି, ଅସୀମର ପ୍ରେରଣାକୁ ପ୍ରକାଶ କରିଛି । ସେଇ ତା’ର ଶେଷ କଥା । ତା ପରେ ସତ ଯଦି ସେ ବଞ୍ଚିଥିବ, ଦିନେ ନା ଦିନେ ଅତୀତର ମାଟି ମୁରୁଚା ଭିତରୁ ନିଶ୍ଚୟ ସେ ଚିକ୍ ଚିକ୍‌ ହୋଇ ଆଖି ଝଲସିବ ।

 

ଯାହାର କିଛି ନୂଆ କଥା କହିବାକୁ ଅଛି, ସେ ହେବ କିମ୍-ଭୂତ । ଯେକୌଣସି କଥା ବିଶେଷ କରି ଝୁଙ୍କି ଧରିବସିବ, ସେ ହେବ କିମ୍-ଭୂତ । ଯେତେ ବିଶେଷ, ସମସ୍ତେ କିମ୍-ଭୂତ । ସେମାନେ ଗୋଟାଏ ଖିଅ ଧରନ୍ତି, ମୋଟାମୋଟି ଗୋଳିଆମିଶାର ‘‘ପୂର୍ଣ୍ଣିତା’’କୁ ଯାକି ଧରିଥାନ୍ତି ।

 

କିନ୍ତୁ ଉଞ୍ଚକୁ ନ ଉଠିଲେ କିଛି ଫଳ ନାହିଁ । ଉଞ୍ଚକୁ ଉଠିବାକୁ ହେଲେ ଗୋଟିଏ ଖିଅ ଧରିବାକୁ ହେବ । ସବୁ ଖିଅକୁ ମଣିଷର ଶକ୍ତି ନାହିଁ । ଗୋଟାକୁ ଭଲ କରି ଟାଣିପାରିଲେ ସବୁ ଆପେ ଆପେ ଆସିବ । ‘ସବୁ’ କୁ ମେଞ୍ଚା କରି ଧରିବାକୁ ଚେଷ୍ଟା କଲେ କିଛି ଫଳ ହେବ ନାହିଁ ।

 

ଅତଏବ ଶିଳ୍ପୀ ଦୁନିଆର ସୁନେଲି ବାଡ଼ ଭାଙ୍ଗି ପଦାକୁ ଯାଏ । ସେଥିପାଇଁ କେତେ କଥା ଶୁଣିବାକୁ ହୁଏ; କିନ୍ତୁ ତହିଁକି ଛଳ ନାହିଁ । ବାଡ଼ ଭାଙ୍ଗିବାକୁ ଲାଗେ ଧ୍ଵଂସର ଶକ୍ତି, କିନ୍ତୁ କିମ୍‌-ଭୂତ ଧ୍ୱଂସକୁ ଧରି ନେଇଛି ସାଧାରଣ କଥା ବୋଲି । ଧ୍ୱଂସ ନ କଲେ, ପୁରୁଣା ନ ଭାଙ୍ଗିଲେ ନୂଆ ଗଢ଼ା ହେବ କିପରି ?

 

କିମ୍‌-ଭୂତର ଚମକର କାରଣ କେତେ ଅଂଶରେ ଧ୍ୱଂସର ଚମକ । ଧ୍ଵଂସ ଯାହାର ଇଙ୍ଗିତ ନୂଆ ସୃଷ୍ଟିର ସୂଚନା, ନୂଆଉପାୟର, ନୂଆଦେଖିବା ଧରଣର, ନୂଆ ପ୍ରକାଶର । ପୁରୁଣାକୁ ଭାଙ୍ଗି ନୂଆ ପାଇଁ ଜାଗା କରିବା, ଏଇ ତ ଦୁନିଆର ନିୟମ । ଦୁନିଆର ଗତି ଚାଲିଛି ନୂଆରୁ ନୂଆକୁ । ତେଣୁ ଗତି ଭିତରେ ଆଗୁସାର ହୋଇ ଚାଲିଛି କିମ୍‌-ଭୂତ, ସାଧାରଣ ଦେଖାର ତଳେ ତଳେ । ଦୁନିଆର ଭଉଁରୀରେ ପଡ଼ି ଭାବି ହୁଏ ନାହିଁ, ଅବସର ନାହିଁ । ଆଉ ଯେତେବେଳେ ଭିତରର କିମ୍-ଭୂତ ବାହାରର ମୋଟା ପ୍ରକାଶରେ ପ୍ରକାଶ ପାଇ ନିତିଦିନିଆ ଦେଖା ଆଗରେ ଠିଆ ହୁଏ, ସେତେ ବେଳେ ମଣିଷ ପରତେ ଯାଏ ନାହିଁ । ପରତେ ଯିବାକୁ ମନ ଭିତରେ ଟଣା ଓଟରା ଲାଗେ, କାରଣ ବାହାରର ଶାନ୍ତ ସ୍ଥିର ସମତୁଲ ସଂସାର ଭିତରେ କିମ୍-ଭୂତ ଲାଗେ ଅଚିହ୍ନା ବିଦେଶୀ ପରି । କିମ୍‌-ଭୂତକୁ ମାନିନେଲେ ନିଜର ଏତେ ଦିନର ଜୀବନର ନୀତିକୁ ତା ସାଙ୍ଗେ ଖାପ ଖୁଆଯାଇ ପାରିବ ନାହିଁ ।

 

କିନ୍ତୁ କିମ୍‌-ଭୂତକୁ କ’ଣ ହତାଦର କରି ହେବ ?

 

କିମ୍‌-ଭୂତର ଗୁଣ ପ୍ରାଚୀନ ଭାରତ ବୁଝିଥିଲା, ତେଣୁ କିମ୍‌-ଭୂତର ଶେଷ ଆଦର୍ଶ ମହାଦେବ-କିମ୍-ଭୂତର ଶ୍ରେଷ୍ଠ ସଙ୍କେତ । ଶିଳ୍ପୀ ବୁଝିଥିଲେ, ତେଣୁ ଯେଉଁ କିମ-ଭୂତ–

 

‘‘ବପୁର୍ବିରୁପାକ୍ଷମଲକ୍ଷ୍ୟଜନ୍ମତା

ଦିଗମ୍ବରତ୍ଵେନ ନିବେଦିତଂ ବସୁ’’

 

ସେଇ ହେଲେ ଶାଶ୍ଵତ ଯୁବକର ଅବତାର । ସେଇ ପାଉଁଶବୋଳା ଦେହ, ସେଇ ବୁଢ଼ା ଷଣ୍ଢଚଢ଼ା ମଶାଣି-ବୁଲା ବାବାଜି, ତାଙ୍କରି ସାପ-ଲହ ଲହ ହାତରେ ସମର୍ପି ଦେଲେ ଶିରୀଷ ଫୁଲର ରାଜକୁମାରୀ । ମଶାଣି-ଚିତା ପାଉଁଶ-ହାଡ଼ ଦିଶୁଛି ଚିକ୍‌ ଚିକ୍, ଖଣ୍ଡିଆ ଭୂତ ଭଉଁରୀ ଖେଳୁଛି, ମଲା ମଣିଷର ମେଞ୍ଚା ମେଞ୍ଚା ଅଲଗା ବାଳ ଘେନି ଯେତେ ଅମଙ୍ଗଳ, ସବୁ ପୂରି ରହିଛି । ତଥାପି ଯୁଗ ଯୁଗର ଅମଙ୍ଗଳକୁ ପାର କରି ମଙ୍ଗଳ କରିଛି ସେ, କଣ୍ଠରେ ଧରିଛି ଯୁଗ ଯୁଗର ହଳାହଳ । ପ୍ରଳୟ ଭିତରେ ଯେପରି ତା’ର ଜନ୍ମ, ବନ୍ଧାଗତର ସବୁ ସୁନେଲି ବାଡ଼ ସେପାଖେ । କିନ୍ତୁ ତା’ର ପ୍ରଳୟର ଝଡ଼ ଖାଲି ପ୍ରଳୟ ପାଇଁ ନୁହେଁ, ସେ ପ୍ରଳୟ ଉଦ୍ଦେଶ୍ୟ ରହିଛି ଆଗକୁ । ମରଣକୁ ଜିତିଛି, ଅନ୍ଧାରକୁ ଜିତିଛି, କିମ୍-ଭୂତ ପ୍ରକଟର ଉଦ୍ଦେଶ୍ୟ ରହିଛି ଆଲୁଅରେ, ତେଜରେ–

 

‘‘ଅକିଞ୍ଚନଃ ସନ୍‌ ପ୍ରଭବଃ ସ ସମ୍ପଦାଂ

ତ୍ରିଲୋକନାଥଃ ପିତୃସଦ୍ମଗୋଚରଃ

ସ ଭୀମରୂପଃ ଶିବ ଇତ୍ୟୁଦୀର୍ଯ୍ୟତେ’’

 

ଆଲୁଅ-ବାଟର ବାଟୋଇ, ଅନ୍ଧାର ଯାହାର ଉଦ୍ଦେଶ୍ୟ ପାଇଁ ଉପାୟ, ପ୍ରଳୟ ଯାହାର ସୃଷ୍ଟି ପାଇଁ ଅସ୍ତ୍ର, ଅମଙ୍ଗଳ ଯାହାର ମଙ୍ଗଳ ପାଇଁ ସୂଚନା, ଭୟ ନାହିଁ, ଧ୍ଵଂସର ଅରଣା ଦଳ ତା’ର ଖେଳ ସାମଗ୍ରୀ । ଶାଶ୍ଵତ ଯୁବକର ଅବତାର ଯେ-ପ୍ରଳୟ କରେ, ପୁଣି ପ୍ରଳୟ ପରେ ସର୍ଜନ କରେ, ଯାହାର ନାହିଁ ଅଜ୍ଞାନ ଶିଶୁର ଉଦ୍ଦେଶ୍ୟ-ହୀନ ଅସ୍ଥିରତା ବା ଶିଥିଳ ବୁଢ଼ାର ଆପଣା-ଭୁଲ ମାନ୍ଦା ହସ, ଦୁର୍ବଳ ସନ୍ତୋଷ, ଯେଉଁ ସନ୍ତୋଷ ମରଣକୁ ଆଦରି ନିଏ ଚଳନ୍ତି ପ୍ରଥାର ସୁନା ଶିଙ୍କୁଳୀ ପରି; ସେଇ ଭୀମ, ପୁଣି ସେଇ ଶିବ, ସେଇ କିମ୍-ଭୂତ-ଯାହାର ଆସ୍ଥାନ ରୂପେଲି କୈଳାସର ଡେଙ୍ଗ, ଦେବଦାରୁ ତଳ ବେଦିରେ, ପୁଣି ଅଙ୍ଗାର ପାଉଁଶ, କୋକେଇ ହାଣ୍ଡି ହାଡ଼ବାଳର ଖାଲ ଢିପ ମଶାଣି ଭୂଇଁରେ ।

Image

 

ଗଣ-ସାହିତ୍ୟ

 

ପ୍ରତିଯୁଗରେ ମଣିଷ ଗଢ଼ି ଗଢ଼ି ଗଲାବେଳେ ହଠାତ୍‌ ବେଳେ ବେଳେ ଭାବିଥାଏ, ଗଢ଼ୁ ଗଢ଼ୁ ସେ ବାଡ଼ ପକାଇ ନିଜର ଭାଇକୁ ପଦାରେ ଫୋପାଡ଼ି ଦେଇ ଆସୁନାହିଁ ତ ? ଏଣେ ସୁନ୍ଦର ସଉଧ ଆକାଶକୁ ମଥା ତୋଳିଲାଣି, ନିଜର ସବୁ କବିତା ଫୁଟିଲାଣି ତହିଁରେ, ତଥାପି ମନ ଭିତରେ ଖୁଞ୍ଚାମାରେ, ପାଚେରି ଯେପରି ହେଲା ଭାରି ଉଞ୍ଚ, ପଦାରୁ କେହି ଏ ସୁନ୍ଦରିମାର କାଣିଚାଏ ପାଇବେ ନାହିଁ, କାହାରି ଛାଇ ପଡ଼ିପାରିବ ନାହିଁ ଏହା ଭିତରେ, ପାଚେରି ହେଲାଣି ଭାରି ଉଞ୍ଚ ।

 

ଏଇ ସୁନ୍ଦରିମାର ସ୍ତୂପ ହେବ ଶିଳ୍ପୀର ନିଜର କବର, ଶିଳ୍ପୀ ଭାବେ । ମନ ଭିତରେ ତୋଫାନ ଉଠେ । ପୁଣି ପାଚେରି ହେଉଛି ଏ ଗଠନର ଗୋଟାଏ ଅଂଶ । ଏ ଅଛୁଆଁ ଗୋଦାମରା ସୌଧ ହେଉଛି କଳାର ନିଜର ଗଠନ ।

 

ପ୍ରତିଯୁଗରେ ଲେଖକ ଭାବନ୍ତି, ସେମାନେ ନିଜର ପଣ୍ଡିତପଣିଆରେ ନିଜେ ରହିଲେ ବନ୍ଧା । ସେମାନଙ୍କର ଲେଖା ଦେଶର ଦଶଜଣଙ୍କୁ ଛୁଇଁ ପାରିଲା ନାହିଁ ।

 

ବୃଥା-ବୃଥା-ବୃଥା ! ଏ କଳା ଶୁନ୍‌ଶାନ୍‌, ପୃଥିବୀ ସହିତ ଦୁନିଆର ଆଉ ଆଉ ଦଶଜଣଙ୍କ ସହିତ ଏହାର ସମ୍ବନ୍ଧ ରହିଲା ନାହିଁ । ଚେଇଁଉଠି ଲୋକେ ନୂଆ ଲେଖା ଲେଖନ୍ତି । କ୍ରମେ ସେଇଟା ନିଜେ ହୁଏ ବନ୍ଧାଗତ, ନିଜେ ଲାଗେ ଖାଁ ଖାଁ ନିଛାଟିଆ ମଲା ପାହାଡ଼ ପରି; ପୁଣି ନୂଆ ଧରଣକୁ ଲୋକେ ମନ ବଳାନ୍ତି ।

 

ବିଲାତରେ ଷୋଡ଼ଶ ଶତାବ୍ଦୀରେ ଲୋକେ ନାଲିସ ଛାପିଲେ, ସମସ୍ତେ ଖାଲି ଇଟାଲୀ ଫରାସୀ ଜିତି ଚାଲିଛନ୍ତି । ଦେଶକୁ କେହି ପଚାରୁ ନାହାନ୍ତି । ପୁଣି ୧୮ଶ ଶତାବ୍ଦୀ ମଝାମଝି ଲୋକେ, ଆମ ଲେଖା ସବୁ ହୋଇଗଲା ଅତି ନିର୍ଜୀବ ବନ୍ଧାଗତର, ଯହିଁରେ ଖାଲି ଦେଶର ବଡ଼ଲୋକଙ୍କ କୃତ୍ରିମ ଜୀବନ ରହିଲା କବର ପାଇଁ । ତହୁଁ ରୋମାଣ୍ଟିସିଷ୍ଟ କବିମାନେ ମଣିଷର ମୂଳଗୁଣ ଖୋଜି ବୁଲିଲେ । ମି୍‌ଲଟନଙ୍କ ବିଦ୍ରୋହୀ ସଇତାନ ପରି ଛିଡ଼ା ହେଲେ ସେଲିଙ୍କ ପ୍ରମିଥିଉସ୍‌, କୀଟ୍‌ସଙ୍କ ହୋଇପେରିଆନ୍‌ ବାଇରନ୍‌ଙ୍କ କେନ୍‌ । ମଣିଷର ସାହିତ୍ୟ, ମଣିଷର ମୁଳଗୁଣ, ମଣିଷର ମୂଳ ଅନୁଭୂତିରେ ସେହିପରି କବି ଉଆଡ଼ସବର୍ଥଙ୍କ ‘‘ଗାଉଁଲୀ କବିତା’’ ଉଛୁଳି ଉଠିଲା । ଭିକ୍‌ଟୋରିଆନ୍‌ ଯୁଗର ଆତ୍ମ-ପ୍ରସାଦ ବିରୁଦ୍ଧରେ ଠିଆ ହେଲା, ବ୍ରାଉନିଂଙ୍କ ମଣିଷ ଚିଆଁ କବିତା । ଶେଷରେ ଆସିଲା ପୁଣି ରୁସ୍‌ ଦେଶର ମଜ୍‌ଦୂରବାଦର ବଜ୍ରବାଣ । ସେ ବିବାଦ ଏଣିକି ଏଣିକି ଆହୁରି ତୀବ୍ର ହୋଇଉଠିଲା । ତା’ର କାରଣ କଳକାରଖାନା ବଢ଼ିବା ସହିତ ସୁଖୀ ଆଉ ଦୁଃଖୀ, ଥିଲାବାଲା ଆଉ ନ ଥିଲାବାଲା, ଧନୀ ଗରିବ ଏମାନଙ୍କ ଭିତରେ ଭେଦ ବେଶୀ ବଢ଼ିଗଲା-। ଅକର୍ମା ସମସ୍ୟା ବୈଜ୍ଞାନିକ ଆମଦାନୀର ସମସ୍ୟା ଓ ହଜାର ହଜାର ନୂଆ ସମସ୍ୟା ଗରିବଙ୍କୁ ଆହୁରି ପଦାରେ ପକାଇଲା । ସଙ୍ଗେ ସଙ୍ଗେ ଯେଉଁ ମଳିମୁଣ୍ଡିଆଲୋକେ ଚିରଦିନ ମୁହଁରେ ତୁଣ୍ଡି ବାନ୍ଧିବାକୁ ବାଧ୍ୟ ହେଉଥିଲେ, ସେମାନେ ଭିତରେ କୋଳାହଳକୁ ପଦାରେ ଚିତ୍କାର କରି ତେଲମୁଣ୍ଡିଆଙ୍କ ଉପରେ ଫୋପାଡ଼ିବାକୁ ସୁବିଧା ପାଇଲେ ।

 

ଏ କ୍ରମିକ ଗତରୁ ଦେଖିପାରୁଥାଇଁ ଯେ, ଊଣା ଅଧିକେ ସବୁ ଯୁଗରେ ଖିଆଲ ଆସିଛି, ‘‘ଆମ ସାହିତ୍ୟ ମଣିଷଙ୍କଠାରୁ ଅଲଗା ହୋଇଗଲା କି ?’’ ଏହା ଫଳରେ ଯେଉଁ ପ୍ରତିକ୍ରିୟା ହୋଇଛି, ସେ ଆମ ସାହିତ୍ୟକୁ ବରାବର କୃତ୍ରିମ ଆଉ ଫାଙ୍କିମରା ବୋଲି କହି ଆସିଛି । କହି ଆସିଛି ଯେ, ଆଗର ସାହିତ୍ୟ ଖାଲି ଜୀବନର ସତ କଥାକୁ ଡରି ତାକୁ ମୁହାଁମୁହିଁ ନ ଭେଟି ଜୀବନକୁ ଫାଙ୍କିମାରି କୃତ୍ରିମ ମଉଜରେ ମାତିଛି, ‘‘ମନେ ମନେ କାଣୀ ପିଠା ଖାଉଛି ।’’ ଆଉ ସେ ପ୍ରତିକ୍ରିୟା ସବୁ ଯୁଗରେ ଊଣାଅଧିକେ ଆଣିଛି ବାସ୍ତବବାଦ ଓ ମନୁଷ୍ୟ ପ୍ରତି ସହାନୁଭୂତି । ପୂର୍ବବର୍ତ୍ତୀ କାଳ ଆଡ଼କୁ ଆଖି ରଖିଲେ ବେନ୍‌ ଜନଶନ୍‌ ଓ ଉଆଡ଼ସବର୍ଥ ବାସ୍ତବବାଦୀ । ଏ ଯୁଗର ଏଡ଼ିଥ ସିଟ୍‌ବେଲ, କହନ୍ତି ଯେ, “ଏ ଯୁଗର ଉଡ଼ାଜାହାଜ ଥାଉ ଥାଉ ପୁରୁଣା ସିଡ଼ାନ ଚେୟାର କଥାରେ କାହିଁକି ମାତିବା”—ସେ ମଧ୍ୟ ବାସ୍ତବବାଦୀ । ଅବଶ୍ୟ ମନେ ରଖିବାକୁ ହେବ, ବାସ୍ତବବାଦର ମଧ୍ୟ କୌଣସି ସ୍ଥିତିବାନ୍‌ ସ୍ୱରୂପ ନାହିଁ ।

 

ଆଜିକାଲି ଓଡ଼ିଶାରେ “ଗଣ-ସାହିତ୍ୟ” ଘେନି ଅନେକେ ଚିନ୍ତା କରୁଛନ୍ତି । ଅନେକେ ଚେଷ୍ଟା କରୁଛନ୍ତି, ସାହିତ୍ୟ କିପରି ଦେଶର ଦଶ ଜଣଙ୍କ ମନକୁ ଛୁଇଁ ପାରିବ । ତେବେ ଏ ତ ନୂଆ ନୁହେଁ । ସବୁ ଯୁଗରେ ଲେଖାଳୀ ଯେତେବେଳେ ଲେଖେ, ସେତେବେଳେ ଅନେକ ସମୟରେ ସେ ଉଦ୍ଦେଶ୍ୟ ପାଞ୍ଚିଥାଏ, ତା’ର ଲେଖା କେମିତି ଦଶ ଜଣ ପଢ଼ନ୍ତେ, କେମିତି ଦଶ ଜଣଙ୍କ ମନକୁ ପାଆନ୍ତା । ତେବେ ଏ “ଗଣ-ସାହିତ୍ୟ” ପ୍ରତି ବିଶେଷ ପୁଷ୍ପାଞ୍ଜଳିର ହେତୁ କଅଣ ? ତା’ର ହେତୁ ହେଉଛି ଏହି ଯେ, ଆଜି କାଲି ସାରା ପୃଥିବୀରେ ସବୁଠି ଖାଲି ‘ମାସ୍, ମାସ୍‌’ ଚହଳ ପଡ଼ିଛି ଓ ତା’ର ପ୍ରଭାବ ଅନେକ ଉପାୟରେ ପଡ଼ିଛି ସାହିତ୍ୟ ଉପରେ । ୧୯୧୪ ସାଲର ଯୁଦ୍ଧ ସବୁ ପୂର୍ବର ବନ୍ଧାଗତ ଭାଙ୍ଗି ଦେଇଗଲା । ଏପରି ପରିବର୍ତ୍ତନ ଆଣିଲା ଯେ, କୁହା ନ ଯାଏ । ଗୋଟିଏ ନୂଆ ଦଳ ମୁଣ୍ଡ ଟେକିଲେ–‘ମଜଦୁର ଦଳ’, ଯେଉଁମାନେ କି କାଳକାଳକେ ମନ କଥା ମନରେ ମାରି ପଡ଼ିଥିଲେ । ଏଇ ‘mass’ ଭିତରେ ଚହଳ, ପୁଣି ବନ୍ଧାଗତ ଭାଙ୍ଗି ନୂଆ ଗତ ଗଢ଼ିବାର ଅନୁଶୀଳନ, ଏଇ ଦୁଇ କଥାର ଫଳ Mass Literature.

 

କିନ୍ତୁ ‘ଗଣ-ସାହିତ୍ୟ’ କଥା ଭାବିବା ପୂର୍ବରୁ ଦେଖିବା ଦରକାର, ଇଂରେଜିର ଏ ‘mass’ କଥାଟିର ଅର୍ଥ କଅଣ ? ୟାର ଅର୍ଥ କିଛି ନୁହେଁ ପୁଣି ୟାର ଅର୍ଥ ସବୁ । ଯେପରି ବହୁରୂପୀ ଏଣ୍ଡୁଅ ସ୍ଥାନର ରଙ୍ଗ ଅନୁସାରେ ଦେହର ରଙ୍ଗ ବଦଳାଏ (ରସ୍କିନ୍‌ଙ୍କ କଥାରେ), ସେହିପରି ଏ ମାସ୍‌ ଶବ୍ଦଟି ଭିନ୍ନ ଭିନ୍ନ ପୁରୋଧାଙ୍କର ଭିନ୍ନ ଭିନ୍ନ ମତ ଅନୁସାରେ ନିଜର ମତ ବଦଳାଏ । ତେଣୁ ସାହିତ୍ୟକମାନେ ‘ଗଣ-ସାହିତ୍ୟ’ ବୋଇଲେ ‘ସାହିତ୍ୟ’ ବୁଝନ୍ତି । ନୋହିଲେ ‘ଗଣ’ ବିଷୟରେ ନିଜ ନିଜର ହାତଗଢ଼ା ଆଦର୍ଶଦ୍ଵାରା ସଂଜ୍ଞା ସ୍ଥିର କରି ଗଣ-ସାହିତ୍ୟର ପ୍ରକୃତ ରୂପ ବିଷୟରେ ଅଛିଣ୍ଡା କଜିଆ ଆରମ୍ଭ କରନ୍ତି । ଇଂରେଜିର ‘mass’କୁ ଓଡ଼ିଆରେ ‘ଗଣ’ ବୋଲି ଅନୁବାଦ କଲେ ଅନେକ ଚଳନ୍ତି ଅର୍ଥ ଦର୍ଶାଯାଇପାରେ । ଯଥା–

 

୧.

‘ଗଣ’ ବୋଇଲେ ସଭ୍ୟଗଣ । ଓଡ଼ିଆରେ ‘ସୁଜ୍ଞଜନେ’, ଯେଉଁମାନେ ‘ଚିହ୍ନରା ଗ୍ରାହକ’, ସାହିତ୍ୟର ରସ ଘେନି ପାରିବେ, ଚଲାକ ଲେଖାଳିମାନେ ସେହିମାନଙ୍କୁ ଉଦ୍ଦେଶ୍ୟ କରି ଲେଖୁଥିଲେ ।

 

 

୨.

‘ଗଣ’ ବୋଲନ୍ତେ ତଳସ୍ତରର ଅଶିକ୍ଷିତ ଲୋକେ । ଯେଉଁମାନେ ବିଦ୍ୟା ଧାପକୁ ଆସିନାହାନ୍ତି, ପୁଣି ଯେଉଁମାନଙ୍କ ରୁଚି ‘ମାର୍ଜିତ’ ନୁହେଁ । ଯେଉଁ ପଣ୍ଡିତମାନେ କହନ୍ତି ଯେ, ‘ବୈଷ୍ଣବ ପାଣି’ ପ୍ରମୁଖ କବିମାନଙ୍କର ଶିଳ୍ପ ହେଉଛି ପ୍ରକୃତ ‘ଗଣ-ସାହିତ୍ୟ’, ସେମାନେ ‘ଗଣ’ କୁ ଏହି ଅର୍ଥରେ ଘେନନ୍ତି ।

 

 

୩.

‘ଗଣ’ ବୋଲନ୍ତେ ଚାଷୀ ଭାଇମାନେ । ଉଆଡ଼୍‌ସଉଆର୍ଥ ଏହି ‘ଗଣ’ଙ୍କ ପାଇଁ ସାହିତ୍ୟକୁ ନୂଆ ଛାଞ୍ଚରେ ଢାଳିଥିଲେ ।

 

 

୪.

‘ଗଣ’ ବୋଲନ୍ତେ ‘ମଜଦୁର ଭାଇ’ । ରୁଷିଆ ଦେଶର ସାହିତ୍ୟ ହେଉଛି ଅଧିକାଂଶରେ ମଜଦୁର ସାହିତ୍ୟ । ସେଠି ‘ଗଣ’ ବୋଲନ୍ତେ ପୁଞ୍ଜିବାଦୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ । ଅତଏବ ଅଶିକ୍ଷିତ (କୁଲାକ୍‌) ବା ଜମିବାଲା ଚାଷୀ ଭାଇ ହେଲେ ସୁଦ୍ଧା ସେ ଏ ‘ଗଣ’ ଅର୍ଥରେ ଯିବ ନାହିଁ ।

 

 

୫.

‘ଗଣ’ ବୋଲନ୍ତେ ‘ଅତ୍ୟାଚାରିତ ମଣିଷ ଭାଇ’ । ସେହି ମଳିମୁଣ୍ଡିଆ, ଯାହା ଉପରେ କାଣିବିରାଡ଼ି ସୁଦ୍ଧା ତୋଡ଼ କରିଆସିଛି । ମିଲ୍‌ଟନଙ୍କ ସଇତାନ୍‌, ଶେଲିଙ୍କର ସବୁ ବିଦ୍ରୋହୀ ବୀର ଏହି ଗଣ ପାଇଁ ଲଢ଼ିଛନ୍ତି ।

 

 

୬.

‘ଗଣ’ ବୋଲନ୍ତେ ଗରିବ ଲୋକେ ।

 

 

୭.

‘ଗଣ’ ବୋଲନ୍ତେ ଦେଶର ସମସ୍ତେ, ଯେଉଁମାନେ ‘ନାମଜାଦା’ ନୁହନ୍ତି । କବି ମେଜ୍‌ଫିଲଡ଼ ଏହିମାନଙ୍କ ଉଦ୍ଦେଶ୍ୟରେ କଲମ ଧରିଛନ୍ତି ବୋଲି କହନ୍ତି ।

 

 

୮.

‘ଗଣ’ ମାନେ ଦେଶବାସୀ । ଅତଏବ ଭିନ୍ନ ଭିନ୍ନ ଦେଶରେ ଏ ଗଣମାନଙ୍କର ଧରଣ ଭିନ୍ନ ଭିନ୍ନ । ହିଟଲର ଦେଶରେ ଏ ‘ଗଣ’ ହେଉଛନ୍ତି ନାଜୀ, ରୁଷ ଦେଶରେ ଏମାନେ ସାମ୍ୟବାଦୀ, ସ୍ପେନ ଦେଶରେ ପୁଣି ଏ ଦୁଇ ଦଫା ‘ଗଣ’ଙ୍କ ଭିତରେ ଲାଗିଛି ହଣାକଟା ଲଢ଼େଇ । ‘ଗଣ’ ବୋଲନ୍ତେ ‘ମଣିଷ ଭାଇ’, ଯାହାର ମୁଣ୍ଡ ଉପରେ ଆକାଶ, ଗୋଡ଼ତଳେ ଭୁଇଁ ।

 

ଅତଏବ ‘ଗଣ’ ସାହିତ୍ୟର ଏତେଗୁଡ଼ିଏ ଅର୍ଥ ଥାଉଁ ଥାଉଁ ଆମେ କେଉଁ ଅର୍ଥରେ ଏହାକୁ ବ୍ୟବହାର କରି ଚଳାଇବା ? ମଜଦୁର ‘ଗଣ’ଙ୍କ ସାହିତ୍ୟ ଲେଖିଲେ ତାହା ତ ଚାଷୀ ଭାଇ ‘ଗଣ’ଙ୍କ ସାହିତ୍ୟ ହେବ ନାହିଁ । ସାମ୍ୟବାଦୀ ‘ଗଣ’ଙ୍କ ସାହିତ୍ୟ ପୁଣି ଫାସିଷ୍ଟ ‘ଗଣ’ଙ୍କ ସାହିତ୍ୟ ଭିତରେ ବା କି ସନ୍ଧି ରହିବ ? ପୁଣି ଅପାଠୁଆ ‘ଗଣ’ଙ୍କ ସାହିତ୍ୟ ସୁଜ୍ଞଜନ ‘ଗଣ’ ଙ୍କୁ ଲାଗିବ ଅଡ଼ୁଆ । ଇଉରୋପୀୟ ‘ଗଣ’ଙ୍କ କଥା ଲେଖିଲେ ଭାରତୀୟ ‘ଗଣ’ଙ୍କୁ ସେ ଲାଗିବ ବଡ଼ଲୋକୀ କଥା ପରି । ପୁଣି ମଫସଲର ‘ଗଣ’ ଙ୍କ ସାହିତ୍ୟ ଲେଖିଲେ ସହର ତଳିର Slumsରେ ଥିବା ‘ଗଣ’ ଙ୍କ ସାହିତ୍ୟ ତାହା ହେବ ନାହିଁ ।

 

ଏତେ ଅଡ଼ୁଆର କାରଣ ହେଉଛି, ଆମେ ‘ଗଣ’ ଏ କଥାଟି ମନର ଧାରଣାର ସଂକୀର୍ଣ୍ଣତାରେ ଅତି ସଂକୀର୍ଣ୍ଣ ଅର୍ଥ କରୁଥାଇଁ । ‘ଗଣ’ କହିଲେ ବୁଝାଏ ମଣିଷଙ୍କ ସମଷ୍ଟି । ସାହିତ୍ୟକୁ ମଣିଷର ସାହିତ୍ୟ କରି ଛାଡ଼ିଦେବା । ହଜାରେ ‘ବାଦ’ର ପାଳି ନ ଧରାଇ, ହଜାରେ ମତର ପ୍ରଚାର କାର୍ଯ୍ୟର ବ୍ୟାଣ୍ଡବାଜା ନ ବଜାଇ, ଆଜି ଇତିହାସ, କାଲି ଅର୍ଥଶାସ୍ତ୍ର, ପହରି ଦିନ ବିଜ୍ଞାନ, ଏତେ ସମସ୍ୟାର ପହରିକିଆ ପହରାବାଲା ନ କରି ସାହିତ୍ୟକୁ ତା’ର ହକ୍‌ ଦାବୀ ସ୍ଵାଧୀନ ବାଟରେ ଗତି କରିବାକୁ ଛାଡ଼ିଦେବା । ଯଦି ସାହିତ୍ୟରେ ଉନ୍ନତ ହୁଏ ତେବେ ବଳେ ସେ ମଣିଷର ମୂଳ ଗୁଣକୁ ପ୍ରକାଶିବ, ବଳେ ସେ ମଣିଷର ସ୍ୱରୂପ ପ୍ରଚାର କରିବ, ଆଉ କୌଣସି ବନ୍ଧନ ନ ମାନି ଢେଉ ଉଠାଇବ ଦୁନିଆର ସବୁ ମଣିଷଙ୍କ ହୃଦୟରେ । କାରଣ ଉଞ୍ଚ ସାହିତ୍ୟର ଏ ହେଉଛି କାର୍ଯ୍ୟ-। ଉଞ୍ଚ ସାହିତ୍ୟ ଆପେ ଆପେ ଶୁଦ୍ଧ ଗଣ ସାହିତ୍ୟ । ଆମର ‘ଗଣ’ କହିଲେ ବୁଝାଏ, ନିତି ଯୁଗର ସେହି ଚିରନ୍ତନ ମଣିଷ, ଯେ ଗୋଟିଏ ମେରୁଠାରୁ ଆର ମେରୁଯାକେ ଆଦୌ ବଦଳି ନାହିଁ, ଯାହାର ଏ ଅବହଳା ମୂଳ ଗୁଣ ଯୁଗେ ଯୁଗେ ଗଡ଼ିଆସିଛି । ତା’ର କୌଣସି କୃତ୍ରିମ ଆବରଣ ନାହିଁ-। ତାର ସ୍ୱରୂପ ପ୍ରକାଶ ଲାଗି ଲୋଡ଼ା ନୁହେଁ କୌଣସି ବନ୍ଧାଗତର ମଣିଷଗଢ଼ା ଆଇନ । ପୃଥିବୀର ଅଧିକାଂଶ ଯେଉଁ ସାଧାରଣ ଲୋକ, ଯେଉଁମାନଙ୍କର ଜନ୍ମର ଦାବୀ ହେଉଛି ସବୁ ଦିଗରେ ସ୍ଵାଧୀନତା, ଧ୍ଵଂସର ସହାୟକ ହେଲେ ବି ସ୍ଵାଧୀନତା, ଯେଉଁମାନେ ‘ନାମଜାଦା’ ନୁହଁନ୍ତି, କିନ୍ତୁ ‘ଆଗୁସାର’ ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ, ଯେଉଁମାନେ ରାଜା ମହାରାଜା ନୁହଁନ୍ତି; କିନ୍ତୁ ଯାହାଙ୍କର ମୂଳଗୁଣ ରାଜା ମହାରାଜାଙ୍କ ମୂଳଗୁଣଠାରୁ ଫରକ ନୁହେଁ; ଯେଉଁମାନଙ୍କର ହିତାହିତ ଜ୍ଞାନ ଅଛି ଓ ସାଧାରଣ ଶିକ୍ଷା ଅଛି, ଯେଉଁମାନେ ଭଲ ମନ୍ଦର ମିଶାମିଶି ଦେବତା ନୁହନ୍ତି କି ସଇତାନ ନୁହନ୍ତି, ଯେଉଁମାନେ ସ୍ଥାନ କାଳପାତ୍ରର ପ୍ରଭାବରେ ଅଛନ୍ତି; କିନ୍ତୁ ଯାହାଙ୍କର ମୂଳ ମଣିଷ ଗୁଣ ଏସବୁ ପରିବର୍ତ୍ତନଶୀଳ କ୍ରିୟାଶକ୍ତିର ଉପରେ, ସେହିମାନେ ହେଉଛନ୍ତି ଗଣ ସାହିତ୍ୟର ଉପାଦାନ ।

 

ଦୁନିଆରେ ଲୋକେ ନିଜ ନିଜ ମତ ଅନୁସାରେ ଦଳ ଦଳ ଅଲଗା ଅଲଗା mass ଦେଖିପାରନ୍ତି; କିନ୍ତୁ ସବୁ ପାର୍ଥକ୍ୟ ନିଭାଇଦେଲେ ସମସ୍ତେ ସେଇ ଏକ ଜିନିଷ । ତା ଉତ୍ତାରୁ ପ୍ରତ୍ୟେକ ମଣିଷଠିଁ general ଯେତେ ଅଛି, individual ବି କିଛି ଅଛି । ବାହାରର ପାର୍ଥକ୍ୟ ଅଛି ଆକସ୍ମିକତା ଫଳରୁ । ଆଜି ଅଛି କାଲି ନାହିଁ । ନେପୋଲିଅନ୍‌ ବ୍ରିଟିଶ ପ୍ରଜା ହୋଇ ଜନ୍ମ ହୋଇ ପାରିଥାନ୍ତେ; ବୀରେନ୍ଦ୍ର ଶାସମଲ ଓଡ଼ିଶା ଭିତରେ ଜନ୍ମ ହୋଇ ପାରିଥାନ୍ତେ; ନ ହେଲେ ଯାହା ଖାଲି accident— ନୋହିଲେ ମଣିଷ ସମସ୍ତେ । ପାତ୍ରର ଆକାର ଭେଦରେ ଜଳର ଆକାରଭେଦ ହୁଏ । ‘ଗଣ’କୁ ଏପରି ବୁଝି ସେହି ଅନୁସାରେ ଗଣ ସାହିତ୍ୟ ଲେଖିଲେ ସିନା ହେବ; ନୋହିଲେ ନୂଆ ନୂଆ ମତବାଦୀମାନଙ୍କ ମତଲବରେ ପଡ଼ି ସାହିତ୍ୟରେ ଗଣବିଭ୍ରାଟ ଘଟିବ, ହିଟଲର ଦେଶର ଫ୍ୟାସିଷ୍ଟ ଗଣ ସାହିତ୍ୟ ଆଉ ମାର୍କସ ଦେଶର ସାମ୍ୟବାଦୀ ଗଣ ସାହିତ୍ୟ ଭିତରେ ।

 

ଏ ଯୁଗର ସାହିତ୍ୟର ଗୋଟିଏ ଲକ୍ଷଣ, ଏ ଯୁଗରେ ମତବାଦୀମାନେ ମତ ଅନୁସାରେ ସାହିତ୍ୟ ଗଢ଼ୁଛନ୍ତି । ଏପରି ସାହିତ୍ୟକୁ ସେହି ମତ ଅନୁସାରେ ନାଁ ଦେବା ଭଲ । ତାକୁ ଗଣସାହିତ୍ୟ କାହିଁକି କୁହାଯିବ ? ଓଡ଼ିଶାରେ ଆଜିକାଲି ଅନେକ ଯେଉଁ ପ୍ରକାର ଗଣସାହିତ୍ୟ ଚାହୁଁଛନ୍ତି, ତାକୁ ମଜ୍‌ଦୁର-ସାହିତ୍ୟ କହିବା ବରଂ ଭଲ । Class War, ମଜଦୁର୍‌ର ଜାଗରଣ, ପୁଞ୍ଜିବାଦୀ ବିରୁଦ୍ଧରେ ଅଭିଯାନ, ସୁସ୍ଥବାଦ ମଝିରେ ବିଦ୍ରୋହ ପ୍ରଭୃତି ଯେଉଁ ସବୁ ଧାରଣା ଆଜିକାଲି ଘଡ଼ଘଡ଼ି-କବିତା ବିଦ୍ରୋହ କବିତାରେ ମାତିଉଠୁଛି, ସେ ତ ରୁଷ୍‌ ଦେଶର ମଜଦୁର୍‌ ଜାଗରଣର ଢେଉ । ଗଣର ସଂକୀର୍ଣ୍ଣ ଅର୍ଥରେ ତାକୁ ମଜଦୁର୍‌-ଗଣଙ୍କ ସାହିତ୍ୟରେ ପକାଯାଇପାରେ, ଯେଉଁଥିରେ ପଡ଼ିବ ପୁଷ୍କିନ୍‌, ଟ୍ରଟ୍‌ସ୍କି, ଗର୍କି ପ୍ରଭୃତିଙ୍କ ଲେଖା; ଆଉ ଯେଉଁଥିରେ ପୂରା ଖାପିପାରିବ ନାହିଁ ଟଲ୍‌ଷ୍ଟୟଙ୍କ ଲେଖା; କାରଣ ତାହା ଅଧେ ‘ମଜଦୁର୍‌’ ଅଧେ ‘ଚାଷୀଭାଇ’ ସାହିତ୍ୟ । ଏପରି ସାହିତ୍ୟ ସପକ୍ଷରେ ବହୁତ କଥା କୁହାଯାଇପାରେ । ଏହା ଗଣସାହିତ୍ୟ ବୋଲି ଏ ଭୁଲ୍‍ ଧାରଣାରେ ନୁହେଁ—ଏହା ମଣିଷ-ଜାତି ଭିତରୁ କେତେକ ଶ୍ରେଣୀ ଘେନି specialise କରି ସାହିତ୍ୟର ଉତ୍କର୍ଷ କରୁଛି ବୋଲି । କିନ୍ତୁ ଏହାକୁ “ଗଣ-ସାହିତ୍ୟ” କହିବା ଉଚିତ ହେବ ନାହିଁ; କାରଣ ଏହା ମତବାଦର ସାହିତ୍ୟ । ଯଦି ସବୁ ମତବାଦୀ ନିଜର ମତକୁ ପୃଥିବୀଯାକର ମତ ବୋଲି ଭାବି ନିଜ ମତର ସାହିତ୍ୟକୁ “ଗଣ- ସାହିତ୍ୟ” କହନ୍ତି, ତାହାହେଲେ କିପରି ବିଭ୍ରାଟ ହେବ, ତାହା କହିବା ବାହୁଲ୍ୟ । ଯେପରି ଭିନ୍ନ ଭିନ୍ନ ଧର୍ମର ଭକ୍ତମାନେ ଆପଣା ଧର୍ମକୁ ପୃଥିବୀଯାକର ଧର୍ମ କହି “ପ୍ରକୃତ-ଧର୍ମ” ବିଷୟରେ ପ୍ରକୃତରେ କଳହ କରନ୍ତି, ଏହା ହେବ ସେହିପରି । ସାହିତ୍ୟରେ ଅନେକ ମତବାଦ ମିଳେ । କିଏ ପଲ୍ଲୀ ବିଷୟରେ, କିଏ ସହର ବିଷୟରେ, କିଏ ଗରିବ ଲୋକଙ୍କ ବିଷୟରେ, କିଏ ପୁଣି ଧନୀ ଲୋକଙ୍କ ବିଷୟରେ ଲେଖନ୍ତି । ସମସ୍ତେ ତା ହେଲେ କ’ଣ ‘ଗଣ-ସାହିତ୍ୟ’ ଉଦ୍ଦେଶ୍ୟରେ ଲେଖନ୍ତି ?

 

ସଂସାରରେ କୋଟି କୋଟି ଲୋକ । ସମସ୍ତଙ୍କୁ ଆମର ସଂକୀର୍ଣ୍ଣ ମତରେ ବାନ୍ଧି ରଖିବାକୁ ପ୍ରୟାସ କାହିଁକି ?

 

ଗଣ ଅର୍ଥ କୋଳାହଳ କରୁଥିବା ଲୋକ ନୁହେଁ । ଗଣ-ସାହିତ୍ୟ କହିଲେ କୌଣସି ଆଇନ୍‌ରେ ଏପରି ଅର୍ଥ ହେବ ନାହିଁ ଯେ, ତାହା ଅଶିକ୍ଷିତଙ୍କ ସାହିତ୍ୟ । ଯାହାର ଶିକ୍ଷା ନାହିଁ, ତାହାର ସାହିତ୍ୟ ଆସିବ କେଉଁଠୁ ? ତା’ର ଅନୁଭୂତି ଅଛି; କିନ୍ତୁ ପ୍ରକାଶ ନାହିଁ । ତା’ର ମୋଟାମୋଟି ଧାରଣା ଅଛି; କିନ୍ତୁ ସୂକ୍ଷ୍ମଭାବେ ବୁଝି ବିଚାରିବାର ଶକ୍ତି ନାହିଁ । ଠିକ୍‌ ଏହିପରି ଯୁକ୍ତି ଦେଖାଇଥିଲେ ସେ ଦିନ ଉଆଡ଼୍‌ସଉଆର୍ଥଙ୍କୁ କୋଲରିଜ୍‌ । ଗଣସାହିତ୍ୟର ଅର୍ଥ ମଣିଷର ସାହିତ୍ୟ, ଯାହା ମଣିଷର ସୂକ୍ଷ୍ମ ମୂଳଗୁଣ ଘେନି ଚଳେ । ଏପରି ସାହିତ୍ୟ କଦାପି Escapist ନୁହେଁ । Escapist ହେବ, ଯାହା ସତକୁ ଡରି ମିଛ ଘରକରଣାରେ ମନ ଭୁଲାଇ ରହିବ । ମଣିଷର ମୂଳ-ଗୁଣଠୁଁ ଅଧିକ ସତ ଆଉ କ’ଣ ଅଛି ? ସେ ମୂଳଗୁଣ ଚିରନ୍ତନୀର, ଯାହା ଏ ମତବାଦ ନୁହେଁ-। ବାହାରର ଆବେଷ୍ଟନୀ ବଦଳାଇବା ପାଇଁ ଏ ସବୁ ମତବାଦ । ଅବଶ୍ୟ ଏ ବାହାରର ଆବେଷ୍ଟନୀ ଅତି ବଡ଼ ଜିନିଷ; କିନ୍ତୁ ଏ ମତସବୁ ବଦଳୁଛି । ବଦଳୁଥିବ । ଏ ମତ ସବୁ ଲୋକଙ୍କର ନୁହେଁ, ଥୋକେ ଲୋକଙ୍କର ।

 

ଯେଉଁମାନେ ମଣିଷର ମୂଳଗୁଣକୁ ନ ଚିହ୍ନି ତା’ର ବାହାରର ଆବେଷ୍ଟନୀକୁ ସାର କରି କୁହନ୍ତି ଯେ, ଅର୍ଥନୀତି, ସମାଜନୀତିରେ, ତାଙ୍କ ନିଜ ବାଦରେ ଫଳିଥିବା ମତର ପ୍ରଚାରକ ସାହିତ୍ୟ ହେଉଛି ଗଣସାହିତ୍ୟ, ସେହିମାନଙ୍କୁହିଁ Escapist ଆଖ୍ୟା ଦିଆଯାଇପାରେ—ଏହା ତ ଖଡ଼ି ଡାକୁଛି ।

 

ସବୁ ବାଦର ସାହିତ୍ୟକୁ ଆମେ ଗଣସାହିତ୍ୟ କହିବୁଁ, ଯେଉଁ ପରିମାଣରେ ତହିଁରେ ଚିରନ୍ତନ ଗଣର ଛାଇ ପଡ଼ିଛି । ତାହା ନ ଥିଲେ ଆମେ ତାକୁ ବିଚାର କରିବୁଁ, ଯେଉଁ ଆଖିରେ ଆମେ ବିଚାର କରୁଁ ଭିନ୍ନ ଭିନ୍ନ ବିକାଳିଙ୍କର ବିଜ୍ଞାପନ ।

 

ଏ ତ ଗଲା ଗଣ-ସାହିତ୍ୟ, ଆଉ ମଣିଷ-ସାହିତ୍ୟ ବିଷୟରେ । ଉଞ୍ଚକଳା ସବୁଦିନେ ସରଳ; ତେଣୁ ସରଳତା ବିଷୟରେ ଉଞ୍ଚ ଶିଳ୍ପୀଙ୍କୁ ତାକିତ୍‌ କରିବାକୁ ପଡ଼ିବ ନାହିଁ । ଭାଷାର ସରଳତା, ବିଷୟର ସରଳତା, ଏ ତ ସେଥିରେ ରହିବ । ଭଞ୍ଜ ସାହିତ୍ୟ ସାଧାରଣ ଭିତରେ ଅସାଧାରଣକୁ ଦର୍ଶାଇବ; କାରଣ ଉପଯୁକ୍ତ interpretation ହେଲେହେଁ ଚମତ୍କାରୀ ଗୁଣ ବାହାରିବ । ଆଉ ଭଞ୍ଜ ସାହିତ୍ୟ ସମସ୍ତଙ୍କ ମନକୁ ପାଇବ । କାରଣ ସେ ସମସ୍ତଙ୍କ ମନ ଭିତରେ ଯେଉଁ ସ୍ଥିତିବାନ ନିଦାନ, ତାହାରି କଥା କହିବ ।

 

ତାପରେ ଆଉ ଗୋଟିଏ କଥା । ଆମ ଦେଶରେ ପୁରୁଣା ସାହିତ୍ୟ କାହିଁକି ପ୍ରଚାର ପାଇଆସିଛି, ନୂଆ ସାହିତ୍ୟ କାହିଁକି ପ୍ରଚାର ପାଇ ନାହିଁ ? ସେ ସମ୍ବନ୍ଧରେ ଆତ୍ମଗର୍ବୀ “ଜ୍ଞାନଲବଦୁର୍ବିଦଗ୍‍ଧ” ମାନେ ଭଞ୍ଜ ପ୍ରଭୃତି ପୁରୁଣା ଲୋକଙ୍କୁ ଗାଳି ଦିଅନ୍ତି, ଆଉ ଭାବନ୍ତି–

 

“ସୁଲି ସୁଲି କିଏ ଡାକୁଛି–”

 

“ଯାଉଛି କି ମଧୁବୋପା—କଲିକତା ହୋ” ଇତ୍ୟାଦି ଯେପରି କୁତ୍ସିତ Sex Perversion ଯୋଗୁଁ ଆଦର ପାଉଛି, ଭଞ୍ଜଙ୍କର ଆଦର ଠିକ୍‌ ସେହି କାରଣରୁ । ଆଜିକାଲି ପଣ୍ଡିତ ବୋଲେଇବା ପାଇଁ ସେକ୍‌ସପିୟର ହେରିକାକୁ ଲୋକେ ଯେପରି ଗାଳି ଦିଅନ୍ତି, ସେହିପରି ଏଣୁତେଣୁ ଯାହା ପାରି ତା ଦି ଚାରିପଦ ଟାଣ ଟାଣ ଅଣ୍ଡଷଣ୍ଢ ଭଞ୍ଜ ହେରିକାଙ୍କୁ କହି ମୌଳିକତା ଦେଖାଇବାକୁ ଚେଷ୍ଟାକରନ୍ତି । ହାୟ, ହାୟ ‘ମାସ୍‌’ କ’ଣ ଖାଲି ଆଦି ରସ ପାଇଁ ଭଞ୍ଜଙ୍କୁ ପଢ଼ନ୍ତି ? ଯେଉଁମାନେ ‘ମାସ୍‌’କୁ କରନ୍ତି ଏତେ ହୀନ, ସେମାନେ କିପରି “ମାସ୍‌”ର ପଟ୍ଟନାୟକ ହେବାକୁ ମନ ବଳାନ୍ତି ?

 

ଭଞ୍ଜଙ୍କ ଲେଖାରେ ସରସତା ଅଛି, ବଡ଼ ଗୁଣ ଅଛି, ଯାହାଲାଗି ଲୋକେ ସହଜରେ ତାଙ୍କ ଆଡ଼କୁ ଢଳିବେ । ଯେ କଳାବିତ୍‌, ସେ ନିଜ ପାଖରେ ନିଜେ ଠକ ନୁହନ୍ତି । ଯେଉଁ ଆଦିମ ପ୍ରବୃତ୍ତି ସବୁ ମଣିଷର ମନକୁ ଚିରଦିନ ଆନନ୍ଦ ଦିଏ, ତାକୁ ସେ ସାହସ କରି ଲେଖିଛନ୍ତି । ବିଦେଶୀ ଗଦ ସୁଙ୍ଘି ଲୋକେ ହୁଇଟ୍‌ମାନଙ୍କ ଯୌନବର୍ଣ୍ଣନାରେ ବାଇ; କିନ୍ତୁ ଆମେ ଦୁଆର ବନ୍ଦ କରି ଯେଉଁ ଆନନ୍ଦ ପାଇବାକୁ ମନ ବଳାଇଥାଉଁ, ତାକୁ କଳାର ରସରେ ଭିଜାଇ ଭଞ୍ଜ ଆମ ଆଗେ ବଢ଼ାଇଲେ ସେ ହେବେ “ବର୍ବର” ! ଆଉ ଆଦିରସ ପୁଣି ସେ ଯୁଗର ବନ୍ଧାଗତ ଥିଲା । ତହିଁରେ ପୁଣି ଭଞ୍ଜ ଅନେକ କଥା ଲେଖିଛନ୍ତି, ଯାହା ଭିତରେ ଏ ଦେହ - ବାସ୍ତବତାର ଭାଗ ସେତେ ବଡ଼ ନୁହେଁ । ଭଞ୍ଜଙ୍କ କଥା ଆଉ ଦିନେ ହେବ । ତାଙ୍କ ଲେଖା ଯେ ଏତେ ଦିନ ପ୍ରଶଂସା ପାଉଛି, ଏହା “ଗଣ-ସାହିତ୍ୟ”ର ପ୍ରଚୁର ପ୍ରମାଣ । ବିଲାତରେ ଦ୍ଵିତୀୟ ଚାର୍ଲସଙ୍କ ସମୟରେ ଯେଉଁ ଘୋର ଅଶ୍ଳୀଳତା ସାହିତ୍ୟରେ ଉତୁରି ପଡ଼ୁଥିଲା, କାହିଁ ଆଜିକାଲି ତ କେହି ସେ ସାହିତ୍ୟକୁ ଉଚ୍ଚ ସ୍ଥାନ ଦିଅନ୍ତି ନାହିଁ ! ଭଞ୍ଜଙ୍କ ସାହିତ୍ୟ ଆଦର ହେବାର କାରଣ ଯଦି ହୋଇଥାନ୍ତା ପଶୁ-ପବୃତ୍ତି, ଅଶ୍ଳୀଳତା, ତାହାହେଲେ କେଉଁ ଦିନୁ ଲୋକେ ତାହାକୁ ପାସୋରନ୍ତେଣି । ଯାହାର ପଶୁପ୍ରବୃତ୍ତି ଅଧୀର ସେ ଭଞ୍ଜଙ୍କ ସାହିତ୍ୟରୁ ବାଛି ବାଛି ଛାନ୍ଦ ମୁଖସ୍ଥ କରିବ । ସେଥିରେ କ’ଣ ଅଛି ? କିନ୍ତୁ ତାଙ୍କ ସାହିତ୍ୟରେ ମଣିଷର ମୂଳ ଗୁଣକୁ ଛୁଇଁବାଭଳି ଅନେକଙ୍କ କଥା ଅଛି, ଯହିଁରୁ ଆଦିରସ ମଧ୍ୟ ଗୋଟିଏ । ଆଉ ସେ ମୂଳଗୁଣ ଆଗରେ ଚାଷୀ ମଜଦୁର, ସାମ୍ୟବାଦୀ ଫ୍ୟାସିଷ୍ଟ, କାଳିଆ ଗୋରା ସମସ୍ତେ ସମାନ ।

 

ଦେଶ କୌଣସି ସାହିତ୍ୟକୁ ଆଦର କରି ମନେ ରଖିବା ଲାଗି ଦୁଇଟି କଥା ଲୋଡ଼ା–

 

(୧)

ପଢ଼ାଳିଙ୍କ ବୁଝିବା କାମ

 

 

(୨)

ଲେଖାଳିଙ୍କ ବଡ଼ପଣ ।

 

ପଢ଼ାଳିଙ୍କ ବୁଝିବା କାମ ନିର୍ଭର କରେ କେତେଗୁଡ଼ିଏ କଥା ଉପରେ । ସେମାନେ ପଢ଼ି ଜାଣିଥିବେ, ସେମାନେ ସାହିତ୍ୟରୁ ଅନ୍ତତଃ ସାଧାରଣ ଭାବରେ ରସ ଟାଣି ପାରୁଥିବେ । ଯେଉଁ ଲେଖା ପାଖକୁ ସେମାନେ ଯିବେ, ତା ପ୍ରତି କୌଣସି କାରଣରୁ ସେମାନଙ୍କ ମନ ଢଳିଥିବ । ଧର୍ମର କଥା, ମଉଜମଜଲିସ୍‌ କଥା, ଲୋକଙ୍କ ଅବସ୍ଥା କଥା, ଏହିପରି ପ୍ରସଙ୍ଗ ତହିଁରେ ଥିଲେ ବା ଅନ୍ୟ କୌଣସି କାରଣରୁ ଲୋକେ ତାକୁ ସହାନୁଭୂତି ଦେଇ ପଢ଼ିବେ । ଆଗ ସହାନୁଭୂତି ଆସିଲେ ତହୁଁ ଆସିବ ଭଲ ପାଇବା କଥା ।

 

ଯଦି ପଢ଼ାଳିଙ୍କ ବୁଝିବା କାମ ବକେୟା ପଡ଼େ, ତେବେ ଲେଖାଳିଙ୍କ ବଡ଼ପଣ ଚର୍ଚ୍ଚା କରିବା କଥା ଉଠି ନ ପାରେ । ଭାଗବତର କାହିଁକି ଏତେ ପ୍ରଚଳନ ?

 

୧.

ଲୋକଙ୍କର ସହାନୁଭୂତି ସେ ଆଡ଼କୁ ଢଳିଛି । ତହିଁରେ ଧର୍ମ, ଭକ୍ତି, ପାପପୁଣ୍ୟର ଭୟ ପ୍ରଭୃତି ଅନେକ ଗରଜ କଥା (vested interests) ରହିଛି ।

 

 

୨.

ଟୁଙ୍ଗୀରେ ବାରମ୍ବାର ଚର୍ଚ୍ଚା ହୋଇ ଲୋକଙ୍କ ବୁଝିବା କାମ ସେ ଦିଗରେ ଖୁବ୍‍ ପ୍ରଖର ହୋଇଯାଇଛି ।

 

 

୩.

ପୋଥି ଅତି ପୁରୁଣା ହେବାରୁ ବୁନିଆଦପ୍ରିୟ ଜାତି ସହଜରେ ତାକୁ ଶ୍ରଦ୍ଧା କରି ଆସିଛି ।

 

ପୂର୍ବକାଳରେ ଗାଁ ଗାଁକେ ସାହିତ୍ୟିକ ବୈଠକ, ଲୋକଙ୍କ ବୁଝାମଣା ଏହିସବୁ ପୁରୁଣା ଗ୍ରନ୍ଥକୁ ଲୋକଙ୍କ ଭିତରେ ଚଳାଇ ଦେଇପାରିଛି । ତା ଉତ୍ତାରୁ ସବୁଠୁ ବଡ଼ କଥା, ଏତେ ଦିନ ଗଡ଼ିଯିବାରୁ କାଳକ୍ରମେ ଗ୍ରନ୍ଥସବୁ ଧୀରେ ଧୀରେ ଲୋକଙ୍କ ଭିତରକୁ ଅଳ୍ପେ ଅଳ୍ପେ ଗଳିଯାଇପାରିଛି-। ଭଞ୍ଜ ଯେତେବେଳେ ପ୍ରଥମେ ତାଙ୍କ କାବ୍ୟସବୁ ଲେଖୁଥିଲେ, ସେତେବେଳେ କ’ଣ ହଠାତ ହୁ ହୁ ହୋଇ ସେ ସବୁ କାବ୍ୟ ଓଡ଼ିଶାର ଚାରିଆଡ଼େ ଖେଦିଯାଉଥିଲା, ନା ଏକା ଦିନକେ ଗୋପାଳକୃଷ୍ଣଙ୍କ କବିତା ଚାରିଆଡ଼େ ଲୋକେ ଗାଇବାକୁ ଆରମ୍ଭ କରିଦେଇଥିଲେ ? ଯଦି ଜିନିଷର ନିଜର ମୂଲ ଥାଏ, ତେବେ ଧୀରେ ଧୀରେ ସେ ସମସ୍ତିଙ୍କ ପାଖକୁ ଯାଇ ପହୁଞ୍ଚେ । ପୁଣି ସେତେବେଳେ ରେଳଗାଡ଼ି ନଥିଲା କି ଛାପାଖାନା ନଥିଲା ।

 

ଅତଏବ ଏ ଯୁଗରେ ଆମର ଲେଖା ଧୀରେ ଧୀରେ ଲୋକଙ୍କ ପାଖକୁ ଯିବ, ଯଦି ତା’ର ନିଜର କିଛି ଗୁଣ ଥାଏ । ସେଥିଲାଗି ତା’ର ବାଟ ସଫା କରିବା ଦରକାର । ସାହିତ୍ୟର ପ୍ରଚାର ଲାଗି କ’ଣ କରାଯାଇପାରେ ? ଗାଁ ଗାଁକେ ସାହିତ୍ୟିକ ବୈଠକ୍‍ ହେବା ଦରକାର । ଦଳ ବାନ୍ଧି ଚାରିଆଡ଼କୁ ଯାଇ ଲୋକଙ୍କୁ ସାହିତ୍ୟର ସ୍ୱରୂପ ବୁଝାଇବା ଦରକାର । ଭଲ ସାହିତ୍ୟ ଲୋକେ ଯେପରି କିଣି ପାରିବେ, ସେହିପରି ଶସ୍ତା ଦରରେ ବିକ୍ରି କରିବା ଦରକାର ।

 

୧ । ସବୁଠୁ ବଡ଼ ଦରକାର ଏପରି ସାହିତ୍ୟ, ଯାହା ସହିତ ଲୋକଙ୍କର ସହାନୁଭୂତି ରହିବ ବା ଯାହାକୁ ପଢ଼ିବାକୁ ଲୋକେ ଗରଜ ବୁଝିବେ । ଅତଏବ ଉଞ୍ଚ କଳା ପ୍ରଥମେ ଦରକାର । ଲୋକେ ସାହିତ୍ୟକୁ ସାହିତ୍ୟ ବୁଝି ପଢ଼ିବା ଦରକାର । ଆଜିକାଲିକା ଘଟନା, କେଉଁଠି କେଉଁ ଲଢ଼େଇ ଲାଗିଛି, ଏସବୁ ଲୋକଙ୍କର ସାଧାରଣ ଶିକ୍ଷା ପାଇଁ ଦରକାର–ଦରକାର ଯେପରି ଖବର କାଗଜ ପଢ଼ିବା, ଅର୍ଥଶାସ୍ତ୍ର ପଢ଼ିବା ଓ ସାଧାରଣ ବିଜ୍ଞାନ ପଢ଼ିବା । କିନ୍ତୁ ଏ ସବୁ ପରୋକ୍ଷ ଭାବରେ ଲୋକଙ୍କ ଜ୍ଞାନ ବଢ଼ାଇ ଚାରିଆଡ଼କୁ ଆଖି ଫିଟାଇବା ଛଡ଼ା ପ୍ରତ୍ୟକ୍ଷ ଭାବରେ, ସିଧା ଭାବରେ ସେତେଦୂର ‘ସାହିତ୍ୟିକ ଧାରଣା’ ପାଇଁ ସହାୟକ ନୁହେଁ । ଲୋକଙ୍କର କଳା-ଜ୍ଞାନ ବଢ଼ାଇବା ଲାଗି ମେଲେରିୟା, ବନ୍ୟା, ଆମେରିକାର ଘୁଷୁରି-ପୋଷା କଳ, ନାଇଟ୍ରିକ୍‌ ଏସିଡ଼, ଚୀନ୍‌ ଦେଶର ମଠା ତିଆରି, ଭିସୁଭିୟସ୍‌ ପାହାଡ଼ର ଲାଭା, ମାର୍କସଙ୍କ ସାମ୍ୟବାଦର ସୂତ୍ର ଏସବୁ ସେତେ ଆବଶ୍ୟକ ବୋଲି ମୋର ମନେ ହୁଏ ନାହିଁ । ଯଦିଚ ଯେଉଁଠି ଦରକାର, ସେଠି ଏସବୁ ବଳେ ବଳେ ଉପକରଣ ହିସାବରେ ଆସି ପହୁଞ୍ଚିବ; ଉଦ୍ଦେଶ୍ୟ ବଳରେ ନୁହେଁ । ଏ ସବୁ ମଧ୍ୟ ଦରକାର; କିନ୍ତୁ ଅନ୍ୟ କାରଣରୁ; ଲୋକଙ୍କ ସାହିତ୍ୟ-ଜ୍ଞାନ ବଢ଼ାଇବା ପାଇଁ ନୁହେଁ ।

 

୨। ପୁଣି ଦରକାର ଲୋକଙ୍କ ଭିତରେ ଶିକ୍ଷା । ଅପାଠୁଆ ଲୋକଙ୍କ ପାଇଁ ଅପାଠୁଆ ସାହିତ୍ୟ କରିବା ବା ଅଫିମିଆ ଲୋକଙ୍କପାଇଁ ଅଫିମ-ମାହାତ୍ମ୍ୟର ସାହିତ୍ୟ କରିବା କୌଣସିମତେ ଉଚିତ ନୁହେଁ । ସାହିତ୍ୟର ସେତକ ଆଣ୍ଟ ଅଛି ।

 

ପଢ଼ାଳି ଯଦି ରସ ଘେନିବାକୁ ସମ୍ପୂର୍ଣ୍ଣ ଅକ୍ଷମ, କିଛି ଶିକ୍ଷା କରିବାକୁ ଏକାବେଳକେ ନାରାଜ, ତେତେବେଳେ ତା ପାଖରେ ସାହିତ୍ୟ କିପରି ଭାବରେ ଦେଖା ଦେବ ଯଦି ତାକୁ ଆଗତୁରା ‘ମଣ’ ନ କରାଯାଏ । ଆମର ଅଭାବ ହେଉଛି ଶିକ୍ଷା । ଯାହାର ଶିକ୍ଷା ଅଛି, ସେ ନିଜେ ପଢ଼ି ପାରିବ । ଅନେକ ଚାକର, ପୂଜାରୀ, ଗାଡ଼ିବାଲାଙ୍କୁ ଲେଖକ ପଢ଼ିବାର ଦେଖିଛି–ଯଦି ସେମାନେ କିଛି ହେଲେ ପଢ଼ି ଜାଣନ୍ତି ।

 

ଏ ସାହିତ୍ୟିକ ଶିକ୍ଷାପାଇଁ ମୋ ମତରେ ସରଳ ଉପାୟ ହେଉଛି, (୧) ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଓ (୨) ଯାତ୍ରାଦଳ, ପାଲା ପ୍ରଭୃତି ଯେଉଁ ସବୁ ‘ସର୍ବସାଧାରଣ’ ଅନୁଷ୍ଠାନ ରହିଛି, ତା’ର ସଂସ୍କାର । ଏ ଦୁଇଟି କଥା ପରସ୍ପରକୁ ସାହାଯ୍ୟ କରେ । ମଫସଲରେ ଯାହାକୁ ସାଧାରଣ ଦିଅକ୍ଷର ଜଣାଅଛି, ସେ ଭାଗବତ, ମଥୁରାମଙ୍ଗଳ ପଢ଼େ; ଆମ ନୂଆ ସାହିତ୍ୟ ପଢ଼େ ନାହିଁ । ଚାଟଶାଳୀରେ ପଢ଼ୁ ପଢ଼ୁ ‘ଭାଗବତ’ ବୋଲି ଜାଣିଲେ ଅନେକଙ୍କ ପକ୍ଷରେ ଯଥେଷ୍ଟ ହେଲା । ଆମ ସାହିତ୍ୟ ସେମାନଙ୍କ ସାଥୀରେ common bond of interest କରିପାରି ନାହିଁ । କରିପାରିବ କାଳକ୍ରମେ; ନୋହିଲେ ପ୍ରଚାରଦ୍ଵାରା । ଆମର ଟିକିଏ ରକ୍ଷଣଶୀଳ ଦେଶ—ଚୀନଦେଶ ପରି; ତେଣୁ ଏଠି କାଳକ୍ରମେ କହିଲେ ବହୁକାଳ ବୁଝାଇବ । ଅତଏବ ପ୍ରଚାର ହେଉଛି ଶ୍ରେୟଃ ।

 

ପାଲା, ଯାତ୍ରା ଭିତରେ ଯେ କେତେ ସାହିତ୍ୟ ଆଲୋଚନା ହୁଏ, ତା ଅନୁଭବୀ ମାତ୍ରେ ବୁଝିପାରୁଥିବେ । ପାଲା ଚର୍ଚ୍ଚା କରେ ଶୁଦ୍ଧ-ସାହିତ୍ୟର, ଅର୍ଥ ଉପମା ଅଳଙ୍କାର ପ୍ରଭୃତି ଭଲ କରି ବୁଝାଏ, ସଂସ୍କୃତ ମଧ୍ୟ ବୁଝାଏ ଏତେ ନିଠାନିଠିକରି ଯେ ‘ନରପତି’ ଶବ୍ଦ ପହୁଞ୍ଚିଲେ ସମାସ, ପ୍ରତ୍ୟୟ ଉତ୍ତାରୁ ‘ନରଶବ୍ଦ’ ଗୋଟା ସୁଦ୍ଧା ରୂପ କରି ବାହୁଲ୍ୟ କରି ବୁଝାଏ ଆଉ ଗ୍ରାମ ଲୋକେ ମନକର୍ଣ୍ଣ ଦେଇ ଶୁଣନ୍ତି ।

 

ଯଦି କୌଣସିମତେ ଏ ଯୁଗର ପାଲାବାଲା ଏ ଯୁଗର ଶୁଦ୍ଧ-ସାହିତ୍ୟରୁ କାଣ୍ଡେ ଲେଖାଁ ପ୍ରଚାର କରନ୍ତେ, ତାହେଲେ କପିରି ହୁଅନ୍ତା ?

 

ଯାତ୍ରା ପାଇଁ ଲୋକେ ଅତି ସଉକୀ । ଓଦାକନା ପେଟରେ ପକାଇ ସେମାନେ ଯାତ୍ରା କରନ୍ତି; କିନ୍ତୁ ଯେଉଁ (medium) ପ୍ରକାଶର ଉପାୟ ଓଡ଼ିଶା ସାରା ତନ୍ନ ତନ୍ନ କରି ଖେଦିବୁଲେ, ଯାହାର ମାଧ୍ୟମରେ ଆମର କଥା ଲୋକଙ୍କ ଭିତରକୁ ବୋଲି ଯାଇପାରନ୍ତା, ତା’ର ବ୍ୟବହାର ଆମେ କରୁ ନାହିଁ । ତା’ର ବ୍ୟବହାର କରନ୍ତି ସେହିମାନେ, ଯେଉଁମାନେ ତା’ର ଅର୍ଥ କ’ଣ ବୁଝନ୍ତି ନାହିଁ ।

 

୩। ଚାରିଆଡ଼େ ପୁସ୍ତକାଗାର ଲୋଡ଼ା, ଯେଉଁଠି ଏ ଯୁଗର ସାହିତ୍ୟ ପୂର୍ଣ୍ଣ ରହିବ । ପୂର୍ବେ ଏ ଦେଶରେ ‘ଗାଦି’ ରୂପରେ ଗାଏଁ ଗାଏଁ “ଲାଇବ୍ରେରି” ଥିଲା, ଏ କଥା ସମସ୍ତେ ଜାଣନ୍ତି । ନିଖିଳ ଭାରତ ଲାଇବ୍ରେରୀ ସଭା ରିପୋର୍ଟରେ ରେଭେନ୍‌ସା କଲେଜର ଲାଇବ୍ରେରୀୟାନ ଶ୍ରୀଯୁକ୍ତ ଦାମୋଦର ମିଶ୍ର ମଧ୍ୟ ଓଡ଼ିଶାର ଏ ଗାଦି ଲାଇବ୍ରେରୀ କଥା ପ୍ରକାଶ କରିଥିଲେ ।

 

ଆଜିକାଲି ଲାଇବ୍ରେରି ଅଭାବ; ସେଥିପାଇଁ ଟଙ୍କା ନାହିଁ । ଏ ସବୁପାଇଁ ସଙ୍ଘ ଗଢ଼ିବା ଦରକାର ।

 

୪। ଜର୍ମାନୀ ଦେଶରେ ଛାତ୍ରମାନେ ଯେପରି ଛୁଟିରେ ଗାଁ ଗାଁକେ ବୁଲି ଲୋକଙ୍କ ଭିତରେ ଜ୍ଞାନ ପ୍ରଚାର କରନ୍ତି, ରୁଷିଆରେ ଯେପରି ହେଉଥିଲା, ସେହିପରି ଆତ୍ମଗର୍ବ ଭୁଲିଯାଇ ଅଧ୍ୟାପକ ବା ପଣ୍ଡିତ ଲୋକଙ୍କୁ ସାଙ୍ଗରେ ଘେନି ଓଡ଼ିଶା କଲେଜ ସ୍କୁଲର ଛାତ୍ରମାନେ ସାହିତ୍ୟର ବାର୍ତ୍ତା ଆଉ ଯୁଗର ବାର୍ତ୍ତା ଘେନି ଗାଁ ଗାଁକେ excursion କରିବା ଉଚିତ । ତହିଁରେ ଯାହା ଦେଶର ମଙ୍ଗଳ ହେବ, ଗରିବ ଦେଶର ପାଣ୍ଠିରୁ ଖର୍ଚ୍ଚ କରି ବିଦେଶକୁ excursion କରିଯିବାଠୁଁ ନିହାତି କମ୍ । ହେବ ନାହିଁ । ପୂର୍ବେ ପଣ୍ଡିତମାନେ ଲୋକଙ୍କ ସାଥୀରେ ମିଶି ସେମାନଙ୍କୁ ବୁଝାଉଥିଲେ, ବିବାହ ସଭାର ମଜଲିସ୍ ଭିତରେ ଜ୍ଞାନର ଚର୍ଚ୍ଚା କରୁଥୁଲେ, ଶ୍ଳୋକାନ୍ତ ପରୀକ୍ଷା ହେଉଥିଲା । ମୁଁ ତ ଭାବୁଛି ଯେ ଆମର ସାମାଜିକ ଅନୁଷ୍ଠାନ ଭିତରେ ପୁଣି ସେହିପରି ଜ୍ଞାନର ଚର୍ଚ୍ଚା ଓ ସାହିତ୍ୟର ଚର୍ଚ୍ଚା ରଖିବା ଉଚିତ ।

 

ଏପରି ଆମ ଭିତରେ ବୈଠକ ଡାକିବା ଉଚିତ । ଯହିଁରେ ଏ ସାହିତ୍ୟର ପ୍ରଚାରର ଉପାୟ ବିଚାର ହୋଇ ଖାଲି ଲେଖାରେ ନୁହେଁ, କାର୍ଯ୍ୟରେ ମଧ୍ୟ ପ୍ରଚାରପାଇଁ କ’ଣ କିପରି କରାଯାଇପାରେ, ତାହା ହୋଇପାରିବ ।

 

ଓଡ଼ିଶାର ଦରିଦ୍ରତା ସବୁଆଡ଼ୁ ଯେପରି ଅସୁବିଧା କରୁଛି, ସାହିତ୍ୟରେ ମଧ୍ୟ ସେହିପରି-। ସାହିତ୍ୟକୁ ଏ ଦେଶରେ ଜୀବିକା ବୋଲି କେହି ଘେନି ପାରିବେ ନାହିଁ ? । ସାହିତ୍ୟ ଏ ଦେଶର ଅବସର ସମୟର ଉଦ୍ୟମ | ସାହିତ୍ୟର ପ୍ରଚାରରେ ମଧ୍ୟ ଏ ଉଦାସୀନତା ରହି ଆସିଛି । ତେଣୁ ପ୍ରକୃତ ଗଣ-ସାହିତ୍ୟ ନା ମ୍ୟାନୁଫ୍ୟାକ୍‌ଚର (ତିଆରି) ହୋଇପାରୁଛି, ନା ପ୍ରଚାର ହୋଇପାରୁଛି ।

Image

 

ଶିଳ୍ପୀ ଓ ମଣିଷ

 

କଲ୍ୟାଣୀୟା କାଦମ୍ବରି,

 

ତୁମେ ଯେଉଁଠି ଥାଅ ପଛେ ନିଶ୍ଚୟ ଏ ଚିଠି ତୁମ ପାଖରେ ପହଞ୍ଚିବ, ଆମ ହିନ୍ଦୁ ଧାରଣାର କାଇଁଶିକା ଶର ପରି; କାରଣ ମୁଁ ଏଥିରେ ମନ୍ତ୍ର ଦେଲି-କେବଳ ଏଥିପାଇଁ ଯେ, ସ୍ଵପ୍ନ ଓ ବାସ୍ତବର ଅପୂର୍ବ ମିଳନର ସଞ୍ଜରେ ତୁମ ମନରେ ଯେଉଁ ଭ୍ରମଟିକକ ହୋଇଥିଲା, ତା’ର କିଛି ସମାଧାନ ମୁଁ କରିପାରିବି । ତୁମେ ଭାବିବ, ମୁହୂର୍ତ୍ତକର କଥା; ସେଥିପାଇଁ ପୁଣି ଅପରିଚିତ ପାଖରୁ ଏତେ ଦୀର୍ଘ ଗୋଟିଏ ପତ୍ର ! କିନ୍ତୁ ଯେ ବୁଝେ, ସେ ବୁଝେ ମୁହୂର୍ତ୍ତର ମୂଲ୍ୟ କେଉଁଠି, ଜୀବନରେ ଦୁର୍ଯୋଗ ଆସେ ମୁହୂର୍ତ୍ତରେ । ଗୋଟିଏ ମୁହୂର୍ତ୍ତର ଭୁଲ ପାଇଁ କେତେ ଜୀବନ ପୋଡ଼ିଯିବାର ଏଇ ଆଖି ଦେଖିଛି । ପୁଣି ମୁହୂର୍ତ୍ତ ଆଣେ ସୁଯୋଗ, ଯାହା ଚାଲିଗଲେ ଆଉ ଆସେ ନାହଁ । ରଖିଯାଏ କେବଳ କରୁଣର ଗୋଟିଏ କ୍ଷୀଣ ଆଳାପ ଅଥବା ମିଳାଇ ଯାଉଥିବା ଶିଶିରର ଦୁଇ ବୁନ୍ଦା ଟଳ ଟଳ ଲୁହ, ସ୍ୱପ୍ନାବିଷ୍ଟ ଲତିକାର ଶୂନ୍ୟ ବାହୁବନ୍ଧନ ଉପରେ ।

 

ସେ ଦିନ ତୁମେ ମଣିଷକୁ ଦେଖିଲ, ବସ୍ତୁ ରାଇଜର ସାଧାରଣ ମଣିଷ, ସେ କ’ଣ ସ୍ୱପ୍ନର ରାଜପୁତ୍ର ? ନା ସେ ମାଟିର ମଣିଷ । ତା’ର ଦେହର ଗଠନ ପାଇଁ ଦାୟୀ ଯୁଗ ପରମ୍ପରାର କେତେ ବଂଶାନୁଗୁଣର ପ୍ରଭାବ, କେତେ ବୈଜ୍ଞାନିକ ପ୍ରକ୍ରିୟା । ତା’ର ଆଚାର, ରାଜନୀତି ଓ ଅନ୍ୟାନ୍ୟ ବାସ୍ତବ ଗୁଣ କେତେ ବସ୍ତୁପ୍ରକ୍ରିୟା ବସ୍ତୁପରିବେଷ୍ଟନୀରେ ସୀମାଦିଆ । ସୂକ୍ଷ୍ମ ଆତ୍ମାଟାକୁ ଛାଡ଼ିଦେଲେ ଅନ୍ୟ ସବୁ କେବଳ ବନ୍ଧନ ଆଉ ବନ୍ଧନ ।

 

କିନ୍ତୁ ମଣିଷକୁ ଦେଖିବା ପୂର୍ବରୁ ତୁମେ ସାହିତ୍ୟରୁ ପାଇଥିଲ ଅନ୍ୟ ଗୋଟିଏ ରୂପ, ଅନ୍ୟ ଗୋଟିଏ ଧାରଣା । ସେ ଧାରଣା ତୁମେ ନିଜେ ତ ଗଢ଼ିଥିଲ, ସାହିତ୍ୟରୁ ଶିଳ୍ପୀ ପ୍ରାଣର ଯେତିକି ପାଇଥିଲ ତାହାରି ଉପରେ ନିଜର କଅଁଳ ମରମଭାବ ତାଳି । ସାହିତ୍ୟର ଶିଳ୍ପୀ ଓ ସାଧାରଣ ଜୀବନର ମଣିଷ ଏ ଦୁହେଁ ଯେତେବେଳେ ପୃଥକ୍ ପଡ଼ିଗଲେ ସେତିକବେଳେ ତୁମ ମନରେ ସନ୍ଦେହ ଆସିଲା । ତୁମ ଆଖିରେ କଳ୍ପନାର ଶିଳ୍ପୀ ରୂପ ଉଭେଇଗଲା । ବାସ୍ତବତାର ମଣିଷ ପ୍ରତି ଆସିଲା ବିମୁଖତା, ଘୃଣା ନ ହେଲେ ମଧ୍ୟ, ଅବଜ୍ଞା । ଶିଳ୍ପୀ ଓ ମଣିଷ ଭିତରେ ଯେଉଁ ବିସଦୃଶ ଗୁଣ ତୁମେ ଦେଖିଲ, ତାହା ଦ୍ୱାରା ଉପମାରୁ ତୁମେ ପାଇଲ ହସର ଉପାଦାନ । ସେହି ହେଲା ତୁମର ଭୁଲ, ଯେଉଁ ଭୁଲ ଭାଙ୍ଗିବା ପାଇଁ ଏ କାଇଁଶିକା ଶର ।

 

ସଞ୍ଜର ବୋହୂ ମୁହଁ ଦେଖା ଆଲୁଅ ସେତେବେଳେ ଶରତ ନେଳି ଆକାଶରୁ ଝରି ପଡ଼ୁଥାଏ ଦୂର ଗାଁ ମଶାଣି ଉପରେ, କେଡ଼େ ସୁନ୍ଦର ସେ ଦିଶେ, କେଡ଼େ ସୁନ୍ଦର ! ଲୋଟଣି ବରଗଛର ଅଗ ଚିକ୍ ଚିକ୍ କରୁଥାଏ, ପବନରେ ଥାଏ ପୂର୍ଣ୍ଣ ପ୍ରାଣର ସ୍ଥିରତା । ମଶାଣିରେ ହାଡ଼ ପାଉଁଶ ଉପରେ ଖେଳିଯାଏ କବିତାର ସୌରଭ, କର୍କଶ ଭୀଷଣତା ଯାଏ ମିଶି, କରୁଣର ଉଦାସୀ ଅସମାପିକା ଛନ୍ଦରେ । ତୁମେ ଅନୁଭବ କର, ଗୋଟାଏ ନୂଆ ପ୍ରାଣ ଯେପରି ଖେଳି ବୁଲୁଛି । ମୁହୂର୍ତ୍ତ ହଜିଯାଏ, ବ୍ୟାପକ ସମୟ ଭିତରେ ବୁଦ୍‌ବୁଦ୍‌ ପରି । ତା ପରେ ଯେଉଁ ରୂପ ଆସେ ସେ ସମ୍ପୂର୍ଣ ଭିନ୍ନ । ତୁମେ ତହିଁରେ କବିତା ପାଅ ନାହିଁ ।

 

ନଈ ଉପରେ କେତେ ଅନ୍ଧାର ରାତି ତ ଯାଇଛି; କିନ୍ତୁ କାହାକୁ କେତେବେଳେ କେଉଁ ଅନ୍ଧାର ରାତି ସେଠି ଭଲ ଲାଗିଥିଲା, ଜହ୍ନ ଆଲୁଅରେ ନୁହେଁ, ତାରା ଆଲୁଅରେ । କାହିଁକି ? ସୁସୁପ୍ତି ଭିତରେ ଜୀବନ, ଅନ୍ଧାର ଭିତରେ ହୃଦୟର ସ୍ପନ୍ଦନରେ ସାମଞ୍ଜସ୍ୟ କିଏ କେବେ ପାଇଥିଲା-। ମନରେ ଗହୀର ଗାର ଟାଣିଛି–‘‘ସେ ଦିନଥିଲା ଦିଆଲି ଉଆଁସ ।’’

 

କାହାକୁ କେବେ କ’ଣ ଏପରି ଭଲ ଲାଗିଥାଏ, ଭାବିଲେ ମନେପଡ଼େ ଗୋଟିଏ ଗୋଟିଏ ବେଳାର କଥା, ସେତେବେଳେ ବାସ୍ତବ ହୁଏ କେବଳ ସଙ୍କେତ, ପବନର କ୍ଷୀଣ ରୁଦ୍ଧ ଶ୍ୱାସ, ପଥରର ପରଶ, କାନ ପାଖରେ କାହାର ତତଲା ଓଦା ନିଃଶ୍ୱାସ ଆଉ ମନଭୁଲା ଦୁଇଟା କଥା; ସଙ୍କେତ ଛଡ଼ା ଆଉ କ’ଣ ?

 

ଶିଳ୍ପୀର ପ୍ରକାଶ ଠିକ୍‌ ସେହିପରି । ଗୋଟିଏ ଗୋଟିଏ ବେଳା ଆସେ ଯେତେବେଳେ ନିଜର ଅଜାଣତରେ ମଣିଷ ମନରେ ସୀମା ଭାଙ୍ଗିଯାଏ, କଳା ଶକ୍ତି ନିଜକୁ ପ୍ରକାଶ କରିପାରେ । ମଣିଷର ମନ ହୁଏ ତେଣୁ ତୁଛ, ତାହାରି ଅବଲମ୍ବନରେ ଅସୀମର ବଇଁଶୀ ବାଜି ଉଠେ । ସେ ସମୟର ମଣିଷ କାଳିସୀ-ଲଗା ମଣିଷ, ତା ମନର ରୂପ ଶିଳ୍ପୀ ମନର ରୂପ । ଅନ୍ୟ ସମୟରେ ସେ ସେପରି ନ ଥାଏ, ସେ ହୋଇଥାଏ ସାଧାରଣ ଲୋକ । ଅତଏବ କଳା ଭିତରୁ ଯେଉଁ ରୂପ ଆମେ ପାଉଁ ସେ ହେଇଛି ଶିଳ୍ପୀର ରୂପ । ସେ ରୂପ ବାସ୍ତବ ଜୀବନରେ ପାଇବାକୁ ଆଶା କରିବା ବୃଥା । ଲେଖକ ବାସ୍ତବ ଜୀବନରେ ସବୁବେଳେ ଶିଳ୍ପୀ ନୁହେଁ । ସେ ସେହି ମୁହୂର୍ତ୍ତରେ ଶିଳ୍ପୀ, ଯେତେବେଳେ ତାହା ମନରେ ବାସ୍ତବର ମୋହ କଟିଯାଇ ପୂରିଛି କଳାର ପ୍ରାଣ ।

 

ତେଣୁ ସାହିତ୍ୟକୁ ଲେଖକର ସାଂସାରିକ ପରିଚୟ ଅନୁଯାୟୀ ବିଚାର କରି ଦେଖିଲେ କେବଳ ଯେ କଳା ଗ୍ରହଣ କରିବାରେ ବାଧା ଘଟିବ, ସେତିକି ନୁହେଁ; କଳାର ଅପମାନ ମଧ୍ୟ ଘଟିବ-। କାଳିଦାସ ବା ସେକ୍‌ସପିଅରଙ୍କ ସାଂସାରିକ ଅବସ୍ଥାନ ବିଷୟରେ ଯଦି ଲୋକଙ୍କର ଧାରଣା ଥାଅନ୍ତା, ତେବେ ସେମାନଙ୍କୁ ଭଗବାନଙ୍କ ପାଖରେ ଲୋକେ ଆସନ ଦିଅନ୍ତେ ନାହିଁ । ସେକ୍‌ସପିଅର ଏଡ଼େ ବଡ଼ ଲେଖକ, କିନ୍ତୁ ତାଙ୍କ ବିଷୟରେ ଯେ ଯେତେ ଧାରଣା କରିବାକୁ ଯାଇଛି, ସେ କେବଳ ଧାରଣା କରିଛି ତାଙ୍କରି ଶିଳ୍ପୀ-ରୂପକୁ । ସେହି ଧାରଣା ତାଙ୍କର ବ୍ୟକ୍ତିତ୍ଵକୁ କବିତାମୟ କରି ରଖିଛି । ଏହି କାରଣରୁ ମଧ୍ୟ ମୋର ମନେହୁଏ ଯେ, ସ୍ଥାନ ଓ କାଳର ବନ୍ଧନ ନ ଥିବାରୁ ଅପର ଦେଶର ଲୋକେ ସାହିତ୍ୟରୁ ଶାଶ୍ୱତ ଅଂଶର ଅଧିକ ପରିଚୟ ପାଇପାରିବେ, ନିଜ ଦେଶର ଲୋକଙ୍କ ଅପେକ୍ଷା ।

 

କବି ଅସୀମର ବଇଁଶୀ ହୋଇ ବାଜି ଉଠେ । ଯେଉଁମାନେ ତାହା ଶୁଣନ୍ତି, ସେମାନେ ତାହା ବୁଝନ୍ତି ଏବଂ ଗୋଟାଏ ସୁରର ଖିଅ ଧରି ଜୀବନ ଭସାଇ ଦେଇ ଚାଲନ୍ତି । କବି ପ୍ରତିମା ଭିତରେ ପ୍ରାଣ ଦିଏ । ତୁମେ ବା କ’ଣ ଜାଣିଛ-କେଉଁ କବିର କୁହୁକ ପରଶରେ ତୁମର ଦରଖୋଲା ମନ ଖୋଲଯିବ, ବାସ୍ତବତାର ସ୍ଥୂଳ ବନ୍ଧନ ମିଳାଇଯିବ, ମୁହୂର୍ତ୍ତର ଢଳ ଢଳ ନିଶାରେ ଯମୁନା ସହିତ ଉଜାଣି ହୋଇ ତୁମେ ମଧ୍ୟ ଟଳି ଟଳି ଛୁଟିଚାଲିବ ? କବି ‘କିଛି ନାହିଁ’ ରୁ ‘ସବୁ ଅଛି’ ସୃଷ୍ଟି କରେ । କବି ସୃଷ୍ଟି କରି ଚାଲେ ସୌନ୍ଦର୍ଯ୍ୟ ଆଉ ସୌନ୍ଦର୍ଯ୍ୟ । କିନ୍ତୁ କଳାରେ, ନିଜର ଦେହରେ ନୁହେଁ ବା ନିଜର ବାସ୍ତବ ପ୍ରସ୍ତାବନାରେ ନୁହେଁ । ତହିଁରେ ତା’ର ହାତ ନାହିଁ, ତହିଁ ପ୍ରତି ତା’ର ଖିଆଲ ନାହିଁ ସୁଦ୍ଧା । ତା’ର ନିଜର ରୂପ ବା ନିଜର ବାସ୍ତବତା ତିଆରି କଲାବେଳେ ଯଦି ତା’ର ମତ ଲୋଡ଼ା ହୋଇଥାନ୍ତା, ସେ ହୁଏତ ଭିନ୍ନ ଦେହ ଲୋଡ଼ିଥାନ୍ତା, ହୁଏତ ଗୋଟାଏ କବିତାମୟ କଳ୍ପନାମୟ ରୂପ ଘେନି ଆସି ଅବତାର ନେଇଥାନ୍ତା । କିନ୍ତୁ ତା ତ ହୋଇନାହିଁ । ଜୀବନ ନେଇ ବଞ୍ଚି ରହିବା ପାଇଁ କେତେଗୁଡ଼ିଏ କଥା ମୁଣ୍ଡପାତି ତାକୁ ମାନିନେବାକୁ ପଡ଼େ । ତାହା ଭିତରେ ତା’ର ରୂପ, ତା’ର ହାବଭାବ, ତା’ର ସାଂସାରିକ ପରିସ୍ଥିତି । କବିତାର ନିଶାରେ ସେ ଏ ସବୁକୁ ଭୁଲିଯାଏ । ଏ ସବୁ ତା’ର ସ୍ଥୂଳତା ପକ୍ଷରେ ନିଦାନ ହେଲେ ସୁଦ୍ଧା ଯେଉଁ ସୂକ୍ଷ୍ମ ଭାବମୟତାରେ ତା’ର ଶିଳ୍ପୀ-ପ୍ରାଣ ବଞ୍ଚି ରହେ, ତାହା ତୁଳନାରେ ସେ ସବୁ କେତେ ତୁଚ୍ଛ ।

 

ଢଳ ଢଳ ଗହୀର ଚାହାଣୀ, ଲମ୍ବା ଲମ୍ବା ବାଳ, ରଙ୍ଗିନ୍ ପୋଷାକ, ଫୁଲ ଓ ସୁବାସର ବେଶ, ଅଭିନୟ କରୁଥିବା ପରି ଶାନ୍ତିନିକେତନୀ ଅଙ୍ଗ ଭଙ୍ଗୀ ଏ ସବୁ କେବେ କେବେ କବିର ବିଶେଷ ଖିଆଲ ହେଲେ ସୁଦ୍ଧା ଏହା ଘେନି କବି ରହିପାରେ ନାହିଁ କିମ୍ବା ଏ ସବୁ କଲେ ଯେ-ପାରି-ସେ କବି ହୋଇପାରେ ନାହିଁ । ଆମ ରବି ବାବୁଙ୍କ ଭାଷାରେ–‘‘ଚେଷ୍ଟା କଲେ କି, କବିତା ହୁଏ ଲେଖି ?”

 

କବି ବିଷୟରେ କଳ୍ପନାମୟ ଧାରଣାକୁ ବାସ୍ତବ କରିବାକୁ ଯାଇ ଏ ସବୁ ବୃଥା ସଙ୍କେତବାଦ । ମନଟା କବିର, ଦେହଟା ସାଧାରଣ ମଣିଷର । ଏ ବିଷୟରେ ଭ୍ରମ କଲେ ଶେଷରେ ବିପଦରେ ପଡ଼ିବ । କିପରି ସେ କଥା ପରେ ଲେଖୁଛି ।

 

ଉତ୍କଳୀୟ ଶ୍ରେଷ୍ଠ କଳାର ମଉଡ଼ମଣି କୋଣାର୍କ । ସମୁଦ୍ର ଭିତରୁ ସୂର୍ଯ୍ୟ କୁଦାମାରି ଆକାଶକୁ ଉଠେ, ବାଲିବନ୍ତ ଉପରେ ସକାଳର ଶିଶିର ଭିତରେ ନଇଁ ନଇଁ ଆସି ପହିଲି ଚୁମ୍ବନରେ ମନ୍ଦିରର କପୋଳକୁ ଲାଲ କରିଦିଏ, ସରାଗରେ ଉଜ୍ଜ୍ୱଳ କରିଦିଏ । ସେଇ ଦଦରା ମନ୍ଦିର ଅନାଦି ଶିଳ୍ପୀର ଆଦରରେ ପ୍ରାଣ ପାଇ ହସି ଉଠେ । ମନ ଉତ୍ତାଳ ହୋଇ ନାଚେ, କଳ୍ପନା ରାଇଜରେ ଫୁଲର ଲହଡ଼ି ଭାଙ୍ଗିଯାଏ-‘‘କର୍‌ମା କେ ଏକାଦଶୀ-ଫୁଲ୍ ଫୁଟେ, ବାରମାସୀ, ଡାଲ୍‍ଖାଇ ରେ-ଏ-ଏ ।’’ ଏଇଠି ଜୀବନର ଆନନ୍ଦ ଅଛି, ଏଇଠି, ଏଇଠି । ବରଣମାଳା ଦେବାକୁ ମନହୁଏ ଶିଳ୍ପୀକୁ, ଯାହା ମନର ଆନନ୍ଦର ଉଦ୍ଦାମ ଡାଲ୍‌ଖାଇ ନାଚ ଦିନେ ଫୁଟାଇଥିଲା ପଥର ଦେହରେ ଏଇ କଳା ।

 

କିନ୍ତୁ ପୃଷ୍ଠା ପଛକୁ ଓଲଟେ । ଦିଶିଯାଏ, ବାରଶହ ବଢ଼େଇ ମଝିରେ କାନ୍ତରାଟି ଶିବେଇ ସାନ୍ତ୍ରା । ବାରଶହ ଏକ ଆତ୍ମା, ବାରଶହ ଏକ ମନ, କିଏ କେଉଁଠି ଶିଳ୍ପ ଗଢ଼ୁଛି । କାଳିଆ କୋଚଟ ଦେହରୁ ଝାଳ ଗମ୍ ଗମ୍ ବୋହି ଯାଉଛି । ବେଳେ ବେଳେ ବଟୁଆରୁ ଖଣ୍ଡେ ଲେଖାଁ ପାନ । ବିଣ୍ଡିମରା ହାତର ହତିଆର ପଥର ଉପରେ ଚାଲୁଛି ଠକ୍ ଠକ୍ ଠକ୍‌ । ବାରଶହ ବଢ଼େଇ, କିଏ ସୁନ୍ଦର ସୁଠାମ; କିଏ କୁତ୍ସିତ, ମୋଟା ଓଠ ଓହଳି ପଡ଼ୁଛି, ଝୁଙ୍କି ପଡ଼ିଥିବା ଗୋଜା ମୁହଁରୁ ବଡ଼ ବଡ଼ ହଳଦିଆ ହଳଦିଆ ଦାନ୍ତ ପଦାକୁ ଫୁଟି ଦିଶୁଛି । ଅସୁନ୍ଦର; କିନ୍ତୁ ଶିଳ୍ପୀ । ତା’ର ମନର ରାଗିଣୀର ରଙ୍ଗ ଅଛି । କାଲସୀ-ଲଗା କଳା-ଶକ୍ତି ତା ଉପରେ ବେଶୀ ଅବତରେ । ଅମର ଶିଳ୍ପୀ ସୌନ୍ଦର୍ଯ୍ୟର ସ୍ରଷ୍ଟା, ବରଣମାଳା ଦେବ ତାକୁ ?

 

ତୁମେ ବୋଧହୁଏ କେବେ ଭାବିନାଁ, କଳା ଶିଳ୍ପୀ ଓ ଦୁନିଆର ମଣିଷ ଭିତରେ ଏତେ ବିସଦୃଶ ରହିପାରେ; କିନ୍ତୁ ଭାବି ଦେଖ, ବୁଝିବ । ତେଣୁ ଯଦି ବାସ୍ତବତା ଭିତରୁ ଆଦର୍ଶକୁ ବୁଝି ନେବାକୁ ଶକ୍ତି ନ ଥାଏ, ତେବେ ଗୀତଟିରେ ମୁଗ୍‍ଧ ହେଲାପରେ ଉହାଡ଼ରେ ଥିବା ଓସ୍ତାଦ୍‌ଜୀଙ୍କୁ ଅଭିବାଦନ କରିବାକୁ ଛୁଟି ଯାଅ ନା, ମୋର ସାନ କୁହା ମାନ । ଓସ୍ତାଦ୍‌ଜୀଙ୍କର ବାସ୍ତବତାର ସ୍ଥୂଳରୂପ ଦେଖି କାଳେ ରାଗିଣୀର ସ୍ମୃତି ନଷ୍ଟ ହୋଇଯିବ, କିଏ ଜାଣେ ?

 

ଏପରି କବିକୁ କିଏ ଭଲ ପାଇପାରେ, କେବଳ କବି ଛଡ଼ା ? ସେ ଯେ ବାହାରକୁ ତୁଚ୍ଛ କରିଛି, ସାଧାରଣଙ୍କ ଭିତରେ ଥିଲେ ସୁଦ୍ଧା କିପରି ଗୋଟାଏ ଆଉ ପରି କିଛି ! ସେହି ଯେଉଁ କୋଣାରକର କୁତ୍ସିତ ଶିଳ୍ପୀ କଥା ମୁଁ କହିଲି, ଅନେକ ଶିଳ୍ପୀ ତ ସେହିପରି । ତାଙ୍କ ଦେହର ରୂପ ଯାହା ହେଉ, ମନର ରୂପର ସୁନ୍ଦରିମା ଦେହର ରୂପକୁ ଏପରି ଢାଙ୍କି ଦିଏ ଯେ, ତାଙ୍କ ମନର ରୂପରେ ଭୁଲି ନିଜର ପରମୁହୂର୍ତ୍ତର ଦୁର୍ବଳତାର ଦେହର ରୂପରେ ତାକୁ ଯେ ଖୋଜିଛି, ସେ ଆଘାତ ପାଇଛି । ପ୍ରଥମେ ଯେତେବେଳେ ଆରାଧିକା ଆଉଜି ଆସିଲା, କବି ଭାବିଲା ବୋଧହୁଏ ଏହାରି ମନରେ ନିଜ ଗୀତର ତାଳ ପାଇବ । ପରେ ଆରାଧିକା ମୋହରେ ଅପୂର୍ଣ୍ଣତା ଘେନି ଅପସରି ଗଲା । କବି ଖୋଜି ବୁଲିଲା, ଅନ୍ୟ କେଉଁଠି ମନର ସମତାଳ ଅଛି । ଏହି ଗୋଟିଏ କାରଣରୁ, ଅର୍ଥାତ୍ କବିର ମନର ଆସ୍ୱାଦ ପାଇ ସାରିଲା ପରେ ଏତେ ବଡ଼ ଆସ୍ୱାଦକୁ ଦେହରେ ଓ ବସ୍ତୁ ପରିସ୍ଥିତିରେ କରେ ପାଇବାକୁ ଚେଷ୍ଟା କରିବାଦ୍ୱାରା ଆରାଧିକାର ବିଫଳତା ଆସେ ବୋଲି ଓ କବି ମନର ଅସରନ୍ତି ଶୋଷ ସାଧାରଣ ପାଣିରେ ମେଣ୍ଟେ ନାହିଁ ବୋଲି ବୋଧହୁଏ ଏହି କାରଣରୁ କବି ସହଜରେ ବାନ୍ଧି ହୋଇପାରେ ନାହିଁ । ସାଂସାରିକ ବିଷୟରେ ଏକ୍‍ସପେରିମେଣ୍ଟ କରୁ କରୁ ତା’ର ଦିନ ଯାଏ । ତା’ର ମନ ଦେହର ବନ୍ଧନଠାରୁ ଢେର ଉଚ୍ଚରେ । ଦେହର ବନ୍ଧନକୁ ସେ ବିଶ୍ୱାସ କରେ ନାହଁ; ତେଣୁ ସଂସାର ଭିତରେ ବୁଡ଼ି ରହି ସେ ଥାଏ ସନ୍ନ୍ୟାସୀ ହୋଇ । କେତେବେଳେ କେଉଁ ଅସ୍ଥାୟୀ ସମ୍ବନ୍ଧ ଭିତରେ ସେ ଦୁଇଟା ଦିନ ପାଇଁ ପୂର୍ଣ୍ଣତା ପାଇଥିଲା, ସେତିକି ଘେନି ଗୁଣୁ ଗୁଣୁ କରି ମନ ଭିତରେ ରାଗିଣୀର ଆଳାପ କରୁ କରୁ ସେ ସାରା ଜୀବନ କଟାଇ ଦେଇପାରେ ।

 

ପାରେ, କାହିଁକି ନା ସେ କବି, ସେ କଳା-ଶିଳ୍ପୀ । ଯେଉଁ ସ୍ମୃତିଟିକ ସେ ଚିରଦିନ ପାଇଁ ଆବୋରି ଧରିଲା, ସେ ସ୍ମୃତି ଯେ ତା’ର କଳା-ଶକ୍ତି ଉଦୟ ହୋଇଥିବା ବେଳର ଅବଦାନ । ଦେହର ତୃଷା ପାଇଁ ଦେହ ସେ ଭସାଇ ଦେଇପାରେ, ନ ପାରେ ବି; କିନ୍ତୁ ସ୍ମୃତିଟି ରହିଲା ଭୋଗ ଭିତରେ ବୈରାଗ୍ୟର ଜଳନ୍ତା ଶଳିତା ହୋଇ । ତାହାରି ଧାସ ପଡ଼ିଯାଏ ଶିଳ୍ପୀର ପ୍ରତି ହାତଯଶରେ–ତାରି- ତାରି ।

 

କ୍ରମେ ଆମେ ଆସି ଏପରି ସ୍ଥଳରେ ପହଞ୍ଚିଲୁଣି, ଯେଉଁଠି ବିଶ୍ୱାସ କରିବାକୁ ହେବ, ଶିଳ୍ପୀ ପ୍ରାଣ ଓ ମନୁଷ୍ୟର ଅଛିଣ୍ଡା ସମ୍ବନ୍ଧ । ଅର୍ଥାତ୍‌, ଶିଳ୍ପୀ-ମନ ରୂପ ଉପରେ ଓ ବାସ୍ତବ ପରିସ୍ଥିତି ଉପରେ ପ୍ରଭାବ ନ ପକାଇଲେ ସୁଦ୍ଧା କବି ଜୀବନର ନୀତିକୁ ଅନେକ ଅଂଶରେ ଛାଞ୍ଚରେ ଢାଳିଥାଏ । ଏ କଥା ତୁମେ ବୁଝୁଛ; କିନ୍ତୁ ଗୋଟାଏ ଲୋକକୁ ବାହାରୁ ଦେଖି ହଠାତ୍‌ କିପରି ତୁମେ ତା’ର ଜୀବନର ନୀତି ବିଷୟରେ ଧାରଣା କରି ନେବ ? ଜଣେ ମୁଣ୍ଡଟିକୁ ଗୋଟିଏ କରକୁ ଭାଙ୍ଗି ଦୌଡ଼ୁଛି । ସେ ହୁଏତ ଭାବୁଛି- ଏଇ ଠିକ୍‌ ସାହିତ୍ୟିକାର ଗତି । ଅତି ବିଶେଷଣ କଲେ ତହିଁରୁ ମିଳିପାରେ ଭିତରେ ଥିବା ଶିଳ୍ପୀ-ମନର ସାମାନ୍ୟ ସନ୍ଧାନ । କିନ୍ତୁ କୌଣସି କାରଣରୁ ସେ ଲୁଗା ଛନ୍ଦି ହୋଇ ପଡ଼ିଗଲା, ଯାଉ; କିନ୍ତୁ ଏ ଆକସ୍ମିକ ପତନରୁ ଯେ ଖିଅ ଓଟାରୀ ବାଳିକାଟିର ଜୀବନର ନୀତି ବୁଝିବାକୁ ଚେଷ୍ଟା କରିବ, ସେ ବିଫଳ ହେବ । କବି ଜୀବନରେ ସୁଦ୍ଧା ଠିକ୍‌ ସେହିପରି । ବାହାରର ମୋଟା ଘଟନାରୁ ଆଦୌ ସହଜରେ ବୁଝି ହେବ ନାହିଁ କେଉଁ ପରିମାଣରେ କବି ଭିତରେ ଶିଳ୍ପୀ-ଆତ୍ମା ବାହାରର ମନୁଷ୍ୟ ଉପରେ ପ୍ରଭାବ ପକାଇଛି । ଲୁଗା ଛନ୍ଦି ହୋଇ କେତେ ସ୍ଥାନରେ କବି ପଡ଼େ, ଅନ୍ୟମାନଙ୍କ ସହିତ ପରିସ୍ଥିତିର ସୁଅରେ କେତେବେଳେ ବା କବି ଦଉଡ଼େ କିନ୍ତୁ କ୍ରିୟା ପ୍ରକ୍ରିୟା ଆଲୋଚନା କରି ତହିଁ ଭିତରୁ କେଉଁଟା ଭିତରର କେଉଁଟା ବାହାରର, ଏ କଥା ବାଛି ପାରିବା ସେତେ ସହଜ ନୁହେଁ ।

 

ବାଛି ପାରିଲେ ସୁଦ୍ଧା କିଏ ବାଛି ପାରିବ, ସାଧାରଣ ପୂଜାରିଣୀ ? ଯେ ଆସିଛି କେବଳ ଅନ୍ୟମାନଙ୍କ ସଙ୍ଗମେଳରେ ? ମନର ଖିଆଲରେ ଭାସି ଆସି ବନ୍ଧାଗତ ଅନୁସାରେ ଦି ଥର ଜେ’ ଜେ’ ହୋଇ ଯେ ଚାଲିଯିବ ସେ ? ଅସମ୍ଭବ, ସେ ସାଧାରଣ ଦେଖଣାହାରୀ । ସେପରି କେତେ ଲୋକ କୋଣାରକ ମନ୍ଦିରକୁ ଆସନ୍ତି ଯାନ୍ତି, ବାଲିବନ୍ତର ବାଲିହରିଣ ଡବ ଡବ ଆଖିରେ ସଞ୍ଜପହରେ ଝାଉଁଗଛ ଉହାଡ଼ରୁ ମନ୍ଦିରକୁ ଦେଖି ସେମାନଙ୍କଠାରୁ ବେଶୀ ବୁଝେ । ହୁଏତ ତା’ର ମନ ଶିଳ୍ପୀ ପ୍ରତି କଅଁଳ ହୋଇ ଆସନ୍ତା, ଯଦି ସେ ଦେଖନ୍ତା ତା’ରି ଆଗରେ ଶିଳ୍ପୀ ହତିଆରରେ ଖୋଳି ଖୋଳି ସୁନ୍ଦରିମା ଫୁଟାଉଛି । ଶିଳ୍ପୀର ବାହାରର ରୂପ ତା ଆଖିରେ ପଡ଼ନ୍ତା ନାହିଁ । ମଣିଷର ରୂପ ବିଷୟରେ ସେ କେବେ ମୁଣ୍ଡ ବୁଲାଉନାହିଁ; କିନ୍ତୁ ପଥର ଦେହରେ ଦେଖନ୍ତା ଯେତେବେଳେ ସେ ଛବି, ତା’ର ମନ ବୋଧହୁଏ ଆପେ ଆପେ ନଇଁ ଆସନ୍ତା ସେଇ ଶିଳ୍ପୀଆଡ଼କୁ, ଯେ ପଥର ଦେହରେ ନିଜ ମନର ସ୍ୱପ୍ନ ଆଙ୍କିଗଲା, ଦେହର ସୀମାଦିଆ ଅସୁନ୍ଦର ବନ୍ଧନ ବିଷୟ ମନକୁ ନ ଘେନି ।

 

ତୁମେ ଭାବି ବସିଛ ପରା, ଆମର ଲେଖା ପଢ଼ିଲେ ତୁମେ ଆମ ସାହିତ୍ୟିକମାନଙ୍କ ନାଡ଼ି ଚିପି ସବୁ ବୁଝି ନେବ ? ତା ନୁହେଁ ଗୋ, ତା ନୁହେଁ । ତୁମେ ସହାନୁଭୂତି ଢାଳି ବୁଝିବାକୁ ଚେଷ୍ଟା କଲେ ପାଇବ ସାହିତ୍ୟିକର ଭିତିରି ଶିଳ୍ପୀ ରୂପ, ଯାହାର ପରିଚୟ ତୁମେ ତା’ର ସାଧାରଣ ଜୀବନରେ ବୃଥା ଖୋଜି ବୁଲିବ । ଶିଳ୍ପୀ-ଆତ୍ମା ବାସ୍ତବତାର ମଣିଷ ସାଥିରେ ଲୁଚୁକାଳି ଖେଳୁଥାଏ, କେତେବେଳେ କେଉଁଟା ଫୁଟି ବାହାରେ ବୁଝିବା ମୁସ୍କିଲ । ଇଂରେଜୀ ସାହିତ୍ୟ ତ ତୁମେ ପଢ଼ୁଛ, କିଏ ବିଶ୍ୱାସ କରିବ, ଷ୍ଟିଭେନ୍‌ସନଙ୍କର ଅଣ-ନିଃଶ୍ୱାସୀ ଆଡ଼୍‌ଭେଞ୍ଚର୍‌ମୟ ଉପନ୍ୟାସ ପଢ଼ି, ଯେ ସେ ବାସ୍ତବ ଜୀବନରେ ଥିଲେ ରୁଗ୍‌ଣ ! ବାସ୍ତବ ଜୀବନରେ ଅତି ପ୍ୟୁରିଟାନ୍‌ ଥିଲେ ଯେଉଁ ମିଲ୍‌ଟନ୍‌, ସେହି ପ୍ରତିଷ୍ଠା କରିଛନ୍ତି ଅତି-ମାନବ ‘‘ସଇତାନ୍‌’’ ର ଦ୍ୱାହି ଦେଇ ଈଶ୍ୱରଙ୍କ ବିରୁଦ୍ଧରେ ମନୁଷ୍ୟର ବ୍ୟକ୍ତିତ୍ୱ । କେବଳ ନିଜ ସଙ୍ଗେ ଲୁଚୁକାଳି ଖେଳ, ଶିଳ୍ପୀ ଯେତେ ବେଶୀ ଉଚ୍ଚ ହୁଏ, ନିଜର ଲୌକିକ ଆବରଣକୁ ଚାପି ଦେଇ ସେତିକି ସେ ନିଜକୁ ସମସ୍ତଙ୍କଠାରେ ଓ ସମସ୍ତଙ୍କୁ ନିଜଠାରେ ଅନୁଭବ କରିପାରେ । ସମସ୍ତଙ୍କର ନିଜର ପ୍ରାଣ ଅଛି; କିନ୍ତୁ ଶିଳ୍ପୀ ଅନ୍ୟମାନଙ୍କୁ ସୁଦ୍ଧା ପ୍ରାଣବନ୍ତ କରିପାରେ ।

 

ଖଣ୍ଡେ ଚିଠିରେ ଏତେ ମାଦକତା ଥାଏ କାହିଁକି ? ଦେଖା ହେଲେ ଯେ ମୁଣ୍ଡ ନୁଆଇଁ ଚାଲିଯାଏ, ଏଣୁ ତେଣୁ ଦୁଇପଦ କଥା କହି, ଚିଠି ଲେଖିଲାବେଳେ କାହିଁକି ସେ କବିତା ହୋଇ ତରଳି ଆସେ ? କାରଣ ସେତେବେଳେ ସେ ଭିତରେ ଥିବା ଶିଳ୍ପୀମନର ପରିଚୟ ଦିଏ । ସେହି ପରିଚୟଦ୍ୱାରା ଅପରକୁ ସେ ଅନୁପ୍ରାଣିତ କରିଥାଏ । କେତେ ନୀରବ ଗୋପନ ପରଶ ଘେନି ଆସେ ଖଣ୍ଡିଏ ଚିଠି । କେବଳ ଚିଠିରେ ଚିଠିରେ ପ୍ରେମର ବୀଜ ଅଙ୍କୁରେ, ବଢ଼େ, ଡାଳପତ୍ର ମେଲିଦିଏ । ବାଟ ମଝିରେ ଠିଆହୋଇ ପଛକୁ ଚାହିଁଲେ ଦେଖିବ, ଆରମ୍ଭ ରହିଲାଣି କେଉଁ ପଛରେ, ଚିଠିରେ ଚିଠିରେ ତାରରେ ତା’ର ଛନ୍ଦି ହୋଇଗଲାଣି । ଅଦର୍ଶନର ଅବାସ୍ତବତା ହେତୁ କଳ୍ପନା ବୁଣିଛି ମାୟାର ଜାଲ, ତାରି ଭିତରେ ସାଧାରଣ ସୁଖଦୁଃଖକୁ ନିମିତ୍ତ କରି କଅଁଳ ମରମ ଭାବ ନିଜର ପ୍ରତିଧ୍ୱନି ଖୋଜି ପାଇଛି ।

 

ଗାଁରୁ ଚିଠି ଆସେ, ଯେ ପାଠ ପଢ଼ି ନାହିଁ, ଯାହାର ଅକ୍ଷର ଅତି ଅସୁନ୍ଦର, ଯାହାର ବନାନ୍‌ ବ୍ୟାକରଣର ଆଲୁଅ ପାଇନାହିଁ, ଏପରି କେତେ ଚିଠି । ତଥାପି ପ୍ରକାଶର ଅପୂର୍ଣ୍ଣତା ଭିତରେ ଛପି ଛପି ଭାସିଆସେ ମନର କବିତା, ଶିଳ୍ପୀର ପ୍ରାଣ, ନିରାଭରଣା ଶକୁନ୍ତଳା ପରି ସୁନ୍ଦର, ସହରର ନିରର୍ଥକ ବନ୍ଧାଗତର ସୋଫିଷ୍ଟିକେଟେଡ଼୍‌ ଶିକ୍ଷିତ ଚିଠି ଅପେକ୍ଷା ପ୍ରାଣବନ୍ତ, ‘ଦୂରୀକୃତା ଖଳୁ ଉଦ୍ୟାନଲତା ବନଲତାଭିଃ ।’

 

ସମ୍ମୁଖ ବାସ୍ତବତାରେ ଦେଖିବାକୁ ଯାଅ, ଶିଳ୍ପୀମନର ସେ ପରିଚୟର ଛାଇ ସୁଦ୍ଧା ବାସ୍ତବରେ ପାଇବ ନାହିଁ ।

 

ଏଇଠି ତୁମର ବିପଦ, ଯେଉଁ ବିପଦ କଥା ମୂଳରେ କିଛି ମୁଁ କହିଥିଲି । ଦୁଇଜଣ ଦୁଇଜଣଙ୍କୁ ଦେଖି ଭୁଲନ୍ତି, ମୁହୂର୍ତ୍ତକର ସତ୍ୟ-ପ୍ରକାଶର ଆବେଗରେ । ଦୁଇଜଣ ଦୁଇଜଣଙ୍କ ବିଷୟରେ କଳ୍ପନାମୟ ଧାରଣା ରଖି ବାସ୍ତବତାକୁ ଭୁଲି ଯାଆନ୍ତି । ଦିନ ଯାଏ, ବାସ୍ତବ ଭିତରେ ଆଉ ଆଦର୍ଶ ମିଳେ ନାହିଁ । ସନ୍ଦେହର ମେଘ ଦେଖାଦିଏ, ହଜିଲା ମୁହୂର୍ତ୍ତର ବିଜୁଳୀ ଝଲକରେ ଯେଉଁ ପରିଚୟ ହୋଇଥିଲା, ସେ ଲାଗେ ଗୋଟାଏ ଭୁଲ୍‌ ପରି । ବନ୍ଧନ ଭାଙ୍ଗେ, ତାପରେ ଆସେ ମୁକ୍ତିର ଅନ୍ଧାର ।

 

କିନ୍ତୁ କେଉଁ ଗୋଟାକ ଭୁଲ୍‌ ? ଭୁଲ୍‌ଟା ଭୁଲ୍‌, ନା ଭୁଲ୍‌କୁ ଭାଙ୍ଗିବାଟା ଭୁଲ୍‌ ?

 

ଜୀବନରେ ଅନେକ ଏପରି ନିରାଶା ଆସିଥାଏ, ଅପରିପକ୍ୱ ମିଳନର ଦୋଷରୁ । ଯେଉଁଠି ଦୁଇଜଣଙ୍କ ମନ ପଶୁ ମନ ପରି ଅଚଞ୍ଚଳ, ସେଠି ବାସ୍ତବତାର ମିଳନ ହୋଇଥିବାରୁ ତାହା ସଫଳ ହୋଇଥାଏ; କାରଣ ପ୍ରଶ୍ନ ପଚାରିବାକୁ କାହାରି ଶକ୍ତି ନ ଥାଏ । ଯେଉଁଠି ମନ ଉଜାଗର ସେଠି ନାନାପ୍ରକାର ବିପଦ ଆସେ । ଜଣକର ମନ ଆଦର୍ଶ ଖୋଜୁଥାଏ; କିନ୍ତୁ ତା’ର ଏତେ ବେଶୀ ସଂକୀର୍ଣ୍ଣତା, ଏତେ ବେଶୀ ବସ୍ତୁପରାୟଣତା ଯେ, ସେ ଅପର ଜଣକର ସ୍ଥୂଳ ଆବରଣକୁ ଭେଦକରି ଆଦର୍ଶ ପାଖରେ ପହୁଞ୍ଚିପାରେ ନାହିଁ । ତେଣୁ ଆର ଜଣକ ସେତେବେଳେ ମନ ମନର ଐକ୍ୟ ତାନ ଖୋଜେ, ସେ ମଧ୍ୟ ନିରାଶ ହୋଇ ମୁହଁ ବୁଲାଇ ନିଏ । ଆଦର୍ଶକୁ ବସ୍ତୁ ଭିତରୁ ଅଲଗା କରି ବାଛି ନେଇ ବସ୍ତୁ ଓ ଆଦର୍ଶର ସମାବେଶ ମନୁଷ୍ୟଠାରେ ଶାନ୍ତି ପାଇବା ଅସମ୍ଭବ । ଯେ ଅପରଠାରେ ଆଦର୍ଶକୁ ହୃଦୟସହିତ ଚିହ୍ନି ଭଲ ପାଇଛି, ତା’ର ଉଚିତ ହେଉଛି ବସ୍ତୁର ଅପୂର୍ଣ୍ଣତାକୁ ନ ଡରି ଅପର ଜଣକର ବସ୍ତୁ ରାଇଜରେ ସମ୍ବନ୍ଧଶୀଳ ଅବସ୍ଥାନକୁ ଗ୍ରହଣକରି ନେବା ଓ ତାକୁ ସାର ବୋଲି ମନେ ନ କରିବା । ଆହୁରି ଥରେ କହୁଛି, ଛଦ୍ମବେଶୀ ମହାଦେବଙ୍କର ମହାଦେବଙ୍କ ବିଷୟରେ ବସ୍ତୁବାଦର ବର୍ଣ୍ଣନ ‘‘ବପୁର୍ବିରୁପାକ୍ଷମ୍‌’’ ଇତ୍ୟାଦି ଶୁଣି ପାର୍ବତୀ ଡରି ନ ଥିଲେ । ଆଦର୍ଶର ସାଂସାରିକ ସୀମା ଯେତେବେଳେ ବାସ୍ତବତା, ବାସ୍ତବତା ପୁଣି ଆଦର୍ଶର ରୂପ-ବନ୍ଧନ, ସେତେବେଳେ ତାହାକୁ ସାର ନ ମଣି ବା ତହିଁରେ ଭୟ ନ ପାଇ ତାହାରି ଭିତରେ ଆଦର୍ଶକୁ ଖୋଜିବା ସମୀଚୀନ ବୋଲି କାଳିଦାସ ସେଠି ପ୍ରମାଣ କରିଛନ୍ତି ।

 

ସେଥିପାଇଁ କହୁଛି, କବିର ମନ ସହିତ ମନ ମିଳାଇ ଦେଇ କବିର ସ୍ପନ୍ଦନରେ ନିଜର ସ୍ପନ୍ଦନକୁ ଏକ କରିଦେବା ସହଜ ନୁହେଁ । କବିର ଗୃହିଣୀ ଯେ ପାରି ସେ ହୋଇ ପାରିବେ; କିନ୍ତୁ କବିର ପ୍ରେୟସୀ ହେବାକୁ ସମସ୍ତଙ୍କର ଭାଗ୍ୟ ନାହିଁ । ସେ ପ୍ରେମ ଆରାଧିକା ରାଧିକାର ପ୍ରେମ । ତହିଁରେ ବସ୍ତୁ-ସ୍ଥୂଳତାର ସୀମା ନାହିଁ ବା ଦୁର୍ବଳତା ନାହିଁ । ଅଛି କେବଳ ଗୋଟାଏ ଆଦର୍ଶମୟ ଉଚ୍ଛ୍ୱାସ ।

 

ତେବେ ତୁମେ କହିବ, ଶିଳ୍ପୀର ମନକୁ ଶିଳ୍ପୀମନୁଷ୍ୟ ପାଖରେ ଚିହ୍ନି ପାରିବା କ’ଣ ଏକାବେଳକେ ଅସମ୍ଭବ ? ତେବେ ଶିଳ୍ପୀ-ମନୁଷ୍ୟକୁ ମନୁଷ୍ୟ ହିସାବରେ ସୁଦ୍ଧା ଗୋଟାଏ ମନଭୁଲାଣିଆ ରୂପ କାହିଁକି ଦିଆହୁଏ ? ମୁଁ ଭାବୁଛି, ଏକାବେଳକେ ଅସମ୍ଭବ ନୁହେଁ, ଯଦି ଆରାଧିକା କଳ୍ପନାମୟ ସହାନୁଭୂତି ଘେନି ଆସିଥାଏ । ଶିଳ୍ପୀ ଓ ମନୁଷ୍ୟ ଭିତରେ ଯେଉଁ ଲୁଚକାଳି ଖେଳ ଲାଗିଥାଏ, ତାହାରି ଫାଙ୍କରେ ଶିଳ୍ପୀ-ମନୁଷ୍ୟ ଭିତରେ ଶିଳ୍ପୀ-ଆତ୍ମା କାହାରି କାହାରି ପାଖରେ ଧରାପଡ଼େ, ବାସ୍ତବ ଜୀବନରେ ମଧ୍ୟ । ସେଥିପାଇଁ ପରିଚୟ ଲୋଡ଼ା, ଯେପରିକି କଳାଶକ୍ତି ଅବତାର ଘେନିଲାବେଳେ ପାଖେ ପାଖେ ଥାଇ ଦେଖିବାକୁ ଅବକାଶ ମିଳିପାରିବ । ଗୋଟାଏ ମୁହୂର୍ତ୍ତର ସୁଯୋଗ । ଜଣକର ଆତ୍ମା ସିଧା ସିଧା ଅନ୍ୟ ଜଣକର ଆତ୍ମାକୁ ଯାଇ ଭେଟେ, ପାଛୋଟି ଆଣେ । ବାସ୍ତବତାର ଅସମାନ୍ତରାଳ ଅନୈକ୍ୟତାର ଜଡ଼ତା ଓ ରୁକ୍ଷତା ଯାଏ ଲୁଚି, ଶିଳ୍ପୀର ବ୍ୟକ୍ତିତ୍ଵ ଫୁଟିଉଠେ । ଦୁଇ ପ୍ରାଣର ପରିଚୟ ହୁଏ ସୀମାହୀନ ଆକାଶର ତଳେ । ମୁହୂର୍ତ୍ତେ, ତା ପରେ ବିହ୍ଵଳତା ଭାଙ୍ଗିଯାଏ, ଆରାଧିକା ଚାହିଁ ଦେଖେ, ଶିଳ୍ପୀ ନୁହେଁ, ସାଧାରଣ ମନୁଷ୍ୟ । ଯଦି ତା’ର ବୁଝିବାକୁ ଶକ୍ତି ଥାଏ, କ୍ରମେ ସେ ଏପରି ଅବସ୍ଥାରେ ଆସି ପହଞ୍ଚେ ଯେତେବେଳେ ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ଭିତରୁ ଶିଳ୍ପୀ-ଆତ୍ମାକୁ ସେ ଛାଣି ନେଇପାରେ । ତା ନ ହେଲେ, ସେ ଭାବେ, ସେ ଗୋଟାଏ ଭୁଲ୍‌କରି ବସିଛି । ଭୁଲ୍‌ ଭାଙ୍ଗିବାକୁ ତାକୁ ତର ସହେ ନାହିଁ ।

 

ଦୁନିଆରେ ତୁମ ଆମ ଆଖି ଆଗରେ ତ ଏହିପରି କେତେ ଭଙ୍ଗାଗଢ଼ା ଲାଗିଛି । ତୁମେ ମଣିଷକୁ ଦେଖି ଶିଳ୍ପୀକୁ ଅବଜ୍ଞା କରିବ କାହିଁକି ? ସେ କ’ଣ ତୁମ ମନର ଭୁଲ ନୁହେଁ ? ବାସ୍ତବତାକୁ ଜୀବନର ସର୍ତ୍ତ ବୋଲି ଧରି ନ ନେଇ ଯଦି ପାର, ତେବେ ପୃଥିବୀ ଆଗରେ ଠିଆ ହେବ କେଉଁ ସାହସରେ ? ସାହିତ୍ୟ ଆମକୁ ଜୀବନରୁ ଲୁଚି ଆଶ୍ରୟ ନେବାକୁ ଶିଖାଏ ନାହିଁ । ଶିଖାଏ ବସ୍ତୁ ଭିତରେ ଆଦର୍ଶକୁ, ସୀମା ଭିତରେ ଅସୀମକୁ କିପରି ନିଜର କରି ନେବାକୁ ହେବ, ତାହାହିଁ । ତୁମେ କ’ଣ ଚାହଁ ଯେଉଁ ଶିଳ୍ପୀ ସୁନାକାଠି ଛୁଆଇଁ ତୁମର ଶୋଇଲା ପ୍ରବଣତାକୁ ଉଠାଇବାକୁ ମନ ବଳାଇବ, ସେ ତୁମର ବାସ୍ତବତାଠାରୁ ଲୁଚି ଲୁଚି ଦୂରରେ ରହି ତପସ୍ୟା କରୁଥିବ-? ନା, ଫୁଲ ତା କହେ ନାହିଁ । ଫୁଲ କହେ, “ମୁଁ ଯାହା ଅଛି ତାହାହିଁ । ମୋର ସ୍ଥୂଳତା ଅଛି, ପାଖୁଡ଼ା ଅଛି, ପତ୍ର ଅଛି, କଣ୍ଟା ଅଛି । କେତେ ପାଖୁଡ଼ା ମୋର ପୋକ କଣା କରିଛି, କେତେ ପରାଗ ମୋର ପବନରେ ଉଡ଼ି ଯାଇଛି, ପ୍ରଜାପତି ଆସି ଶୁଣ୍ଢ ବଢ଼ାଇ ମୋର ମହୁ ଲୁଟି ଖାଇଛି । ମୁଁ ରହିଛି ସେଇ ଫୁଲ, ସକାଳ ଶିଶିରର ଖେଳର ସାଥୀ । ମୋତେ ଯଦି ଭଲ ପାଇ ନେବାକୁ ଆସିଲ ମୁଁ ଯାହା ଅଛି ସେହିପରି ନିଅ, ଭୁଲ୍‍ ବୁଝନା । କଳ୍ପନାରେ ସପନ ରଚି ତୁମେ ମୋତେ ଘେନିଯିବ, ଘରେ ଯେପରି ବାସ୍ତବତା ଆଡ଼କୁ ଚେତା ଫେରିଲେ ମୋତେ ଟିକି ଟିକି କରି ନ ଛିଣ୍ଡାଅ, ଗୋଡ଼ରେ ଦଳି ନ ଦିଅ । ମୋତେ ନିଅ ମୁଁ ଯେପରି ଅଛି ସେହିପରି, ବାସ୍ତବତାର ସୀମା ଭିତରେ କବିତାର ରୂପ-ପରିଗ୍ରହ ହୋଇ” ।

 

ଯେଉଁମାନେ ସହରର ଦୋତାଲା କୋଠାରେ ସୁସ୍ଥିବାଦର ପରିସ୍ଥିତିରେ ଫୁଲି ଫାଟି ବଢ଼ି ସଙ୍ଗୀତ ଓ ସାହିତ୍ୟ ଘେନି ଅଳକାପୁରୀ ରଚନା କରି ଥାଆନ୍ତି, ସେମାନଙ୍କ ଭିତରୁ ଅନେକେ ବାସ୍ତବ ଓ ଆଦର୍ଶର ଏ ଆଶ୍ଚର୍ଯ୍ୟ ଇନ୍ଦ୍ରଧନୁକୁ ଦେଖି ଦେଖନ୍ତି ନାହିଁ, ବୁଝି ବୁଝନ୍ତି ନାହିଁ, କାଦୁଅ ପଚ୍‌ ପଚ୍‌ ଗାଁ ଗୋହିରୀର ଗୀତ, ମଶା ଡାଆଁଶ ମେଳରେ ଘୁଷୁରିଆର ଜୀବନ, ଆବର୍ଜନାର ବୋଝ ଘେନି ଯାଉଥିବା ହରିଜନବାଳିକାର କଅଁଳ ମରମଭାବ, ଏ ସବୁର ଅସ୍ତିତ୍ଵ ବିଷୟରେ ସେମାନଙ୍କର ସନ୍ଦେହ ହୁଏ । ତେଣୁକରି ପୁଣି କବି-ଭାଷାରେ କହୁଛି, “ଦୂରୀକୃତା ଖଳୁ ଉଦ୍ୟାନଲତା ବନଲତାଭିଃ” । ଧାଡ଼ିଧାଡ଼ି କୁଣ୍ଡରେ ସାଇତା ହୋଇଥିବା ଫୁଲ ଓ ଫଳର ଜଙ୍ଗଲ ଭିତରେ ଅଙ୍ଗଲତାକୁ ଦୋହଲାଇ ଦେଇ ଛାତି ଉପରେ ଲୁଚକାଳି ଖେଳି କେହି କେବେ ପାଇଛି କି ସେହି ଜୀବନର ଆନନ୍ଦ, ଯାହା ମିଳିଥାନ୍ତା ‘ବୁଢ଼ାରଜା’ ପାହାଡ଼ ଉପରେ, ଅଥବା ଦିଲ୍‌ବାହିଲ୍‌ପୁର ଓ ଛନ୍‌ଛାନ୍‌ ଡୁଂରିର ଚାର-ବୁର- କୁରେଇର ଜଙ୍ଗଲ ଭିତରେ ? ତୁମର ଫୁଲଗଛ ତଳେ ଗୋଟିଏ ବୋଲି ଘାସ ନାହିଁ, ତୁମର ସାଇତା ବଗିଚା ଭିତରେ ସବୁ ମପାଚୁପା, ଏ ସାଇତା ଆନନ୍ଦ ଜୀବନର ହନୁକରଣ, ନିଜେ ଜୀବନ ନୁହେଁ । କର୍କଶ-କୋମଳ, ଭୀଷଣ-ଅଭିରାମ, ବୀଭତ୍ସ—ସୁନ୍ଦର ହେଉଛି ବାସ୍ତବତା ଭିତରେ ଆଦର୍ଶର ବନ୍ଧନ, ଜୀବନର ଉଦ୍ଦାମ ଉତ୍ତେଜନା—ନିଘଞ୍ଚ ଜଙ୍ଗଲ ମଝିରେ ଡାଲ୍‌ଖାଇ ନାଚ ।

 

“କର୍‌ମା କେ ଏକାଦଶୀ—ଫୁଲ୍‌ଫୁଟେ ବାରମାସୀ

ଡାଆଲ୍‌ଖାଇରେ—ଏ...ଏ...”

 

ଯଦି ଆଦର୍ଶକୁ ବାସ୍ତବ ଭିତରେ ବୁଝିବାକୁ ଚାହଁ, ତେବେ ମନର ପର୍ଦ୍ଦା ଚିରି ଫୋପାଡ଼ି ଦିଅ, ଭାଙ୍ଗିଦିଅ ସବୁ ବାଡ଼ ଆଉ ବନ୍ଧନ, ନିଜକୁ ଶିଳ୍ପୀର ବୃହତ୍ତର ଜୀବନ ଭିତରେ ହଜାଇ ଦେଇ ପୁଣି ନିଜକୁ ଖୋଜିଆଣ । ମନର ଆକର୍ଷଣ ତୁମକୁ ଅମର କରିବ, ରୂପର ଆକର୍ଷଣ କରିଥାନ୍ତା ପାଗଳ, ବାଟଭୁଲା । ଦଶଟା ପ୍ରତିମା ଗଢ଼ା ହୁଏ, ଦଶଟା ପୁଣି ଦେବୀଗଡ଼ା ଘାଟରେ ପାଣିରେ ଉଭା ହୁଏ । ପ୍ରତିମାର ପ୍ରାଣ ନାହିଁ; କିନ୍ତୁ ଘରର ପୋଷା ବିରାଡ଼ିଟି ମରିଗଲେ ପରା ତୁମେ ଲୁହରେ ଭାସ ? କେତେ ଦେହର ରୂପ ଦୁନିଆର ହାଟେ ହାଟେ ଘାଟେ ଘାଟେ ଦେଖିଥାଅ, କିନ୍ତୁ ଶିଳ୍ପୀ-ମନର ରୂପ ସବୁଠାରେ ମିଳେ କି ? ଶିଳ୍ପୀର ବୃହତ୍ତର ପ୍ରାଣକୁ ଯଦି ତୁମେ ଦେହର ସ୍ଥୂଳ ରୂପରେ ଗୁଡ଼ାଇ ନିଜର ଧାରଣାରେ ଖର୍ଚ୍ଚ କରି ଦେବ, ସେଥିପାଇଁ କିଏ ଆଉ ଦାୟୀ ହେବ ତୁମ ଛଡ଼ା ?

 

ଶିଳ୍ପୀ ଭାରି ଅଭିମାନୀ, ନ ବୁଝିପାରି କୌଣସି ଶିଳ୍ପୀ ବିଷୟରେ ଭ୍ରମ ଧାରଣା କରିବାର ଦେଖିଲେ ସେ ସହିପାରେ ନାହିଁ, ତା’ର ଖୋଲା ପ୍ରାଣରେ ପରର ଦେହ ବା ମନର ବନ୍ଧନ ବଡ଼ ବାଧେ । ତେଣୁ ତୁମର ଭୁଲ ଭାଙ୍ଗିବା ପାଇଁ ଲେଖିଲି, ଭବିଷ୍ୟତରେ ବାସ୍ତବତା ଭିତରେ ଆଦର୍ଶକୁ ଯେପରି ତୁମେ ଭୁଲି ନ ଯାଅ । ତୁମର ଅନଭିଜ୍ଞ ଆଖିରେ ସ୍ଥୂଳତାର ମୋହ, ବାସ୍ତବତାର ମୋହ ଜମାଟ ବାନ୍ଧିଛି । କେବେ ବା ଭାଙ୍ଗିବ ଭାବି ମନରେ ଆଶଙ୍କା ଉପୁଜୁଛି । ରୂପକୁ ମୁଁ ଅବହେଳା କରେ ନାହିଁ; କିନ୍ତୁ ବିନା ପ୍ରାଣରେ ରୂପର କିବା ମୂଲ ? ଆଉ ରୂପ ବା କ’ଣ ? କେବଳ ଅପରର ଆଖିର ନିଶା ସିନା । କବି ଜୀବନୀ ଆଲୋଚି ଦେଖିଲେ ବୁଝିବ, ସବୁ କବି-ପ୍ରେୟସୀ ଦୁନିଆ ସାରାର ରୂପସୀ ନ ଥିଲେ । ସବୁ କବି-ପ୍ରେୟସୀଙ୍କ ମୁହଁକୁ ଚାହିଁ କହି ହୁଅନ୍ତା ନାହିଁ, “ଏଇ କ’ଣ ସେହି ମୁହଁ, ଯାହାଲାଗି ସୁନାର ଲଙ୍କା ହେଲା ଚୂନା !” ତୁମର ମୁହଁକୁ ଚାହିଁ ସମସ୍ତେ କ’ଣ ସେହିପରି କହନ୍ତି, “ଏଇ କ’ଣ ସେହି ମୁହଁ ?” ଫ୍ରଏଡ଼ବାଦର ନାସିସିଜୁରେ ତୁମେ ଆପଣା ରୂପରେ ଆପେ ଯେତେ ବିଭୋର ହୋଇ ରହିଥାଅ ପଛେ, ସମସ୍ତଙ୍କର ଆଖି ସମାନ ନୁହେଁ । ଜୀବନରେ କେବେ ତୁଚ୍ଛା ରୂପର ମୋହରେ ଭାସିଆସିଥିବା ବୁଝାଳିକୁ ପଶ୍ରୟ ଦେବ ନାହିଁ କିମ୍ବା ନିଜେ ପ୍ରାଣହୀନ ରୂପର ପିଛା ଧରିବ ନାହିଁ । ଯଦି ସେପରି କର, ତେବେ ଠିକିବ, ମନର ଆବେଗ ଘେନି ଦେଉଳରେ ପଶି ଦେଖିବ ପାଷାଣର ପ୍ରତିମା, ପ୍ରତିମା ଭିତରେ ପ୍ରାଣ ନାହିଁ । ଦିନାକେତେ ପରେ ଭୁଲ୍‌ ଭାଙ୍ଗିବ୍, ସେତେବେଳେ ହାତର ମୁଠା ଖୋଲିଲେ ଦେଖିବ ଶୀତଳ ପାଉଁଶ, ବୃଥା ମନର କୋହ ଆଉ ଆଖିର ଲୁହ । ମୁହୂର୍ତ୍ତ ଚାଲିଯାଇଥିବ, ସେତେବେଳେ ଭ୍ରମ ପାଇଁ ବୃଥା ଦୀର୍ଘଶ୍ଵାସ ।

 

ବଡ଼ କୋଠାରେ ବୈଠକ୍‌ଘରେ ସଖୀମେଳରେ ବସି ଯେତେବେଳେ ଆନନ୍ଦ କରୁଥିବ, ଶିଳ୍ପୀର ମଣିଷରୂପର କିମ୍ଭୂତକୁ ଭାବି ହସର ରୋଳ ଉଠାଉଥିବ, ସେତେବେଳେ ପଦାକୁ ଥରେ ଥରେ ଆଖିପକାଇ ଭାବିବ, ବାସ୍ତବ ଭିତରେ ଆଦର୍ଶର ରୂପ । ବରଷା ଭିତରେ ବାଟର ବାଟୋଇ ଚାଲିଛି, ପାଣି କାଦୁଅ ରାସ୍ତାରେ । ତୁମ ପରି ତା’ର ସାଇତା ଘରକରଣା ନୁହେଁ । ମୁହଁରେ ବାଜୁଛି ପାଣିଛିଟା ଆଉ ଓଦା ପବନ । ଗୋଡ଼ ଅଧକୁ କାଦୁଅ, ଛତାଟିଏ ଧରି ସେ ଚାଲିଛି । ବାହାର ବାସ୍ତବତାର ରୂପ ମନଭୁଲାଣିଆ ନୁହେଁ; କିନ୍ତୁ ଭାବ, କାହାପାଇଁ ସେ ଛୁଟିଛି ବରଷାରେ ? କାହାପାଇଁ ତା’ର କୋଟଳିଆ ଆଖିରେ ଖେଳିଯାଉଛି ବେଳେ ବେଳେ କିପରି ଗୋଟାଏ ଗହୀର ଚାହାଣୀ ? କ’ଣ ତାହା ମନର କବିତା ?

 

ସହାନୁଭୂତି ଢାଳିଦିଅ, କଳ୍ପନାର ସତ୍ୟତା ଭିତରେ ବାସ୍ତବତାର ଅଳୀକତା ଯିବ ଡୁବି, ପୋଖରୀତଳ କାଦୁଅ ତୁମର ମନକୁ ଅଟକାଇ ପାରିବ ନାହିଁ, ତୁମେ ଭେଟିବ ପଦ୍ମଫୁଲ, ଯାହାର ସନ୍ଧାନ ତଳେ ଥିବା ଗେଣ୍ଡା ଶାମୁକା ପାନ୍ତି ନାହିଁ । ଆଉ ଅଧିକ କ’ଣ ଲେଖିବି ? ତୁମେ ନିଜେ ତ ବିଦୂଷୀ, ତୁମେ ନିଜେ ତ ଜ୍ଞାନର ସମୁଦ୍ରର କୂଳେ କୂଳେ ବାଲିଗରଡ଼ା ଗୋଟାଉଛ, ତୁମକୁ ମୁଁ ବୁଝାଇବି କ’ଣ ?

 

ତୁମ କ୍ୟାମ୍ପ୍‍ରେ ଥିବା ଅନ୍ୟାନ୍ୟ ଅପରିଚିତାମାନଙ୍କୁ ପରିଚୟର “ଭଉତୁ ଭଉତୁ” ଜଣାଇଦେବ । ସେମାନେ କ’ଣ ତୁମପରି ଆକାଶୀ, ନା ସେମାନେ ଆଖି ଆଉ ହୃଦୟ ଉଭୟରେ ଦେଖନ୍ତି ? ଯାଉଛି । ଇତି ।

 

ତୁମର ଅପରିଚିତ

ଶୁଭାକାଙ୍‌କ୍ଷୀ

ରମାନାଥ ବାଣଭଟ୍ଟ

Image